ଭାରତ ନିଜର ଆତ୍ମନିର୍ଭରତା ଅଭିଯାନକୁ ସୁଦୃଢ଼ କରି ଏବଂ ବହିର୍ବାଣିଜ୍ୟରେ ଭରସାଯୋଗ୍ୟ ବିକଳ୍ପ ସନ୍ଧାନ କରି ଆମେରିକା-ସୃଷ୍ଟ ଅର୍ଥନୈତିକ ଅସ୍ଥିରତାର ମୁକାବିଲା କରିବାକୁ ଯେଉଁ ରଣକୌଶଳ ଅବଲମ୍ବନ କରିଛି, ‘ଏସ୍‌ ଆଣ୍ଡ୍‌ ପି’ର ସୋଭରେନ୍ କ୍ରେଡିଟ୍ ରେଟିଙ୍ଗ୍ ନିର୍ଣ୍ଣୟ କରୁଥିବା ଅନୁଭୂତିସଂପନ୍ନ ଅର୍ଥନୀତି ବିଶେଷଜ୍ଞମାନେ ତାହାର ଦୃଢ଼ ଅନୁମୋଦନ କରିଛନ୍ତି ବୋଲି ନିର୍ଦ୍ବନ୍ଦ୍ବରେ କୁହାଯାଇପାରେ।

Advertisment

ଭାରତ ହେଉଛି ମୁକ୍ତ ବିଶ୍ବର ଏକମାତ୍ର ଦେଶ ଯିଏ ଏ ପର୍ଯ୍ୟନ୍ତ ଟାରିଫ୍ କୋହଳ କରିବା ପାଇଁ ଆମେରିକାର ସ୍ବେଚ୍ଛାଚାରୀ ଅହଙ୍କାରୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ନିକଟରେ ମୁଣ୍ଡ ନୁଅଁାଇ ନାହିଁ; ଯାହାର ପରିଣାମ ସ୍ବରୂପ ସେ ସର୍ବୋଚ୍ଚ ଟାରିଫ୍‌ର ସମ୍ମୁଖୀନ ହୋଇଛି। ସ୍ବାଭାବିକ ଭାବରେ ଭାରତୀୟ ଅର୍ଥନୀତି ପାଇଁ ଏହାକୁ ଏକ ଘୋର ଦୁଃସମ୍ବାଦ ରୂପେ ବିଚାର କରି ଆନ୍ତର୍ଜାତିକ ଅର୍ଥନୈତିକ ପର୍ଯ୍ୟବେକ୍ଷକମାନେ ଏହାର ଭବିଷ୍ୟତ ସମ୍ବନ୍ଧରେ ଏକ ବିଷାଦଜନକ ଚିତ୍ର ଆଙ୍କିବା ଆଶା କରାଯାଏ। କିନ୍ତୁ ସମସ୍ତ ନିରାଶାବାଦୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ପୃଥିବୀର ଅନ୍ୟତମ ମର୍ଯ୍ୟାଦାଜନକ ରେଟିଙ୍ଗ୍ ଏଜେନ୍‌ସି ‘ଷ୍ଟାଣ୍ଡାର୍ଡ ଆଣ୍ଡ୍ ପୁଅର୍’ (‘ଏସ୍‌ ଆଣ୍ଡ୍ ପି’) ଗତ ଶୁକ୍ରବାର ଦୀର୍ଘ ଦିନର ବିରତି ପରେ ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ଶକ୍ତି ଉପରେ ଆସ୍ଥା ସ୍ଥାପନ ସ୍ବରୂପ ଭାରତର ସାର୍ବଭୌମ ଋଣ ଗ୍ରହଣ ଯୋଗ୍ୟତାସୂଚକ ମର୍ଯ୍ୟାଦା (‘ସୋ‌ଭରେନ୍ କ୍ରେଡିଟ୍ ରେଟିଙ୍ଗ୍’)ରେ ଉନ୍ନତି ଘଟାଇଥିବା ଘୋଷଣା କରିଛି। ଏଭଳି ‘କ୍ରେଡିଟ୍ ରେଟିଙ୍ଗ୍’ ହେଉଛି ଭବିଷ୍ୟତରେ ସଂପୃକ୍ତ ଦେଶର ଋଣ ଗ୍ରହଣ ଯୋଗ୍ୟତା ବା ‘କ୍ରେଡିଟ୍ ଓର୍ଦିନେସ୍’ ସମ୍ବନ୍ଧରେ ଏକ ପୂର୍ବାନୁମାନ, ଯାହା ଆନ୍ତର୍ଜାତିକ ନିବେଶକମାନଙ୍କର ଆଚରଣକୁ ଗଭୀର ଭାବରେ ପ୍ରଭାବିତ କରିଥାଏ।
