ନେପାଳ ଘଟଣାରୁ କ୍ଷମତାଧାରୀ ବର୍ଗ ହୁଏତ ଏହା ମଧ୍ୟ ହୃଦୟଙ୍ଗମ କରିଥିବେ ଯେ ଜନ ପ୍ରତିକ୍ରିୟା ବା ସମାଲୋଚନାକୁ ଆତ୍ମ-ପରିମାର୍ଜନରେ ଉପଯୋଗ କରାଯାଇପାରେ ବା ତାକୁ ନିରବରେ ସହ୍ୟ କରି କ୍ରମେ ଚର୍ବିତଚର୍ବଣ ଅପ୍ରାସଙ୍ଗିକତାରେ ପରିଣତ କରି ଦିଆଯାଇପାରେ, କିନ୍ତୁ ତାହାକୁ ନିୟନ୍ତ୍ରଣ କରିବାର ଉଦ୍ୟମ କରି ‘ହାରାକିରି’ କରାଯାଇ ନ ପାରେ।
ହିମାଳୟ କ୍ରୋଡ଼ରେ ଆଶ୍ରିତ କ୍ଷୁଦ୍ର ରାଜ୍ୟ ନେପାଳରେ ସଂଘଟିତ ହୋଇଯାଇଥିବା ଜନ ବିଦ୍ରୋହ, ସେଠାକାର ସରକାରର ପତନ ଏବଂ ଦୁଇ ବା ତିନି ଦିନର ଅବାଧ ଅରାଜକତାକୁ ଯଦିଓ ଶ୍ରୀଲଙ୍କା(୨୦୨୨) ବା ବାଂଲାଦେଶ(୨୦୨୪)ରେ ଘଟିଥିବା ଅନୁରୂପ ଘଟଣାକ୍ରମ ସହିତ ତୁଳନା କରାଯାଉଛି, ଏକ ଇତିହାସ ସୃଷ୍ଟିକାରୀ ଦୃଷ୍ଟାନ୍ତ ରୂପେ ଏହା କିଭଳି ଭିନ୍ନ, ତାହା ବିଶେଷ ପ୍ରଣିଧାନଯୋଗ୍ୟ। କେବଳ ସେତିକି ନୁହେଁ, ୧୯୯୯ ମସିହାରୁ ୨୦୧୨ ମସିହା ମଧ୍ୟରେ ଜନ୍ମ ଲାଭ କରିଥିବା ‘ଜେନ୍ ଜେଡ୍’ ରୂପେ ପରିଚିତ ପିଢ଼ିକୁ ପ୍ରତୀୟମାନ ବାସ୍ତବତାରେ ନିରୁଦ୍ଦିଷ୍ଟ ତଥା ଚିନ୍ତା ଓ ଦାୟିତ୍ବମୁକ୍ତ ହାଲୁକା ବର୍ଗ ବୋଲି ଥିବା ଧାରଣାରୁ ଏହି ବିଦ୍ରୋହକୁ ନେଇ ପ୍ରଥମେ ଯେଉଁ ବ୍ୟାଖ୍ୟାନ ସୃଷ୍ଟି ହୋଇଥିଲା, ଇତିମଧ୍ୟରେ ତହିଁରେ ସଂପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ଘଟି ସାରିଲାଣି। ଶ୍ରୀଲଙ୍କା ଓ ବାଂଲାଦେଶ ପରେ ସଂପ୍ରତି ନେପାଳରେ ପ୍ରତିପାଦିତ ହୋଇଛି ଯେ ଗଣତାନ୍ତ୍ରିକ ସରକାରଗୁଡ଼ିକର ମଧ୍ୟ ଶୀର୍ଷ ସ୍ଥାନୀୟ ନେତାମାନେ ତୃଣମୂଳୀୟ ବାସ୍ତବତା ନେଇ ଆତ୍ମଘାତୀ ଭାବେ ଅଜ୍ଞ!
