କେତେକଙ୍କ ମତରେ ଅତ୍ୟଧିକ ସୋସିଆଲ୍ ନେଟ୍ୱର୍କ ବ୍ୟବହାରର ପ୍ରଭାବରେ ‘ଜେନ୍ ଜେଡ୍’ର ସଦସ୍ୟମାନେ ଅଧିକ ଆତ୍ମବିଭୋର, ମତାନ୍ଧ ଏବଂ ସାମାଜିକ ସମସ୍ୟାମାନଙ୍କ ପ୍ରତି ଉଦାସୀନ ବ୍ୟକ୍ତିରେ ପରିଣତ ହୋଇଯାଇଛନ୍ତି। ହିଂସାକାଣ୍ଡରୁ ନିବୃତ୍ତ ହେବା ନିମିତ୍ତ ଯେଉଁଭଳି ସମ୍ବେଦନଶୀଳତା ଦରକାର, ଏମାନଙ୍କ ଠାରେ ତା’ର ଅଭାବ ଥିବାର ଏକ ପ୍ରମାଣ ହେଉଛି ନେପାଳରେ ଘଟିଥିବା କାଣ୍ଡ।
ଶ୍ରୀଲଙ୍କା ଓ ବାଂଲାଦେଶ ପରେ ଭାରତର ଆଉ ଏକ ପଡ଼ୋଶୀ ରାଷ୍ଟ୍ର ନେପାଳ ବର୍ତ୍ତମାନ ଏକ ରକ୍ତାକ୍ତ ଗଣବିକ୍ଷୋଭ ଦ୍ବାରା କବଳିତ ହୋଇଛି। ନେପାଳରେ ଘଟିଥିବା ଏହି ବିକ୍ଷୋଭକୁ ଏବେ ଏକ ଦୁର୍ନୀତି ବିରୋଧରେ ଯୁବପିଢ଼ିର ଆନ୍ଦୋଳନର ରୂପ ପ୍ରଦାନ କରାଯାଉଥିଲେ ହେଁ, ଯେଉଁ ପ୍ରସଙ୍ଗକୁ କେନ୍ଦ୍ର କରି ସେଠାରେ ଏହି ଭୟଙ୍କର ହିଂସାତ୍ମକ ବିକ୍ଷୋଭର ସୂତ୍ରପାତ ହୋଇଛି, ତାହା ଦୁର୍ନୀତି ନିବାରଣ କିମ୍ବା ଗଣତନ୍ତ୍ରର ସୁରକ୍ଷା ଭଳି କୌଣସି ଓଜନଦାର ପ୍ରସଙ୍ଗ ନ ଥିଲା, ତାହା ଥିଲା ଏଇ ପିଢ଼ିର ଅମ୍ଳଜାନ ରୂପେ ବିବେଚିତ ଏକ ସେବା ଯୋଗାଣ ଉପରେ ସେ ଦେଶର ସରକାର ଲାଗୁ କରିଥିବା ଏକ ନିଷେଧାଦେଶ। ସୋମବାର ଦିନ ଅସଂଖ୍ୟ ହିଂସ୍ର ଯୁବକମାନେ ନେପାଳର ରାଜଧାନୀ କାଠମାଣ୍ଡୁରେ ଏକତ୍ରିତ ହୋଇ ଯେଉଁ ତାଣ୍ଡବ ରଚନା କଲେ, ତାହା ଥିଲା ‘ଫେସ୍ବୁକ୍’, ‘ଇନ୍ଷ୍ଟାଗ୍ରାମ୍’, ‘ୟୁଟ୍ୟୁବ୍’, ‘ହ୍ବାଟ୍ସଆପ୍’, ‘ଏକ୍ସ’ ଆଦି ସୋସିଆଲ ମିଡିଆ ପ୍ଲାଟ୍ଫର୍ମମାନଙ୍କୁ ବନ୍ଦ କରିଦେବା ପାଇଁ ନେପାଳ ସରକାର ଜାରି କରିଥିବା ନିର୍ଦ୍ଦେଶ।
ପ୍ରକାଶିତ ସୂଚନା ଅନୁସାରେ ଏହି ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଜୀବନ୍ତ ଦଗ୍ଧ ହୋଇ ପ୍ରାଣତ୍ୟାଗ କରିବା ସହିତ ଅନ୍ୟୂନ ପ୍ରାୟ ୨୦ ଜଣଙ୍କର ପ୍ରାଣହାନି ଘଟିସାରିଲାଣି ଏବଂ ଶତାଧିକ ଆହତ ହୋଇଛନ୍ତି। ଏଥିଯୋଗୁଁ ସେ ଦେଶର ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ଫଳରେ ସେଠାରେ ଏକ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଏହି ରକ୍ତମୁଖା ଆନ୍ଦୋଳନକୁ ସେଠାକାର ସରକାରଙ୍କ ବିରୁଦ୍ଧରେ ପୁଞ୍ଜୀଭୂତ ଅସନ୍ତୋଷର ଉଗ୍ର ପରିପ୍ରକାଶ ରୂପେ ବିଚାର କରାଯାଉଥିଲେ ହେଁ, ଏହାକୁ ପୃଥିବୀରେ ଗଣତନ୍ତ୍ରର ବିବର୍ତ୍ତନରେ ଏକ ନୂତନ ନାଗରିକ ଅଧିକାରର ଶକ୍ତିଶାଳୀ ଆତ୍ମପ୍ରକାଶର ସର୍ବପ୍ରଥମ ଉଦାହରଣ ରୂପେ ବିବେଚନା କରିବା ଅଧିକ ଯଥାର୍ଥ ହେବ।
ଏହି ନୂତନ ନାଗରିକ ଅଧିକାର ହେଉଛି- ସୋସିଆଲ୍ ମିଡିଆ ବ୍ୟବହାରର ଅଧିକାର। ସରକାର ଯଦି ସୋସିଆଲ୍ ମିଡିଆ ସଂଯୋଗକୁ କୌଣସି କାରଣରୁ କାଟିଦିଅନ୍ତି, ତାହା ନିଜକୁ ‘ଜେନ୍ ଜେଡ୍’ ନାମକ ଏକ ନୂତନ ପିଢ଼ିର ସଦସ୍ୟ ରୂପେ ପ୍ରତିପାଦିତ କରୁଥିବା ଏହି ନୂତନ ଯୁବପିଢ଼ି ଦୃଷ୍ଟିରେ କେବଳ ଏକ ନାଗରିକ ଅଧିକାରର ଉଲ୍ଲଂଘନ ନୁହେଁ, ଏକ ମାନବାଧିକାର ଉଲ୍ଲଂଘନର ରୂପ ପରିଗ୍ରହଣ କରିଥାଏ। ତିଲକଙ୍କ ଦୃଷ୍ଟିରେ ଏକଦା ଭାରତରେ ସ୍ବରାଜ ଯେପରି ଆମର ଜନ୍ମଗତ ଅଧିକାର ରୂପେ ବିବେଚିତ ହୋଇଥିଲା, ଆଜିର ସେଇ ନେପାଳୀ ଯୁବପିଢ଼ି ଦୃଷ୍ଟିରେ ସୋସିଆଲ୍ ମିଡିଆକୁ ପହୁଞ୍ଚ ସେଇଭଳି ସେମାନଙ୍କର ଏକ ଜନ୍ମଗତ ଅଧିକାର ରୂେପ ପ୍ରଦର୍ଶିତ ହେଉଛି। ସେମାନଙ୍କ ଠାରୁ ସରକାର ଏହି ଅଧିକାର ଛଡ଼ାଇ ନେବାକୁ ଯେଉଁ ଉଦ୍ୟମ କଲେ, ତା’ର ପରିଣାମ ହେଉଛି ଏଇଭଳି ବିଦ୍ରୋହ।
ବର୍ତ୍ତମାନ ନେପାଳରେ ଏଇଭଳି ଏକ ବିଦ୍ରୋହ ସର୍ବପ୍ରଥମେ ଆତ୍ମପ୍ରକାଶ କରିଥିଲେ ହେଁ, ଏହା ଯେ ପୃଥିବୀବ୍ୟାପୀ ପ୍ରତ୍ୟେକ ସମାଜରେ ସୁପ୍ତ ଅବସ୍ଥାରେ ରହିଛି, ଏଥିରେ କୌଣସି ସନ୍ଦେହ ନାହିଁ। ଏହାର ଏକ ଉଦାହରଣ ସ୍ବରୂପ ନିକଟ ଅତୀତରେ ଆମେରିକାରେ ଏକ ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ‘ଟିକ୍ଟକ୍’ ଉପରେ ନିଷେଧାଦେଶ ଲାଗୁ କରିବା ଉଦ୍ଦେଶ୍ୟରେ ହୋଇଥିବା ଉଦ୍ୟମ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ଚୀନା ମାଲିକାନାରେ ଥିବା ଏହି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମର ମାଲିକାନାରେ ପରିବର୍ତ୍ତନ ନ ହେଲେ ଆମେରିକାରେ ତାହାକୁ ନିଷିଦ୍ଧ କରିବା ପାଇଁ ବାଇଡେନ୍ ସରକାର ଓ ଟ୍ରମ୍ପ ସରକାର ଘୋଷଣା କରିଚାଲିଥିଲେ ହେଁ ଆମେରିକାରେ ଏହି ସଂକ୍ଷିପ୍ତ ଭିଡିଓ ଆପ୍ର ଅଗଣିତ ଯୁବ ବ୍ୟବହାରକାରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକୂଳ ପ୍ରତିକ୍ରିୟା ଦେଖାଯିବାର ସମ୍ଭାବନାକୁ ଭୟ କରି ଏଭଳି ପଦକ୍ଷେପକୁ ବାରମ୍ବାର ଘୁଞ୍ଚାଇ ଦିଆଯିବାରେ ଲାଗିଛି।
ଭାରତରେ ଅବଶ୍ୟ ୨୦୨୦ ଠାରୁ ‘ଟିକ୍ଟକ୍’କୁ ସଫଳ ଭାବରେ ନିଷିଦ୍ଧ କରିଦିଆଯାଇଛି; କିନ୍ତୁ ମନେ ରଖିବା କଥା ଯେ ସେ ସମୟରେ ଭାରତରେ ଏହି ଆପ୍ର ବ୍ୟବହାରକାରୀଙ୍କ ସଂଖ୍ୟା ସୀମିତ ଥିଲା, ଯେଉଁଥିପାଇଁ ସରକାରଙ୍କୁ କୌଣସି ପ୍ରତିବାଦର ସମ୍ମୁଖୀନ ହେବାକୁ ପଡ଼ି ନ ଥିଲା। ଏହା ବ୍ୟତୀତ, ଗଲ୍ୱାନ୍ ଘଟଣା ଯୋଗୁଁ ସେ ସମୟରେ ଭାରତରେ ଯେଉଁ ବ୍ୟାପକ ଚୀନ୍-ବିରୋଧୀ ମନୋଭାବ ପ୍ରସାର ଲାଭ କରିଥିଲା, ତାହା ମଧ୍ୟ ଥିଲା ପ୍ରତିକ୍ରିୟା ଶୂନ୍ୟତାର ଅନ୍ୟ ଏକ ଶକ୍ତିଶାଳୀ କାରଣ। ବର୍ତ୍ତମାନ ‘ହ୍ବାଟ୍ସଆପ୍’, ‘ଏକ୍ସ’, ‘ଇନ୍ଷ୍ଟାଗ୍ରାମ୍’ ଭଳି ବହୁଳ ବ୍ୟବହୃତ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମମାନଙ୍କୁ ‘ଟିକ୍ଟକ୍’ ପରି ନିଷିଦ୍ଧ କରିଦିଆଯିବା କଥା ଚିନ୍ତା କରାଯାଇ ନ ପାରେ। ଏହା ସତ ଯେ ଭାରତୀୟମାନେ ଏସବୁ ବିଦେଶୀ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମମାନଙ୍କ ପାଖରେ ବନ୍ଧା ପଡ଼ିଛନ୍ତି (ଚୀନ୍ ନିଜର ପ୍ଲାଟ୍ଫର୍ମମାନ - ବାଇଡୁ, ୱେଇବୋ ଆଦି - ବ୍ୟବହାର କରି ଏଭଳି ପରାଧୀନତାରୁ ମୁକ୍ତ ରହିଛି); କିନ୍ତୁ ବର୍ତ୍ତମାନ ଆଉ ଏହି ବନ୍ଧନ ଛିନ୍ନ କରିବା ସମ୍ଭବ ନୁହେଁ, ଯାହା ନେପାଳରେ ପ୍ରମାଣିତ ହୋଇଛି।
ବିଶେଷ କରି ଯେଉଁ ‘ଜେନ୍ ଜେଡ୍’ ନେପାଳରେ ଏହି ଆନ୍ଦୋଳନ ରଚନା କରିଛନ୍ତି, ସେମାନେ ଜନ୍ମ ହୋଇଛନ୍ତି ଓ ବଢ଼ଛନ୍ତି ଏକ ଡିଜିଟାଲ୍ ଯୁଗରେ, ଯେଉଁଥିପାଇଁ ସେମାନଙ୍କୁ ‘ଡିଜିଟାଲ୍ ନେଟିଭ୍’ ରୂପେ ସମ୍ବୋଧିତ କରାଯାଇଥାଏ। ଏମାନେ ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ଯନ୍ତ୍ରମାନଙ୍କର ଅନବରତ ସାହଚର୍ଯ୍ୟ ଲାଭ କରି ନିଜର ଶୈଶବ ଓ ବାଲ୍ୟକାଳ ବିତାଇ ଯୁବାବସ୍ଥାରେ ପହଞ୍ଚିଛନ୍ତି। ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ ଏଇ ‘ଜେନ୍ ଜେଡ୍’ ପିଢ଼ିର ସଦସ୍ୟମାନେ ଏକ ବସ୍ତୁଭିତ୍ତିକ ଦୁନିଆରେ ବାସ କରୁଥିଲେ ହେଁ, ସେମାନଙ୍କ ପାଇଁ ବାସ୍ତବ ଦୁନିଆ ହେଉଛି ଇଣ୍ଟର୍ନେଟ୍ର ପ୍ରତୀୟମାନ ଦୁନିଆ ବା ଭର୍ଚୁଆଲ୍ ଦୁନିଆ; ଯେଉଁଥିରେ ପ୍ରବେଶର ମାଧ୍ୟମ ହେଉଛି ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମମାନ।
ଏହା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଏହି ‘ଜେନ୍ ଜେଡ୍’ ପିଢ଼ିର ସଦସ୍ୟମାନେ ସେମାନଙ୍କର କୈଶୋର ଓ ଆଦ୍ୟ ଯୌବନ ସମୟରେ କୋଭିଡ୍-୧୯ ପାଣ୍ଡେମିକ୍ର ଯେଉଁ ବ୍ୟକ୍ତିତ୍ବ ପରିବର୍ତ୍ତନକାରୀ ଆଘାତ ଦେଇ ଗତି କରିଛନ୍ତି, ତାହା ମଧ୍ୟ ବର୍ତ୍ତମାନ ସେମାନଙ୍କର ଆଚରଣକୁ ପ୍ରଭାବିତ କରୁଛି। ଏହି ଚୀନାସୃଷ୍ଟ ପାଣ୍ଡେମିକ୍ ଯୋଗୁଁ ସେମାନଙ୍କୁ ପ୍ରାୟ ଦୀର୍ଘ ଦୁଇ ବର୍ଷ ଧରି ସମସ୍ତ ପ୍ରକାର ପ୍ରତ୍ୟକ୍ଷ ସାମାଜିକ ସଂପର୍କ ଛିନ୍ନ କରି ସୋସିଆଲ୍ ନେଟ୍ୱର୍କ ଉପରେ ନିର୍ଭର କରି ଉପରୋକ୍ତ ଭର୍ଚୁଆଲ୍ ଦୁନିଆରେ କାଳ କାଟିବାକୁ ପଡ଼ିଥିଲା। ତେଣୁ ସ୍ବାଭାବିକ ଭାବରେ ସୋସିଆଲ୍ ନେଟ୍ୱର୍କ ଏମାନଙ୍କ ପାଇଁ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଅଂଶରେ ପରିଣତ ହୋଇଯାଇଛି।
କେତେକଙ୍କ ମତରେ ଅତ୍ୟଧିକ ସୋସିଆଲ୍ ନେଟ୍ୱର୍କ ବ୍ୟବହାରର ପ୍ରଭାବରେ ‘ଜେନ୍ ଜେଡ୍’ର ସଦସ୍ୟମାନେ ଅଧିକ ଆତ୍ମବିଭୋର, ମତାନ୍ଧ ଏବଂ ସାମାଜିକ ସମସ୍ୟାମାନଙ୍କ ପ୍ରତି ଉଦାସୀନ ବ୍ୟକ୍ତିରେ ପରିଣତ ହୋଇଯାଇଛନ୍ତି। ହିଂସାକାଣ୍ଡରୁ ନିବୃତ୍ତ ହେବା ନିମିତ୍ତ ଯେଉଁଭଳି ସମ୍ବେଦନଶୀଳତା ଦରକାର, ଏମାନଙ୍କ ଠାରେ ତା’ର ଅଭାବ ଥିବାର ଏକ ପ୍ରମାଣ ହେଉଛି ନେପାଳରେ ଘଟିଥିବା କାଣ୍ଡ। ଏମାନଙ୍କ ପ୍ରତି କିନ୍ତୁ ସମ୍ବେଦନଶୀଳ ଆଚରଣ ପ୍ରଦର୍ଶନ କରିବା ହେଉଛି ବୃହତ୍ତର ସମାଜର ଦାୟିତ୍ବ।