ଭାରତ ନିକଟ ଅତୀତରେ ହାସଲ କରିଚାଲିଥିବା ଉତ୍ତମ ଅର୍ଥନୈତିକ ଅଭିବୃଦ୍ଧି ସତ୍ତ୍ବେ ‘ଏସ୍‌ ଆଣ୍ଡ୍‌ ପି’ ଏହାର ସ୍ଥାୟିତ୍ବ ସମ୍ବନ୍ଧରେ ସନ୍ଦିହାନ ହୋଇ ଏ ପର୍ଯ୍ୟନ୍ତ ଏହାର ‘ସୋଭରେନ୍‌‌ ରେଟିଙ୍ଗ୍’ରେ ଉନ୍ନତି ଘଟାଇବାକୁ କୁଣ୍ଠା ପ୍ରକାଶ କରି ଆସିଥିଲା। ଏବେ ଏହି ସଂସ୍ଥା ସେଇ କୁଣ୍ଠାରେ ଅନ୍ତ ଘଟାଇ ଦୀର୍ଘ ୧୮ ବର୍ଷ ପରେ ଭାରତର ‘ବିବିବି-’ ମର୍ଯ୍ୟାଦା ବା ରେଟିଙ୍ଗ୍‌ରେ ଉନ୍ନତି ଘଟାଇ ତାହାକୁ କରିଛି ‘ବିବିବି’ ଏବଂ ଏଥିସହିତ ଭାରତର ସମ୍ଭାବ୍ୟ ସ୍ଥିତି ସମ୍ବନ୍ଧରେ ତାହାର ଦୃଷ୍ଟିକୋଣ ‘ସ୍ଥିର’ ବୋଲି ପ୍ରକାଶ କରିଛି। ଏହି ରେଟିଙ୍ଗ୍ ଏଜେନ୍‌ସି ବିଶ୍ବାସ ପ୍ରକଟ କରିଛି ଯେ ଭାରତ ଆମେରିକୀୟ ଟାରିଫ୍‌ଜନିତ ପ୍ରତିବନ୍ଧକର ସଫଳ ମୁକାବିଲା କରିବାରେ ସମର୍ଥ ହେବ। ‘ଏସ୍‌ ଆଣ୍ଡ୍‌ ପି’ର ଅନୁଶୀଳନ ଅନୁସାରେ ବର୍ତ୍ତମାନର ଅସ୍ଥିର ପୃଥିବୀରେ ଭାରତୀୟ ଅର୍ଥନୀତି ଏକ ବିରଳ ବ୍ୟତିକ୍ରମ ସ୍ବରୂପ ଉତ୍ତମ ସ୍ବାସ୍ଥ୍ୟର ଅଧିକାରୀ ହୋଇ ରହିଛି। ଏହାର ଏକ ପ୍ରତିଫଳନ ସ୍ବରୂପ ଗତ ମଇରେ ‘ଏସ୍‌ ଆଣ୍ଡ୍‌ ପି’ ଭାରତ ସମ୍ବନ୍ଧରେ ତା’ର ଦୃଷ୍ଟିକୋଣକୁ ‘ସକାରାତ୍ମକ’ ବୋଲି ଘୋଷଣା କରିଥିଲା, ଯେଉଁଥିରେ ବର୍ତ୍ତମାନ ଉନ୍ନତି ଘଟାଇ ‘ସ୍ଥିର’ ସ୍ତରକୁ ଆଣିଛି।
ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କ ଭଳି ଭାରତୀୟ ଅର୍ଥନୀତି ମଧ୍ୟ କୋଭିଡ୍ ପାଣ୍ଡେମିକ୍ ଦ୍ବାରା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। କିନ୍ତୁ ଭାରତୀୟ ଅର୍ଥନୀତିର ବିଶେଷତ୍ବ ହେଲା ଏହା ଯେ ଅନ୍ୟ ଦେଶମାନେ ଏ ପର୍ଯ୍ୟନ୍ତ ସେମାନଙ୍କର ଅର୍ଥନୀତିର ପୂର୍ବ ସ୍ବାସ୍ଥ୍ୟ ଫେରାଇ ଆଣିବାରେ ସମର୍ଥ ହୋଇ ନ ଥିବା ବେଳେ, ଭାରତୀୟ ଅର୍ଥନୀତି ପ୍ରାୟ ତା’ର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୋଷଜନକ ଅଗ୍ରଗତି କରି ଚାଲିଛି। ଉଲ୍ଲେଖନୀୟ ଭାବରେ କୋଭିଡ୍ କବଳରୁ ମୁକୁଳିବା ପାଇଁ ସରକାର ମୁକ୍ତ ହସ୍ତ ଖର୍ଚ୍ଚ ମଧ୍ୟମରେ ଅର୍ଥନୀତିକୁ ସହାୟତା ପ୍ରଦାନ କରିଥିଲେ ହେଁ, ଏଥିଯୋଗୁଁ ବିତ୍ତୀୟ ଶୃଙ୍ଖଳାକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇ ନାହାନ୍ତି। ଏହାର ଏକ ପ୍ରଭାବଶାଳୀ ଉଦାହରଣ ସ୍ବରୂପ ୨୦୨୧-୨୨ ବିତ୍ତ ବର୍ଷରେ ମିଳିତ ରାଜକୋଷୀୟ ନିଅଣ୍ଟର ଅନୁପାତ ୯.୪୫ ଶତାଂଶ ହୋଇଥିବା ବେଳେ ୨୦୨୫-୨୬ ବିତ୍ତ ବର୍ଷରେ ତାହାକୁ ୭.୪୮ ଶତାଂଶକୁ ସଂକୁଚିତ କରାଯାଇ ପାରିଛି।
ସରକାର ‌େଯଉଁଥିପାଇଁ ବିଶେଷ ପ୍ରଶଂସାର ହକ୍‌ଦାର, ତାହା ହେଲା ଏଭଳି ବିତ୍ତୀୟ ସଂଯମ ରକ୍ଷା କରିବା ସତ୍ତ୍ବେ, ସରକାର ଉତ୍ପାଦନଶୀଳ ପୁଞ୍ଜି ବ୍ୟୟରେ ବୃଦ୍ଧି ଘଟାଇ ସରକାରୀ ବ୍ୟୟର ଗୁଣାତ୍ମକ ମାନରେ ଉନ୍ନତି ଘଟାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ‘ଏସ୍‌ ଆଣ୍ଡ୍‌ ପି’ ଏହା ଦ୍ବାରା ପ୍ରଭାବିତ ହୋଇ ମନ୍ତବ୍ୟ ପ୍ରଦାନ କରିଛି ଯେ ଦେଶରେ ଭିତ୍ତିଭୂମି ନିର୍ମାଣରେ ହୋଇଥିବା ମୋଟ ସରକାରୀ ବ୍ୟୟ ହେଉଛି ଦେଶର ‘ଜିଡିପି’ର ୫.୫ ଶତାଂଶ, ଯାହା ହେଉଛି ଅନ୍ୟ ସମତୁଲ୍ୟ ଦେଶମାନଙ୍କ ସହିତ ସମାନ କିମ୍ବା ତା’ଠାରୁ ଅଧିକ।
ଭାରତ ଅବଲମ୍ବନ କରିଥିବା ଏହି ବିତ୍ତୀୟ ସଂଯମର ଏକ ବିଶେଷ ସୁଫଳ ସ୍ବରୂପ ଦେଶରେ ଖାଉଟି ମୁଦ୍ରାସ୍ଫୀତି ବର୍ତ୍ତମାନ ସଂପୂର୍ଣ୍ଣ ରୂ‌େପ ନିୟନ୍ତ୍ରିତ ହୋଇପାରିଛି, ଯାହା ଫଳରେ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ଉଲ୍ଲେଖନୀୟ ହ୍ରାସ ଘଟାଇ ପାରିଛି। ସୁଧ ହାରରେ ହ୍ରାସ ଯୋଗୁଁ ସରକାରଙ୍କ ଉପରେ ଋଣଜନିତ ସୁଧ ବୋଝରେ ମଧ୍ୟ ହ୍ରାସ ଘଟିବ। ତା’ ଛଡ଼ା ‘ଜିଡିପି’ର ଅଂଶ ଅନୁପାତରେ ସରକାରୀ ଋଣର ପରିମାଣରେ ମଧ୍ୟ ହ୍ରାସ ଘଟିବା ଦେଖାଯାଇଛି: ୨୦୨୦-୨୧ ବିତ୍ତ ବର୍ଷରେ ଏହି ଅନୁପାତ ୮୯.୫ ଶତାଂଶ ଥିବାବେଳେ, ୨୦୨୪-୨୫ ବିତ୍ତ ବର୍ଷରେ ତାହା ୮୦.୭ ଶତାଂଶକୁ ହ୍ରାସ ପାଇଥିଲା।
ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ଆମ ଅର୍ଥନୀତିର ସ୍ବାସ୍ଥ୍ୟର ଏକ ଗୁରୁତ୍ବପୂର୍ଣ୍ଣ ସୂଚକ ରୂପେ ବିବେଚିତ ‘ଚଳନ୍ତି ହିସାବ ନିଅଣ୍ଟ’ (‘କରେଣ୍ଟ ଏକାଉଣ୍ଟ ଡେଫିସିଟ୍’) ବର୍ତ୍ତମାନ ଏକ ଆଦର୍ଶ ସହନୀୟ ସ୍ତରରେ ରହିଛି (୨୦୨୪-୨୫ ବିତ୍ତ ବର୍ଷରେ ‘ଜିଡିପି’ର ୦.୬ ଶତାଂଶ ମାତ୍ର)। ଅବଶ୍ୟ ବାହ୍ୟ କାରଣ ଯୋଗୁଁ ଟଙ୍କାର ବିନିମୟ ମୂଲ୍ୟରେ ନିକଟରେ ହ୍ରାସ ଘଟିବା ଦେଖାଯାଇଥିଲେ ହେଁ ଭାରତର ବୈଦେଶିକ ମୁଦ୍ରା ପାଣ୍ଠିରେ ଏକ ବିଶାଳ ୬୯୦ ବିଲିଅନ୍ ଡଲାର୍ ରାଶି ମହଜୁଦ ରହିଛି। ସର୍ବୋପରି ଭାରତୀୟ ଅର୍ଥନୀତିର ଯାହା ହେଉଛି ସର୍ବାଧିକ ଈର୍ଷଣୀୟ ଉପଲବ୍‌ଧି, ତାହା ହେଲା ଏହାର ଉଚ୍ଚ ଅଭିବୃଦ୍ଧି ହାର, ଯାହା କୋଭିଡ୍‌ରୁ ମୁକୁଳିବା ପରଠାରୁ ନିୟମିତ ଭାବରେ ବାର୍ଷିକ ୬ ଶତାଂଶରୁ ଅଧିକ ହୋଇ ଆସିଛି। ପୃଥିବୀର ଅନ୍ୟ କୌଣସି ବୃହତ୍ ଅର୍ଥନୀତି ଏଥିରେ ଭାରତର ସମକକ୍ଷ ହୋଇପାରି ନାହାନ୍ତି। ‘ଏସ୍‌ ଆଣ୍ଡ୍‌ ପି’ ଦୃଢ଼ ଭାବରେ ବିଶ୍ବାସ କରୁଛି ଯେ ନିକଟ ଭବିଷ୍ୟତରେ ମଧ୍ୟ ଭାରତୀୟ ଅର୍ଥନୀତିର ଏହି ଉଚ୍ଚ ଅଭିବୃଦ୍ଧି ହାର ଅବ୍ୟାହତ ରହିବ- ଏହାର ପୂର୍ବାନୁମାନ ଅନୁସାରେ ଆସନ୍ତା ତିନି ବର୍ଷ ଧରି ଭାରତର ‘ଜିଡିପି’ରେ ବାର୍ଷିକ ୬.୮ ଶତାଂଶ ହାରରେ ଅଭିବୃଦ୍ଧି ଘଟି ଚାଲିବ।
