ଏଥିରେ ସନ୍ଦେହ ନାହିଁ ଯେ କୁକୁରଙ୍କୁ ଘୃଣା ବା ଶ୍ରଦ୍ଧା କରୁଥିବା ଉଭୟ ବର୍ଗ ଚାହାନ୍ତି ଯେ ବୁଲା କୁକୁରଙ୍କ ସଂଖ୍ୟାରେ ସ୍ଖଳନ ଘଟୁ, ଯାହା ଉଭୟ ମନୁଷ୍ୟ ଓ ବୁଲା କୁକୁରଙ୍କ ଲାଗି ମଙ୍ଗଳକର। କିନ୍ତୁ ମୂଳ କଥାଟି ହେଲା, ଏଥି ଲାଗି ଏକ ବହୁମୁଖୀ ଓ ନିରନ୍ତର ପ୍ରୟାସ ଜରୁରି, ଯାହା ସମୟସାପେକ୍ଷ ମଧ୍ୟ ହୋଇପାରେ।

Advertisment

ଗଲା ଦେଢ଼ ସପ୍ତାହ ଧରି ଯେଉଁ ପ୍ରସଙ୍ଗଟି ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ସଡ଼କ, ଆଲୋଚନା ମଞ୍ଚ ଏପରିକି ସର୍ବୋ‌ଚ୍ଚ ଅଦାଲତଙ୍କୁ ତର୍କ-ବିତର୍କ ମୁଖର କରି ରଖିଆସିଛି, ତାହା ଭାରତୀୟ ସଡ଼କରେ ସର୍ବବିଦ୍ୟମାନ ଚତୁଷ୍ପଦ ବୁଲା କୁକୁରମାନଙ୍କ ଉପଦ୍ରବକୁ କେନ୍ଦ୍ର କରି, ଯେଉଁ ପ୍ରାଣୀଗୁଡ଼ିକ ଅଗତ୍ୟା ମନୁଷ୍ୟର ସର୍ବାଧିକ ବିଶ୍ବାସୀ ବନ୍ଧୁ ରୂପେ ମଧ୍ୟ ଖ୍ୟାତ! ଏହି ସ୍ତମ୍ଭର ସମସ୍ତ ପାଠକ-ପାଠିକା ଜାଣିଥିବେ ଯେ ଦିଲ୍ଲୀରେ କିଛି ବୁଲା କୁକୁରଙ୍କ ଆକ୍ରମଣ ହେତୁ ଗୋଟିଏ କୁନି ଝିଅ ମୃତ୍ୟୁ ବରଣ କରିବା ଭଳି ଏକ ଅତ୍ୟନ୍ତ ମର୍ମନ୍ତୁଦ ଅଘଟଣ ପରେ ବିଚଳିତ ମାନ୍ୟବର ସର୍ବୋଚ୍ଚ ଅଦାଲତ ନିଜ ଆଡୁ ସମସ୍ୟାଟିକୁ ବିଚାର ପରିସରଭୁକ୍ତ କରି ରାୟ ଦେଇଥିଲେ ଯେ ଆଠ ଦିନ ମଧ୍ୟରେ ପୌର ନିଗମ ପକ୍ଷରୁ ସହରର ସବୁ ବୁଲା କୁକୁରଙ୍କୁ ଅଡ଼େଇ ବା ଟେକି ନେଇ କୁକୁର ଆଶ୍ରୟ ଗୃହଗୁଡ଼ିକରେ ଆବଦ୍ଧ କରାଯାଉ। କିନ୍ତୁ ଉପ‌େରାକ୍ତ ରାୟ ଏଭଳି ବ୍ୟାପକ ବିରୋଧ, ସଡ଼କ ପ୍ରତିବାଦ ଏବଂ ସାମାଜିକ ଗଣମାଧ୍ୟମ କଳହ ସୃଷ୍ଟି କରିଥିଲା ଯେ ଗଲା ୨୨ ତାରିଖ ଦିନ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ପୂର୍ବ ରାୟରେ ପରିବର୍ତ୍ତନ ଘଟାଇ ଆଉ ଏକ ରାୟ ପ୍ରଦାନ କରାଗଲା, ଯାହା ପରିବେଶକୁ ଶୀତଳ କରିଛି। କିନ୍ତୁ କଥା ହେଲା, ବୁଲା କୁକୁରମାନଙ୍କ ପ୍ରାଦୁର୍ଭାବ ଓ ତା’ର ସମାଧାନ, ମନୁଷ୍ୟମାନଙ୍କ ଉପରେ ସେମାନଙ୍କ ନିର୍ଭରଶୀଳତା ଓ ସେମାନଙ୍କ ଅସ୍ତିତ୍ବ ସଂକଟକୁ ଘେନି ମୂଳ ପ୍ରସଙ୍ଗମାନ ସଘନ ଆଲୋଚନା ଓ କାର୍ଯ୍ୟାନୁଷ୍ଠାନ ଲାଗି ଅବକାଶ ସୃଷ୍ଟି କରିଛି। 
ମାନ୍ୟବର ସୁପ୍ରିମ ‌େକାର୍ଟଙ୍କ ପ୍ରଥମ ରାୟଟି ସଂପୂର୍ଣ୍ଣ ରୂପେ ଅପାଳନୀୟ ଥିଲା, କାରଣ ଦିଲ୍ଲୀର କୁକୁର ଆଶ୍ରୟ ସ୍ଥଳଗୁଡ଼ିକରେ ଅତି ଅଧିକରେ ହୁଏତ ୨-୩ ହଜାର କୁକୁର କଷ୍ଟେମଷ୍ଟେ ସ୍ଥାନ ପାଆନ୍ତେ; ଏଣେ, ଦିଲ୍ଲୀର ବୁଲା କୁକୁରଙ୍କ ସଂଖ୍ୟା ହେଉଛି ପ୍ରାୟ ୧୦ ଲକ୍ଷ। ପୁଣି ଅଦାଲତଙ୍କ ଦ୍ବାରା ଧାର୍ଯ୍ୟ ସମୟ ସୀମା ଥିଲା ମାତ୍ର ଆଠ ଦିନ। ସୁତରାଂ, ଏଭଳି ଏକ ନିୟମକୁ ପାଳନ କରାଯିବାର ଅର୍ଥ ପ୍ରକାରାନ୍ତରେ କୁକୁରମାନଙ୍କ ସମୂହ ବଧ; ଯେଉଁ ଆଶଙ୍କା କାରଣରୁ ଅଗତ୍ୟା ପ୍ରାଣୀ ପ୍ରେମୀମାନେ ତୀବ୍ର ପ୍ରତିକ୍ରିୟାଶୀଳ ଓ ପ୍ରତିବାଦମୁଖର ହୋଇ ଉଠିଲେ। ଏହି ସଂଦର୍ଭରେ ମାଡ୍ରାସ ଆଇ.ଆଇ.ଟି. ଦ୍ବାରା ଲବ୍‌ଧ ଏକ ସୂଚନା ପ୍ରଣିଧାନଯୋଗ୍ୟ, ଯହିଁରୁ ହୃଦ୍‌ବୋଧ କରି ହୋଇଥାଏ ଯେ ଏଭଳି ଆଶଙ୍କା ଅମୂଳକ ମଧ୍ୟ ନୁହେଁ; କାରଣ ତାହା କହିଥିଲା ଯେ ଆଇ.ଆଇ.ଟି. କ୍ୟାଂପସ ଓ ତା’ର ଆଖପାଖ ଅଞ୍ଚଳରୁ ଖୁଆଡ଼କୁ ନିଆଯାଇଥିବା ବୁଲା କୁକୁରଙ୍କ ମଧ୍ୟରୁ ୩୦ ପ୍ରତିଶତ ବର୍ଷକ ମଧ୍ୟରେ ନିଶ୍ଚିହ୍ନ ହୋଇଯାଇଥିଲେ। କିନ୍ତୁ ବୁଲା କୁକୁରଗୁଡ଼ିକ ଦ୍ବାରା ସୃଷ୍ଟ ସମସ୍ୟା ଯେ ଅତ୍ୟନ୍ତ ଉତ୍କଟ, ତାହା ମଧ୍ୟ ସ୍ବୀକାର୍ଯ୍ୟ। ୨୦୧୯ ମସିହାରେ ହୋଇଥିବା ପ୍ରାଣୀ ଗଣନାର ତଥ୍ୟାନୁସାରେ ଭାରତରେ ବୁଲା କୁକୁରଙ୍କ ସଂଖ୍ୟା     ପ୍ରାୟ ୧.