ସରକାରଙ୍କ ବିଶ୍ବାସ ଯେ ମୂଲ୍ୟ ହ୍ରାସ ଘଟିବା କାରଣରୁ ଭାରତୀୟମାନଙ୍କ ନିକଟରେ ଉଦ୍ବୃତ୍ତ ଅର୍ଥର ପରିମାଣ ବୃଦ୍ଧି ପାଇବ, ଯାହାକୁ ସେମାନେ ଅଧିକରୁ ଅଧିକ ଦ୍ରବ୍ୟ କ୍ରୟରେ ବ୍ୟୟ କରିବେ ଏବଂ ସେହି ମାର୍ଗରେ ସରକାରଙ୍କ ଆୟ ସଂକୋଚନର ଭରଣା ମଧ୍ୟ ହୋଇଯିବ। କହିବା ବାହୁଲ୍ୟ ଯେ ନୂଆ ‘ଜି.ଏସ୍.ଟି.’ ବ୍ୟବସ୍ଥା ଦ୍ବାରା ଉଲ୍ଲସିତ ଭାରତୀୟଙ୍କ ଭିଡ଼ରେ ଆସନ୍ତା ପୂଜା ଓ ଦୀପାବଳିର ବଜାର ଅଣନିଃଶ୍ବାସୀ ହୋଇ ଉଠିବ।
ଗଲା ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରାଷ୍ଟ୍ରବାସୀଙ୍କ ସକାଶେ ପ୍ରତିଶ୍ରୁତ ‘ଦୀପାବଳି ଉପହାର’ ଇତିମଧ୍ୟରେ ପହଞ୍ଚିଯାଇଛି; ଅର୍ଥାତ୍ ‘ଗୁଡ୍ସ ଏଣ୍ଡ ସର୍ଭିସେସ୍ ଟ୍ୟାକ୍ସ’(ଦ୍ରବ୍ୟ ଓ ସେବା କର) ବା ସଂକ୍ଷେପରେ ‘ଜି.ଏସ୍.ଟି.’ରେ ସରକାରଙ୍କ ପକ୍ଷରୁ ଏକ ବ୍ୟାପକ ସଂଶୋଧନ ଅଣାଯାଇ ସଭିଙ୍କ ମୁହଁରେ ହସ ଫୁଟାଇବାର ଉଦ୍ୟମ କରାଯାଇଛି। ଏହା ଦ୍ବାରା ଜଟିଳ ବୋଲି ଆରୋପିତ ଓ ଅନୁଭୂତ ‘ଜି.ଏସ୍.ଟି.’ ବ୍ୟବସ୍ଥା ସରଳ ହେବା ଏବଂ ଅନେକ ଦୈନନ୍ଦିନ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ଅତ୍ୟାବଶ୍ୟକ ସେବାର ଦର ଶସ୍ତା ହେବାର ମାର୍ଗ ଫିଟିଛି। ୨୦୧୭ ମସିହାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ଟିକସ’ ନୀତିରେ ‘ଜି.ଏସ୍.ଟି.’ର ପ୍ରଚଳନ ଆରମ୍ଭ ହୋଇଥିଲେ ହେଁ ଏଥିରେ ନିହିତ ଅନେକ ଅସୁବିଧା ଓ ଜଟିଳତା ଏହାକୁ ବିବାଦୀୟ ଓ ବିରୋଧର ଶରବ୍ୟ କରିଥିଲା। କିନ୍ତୁ, ସରକାର ଏହାକୁ ଯୁଗ ପ୍ରବର୍ତ୍ତକ ସଂସ୍କାର ବୋଲି ଦର୍ଶାଇ ତହିଁରେ ବିଶେଷ କୌଣସି ପରିବର୍ତ୍ତନ ଆଣିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ସହସା ଏଭଳି ଏକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ କାହିଁକି ନିଆଗଲା, ତାହା ଅନେକତ୍ର ‘ଆକଳନ, ଅନୁମାନ ଓ ଆଲୋଚନା’ର ବିଷୟ ହୋଇଛି, ଯାହାକୁ ନେଇ ଏକ କ୍ଷୁଦ୍ର ଚର୍ଚ୍ଚା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହା ସୁବିଦିତ ଯେ ୨୦୧୭ ମସିହାର ‘ଜି.