ଟ୍ରଂପଙ୍କ ଭାଷଣ ସକାଶେ ଧାର୍ଯ୍ୟ କରାଯାଇଥିବା ସମୟ ଥିଲା ପନ୍ଦର ମିନିଟ। ତା’ ସତ୍ତ୍ବେ ସେ ଘଣ୍ଟାଏ କାଳ ମୁଖର ହୋଇ ଉଠିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ସବୁଠାରୁ କମ୍‌ କଥାବାର୍ତ୍ତା କରୁଥିବା ରାଷ୍ଟ୍ରପତି କାଲଭିନ କୁଲିଜଙ୍କୁ ସେ ଅଳ୍ପ-ଭାଷୀ ହେବା ପଛର କାରଣ ସମ୍ବନ୍ଧରେ ଥରେ ପଚରାଯାଆନ୍ତେ ତାଙ୍କ ସ୍ବଭାବସୁଲଭ ସଂକ୍ଷିପ୍ତ ଉତ୍ତର ଥିଲା: ‘ଗୁଡ଼ାଏ ଗପିଲେ ଝାମେଲା ବଢ଼େ ଓ ମୂର୍ଖତା ପଦାରେ ପଡ଼େ’। ଏହି ହି‌େତାପଦେଶକୁ ଶୁଣିଥିଲେ ହୁଏତ ଡୋନାଲ୍‌ଡ ଟ୍ରଂପ ତାଙ୍କ ଲାଗି ଧାର୍ଯ୍ୟ କରାଯାଇଥିବା ସମୟର ଚାରି ଗୁଣ ନିଜ ଭାଷଣରେ ବ୍ୟୟ କରି ନ ଥାଆନ୍ତେ କି କୁଲିଜଙ୍କ ଆଶଙ୍କାକୁ ସତ୍ୟରେ ପରିଣତ କରି ନ ଥାଆନ୍ତେ!

Advertisment

ଗଲା ବୁଧବାର ଦିନ ଜାତିସଂଘର ‘ଜେନେରାଲ ଆସେମ୍ଲି’ ବା ‘ସାଧାରଣ କକ୍ଷ’ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପଙ୍କ ଦ୍ବାରା ପ୍ରଦତ୍ତ ଉଦ୍‌ବୋଧନ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ କହିବା ବାହୁଲ୍ୟ ଯେ ଆଗାମୀ ବେଶ୍‌ କିଛି କାଳ ଧରି ଏହା ବୁଦ୍ଧିଜୀବୀମାନଙ୍କ ବିମର୍ଶରୁ ନେଇ ସାଧାରଣ ଗୁଲିଖଟି ପର୍ଯ୍ୟନ୍ତ କ୍ଷେତ୍ରରେ ଚର୍ଚ୍ଚା ଓ ଚଟୁଳ ହାସ୍ୟରସର ଉପଜୀବ୍ୟ ହୋଇ ରହିବ। ଗଲା ପ୍ରାୟ ନଅ ମାସ ଧରି ନୂଆ ନୂଆ ବାଗରେ ପୃଥିବୀକୁ ଅସ୍ଥିର, ତ୍ରସ୍ତ, ଉତ୍ତେଜିତ, ଉଦ୍‌ବିଗ୍ନ ଏବଂ ସର୍ବୋପରି ଆମେଦିତ କରି ରଖିଥିବା ଟ୍ରଂପଙ୍କ ଦ୍ବିତୀୟ ପାଳିର ରାଷ୍ଟ୍ରପତିତ୍ବରେ ଏହା ଥିଲା ଜାତିସଂଘରେ ତାଙ୍କ ପ୍ରଥମ ସଂବୋଧନ, ଯାହାକୁ ଶୁଣିବାକୁ ପୃଥିବୀର ସମସ୍ତ ରାଷ୍ଟ୍ରର ମୁଖ୍ୟ ବା ଶୀର୍ଷ ସ୍ତରୀୟ ନେତାଗଣ ଅପେକ୍ଷା କରିଥିଲେ। ଯୁଦ୍ଧ, ସଂତ୍ରାସ, ତୀବ୍ର ଦକ୍ଷିଣପନ୍ଥୀ ରାଜନୀତିର ଅଭ୍ୟୁଦୟ, ପ୍ରବାସୀଙ୍କ ପ୍ରତି ବୃଦ୍ଧି ପାଉଥିବା ଦେଶୀୟ ଅସହିଷ୍ଣୁତା, ଆମେରିକାର ଟାରିଫ ପ୍ରହାର ଇତ୍ୟାଦି ଭଳି ଘଟଣାର ଘନଘଟା ମଧ୍ୟରେ ପୃଥିବୀ ଶ୍ବାସରୁଦ୍ଧ ହେବାକୁ ବସିଥିବା ବେଳେ ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ଟ୍ରଂପଙ୍କ ମୁଖ ନିସୃତ ବାଣୀ କେଉଁଭଳି ଧାରଣା ଉଦ୍ରେକ କରିଛି, ତାହା ଏକ କ୍ଷୁଦ୍ର ଆଲୋଚନା ଲୋଡ଼ିଥାଏ। 
କହିବା ବାହୁଲ୍ୟ ଯେ ଟ୍ରଂପ ପ୍ରଦାନ କରିଥିବା ଦୀର୍ଘ ଏକ ଘଣ୍ଟାର ଭାଷଣରେ ଭରି ରହିଥିଲା ଅାଟୋପ, ଆକ୍ରମଣ, ଅଭିସଂପାତ, ଅସତ୍ୟ, ଭ୍ରାନ୍ତି ଓ ହୀନମନ୍ୟତା, ଯାହା ଅସଂଖ୍ୟ ଆମେରିକୀୟଙ୍କ ସକାଶେ ନିଶ୍ଚିତ ଭାବେ ଅସ୍ବସ୍ତିକର ହୋଇଥିବ। ତାଙ୍କ ଦାବି ଥିଲା ଯେ ତାଙ୍କ ହସ୍ତକ୍ଷେପ ଫଳରେ ଅନ୍ତହୀନ ହେବାକୁ ବସିଥିବା ଅନ୍ତତଃ ସାତଟି ଯୁଦ୍ଧର ଅବସାନ ଘଟିଛି, ଯହିଁରୁ କେତେକର ଉଦାହରଣ ମଧ୍ୟ ସେ ଦେଇଥିଲେ। କିନ୍ତୁ ବାସ୍ତବତା ହେଲା, ସେହି ଉଦାହରଣ ମଧ୍ୟରୁ କେତେକ ଆଦୌ ଯୁଦ୍ଧ ପର୍ଯ୍ୟାୟବାଚୀ ନୁହେଁ, ଯେମିତି ଇଜିପ୍‌ଟ-ଇଥିଓପିଆ, ଯେଉଁ ଦୁଇ ରାଷ୍ଟ୍ର ମଧ୍ୟରେ ତୀବ୍ର ଉତ୍ତେଜନା ସତ୍ତ୍ବେ ଯୁଦ୍ଧ ଆରମ୍ଭ ହୋଇନାହିଁ; ଭାରତ-ପାକିସ୍ତାନ ସଂଘର୍ଷରେ ଅନ୍ତ ଘଟାଇଛନ୍ତି ବୋଲି ଟ୍ରଂପଙ୍କ ଚିରନ୍ତନ ଦାବିକୁ ଭାରତ ପକ୍ଷରୁ ସର୍ବଦା ଅସ୍ବୀକାର କରାଯାଇଛି; ରୁଆଣ୍ଡା ଓ କଙ୍ଗୋ(ଡି.ଆର.ସି) ମଧ୍ୟରେ ଚାଲିଥିବା ଦୀର୍ଘକାଳୀନ ଯୁଦ୍ଧର ସମାପ୍ତି ଘଟିନାହିଁ ବୋଲି କଙ୍ଗୋର ରାଷ୍ଟ୍ରପତି ଫେଲିକ୍‌ସ ସିକେଡି ସେହି ଜେନେରାଲ ଆ‌େ‌ସମ୍ଲି କକ୍ଷରେ ଆପଣା ଭାଷଣରେ ପ୍ରକାଶ କରିଛନ୍ତି। ଟ୍ରଂପଙ୍କ ଦ୍ବିତୀୟ ଅଭିଯୋଗ ଥିଲା ରୁଷିଆରୁ ତୈଳ ଓ ପ୍ରାକୃତିକ ଗ୍ୟାସ କ୍ରୟକୁ କେନ୍ଦ୍ର କରି। ଏହା ସମସ୍ତଙ୍କୁ ଜଣା ଯେ ସେ ଉଭୟ ଚୀନ ଓ ଭାରତ, ଏବଂ ନିର୍ଦ୍ଦିଷ୍ଟ ଭାବେ ଭାରତକୁ ଦାୟୀ କରି ଅଭିଯୋଗ କରି ଆସୁଛନ୍ତି ଯେ ଭାରତ ପକ୍ଷରୁ ରୁଷିଆରୁ ଶସ୍ତାରେ ପ୍ରଚୁର ତୈଳ କ୍ରୟ କରାଯାଉଥିବା ହେତୁ ପ୍ରକାରାନ୍ତରେ ରୁଷିଆ ବଳୀୟାନ ହେଉଛି ଏବଂ ୟୁକ୍ରେନ ସହିତ ଯୁଦ୍ଧ ଓ ରକ୍ତପାତକୁ ଅବ୍ୟାହତ ରଖିଛି। ତେବେ, ଏହି ଉଦ୍‌ବୋଧନର ବିଶେଷତ୍ବ ହେଲା ଏଥର ଦୋଷୀ ତାଲିକାରେ ଭାରତ ଓ ଚୀନ ସହିତ ଅନ୍ତର୍ଭୁକ୍ତ ହୋଇଛି ୟୁରୋପୀୟ ସଂଘ, ଯାହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଗୋଟିଏ ପଟେ ରୁଷିଆ ଉପରେ ଆର୍ଥିକ ବାସନ୍ଦ ଜାରି କରିବାରେ ଆମେରିକାର ପକ୍ଷଭୁକ୍ତ ହୋଇଥିବା ବେଳେ ଅନ୍ୟ ପଟେ ଶସ୍ତା ରୁଷୀୟ ତୈଳ ଓ ପ୍ରାକୃତିକ ଗ୍ୟାସର ହିତାଧିକାରୀ ମଧ୍ୟ ହୋଇଛନ୍ତି। ତେବେ, ଅସଂଗତିଟି ହେଲା, ଏ ବିଷୟରେ ଭାରତ ନିଜ ପକ୍ଷ ପ୍ରାଂଜଳ କଲା ବେଳେ ୟୁରୋପୀୟ ରାଷ୍ଟ୍ରଙ୍କ କପଟାଚରଣ ସର୍ବଜନବିଦିତ ହୋଇଯାଇଥିଲେ ହେଁ ଟ୍ରଂପ ମହାଶୟ କହିଛନ୍ତି ଯେ ମାତ୍ର କିଛି ଦିନ ତଳେ ସେ ଏହି ଗୂଢ଼ ବାସ୍ତବତା ନେଇ ଅବଗତ ହୋଇଛନ୍ତି। କିନ୍ତୁ ତା’ ଠାରୁ ଅଧିକ ବିଡ଼ମ୍ବନାର ବିଷୟ ହେଲା, ଶସ୍ତା ରୁଷୀୟ ତୈଳକୁ ଟ୍ରଂପଙ୍କ ଶାସନାଧୀନ ଆମେରିକା ମଧ୍ୟ କ୍ରୟ କରୁଛି। ଟ୍ରଂପଙ୍କ ତୃତୀୟ ବିବାଦୀୟ ବକ୍ତବ୍ୟ ଜଳବାୟୁ ପରିବର୍ତ୍ତନ ଭଳି ଭୟାବହ ବାସ୍ତବତାକୁ ‘ବୃହତ୍ତମ ଜାଲସାଜି’ ଓ ଚକ୍ରାନ୍ତ ରୂପେ ଅଭିହିତ କରିଥିଲା। ଏହି ସମସ୍ୟାର ବିମୋଚନ ଓ ଏ ନେଇ ସଚେତନତା ସୃଷ୍ଟିରେ ବ୍ୟାପୃତ ଜାତିସଂଘ ତାଙ୍କ ତୀବ୍ର କଟାକ୍ଷର ଶିକାର ହୋଇଥିଲା। କହିବା ଅନାବଶ୍ୟକ ଯେ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ଦୁଷ୍ପ୍ରଭାବକୁ ସାଧାରଣ ବୁଦ୍ଧିରେ ମଧ୍ୟ ବୁଝି ହୋଇଥାଏ ଏବଂ ପୃଥିବୀର ବୈଜ୍ଞା‌ନିକ ଗୋଷ୍ଠୀରୁ ୯୭% ସେମାନଙ୍କ ପରୀକ୍ଷାନିରୀକ୍ଷା ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ବିଶ୍ବ ଉତ୍ତପ୍ତୀକରଣ, ବାୟୁମଣ୍ଡଳରେ ମାତ୍ରାତିରିକ୍ତ କାର୍ବନର ଉପସ୍ଥିତି ଓ ଓଜୋନ ସ୍ତରରେ ସଂକୋଚନକୁ ନେଇ ଦ୍ବିଧାହୀନ। ଏତିକି ବେଳେ ଅଳ୍ପ ବିଦ୍ୟା ଭୟଙ୍କରୀର ମୂର୍ତ୍ତିମନ୍ତ ଅବତାର ରୂପେ ଟ୍ରଂପଙ୍କ ଆବିର୍ଭାବ ପୃଥିବୀକୁ ବାକ୍‌ହତ କରି ପକାଇଛି। 
ଜାତିସଂଘର ସା‌ଧାରଣ କକ୍ଷରେ ଟ୍ରଂପଙ୍କ ଭାଷଣରେ ଶୁଣିବାକୁ ମିଳିଥିଲା ଜଣେ ପୀଡ଼ିତ ଆତ୍ମାର ଦୟନୀୟ ସ୍ବର; ସେ କହିଥିଲେ କିଭଳି ପୃଥିବୀର ସର୍ବାଧିକ ଶକ୍ତିଶାଳୀ, ବିତ୍ତଶାଳୀ ଓ ପ୍ରତିଭାଶାଳୀ ରାଷ୍ଟ୍ର ହେଇଥିଲେ ହେଁ ଆମେରିକାର ବଦାନ୍ୟତା ଓ ଔଦାର୍ଯ୍ୟର ସୁଯୋଗ ନେଇ ଜା‌ତିିସଂଘ ଭଳି ଅନୁଷ୍ଠାନରୁ ଆରମ୍ଭ କରି ପୃଥିବୀର ବିଭିନ୍ନ ରାଷ୍ଟ୍ର ପର୍ଯ୍ୟନ୍ତ ସମସ୍ତେ କିଭଳି ଆମେରିକାକୁ ଶୋଷଣ କରିବାରେ ବ୍ୟସ୍ତ। ଜାତିସଂଘ ଭଳି ଏକ ବୈଶ୍ବିକ ଅନୁଷ୍ଠାନ ଠାରେ ଅନେକ ସାମର୍ଥ୍ୟ ଓ ସମ୍ଭାବନା ଥିବା ସତ୍ତ୍ବେ ତାହା କିଭଳି ବସ୍ତୁତଃ ମୁମୂର୍ଷୁ ହୋଇ ଯାଇଛି ଏବଂ ଦେଶ-ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାରେ କୌଣସି ଭୂମିକା ନିର୍ବାହ କରୁ ନାହିଁ; ଏବଂ ଟ୍ରଂପ ସ୍ବୟଂ ସେହି ଦାୟିତ୍ବଟି ସ୍ବେଚ୍ଛାକୃତ ଭାବେ ନେଇ ସାତଟି ଯୁଦ୍ଧର ଅବସାନ ଘଟାଇଥିଲେ ହେଁ ଜାତିସଂଘ ପକ୍ଷରୁ ତାଙ୍କୁ ‘ଧନ୍ୟବାଦ’ଟିଏ ଜଣାଇବାର ସାମାନ୍ୟ ସୌଜନ୍ୟ ମଧ୍ୟ ପ୍ରଦର୍ଶନ କରାଯାଇନାହିଁ। କାରଣ ଥାଉ ବା ନ ଥାଉ ଧନ୍ୟବାଦ ପ୍ରଦାନ କରି ତାଙ୍କ ଅହମିକାକୁ କିଭଳି ପରିତୃପ୍ତ କରାଯାଇପାରେ, ତା’ର ପ୍ରମାଣ ମିଳିଛି ପାକିସ୍ତାନ ଲାଗି ତାଙ୍କ ନୂତନ ମୈତ୍ରୀ ଭାବର ଉଦୟରୁ। ଏହା ସୁବିଦିତ ଯେ ‘ଅପରେସନ ସିନ୍ଦୂର’ ସ୍ଥଗିତ ରହିବା ପରେ ଏହି ସଂଘର୍ଷକୁ ଟ୍ରଂପ ବନ୍ଦ କରାଇ ଦେଇଛନ୍ତି ବୋଲି ତାଙ୍କ ‘ଘୋଷା’କୁ ସମର୍ଥନ ଜଣାଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଛୁଟିଥିବା ଧନ୍ୟବାଦର ବନ୍ୟା ଟ୍ରଂପଙ୍କ ଅହମିକାକୁ ସ୍ଫୀତ କରି ଯଥେଷ୍ଟ ସନ୍ତୋଷ ପ୍ରଦାନ କରିଥିଲା, ଅପର ପକ୍ଷେ ସେହି ଦାବିକୁ ଭାରତର ଅସ୍ବୀକାର ଏବଂ ଧନ୍ୟବାଦ ପ୍ରଦାନରେ କୁଣ୍ଠା ଟ୍ରଂପଙ୍କୁ ଭାରତ ବିମୁଖ କଲା। ଏହି ପରିପ୍ରେକ୍ଷୀରେ ଅପ୍ରୀତିକର ସତ୍ୟଟି ହେଲା ସର୍ବାଧିକ ପ୍ରଭାବଶାଳୀ ରାଷ୍ଟ୍ରର ସ୍ପର୍ଦ୍ଧାବାନ ମୁଖ୍ୟ ବାରମ୍ବାର ନିଜ ଦେଶକୁ ଓ ଆପଣାକୁ ପୀଡ଼ିତ ରୂପେ ଦର୍ଶାଇବା ହେଉଛି ନିରୋଳା ହୀନମନ୍ୟତା। ତେବେ ଜାତିସଂଘର ସାଧାରଣ କକ୍ଷରେ ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିରେ ଏହି ହୀନମନ୍ୟତାର ଉଲଙ୍ଗ ରୂପ ସେତେବେଳେ ପ୍ରକାଶିତ ହେଲା ଯେତେବେଳେ ଟ୍ରଂପ ମହୋଦୟ ଜାତିସଂଘ ସଦନରେ ପ୍ରବେଶ କଲା ବେଳେ ‘ଏସକେଲଟର’ଟି ଅଗତ୍ୟା ଅଚଳ ହୋଇଯିବା ବା ତାଙ୍କ ଭାଷଣ କାଳରେ ‘ଟେଳିପ୍ରଂପଟର’ କାମ ନ କରିବା ଭଳି ସାମାନ୍ୟ ଘଟଣାକୁ ସେ ଗୁରୁତର ପ୍ରସଙ୍ଗ ଭଳି ତୋଳି ଧରି ତାଙ୍କ ବକ୍ତବ୍ୟର ଉପସଂହାରରେ କହିଥିଲେ ଯେ ଜାତିସଂଘ ତାଙ୍କୁ ଏକ ଅଚଳ ‘ଏସକେଲେଟର’ ବା ଅକାମି ‘ଟେଲିପ୍ରଂପଟର’ ଛଡ଼ା ଆଉ କିଛି ଦେଇନାହିଁ! ଟ୍ରଂପଙ୍କ ଭଳି ଜଣେ ଅମୋକ୍ଷ ପୀଡ଼ିତ ଆତ୍ମା ସମ୍ଭବତଃ ପାସୋରି ଯାଇଛି ଯେ ଜାତିସଂଘ ସର୍ବଦା ଆମେରିକାର ବଚସ୍କର ହୋଇ ରହି ଆସିଛି ଏବଂ ଏହା ମାଧ୍ୟମରେ ଆମେରିକା ତା’ର ଅସଂଖ୍ୟ ଅଯଥାର୍ଥ ଯୁଦ୍ଧ, ଅତିକ୍ରମଣ ଓ ଆର୍ଥିକ ବାସନ୍ଦକୁ ନ୍ୟାୟୋଚିତ ବୋଲି ଦର୍ଶାଇଛି। 
ପ୍ରକାଶ ଥାଉ କି ଟ୍ରଂପଙ୍କ ଭାଷଣ ସକାଶେ ଧାର୍ଯ୍ୟ କରାଯାଇଥିବା ସମୟ ଥିଲା ପନ୍ଦର ମିନିଟ। ତା’ ସତ୍ତ୍ବେ ସେ ଘଣ୍ଟାଏ କାଳ ମୁଖର ହୋଇ ଉଠିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ସବୁଠାରୁ କମ୍‌ କଥାବାର୍ତ୍ତା କରୁଥିବା ରାଷ୍ଟ୍ରପତି କାଲଭିନ କୁଲିଜଙ୍କୁ ସେ ଅଳ୍ପ-ଭାଷୀ ହେବା ପଛର କାରଣ ସମ୍ବନ୍ଧରେ ଥରେ ପଚରାଯାଆନ୍ତେ ତାଙ୍କ ସ୍ବଭାବସୁଲଭ ସଂକ୍ଷିପ୍ତ ଉତ୍ତର ଥିଲା: ‘ଗୁଡ଼ାଏ ଗପିଲେ ଝାମେଲା ବଢ଼େ ଓ ମୂର୍ଖତା ପଦାରେ ପଡ଼େ’। ଏହି ହି‌େତାପଦେଶକୁ ଶୁଣିଥିଲେ ହୁଏତ ଡୋନାଲ୍‌ଡ ଟ୍ରଂପ ତାଙ୍କ ଲାଗି ଧାର୍ଯ୍ୟ କରାଯାଇଥିବା ସମୟର ଚାରି ଗୁଣ ନିଜ ଭାଷଣରେ ବ୍ୟୟ କରି ନ ଥାଆନ୍ତେ କି କୁଲିଜଙ୍କ ଆଶଙ୍କାକୁ ସତ୍ୟରେ ପରିଣତ କରି ନ ଥାଆନ୍ତେ!