ଇଥିଓପିଆ ଓ ଏରିଟ୍ରିଆ ମଧ୍ୟରେ ଚାଲି ଆସିଥିବା ସୀମା ବିବାଦ ଓ ଯୁଦ୍ଧର ଅବସାନ ଘଟାଇ ୨୦୧୯ ମସିହାରେ ଏହି ପୁରସ୍କାର ଜିଣିଥିଲେ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି, ଯିଏ ସଂପ୍ରତି ବନ୍ଧୁକ ହସ୍ତେ ପୁଣି ଯୁଦ୍ଧରେ ବ୍ୟାପୃତ। ୨୦୦୬ ମସିହାରେ ଶାନ୍ତି ଲାଗି ନୋବେଲ ପୁରସ୍କାର ଲାଭ କରିଥିବା ବାଂଲାଦେଶୀ ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ ଘଟଣାଚକ୍ରରେ ସଂପ୍ରତି ବାଂଲାଦେଶର ଅନ୍ତରୀଣ ଶାସନ ମୁଖ୍ୟ ଏବଂ ସଶସ୍ତ୍ର ଜେହାଦୀ ଗୋଷ୍ଠୀର ସମର୍ଥକ। କହିବାର ତାତ୍ପର୍ଯ୍ୟ ହେଲା ଶାନ୍ତି ପାଇଁ ଦିଆଯାଉଥିବା ନୋବେଲ ପୁରସ୍କାର ତାହାର ଅଧିକାରୀଙ୍କ ଆଦର୍ଶ ସ୍ଥାନୀୟ ଆଚରଣର ଗ୍ୟାରେଣ୍ଟି ହୋଇ ନ ଥାଏ।
ଚଳିତ ବର୍ଷ ନୋବେଲ ଶାନ୍ତି ଲାଗି ନୋବେଲ ପୁରସ୍କାରର ଘୋଷଣାକୁ ଯେଉଁ ଭଳି ଆମୋଦ ଓ କୌତୂହଳ ବିଜଡ଼ତ ଉତ୍କଣ୍ଠାର ସହିତ ଅପେକ୍ଷା କରାଯାଇଥିଲା, ସେମିତି ବୋଧହୁଏ ଏହି ପୁରସ୍କାରର ଇତିହାସରେ କଦାଚିତ୍ ଘଟିଥିବ! ଏହାର କାରଣ ସୁବିଦିତ ଯେ ପୁରସ୍କାରଟିକୁ କୌଣସିମତେ ପାଇବା ସକାଶେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ଏକ ନିର୍ଲଜତାର ସୀମା ଅତିକ୍ରମକାରୀ ସଘନ ପ୍ରକାଶ୍ୟ କସରତ କରିଥିଲେ, ଯେଉଁଥି ଲାଗି ପ୍ରକୃତ ବିଜେତା କିଏ ହେବ, ତାହା ଦେଖିବା ଥିଲା ଏଭଳି ଉତ୍କଣ୍ଠାର ହେତୁ। ପରିଶେଷରେ ଭେନେଜୁଏଲାର ବିରୋଧୀ ରାଜନୈତିକ ଦଳର ନେତ୍ରୀ ମାରିଆ କୋରିନା ମାଚାଡୋଙ୍କ ନାମ ଘୋଷଣା ସହିତ ସେହି ଉତ୍କଣ୍ଠାର ଅନ୍ତ ଘଟିଛି। ନରୱେର ଅସ୍ଲୋସ୍ଥିତ ଶାନ୍ତି ଲାଗି ନୋବେଲ ପୁରସ୍କାର କମିଟି ପକ୍ଷରୁ କୁହାଯାଇଛି ଯେ ଏକ ନିପୀଡ଼ନକାରୀ ଏକଛତ୍ରବାଦୀ ସରକାର ବିରୋଧରେ ମାରିଆଙ୍କ ସାହସ, ଅକ୍ଳାନ୍ତ ସଂଗ୍ରାମ ଏବଂ ଶାନ୍ତି ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା ସକାଶେ ତାଙ୍କ ବିରଳ ଉଦ୍ୟମ ସକାଶେ ତାଙ୍କୁ ଚୟନ କରାଯାଇଛି। ଅବଶ୍ୟ, ଏହି ଆଲୋଚନା ପରିପ୍ରେକ୍ଷୀରେ କହିବାରେ ଦ୍ବିଧା ନାହିଁ ଯେ ସର୍ବଶ୍ରେଷ୍ଠ ଭାବେ ଅଭିହିତ ଏହି ସମ୍ମାନର ଉଚ୍ଚ ଗରିମା ଏହାର କତିପୟ ବିଜେତାଙ୍କ ବିବାଦାସ୍ପଦ ପୃଷ୍ଠଭୂମି ଓ କିଛି ବିଜେତାଙ୍କ ସନ୍ଦିଗ୍ଧ କାର୍ଯ୍ୟକଳାପ ଦ୍ବାରା ଅବକ୍ଷୟିଷ୍ଣୁ ହୋଇଛି। ଏଭଳି ସ୍ଥଳେ ଚଳିତ ବର୍ଷର ବିଜୟିନୀ ଏବଂ ପୁରସ୍କାର ଘୋଷଣା ପୂର୍ବରୁ ଦୃଷ୍ଟିଗୋଚର ହୋଇଥିବା ଟ୍ରଂପୀୟ ତାମସା ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ପରିପ୍ରେକ୍ଷୀରେ ଉଠୁଥିବା ପ୍ରଥମ କଥା ହେଲା ଯଦି ଏହି ପୁରସ୍କାର ପ୍ରଦାନ ପଛରେ ପ୍ରଶ୍ନାତୀତ ନିଷ୍ପକ୍ଷତା, ବିବେଚନାବୋଧ ଓ ବିଚାର ରହିଥାଆନ୍ତା, ତେବେ ଏହାକୁ ପାଇବା ସକାଶେ ଟ୍ରଂପ ଆପଣା ଶାନ୍ତିକାମୀ ଚରିତ୍ର ପ୍ରଦର୍ଶନ କରାଇବା ଲାଗି ହାସ୍ୟାସ୍ପଦ ବାହାସ୍ଫୋଟ (ଆଠଟି ଯୁଦ୍ଧ ବନ୍ଦ କରି ଦେଇଛନ୍ତି ବୋଲି) ମାରି ନ ଥାଆନ୍ତେ କି ବିଶାଳ ‘ମେଡିଆ’ ଆୟୋଜନ କରି ନ ଥାଅାନ୍ତେ ବା ନରୱେ ଉପରେ ଉଚ୍ଚ ହାରରେ ଟାରିଫ ଲଗାଇବାର ଧମକ ଦେଇ ନ ଥାଆନ୍ତେ ଅଥବା ପ୍ରାୟ ଖୋଲାଖୋଲି ତାହାର ଭିକ୍ଷା କରି ନ ଥାଆନ୍ତେ! ସେହି ଦୃଷ୍ଟିରୁ ନୋବେଲ କମିଟିର କାର୍ଯ୍ୟ ଏଥର ପ୍ରଶଂସନୀୟ ହୋଇଛି, କାରଣ ଅତ୍ୟନ୍ତ ପ୍ରାଂଜଳତାର ସହିତ କହି ଦିଆଯାଇଛି ଯେ ଏହି ପୁରସ୍କାର ଲାଭ କରିବା ସକାଶେ ଅସଂଖ୍ୟ ସୁପାରିସ ଆସୁଥିବା ସତ୍ତ୍ବେ ଯାହା ସର୍ବଦା ଅବିଭାଜ୍ୟ ମପେକାଠି ହୋଇ ରହିଛି, ତାହା େହଲା ଶାନ୍ତି ପ୍ରତିଷ୍ଠା ସକାଶେ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ପ୍ରଦର୍ଶନ କରୁଥିବା ବିରଳ ଶ୍ରେଣୀୟ ସାହସ ଏବଂ ଆଦର୍ଶଗତ ଐକାନ୍ତିକତା। କିନ୍ତୁ ଏହାର ବିପରୀତରେ ଗାଦିନସୀନ ହେବା ପରେ ରାଷ୍ଟ୍ରପତି ଟ୍ରଂପ େଯଉଁ ଆଚରଣ ପ୍ରଦର୍ଶନ କରି ଆସିଥିଲେ, ତହିଁରେ ଅନ୍ତର୍ଭୁକ୍ତ ନରୱେ ଉପରେ ମାତ୍ରାତିରିକ୍ତ ଟାରିଫ ଆକ୍ରମଣର ଧମକ, ମାନବ କଳ୍ୟାଣକାରୀ ଉଦ୍ୟମ ଓ ଅନୁଷ୍ଠାନ ଯେମିତି କି ‘ପ୍ୟାରିସ ଜଳବାୟୁ ଚୁକ୍ତି’ ଏବଂ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ସହିତ ସଂପର୍କ ଛେଦନ, ସାମାନ୍ୟ ଶିିଷ୍ଟାଚାର ବିବର୍ଜିତ ବ୍ୟକ୍ତିଙ୍କ ଭଳି ଆମେରିକା ଗସ୍ତ କରିଥିବା କେତେକ ରାଷ୍ଟ୍ରର ଶାସନମୁଖ୍ୟଙ୍କୁ ସର୍ବ ସମକ୍ଷରେ ଅପମାନ ପ୍ରଦାନ, ଗ୍ରିନଲାଣ୍ଡ ଓ କାନାଡାକୁ ଅଧିକାର କରି ଆମେରିକାର ଅଂଶୀଭୂତ କରିବାର ଆଗ୍ରହ ଏବଂ ବିଧ୍ବସ୍ତ ଗାଜା ପଟିକୁ ଏକ ପର୍ଯ୍ୟଟକ ବିଳାସ ସ୍ଥଳୀ ଭାବେ ବିକଶିତ କରିବାର ଇଚ୍ଛା ଭଳି ଚିତ୍ତ ବିଭ୍ରଂଶକର ବିବୃତ୍ତି ପ୍ରଦାନ, ଯାହା ସ୍ବାଭାବିକ ଭାବେ ତାଙ୍କୁ କୌଣସି ଶାନ୍ତି ପୁରସ୍କାର ଲାଗି ଯୋଗ୍ୟ କରନ୍ତା ନାହିଁ, ନୋବେଲ ପୁରସ୍କାର କଥା ଦୂରେ ଥାଉ। କେବଳ ସେତିକି ନୁହେଁ, ୨୦୨୧ ମସିହାରେ ଟ୍ରଂପଙ୍କ ଡାକରାରେ ଶହ ଶହ ଉପଦ୍ରବକାରୀ ଆମେରିକାର ସଂସଦ ଗୃହ ‘ଦ କ୍ୟାପିଟଲ ହିଲ୍’ରେ ପ୍ରବେଶ କରି ଦଙ୍ଗା ସୃଷ୍ଟି କରିଥିଲେ, ଯାହା ଆମେରିକାର ଇତିହାସରେ ଏକ କଳଙ୍କମୟ ପୃଷ୍ଠା ଯୋଡ଼ିଛି ଏବଂ ଗଲା ସେପଟେମ୍ବର ମାସରେ ଶାନ୍ତିର ଏହି କପୋତ ଆମେରିକାର ପ୍ରତିରକ୍ଷା ବିଭାଗର ନାମ ପରିବର୍ତ୍ତନ କରି ନୂଆ ନାମ ରଖିଛନ୍ତି ‘ଦ ଡିପାର୍ଟମେଣ୍ଟ ଅଫ ୱାର’। ଏହା ସହିତ ଆଉ ଯାହା ମନେ ରହିବା ଉଚିତ, ତାହା ହେଲା ଗଲା ଫେବ୍ରୁଆରି ମାସରେ ରାଷ୍ଟ୍ରପତି ଭାବେ ସେ କାର୍ଯ୍ୟ ଆରମ୍ଭ କଲା ବେଳକୁ ଏହି ପୁରସ୍କାର ଲାଗି ପ୍ରାର୍ଥୀଙ୍କ ନାମ ତାଲିକା ଚୂଡ଼ାନ୍ତ ହୋଇ ସାରିଥିଲା। ତେଣୁ ଏବେ ଦ୍ବିତୀୟ ପ୍ରଶ୍ନଟି ଉଠିଥାଏ ଯେ ତଥାପି କାହିଁକି ନୋବେଲ ପୁରସ୍କାର ପାଇବା ସକାଶେ ତାଙ୍କ ଆଶା ଶେଷ ପର୍ଯ୍ୟନ୍ତ ନିଷ୍ପ୍ରଭ ହୋଇ ନ ଥିଲା? ଏହାର କାରଣ ରାଷ୍ଟ୍ରପତି ହେବାର ମାତ୍ର ୧୧ ଦିନ ମଧ୍ୟରେ ନାମ ତାଲିକା ଚୂଡ଼ାନ୍ତ ହୋଇସାରିଥିଲେ ହେଁ ବାରାକ ଓବାମାଙ୍କୁ ଏହି ପୁରସ୍କାର ମିଳିଛି; ରାଷ୍ଟ୍ରପତି ରୁଜଭେଲଟ ବା ଡିପ୍ଲୋମାଟ ଓ ମନ୍ତ୍ରୀ ହେନେରି କିସିଂଜରଙ୍କ ଭଳି ଏକାଧିକ ଯୁଦ୍ଧଖୋର ବ୍ୟକ୍ତି ଏହି ପୁରସ୍କାର ଦ୍ବାରା ସମ୍ମାନିତ ହୋଇଛନ୍ତି; ୟାସେର ଆରାଫତଙ୍କ ଭଳି ସଶସ୍ତ୍ର ଉଗ୍ରବାଦୀ ମଧ୍ୟ ଏହି ପୁରସ୍କାରର ଅଧିକାରୀ ଏବଂ ଏଭଳି ଦୃଷ୍ଟାନ୍ତ ଅନେକ। ତେଣୁ ହୁଏତ ଏହା ସମ୍ଭବ ଯେ ଉଦ୍ୟମ ଜାରି ରଖିଲେ ଟ୍ରଂପ ହୁଏତ ୨୦୨୬ ମସିହାରେ ଏହି ପୁରସ୍କାର ପାଇ ଯାଇପାରନ୍ତି!
ଭେନେଜୁଏଲାର ବିରୋଧୀ ଦଳର ନେତ୍ରୀ ମାରିଆ କୋରିନା ମାଚାଡୋ ଯେ ସାହସ ଓ ଗଣତନ୍ତ୍ର ସକାଶେ ଅଙ୍ଗୀକାରବଦ୍ଧତାର ଏକ ଉଜ୍ଜ୍ବଳ ପ୍ରତୀକ, ଏଥିରେ ସନ୍ଦେହ ନାହିଁ। ଭେନେଜୁଏଲାର ଏକଛତ୍ରବାଦୀ ଶାସକ ନିକୋଲାସ ମାଡୁରୋଙ୍କ ନିପୀଡ଼ନର ଶରବ୍ୟ ହେବା ସତ୍ତ୍ବେ ତାଙ୍କ ସଂଘର୍ଷ ଅତୁଟ ରହିଛି। ନିର୍ବାଚନରେ ୯୨% ଜନ ସମର୍ଥନ ପାଇଥିବା ସତ୍ତ୍ବେ ତାଙ୍କୁ ସେଠାକାର ସଂସଦ ପ୍ରବେଶାଧିକାର ମିଳିନାହିଁ ଏବଂ ତାଙ୍କ ଦଳକୁ ନିଷେଧ କରାଯାଇଛି। ତେଣୁ ଅନେକ ଦୃଷ୍ଟିରୁ ଏହି ପୁରସ୍କାର ଲାଗି ହୁଏତ ସେ ଯୋଗ୍ୟ। କିନ୍ତୁ, ଏଣେ ତାଙ୍କ ପୁରସ୍କାର ମଧ୍ୟ ଏକ ବିବାଦକୁ ଜନ୍ମ ଦେଲାଣି, ଯାହାର କାରଣ ହେଲା ଏହି ପୁରସ୍କାରକୁ େସ ଭେନେଜୁଏଲାର ଜନସାଧାରଣଙ୍କ ସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କୁ ମଧ୍ୟ ଉତ୍ସର୍ଗ କରିଛନ୍ତି। ପ୍ରକାଶ ଥାଉ କି ଭେନେଜୁଏଲାର ଭୂମି ତଳେ ମହଜୁଦ ଅଛି ପୃଥିବୀର ବୃହତ୍ତମ ଖଣିଜ ତୈଳ ଭଣ୍ଡାର, ଯାହା ଉପରେ ଆମେରିକାର ଲୋଲୁପ ଦୃଷ୍ଟି ରହି ଆସିଛି। ଯେଉଁ କାରଣରୁ ଆମେରିକା ଭେନେଜୁଏଲାର ଏକଛତ୍ରବାଦୀ ନିକୋଲାସ ମାଡୁରୋଙ୍କୁ ବହିଷ୍କାର କରି ସେଠାରେ ଏକ ସଖୀ କଣ୍ଢେଇ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଚାହିଁଥାଏ। ତେଣୁ ମାରିଆଙ୍କ ଗିରଫଦାରିର ଦୃଢ଼ ନିନ୍ଦା କରି ଟ୍ରଂପ କରିଥିବା ଟୁଇଟ ଅତ୍ୟନ୍ତ ସ୍ବାଭାବିକ ହୋଇଥିଲେ ହେଁ ତାହା ମାରିଆଙ୍କୁ ଟ୍ରଂପଙ୍କ ପ୍ରତି କୃତଜ୍ଞତାରେ ଦ୍ରବୀଭୂତ କରିଛି। ଏହି ପରିପ୍ରେକ୍ଷୀରେ କେତେକ ପର୍ଯ୍ୟବେକ୍ଷକ କହନ୍ତି ଯେ କୌଣସି ପ୍ରକାରେ ମାଡୁରୋଙ୍କ ଠାରୁ ନିଷ୍କୃତି ପାଇବା ଲାଗି ଯଦି ଆମେରିକା ସାମରିକ ହସ୍ତକ୍ଷେପ କରେ, ତେବେ ମାରିଆ ତାହାକୁ ସମର୍ଥନ ପ୍ରଦାନ କରିବା ପ୍ରାୟ ନିଶ୍ଚିତ, ଯାହା ଜଣେ ଶାନ୍ତିର ପ୍ରବକ୍ତାଙ୍କ ଠାରୁ ହୁଏତ ଆଶା କରାଯାଇ ନ ପାରେ। ଏହି ପର୍ଯ୍ୟବେକ୍ଷକମାନଙ୍କ ମତରେ ମାରିଅାଙ୍କ ନେତୃତ୍ବରେ ପରିଚାଳିତ ଆନ୍ଦୋଳନ ଭଳି ଏକାଧିକ କ୍ଷୁଦ୍ର ଓ ନାତିକ୍ଷୁଦ୍ର ବିରୋଧମାନ କେତେକ ଏକଛତ୍ରବାଦୀ ରାଷ୍ଟ୍ରରେ ଦେଖିବାକୁ ମିଳୁଛି, ଯହିଁରେ ଲକ୍ଷ୍ୟ ଯଦିଓ ଗଣତନ୍ତ୍ରର ପ୍ରତିଷ୍ଠା, ତାହାର ଲାଭାର୍ଥୀ ହେେବ ଏହି ଆନ୍ଦୋଳନର ନେତା ଓ ନେତ୍ରୀଗଣ, ଯେଉଁମାନେ ଅବଲୀଳା କ୍ରମେ ନୂତନ ଭାବେ ଲବ୍ଧ କ୍ଷମତା ଦ୍ବାରା