ଯୁଦ୍ଧ ସହିତ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ରହି ୟୁରୋପ ୧୯୪୫ ମସିହାରେ ଏକ ଧ୍ବଂସସ୍ତୂପରେ ପରିଣତ ହୋଇଥିବା ବେଳକୁ ଆମେରିକା ପ୍ରଭୂତ ଭାବେ ବିତ୍ତଶାଳୀ ହୋଇ ଉଠିଥିଲା, କେବଳ ଯାହା କିଛି ଆମେରିକୀୟ ସୈନିକ ଓ ଯୁଦ୍ଧ ସରଂଜାମ ତହିଁରେ ବଳି ପଡ଼ିଥିଲେ। ଏହି କାରଣରୁ ଅନେକ ସମୟରେ ଯୁଦ୍ଧ ଲାଗି ପ୍ରଦର୍ଶିତ କାରଣ ଏବଂ ନିହିତ ପ୍ରକୃତ ଉଦ୍ଦେଶ୍ୟ ନେଇ ସଂଶୟ ଜାତ ହୋଇଥାଏ।

Advertisment

ଗଲା ୭ ତାରିଖରେ ଗାଜା ପଟି ଉପ‌େର ଇସ୍ରାଏଲୀ ଆକ୍ରମଣକୁ ଦୁଇ ବର୍ଷ ପୂରିଛି ଏବଂ ଏକାଧିକ ଯୁଦ୍ଧ ବିରତି ଘୋଷଣାର ଛଳନା, ଭଙ୍ଗୁରତା ଓ ଅସାରତା ମଧ୍ୟ ଦେଇ କ୍ଳାନ୍ତିହୀନ ଇସ୍ରାଏଲୀ ବୋମା ମାଡ଼ରେ ଗାଜା ଚୂର୍ଣ୍ଣୀଭୂତ ହୋଇ ଚାଲିଛି। ‘ନେଚର’ ପତ୍ରିକାର ନିକଟରେ ପ୍ରକାଶିତ ଏକ ସଂସ୍କରଣ ଅନୁସାରେ ଗାଜାରେ ମୃତକଙ୍କ ସଂଖ୍ୟା ୮୪ ହଜାରରେ ପହଞ୍ଚିଲାଣି, ଯହିଁରେ କେବଳ ମହିଳା ଓ ଶିଶୁଙ୍କ ସଂଖ୍ୟା ହେଉଛି ୬୦ ପ୍ରତିଶତ। ଇତିମଧ୍ୟରେ ପୃଥିବୀର ବିଭିନ୍ନ ସ୍ଥାନରେ ଗାଜା ଆକ୍ରମଣକୁ ଏକ ଗଣହତ୍ୟା ବୋଲି ଅଭିହିତ କରି ବିପୁଳ ପ୍ରତିବାଦ ପ୍ରଦର୍ଶନ କରାଯାଉଥିବା ବେଳେ ଏବଂ ମୁଷ୍ଟିମେୟ ୟୁରୋପୀୟ ରାଷ୍ଟ୍ରଙ୍କ ସମେତ କେତେକ ରାଷ୍ଟ୍ର ପାଲେଷ୍ଟାଇନ ରାଷ୍ଟ୍ର ସତ୍ତାକୁ ସ୍ବୀକୃତି ପ୍ରଦାନ କରିଥିବା ସତ୍ତ୍ବେ ଆକ୍ରମଣରେ ବିରାମ ନ ଲାଗିବା ଅନେକଙ୍କ ସକାଶେ ବିସ୍ମୟକର ହୋଇଛି। କିନ୍ତୁ, ଯେଉଁମାନେ ରକ୍ତର ଫସଲ ଅମଳ କରିବାର ପ୍ରକରଣ ବାବଦରେ ସାମାନ୍ୟ ଧାରଣା ରଖନ୍ତି, ସେମାନେ ଜାଣନ୍ତି ଯେ ଯୁଦ୍ଧ ଅସରନ୍ତି ହେବାରେ ପୃଥିବୀର ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକର ରାଜକୋଷ ପୂର୍ଣ୍ଣ ହୋଇ ଚାଲିଥାଏ, ଯେଉଁ ସ୍ଥିତିରେ ଗାଜା ଭଳି ଏକ ସୀମାନ୍ତରିତ ଭୂଖଣ୍ଡର ଈଶ୍ବର ପରିତ୍ୟକ୍ତ ଜନସମୂହର ଆର୍ତ୍ତ ଚିତ୍କାର ଗୁରୁତ୍ବ ପାଇ ନ ଥାଏ। ତେବେ, ଏଭଳି ସମୟରେ ଜାତିସଂଘ ପକ୍ଷରୁ ଫ୍ରାନଚେସ୍କା ଆଲବେନିଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ଏକ ସୁବିସ୍ତୃତ ରିପୋର୍ଟ ଉପର ବର୍ଣ୍ଣିତ ରକ୍ତର ଫସଲରେ ଥିବା ଅମାପ ଲାଭକୁ ମାପିବାର ଉଦ୍ୟମ ଆଖି ଖୋଲି ଦେଲା ଭଳି ହୋଇଛି, ଯାହା ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ହୋଇଥାଏ।
ଇଟାଲୀୟ ଓକିଲ ଓ ମାନବିକ ଅଧିକାର କର୍ମୀ ଆଲବେନିଙ୍କ ରିପୋର୍ଟର ଶୀର୍ଷକ ହେଲା ‘ଫ୍ରମ ଦ ଇକୋନୋମି ଅଫ ଅକୁପେସନ ଟୁ ଦ ଇକୋନୋମି ଅଫ ଜେନୋସାଇଡ୍‌’(ଦଖଲର ଅର୍ଥନୀତିରୁ ଗଣହତ୍ୟାର ଅର୍ଥନୀତି ଯାଏ), ଯହିଁରେ ସେ ଏଭଳି ୪୮ଟି ଦେଶର ସରକାରୀ ଓ ଘରୋଇ କଂପାନିଙ୍କୁ ଠାବ କରିଛନ୍ତି, ଯେଉଁମାନେ ଏହି ଯୁଦ୍ଧରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭ ଉଠାଇ ଚାଲିଛନ୍ତି। ଏହି କଂପାନିଗୁଡ଼ିକ ମଧ୍ୟରେ ଲକିଡ୍‌ ମାର୍ଟନ ବା ଜେନେରାଲ ଡାଇନାମିକ୍‌ସ ଭଳି ଯୁଦ୍ଧାସ୍ତ୍ର ଓ ସାମରିକ ସରଂଜାମ ନିର୍ମାଣକାରୀ କଂପାନିଗୁଡ଼ିକ ଠାରୁ ଆରମ୍ଭ କରି ମାଇକ୍ରୋସଫ୍‌ଟ ବା ଆଇବିଏମ ବା ଗୁଗଲ ଭଳି ବିଶେଷ ପ୍ରଯୁକ୍ତି ଜ୍ଞାନର ଅଧିକାରୀ କଂପାନିଗୁଡ଼ିକ ଅନ୍ତର୍ଭୁକ୍ତ। ପ୍ରକାଶ ଥାଉ କି ୨୦୨୩ ମସିହା ଅକ୍‌ଟୋବର ୭ ତାରିଖର ଦୁଇ ମାସ ଭିତରେ ଅର୍ଥାତ୍‌ ଡିସେମ୍ବର ମାସ ସୁଦ୍ଧା ଆମେରିକା ଦ୍ବାରା ପ୍ରେରିତ ୧୦ ହଜାର ଟନ୍ ଓଜନ ବିଶିଷ୍ଟ ସାମରିକ ସରଂଜାମ ୨୪୪ଟି ପଣ୍ୟବାହୀ ବିମାନ ଏବଂ ୨୦ଟି ଜାହାଜ ଦେଇ ଇସ୍ରାଏଲ ବନ୍ଦର ପହଞ୍ଚି ସାରିଥିଲା। ସେହି ରିପୋର୍ଟ କହିଛି କିଭଳି ଜୋ ବାଇଡେନ ସରକାରଙ୍କ ପକ୍ଷରୁ ଇସ୍ରାଏଲକୁ ମିଳିଥିବା ୧୪ ବିଲିଅନ ଡଲାରର ଆର୍ଥିକ ସହାୟତା ପଛରେ ଗୁନ୍ଥା ହୋଇଥିବା ‘ଟ୍ୟାଗ’ରେ ସର୍ତ୍ତ ରହିଥିଲା ଯେ ସେହି ଅର୍ଥ ଯେମିତି ଆମେରିକାରୁ ଯୁଦ୍ଧାସ୍ତ୍ର ଖର୍ଦ୍ଦିରେ ଖର୍ଚ୍ଚ ହୁଏ। ପ୍ରକାଶ ଥାଉ କି ଏହି ଅର୍ଥର ଏକ ବଡ଼ ଅଂଶ ଇସ୍ରାଏଲ ପକ୍ଷରୁ ଏଫ-୩୫ ବିମାନ କ୍ରୟରେ ଲାଗିଥିଲା। ସେହିଭଳି ମାଇକ୍ରୋସଫ୍‌ଟ ବା ଗୁଗଲ ଭଳି କଂପାନି ଦ୍ବାରା ସ୍ବତନ୍ତ୍ର ଭାବେ ବିକଶିତ ‘କୃତ୍ରିମ ବୁଦ୍ଧିମତ୍ତା’ ଓ ଅନ୍ୟାନ୍ୟ ବିଶେଷ ପ୍ରଯୁକ୍ତି ଦ୍ବାରା ଇସ୍ରାଏଲୀ ଯୁଦ୍ଧାସ୍ତ୍ର ନିର୍ମାଣକାରୀ କଂପାନି ‘ଆଲବର୍ଟ ସିଷ୍ଟମସ’ ଏବଂ ‘ଇସ୍ରାଏଲ ଏରୋସ୍ପେସ କଂପାନି’(ପୃଥିବୀର ବୃହତ୍ତମ ଦଶଟି ଯୁଦ୍ଧାସ୍ତ୍ର ନିର୍ମାଣକାରୀ କଂପାନି ଭିତରେ ଗଣା) ଅତ୍ୟନ୍ତ ଫଳପ୍ରଦ ଓ ଅଧିକ ମାରକ କ୍ଷମତା ସଂପନ୍ନ ଡ୍ରୋନ ଏବଂ ହେକ୍‌ସାକପ୍‌ଟର ନିର୍ମାଣ କରିବାରେ ସମର୍ଥ କରିଛନ୍ତି, ଯେଉଁମାନଙ୍କ ଚମତ୍କାର ପ୍ରଦର୍ଶନ ଗାଜାର ପରୀକ୍ଷାଗାରରେ ସାବ୍ୟସ୍ତ ହେଉଛି। ରିପୋର୍ଟଟି କହିଛି ପୁଂଜି ନିବେଶ ହେଉ ବା ଡେଟା ଯୋଗାଣ ହେଉ ବା ମାନବ ସମ୍ବଳ ପ୍ରଦାନ ହେଉ; ଭିନ୍ନ ଭିନ୍ନ ବାଟରେ ଭାରତ, ଜାପାନ, ମାଲେସିଆ ଭଳି ଅନେକ ଦେଶର କଂପାନିମାନ କିଭଳି ଅତି ସୂକ୍ଷ୍ମ ଭାବରେ ହେଲେ ମଧ୍ୟ ଯୁଦ୍ଧ ସହିତ ସଂପୃକ୍ତ ଓ ତାହାର ଲାଭାର୍ଥୀ; ଅର୍ଥାତ୍‌ ମୁଖ୍ୟତଃ ନିରୀହଙ୍କ ରକ୍ତ କ୍ଷରଣକାରୀ ଏହି ନିଦାରୁଣ ଯୁଦ୍ଧ ତା’ର ବିଶାଳ ଆୟୋଜନରେ ଅନେକ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ଲାଗିଛି।
ଇତିହାସ ସାକ୍ଷ୍ୟ ଦିଏ କିଭଳି ଦ୍ବିତୀୟ ମହାଯୁଦ୍ଧ ହେତୁ ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀର ସର୍ବାଧିକ ଶକ୍ତିଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ରରେ ପରିଣତ ହୋଇଛି। ସେହି ଯୁଦ୍ଧରେ ଫାସିଷ୍ଟ ଜର୍ମାନି ଓ ତା’ର ପକ୍ଷଭୁକ୍ତ ରାଷ୍ଟ୍ରଙ୍କ ବିରୋଧରେ ଏକତ୍ର ହୋଇଥିବା ଗଣତନ୍ତ୍ରକାମୀ ୟୁରୋପୀୟ ରାଷ୍ଟ୍ର ଗୋଷ୍ଠୀକୁ ଯୁକ୍ତରାଷ୍ଟ୍ର ଅାମେରିକାରୁ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସରଂଜାମ ବିକ୍ରୟ ସୂତ୍ରରେ ଯୋଗାଇ ଦିଆଯାଇଥିଲା। ଏହି କାରଣରୁ ‘ଆର୍ସେନାଲ ଫର ଡେମୋକ୍ରାସି’ ବା ‘ଗଣତନ୍ତ୍ର ଲାଗି ଅସ୍ତ୍ରାଗାର’ ଭାବେ ପରିଚିତ ହୋଇଥିବା ଅାମେରିକା ୧୯୪୧ ମସିହାରୁ ୧୯୪୪ ମସିହା ମଧ୍ୟରେ ଯୁଦ୍ଧାସ୍ତ୍ର ଉଦ୍ୟୋଗରେ ଅକଳ୍ପନୀୟ ବିକାଶ ଦେଖିଥିଲା। ଯୁଦ୍ଧକାଳୀନ ଚାହିଦା ପୂରଣ ସକାଶେ ଏହି କାଳଖଣ୍ଡରେ ଆମେରିକାରେ ମୋଟର ଗାଡ଼ି କଂପାନିରୁ ଆରମ୍ଭ କରି ଦୈନନ୍ଦିନ ବ୍ୟବହାର୍ଯ୍ୟ ଦ୍ରବ୍ୟ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକ ପର୍ଯ୍ୟନ୍ତ ସଭିଏଁ ଗୁଳିଗୋଳା, ଲଢୁଆ ବିମାନ ଓ ଟ୍ୟାଙ୍କ ଆଦିର ଅବୟବ ଓ ଯନ୍ତ୍ରାଂଶ ନିର୍ମାଣ କରିବାରେ ବ୍ୟାପୃତ ରହିଥିଲେ। ଏହାର ଆକାର କିଭଳି ବିଶାଳ ଥିଲା ତାହା କେବଳ ଏତିକିରୁ ସ୍ପଷ୍ଟ ହେବ ଯେ ଦ୍ବିତୀୟ ମହାଯୁଦ୍ଧ ଲାଗି ଆମେରିକା ବିକ୍ରି କରିଥିଲା ୩ ଲକ୍ଷ ଯୁଦ୍ଧ ବିମାନ, ୯୦ ହଜାର ଟ୍ୟାଙ୍କ ଏବଂ ୪୦ ବିଲିଅନ ବୁଲେଟ୍‌। ପ୍ରକାଶ ଥାଉ କି ଯୁଦ୍ଧ ଆରମ୍ଭ ହେବାର ମାତ୍ର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୩୯ ମସିହାରେ ଆମେରିକୀ ଯୁଦ୍ଧାସ୍ତ୍ର ଉଦ୍ୟୋଗର ବାର୍ଷିକ କ୍ଷମତା ୩୦୦୦ ଯୁଦ୍ଧ ବିମାନ ମାତ୍ର ଉତ୍ପାଦନରେ ସୀମିତ ଥିଲା। ଯୁଦ୍ଧ ସହିତ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ରହି ୟୁରୋପ ୧୯୪୫ ମସିହାରେ ଏକ ଧ୍ବଂସସ୍ତୂପରେ ପରିଣତ ହୋଇଥିବା ବେଳକୁ ଆମେରିକା ପ୍ରଭୂତ ଭାବେ ବିତ୍ତଶାଳୀ ହୋଇ ଉଠିଥିଲା, କେବଳ ଯାହା କିଛି ଆମେରିକୀୟ ସୈନିକ ଓ ଯୁଦ୍ଧ ସରଂଜାମ ତହିଁରେ ବଳି ପଡ଼ିଥିଲେ। ଏହି କାରଣରୁ ଅନେକ ସମୟରେ ଯୁଦ୍ଧ ଲାଗି ପ୍ରଦର୍ଶିତ କାରଣ ଏବଂ ନିହିତ ପ୍ରକୃତ ଉଦ୍ଦେଶ୍ୟ ନେଇ ସଂଶୟ ଜାତ ହୋଇଥାଏ। ୧୯୯୧ ମସିହାରେ କୁଏତ ଉପରେ ଇରାକର ଆକ୍ରମଣ ପରେ ପ୍ରତିକ୍ରିୟ ସ୍ବରୂପ ଆମେରିକାର ଆକ୍ରମଣରେ ଇରାକ ଏକ ପ୍ରକାର ବିଧ୍ବସ୍ତ ହୋଇଯାଇଥିଲା। ତେବେ, ଏହି ସଂଦର୍ଭରେ କେତେକ ପର୍ଯ୍ୟବେକ୍ଷକ ଇଙ୍ଗିତ କରିଛନ୍ତି ଯେ ସେହି ସମୟରେ ଇସ୍ପାତର ଚାହିଦା ହ୍ରାସ ଓ ମୂଲ୍ୟରେ ତୀବ୍ର ସଂକୋଚନ ହେତୁ ୟୁରୋପୀୟ ‘ଲବିଷ୍ଟ’ମାନଙ୍କ ଦ୍ବାରା ଏହି ଆକ୍ରମଣର ପରିକଳ୍ପନା କରାଯାଇଥିଲା। କାରଣ ଇରାକର ପୁନଃ ନିର୍ମାଣ ଲାଗି ଇସ୍ପାତର ଚାହିଦାରେ ବୃଦ୍ଧି ଘଟି ତାହାର ମୂଲ୍ୟ ଉଚ୍ଚା ହୋଇଥିଲା। ରକ୍ତର ଫସଲରେ ସଫଳତା ପାଇଥିବା ପୋଖତ ଚାଷୀମାନେ ଏହି ଗୂଢ଼ କଥାଟି ବୁଝନ୍ତି। 
ରକ୍ତର ଫସଲରେ ମଧ୍ୟ କୀଟ ଲାଗନ୍ତି, ଯେମିତି ଏବେ ଏକ ପଙ୍ଗପାଳ ଦଳ ଭଳି ଗାଜା ତଟ ଦେଶରେ ଆବିର୍ଭୂତ ହେବାରେ ଲାଗିଛି ‘ଫ୍ରିଡମ ଫ୍ଲୋଟିଲା’ ବା ‘ମୁକ୍ତି ନୌଭେଳା’ ନାମ ବହନକାରୀ ନୌକା ଯୂଥ। ଗଲା ଜୁଲାଇ ମାସରୁ ଏହି ନୌକା ଦଳ ଇଟାଲୀରୁ ବାହାରି ଲୋହିତ ସାଗର ଦେଇ ଗାଜାରେ ପହଞ୍ଚିବା‌କୁ ଚେଷ୍ଟିତ, ଯହିଁରେ ଅଛନ୍ତି ୨୫ଟି ଦେଶର ୧୪୫ ସରିକି ଡାକ୍ତର, ନର୍ସ, ସାମ୍ବାଦିକ, ସ୍ବେଚ୍ଛାସେବୀ ଏବଂ ବୋଝେଇ ହୋଇଛି ଗାଜା ଦୁର୍ଗତଙ୍କ ଲାଗି ଖାଦ୍ୟ ଓ ଔଷଧ। ଏହା ପୂର୍ବରୁ ‘ଗ୍ଲୋବାଲ ସୁମଦ ଫ୍ଲୋଟିଲା’ ନାମକ ଆଉ ଏକ ସହାୟତା ପ୍ରଦାନକାରୀ ନୌକା ଦଳକୁ ଅଟକାଇ ତା’ର ୫୦୦ ସରିକି ଆରୋହୀଙ୍କୁ ଗିରଫ କରି ଜେଲରେ ପୂରାଇ ଦିଆଯାଇଛି ଏବଂ ସେମାନଙ୍କ ନିଜ ନିଜ ଦେଶକୁ ତଡ଼ି ଦିଆଯାଉଛି। ଏଭଳି ସତର୍କତା କାରଣରୁ ରକ୍ତର ଫସଲ କୀଟଦ୍ରଂଷ୍ଟ ହେବାର ଆଶଙ୍କା ନାହିଁ। ସେବା, ଖାଦ୍ୟ ଓ ଔଷଧ ପହଞ୍ଚି ପାରୁନାହିଁ, କିନ୍ତୁ ଜାହାଜ ବୋଝେଇ ଯୁଦ୍ଧାସ୍ତ୍ର ଅନାୟାସରେ କୂଳରେ ପହଞ୍ଚି ପାରୁଛି; ଅର୍ଥାତ୍‌ ଛନଛନିଆ ରକ୍ତର ଫସଲ ଲାଗି ସାରର ମଧ୍ୟ ଅଭାବ ନାହିଁ।