ଏସ୍.ଟି.’ ପ୍ରାବଧାନରେ କ୍ରୟ-ବିକ୍ରୟ ଯୋଗ୍ୟ ସମସ୍ତ ଦ୍ରବ୍ୟ ଓ ସେବା ମଧ୍ୟରୁ ମାତ୍ର ୩%କୁ ଛାଡ଼ି ଦେଲେ ଅବଶିଷ୍ଟ ୯୭% ଉପରେ ଯଥାକ୍ରମେ ୫%, ୧୨%, ୧୮% ଓ ୨୮% ସଂବଳିତ ଏକ ଚାରିଥାକିଆ ଟିକସ ବ୍ୟବସ୍ଥା ଲାଗୁ କରାଯାଇଥିଲା, ଯାହା ଏହି ନୂତନ ବ୍ୟବସ୍ଥାରେ ଦୁଇଥାକିଆ ହୋଇଛି, ଯଥା କେବଳ ୫ ଓ ୧୮ ପ୍ରତିଶତ ହାରରେ ଟିକସ। ଏଥିରେ ନିତ୍ୟ ବ୍ୟବହୃତ ଯାବତୀୟ ଦ୍ରବ୍ୟ ଉପରେ ଟିକସ ମୁଖ୍ୟତଃ ୧୨% ବା ୧୮%ରୁ ୫%କୁ ହ୍ରାସ ପାଇଛି, ଯଦ୍ଦ୍ବାରା ସେଗୁଡ଼ିକର ବଜାର ମୂଲ୍ୟରେ ସଂକୋଚନ ଘଟି ସାଧାରଣ ଭାରତୀୟଙ୍କୁ ବିଶେଷ ଭାବେ ଉପକୃତ କରିବ। ଉଲ୍ଲେଖଯୋଗ୍ୟ ଯେ ସଂପ୍ରତି ବିସ୍କୁଟ ବା ଚା’ ବା ସାବୁନ ଭଳି ଦ୍ରୁତ ବିକ୍ରୟଶୀଳ ଦ୍ରବ୍ୟର ବ୍ୟବସାୟେର ଆଖିଦୃଶିଆ ସ୍ଖଳନ ଘଟିଥିଲା, ଯାହାର ଏକ ମୁଖ୍ୟ କାରଣ ରୂପେ ‘ଜି.ଏସ୍.ଟି.’ ଉପରାନ୍ତ ଉଚ୍ଚା ମୂଲ୍ୟ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିଲା। ସେହିଭଳି ସାଧାରଣ ଭାରତୀୟଙ୍କ ଅଭିଳଷିତ ଦ୍ରବ୍ୟ ଯେମିତିକି ଏୟାର-କଣ୍ଡିସନର ବା କଂପ୍ୟୁଟର ବା ଫ୍ରିଜ ବା ଛୋଟ କାର ଇତ୍ୟାଦି ଉପରେ ପୂର୍ବର ୨୮% ଟିକସ ହାରକୁ କମାଇ ୧୮% କରାଯାଇଛି। ତେବେ, ଯାହା ନିର୍ଦ୍ଦିଷ୍ଟ ଭାବେ ଏହି ନୂତନ ବ୍ୟବସ୍ଥାର ହୃଦୟବତ୍ତାକୁ ଦର୍ଶାଏ, ତାହା ହେଲା ଜୀବନ ବୀମା, ସ୍ବାସ୍ଥ୍ୟ ବୀମା, କ୍ୟାନସର ଭଳି ବ୍ୟାଧିର ଉପଚାର ସକାଶେ ଆବଶ୍ୟକ ଔଷଧ ତଥା ଜୀବନ ରକ୍ଷାକାରୀ ଆଉ ୩୩ଟି ଔଷଧ ସଂପୂର୍ଣ୍ଣ ନିଃଶୁଳ୍କ ହେବା; ‘ନିଷ୍ଠୁର’ ରୂପେ ଅଭିହିତ ପୂର୍ବର ବ୍ୟବସ୍ଥାରେ ଯାହା ୧୨ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଅଧୀନରେ ଆସୁଥିଲା। ସେହିଭଳି ଏହି ନୂଆ ବ୍ୟବସ୍ଥାରେ ସତର୍କ ଗାର୍ଜନସୁଲଭ ମନୋଭାବ ଦର୍ଶାଇ ସରକାର ‘ପାପ ଦ୍ରବ୍ୟ’ ରୂପେ ପରିଚିତ ସିଗାରେଟ, ବିଡ଼ି ଓ ଗୁଟଖା ଭଳି ତମାଖୁଜାତ ପଦାର୍ଥ, ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ମାତ୍ରାଧିକ ଚିନି ମିଶ୍ରିତ ମୃଦୁ ପାନୀୟ ଇତ୍ୟାଦି ଉପରେ ଅତ୍ୟୁଚ୍ଚ ୪୦% ହାରରେ ଟିକସ ଧାର୍ଯ୍ୟ କରିଛନ୍ତି। କହିବା ଅନାବଶ୍ୟକ ଯେ ଏହି ନୂଆ ବ୍ୟବସ୍ଥା ଦ୍ବାରା କେବଳ ଗ୍ରାହକ ନୁହନ୍ତି, କ୍ଷୁଦ୍ର ଓ ମଧ୍ୟମ ସ୍ତରର ବ୍ୟବସାୟୀ, ଉଦ୍ୟୋଗୀ ଓ ଦୋକାନୀମାନେ ମଧ୍ୟ ଆଶ୍ବସ୍ତ ହେବେ, କାରଣ ପୁରୁଣା ବ୍ୟବସ୍ଥାର ନିଘଞ୍ଚ ଜଂଜାଳରୁ ସେମାନେ ଅନେକାଂଶରେ ମୁକ୍ତ ହେବେ। କାରଣ ବିଭିନ୍ନ ଦ୍ରବ୍ୟ ଉପରେ ଭିନ୍ନ ଭିନ୍ନ ହାରରେ ଟିକସ ଲାଗୁଥିବାରୁ ଦ୍ରବ୍ୟଗୁଡ଼ିକର ବିକ୍ରୟ ପରେ ପଣ୍ୟ ଅନୁସାରେ ଟିକସର ବର୍ଗୀକରଣ କରି ପ୍ରତ୍ୟେକ ଦିନ ତାକୁ ‘ଜି.ଏସ୍.ଟି.ଏଲ୍’ ପୋର୍ଟାଲରେ ‘ଅପଲୋଡ୍’ କରିବା ଅନେକ କ୍ଷୁଦ୍ର ଓ ମଧ୍ୟମ ସ୍ତରୀୟ ବ୍ୟବସାୟୀଙ୍କ ସକାଶେ ସମୟ ଓ ବୈଷୟିକ ଜ୍ଞାନ ଦୃଷ୍ଟିରୁ ସାମର୍ଥ୍ୟ ବହିର୍ଭୂତ ହୋଇ ଉଠିଥିଲା, ଯଦ୍ଦ୍ବାରା ସେମାନେ ବାଧ୍ୟ ହୋଇ ଏ ସଂକ୍ରାନ୍ତ ବିଶେଷ ଜ୍ଞାନଧାରୀଙ୍କ ଠାରୁ ଦେୟଯୁକ୍ତ ସହାୟତା ଲୋଡ଼ିବାକୁ ବାଧ୍ୟ ହେଉଥିଲେ ଏବଂ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ଏଭଳି ଜଂଜାଳରେ ଅତିଷ୍ଠ ହୋଇ ଅନେକ ବ୍ୟବସାୟୀ ସେମାନଙ୍କ କାରବାର ବନ୍ଦ କରି ଦେଇଥିଲେ ବା କାରବାର ଚଳାଇ ରଖିବାର ଅସହାୟତା କାରଣରୁ ଅନେକ ବ୍ୟବସାୟ ମୁମୂର୍ଷୁ ବା ମୃତ ହୋଇ ଯାଇଥିଲେ। ସୁତରାଂ, ପ୍ରାୟ ସମସ୍ତ ବର୍ଗ ଲାଗି ଯେ ନୂତନ ‘ଜି.ଏସ୍.ଟି.’ ବ୍ୟବସ୍ଥା ସ୍ବାଗତଯୋଗ୍ୟ ହୋଇଛି, ତାହା କହିବାରେ ଦ୍ବିଧା ନାହିଁ।
