ଶଂସିତ ଘଟଣାରେ ଜୋତା କ୍ଷେପଣକାରୀ ହେଉଛନ୍ତି ସେହି ଅଦାଲତର ଜେଣ ବରିଷ୍ଠ ଓକିଲ ଯିଏ ନିଜ ପ୍ରତିବାଦକୁ ତାଙ୍କ ଯୁକ୍ତି ବା ଭାଷା ମାଧ୍ୟମରେ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଅଧିକ ଦୃଢ଼ ଭାବେ ରଖି ପାରି ଥାଆନ୍ତେ! କିନ୍ତୁ ସେ ତାହା ନ କରି ଏକ ଅସାର କ୍ଷେପଣାସ୍ତ୍ରର ଆଶ୍ରୟ ନେଲେ, ଯାହା ଦୁର୍ଭାଗ୍ୟପୂର୍ଣ୍ଣ!
ଗଲା ସୋମବାର ଦିନ ସର୍ବୋଚ୍ଚ ଅଦାଲତର ମୁଖ୍ୟ ବିଚାରପତି ବି. ଆର. ଗୱାଇଙ୍କୁ ଲକ୍ଷ୍ୟ କରି ଜଣେ ଓକିଲଙ୍କ ଦ୍ବାରା ଜୋତା କ୍ଷେପଣ ଭଳି ଘଟଣା ସମଗ୍ର ଦେଶରେ ତୁମୂଳ ଆଲୋଡ଼ନ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ ସ୍ବାଧୀନତୋତ୍ତର ଭାରତବର୍ଷରେ ଶୀର୍ଷତମ ଅଦାଲତର ମୁଖ୍ୟ ବିଚାରପତିଙ୍କ କଥା ଦୂରେ ଥାଉ, କୌଣସି ଉଚ୍ଚ ଅଦାଲତର କୌଣସି ବିଚାରପତିଙ୍କ ପ୍ରତି ଏଭଳି ଗର୍ହିତ ଆଚରଣ ପ୍ରଦର୍ଶନରେ ଏହା ପ୍ରଥମ ଏବଂ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଅନସ୍ବୀକାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ଅବିଳମ୍ବେ ବିବୃତ୍ତି ପ୍ରଦାନ କରି ସାରିଲେଣି। କହିବାରେ ଦ୍ବିଧା ନାହିଁ ଯେ ଏହି ଉଦ୍ୟମରେ ନିହିତ ଥିବା ସାହସ ଓ ଅବଜ୍ଞା ଭାବ ଅତ୍ୟନ୍ତ ଉଦ୍ବେଗଜନକ, କାରଣ ତାହା ମୁଷ୍ଟିମେୟ ଉପଦ୍ରବକାରୀଙ୍କୁ ଉତ୍ସାହିତ କଲା ଭଳି ଏକ ଜଘନ୍ୟ ଦୃଷ୍ଟାନ୍ତରେ ପରିଣତ ହୋଇପାରେ! ଏଭଳି ସ୍ଥିତିରେ ଏହା ପଛର କାରଣ ଏବଂ ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ, କାରଣ ଏହି ଘଟଣା କିଭଳି ପତଳା ପରସ୍ତ ବହୁଳ ଏବଂ ଜଟିଳ ତାହା ହିଁ ଏତଦ୍ଦ୍ବାରା ସ୍ପଷ୍ଟ ହେବ।
ପ୍ରଥମେ ଚୁମ୍ବକରେ ଏହି ଘଟଣାର ପୃଷ୍ଠଭୂମି। ଖଜୁରାହୋରେ ଏକ ଭଗ୍ନ ବିଷ୍ଣୁ ପ୍ରତିମାର ମରାମତି ଲାଗି ଆଗତ ଏକ ଜନସ୍ବାର୍ଥ ମାମଲାକୁ ଗ୍ରହଣ ନ କରି ଜଷ୍ଟିସ ଗୱାଇ ପ୍ରଦାନ କରିଥିବା ମତର ସାରାଂଶ ଥିଲା ଯେ ଏଭଳି ସଂଦର୍ଭ ଅଦାଲତକୁ ନ ଆସି ପ୍ରତ୍ନତତ୍ତ୍ବ ବିଭାଗକୁ ଯିବା ସମୀଚୀନ; କିନ୍ତୁ ତହିଁରେ ଏକ ମନ୍ତବ୍ୟ ମଧ୍ୟ ଥିଲା ଯେ ‘ଭଗବାନଙ୍କୁ ଧ୍ୟାନର ସହିତ ପ୍ରାର୍ଥନା କର, କାଳେ ତୁମ ଅଭୀଷ୍ଟ ପୂରଣ ହୋଇ ଯାଇପାରେ!’ କହିବା ଅନାବଶ୍ୟକ ଯେ ଏଭଳି ମନ୍ତବ୍ୟ ହିନ୍ଦୁ ଧର୍ମୀୟ ଭାବନାକୁ କ୍ଷୁଣ୍ଣ କରିଛି ବୋଲି ତୀବ୍ର ଉଚ୍ଚାଟ ସୃଷ୍ଟି ହେବାରୁ ମୁଖ୍ୟ ବିଚାରପତି ତୁରନ୍ତ ଏକ ସ୍ପଷ୍ଟୀକରଣ ଦେଇଥିଲେ ଯେ ଏଭଳି କୌଣସି ଉଦ୍ଦେଶ୍ୟ ତାଙ୍କର ନ ଥିଲା ଏବଂ ସେ ସବୁ ଧର୍ମକୁ ସମ ଦୃଷ୍ଟିରେ ଦେଖନ୍ତି। କିନ୍ତୁ ଏହି ମନ୍ତବ୍ୟ ଯେ ଏକ ଅଛିଣ୍ଡା ଜଟିଳତା ସୃଷ୍ଟି କରିବା ଅନିବାର୍ଯ୍ୟ ଥିଲା, ତାହା ସାମାନ୍ୟ ଦୂରଦର୍ଶତା ଅବଶ୍ୟ ସୂଚଇ ଦିଅନ୍ତା। କାରଣ, ଜଷ୍ଟିସ ଗୱାଇ ହେଉଛନ୍ତି ଦଳିତ ବର୍ଗର ଏବଂ ହିନ୍ଦୁ ଧର୍ମରେ ଗଭୀର ଭାବେ ଅଙ୍ଗୀଭୂତ ଜାତି ବିଦ୍ବେଷର ତୀବ୍ରତା ସହ୍ୟ କରି ନ ପାରି ତାଙ୍କ ପରିବାର ଧର୍ମାନ୍ତରିତ ହୋଇ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ସୁତରାଂ, ତାଙ୍କ ମନ୍ତବ୍ୟ ଦ୍ବାରା କଠୋରପନ୍ଥୀ ହିନ୍ଦୁମାନେ ଆହତ ହେବାରେ ବିସ୍ମୟର ବିଶେଷ କାରଣ ନ ଥାଏ। ତେଣୁ କୁହାଯାଇପାରେ ଯେ ସଂପ୍ରତି ଯେତେବେଳେ ଧର୍ମ ବା ଜାତି ବା ଭାଷା ଭଳି ପରିଚୟ ପ୍ରଦାନକାରୀ ବିଷୟମାନ ଅତ୍ୟନ୍ତ ସ୍ପର୍ଶକାତର ହୋଇ ଉଠିଛନ୍ତି, ସେତିକି ବେଳେ ମୁଖ୍ୟ ବିଚାରପତିଙ୍କ ଭଳି ଜଣେ ବିଜ୍ଞଙ୍କ ତୁଣ୍ଡରୁ ଏଭଳି ସ୍ଫୂରଣ ସଂପୂର୍ଣ୍ଣ ଅନାବଶ୍ୟକ ଥିଲା। ଏହା ମଧ୍ୟ ବିଭିନ୍ନ ଦୃଷ୍ଟାନ୍ତ ଦ୍ବାରା ପ୍ରମାଣିତ ହେବାରେ ଲାଗିଲାଣି ଯେ ଏଭଳି ଅେହତୁକ ଓ ଅକସ୍ମାତ ବିଚ୍ୟୁତି ଲାଗି ଦୁଃଖ ପ୍ରକାଶ ବା ପଶ୍ଚାତ୍ତାପ କଲେ ମଧ୍ୟ ପରିମାର୍ଜନ ସଂପୂର୍ଣ୍ଣ ହୋଇ ନ ପାରେ; କାରଣ ସାମାଜିକ ଗଣମାଧ୍ୟମର ପ୍ରଭାବରୁ ଏହା ସହଜେ ବିସ୍ମୃତ ହୋଇ ନ ଥାଏ ଏବଂ ଏଭଳି ସ୍ଥଳେ ମର୍ମଭେଦୀ ଉତ୍ତରଟିଏ ଦେବା ଲାଗି କକ୍ଷଚ୍ୟୁତ ଜ୍ୟୋତିଷ୍କ ଭଳି ଘୂରି ବୁଲୁଥିବା କୌଣସି ଅତୃପ୍ତ ମନ ସହସା ଆବିର୍ଭୂତ ହୋଇ ଉପଦ୍ରବ ରଚନା କରିପାରେ! ପ୍ରକାଶ ଥାଉ କି ଏହି ଘଟଣା ସର୍ବତ୍ର ଓ ସମସ୍ତଙ୍କ ଦ୍ବାରା ନିନ୍ଦାର ଶରବ୍ୟ ହେଉଥିବା ବେଳେ ଜୋତା କ୍ଷେପଣକାରୀ ତାଙ୍କ କାର୍ଯ୍ୟ ଲାଗି ଆଦୌ ଅନୁତପ୍ତ ନୁହନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ସଦର୍ପ ପ୍ରକାଶ କରିଛନ୍ତି। ଏଭଳି ଆଭିମୁଖ୍ୟ ହିଁ ପ୍ରକୃତ ଉଦ୍ବେଗର କାରଣ।
ଏଣେ, ମୁଖ୍ୟ ବିଚାରପତି ଅପୂର୍ବ ସ୍ଥିରତା ଓ ହୃଦୟବତ୍ତାର ପରିଚୟ ଦେଇ ଜୋତା କ୍ଷେପଣକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ କରିବାକୁ କହିଛନ୍ତି। କିନ୍ତୁ, ଏଭଳି ଆଗ୍ରହ ମଧ୍ୟ ଆଉ ଏକ ବିତର୍କର କାରଣ ହେଲାଣି। ଅଦାଲତ କକ୍ଷରେ ଆସୀନ ବିଚାରପତିଙ୍କୁ ଲକ୍ଷ୍ୟ କରି ଜୋତା ଫିଙ୍ଗିବା କେବଳ ଅଦାଲତ ଅବମାନନା ହୋଇ ନ ଥାଏ, ଏହା ଏକ ହିଂସ୍ର ଆକ୍ରମଣ ହୋଇଥିବାରୁ ଧର୍ତ୍ତବ୍ୟ ଅପରାଧ ପର୍ଯ୍ୟାୟବାଚୀ ହୋଇଥାଏ, ଯହିଁରେ ଆଇନାନୁସାରୀ ଦଣ୍ଡ ବିଧାନ ଏକ ସ୍ବାଭାବିକ ପ୍ରକ୍ରିୟା। ପୂର୍ବରୁ ଏଭଳି କାର୍ଯ୍ୟ କରି ଅନେକ ବ୍ୟକ୍ତି ଦଣ୍ଡିତ ମଧ୍ୟ ହୋଇଛନ୍ତି। ତେଣୁ, ପ୍ରଧାନ ବିଚାରପତି ବ୍ୟକ୍ତିଗତ ଭାବେ ଅଭିଯୁକ୍ତଙ୍କୁ କ୍ଷମା ପ୍ରଦାନ କଲେ ସୁଦ୍ଧା ଆଇନ ଦ୍ବାରା ସେ ବିଚାର ପରିସରଭୁକ୍ତ ହେବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ନିମ୍ନ ଅଦାଲତର ଜନୈକ ବିଚାରପତିଙ୍କ ‘ଏକ୍ସ’ ବାର୍ତ୍ତା ପ୍ରଣିଧାନଯୋଗ୍ୟ, ଯହିଁରେ ସେ ଆଶଙ୍କା ପ୍ରକଟ କରିଛନ୍ତି ଯେ ଏଭଳି କ୍ଷମା ପ୍ରଦାନ ଅନ୍ୟ ଉପଦ୍ରବକାରୀମାନଙ୍କ ଲାଗି ପ୍ରୋତ୍ସାହନମୂଳକ ହେବ ଏବଂ ଏହି କାରଣରୁ ବିନା ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥାରେ ଥିବା ନିମ୍ନ ଅଦାଲତଗୁଡ଼ିକର ବିଚାରପତିମାନେ ଏକ ଧମକଭରା ପରିବେଶରେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ତେଣୁ, ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଯେ ଅପରିହାର୍ଯ୍ୟ, ତାହା କହିବା ବାହୁଲ୍ୟ ମାତ୍ର। ଇତି ମଧ୍ୟରେ ଉଚ୍ଚ ଅଦାଲତର ବିଚାରପତି ପଦର ଗରିମା ଯେ ନିଷ୍ପ୍ରଭ ହେବାରେ ଲାଗିଲାଣି, ତହିଁରେ ସନ୍ଦେହ ନାହିଁ। କପିଳ ସିବଲ ବା ହରୀଶ ସାଲଭେଙ୍କ ଭଳି ବିଶିଷ୍ଟ ଓକିଲମାନଙ୍କ ମତରେ ଟେଲିଭିଜନରେ ଅଦାଲତୀ କାର୍ଯ୍ୟକଳାପ(ସେର୍ବାଚ୍ଚ ଅଦାଲତ)ର ସିଧା ପ୍ରସାରଣ ସହିତ ଏହି ଅବକ୍ଷୟର ପ୍ରାରମ୍ଭ ଘଟିଛି; ଏହା ଦ୍ବାରା ଜନସାଧାରଣଙ୍କ ଧୃଷ୍ଟତାପୂର୍ଣ୍ଣ ଓ ମୂଢ଼ ଅନୁଶୀଳନ ମଧ୍ୟକୁ ଚାଲିଆସି ସର୍ବୋଚ୍ଚ ଅଦାଲତ ତା’ର ଗାମ୍ଭୀର୍ଯ୍ୟ ହରାଇଛି। ହରୀଶ ସାଲଭେଙ୍କ ମତରେ ବିଚାର ପ୍ରକ୍ରିୟାରେ ‘ଚଟ୍ଟାମ ହାଉସ’ ନିୟମ ପାଳନ କରାଯିବା ଉଚିତ, ଯେଉଁ ନିୟମ ଅନୁସାରେ ରୁଦ୍ଧ ପ୍ରକୋଷ୍ଠରେ ସଂପୂର୍ଣ୍ଣ ସ୍ବାଧୀନତାର ସହିତ ବିଚାର ଆଲୋଚନା ହୋଇଥାଏ, କିନ୍ତୁ ଲୋକକ୍ଷେତ୍ରକୁ ସଂପୂର୍ଣ୍ଣ ବିବରଣୀ ଅଣାଯିବା ବେଳେ ତହିଁରେ ତଥ୍ୟ ଓ ସୂଚନାର ଉତ୍ସକୁ ପ୍ରକାଶ କରାଯାଇ ନ ଥାଏ। ତାଙ୍କ ମତରେ ଏଭଳି ଏକ ବ୍ୟବସ୍ଥା ନ ଥିବାରୁ ସର୍ବୋଚ୍ଚ ଅଦାଲତ କକ୍ଷରେ ବିଜ୍ଞ ବିଚାରପତି ଓ ବିଦ୍ବାନ ଓକିଲମାନଙ୍କ ମଧ୍ୟରେ ହେଉଥିବା ତୀକ୍ଷ୍ଣ ଯୁକ୍ତିତର୍କର ଗୁରୁତ୍ବ ନ ବୁଝି କୌଣସି ବିଚାରପତିଙ୍କ ମୁଖ ନିସୃତ ଗୋଟିଏ ଗୋଟିଏ ଅପ୍ରାସଙ୍ଗିକ ବାକ୍ୟକୁ ତୋଳି ଧରି ଚାଞ୍ଚଲ୍ୟ ଶିକାରୀ ମୁଖ୍ୟ ସ୍ରୋତୀୟ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧିଗଣ ଅଜ୍ଞତା, ଅନଭିଜ୍ଞତା ଓ ଅର୍ବାଚୀନତାର ପରିଚୟ ଦେଇ ଅଯୌକ୍ତିକ ମନ୍ଥନ ଦ୍ବାରା କଦର୍ଥପୂର୍ଣ୍ଣ ବ୍ୟାଖ୍ୟାନମାନ ସୃଷ୍ଟି କରିବାରେ ବ୍ୟାପୃତ। ତେବେ, କେବଳ ସେତିକି ନୁହେଁ, ସଂପ୍ରତି ଉଚ୍ଚ ଅଦାଲତର କେତେକ ବିଚାରପତି କେଉଁଠି ଆଦର୍ଶ ସ୍ଥାନୀୟ ନିଷ୍ପକ୍ଷତା ଓ ଯୌକ୍ତିକତା ଅାଦିକୁ ପରିହାର କରି ଲୋକକ୍ଷେତ୍ରରେ ଭାଷଣ ଓ ସାକ୍ଷାତ୍କାର ଆଦି ମାଧ୍ୟମରେ ସେମାନଙ୍କ ତୀବ୍ର ପକ୍ଷପାତିତା ଓ ପୂର୍ବାଗ୍ରହ ପ୍ରଦର୍ଶନ କରୁଛନ୍ତି ତ ଆଉ କେଉଁଠି ଦୁର୍ନୀତି-ସନ୍ଦି୍ଧ ହୋଇ ଉଠୁଛନ୍ତି। ଏଭଳି ସ୍ଥଳେ ବିଚାରପତିମାନଙ୍କ ପ୍ରତି ରହିଥିବା ପ୍ରତ୍ୟୟ ଅନେକତ୍ର ଦୁର୍ବଳ ମଧ୍ୟ ହେଉଛି। ସଂପ୍ରତି ମାନ୍ୟବର ମୁଖ୍ୟ ବିଚାରପତି ଗୱାଇ ସାମାଜିକ ଗଣମାଧ୍ୟମରେ ଉଭୟ ସମର୍ଥନ ଓ ଭର୍ତ୍ସନାର ସମ୍ମୁଖୀନ ହେଉଛନ୍ତି; ଯହିଁରେ ତାଙ୍କ ଜାତି ଓ ଧର୍ମର ପରିଚୟ କେନ୍ଦ୍ର ବିନ୍ଦୁରେ ଅଛି। ଏହା ତାଙ୍କୁ ବ୍ୟଥିତ ଓ ବିଚଳିତ କରୁଥିବା ସୁନିଶ୍ଚିତ। ଏଭଳି ସ୍ଥିତିରେ ଧାରଣା କରାଯାଇପାରେ କିଭଳି ନିମ୍ନରୁ ଆରମ୍ଭ କରି ଉଚ୍ଚ ଅଦାଲତ ପର୍ଯ୍ୟନ୍ତ ସବୁଠି ବିଚାରପତିମାନେ ଭୟ, ପ୍ରଭାବ ଓ ଚାପ ଦ୍ବାରା ଆକ୍ରାନ୍ତ ହୋଇ କାର୍ଯ୍ୟ ସଂପାଦନ କରିବାର ସମୟ ଉପନୀତ ହେଲାଣି।
