ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ସୂକ୍ଷ୍ମ ପ୍ରୟୋଗ ଲାଗି ଉପଯୁକ୍ତ କ୍ଷୁଦ୍ର ଡ୍ରୋନ ବିକଶିତ କରିବା ଭାରତର ଧ୍ୟେୟ ହେବା ଉଚିତ, ଯହିଁରେ ଚୀନ ସଂପ୍ରତି ସର୍ବାଧିକ ଉନ୍ନତ ରାଷ୍ଟ୍ର ଭାବେ ବିବେଚିତ ଓ ଭାରତ ଠାରୁ ତାହା କେଇ ପିଢ଼ି ଆଗରେ। ଚୀନ ସହିତ ଭାରତର ତିକ୍ତ ସଂପର୍କ ପରିପ୍ରେକ୍ଷୀରେ ଏ କ୍ଷେତ୍ରରେ ଅଗ୍ରଗତି ଅଗ୍ରାଧିକାର ପାଇବା ଜରୁରି।
ଗଲା ରବିବାର ଦିନ ୟୁକ୍ରେନ ଦ୍ବାରା ରଚନା କରାଯାଇଥିବା ଏକ ସୂକ୍ଷ୍ମ-ସଂଯୋଜିତ ଆକ୍ରମଣରେ ରୁଷିଆ ସହିଥିବା ଅପ୍ରତ୍ୟାଶିତ ଓ ଅକଳ୍ପନୀୟ କ୍ଷତି କେବଳ ସମଗ୍ର ପୃଥିବୀକୁ ତଟସ୍ଥ କରି ଦେଇନାହିଁ, ଏଥିରୁ ନିସୃତ ସନ୍ଦେଶ ଏବଂ ଶିକ୍ଷା ସମସ୍ତ ରାଷ୍ଟ୍ର ସକାଶେ ପ୍ରଣିଧାନଯୋଗ୍ୟ ମଧ୍ୟ ହୋଇଛି। ଏହି ଅଭିନବ ଆକ୍ରମଣ ଫଳରେ ନରୱେ ସଂଲଗ୍ନ ରୁଷିଆର ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ନେଇ ପ୍ରାୟ ୪୦୦୦ କିଲୋମିଟର ଅଭ୍ୟନ୍ତର ପର୍ଯ୍ୟନ୍ତ ଏକ ବିସ୍ତୃତ ବଳୟ ଅନ୍ତର୍ଗତ ଅନେକ ସ୍ଥାନରେ କ୍ରୁଜ୍ କ୍ଷେପଣାସ୍ତ୍ର ଘାଟୀଗୁଡ଼ିକ ସହିତ ଉଚ୍ଚ କ୍ଷମତାସଂପନ୍ନ ଅତିକାୟ ବୋମା ବର୍ଷଣକାରୀ ବିମାନଗୁଡ଼ିକ ବିଧ୍ବସ୍ତ େହାଇ ଯାଇଛନ୍ତି, ଯାହା ମଧ୍ୟରେ ଦୁର୍ଗମ ସାଇବେରୀୟ ଅଞ୍ଚଳରେ ପ୍ରଶ୍ନାତୀତ ନିରାପତ୍ତା ମଧ୍ୟରେ ଆଶ୍ରୟ ନେଇଥିବା ‘ଏ ୫୦’ ଓ ‘ଟିୟୁ ୯୫’ ଭଳି ଯୁଦ୍ଧ ବିମାନ ମଧ୍ୟ ଅନ୍ତର୍ଭୁକ୍ତ। ୟୁକ୍ରେନର ଦାବି ଅନୁସାରେ ଏହି ଆକ୍ରମଣ ଫଳରେ ରୁଷିଆର ମିସାଇଲ କ୍ଷେପଣ ସାମର୍ଥ୍ୟର ପ୍ରାୟ ୩୪% ବା ଏକ-ତୃତୀୟାଂଶ ନଷ୍ଟ ହୋଇଯାଇଛି, ଅନେକ ବିଶେଷଜ୍ଞଙ୍କ ମତରେ ଏହା ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ରୁଷିଆ ଭୋଗିଥିବା ବୃହତ୍ତମ ସାମରିକ କ୍ଷତି। ପ୍ରକାଶ ଥାଉ କି ଏହି ଆକ୍ରମଣ ଲାଗି ୟୁକ୍ରେନ ବ୍ୟବହାର କରିଛି କିଛି ଶସ୍ତା ଡ୍ରୋନ, ଦେଢ଼ ବର୍ଷର ଧୈର୍ଯ୍ୟଶୀଳ ସମୟ, ଅତ୍ୟନ୍ତ ସୂକ୍ଷ୍ମ ଯୋଜନା ଏବଂ ନିହାତି ଅଣପାରଂପରିକ ଗୂଢ଼ ବୁଦ୍ଧି।
ଖୁବ୍ ସମ୍ଭବ ଏହି ସ୍ତମ୍ଭର ଅଧିକାଂଶ ପାଠକପାଠିକା ଗ୍ରୀକ ପୁରାଣରେ ବର୍ଣ୍ଣିତ ଟ୍ରୟ ନଗରୀର ପତନ କାହାଣୀ ସହିତ ପରିଚିତ ଥିବେ, ଯାହାକୁ ସମ୍ଭବ କରିବା ଲାଗି ଛଳର ଆଶ୍ରୟ ନିଆଯାଇଥିଲା। କାହାଣୀଟି କହିଥାଏ ଯେ ଦୀର୍ଘ ଦଶ ବର୍ଷ କାଳ ଟ୍ରୟ ନଗରୀକୁ ଅବରୋଧ କରି ରଖିଥିବା ସତ୍ତ୍ବେ ନଗର ପ୍ରାଚୀରକୁ ଭେଦ କରିବାକୁ ଅସମର୍ଥ ଗ୍ରୀକ ଯୋଦ୍ଧାମାନେ ପରିଶେଷରେ ବାହୁଡ଼ି ଯିବାର ଆଭାସ ଦେଇ କାଠରେ ଏକ ବିଶାଳ ଅଶ୍ବର ପ୍ରତିମୂର୍ତ୍ତି ନିର୍ମାଣ କରି ଦେବୀ ଏଥେନାଙ୍କ ଉଦ୍ଦେଶ୍ୟରେ ଅର୍ପଣ ପୂର୍ବକ ଅଗତ୍ୟା ସେଠାରୁ ଅପସରି ଯାଇଥିଲେ। କହିବା ବାହୁଲ୍ୟ ଏଥିରେ ଉତ୍ଫୁଲ୍ଲିତ ଟ୍ରୟବାସୀ ଦୁର୍ଗର ଫାଟକ ଖୋଲି ସୁନ୍ଦର କାଷ୍ଠ-ଅଶ୍ବଟିକୁ ନଗର ମଧ୍ୟକୁ ଭିଡ଼ି ନେଇଥିଲେ ସତ, କିନ୍ତୁ ଅନୁମାନ କରି ପାରି ନ ଥିଲେ ଯେ ସେମାନେ ସ୍ବହସ୍ତରେ ନିଜର ତଥା ସେମାନଙ୍କ ପ୍ରିୟ ଟ୍ରୟ ନଗରୀର ଧ୍ବଂସ ସାଧନର କାହାଣୀକୁ ରୂପ ଦେଉଛନ୍ତି। ଗ୍ରୀକ କିଂବଦନ୍ତି ଅନୁସାରେ ସେହି ଫମ୍ପା ଘୋଡ଼ା ମଧ୍ୟରେ ଆତ୍ମଗୋପନ କରିଥିବା ଗ୍ରୀକ ଯୋଦ୍ଧାଗଣ ସେହି ନିଶାର୍ଧରେ ବାହାରକୁ ଆସି ଟ୍ରୟର ପ୍ରବେଶ ଦ୍ବାରକୁ ଭିତରୁ ଖୋଲି ଦେଇଥିଲେ, ଯାହା ଫଳରେ ଅନତିଦୂରରେ ଅପେକ୍ଷାରତ ଗ୍ରୀକ୍ ବାହିନୀ ନଗରୀ ମଧ୍ୟକୁ ପ୍ରବେଶ କରି ଅବିଳମ୍ବେ ତାକୁ ଏକ ଧ୍ବଂସସ୍ତୂପରେ ପରିଣତ କରି ଦେଇଥିଲେ। ଏହି ପୁରାଣ ‘ଇଲିଆଡ’ର ରଚନା କାଳର ପ୍ରାୟ ୩୦୦୦ରୁ ଅଧିକ ବର୍ଷ ପରେ ୟୁକ୍ରେନ ପକ୍ଷରୁ ଶଂସିତ ଆକ୍ରମଣରେ ପ୍ରାୟ ସମତୁଲ ବୁଦ୍ଧିର ପ୍ରୟୋଗ କରାଯାଇଛି, ଯହିଁରେ ଆକ୍ରମଣକାରୀ କ୍ଷୁଦ୍ର ଡ୍ରୋନଗୁଡ଼ିକୁ ବଡ଼ ବଡ଼ ‘କଣ୍ଟେନର’ରେ ଭର୍ତ୍ତି କରି ସଡ଼କ ପଥରେ କୌଶଳ କ୍ରମେ ରୁଷିଆର ସୀମା ମଧ୍ୟକୁ ପ୍ରବେଶ କରାଇ ଦିଆଯିବା ପରେ ରୁଷିଆର ପେସାଦାର ଟ୍ରକ ଚାଳକମାନଙ୍କ ଜରିଆରେ ଲକ୍ଷ୍ୟ ସ୍ଥଳ ନିକଟରେ ପହଞ୍ଚାଇ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ନିମୟିତ ମାଲ ନେବା ଆଣିବା କରୁଥିବା ଏହି ଟ୍ରକ ଚାଳକମାନଙ୍କର ଆଦୌ ଧାରଣା ନ ଥିଲା ଯେ ରୁଷିଆର ସାମରିକ ସାମର୍ଥ୍ୟକୁ ଅନେକାଂଶରେ ଅଥର୍ବ କରିଦେବା ଭଳି ଘାତକ ଅସ୍ତ୍ରଗୁଡ଼ିକୁ ସେମାନେ ନିରୀହ ଭାବେ ପରିବହନ କରି ଚାଲିଛନ୍ତି। ଶେଷରେ ଟ୍ରକ୍ଗୁଡ଼ିକ ଲକ୍ଷ୍ୟ ଭେଦ କରିବାର ସୀମା ମଧ୍ୟରେ ପ୍ରବେଶ କରିବା ପରେ ଅତ୍ୟନ୍ତ ନିଖୁଣ ଓ ସୁସଂଯୋଜିତ ଯୋଜନା ଅନୁସାରେ ‘କଣ୍ଟେନର’ଗୁଡ଼ିକର ଢାଙ୍କୁଣିକୁ ‘ରିମୋଟ’ ମାଧ୍ୟମରେ ଖୋଲି ଦିଆଯାଇ ଡ୍ରୋନଗୁଡ଼ିକୁ ମୁକ୍ତ କରି ଦିଆଯାଇଥିଲା। ‘କୃତ୍ରିମ ବୁଦ୍ଧିମତ୍ତା’ ବା ‘ଏ.ଆଇ.’ ଉପଯୋଗ କରି ଡ୍ରୋନଗୁଡ଼ିକ ଅତ୍ୟନ୍ତ ତ୍ରୁଟିହୀନ ଭାବେ ଲକ୍ଷ୍ୟ ଭେଦ କରି ଧ୍ବଂସ ଲୀଳା ରଚନା କରିଥିଲେ। କହିବା ବାହୁଲ୍ୟ ଯେ ଦୀର୍ଘ ଯୁଦ୍ଧରେ ସମ୍ବଳ ଶୂନ୍ୟ ହୋଇ ପଡ଼ିଥିବା ୟୁକ୍ରେନ କଦାଚିତ୍ ଅତ୍ୟନ୍ତ ଦୁର୍ମୂଲ୍ୟ ‘ଷ୍ଟେଲ୍ଥ ଫାଇଟର ଜେଟ୍’ ବା ‘ଆତ୍ମଗୋପନକାରୀ ଯୁଦ୍ଧ ବିମାନ’ ବ୍ୟବହାର କରି ପାରନ୍ତା ନାହିଁ ଅଥବା ମନ୍ଥର ଗତିଧାରୀ ଡ୍ରୋନ୍ ବ୍ୟବହାର କରି ଆକାଶ ମାର୍ଗରେ ଯାଇ ରୁଷିଆର ଅଭ୍ୟନ୍ତରସ୍ଥ ସାମରିକ ହୃଦ୍ସ୍ଥଳରେ ପ୍ରହାର କରି ପାରନ୍ତା ନାହିଁ। ତେଣୁ ଏଭଳି ଅଭିନବ ଉପାୟର ଉଦ୍ଭାବନ! କିନ୍ତୁ ଏହା ସହିତ ୟୁକ୍ରେନ ଦ୍ବାରା ପ୍ରଦତ୍ତ ସଂକେତଟି ହେଲା ‘ମହାନ ଆମେରିକା’ର ଚାପରେ ଏକ ନିଃସର୍ତ୍ତ ଯୁଦ୍ଧ ବିରତି ଲାଗି ସେ ଦେଶ ପ୍ରସ୍ତୁତ ନୁହେଁ, ଯହିଁରେ ରୁଷିଆର ଆଧିପତ୍ୟକୁ ସ୍ବୀକାର କରିନେବା ସହିତ ନିଜ ଦେଶର ବିରଳ ଖଣିଜ ସଂପଦକୁ ଦୋହନ କରି ନେବା ସକାଶେ ଟ୍ରଂପ ଅଧୀନସ୍ଥ ଆମେରିକାର ଅଭିସନ୍ଧିକୁ ସ୍ବୀକାର କରିବା ଭଳି ଅପମାନ ବରଣ କରିବା ନିହିତ ଥାଏ।
ଏହି ଘଟଣା ପରିପ୍ରେକ୍ଷୀରେ ରୁଷିଆର ପ୍ରତିକ୍ରିୟା ନେଇ ଅନେକ ଅନୁମାନ ଦୃଷ୍ଟିଗୋଚର ହେଉଥିଲେ ହେଁ ଏଥିରୁ ଉପଲବ୍ଧ ଦୁଇଟି ସନ୍ଦେଶ ଏବଂ ବିଶେଷ କରି ଆମ ଦେଶ ଲାଗି ଦୁଇଟି ଶିକ୍ଷା ବିଶେଷ ପ୍ରଣିଧାନଯୋଗ୍ୟ। ପ୍ରଥମ ସନ୍ଦେଶଟି ହେଲା ପାରଂପରିକ ଯୁଦ୍ଧ ଲାଗି ବିଶାଳ ସେନା, ଉଚ୍ଚ କ୍ଷମତାସଂପନ୍ନ ଅତ୍ୟାଧୁନିକ ବନ୍ଧୁକ-କମାଣ ବା ଅତିକାୟ ଟ୍ୟାଙ୍କ ଅଥବା ଦୁର୍ଦ୍ଧର୍ଷ ଯୁଦ୍ଧ ବିମାନ ବା କ୍ଷେପଣାସ୍ତ୍ର ଆଦିରେ ବିପୁଳ ଅର୍ଥ ଓ ସମ୍ବଳ ବ୍ୟୟ କରିବାର ସମୟ ବୋଧହୁଏ ଅତିକ୍ରାନ୍ତ ହେବାକୁ ବସିଲାଣି, ଯେଉଁଠି ‘ଡ୍ରୋନ୍’ ଭଳି ଶସ୍ତା ସାଧନ ଘାତକ ଆକ୍ରମଣାସ୍ତ୍ରରେ ପରିଣତ ହୋଇ ଏକ ଦୁର୍ବଳ ରାଷ୍ଟ୍ରକୁ ସୁଦୀର୍ଘ ଯୁଦ୍ଧରେ ତିଷ୍ଠି ରଖାଇପାରେ, ଯେମିତି ୟୁକ୍ରେନ। ଦ୍ବିତୀୟ ସନ୍ଦେଶଟି ହେଲା ଟ୍ରଂପଙ୍କ ଅଧୀନସ୍ଥ ଆମେରିକା ବୋଧହୁଏ କ୍ରମେ ଅପ୍ରାସଙ୍ଗିକ ମଧ୍ୟ ହେବାକୁ ବସିଲାଣି, କାରଣ ଆମେରିକାକୁ ପୁନର୍ବାର ମହାନ କରିବା ଉଦ୍ଦେଶ୍ୟରେ ପୃଥିବୀ ଉପରୁ ଆଶିଷର ହସ୍ତ ଉଠାଇ ନେଇ ସମସ୍ତଙ୍କୁ କଲବଲ କରି ପକାଇବେ ବୋଲି ଯେଉଁ ଆଟୋପଭରା ଧାରଣା ଟ୍ରଂପ ପୋଷଣ କରିଥାଆନ୍ତି, ତାହା ଏହି ଆକ୍ରମଣ ପରେ ଏକ ଭ୍ରାନ୍ତି ଭଳି ମନେ ହେଉଛି। କାରଣ ଆମେରିକାର ସାମରିକ ସାହାଯ୍ୟ ଅପସୃତ ହୋଇଗଲା ପରେ ୟୁକ୍ରେନ ଏଭଳି ମାନବ ସାମର୍ଥ୍ୟ ଅତିକ୍ରମୀ ଆକ୍ରମଣଟିଏ ଘଟାଇ ପାରିଛି। ପାଠକପାଠିକାମାନଙ୍କ ସ୍ମରଣରେ ଥିବ କିଭଳି ଗଲା ଫେବ୍ରୁଆରି ମାସରେ, ସର୍ବସମକ୍ଷରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କୁ ତୀବ୍ର ଲାଂଛନା ଜର୍ଜର କରି ରୁଷିଆ ସହିତ ଏକ ସନ୍ଧି ସ୍ବୀକାର କରି ନେବାକୁ ଡୋନାଲ୍ଡ ଟ୍ରଂପ ଧମକ ଦେଇଥିଲେ। ସୁତରାଂ, ଜେଲେନସ୍କିଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ଅନବଦମିତ ସାହସ ସମ୍ମୁଖରେ ଆମେରିକାର ରାଷ୍ଟ୍ରପତି ଟ୍ରଂପ ଖର୍ବକାୟ ଦିଶନ୍ତି। ଏହା ସୁନିଶ୍ଚିତ ଯେ ୟୁକ୍ରେନର ଏହି ଅାକ୍ରମଣ ପ୍ରକାରାନ୍ତରେ ଆମେରିକାର ଗଭୀର ମର୍ମଦାହ କରୁଥିବ! ଏହି ଘଟଣା ପରିପ୍ରେକ୍ଷୀରେ ଆମ ଦେଶ ଲାଗି ରହିଥିବା ଦୁଇଟି ଶିକ୍ଷା ମଧ୍ୟରୁ ଗୋଟିଏ ହେଲା, ଡ୍ରୋନ ପ୍ରଯୁକ୍ତିରେ ଦ୍ରୁତ ଅଗ୍ରଗତି ଲାଭ କରିବା ଏବେ ଏକ ଅନିବାର୍ଯ୍ୟତା, ଯେଉଁ କ୍ଷେତ୍ରରେ ଭାରତ ଅପେକ୍ଷାକୃତ ଦୁର୍ବଳ। ଅବଶ୍ୟ ଆମେରିକାରୁ ଖର୍ଦ୍ଦି କରାଯିବାକୁ ଥିବା ୩୧ଟି ଅତ୍ୟନ୍ତ ମୂଲ୍ୟବାନ ‘ଏମକ୍ୟୁ ୯ ବି’ ଡ୍ରୋନ(୪ ବିଲିଅନ ଡଲାର) ହେତୁ ଭାରତର ସାମର୍ଥ୍ୟରେ କିଛିଟା ବୃଦ୍ଧି ଘଟିଛି, କିନ୍ତୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ସୂକ୍ଷ୍ମ ପ୍ରୟୋଗ ଲାଗି ଉପଯୁକ୍ତ କ୍ଷୁଦ୍ର ଡ୍ରୋନ ବିକଶିତ କରିବା ଭାରତର ଧ୍ୟେୟ ହେବା ଉଚିତ, ଯହିଁରେ ଚୀନ ସଂପ୍ରତି ସର୍ବାଧିକ ଉନ୍ନତ ରାଷ୍ଟ୍ର ଭାବେ ବିବେଚିତ ଓ ଭାରତ ଠାରୁ ତାହା କେଇ ପିଢ଼ି ଆଗରେ। ଚୀନ ସହିତ ଭାରତର ତିକ୍ତ ସଂପର୍କ ପରିପ୍ରେକ୍ଷୀରେ ଏ କ୍ଷେତ୍ରରେ ଅଗ୍ରଗତି ଅଗ୍ରାଧିକାର ପାଇବା ଜରୁରି। ଦ୍ବିତୀୟରେ ଡ୍ରୋନଗୁଡ଼ିକ ହାଲୁକା ଏବଂ ସହଜ ପରିବହନେଯାଗ୍ୟ ହୋଇଥିବାରୁ କୁଖ୍ୟାତ ଅସାମାଜିକ ଗୋଷ୍ଠୀ ବା ଆତଙ୍କବାଦୀ ସଂଗଠନ ଦ୍ବାରା ବ୍ୟବହୃତ ହୋଇ ଏହା ନୂତନ ପ୍ରକାର ଅନ୍ତର୍ଘାତୀ ଆକ୍ରମଣକୁ ରୂପ ଦେଇପାରେ, ଯହିଁରେ କ୍ଷୟକ୍ଷତିର ସ୍ତର କଳ୍ପନା କରିବା ମଧ୍ୟ କଷ୍ଟକର। ଏଣୁ ଏ ବ୍ୟାପାରରେ ମଧ୍ୟ ନିରନ୍ଧ୍ର ସତର୍କତାର ଆବଶ୍ୟକତା ରହିଛି।
ଆଜିକୁ ତିନି ବର୍ଷ ତଳେ ୟୁକ୍ରେନ-ରୁଷିଆ ଯୁଦ୍ଧର ପ୍ରାରମ୍ଭ କାଳରେ ୟୁକ୍ରେନ ଦ୍ବାରା ‘କାମିକାଜି’ ଡ୍ରୋନର ବ୍ୟବହାର ପରିପ୍ରେକ୍ଷୀରେ ଏହି ସ୍ତମ୍ଭରେ ‘ଡେଭିଡଙ୍କ ବାଟୁଳି’ ଶୀର୍ଷକ ଆଲୋଚନାଟିଏ ପ୍ରକାଶିତ ହୋଇଥିଲା। ତହିଁରେ ବାଇବଲ ବର୍ଣ୍ଣିତ ବାଳକ ଡେଭିଡ ସହ ୟୁକ୍ରେନ ରାଷ୍ଟ୍ରପତିଙ୍କ ଏକ ତୁଳନା କରାଯାଇଥିଲା। ବାଇବଲର କାହାଣୀ ଅନୁସାରେ କ୍ଷୁଦ୍ରାକୃତି ଡେଭିଡ ଅପୂର୍ବ ସାହସ ଦର୍ଶାଇ ଏକ ବାଟୁଳି ସାହାଯ୍ୟରେ ଦାନବସୁଲଭ ବପୁବନ୍ତ େଗାଲାଏତକୁ ଧରାଶାୟୀ କରି ଦେଇଛି। ଏବର ଆକ୍ରମଣ ସଂଦର୍ଭରେ ଆମେ ସେହି ଆଲୋଚନାକୁ ମନେ ପକାଇ କହିପାରିବା ଯେ ଗୋଲାଏତ ସହିତ ସଂଘର୍ଷ ବଳବତ୍ତର ରହିଛି ସିନା, ଅକ୍ଳାନ୍ତ ଡେଭିଡଙ୍କ ବାଟୁଳି କିନ୍ତୁ କ୍ଷତମାନ ସୃଷ୍ଟି କରି ଚାଲିଛି।