ସର୍ବୋଚ୍ଚ ୪୦% ‘ଜି.ଏସ୍.ଟି.’ ଅନ୍ତର୍ଭୁକ୍ତ ୩୫୦ ସି.ସି. ଶକ୍ତି ସଂପନ୍ନ ମୋଟର ବାଇକ୍ ଭଳି ମୁଷ୍ଟିମେୟ କିଛି ସାମଗ୍ରୀକୁ ଦର୍ଶାଇ ନୂତନ ବ୍ୟବସ୍ଥାରେ ନିହିତ ଅସାମଞ୍ଜସ୍ୟ ବିଷୟ ଯଦିଓ ଆଲୋଚିତ ହେଉଛି, ପୂର୍ବ ବ୍ୟବସ୍ଥାରେ ଥିବା ଅସାମଞ୍ଜସ୍ୟ ବହୁଳତା ତୁଳନାରେ ଏହା ନଗଣ୍ୟ। ଏବଂ ୨୦୧୭ ମସିହାରେ ଏହାର ପ୍ରଚଳନ ଦିନରୁ ହିଁ ଏହା ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀଙ୍କ ଚିତ୍କାର ଠାରୁ ଆରମ୍ଭ କରି ସାଧାରଣ ନାଗରିକଙ୍କ ଗୁଂଜରଣ ମାଧ୍ୟମରେ ବିରୋଧ ପ୍ରକଟ କରିଥିଲା। ‘ଜି.ଏସ୍.ଟି.’ର ସଂକ୍ଷିପ୍ତ ରୂପକୁ ପରିବର୍ଦ୍ଧନ କରି ରାହୁଳ ଗାନ୍ଧୀ ତାହାକୁ ‘ଗବ୍ବର ସିଂହ ଟ୍ୟାକସ’ ବୋଲି ଅଭିହିତ ମଧ୍ୟ କରିଥିଲେ, ଯାହା ପ୍ରକାରାନ୍ତରେ ‘ସୋଲେ’ ଚଳଚ୍ଚିତ୍ରର ଖଳନାୟକ ଡାକୁ ଗବ୍ବର ସିିଂହ ଦ୍ବାରା ଅସହାୟ ରାମଗଡ଼ ଗ୍ରାମବାସୀଙ୍କ ଠାରୁ ହପ୍ତା ବା ବଟି ଅସୁଲି ଆଡ଼କୁ ଇଙ୍ଗିତ କରିଥିଲା। ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଆଠ ବର୍ଷ କାଳ ଏଭଳି ବିରୋଧକୁ କର୍ଣ୍ଣପାତ କରି ନ ଥିବା ସରକାର ହଠାତ୍ ଏଭଳି ପଦକ୍ଷେପ ନେଲେ କାହିଁକି? ଅନେକ ପର୍ଯ୍ୟବେକ୍ଷକଙ୍କ ଅନୁମାନ ଯେ କାରଣଟି ରାଜନୈତିକ; ଅର୍ଥାତ୍ ଉଦ୍ଦେଶ୍ୟ ହେଲା ଆଗାମୀ ବିହାର ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଭୋଟରମାନଙ୍କୁ ପ୍ରଭାବିତ କରିବା। ଆଉ ଏକ ମତ କହିଥାଏ ଯେ ଡୋନାଲ୍ଡ ଟ୍ରଂପଙ୍କ ଟାରିଫ ଆକ୍ରମଣ ହେତୁ ଆମେରିକାରେ ରପ୍ତାନି ଅଯୋଗ୍ୟ ହୋଇପଡ଼ିଥିବା ଭାରତୀୟ ସାମଗ୍ରୀଗୁଡ଼ିକ ସକାଶେ ନିଜ ଦେଶରେ ବିକ୍ରୟ ସୁଯୋଗ ସୃଷ୍ଟି କରିବା ଲାଗି ହୁଏତ ଏହା ଏକ ଉଦ୍ୟମ। ଆଉ ଏକ ଉଲ୍ଲେଖଯୋଗ୍ୟ ବିଷୟ ହେଲା, ଏହି ପଦକ୍ଷେପ ଫଳରେ ସରକାରଙ୍କ ‘ଜି.ଏସ୍.ଟି.’ ଆୟରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ସଂକୋଚନ ଘଟିବ। କିନ୍ତୁ ସରକାରଙ୍କ ବିଶ୍ବାସ ଯେ ମୂଲ୍ୟ ହ୍ରାସ ଘଟିବା କାରଣରୁ ଭାରତୀୟମାନଙ୍କ ନିକଟରେ ଉଦ୍ବୃତ୍ତ ଅର୍ଥର ପରିମାଣ ବୃଦ୍ଧି ପାଇବ, ଯାହାକୁ ସେମାନେ ଅଧିକରୁ ଅଧିକ ଦ୍ରବ୍ୟ କ୍ରୟରେ ବ୍ୟୟ କରିବେ ଏବଂ ସେହି ମାର୍ଗରେ ସରକାରଙ୍କ ଆୟ ସଂକୋଚନର ଭରଣା ମଧ୍ୟ ହୋଇଯିବ। କହିବା ବାହୁଲ୍ୟ ଯେ ନୂଆ ‘ଜି.ଏସ୍.ଟି.’ ବ୍ୟବସ୍ଥା ଦ୍ବାରା ଉଲ୍ଲସିତ ଭାରତୀୟଙ୍କ ଭିଡ଼ରେ ଆସନ୍ତା ପୂଜା ଓ ଦୀପାବଳିର ବଜାର ଅଣନିଃଶ୍ବାସୀ ହୋଇ ଉଠିବ।