ହଠାତ୍ ଉତ୍କ୍ଷିପ୍ତ ହୋଇ ଉଠି ହାତରେ ଲବ୍ଧ ଯେ କୌଣସି ବସ୍ତୁକୁ ନିକ୍ଷେପ କରିବା ଊଣାଅଧିକେ ଏକ ସହଜାତ ପ୍ରବୃତ୍ତି ହୋଇଥାଏ, ଯଦିଓ ତାହା ବିପଦ ସୃଷ୍ଟି କରିବାର ଆଶଙ୍କା ବହନ କରେ; ଯେମିତି ଏକ ଯୁକ୍ତିତର୍କ ବେଳେ କ୍ରୋଧରେ ହିତାହିତି ଜ୍ଞାନ ଶୂନ୍ୟ ଆଲେକଜାଣ୍ଡରଙ୍କ ହାତର ବର୍ଚ୍ଛା ତାଙ୍କ ମିତ୍ର କ୍ଲେଟିଅସଙ୍କ ବକ୍ଷ ଭେଦ କରି ମୃତ୍ୟୁର କାରଣ ହୋଇଥିଲା। ମନସ୍ତତ୍ତ୍ବବିତ୍ମାନଙ୍କ ମତରେ କ୍ରୋଧ ବ୍ୟକ୍ତ କରିବାକୁ ମୁଖ ବ୍ୟର୍ଥ ହେଲେ (ଗାଳି ଫଜିତ ଦ୍ବାରା) ତାହା ଶାରୀରିକ ଆକ୍ରମଣରେ ସ୍ବରୂପ ପାଏ। ଅବଶ୍ୟ, ଏଭଳି ଆଚରଣ ପରବର୍ତ୍ତୀ କାଳରେ ଅନୁତାପର ଜ୍ବାଳା ସୃଷ୍ଟି କରିପାରେ। କିନ୍ତୁ ସ୍ଥିର ମସ୍ତିଷ୍କରେ ସଚେତନ ଭାବେ ଜୋତା ନିକ୍ଷେପ କଲା ଭଳି କାର୍ଯ୍ୟ ପଛରେ ଭାଷା ନ ସ୍ଫୂରିବା ଭଳି କାରଣ ନ ଥାଏ। ବରଂ, ଏଥିରେ ଆକ୍ରମଣକାରୀ ଭାଷାର ମାଧ୍ୟମକୁ ଉପଯୋଗ ନ କରିବାର ନିଷ୍ପତ୍ତି ନେଇଥାଆନ୍ତି, ଭାଷାର ସାମର୍ଥ୍ୟକୁ ନଜରଅନ୍ଦାଜ କରିଦିଅନ୍ତି। ଶଂସିତ ଘଟଣାରେ ଜୋତା କ୍ଷେପଣକାରୀ ହେଉଛନ୍ତି ସେହି ଅଦାଲତର ଜେଣ ବରିଷ୍ଠ ଓକିଲ ଯିଏ ନିଜ ପ୍ରତିବାଦକୁ ତାଙ୍କ ଯୁକ୍ତି ବା ଭାଷା ମାଧ୍ୟମରେ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଅଧିକ ଦୃଢ଼ ଭାବେ ରଖି ପାରି ଥାଆନ୍ତେ! କିନ୍ତୁ ସେ ତାହା ନ କରି ଏକ ଅସାର କ୍ଷେପଣାସ୍ତ୍ରର ଆଶ୍ରୟ ନେଲେ, ଯାହା ଦୁର୍ଭାଗ୍ୟପୂର୍ଣ୍ଣ!