ପ୍ରକାଶ ଥାଉ କି ଅତ୍ୟନ୍ତ ଦରିଦ୍ର ରାଷ୍ଟ୍ର ନେପାଳର ପ୍ରାୟ ୮% ନାଗରିକ, ଅର୍ଥାତ୍ ୩ କୋଟି ଜନସଂଖ୍ୟାରୁ ପାଖାପାଖି ୨୫ ଲକ୍ଷ କର୍ମ-ସଂସ୍ଥାନ ଅନ୍ବେଷଣରେ ଦେଶ ବାହାରେ ପୃଥିବୀର ସର୍ବତ୍ର ବିକ୍ଷିପ୍ତ ଏବଂ ଉପଯୁକ୍ତ ଶିକ୍ଷା ତଥା ପ୍ରଶିକ୍ଷଣ ଅଭାବରୁ ଅଧିକାଂଶ ଅତ୍ୟନ୍ତ ନିମ୍ନ ସୋପାନର କାର୍ଯ୍ୟରେ ନିୟୋଜିତ। ଏକ ସୂତ୍ରରୁ ପ୍ରକାଶିତ ଯେ ଅନେକ ନେପାଳୀ ନାଗରିକ ସଂପ୍ରତି ରୋଜଗାର ସକାଶେ ରୁଷିଆ ପକ୍ଷରୁ ୟୁକ୍ରେନରେ ଯୁଦ୍ଧରତ। ନେପାଳ ସକାଶେ ଏହି ପ୍ରବାସୀମାନଙ୍କ ଅବଦାନ କିଭଳି ମହତ୍ତ୍ବପୂର୍ଣ୍ଣ, ତାହା ଏଥିରୁ ଜଣାପଡ଼େ ଯେ ସେମାନଙ୍କ ସୂତ୍ରରୁ ଘରକୁ ଆସୁଥିବା ଅର୍ଥର ସ୍ରୋତ ହେଉଛି ନେପାଳର ଜାତୀୟ ଆୟ ବା ଜି.ଡି.ପି.ର ୩୩ ଶତାଂଶ (ଭାରତରେ ଏହା ମାତ୍ର ୩%)। ଏଭଳି ସ୍ଥଳେ ‘ହ୍ବାଟ୍ସଆପ୍’ ଭଳି ବାର୍ତ୍ତା ପ୍ରସାରଣକାରୀ ସାମାଜିକ ଗଣମାଧ୍ୟମ ମଞ୍ଚ ସେମାନଙ୍କୁ ନିଜ ପରିବାର, ସମାଜ ଓ ଦେଶ ସହିତ ଯୋଡୁଥିବା ଝରକାତୁଲ୍ୟ ହୋଇଥାଏ, ଯାହାକୁ (ଅନ୍ୟାନ୍ୟ ୨୬ଟି ସାମାଜିକ ଗଣମାଧ୍ୟମ ମଞ୍ଚ ସହିତ) ସହସା ଓ ଏକାବେଳକେ ବନ୍ଦ କରିଦେବାର ଅର୍ଥ ହେଲା ସଂପର୍କର ଡୋରିକୁ ସମୂଳ ଛିନ୍ନ କରିେଦବା। କହିବା ବାହୁଲ୍ୟ ଯେ ତୃଣମୂଳୀୟ ବାସ୍ତବତା ସହିତ ପରିଚିତ ଥିବା କୌଣସି ବ୍ୟକ୍ତି ଏଭଳି ନିଷ୍ପତ୍ତି ନିଅନ୍ତା ନାହିଁ। ଏହା ମଧ୍ୟ ସ୍ମରଣରେ ଅଛି ଯେ ଏହିଭଳି ଏକ ଅବିମୃଶ୍ୟକାରୀ ତୁଗଲକୀ ନିଷ୍ପତ୍ତିଟିଏ ନେଇ ଶ୍ରୀଲଙ୍କାର ରାଷ୍ଟ୍ରପତି ମହେନ୍ଦ୍ର ରାଜପକ୍ଷ ନିଜ ହାତରେ ନିଜ କ୍ଷମତା ଲୁଣ୍ଠନ ପର୍ବର ସୂତ୍ରପାତ ଘଟାଇଥିଲେ। ତାଙ୍କ ଅଚାନକ ନିଷ୍ପତ୍ତି ଅନୁସାରେ ଶ୍ରୀଲଙ୍କା ରାତାରାତି ଏକ ଜୈବ କୃଷିର ରାଷ୍ଟ୍ର ରୂପେ ଘୋଷିତ ହୋଇଗଲା ଏବଂ ରାସାୟନିକ ସାର ଓ କୀଟନାଶକ ଔଷଧର ବ୍ୟବହାର ନିଷିଦ୍ଧ ହୋଇଗଲା। ଏହା ଦ୍ବାରା ଯେଉଁ ସାଂଘାତିକ ଶସ୍ୟ ହାନି ଘଟିଲା, ତାହାର ପ୍ରତିକ୍ରିୟା ସ୍ବରୂପ ଜନ ଆକ୍ରୋଶର ଦାବାନଳ ଜଳି ଉଠି ସରକାରକୁ ଭୂଲୁଣ୍ଠିତ କଲା।
