ସଚରାଚର ଦେଖାଯାଇଥାଏ ଯେ ଦୁଇ ହୁଣ୍ଡା ବାଳକଙ୍କ ବଳ ପରୀକ୍ଷା ‘ବାହୁ କୁସ୍ତି’ରୁ ଆରମ୍ଭ ହୋଇପାରେ, କିନ୍ତୁ ତହିଁରେ ସରି ନଥାଏ। ହୁଣ୍ଡା ବାଳକମାନଙ୍କ ସ୍ଫୀତ ଅହଙ୍କାର ସେମାନଙ୍କୁ ପରାଜୟ ସ୍ବୀକାର କରିବାକୁ ଦେଇ ନ ଥାଏ, ଯାହା ଫଳରେ‘ବାହୁ କୁସ୍ତି’ଟି ଅବଲୀଳା କ୍ରମେ ଏକ ‘ପୂର୍ଣ୍ଣ ମଲ୍ଲ ଯୁଦ୍ଧ’କୁ ରୂପାନ୍ତରିତ ହୋଇଯାଇଥାଏ। ସମ୍ଭବତଃ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଏହି ବାସ୍ତବତାକୁ ହୃଦୟଙ୍ଗମ କରିଛନ୍ତି। ଯଦି ମଲ୍ଲ ଯୁଦ୍ଧଟି କେବଳ ହୁଣ୍ଡା ବାଳକ ଦ୍ବୟଙ୍କ ଭିତରେ ସୀମିତ ରହନ୍ତା, ତେବେ ତାହା ଏକ ହାସ୍ୟୋଦ୍ଦୀପକ ଦୃଶ୍ୟ ହୁଅନ୍ତା। କିନ୍ତୁ ଦୁର୍ଭାଗ୍ୟ, ଏଥିରେ ଅେନକ ରାଷ୍ଟ୍ର ଅବଲୀଳା କ୍ରମେ ସଂପୃକ୍ତ ହେବେ ଓ ଦାରୁଣ ମାନବ ଟ୍ରାଜେଡିକୁ ରୂପ ଦେବେ!
ଆଦ୍ୟ ଏପ୍ରିଲରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅବୋଧ୍ୟ ଓ ଅବୋଲକରା ପଦକ୍ଷେପ ହେତୁ ସମଗ୍ର ପୃଥିବୀ ଏକ ‘ଟ୍ରେଡ୍ ୱାର୍’ ବା ‘ବାଣିଜ୍ୟ ଯୁଦ୍ଧ’ ଭଳି ସ୍ଥିତି ମଧ୍ୟକୁ ନିକ୍ଷେପିତ ହେବାକୁ ବସିଥିବା ବେଳେ କ୍ଷୁୁଦ୍ର ଦ୍ବୀପ ରାଷ୍ଟ୍ର ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ଵଙ୍ଗ ଯେଉଁ ଚେତବାନୀ ମିଶ୍ରିତ ଉଦ୍ବେଗ ପ୍ରକାଶ କରିଥିଲେ, ତହିଁରେ ତୃତୀୟ ମହାଯୁଦ୍ଧର ଆଶଙ୍କା ଦୃଶ୍ୟମାନ ହୋଇଥିଲା। ବର୍ତ୍ତମାନ ତାଙ୍କ ବକ୍ତବ୍ୟ ସତ୍ୟରେ ପରିଣତ ହେବାକୁ ଯାଉଥିବା ଭଳି ରିପୋର୍ଟଟିଏ ପ୍ରକାଶିତ ହେଲାଣି। ସାମ୍ବାଦିକ ହ୍ବାଇଲ ୱିଲଙ୍କ ଏହି ରିପୋର୍ଟ କହିଥାଏ ଯେ ତାଇୱାନ ଉପରେ ଆକ୍ରମଣ କରିବା ଲାଗି ଏବେ ଚୀନ ବଦ୍ଧପରିକର ଏବଂ ଚୀନର ସମରାଭ୍ୟାସକୁ ଏକ ନିୟମିତ ଅଭ୍ୟାସ ଭାବେ ଦେଖା ନ ଯାଇ ମଞ୍ଚ ପ୍ରବେଶ ପୂର୍ବର ରିହର୍ସଲ ବୋଲି ବିଚାର କରାଯିବା ଉଚିତ। ପ୍ରକାଶ ଥାଉ କି ହ୍ବାଇଲ ୱିଲଙ୍କ ଠାରୁ ନିସୃତ ହେଉଥିବା ଚୀନ ସମ୍ବନ୍ଧୀୟ ରିପୋର୍ଟମାନ ଅତ୍ୟନ୍ତ ତଥ୍ୟନିଷ୍ଠ ହେଉଥିବାରୁ ସେଗୁଡ଼ିକ ଉପରେ ଚୀନ ସରକାରଙ୍କ ସତର୍କ ନଜର ରହିଥାଏ ଏବଂ ସ୍ଥଳ ବିଶେଷରେ ସେ ସବୁ ‘ସେନସର’ର ଶିକାର ମଧ୍ୟ ହୁଅନ୍ତି। ଏହି ରିପୋର୍ଟଟି ଚୀନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ହେଁ ସେଭଳି ଦଶା ଭୋଗି ନ ଥିବାରୁ ଅନେକ ପର୍ଯ୍ୟବେକ୍ଷକ ଏହି ସମ୍ବାଦର ସତ୍ୟତା ନେଇ ନିଃସନ୍ଦେହ। ସେହି ପରିପ୍ରେକ୍ଷୀରେ ସେମାନେ କହିଥାଆନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକା ଦୃଷ୍ଟିରେ ତାଇୱାନ ପୁତ୍ରପ୍ରତିମ ପ୍ରିୟ ହୋଇଥିବାରୁ ଏଭଳି ଏକ ଆକ୍ରମଣରେ ଆମେରିକା ସଂପୃକ୍ତ ହୋଇ ପଡ଼ିବାର ସମ୍ଭାବନା ଅତ୍ୟନ୍ତ ଅଧିକ, ଯାହା ତୃତୀୟ ମହାଯୁଦ୍ଧକୁ ଜନ୍ମ ଦେଇପାରେ। ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ପରିପ୍ରେକ୍ଷୀରେ ଦ୍ବିତୀୟ ମହାଯୁଦ୍ଧ ସକାଶେ କ୍ଷେତ୍ର ପ୍ରସ୍ତୁତ କରିଥିବା ଘଟଣାବଳୀ ସହିତ ସାଂପ୍ରତିକ ଘଟଣାକ୍ରମର ସାମଂଜସ୍ୟ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ, ଯାହା ଉପେର ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ବିଂଶ ଶତାବ୍ଦୀର ଦ୍ବିତୀୟ ଦଶକ ଥିଲା ଯୁକ୍ତରାଷ୍ଟ୍ର ଆମେରିକା ଲାଗି ‘ରୋରିଂ ଟ୍ବେଣ୍ଟିଜ୍’ ବା ‘ଉଚ୍ଚାଟଭରା ଦ୍ବିତୀୟ ଦଶକ’, କାରଣ ସେ ସମୟେର ମୁକ୍ତ ବିଚାର, ମୁକ୍ତ ବଜାର ଓ ସଘନ ଉଦ୍ୟୋଗୀକରଣ ହେତୁ ଆମେରିକା ପରିଣତ ହୋଇଥିଲା ବିପୁଳ ସଂପଦ ସୃଷ୍ଟି କରୁଥିବା ଏବଂ ପ୍ରାଚୁର୍ଯ୍ୟକୁ ପ୍ରାଣଭରି ଉପଭୋଗ କରୁଥିବା ଦେଶରେ। ପ୍ରକାଶ ଥାଉ କି ଅମାପ ସଂପଦ ସୃଷ୍ଟିର ସୁଯୋଗ, ସମ୍ଭାବନା, ସାମର୍ଥ୍ୟ ଓ ସାଫଲ୍ୟର ସେ ବୈଦ୍ୟୁତିକ ପରିବେଶରେ ‘ନ୍ୟୁୟର୍କ ଷ୍ଟକ ଏକସଚେଂଜ୍’ ହୋଇ ଯାଇଥିଲା ମୁକୁଟର ହୀରକ ସଦୃଶ। ଏଭଳି ସ୍ଥଳେ ଅଧିକରୁ ଅଧିକ ବିତ୍ତ ଉପାର୍ଜନ କରିବା ସକାଶେ ଧନୀ ଓ ଦରିଦ୍ର ନିର୍ବିଶେଷରେ ସମସ୍ତେ ‘ସେୟାର ବଜାର’ ମୁହାଁ ହୋଇଥିଲେ, ଯେଉଁ କାରଣରୁ ସେୟାର ମୂଲ୍ୟରେ ଅସ୍ବାଭାବିକ ବୃଦ୍ଧି ଘଟି ଧାରଣା ମଧ୍ୟ ଦୃଢ଼ ହୋଇ ଯାଇଥିଲା ଯେ ଅର୍ଥ ବ୍ୟବସ୍ଥା ଅତ୍ୟନ୍ତ ଦୋରସ୍ତ। ତେବେ ୧୯୨୯ ମସିହା ଅକ୍ଟୋବାର ୨୪, ଗୁରୁବାର ଏବଂ ଅକ୍ଟୋବର ୨୯, ମଙ୍ଗଳବାର ଦିନ ସେୟାର ବଜାର ସଂପୂର୍ଣ୍ଣ ଭୁଶୁଡ଼ି ନ ଗଲା ପର୍ଯ୍ୟନ୍ତ ହୁଏତ ଧାରଣା ହୋଇ ନ ଥିଲା ଯେ ଷ୍ଟକ ବଜାରର ଉଚ୍ଚାଟ କୃତ୍ରିମ ଥିଲା, ଯାହା ପତନକୁ ଅନିବାର୍ଯ୍ୟ କରି ଦେଇଥିଲା। ଆମେରିକାର ଇତିହାସ ଓ ଜନ ଚେତନାରେ ‘କଳା ଗୁରୁବାର’ ଓ ‘କଳା ମଙ୍ଗଳବାର’ ଭାବେ ଏ ଯାବତ୍ ଉତ୍କୀର୍ଣ୍ଣ ହୋଇ ରହିଥିବା ସେହି ଦୁଇ ଦିନକରେ ଲକ୍ଷଲକ୍ଷ ଆମେରିକୀୟ କ୍ଷଣିକେ ଦରିଦ୍ର ହୋଇଗଲେ ଏବଂ ଆମେରିକା ଏକ ଦୟନୀୟ ଆର୍ଥିକ ମାନ୍ଦାବସ୍ଥା ଅଧୀନକୁ ଚାଲି ଯାଇଥିଲା। ସେହି ସମୟରେ ରିଡ୍ ସ୍ମୁଟ ଏବଂ ଵିଲିସ୍ ହାଉଲି ନାମକ ଦୁଇ ସିନେଟର ବିଚକ୍ଷଣ ବୁଦ୍ଧିର ପରିଚୟ ଦେଇ ‘ଟାରିଫ୍’ ବା ‘ଆମଦାନି ଶୁଳ୍କ’ରେ ଅହେତୁକ ବୃଦ୍ଧି ଘଟାଇବାର ପ୍ରସ୍ତାବ ଆଣି ତାହାକୁ ରୂପ ଦେବାରେ ସମର୍ଥ ହୋଇଥିଲେ, ଯେମିତି ଏବେ ହୋଇଛି। ଏହି ପଦକ୍ଷେପରେ କୋଡ଼ିଏ ହଜାର ସରିକି ଦ୍ରବ୍ୟ ଉପରେ ଅତ୍ୟଧିକ ଆମଦାନି ଟିକସ (ଟାରିଫ) ଲାଗୁ କରାଯାଇଥିଲା। ଏହାର ପ୍ରତିକ୍ରିୟାରେ ୟୁରୋପୀୟ ଦେଶମାନେ ମଧ୍ୟ ଆମଦାନି କର ବୃଦ୍ଧି କଲେ, ଯହିଁରୁ ଏକ ‘ଟ୍ରେଡ୍ ୱାର୍’ ବା ‘ବାଣିଜ୍ୟ ଯୁଦ୍ଧ’ ଜନ୍ମ ନେଇଥିଲା। ପରିଣତି ସ୍ବରୁପ ଆମେରିକା ଅଧିକ ମାନ୍ଦାବସ୍ଥାର ଶିକାର ହେଲା ଏବଂ ୟୁରୋପ ଓ ଅନ୍ୟାନ୍ୟ କେତେକ ଦେଶ ଦାରିଦ୍ର୍ୟ ଉତ୍ପୀଡ଼ିତ ହେଲେ। ଏଭଳି ସ୍ଥିତିରେ ୟୁରୋପୀୟ ଦେଶର ନାଗରିକମାନେ ଟାଣୁଆ ନେତାଙ୍କ ନେତୃତ୍ବ ଲୋଡ଼ି ହିଟଲର ବା ମୁସୋଲିନି ଏବଂ େସମାନଙ୍କ ଉତ୍କଟ ରାଷ୍ଟ୍ରବାଦ ଓ ଫାସିବାଦ ଲାଗି ପଥ ଉନ୍ମୁକ୍ତ କରିଦେଲେ। ସୁତରାଂ, ସମସ୍ତଙ୍କ ଅଲକ୍ଷ୍ୟରେ ମହାକାଳ ବକ୍ଷରେ ଦ୍ବିତୀୟ ମହାଯୁଦ୍ଧ ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇଗଲା। ଏହି ଇତିହାସରୁ ସଂକେତ ମିଳି ନ ଥାଏ କି ଯେ ବର୍ତ୍ତମାନ ଭଳି ସ୍ଥିତିରେ କୌଣସି ଅସତର୍କ କ୍ଷଣରେ ଏକ କ୍ଷୁଦ୍ର ସ୍ଫୁଲିଂଗ ମହାଯୁଦ୍ଧର ଦାବାନଳ ସୃଷ୍ଟି କରିଦେଇପାରେ?
ଏହି ସଂଦର୍ଭରେ ଆଲୋଚନା କ୍ରମରେ ଆମେରିକାର ବିଶିଷ୍ଟ ରାଜନୈତିକ ବିଶ୍ଳେଷକ ଫରିଦ ଜାକାରିଆଙ୍କ ଏକ ତର୍କ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭଳି ମନେ ହୁଏ। ସେ କହିଛନ୍ତି ଯେ ତାଇୱାନ ଉପରେ ଆକ୍ରମଣ କରି ତାକୁ ଅଧିକାର କରିବାକୁ ସଦା ଉଦ୍ଗ୍ରୀବ ଚୀନ କେବଳ ଏହି କାରଣରୁ ତହିଁରୁ ଦୂରେଇ ରହିଥାଏ େଯ କାଳେ ତଦ୍ଦ୍ବାରା ଆମେରିକାର ବଜାର ତା’ ସକାଶେ ବନ୍ଦ ହୋଇଯିବ, ଯେଉଁଠି ଚୀନର ବାର୍ଷିକ ରପ୍ତାନି ବା ବିକ୍ରୟର ପରିମାଣ ହେଉଛି ୪୪୦ ବିଲିଅନ ଡଲାର। ସେହି ଦୃଷ୍ଟିରୁ, ବର୍ତ୍ତମାନ ଚୀନ ଅନ୍ତତଃ ସେଭଳି ଭୟରୁ ମୁକ୍ତ, କାରଣ ଟ୍ରମ୍ପଙ୍କ ୧୪୫%ର ଆମଦାନି ଟିକସ ଆମେରିକା ବଜାରରେ ତା’ର ପ୍ରବେଶାଧିକାରକୁ ଛିନ୍ନ କରିଛି। ଏଭଳି ସ୍ଥିତିରେ ବିବ୍ରତ ବୋଧ କରିବାର ଯଥେଷ୍ଟ କାରଣ ଥିଲେ ହେଁ ଯାହା ଚୀନକୁ ପ୍ରତ୍ୟୟ ଯୋଗାଇଥିବ ବା ମାନସିକ ପ୍ରସ୍ତୁତି ପ୍ରଦାନ କରିଥିବ, ତାହା ହେଲା କୋଭିଡ୍ କାଳୀନ ଅତ୍ୟନ୍ତ ଦୀର୍ଘ, କଠୋର ଓ ନିରନ୍ଧ୍ର ‘ଲକ୍ଡାଉନ୍’ ସତ୍ତ୍ବେ ନିଜକୁ ସମ୍ଭାଳି ପାରିଥିବାର ଉପଲବ୍ଧି। ଜାକାରିଅା କହନ୍ତି ଯେ ଚୀନ ଏକ ଗଣତନ୍ତ୍ର ହୋଇ ନ ଥିବାରୁ ତା’ର ନେତୃତ୍ବ କୌଣସି ଜନମତକୁ ଭ୍ରୂକ୍ଷେପ କରି ନଥାଏ, ଯାହା ଯୁଦ୍ଧ ଭଳି ପରିସ୍ଥିତିରେ ସି ଜିନପିଙ୍ଗଙ୍କୁ ଅଧିକ ସୁହାଇବା ସୁନିଶ୍ଚିତ। ସୁତରାଂ, କେବଳ ଏତିକି କୁହାଯାଇପାରେ ଯେ ପୃଥିବୀର ଦୁଇ ସର୍ବାଧିକ ଶକ୍ତିିଶାଳୀ ରାଷ୍ଟ୍ରରେ ଦୁଇ ଅପରିଣାମଦର୍ଶୀ ନେତାଙ୍କ ଉପସ୍ଥିତି େହତୁ ଇତିହାସର ପୁନରାବୃତ୍ତି ଘଟିବାର ଆଶଙ୍କା ଅଧିକ।
ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଗ୍ରୀନଲାଣ୍ଡ କ୍ରୟ କରିବା କିମ୍ବା ପାନାମା କେନାଲର ନାମ ପରିବର୍ତ୍ତନ କରିବା ଅଥବା କାନାଡା ଭଳି ଏକ ବୃହତ୍ ରାଷ୍ଟ୍ରକୁ ଆମେରିକାର ଏକ ରାଜ୍ୟରେ ପରିଣତ କରିବା ଇତ୍ୟାଦିକୁ ନେଇ ପ୍ରଳାପ କଲା ଭଳି କହିବାକୁ ଲାଗିଥିଲେ, ସେତିକି ବେଳେ ଏହି ସ୍ତମ୍ଭରେ ତାଙ୍କୁ ଜଣେ ‘ହୁଣ୍ଡା ବାଳକ’ ବୋଲି ସଂବୋଧନ କରାଯାଇଥିଲା। ସେହି ଆଲେଖ୍ୟରେ ଏଭଳି ଉଦ୍ବେଗ ମଧ୍ୟ ପ୍ରକଟିତ ହୋଇଥିଲା ଯେ ଆମରିକାର ପ୍ରତିପକ୍ଷ ଓ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥ-ଶକ୍ତି ଚୀନ ମଧ୍ୟ ସି ଜିନପିଙ୍ଗ ନାମକ ଆଉ ଜଣେ ‘ହୁଣ୍ଡା ବାଳକ’ଙ୍କ ନେତୃତ୍ବାଧୀନ ହୋଇଥିବାରୁ ଏ ଦୁହିଁଙ୍କ ବଳ କଷାକଷି ସମଗ୍ର ପୃଥିବୀକୁ ସନ୍ତପ୍ତ କରିପକାଇବ। ସଚରାଚର ଦେଖାଯାଇଥାଏ ଯେ ଦୁଇ ହୁଣ୍ଡା ବାଳକଙ୍କ ବଳ ପରୀକ୍ଷା ‘ବାହୁ କୁସ୍ତି’ରୁ ଆରମ୍ଭ ହୋଇପାରେ, କିନ୍ତୁ ତହିଁରେ ସରି ନଥାଏ। ହୁଣ୍ଡା ବାଳକମାନଙ୍କ ସ୍ଫୀତ ଅହଙ୍କାର ସେମାନଙ୍କୁ ପରାଜୟ ସ୍ବୀକାର କରିବାକୁ ଦେଇ ନ ଥାଏ, ଯାହା ଫଳରେ ‘ବାହୁ କୁସ୍ତି’ଟି ଅବଲୀଳା କ୍ରମେ ଏକ ‘ପୂର୍ଣ୍ଣ ମଲ୍ଲ ଯୁଦ୍ଧ’କୁ ରୂପାନ୍ତରିତ ହୋଇଯାଇଥାଏ। ସମ୍ଭବତଃ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଏହି ବାସ୍ତବତାକୁ ହୃଦୟଙ୍ଗମ କରିଛନ୍ତି। ଯଦି ମଲ୍ଲ ଯୁଦ୍ଧଟି କେବଳ ହୁଣ୍ଡା ବାଳକ ଦ୍ବୟଙ୍କ ଭିତରେ ସୀମିତ ରହନ୍ତା, ତେବେ ତାହା ଏକ ହାସ୍ୟୋଦ୍ଦୀପକ ଦୃଶ୍ୟ ହୁଅନ୍ତା। କିନ୍ତୁ ଦୁର୍ଭାଗ୍ୟ, ଏଥିରେ ଅେନକ ରାଷ୍ଟ୍ର ଅବଲୀଳା କ୍ରମେ ସଂପୃକ୍ତ ହେବେ ଓ ଦାରୁଣ ମାନବ ଟ୍ରାଜେଡିକୁ ରୂପ ଦେବେ!