ସ୍ଖଳିତ ହୋଇପାରନ୍ତି, ଯେମିତି ଘଟିଛି ମ୍ୟାମାରର ନୋବେଲ ପୁରସ୍କାର ବିଜୟିନୀ ଆଙ୍ଗ ସନ ସୁକୀଙ୍କ କ୍ଷେତ୍ରରେ। ସେମାନଙ୍କ ପ୍ରଶ୍ନ, ମାରିଆ ସେଭଳି ଅପବାଦିତ ହେବେ ନାହିଁ ତ? ଇଥିଓପିଆ ଓ ଏରିଟ୍ରିଆ ମଧ୍ୟରେ ଚାଲି ଆସିଥିବା ସୀମା ବିବାଦ ଓ ଯୁଦ୍ଧର ଅବସାନ ଘଟାଇ ୨୦୧୯ ମସିହାରେ ଏହି ପୁରସ୍କାର ଜିଣିଥିଲେ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି, ଯିଏ ସଂପ୍ରତି ବନ୍ଧୁକ ହସ୍ତେ ପୁଣି ଯୁଦ୍ଧରେ ବ୍ୟାପୃତ। ୨୦୦୬ ମସିହାରେ ଶାନ୍ତି ଲାଗି ନୋବେଲ ପୁରସ୍କାର ଲାଭ କରିଥିବା ବାଂଲାଦେଶୀ ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ ଘଟଣାଚକ୍ରରେ ସଂପ୍ରତି ବାଂଲାଦେଶର ଅନ୍ତରୀଣ ଶାସନ ମୁଖ୍ୟ ଏବଂ ସଶସ୍ତ୍ର ଜେହାଦୀ ଗୋଷ୍ଠୀର ସମର୍ଥକ। କହିବାର ତାତ୍ପର୍ଯ୍ୟ ହେଲା ଶାନ୍ତି ପାଇଁ ଦିଆଯାଉଥିବା ନୋବେଲ ପୁରସ୍କାର ତାହାର ଅଧିକାରୀଙ୍କ ଆଦର୍ଶ ସ୍ଥାନୀୟ ଆଚରଣର ଗ୍ୟାରେଣ୍ଟି ହୋଇ ନ ଥାଏ।
ଚଳିତ ବର୍ଷ ଏହି ପୁରସ୍କାର ଲାଗି ବ୍ୟକ୍ତି ଓ ଅନୁଷ୍ଠାନ ରୂପରେ ୩୮ଟି ସମ୍ଭାବନା ଥିଲା। ଏମାନଙ୍କ ମଧ୍ୟରେ ‘ରିପୋଟର୍ସ ୱିଦାଉଟ୍ ବର୍ଡର’ ଭଳି ଅନୁଷ୍ଠାନ ଥିଲା କି? ପ୍ରକାଶ ଥାଉ କି ଗାଜାର ସତ୍ୟକୁ ଉଜାଗର କରିବା ଲାଗି ସ୍ବଇଚ୍ଛାରେ ସେଠାକୁ ଯାଇ ଇସ୍ରାଏଲୀ ଆକ୍ରମଣରେ ପ୍ରାଣ ହରାଇଥିବା ‘ରିପୋଟର୍ସ ୱିଦାଉଟ୍ ବର୍ଡର’ର ସଦସ୍ୟ ସାମ୍ବାଦିକଙ୍କ ସଂଖ୍ୟା ହେଉଛି ୨୨୦। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଘଟୁଥିବା ବିଭୀଷିକାକୁ ଲୋକଲୋଚନକୁ ଆଣିବା ଲାଗି ଘୂରି ବୁଲୁଥିବା ଏହି ସତ୍ୟାନ୍ବେଷୀମାନଙ୍କ ଉପରେ ଏଥରର ନୋବେଲ ଆଲୋକ ହୁଏତ ପଡ଼ିପାରି ଥାଆନ୍ତା!