ପ୍ରକାଶ ଥାଉ କି ପ୍ରଚଣ୍ଡ ବାମପନ୍ଥୀ ଆନ୍ଦୋଳନ ପରେ ୨୦୦୮ ମସିହାରେ ନେପାଳରେ ରାଜତନ୍ତ୍ରର ଅବସାନ ଘଟି ଗଣତନ୍ତ୍ର ପ୍ରତିଷ୍ଠିତ ହେଲା। କିନ୍ତୁ, ଏହି ୧୭ ବର୍ଷର ଅବଧି ମଧ୍ୟରେ ନେପାଳ ୧୪ ଥର ପ୍ରଧାନମନ୍ତ୍ରିତ୍ବ ପରିବର୍ତ୍ତନ ଦେଖିଛି, ଯହିଁରେ କୌଣସି ଜଣେ ହେଲେ ପ୍ରଧାନମନ୍ତ୍ରୀ ତାଙ୍କ ପୂର୍ଣ୍ଣ କାର୍ଯ୍ୟକାଳ ସମାପ୍ତ କରିନାହାନ୍ତି, ଅଥଚ କ୍ଷମତା ଲୋଭରେ କଟ୍ଟର ବିରୋଧୀ ଦଳ ସହିତ ବିଭିନ୍ନ ଅବାନ୍ତର ସର୍ତ୍ତରେ ମେଣ୍ଟ କରି ସେହି ମୁଷ୍ଟିମେୟ ନେତାଗଣ ଏକାଧିକ ବାର ଗାଦିନସୀନ ହୋଇଛନ୍ତି। ଏହା ହୁଏତ ସତ ଯେ ନେପାଳବାସୀ ଏଭଳି କ୍ଷମତାଲୋଭୀ ଓ ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ହୁଏତ ଭାଗ୍ୟର ବିଧାନ ବୋଲି ମନେ କରି ସହି ଯାଇଥାଆନ୍ତେ, ଯଦି ସେହି ରାଜନେତାମାନଙ୍କ ଦୁଲାଳମାନେ ବିଦେଶରେ ସେମାନଙ୍କ ଶିକ୍ଷାଦୀକ୍ଷା ଓ ବିଳାସପୂର୍ଣ୍ଣ ଜୀବନଯାପନର ଫଟୋ ଓ ଭିଡିଓମାନ ‘ଇନ୍ଷ୍ଟାଗ୍ରାମ’ ବା ‘ଫେସ୍ବୁକ୍’ ଭଳି ସାମାଜିକ ଗଣମାଧ୍ୟମ ମଞ୍ଚରେ ‘ଅପଲୋଡ୍’ କରୁ ନ ଥାଆନ୍ତେ ଓ ଜନସାଧାରଣଙ୍କ ପ୍ରଶ୍ନ, ପ୍ରତିକ୍ରିୟା ଓ ରୋଷର ଶିକାର ହୋଇ ନ ଥାଆନ୍ତେ; ଏବଂ ହୁଏତ ଏଭଳି ପ୍ରତିକ୍ରିୟା ମଧ୍ୟ ହୁଏତ ବିସ୍ଫୋରକ ହୁଅନ୍ତା ନାହିଁ, ଯଦି ସରକାର ଆଭ୍ୟନ୍ତରୀଣ ନିରାପତ୍ତାର ଆଳ ଦର୍ଶାଇ ଏହି ସବୁ ସାମାଜିକ ଗଣମାଧ୍ୟମ ମଞ୍ଚକୁ ବନ୍ଦ କରି ଦେଇ ନ ଥାଆନ୍ତେ। ସରକାରଙ୍କ ଦ୍ବାରା ଉପସ୍ଥାପିତ ସବୁ କାରଣ ସତ୍ତ୍ବେ ଧାରଣା ବଦ୍ଧମୂଳ ହୋଇଥିଲା ଯେ ନାଗରିକଙ୍କ ସମାଲୋଚନା ରୋକିବା ଲାଗି ମୁକ୍ତ ଅଭିବ୍ୟକ୍ତିର ମାର୍ଗକୁ ଅବରୋଧ କରି ଦିଆଗଲା। ତୀବ୍ର ଆର୍ଥିକ ବୈଷମ୍ୟ, ଧନାଢ଼୍ୟ ବର୍ଗଙ୍କ ଦ୍ବାରା ସଂପଦର ଉଲଙ୍ଗ ପ୍ରଦର୍ଶନ ଓ କ୍ରୂର ବାସ୍ତବତା ସହିତ ଅସଂପୃକ୍ତ ବର୍ଗଙ୍କ ହାତରେ ଶାସନର ଭାର କିଭଳି ପରିଣାମ ସୃଷ୍ଟି କରିଥାଏ, ତାହାର ଦୃଷ୍ଟାନ୍ତ ଦୁଇ ଶହରୁ ଅଧିକ ବର୍ଷ ପୂର୍ବର ଫରାସୀ ବିପ୍ଳବରୁ ମିଳିଥିଲା। ଫରାସୀ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ ଦ୍ବାରା ବିପୁଳ ରାଜକୋଷୀୟ ଅର୍ଥ ବ୍ୟୟରେ ନିର୍ମିତ ବର୍ଣ୍ଣନାତୀତ ଭାବେ ଭବ୍ୟ ‘ଭର୍ସେଲସ ରାଜପ୍ରାସାଦ’ ହିଁ ଥିଲା ତତ୍କାଳୀନ ଅତି ଦରିଦ୍ର ଫରାସୀ ଜନସାଧାରଣଙ୍କ ସକାଶେ ତୀବ୍ର ମର୍ମ ଜ୍ବଳନର କାରଣ, ଯାହା ଅବଲୀଳା କ୍ରମେ ଫରାସୀ ବିପ୍ଳବକୁ ଜନ୍ମ ଦେଇ ସେଠାରେ ରାଜତନ୍ତ୍ରର ଉନ୍ମୂଳନ ଘଟାଇଥିଲା। ପ୍ରକାଶ ଥାଉ କି ରାଜତନ୍ତ୍ରରେ ଶାସକ ଓ ଶାସିତଙ୍କ ମଧ୍ୟରେ ତୀବ୍ର ବୈଷମ୍ୟ ପ୍ରାୟତଃ ଏକ ପ୍ରକାର ସ୍ବାଭାବିକତା ଲାଭ କରିଥାଏ। ମାତ୍ର, ନେପାଳ ତ ଏକ ଗଣତନ୍ତ୍ର!
କ୍ରମେ ହୃଦ୍ବୋଧ ହେଲାଣି ଯେ ସମାଜ ଉପରେ ବିଭିନ୍ନ ପ୍ରକାର କୁପ୍ରଭାବ ବା ରାଷ୍ଟ୍ରର ନିରାପତ୍ତା ଓ ସଂହତି ଉପରେ ବିପଦ ଭଳି କାରଣ ସତ୍ତ୍ବେ ସରକାରଗୁଡ଼ିକ ଦ୍ବାରା ସାମାଜିକ ଗଣମାଧ୍ୟମ ମଞ୍ଚ ଉପରେ ନିୟନ୍ତ୍ରଣର ଉଦ୍ୟମକୁ ମୁକ୍ତ ଅଭିବ୍ୟକ୍ତି ଉପରେ ଆକ୍ରମଣ ବୋଲି ଅଭିହିତ କରାଯାଇ ଭବିଷ୍ୟତରେ ଜନ ବିପ୍ଳବମାନ ସୃଷ୍ଟି ହେବା ଅନିବାର୍ଯ୍ୟ; କାରଣ ପୃଥିବୀର ସବୁ କୋଣ-ଅନୁକୋଣରେ ମୁକ୍ତ ମତମାନ ଦୃଶ୍ୟ ଓ ଶ୍ରାବ୍ୟ ହେବା ଲାଗି ସାମାଜିକ ଗଣମାଧ୍ୟମ ହିଁ ହେଉଛି ଏକମାତ୍ର ଅବାଧ ରାଜପଥ। ନେପାଳ ଘଟଣାରୁ କ୍ଷମତାଧାରୀ ବର୍ଗ ହୁଏତ ଏହା ମଧ୍ୟ ହୃଦୟଙ୍ଗମ କରିଥିବେ ଯେ ଜନ ପ୍ରତିକ୍ରିୟା ବା ସମାଲୋଚନାକୁ ଆତ୍ମ-ପରିମାର୍ଜନରେ ଉପଯୋଗ କରାଯାଇପାରେ ବା ତାକୁ ନିରବରେ ସହ୍ୟ କରି କ୍ରମେ ଚର୍ବିତଚର୍ବଣ ଅପ୍ରାସଙ୍ଗିକତାରେ ପରିଣତ କରି ଦିଆଯାଇପାରେ, କିନ୍ତୁ ତାହାକୁ ନିୟନ୍ତ୍ରଣ କରିବାର ଉଦ୍ୟମ କରି ‘ହାରାକିରି’ କରାଯାଇ ନ ପାରେ। ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ‘ଜେନ୍ ଜେଡ୍’ ପିଢ଼ି ସକାଶେ ପ୍ରତୀୟମାନ ବାସ୍ତବତା ଠାରୁ ବାସ୍ତବ ପୃଥିବୀ ଅସଂଲଗ୍ନ ନୁହେଁ; ଏବଂ ସେମାନଙ୍କ ଠାରୁ ଏହି ବାସ୍ତବତାକୁ ଅପହରଣ କରି ନେବାର ଉଦ୍ୟମ ସଂପୂର୍ଣ୍ଣ ଅପରିଣାମଦର୍ଶୀ। ତେବେ, ନେପାଳ ବିଦ୍ରୋହରେ ନିହିତ ଅସଂଗତିଟି ହେଲା ଏହାକୁ ଦିଗ ଦେଖାଇବାକୁ କୌଣସି ନେତା ସୃଷ୍ଟି ହୋଇପାରି ନ ଥିଲେ, ଯଦ୍ଦ୍ବାରା ଆନ୍ଦୋଳନଟି ଏକ ଉନ୍ମତ୍ତ ଓ ଅରାଜକ ଭିଡ଼ ହିଂସାକୁ ପତିତ ହୋଇଗଲା। ଏହି ସଂଦର୍ଭରେ ପ୍ରକାଶିତ ପୂର୍ବବର୍ତ୍ତୀ ସଂପାଦକୀୟ ‘ଅମ୍ଳଜାନ ହରଣ’ରେ କୁହାଯାଇଥିଲା କିଭଳି ସାମାଜିକ ଗଣମାଧ୍ୟମ ‘େଜନ୍ ଜେଡ୍’ ପିଢ଼ିଙ୍କ ସକାଶେ ଅମ୍ଳଜାନତୁଲ୍ୟ ହୋଇଥାଏ, ଯାହାର ହରଣ ଏଭଳି ସ୍ଥିତି ସୃଷ୍ଟି କଲା। ଏକ ଭିନ୍ନ ପ୍ରସଙ୍ଗରେ ‘ଅମ୍ଳାଜାନ ହରଣ’କୁ ନେଇ ସୁଫି ଗଳ୍ପଟିଏ ମନେପଡ଼େ, ଯାହା ଅନୁସାରେ ଈଶ୍ବର ପ୍ରାପ୍ତି ଲକ୍ଷ୍ୟ ରଖିଥିବା ଜଣେ ଶିଷ୍ୟର ମୁଣ୍ଡକୁ ଗୁରୁ ମହୋଦୟ ଏକ ପାଣିଭରା ପାତ୍ର ଭିତରେ ବେଶ୍ କିଛି ସମୟ ଜବରଦସ୍ତ ଡୁବାଇ ରଖି ଛାଡ଼ିଦେବା ପରେ ଅଣନିଃଶ୍ବାସୀ ଶିଷ୍ୟଟି ଅମ୍ଳଜାନ ଟିକିଏ ପାଇବା ଲାଗି ନାକ ପାଟି ମେଲା କରି ପ୍ରଶ୍ବାସ ନେଉଥିବା ବେଳେ ଗୁରୁ କହିଥିଲେ ଯେ କେବଳ ଇଚ୍ଛା କି ଆଗ୍ରହ ନୁହେଁ, ଏଭଳି ଆତୁରତା ସୃଷ୍ଟି ନ ହେଲେ ଲକ୍ଷ୍ୟ ପ୍ରାପ୍ତି ସମ୍ଭବ ନୁହେଁ। ନେପାଳରେ ‘ଅମ୍ଳଜାନ ହରଣ’ ବୋଧହୁଏ ଦୁର୍ନୀତିଗ୍ରସ୍ତ ଶାସନର ସମାପ୍ତି ଲାଗି ଏଭଳି ଆତୁରତା ସୃଷ୍ଟି କରିଥିଲା!