୫ କୋଟି(ଯାହା ସଂପ୍ରତି ଆହୁରି ଅଧିକ ହୋଇଥିବ); ଏକ ପରିସଂଖ୍ୟାନରୁ ଜଣାପଡ଼େ ଯେ ବର୍ଷକୁ ପ୍ରାୟ ୩୭ ଲକ୍ଷ ଭାରତୀୟ କୁକୁର କାମୁଡ଼ାର ଶିକାର ହୁଅନ୍ତି ଏବଂ ବାର୍ଷିକ ୫,୭୦୦ ଜଣ ତଜ୍ଜନିତ ଦୁରାରୋଗ୍ୟ ଜଳାତଙ୍କରେ ମୃତ୍ୟୁ ବରଣ କରନ୍ତି। ଏହା ଅବଶ୍ୟ ସତ ଯେ କୌଣସି ବୁଲା ଜନ୍ତୁ(ମୂଷା, ଚୁଚୁନ୍ଦ୍ରା, ବିରାଡ଼ି ସମେତ)ଙ୍କ କାମୁଡ଼ା ଜଳାତଙ୍କର କାରଣ ହୋଇପାରେ; କିନ୍ତୁ ପ୍ରତି ୪ଟି ଜନ୍ତୁ କମୁଡ଼ା ମଧ୍ୟରୁ ୩ଟି କୁକୁର କାମୁଡ଼ା ହୋଇ ସ୍ବାଭାବିକ ଭାବେ ଏହି ପ୍ରାଣୀଟିକୁ ଅଧିକ ଦୋଷଯୁକ୍ତ କରିଥାଏ। ଏଭଳି ସ୍ଥଳେ ବୁଲା କୁକୁରମାନଙ୍କ ସଂଖ୍ୟାର ନିୟନ୍ତ୍ରଣ ଏବଂ କ୍ରମ ହ୍ରାସମାନ କରିବାର ଉଦ୍ୟମ ଯେ ନିତାନ୍ତ ଜରୁରି, ତହିଁରେ କୌଣସି ଦ୍ବିମତ ନାହିଁ। ଏହି ପରିପ୍ରେକ୍ଷୀରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ସଦ୍ୟତମ ରାୟ ଯଥୋଚିତ ଭଳି ମନେ ହୁଏ, ଯହିଁରେ କୁକୁରମାନଙ୍କ ବନ୍ଧ୍ୟାକରଣ ଓ ଟିକାକରଣ(‘ଭେକସିନେସନ’) ଅଭିଯାନ ଉପରେ ଗୁରୁତ୍ବ ଆରୋପ କରାଯାଇଛି। ଏହା ସହିତ ଘର ସାମନାରେ କୁକୁରଙ୍କୁ ଖାଦ୍ୟ ଦେବାର ଅଭ୍ୟାସ ଉପରେ ଅଦାଲତ ନିଷେଧାଦେଶ ଜାରି କରି ପ୍ରତ୍ୟେକ ୱାର୍ଡରେ ଏକ ‘କୁକୁର ଖୁଆଇବା ଅଞ୍ଚଳ’ ଚିହ୍ନଟ କରିବାକୁ ଆଦେଶ ଦେଇଛନ୍ତି, ଯେଉଁଠି ଆଗ୍ରହୀ ବ୍ୟକ୍ତିବିଶେଷ ବୁଲା କୁକୁରମାନଙ୍କୁ ଖାଇବାକୁ ଦେଇ ପାରିବେ। କୁକୁରମାନଙ୍କ ବ୍ୟବହାରକୁ ଅନୁଧ୍ୟାନ କରୁଥିବା ବିଶେଷଜ୍ଞମାନେ କହିଥାଆନ୍ତି ଯେ ଘର ସାମନାରେ ଖାଦ୍ୟ ଦିଆଗଲେ କୁକୁରଗୁଡ଼ିକ ଅଗତ୍ୟା ସେହି ଘରକୁ ଆପଣାର ମନେ କରି କୌଣସି ଅପରିଚିତ ହତା ପ୍ରବେଶକାରୀଙ୍କୁ ଆକ୍ରମଣ କରିଥାଆନ୍ତି। ସେମାନଙ୍କ ମତରେ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟଟି ଅନୁପାଳନଯୋଗ୍ୟ, ଯାହାର ନିଷ୍ଠାପର ରୂପାୟନ ସହରର ସଡ଼କଗୁଡ଼ିକୁ ବୁଲା କୁକୁର ମୁକ୍ତ ହେବା ଦିଗରେ ବାଟ କଢ଼ାଇବ।
ପୃଥିବୀର ସମସ୍ତ ଦେଶରେ ବୁଲା କୁକୁର ସମସ୍ୟାର ସମାଧାନ ଲାଗି ନିୟମ, ଆଇନ ଓ ନିରନ୍ତର ଉଦ୍ୟମ ପରିଦୃଷ୍ଟ ହୋଇଥାଏ, ଯହିଁରେ ସଂଖ୍ୟା ବୃଦ୍ଧିକୁ ପ୍ରତିହତ କରିବାରେ ଜନ୍ମ ନିୟନ୍ତ୍ରଣ ହିଁ ସଫଳତମ ଉପାୟ ରୂପେ ପ୍ରମାଣିତ ହୋଇଛି। ନବମ ଦଶକରୁ ଏ ଦିଗରେ ପଥୀକୃତ୍‌ ଉଦ୍ୟମ କରି ନେଦରଲାଣ୍ଡ ସଂପ୍ରତି ପୃଥିବୀର ଏକମାତ୍ର ବୁଲା କୁକୁର ଶୂନ୍ୟ ରାଷ୍ଟ୍ରର ବିରଳ ସ୍ବୀକୃତି ଲାଭ କରିଛି। ଆମ ଦେଶରେ ପ୍ରତ୍ୟେକ ପ୍ରସବକ୍ଷମ କୁକୁର ମୋଟ ହାରାହାରି ୧୨ରୁ ୧୫ ଶାବକଙ୍କୁ ଭୂମିଷ୍ଠ କରାଏ, ଯହିଁରୁ ପ୍ରାୟ ୬୩% ସଡ଼କ ଦୁର୍ଘଟଣା, ରୋଗ ଓ ଅନ୍ୟାନ୍ୟ କାରଣରୁ ଯୌବନରେ ପହଞ୍ଚି ପାରନ୍ତିନାହିଁ। ସେହି ଦୃଷ୍ଟିରୁ ଏକ ହିସାବ କହିଥାଏ ଯେ ୭୦% କୁକୁରଙ୍କ ବନ୍ଦ୍ୟାକରଣ ବଳରେ ସେମାନଙ୍କ ସଂଖ୍ୟାରେ ତୀବ୍ର ସଂକୋଚନ ଘଟାଯାଇ ପାରିବ। ସେହିଭଳି ସଘନ ଟିକାକରଣ ଦ୍ବାରା ସେମାନଙ୍କୁ ଜଳାତଙ୍କର ବାହକ ହେବାରୁ ମୁକ୍ତ କରାଯାଇପାରିବ। ଯଦିଓ ଭାରତର କେତେକ ସହର‌େର(ବେଙ୍ଗାଲୁରୁ ଭଳି) ଏ ନେଇ ପ୍ରୟାସ ହେଉଛି; ସମଗ୍ର ଦେଶରେ ଏକ ନୀତି ଆଧାରରେ ଉଦ୍ୟମ ପରିଦୃଷ୍ଟ ହୋଇନାହିଁ। ସେ ଦୃଷ୍ଟିରୁ ଏ କ୍ଷେତ୍ରରେ ପୃଥିବୀର ସର୍ବବୃହତ୍‌ ଅଭିଯାନ ଚଳାଇ ଥା‌ଇଲାଣ୍ଡ ଉଦାହରଣୀୟ ହେଲାଣି। କେବଳ ସେତିକି ନୁହେଁ, ପୋଷା କୁକୁରଗୁଡ଼ିକୁ ବିଭିନ୍ନ କାରଣରୁ ପରିତ୍ୟାଜ୍ୟ କରି ଦେଉଥିବା ଲୋକଙ୍କ ବିରୋଧରେ ମଧ୍ୟ ଅତ୍ୟନ୍ତ କଠୋର ଦଣ୍ଡର ପ୍ରାବଧାନ ଜରୁରି, ଯାହା ୟୁରୋପୀୟ ଦେଶଗୁଡ଼ିକରେ ଜେଲ ଦଣ୍ଡ ବା ଅତ୍ୟୁଚ୍ଚ ରାଶିର ଜରିମାନା ଆକାରରେ ଦେଖିବାକୁ ମିଳେ। ଉଲ୍ଲେଖଯୋଗ୍ୟ ଯେ ଅନେକ ଭାରତୀୟ ପରିବାର ହାଲୁକା ସଉକ ଚରିତାର୍ଥ କରିବା ଲାଗି ଅପେକ୍ଷାକୃତ ଅଧିକ ହିଂସ୍ର ବା ଅାକ୍ରମଣ-ସ୍ବଭାବଧାରୀ ବିଦେଶୀ ଜାତିର କୁକୁର ଆଣି ପାଳନ୍ତି ସିନା, କ୍ରମେ ସମ୍ଭାଳିବାକୁ ଅସମର୍ଥ ହେଲେ ସଡ଼କରେ ଛାଡ଼ି ଦିଅନ୍ତି; ଯେଉଁ କାରଣରୁ ଅକେନତ୍ର ଡୋବରମାନ, ଡାଲମାସିଏନ, ଜର୍ମାନ ସେଫର୍ଡ ଏପରିକି ରଟୱାଇଲରଙ୍କୁ ବୁଲା କୁକୁରଙ୍କ ମେଳରେ ଦେଖିବାକୁ ମିଳେ। ଏହି ପରିତ୍ୟକ୍ତ କୁକୁରଗୁଡ଼ିକ ସହସା ଅସୁରକ୍ଷିତ ହୋଇପଡ଼ି ଅଧିକ ହିଂସ୍ର ହୁଅନ୍ତି ଏବଂ କ୍ରମେ ସେମାନଙ୍କ ପ୍ରଭାବରେ ଆକ୍ରମଣକାରୀ କୁକୁର ଦଳଟିଏ ମଧ୍ୟ ସୃଷ୍ଟି ହୋଇଯାଏ। ଏହି ପରିପ୍ରେକ୍ଷୀରେ ବୁଲା କୁକୁରଗୁଡ଼ିକୁ ପୋଷ୍ୟ ରୂପେ ଗ୍ରହଣ କରିବାର ନିବେଦନ ଓ ପ୍ରୋତ୍ସାହନ ମଧ୍ୟ ମହତ୍ତ୍ବପୂର୍ଣ୍ଣ। ଏଥିରେ ସନ୍ଦେହ ନାହିଁ ଯେ କୁକୁରଙ୍କୁ ଘୃଣା ବା ଶ୍ରଦ୍ଧା କରୁଥିବା ଉଭୟ ବର୍ଗ ଚାହାନ୍ତି ଯେ ବୁଲା କୁକୁରଙ୍କ ସଂଖ୍ୟାରେ ସ୍ଖଳନ ଘଟୁ, ଯାହା ଉଭୟ ମନୁଷ୍ୟ ଓ ବୁଲା କୁକୁରଙ୍କ ଲାଗି ମଙ୍ଗଳକର। କିନ୍ତୁ ମୂଳ କଥାଟି ହେଲା, ଏଥି ଲାଗି ଏକ ବହୁମୁଖୀ ଓ ନିରନ୍ତର ପ୍ରୟାସ ଜରୁରି, ଯାହା ସମୟସାପେକ୍ଷ ମଧ୍ୟ ହୋଇପାରେ। 