୧୯୮୫ ମସିହାରେ ଯେତେବେଳେ ଭାରତୀୟ ବଜାରରେ ପ୍ରଥମ କରି ‘ହିରୋ ହୋଣ୍ଡା’ ମୋଟର ସାଇକେଲର ଆବିର୍ଭାବ ଘଟିଲା, ସେତିକି ବେଳେ ତା’ର ସର୍ବାଧିକ ଆକର୍ଷଣୀୟ ବିଭାବଟି ଥିଲା ତା’ର ଇନ୍ଧନ ସାମର୍ଥ୍ୟ, ଅର୍ଥାତ୍ ମାତ୍ର ଏକ ଲିଟର ପେଟ୍ରୋଲରେ ତାହା ୮୦ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ି ପାରୁଥିଲା। ସେହି ସମୟରେ ‘ହିରୋ ହୋଣ୍ଡା’ ବିଜ୍ଞାପନରେ ସ୍ଥାନିତ ଅତି ପ୍ରସିଦ୍ଧ ସ୍ଲୋଗାନଟି ଥିଲା ‘ଫିଲ୍ ଇଟ୍, ସଟ୍ ଇଟ୍ ଏଣ୍ଡ ଫର୍ଗେଟ ଇଟ୍’ ଅର୍ଥାତ୍ ‘ଟାଙ୍କି ଭର, ବନ୍ଦ କର ଓ ଭୁଲି ଯାଅ’। କହିବାର ତାତ୍ପର୍ଯ୍ୟ ହେଲା ସେ ପର୍ଯ୍ୟନ୍ତ ମିତବ୍ୟୟୀ ଓ ସଞ୍ଚୟୀ ଭାରତ ପଇସା ବଞ୍ଚାଇବା ଉପେର ଗୁରୁତ୍ବ ଦେଉଥିଲା, ଯାହା ହୃଦୟଙ୍ଗମ କରି ବିଜ୍ଞାପନ ପ୍ରସ୍ତୁତକର୍ତ୍ତା ହୁଏତ ଏଭଳି ବିଜ୍ଞାପନଟିଏ ତିଆରି କରିଥିଲେ। କିନ୍ତୁ, ତା’ର ମାତ୍ର ଛଅ ବର୍ଷ ପରେ ଉଦାରୀକରଣ, ମୁକ୍ତ ବଜାର, ଇଚ୍ଛା କଲା ମାତ୍ରକେ ଦ୍ରବ୍ୟ କ୍ରୟ କରିବା ଲାଗି ସହଜ ଲଭ୍ୟ ଋଣ ଏବଂ ‘ଇ.ଏମ.ଆଇ.’ ମାଧ୍ୟମରେ ପରିଶୋଧ କରିବାର ସୁବିଧା ଆଦିର ସୂତ୍ରପାତ ଘଟି ଅଚିେର ମିତବ୍ୟୟୀ ଭାରତୀୟମାନଙ୍କୁ ‘ଖର୍ଚ୍ଚୀ ଭାରତୀୟ’ରେ ପରିଣତ କରିବାରେ ଲାଗିଥିଲା; ଯେଉଁଥି ଲାଗି ‘ହିରୋ ହୋଣ୍ଡା’ ବିଜ୍ଞାପନର ସେହି ସ୍ଲୋଗାନ କ୍ରମେ ତା’ର ପ୍ରାସଙ୍ଗିକତା ହରାଇ ବସିଥିଲା। ସୁତରାଂ, ସରକାର ସ୍ଥିର ନିଶ୍ଚିତ ଯେ ନୂଆ ‘ଜି.ଏସ୍.ଟି.’ ହେତୁ ଭାରତୀୟଙ୍କ ପକେଟରେ ବଳି ପଡୁଥିବା ଅର୍ଥ ପୁଣି ସେହି ବଜାରକୁ ହିଁ ଯିବ! ଅର୍ଥାତ୍ ସରକାର ଜଣେ ଦକ୍ଷ ବଇଦ ଭଳି ଭାରତୀୟମାନଙ୍କ ନାଡ଼ି ଚିପି ଓ ସ୍ପନ୍ଦନ ମାପି ପଦକ୍ଷେପଟିଏ ନେଇଛନ୍ତି।