ଆମେରିକାରେ ଉଚ୍ଚ ଅନୁପାତରେ ଇଥାନଲ୍ ମିଶ୍ରଣ ପ୍ରତି ଖାଉଟି ପ୍ରତିରୋଧ ପ୍ରଦର୍ଶିତ ହେବା ଦେଖାଯାଇଛି। ଜଙ୍ଗଲ କ୍ଷୟ ଘଟିବା ଏବଂ ଖାଦ୍ୟ ନିରାପତ୍ତା ବ୍ୟାହତ ହେବା କାରଣରୁ ଇଉରୋପରେ ମଧ୍ୟ ଜୈବ ଇନ୍ଧନ ବ୍ୟବହାର ପ୍ରତି କୁଣ୍ଠା ପ୍ରଦର୍ଶନ ଦେଖିବାକୁ ମିଳିଛି। ଭାରତକୁ ତେଣୁ ଏ ସମସ୍ତ ସମ୍ଭାବନାକୁ ବିଚାରକୁ ନେଇ ଇଥାନଲ୍ ମିଶ୍ରଣ ଅନୁପାତରେ ବୃଦ୍ଧି ଘଟାଇବା ବେଳେ ଅତ୍ୟନ୍ତ ସାବଧାନତାର ସହିତ ଅଗ୍ରସର ହେବାକୁ ପଡ଼ିବ।
ସୋମବାର ଦିନ ସୁପ୍ରିମ୍ କୋର୍ଟ ଏବେ ଦେଶବ୍ୟାପୀ ୨୦ ଶତାଂଶ ଇଥାନଲ୍ ମିଶ୍ରିତ ପେଟ୍ରୋଲ ବ୍ୟବହାର ନିମିତ୍ତ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ଆଗତ ଏକ ଆବେଦନର ବିଚାର କରି ଖାରଜ କରିଦେଇଛନ୍ତି। ସ୍ବଚ୍ଛ ଶକ୍ତି ବ୍ୟବହାର ଦିଗରେ ଏକ ମାଇଲ ଖୁଣ୍ଟି ରୂପେ ବିଚାର କରାଯାଉଥିବା ‘ଇ୨୦’ ରୂପେ ନାମିତ ଏହି ଇଥାନଲ୍ ମିଶ୍ରିତ ପେଟ୍ରୋଲର ବ୍ୟବହାର ଦ୍ବାରା ମଟରଗାଡ଼ିର ଇଞ୍ଜିନରୁ ଅଙ୍ଗାର ନିର୍ଗମନରେ ତୀକ୍ଷ୍ଣ ହ୍ରାସ ଘଟିଥାଏ ବୋଲି ପରିବେଶ ବିଜ୍ଞାନୀମାନେ ଦାବି କରିଥାନ୍ତି। କିନ୍ତୁ ଯେହେତୁ ପୂର୍ବରୁ ନିର୍ମିତ ହୋଇଥିବା ମଟରଗାଡ଼ିମାନଙ୍କର ଇଞ୍ଜିନ ଏଭଳି ଇନ୍ଧନ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ, ‘ଇ୨୦’ର ବାଧ୍ୟତାମୂଳକ ବ୍ୟବହାର ଦ୍ବାରା ସେଭଳି ଗାଡ଼ିମାନଙ୍କର ଇଞ୍ଜିନ କ୍ଷତିଗ୍ରସ୍ତ ହେବ ଓ ଗାଡ଼ିର ମାଇଲେଜ ହ୍ରାସ ପାଇବ ବୋଲି ଅଭିଯୋଗ କରି ଗାଡ଼ି ମାଲିକମାନେ ସୁପ୍ରିମ୍ କୋର୍ଟର ଦ୍ବାରସ୍ଥ ହୋଇଥିଲେ।
ଇଥାନଲ୍ ମୁଖ୍ୟତଃ ହେଉଛି ଏକ କୃଷିଜାତ ପଦାର୍ଥ; ଏହା ପେଟ୍ରୋଲ ପରି ଏକ ଅଙ୍ଗାର-ସଘନ ଜୀବାଶ୍ମ ଇନ୍ଧନ ନୁହେଁ। ଏହା ମୁଖ୍ୟତଃ ଆଖୁ, ମକା ଆଦିରୁ ପ୍ରସ୍ତୁତ ହୋଇଥାଏ। ଇଥାନଲ୍ର ଦହନରୁ କାର୍ବନ ମନୋକ୍ସାଇଡ୍ ଓ କଣିକୀୟ ପଦାର୍ଥମାନଙ୍କ ପରି ପ୍ରଦୂଷକମାନଙ୍କର ନିର୍ଗମନ ଘଟି ନ ଥାଏ। ପେଟ୍ରୋଲରେ ଯଦି ୨୦ ଶତାଂଶ ଇଥାନଲ୍ ମିଶାଇ ଦିଆଯାଏ, ଏହି ମିଶ୍ରିତ ଇନ୍ଧନର ଦହନଜନିତ ପ୍ରଦୂଷଣରେ ତେଣୁ ଉଲ୍ଲେଖନୀୟ ଭାବରେ ହ୍ରାସ ଘଟିବ। କ୍ରମେ ଏହି ମିଶ୍ରିତ ଇନ୍ଧନରେ ଇଥାନଲ୍ର ଅନୁପାତରେ ବୃଦ୍ଧି ଘଟାଯାଇ ୨୦୩୦ ସୁଦ୍ଧା ତାହାକୁ ୩୦ ଶତାଂଶ କରି ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ତେବେ ମଟରଗାଡ଼ି ଇନ୍ଧନରେ ଇଥାନଲ୍ର ବ୍ୟବହାରର ଉପଯୋଗିତା କେବଳ ପରିବେଶ ସୁରକ୍ଷାରେ ସୀମିତ ନୁହେଁ। ଏହା ଏକ କୃଷିଜାତ ପଦାର୍ଥ ହୋଇଥିବାରୁ ଇଥାନଲ୍ର ବ୍ୟାପକ ବ୍ୟବହାର ଭାରତର କୃଷକମାନଙ୍କ ପାଇଁ ଆୟର ଏକ ନୂତନ ସୁଯୋଗ ସୃଷ୍ଟି କରିଥାଏ। ସେତିକି ନୁହେଁ, ଇଥାନଲ୍ ଯେହେତୁ ଭାରତରେ ଉତ୍ପାଦିତ ହେବ, ଏହା ଭାରତର ବିଶାଳ ତୈଳ ଆମଦାନି ବୋଝ କେତେକାଂଶରେ ଲାଘବ କରିବାରେ ସହାୟକ ହେବ। ଭାରତ ଏକ ତୈଳ-ସ୍ବାବଲମ୍ବୀ ଦେଶ ନୁହେଁ। ଆମର ମୋଟ ଅଶୋଧିତ ତୈଳ ଆବଶ୍ୟକତାର ୮୫ ଶତାଂଶ ଆମଦାନି ଦ୍ବାରା ପୂରଣ ହୋଇଥାଏ, ଯେଉଁଥିପାଇଁ ୨୦୨୪-୨୫ରେ ଆମକୁ ଏକ ବିଶାଳ ୧୩୭ ବିଲିଅନ୍ ଡଲାର୍ର ବ୍ୟୟ ଭାର ବହନ କରିବାକୁ ହୋଇଥିଲା। ‘ଇ୨୦’ର ବ୍ୟବହାର ଦ୍ବାରା ଏବେ ବାର୍ଷିକ ପ୍ରାୟ ୪ ବିଲିଅନ୍ ଡଲାର୍ ସଞ୍ଚୟ ହୋଇପାରିବ ବୋଲି ଅନୁମାନ କରାଯାଉଛି।