ବିଡ଼ମ୍ବନାଟି ହେଲା ଏହି ପ୍ରାଣୀ ଜାତିଟି ଜଙ୍ଗଲରୁ ଆସି ଗୃହପାଳିତ ହେବା ଏବଂ ସମୟ କ୍ରମେ ସୀମାନ୍ତରିତ ହୋଇ ସଡ଼କକୁ ନିକ୍ଷେପିତ ହେବା ପଛରେ ମନୁଷ୍ୟର ସୁବିଧାବାଦ ଓ ସ୍ବାର୍ଥ ହିଁ ଦିଶିଥାଏ। କିନ୍ତୁ ମାନବର ଦୃଷ୍ଟିକୋଣରୁ ପରିଭାଷିତ ପୃଥିବୀରେ ଅନ୍ୟ ପ୍ରାଣୀମାନଙ୍କ ପକ୍ଷ ସ୍ବାଭାବିକ ଭାବେ ନିଷ୍ପ୍ରଭ! ଏ ସଂଦର୍ଭରେ ଏକ କ୍ଷୁଦ୍ର ମେକ୍‌ସିକୀୟ ଲୋକଗଳ୍ପ ମନକୁ ଆସଥାଏ। ଗୋଟିଏ ଖଚରକୁ ନିର୍ଧୂମ ଖଟାଉଥିବା ଜଣେ ଚାଷୀ କେବଳ ଈଶ୍ବରଙ୍କ ଭୟରେ ରବିବାର ଦିନ ତା’ ଲାଗି ବିଶ୍ରାମର ବ୍ୟବସ୍ଥା କରିଥାଏ। ଦିନେ କୌଣସି ବିଶେଷ କାର୍ଯ୍ୟ ହେତୁ ରବିବାର ଦିନ ଚାଷୀ ଖଚରକୁ ନେଇ ବାହାରିବା ବେଳେ ଖଚର ନମ୍ର ଭାବେ ପଚାରେ, ‘ମାଲିକେ, ଆଜି ପରା ରବିବାର!’ ଖଚରଟି ମଣିଷ ଭଳି କଥା କହୁଥିବା ଶୁଣି ଚାଷୀ ହାଉଳି ଖାଇ ଦୌଡ଼ି ଯାଇ ତା’ ପତ୍ନୀକୁ ସମସ୍ତ ବୃତ୍ତାନ୍ତ କହୁଥିବା ବେଳେ ଚାଷୀର ପତ୍ନୀ ଶୁଣେ ଯେ ପାହାଚରେ ଶୋଇଥିବା ବିରାଡ଼ିଟି ଅଦୂରସ୍ଥ କୁକୁରକୁ କହୁଛି, ‘ହାୟ, ଆମେ କଥା କହୁ ବୋଲି ଏମାନେ ଏବେ ଜାଣିଲେ!’ କହିବାର ତାତ୍ପର୍ଯ୍ୟ ହେଲା କୁକୁରମାନଙ୍କ କଥା ଶୁଣି ହୁଏନାହିଁ ବୋଲି ହୁଏତ ବୁଝା ପଡୁନାହିଁ ଯେ ସେମାନେ ମଧ୍ୟ ନିଜ ସଂଖ୍ୟାରେ ସଂକୋଚନ ଚାହୁଁଛନ୍ତି! କାରଣ ତାହା ହେଲେ ଯାଇ ସେମାନଙ୍କ ପରମ ମିତ୍ର ମନୁଷ୍ୟ ସହିତ ସଂଘାତର ସମ୍ଭାବନା କ୍ଷୀଣ ହୋଇ ସରସ ସହାବସ୍ଥାନର ବାତାବରଣ ସୃଷ୍ଟି ହୁଅନ୍ତା! କିଏ ଜାଣେ?