ଟିକିଏ ଗଭୀରତାକୁ ଅବଲୋକନ କଲେ ଦିଶିଥାଏ ଯେ ଭାରତ ଭଳି ଏକ ଅତ୍ୟନ୍ତ ଜନାକୀର୍ଣ୍ଣ ରାଷ୍ଟ୍ରରେ ସାଧାରଣ ମନୁଷ୍ୟର ଜୀବନ ମୂଲ୍ୟହୀନ ଭଳି ପ୍ରତୀତ ହେଉଥିବାରୁ ଉଦାସୀନତା ବା ସଂବେଦନଶୂନ୍ୟତା ସର୍ବଗ୍ରାସୀ ହୋଇଛି; ଦୁର୍ନୀତି ଦ୍ବାରା ପୀଡ଼ିତ ଜନସାଧାରଣଙ୍କ କଷଣ ଦୁର୍ନୀତିର କର୍ତ୍ତା ଓ ପୃଷ୍ଠପୋଷକମାନଙ୍କୁ କୌଣସି ରୂପେ ସ୍ପର୍ଶ ସୁଦ୍ଧା କରିପାରୁନାହିଁ; ତେଣିକି ସେ ଅପମିଶ୍ରିତ ଔଷଧ ହୋଇଥାଉ ବା ଦୂଷିତ ଖାଦ୍ୟଦ୍ରବ୍ୟ ବା ବିପର୍ଯ୍ୟସ୍ତ ପରିବହନ ବ୍ୟବସ୍ଥା ବା ଅଗମ୍ୟ ସଡ଼କ କିମ୍ବା ଭାଙ୍ଗି ପଡୁଥିବା ପୋଲ!
ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଚଉଦ ଜଣ ଶିଶୁଙ୍କ ମୃତ୍ୟୁ ସକାଶେ ଅପମିଶ୍ରିତ କଫ୍ ସିରପ୍ ଦାୟୀ ବୋଲି ସନ୍ଦେହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶିକା ପ୍ରଦାନ କରାଯାଇଛି ଯେ ଏଣିକି ଦୁଇ ବର୍ଷ ବୟସରୁ କମ୍ ବୟସ୍କମାନଙ୍କ ଲାଗି ଡାକ୍ତରୀ ଚିଠାରେ କଫ୍ ସିରପ୍ ସେବନର ପରାମର୍ଶ ଦିଆଯିବ ନାହିଁ। ସ୍ବାଭାବିକ ଭାବେ ଏହି ପରିପ୍ରେକ୍ଷୀରେ ସ୍ମରଣକୁ ଆସିଥାଏ ଦୁଇ ବର୍ଷ ତଳେ ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିୟାରେ ଘଟିଥିବା ଅନୁରୂପ ଘଟଣା, ଯହିଁରେ ଦୁଇଟି ଭାରତୀୟ ଔଷଧ ନିର୍ମାତା କଂପାନି ଦ୍ବାରା ପ୍ରସ୍ତୁତ କଫ୍ ସିରପ୍ ସେବନ କରି ୭୨ ଜଣ ଶିଶୁ ମୃତ୍ୟୁ ବରଣ କରିଥିଲେ, ଯାହା ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ଆଲୋଡ଼ନ ମଧ୍ୟ ସୃଷ୍ଟି କରିଥିଲା ଏବଂ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ଡବ୍ଲ୍ୟୁ.ଏଚ.ଓ.’ ପକ୍ଷରୁ ଏଭଳି କଫ୍ ସିରପ୍ର ବ୍ୟବହାର ବାବଦରେ ସତର୍କ କରାଇ ଦିଆଯାଇଥିଲା। ଯଦିଓ ସଂପୃକ୍ତ ଔଷଧ ପ୍ରସ୍ତୁତକାରୀ କଂପାନି ‘ମେଡେନ ଫାର୍ମା’ ଏବଂ ‘ମାରିଅନ ବାୟୋଟେକ୍’ ବିରୋଧରେ ସରକାର ତତ୍କାଳ କାର୍ଯ୍ୟାନୁଷ୍ଠାନ କରିଥିଲେ, ତଥାପି ଏଭଳି ଧାରା ଅବ୍ୟାହତ ରହିଥିବାର ଆଶଙ୍କା ଘୋର ଉଦ୍ବେଗ ସୃଷ୍ଟି କରିଥାଏ। ଏଭଳି ସ୍ଥଳେ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମେ ସଂକ୍ଷେପରେ କଫ୍ ସିରପ୍ରେ ହେଉଥିବା ଅପମିଶ୍ରଣ ଉପରେ କ୍ଷିପ୍ର ଦୃଷ୍ଟିପାତ କରାଯାଉ। କଫ୍ ସିରପ୍ର ମୂଳ ଔଷଧୀୟ ଉପାଦାନର ନାମ ହେଉଛି ଡେକ୍ସଟ୍ରୋମିଥୋର୍ଫାନ, ଯେଉଁ ରାସାୟନିକ ଦ୍ରବ୍ୟର କାର୍ଯ୍ୟ ହେଉଛି ମସ୍ତିଷ୍କର କାଶ ସୃଷ୍ଟିକାରୀ ଅଂଶକୁ ସାମୟିକ ଭାବେ ନିଷ୍କ୍ରିୟ କରିଦେଇ ରୋଗୀକୁ ଶ୍ବାସରୁଦ୍ଧକାରୀ ପ୍ରଲମ୍ବିତ କାଶର ପ୍ରାଦୁର୍ଭାବରୁ ମୁକ୍ତ କରିବା। ତେବେ ଶିଶୁମାନଙ୍କ ଲାଗି ଉଦ୍ଦିଷ୍ଟ କଫ ସିରପରେ ‘ଡେକ୍ସଟ୍ରୋମିଥୋର୍ଫାନ’କୁ ଦ୍ରବୀଭୂତ କରିବାକୁ ପଡ଼ିଥାଏ, ଯେଉଁଥି ଲାଗି ସର୍ବ-ସ୍ବୀକୃତ ଦ୍ରାବ୍ୟ ହେଉଛି ‘ପ୍ରୋପାଲାଇନ ଗ୍ଲାଇକଲ’, ଯାହା ଉଚ୍ଚ ମୂଲ୍ୟଯୁକ୍ତ ହୋଇଥାଏ। ତେଣୁ କଫ୍ ସିରପ୍ ପ୍ରସ୍ତୁତିରେ ଖର୍ଚ୍ଚ କାଟ କରିବା ଲାଗି କେତେକ ଔଷଧ ନିର୍ମାତା ଦ୍ରାବ୍ୟ ଭାବେ ଡି.ଇ.ଜି (ଡାଇ ଇଥାଇଲ ଗ୍ଲାଇକଲ) ବା ଇ.ଜି.(ଇଥାଇଲ ଗ୍ଲାଇକଲ)ର ଉପଯୋଗ କରନ୍ତି; ଯାହା ପ୍ରକୃତରେ ପ୍ଲାଷ୍ଟିକ ବା ରଙ୍ଗ ପ୍ରସ୍ତୁତି ଲାଗି ଉଦ୍ଦିଷ୍ଟ ଓ ଖାଦ୍ୟ ଭାବେ ବିଷାକ୍ତ। ଚିକିତ୍ସକମାନଙ୍କ ମତରେ ଏହାର ସେବନ ଦ୍ବାରା କମ୍ ଓଜନ ବିଶିଷ୍ଟ ଶିଶୁମାନଙ୍କ ବୃକ୍କ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ କ୍ଷତିଗ୍ରସ୍ତ ହେବା ସହିତ ମୃତ୍ୟୁର କାରଣ ହୋଇପାରେ। ପ୍ରକାଶ ଥାଉ କି ଗାମ୍ବିୟାରେ ମୃତ୍ୟୁ ବରଣ କରିଥିବା ଶିଶୁମାନେ ବ୍ୟବହାର କରୁଥିବା କଫ୍ ସିରପରେ ଇ.ଜି. ଓ ଡି.ଇ.ଜି.ର ଉପସ୍ଥିତି ଜଣାପଡ଼ିଥିଲା। କିଛି ବିଶେଷଜ୍ଞଙ୍କ ମତରେ କଫ୍ ସିରପ୍ର ସ୍ବାଦରେ ମିଠାପଣ ଅାଣିବା ଲାଗି ବ୍ୟବହାର କରାଯାଉଥିବା ଅନ୍ୟତମ ଉପାଦାନ ଗ୍ଲିସେରିନରେ ଇ.ଜି. ବା ଡି.ଇ.ଜି. ଥିବା ମଧ୍ୟ ସମ୍ଭବ, କାରଣ ଡି.ଇ.ଜି. ବା ଇ.ଜି.