ଯୋଗାଣ ପ୍ରତିବନ୍ଧକମାନ ଯୋଗୁଁ ଭାରତରେ ଇଥାନଲ୍ ବ୍ୟବହାର ଧୀର ମନ୍ଥର ଭାବରେ ବୃଦ୍ଧି ପାଇବା ଦେଖାଯାଇଛି। ଆରମ୍ଭରେ ଇଥାନଲ୍ର ମୂଲ୍ୟ ମଧ୍ୟ ମିଶ୍ରଣ ନିମିତ୍ତ ଅନୁକୂଳ ନ ଥିଲା। କିନ୍ତୁ ଥରେ ଏ ସମସ୍ତ ପ୍ରତିବନ୍ଧକ ଦୂର ହେବା ପରେ ଏହି ମିଶ୍ରଣ ଯୋଜନାରେ ବେଶ୍ ଦ୍ରୁତ ଅଗ୍ରଗତି ଘଟିବା ଦେଖାଯାଇଛି। ଏହାର ପ୍ରମାଣ ସ୍ବରୂପ ୨୦୧୩-୧୪ରେ ୧.୫ ଶତାଂଶ ଅନୁପାତରେ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ଆରମ୍ଭ ହୋଇଥିବା ବେଳେ ୨୦୨୧-୨୨ ବେଳକୁ ସେଇ ଅନୁପାତ ୧୦ ଶତାଂଶରେ ପହଞ୍ଚିଥିଲା ଓ ୨୦୨୫ ଅଗଷ୍ଟରେ ଦେଶବ୍ୟାପୀ ୨୦ ଶତାଂଶ ଅନୁପାତରେ ଇଥାନଲ୍ ମିଶ୍ରିତ ପେଟ୍ରୋଲ ବ୍ୟବହାର କାର୍ଯ୍ୟକାରୀ ହୋଇଛି। ଏହା ମଟରଗାଡ଼ି ଇନ୍ଧନରେ ଅଧିକରୁ ଅଧିକ ଅନୁପାତରେ ଇଥାନଲ୍ ମିଶ୍ରଣ କରିବା ପାଇଁ ସରକାରଙ୍କର ଦୃଢ଼ ଆଭିମୁଖ୍ୟର ପରିଚାୟକ ହୋଇଥାଏ।
ପୂର୍ବରୁ କୁହାଯାଇଥିବା ଭଳି ଅଙ୍ଗାର ନିର୍ଗମନରେ ହ୍ରାସ ଘଟାଇବା ହେଉଛି ଇଥାନଲ୍ ମିଶ୍ରଣର ମୂଳ ଲକ୍ଷ୍ୟ। ଏହା ଅନୁଶୀଳନ ଦ୍ବାରା ସାବ୍ୟସ୍ତ ଯେ ପେଟ୍ରୋଲ ତୁଳନାରେ ଇଥାନଲ୍ ହେଉଛି ବହୁ କମ୍ ଅଙ୍ଗାର-ସଘନ। ଏହାର ମାତ୍ରା କିନ୍ତୁ ଇଥାନଲ୍ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ କଞ୍ଚାମାଲ ଉପରେ ନିର୍ଭର କରିଥାଏ। ଭାରତରେ ଇଥାନଲ୍ ଉତ୍ପାଦନରେ ବ୍ୟବହୃତ ମୁଖ୍ୟ କଞ୍ଚାମାଲ ହେଉଛି ଆଖୁ। ଏହା ଭାରତୀୟ ଇଥାନଲ୍କୁ ବିଶେଷ ଭାବରେ ଅଙ୍ଗାରମୁକ୍ତ କରିଥାଏ; କିନ୍ତୁ ଆଖୁ ଚାଷ ପ୍ରଚୁଳ ଜଳ ଆବଶ୍ୟକ କରୁଥିବାରୁ, ଏଥିଯୋଗୁଁ ଭୂ-ତଳ ଜଳସ୍ତରରେ ହ୍ରାସ ଘଟିବାର ସମ୍ଭାବନା ଉପୁଜିଥାଏ। ମକା ସୂତ୍ରରୁ ପ୍ରସ୍ତୁତ ଇଥାନଲ୍ ପରୋକ୍ଷ ଭାବରେ ଅଙ୍ଗାର ନିର୍ଗମନ ସହିତ ସଂପୃକ୍ତ ଥାଏ, କାରଣ ମକା ଚାଷରେ ରାସାୟନିକ ସାର ବହୁଳ ଭାବରେ ବ୍ୟବହୃତ ହୋଇଥାଏ, ଯାହାର ମୁଖ୍ୟ କଞ୍ଚାମାଲ ହେଉଛି ଉଚ୍ଚ ଅଙ୍ଗାରଯୁକ୍ତ ଜୀବାଶ୍ମ ତୈଳ। ଏହି ଦୃଷ୍ଟିକୋଣରୁ ଦେଖିଲେ ସ୍ବଚ୍ଛତମ ଇଥାନଲ୍ ହେଉଛି କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଇଥାନଲ୍, କିନ୍ତୁ ଭାରତରେ ତାହାର ଉତ୍ପାଦନ ଏ ପର୍ଯ୍ୟନ୍ତ ସୀମିତ ସ୍ତରରେ ରହିଛି। ଏକ ଅନୁଶୀଳନ ଅନୁସାରେ ଇଥାନଲ୍ ମିଶ୍ରଣ ଅନୁପାତକୁ ୨୦ ଶତାଂଶରେ ପହଞ୍ଚାଇବା ଦ୍ବାରା ଭାରତ ବାର୍ଷିକ ପ୍ରାୟ ୧୦ ନିୟୁତ ଟନ୍ ପରିମାଣର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିପାରିବ। ଆମକୁ କିନ୍ତୁ ଅତ୍ୟନ୍ତ ସାବଧାନତାର ସହିତ ଏହି ପରିବେଶ ସୁରକ୍ଷା ଲାଭ ଓ ଭୂ-ତଳ ଜଳସ୍ତରରେ ସ୍ଖଳନ ତଥା ମୃତ୍ତିକା କ୍ଷୟଜନିତ କ୍ଷତି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେବ।
ଇଥାନଲ୍ର ବ୍ୟାପକ ବ୍ୟବହାର ଗ୍ରାମାଞ୍ଚଳ ପାଇଁ ନିଶ୍ଚିତ ଲାଭ ସୃଷ୍ଟିର ସମ୍ଭାବନା ବହନ କରିଥାଏ। ସରକାରୀ ଆକଳନ ଅନୁସାରେ ୨୦୨୨ରେ ଦେଶରେ ଇଥାନଲ୍ର ଚାହିଦାର ଆକାର ୫୦୦ କୋଟି ଲିଟର ଥିବାବେଳେ ୨୦୩୦ ବେଳକୁ ତାହା ୧୫୦୦ କୋଟି ଲିଟରରୁ ଅଧିକ ହେବାକୁ ଯାଉଛି। କହିବା ବାହୁଲ୍ୟ ଏହା ଆଖୁ ଓ ମକା ଚାଷୀମାନଙ୍କ ପାଇଁ ନିଶ୍ଚିତ ଆୟର ସୁଯୋଗ ସୃଷ୍ଟି କରିବାକୁ ଯାଉଛି। କିନ୍ତୁ ଏହା ମଧ୍ୟ ଗୁରୁତର ଅର୍ଥନୈତିକ ବିକୃତି ସୃଷ୍ଟି କରିବାର ଦୃଢ଼ ସମ୍ଭାବନା ରହିଛି। ଆଖୁ ଓ ମକା ଭଳି ଖାଦ୍ୟପଦାର୍ଥମାନଙ୍କୁ ଇଥାନଲ୍ ଉତ୍ପାଦନରେ ବ୍ୟବହାର କରିବା ଦ୍ବାରା ସେମାନଙ୍କର ଯୋଗାଣ ସଂକୁଚିତ ହୋଇ ଖାଦ୍ୟଦ୍ରବ୍ୟ ଦର ବୃଦ୍ଧି ଘଟିପାରେ। ଏହା ଦ୍ବାରା ଦେଶର ଖାଦ୍ୟ ନିରାପତ୍ତା ବ୍ୟାହତ ହୋଇପାରେ। ଇଥାନଲ୍ ଉତ୍ପାଦନକୁ ମୁକ୍ତ ହସ୍ତରେ ପ୍ରୋତ୍ସାହନ ପ୍ରଦାନ ରାଜକୋଷ ପାଇଁ ଚାପ ସୃଷ୍ଟି କରିପାରେ ମଧ୍ୟ।