ଭାରତୀୟ ଅର୍ଥନୀତିର ଅନ୍ୟ ଯେଉଁ ସମସ୍ତ ଚରିତ୍ର ମଧ୍ୟ ଏହି ରେଟିଙ୍ଗ ଏଜେନ୍‌ସିର ନିଷ୍ପତ୍ତିକୁ ପ୍ରଭାବିତ କରିଥିବାର ଦୃଢ଼ ସମ୍ଭାବନା ରହିଛି, ତାହା ହେଲା ଏଠାରେ ଦେଖାଯାଇଥିବା ‘ଷ୍ଟାର୍ଟଅପ୍’ ସଂସ୍କୃତି, ଡିଜିଟାଲ୍ ବିପ୍ଳବ, ଦାରିଦ୍ର୍ୟ ଦୂରୀକରଣରେ ଚମକପ୍ରଦ ସଫଳତା ଓ ଏକ ବିଶାଳ ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି ଆଦି ଭଳି ଉପଲବ୍‌ଧିମାନ।
ଟ୍ରମ୍ପ ଟାରିଫ୍ ପରି ବାହ୍ୟ କାରଣ ଯୋଗୁଁ ଭାରତୀୟ ଅର୍ଥନୀତିର ଅଗ୍ରଗତି ଯେତେବେଳେ ଏକ ନୂତନ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି, ସେତିକିବେଳେ ‘ଏସ୍‌ ଆଣ୍ଡ୍‌ ପି’ ଦ୍ବାରା ଭାରତର ସୋଭରେନ୍ ରେଟିଙ୍ଗ୍‌ରେ କରାଯାଇଥିବା ଉନ୍ନତି ଆମ ପାଇଁ ନିଶ୍ଚିତ ରୂପେ ଉପଯୋଗୀ ସାବ୍ୟସ୍ତ ହେବ। ଏଭଳି ସୋଭରେନ୍ ‌କ୍ରେଡିଟ୍ ରେଟିଙ୍ଗ୍ ହେଉଛି ଏକ ଦେଶର ଅର୍ଥନୀତିର ଆଗାମୀ ଗତିବିଧି ସମ୍ବନ୍ଧରେ ଏକ ସ୍ବାଧୀନ ପୂର୍ବାନୁମାନ ଏବଂ ସଂପୃକ୍ତ ଦେଶ ଏହା ପ୍ରସ୍ତୁତ କରିବା ନିମନ୍ତେ ରେଟିଙ୍ଗ୍ ଏଜେନ୍‌ସିକୁ କୌଣସି ଅନୁରୋଧ କରି ନ ଥାଏ କିମ୍ବା ପ୍ରଭାବିତ କରି ନ ଥାଏ। ତେଣୁ ସଦ୍ୟ ପ୍ରକାଶିତ ଏହି ‘ଏସ୍‌ ଆଣ୍ଡ୍‌ ପି’ ରେଟିଙ୍ଗ୍‌କୁ ଭାରତ ଉପରେ ଟ୍ରମ୍ପଙ୍କର ଟାରିଫ୍ ଆକ୍ରମଣର ସମ୍ଭାବ୍ୟ ପ୍ରଭାବ ସମ୍ବନ୍ଧରେ ଏକ ନିରପେକ୍ଷ ବିଶେଷଜ୍ଞ ରାୟ ରୂପେ ବିଚାର କରାଯାଇପାରେ।
ଭାରତ ନିଜର ଆତ୍ମନିର୍ଭରତା ଅଭିଯାନକୁ ସୁଦୃଢ଼ କରି ଏବଂ ବହିର୍ବାଣିଜ୍ୟରେ ଭରସାଯୋଗ୍ୟ ବିକଳ୍ପ ସନ୍ଧାନ କରି ଆମେରିକା-ସୃଷ୍ଟ ଅର୍ଥନୈତିକ ଅସ୍ଥିରତାର ମୁକାବିଲା କରିବାକୁ ଯେଉଁ ରଣକୌଶଳ ଅବଲମ୍ବନ କରିଛି, ‘ଏସ୍‌ ଆଣ୍ଡ୍‌ ପି’ର ସୋଭରେନ୍ କ୍ରେଡିଟ୍ ରେଟିଙ୍ଗ୍ ନିର୍ଣ୍ଣୟ କରୁଥିବା ଅନୁଭୂତିସଂପନ୍ନ ଅର୍ଥନୀତି ବିଶେଷଜ୍ଞମାନେ ତାହାର ଦୃଢ଼ ଅନୁମୋଦନ କରିଛନ୍ତି ବୋଲି ନିର୍ଦ୍ବନ୍ଦ୍ବରେ କୁହାଯାଇପାରେ।