ର ସ୍ବାଦ ମିଠା ଏବଂ ତାହା ହୁଏତ ଔଷଧ ନିର୍ମାତା କଂପାନିଗୁଡ଼ିକର ଅବହେଳା କାରଣରୁ ଅଲକ୍ଷ୍ୟରେ କଫ ସିରପ୍ରେ ଅଂଶୀଭୂତ ହୋଇ ଯାଇଥିବ! କହିବାର ତାତ୍ପର୍ଯ୍ୟ ହେଲା ସେମାନେ ହୁଏତ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଅପମିଶ୍ରଣ କରି ନ ଥିବେ! ତେବେ, କାରଣ ଯାହା ହୋଇଥାଉ ନା କାହିଁକି ଜୀବନ ରକ୍ଷାକାରୀ ଦ୍ରବ୍ୟ ହୋଇଥିବା ହେତୁ କୌଣସି ଔଷଧରେ ଅପମିଶ୍ରଣ ଅକ୍ଷମଣୀୟ ଭାବେ ଗର୍ହିତ; ପୁଣି ଯେତେବେଳେ ଭାରତକୁ ପୃଥିବୀର ଔଷଧ ପ୍ରସ୍ତୁତିର ରାଜଧାନୀ ଭାବେ ଅଭିହିତ କରାଯାଇଥାଏ। ଭାରତରେ କଫ ସିରପ୍ର ବଜାର ଅତ୍ୟନ୍ତ ବିଶାଳ, ଯାହା ସଂପ୍ରତି ୨୬୨ ନିୟୁତ ଡଲାର ଏବଂ ୨୦୩୫ ମସିହା ବେଳକୁ ୭୪୦ ନିୟୁତ ଡଲାରରେ ପହଞ୍ଚିବାର ଆକଳନ କରାଯାଉଛି। କିନ୍ତୁ ବିଡ଼ମ୍ବନା ହେଲା, ଅନେକ ସମୟରେ ଆମ ଦେଶର ବିଭିନ୍ନ ପ୍ରାନ୍ତରେ ଔଷଧ ଅପମିଶ୍ରଣ ଜବତ ଖବରମାନ ଗଣମାଧ୍ୟମରେ ପ୍ରକାଶିତ ହୋଇଥାଏ। ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଶିଶୁ ମୃତ୍ୟୁର କାରଣ ଭାବେ ସନ୍ଦିଗ୍ଧ କଫ୍ ସିରପ୍େର ଡି.ଇ.ଜି. ବା ଇ.ଜି.ର ଅଂଶ ତାମିଲନାଡୁର ପରୀକ୍ଷାଗାର(ଯେଉଁଠି ଔଷଧ କଂପାନିର କାରଖାନା ଅବସ୍ଥିତ)ରେ ମିଳିଥିଲେ ହେଁ କେନ୍ଦ୍ର ପରୀକ୍ଷାଗାରରେ ସେଭଳି କିଛି ମିଳି ନ ଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି; ଅନ୍ୟାନ୍ୟ ଅପମିଶ୍ରଣ କିମ୍ବା ଶିଶୁମାନେ ପୂର୍ବରୁ ଭୋଗି ଆସୁଥିବା ରୋଗ ଆଦି ସଂପର୍କରେ ମଧ୍ୟ ଅନୁଧ୍ୟାନ କରାଯାଉଛି। ସୁତରାଂ, ଏ ନେଇ କୌଣସି ନିଷ୍କର୍ଷରେ ପହଞ୍ଚିବାକୁ ହେଲେ ହୁଏତ ଆଉ କିଛି ଦିନ ସମୟ ଲାଗିପାରେ।
ତେବେ, ଔଷଧ ଅପମିଶ୍ରଣ ପରିପ୍ରେକ୍ଷୀରେ କେତେକ ବିଶେଷଜ୍ଞ କହନ୍ତି ଯେ ଔଷଧର ଗୁଣବତ୍ତା ଉପରେ ଦୃଷ୍ଟି ରଖିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସୁନିର୍ଦ୍ଦିଷ୍ଟ ଓ ସ୍ବତନ୍ତ୍ର ବିଭାଗ ଥିଲେ ହେଁ ମାନବ ସମ୍ବଳ ଅଭାବ କାରଣରୁ ଔଷଧ ନିର୍ମାତା କଂପାନିଗୁଡ଼ିକର କାର୍ଯ୍ୟକଳାପ ଏବଂ ତହିଁରୁ ଉତ୍ପାଦିତ ଦ୍ରବ୍ୟ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସମ୍ଭବପର ହୋଇପାରୁନାହିଁ। ଦ୍ବିତୀୟରେ, କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଅଧିକାରୀଙ୍କ ବିବେକଶୂନ୍ୟତା ହେତୁ ଏଭଳି ଦୁର୍ନୀତି ଜନ୍ମ ନେଇ ଦୃଢ଼ମୂଳ ହୋଇଛି। ତୃତୀୟ କଥା ହେଲା, ଆମ ବ୍ୟବସ୍ଥାରେ ନିହିତ ଅବହେଳାଜନତ ଉଦାସୀନତା, ଯାହାର ଉଦାହରଣ ହେଲା ଗାମ୍ବିୟା ଟ୍ରାଜେଡିରେ ସଂପୃକ୍ତ ଔଷଧ କଂପାନି ‘ମେଡେନ ଫାର୍ମା’, ସଂପ୍ରତି କଫ୍ ସିରପ୍ ପ୍ରସ୍ତୁତ କରୁ ନ ଥିଲେ ହେଁ ଅନ୍ୟାନ୍ୟ ଔଷଧ ପ୍ରସ୍ତୁତ କରିବା ଅବ୍ୟାହତ ରଖିଛି। ସୁତରାଂ, ଛଞ୍ଚାଣ ଦୃଷ୍ଟି ସଂପନ୍ନ ‘ମନିଟରିଂ’ ପ୍ରକରଣର ଆବିର୍ଭାବ ନ ଘଟିଲେ ଯେ ଅପମିଶ୍ରଣ ଓ ଦୁର୍ନୀତି ଅବ୍ୟାହତ ରହିବ, ତାହା ନିଃସନ୍ଦେହ। ଏହା ମଧ୍ୟ ସତ ଯେ କଠୋର ଦଣ୍ଡର ଅଭାବ, ଦୀର୍ଘ ବିଚାର ପ୍ରକ୍ରିୟା ଏବଂ ଦୋଷୀକୁ ଦଣ୍ଡ ଶୀଘ୍ର ଓ ସୁନିଶ୍ଚିତ କରାଇବାରେ ବ୍ୟବସ୍ଥାଗତ ଅସାମର୍ଥ୍ୟ ହେତୁ ମଧ୍ୟ ଦୁର୍ନୀତିର କାୟା ବିସ୍ତାର ହେବାରେ ଲାଗିଛି। କିନ୍ତୁ, ଏ ସବୁ ସତ୍ତ୍ବେ ଟିକିଏ ଗଭୀରତାକୁ ଅବଲୋକନ କଲେ ଦିଶିଥାଏ ଯେ ଭାରତ ଭଳି ଏକ ଅତ୍ୟନ୍ତ ଜନାକୀର୍ଣ୍ଣ ରାଷ୍ଟ୍ରରେ ସାଧାରଣ ମନୁଷ୍ୟର ଜୀବନ ମୂଲ୍ୟହୀନ ଭଳି ପ୍ରତୀତ ହେଉଥିବାରୁ ଉଦାସୀନତା ବା ସଂବେଦନଶୂନ୍ୟତା ସର୍ବଗ୍ରାସୀ ହୋଇଛି; ଦୁର୍ନୀତି ଦ୍ବାରା ପୀଡ଼ିତ ଜନସାଧାରଣଙ୍କ କଷଣ ଦୁର୍ନୀତିର କର୍ତ୍ତା ଓ ପୃଷ୍ଠପୋଷକମାନଙ୍କୁ କୌଣସି ରୂପେ ସ୍ପର୍ଶ ସୁଦ୍ଧା କରିପାରୁନାହିଁ; ତେଣିକି ସେ ଅପମିଶ୍ରିତ ଔଷଧ ହୋଇଥାଉ ବା ଦୂଷିତ ଖାଦ୍ୟଦ୍ରବ୍ୟ ବା ବିପର୍ଯ୍ୟସ୍ତ ପରିବହନ ବ୍ୟବସ୍ଥା ବା ଅଗମ୍ୟ ସଡ଼କ କିମ୍ବା ଭାଙ୍ଗି ପଡୁଥିବା ପୋଲ!
ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଆମେରିକୀୟ ନାଟ୍ୟକାର ଆର୍ଥର ମିଲରଙ୍କ ଅମର କୃତି ‘ଅଲ ମାଇ ସନ୍ସ’ ପ୍ରଣିଧାନଯୋଗ୍ୟ, ଯହିଁରେ ପାପର ଦୁଷ୍ପ୍ରଭାବର ଆବର୍ତ୍ତ କିଭଳି ସର୍ବଗ୍ରାସୀ ହୋଇଥାଏ, ତା’ର ଧାରଣା ମିଳେ। ସେହି ନାଟକର ବିଷୟବସ୍ତୁ କହିଥାଏ କିଭଳି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ତ୍ରୁଟିପୂର୍ଣ୍ଣ ବିମାନ ଯନ୍ତ୍ରାଂଶ ଯୋଗାଇ ବିତ୍ତଶାଳୀ ବ୍ୟବସାୟୀ ଜୋ କେଲର ପ୍ରଚୁର ଲାଭବାନ ହୋଇଥିଲେ ହେଁ ସେହି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇ ୨୧ ଜଣ ପାଇଲଟଙ୍କ ମୃତ୍ୟୁ ଘଟି ସାରିଥାଏ। ପରବର୍ତ୍ତୀ ଘଟଣାକ୍ରମରେ ଜୋ କେଲରଙ୍କ ପୁତ୍ର ଲାରି କେଲର, ଯିଏ ମଧ୍ୟ ଜଣେ ପାଇଲଟ, ବିମାନ ଦୁର୍ଘଟଣାରେ ପ୍ରାଣ ହରାଏ। କ୍ରମେ ଜଣାପଡ଼େ ଲାରିର ବିମାନ ଦୁର୍ଘଟଣା ଏକ ସାଧାରଣ ଦୁର୍ଘଟଣା ନ ଥିଲା; ବରଂ ପିତାଙ୍କ ଦୁର୍ନୀତି ବିଷୟ ଅବଗତ ହେବା ପରେ ତୀବ୍ର ମର୍ମଦାହ ହେତୁ ଲାରି ନିଜ ବିମାନକୁ ଦୁର୍ଘଟଣାଗ୍ରସ୍ତ କରାଇ ଆତ୍ମହତ୍ୟା କରିଛି। କଥା ପ୍ରଘଟ ହୋଇଯିବା ପରେ ସମସ୍ତ ପାଇଲଟଙ୍କ ମୃତ୍ୟୁ ଲାଗି ନିଜକୁ ଦାୟୀ କରି ପଶ୍ଚାତ୍ତାପଜର୍ଜର ଜୋ କେଲର ମଧ୍ୟ ପରିଶେଷରେ ଆତ୍ମହତ୍ୟା କରିଛନ୍ତି। ଏହି କାହାଣୀର ଉଦାହରଣ ଏଠାରେ ପ୍ରଦାନ କରିବାର ତାତ୍ପର୍ଯ୍ୟ ହେଲା ହୃଦ୍ବୋଧ କରାଇବା ଯେ କୃତକର୍ମର ଦୁଷ୍ପରିଣାମ ଦୁର୍ନୀତିକାରୀ ଓ ଦୁର୍ନୀତିଗ୍ରସ୍ତମାନଙ୍କ ମଧ୍ୟ ପଶ୍ଚାତ୍ଧାବନ କରିଥାଏ। ଯେଉଁ ପାପ ସେମାନେ ସୃଷ୍ଟି କରନ୍ତି, ତାହା ସେମାନଙ୍କ ଜ୍ଞାତି ଓ ପ୍ରିୟଜନମାନଙ୍କୁ ମଧ୍ୟ ଶିକାର କରିପାରେ! ବିଷ ଔଷଧ ବା ଅପମିଶ୍ରିତ ଖାଦ୍ୟ ବା ଖରାପ ସଡ଼କ ବା ଭଙ୍ଗୁର ସେତୁ ଦ୍ବାରା ହେଉଥିବା ଦୁର୍ଘଟଣା ତା’ର ଶିକାର ବାଛିବାରେ ଭେଦଭାବ କରି ନ ଥାଏ। ତେଣୁ ରହସ୍ୟବାଦୀ ଇଂରେଜୀ କବି ଜନ ଡନଙ୍କ କବିତାଂଶକୁ ଉଦ୍ଧାର କରି ଚୈତନ୍ୟ ଉଦୟକାରୀ ଏହି ବାକ୍ୟ ଦ୍ବୟ ଅନ୍ତତଃ କୁହାଯାଇପାରେ ଯେ ଚର୍ଚ୍ଚରେ ଘଣ୍ଟି ବାଜିଲେ ପଚାରି ବୁଝ ନାହିଁ ଯେ ତାହା କାହା ପାଇଁ ବାଜୁଛି! ଏହା ତୁମ ଲାଗି ବାଜୁଥିବ ଅବା!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)