ଇଥାନଲ୍ ମିଶ୍ରଣ ନୀତି ଅବଲମ୍ବନ କରିବାରେ ଭାରତ ଅବଶ୍ୟ ପୃଥିବୀର ପ୍ରଥମ କିମ୍ବା ଏକମାତ୍ର ଦେଶ ନୁହେଁ। ବ୍ରାଜିଲ୍କୁ ଏଥିରେ ପଥପ୍ରଦର୍ଶକ ରୂପେ ବିଚାର କରାଯାଇଥାଏ। ସେ ଦେଶରେ କେବେଠାରୁ ୨୫ ଶତାଂଶ ଓ ତତୋଽଧିକ ଅନୁପାତରେ ଇଥାନଲ୍ ମିଶ୍ରଣ କରାଯିବା ଅନୁସୃତ ହେଲାଣି। ଆମେରିକାରେ ମଧ୍ୟ ୨୦୦୫ ଠାରୁ ୧୦ ପ୍ରତିଶତ ମିଶ୍ରଣ କାର୍ଯ୍ୟକାରୀ ହେଲାଣି ଏବଂ କେତେକ ରାଜ୍ୟରେ ଏହି ଅନୁପାତ ଏହାଠାରୁ ମଧ୍ୟ ଅଧିକ ହେବା ଦେଖାଯାଇଥାଏ। ଏଇ ପୃଷ୍ଠଭୂମିରେ ଭାରତର ଉପଲବ୍ଧି ବେଶ୍ ଉଲ୍ଲେଖନୀୟ ମନେ ହୋଇଥାଏ।
ଇଥାନଲ୍ ବ୍ୟବହାରରେ ସେ ଦେଶମାନଙ୍କର ଅନୁଭୂତି ଆମ ପାଇଁ କିନ୍ତୁ ସତର୍କ ସୂଚନା ମଧ୍ୟ ବହନ କରିଥାଏ। ବ୍ରାଜିଲ୍ରେ ବ୍ୟବହୃତ ଇଥାନଲ୍ ହେଉଛି ଆଖୁ-ଭିତ୍ତିକ। ସେଠାରେ ଯେଉଁ ବର୍ଷ ଆଖୁ ଉତ୍ପାଦନ ଆଶାନୁରୂପ ହୋଇ ନ ଥାଏ, ସେ ବର୍ଷ ସେ ଦେଶରେ ଇଥାନଲ୍ ମିଶ୍ରଣ ଅନୁପାତରେ ହ୍ରାସ ଘଟାଇ ଦିଆଯାଇଥାଏ। ଆମେରିକାରେ ଉଚ୍ଚ ଅନୁପାତରେ ଇଥାନଲ୍ ମିଶ୍ରଣ ପ୍ରତି ଖାଉଟି ପ୍ରତିରୋଧ ପ୍ରଦର୍ଶିତ ହେବା ଦେଖାଯାଇଛି। ଜଙ୍ଗଲ କ୍ଷୟ ଘଟିବା ଏବଂ ଖାଦ୍ୟ ନିରାପତ୍ତା ବ୍ୟାହତ ହେବା କାରଣରୁ ଇଉରୋପରେ ମଧ୍ୟ ଜୈବ ଇନ୍ଧନ ବ୍ୟବହାର ପ୍ରତି କୁଣ୍ଠା ପ୍ରଦର୍ଶନ ଦେଖିବାକୁ ମିଳିଛି। ଭାରତକୁ ତେଣୁ ଏ ସମସ୍ତ ସମ୍ଭାବନାକୁ ବିଚାରକୁ ନେଇ ଇଥାନଲ୍ ମିଶ୍ରଣ ଅନୁପାତରେ ବୃଦ୍ଧି ଘଟାଇବା ବେଳେ ଅତ୍ୟନ୍ତ ସାବଧାନତାର ସହିତ ଅଗ୍ରସର ହେବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)