ପୁରୁଷଙ୍କ ଦୃଷ୍ଟି କେବଳ ମାତ୍ର ହେୟ ବୋଧରେ ସୀମିତ ନ ରହି ମହିଳା ଖେଳାଳିମାନଙ୍କୁ ‌େଯୗନ-ଆକର୍ଷଣର ପଣ୍ୟରେ ପରିଣତ କରିବାକୁ ଆଗ୍ରହୀ; ଯାହା ଅଲିଂପିକ୍‌ସ ଠାରୁ ‌‌ନେଇ ‌େଟନିସ ପର୍ଯ୍ୟନ୍ତ ଅନେକ କ୍ରୀଡ଼ାରେ ପୁରୁଷର ଦୃଷ୍ଟିଭଙ୍ଗୀ ଅନୁସାରେ ନିର୍ଦ୍ଧାରିତ ‘ପୋଷାକ ନିୟମ’ ବା ‘ଡ୍ରେସ କୋଡ୍‌’ରେ ସ୍ପଷ୍ଟ ହୋଇଥାଏ।

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ତା’ ପରବର୍ତ୍ତୀ ‘ଅପରେସନ ସିନ୍ଦୂର’ ଦ୍ବାରା ସୃଷ୍ଟ ପରିବେଶରେ ଏଭଳି ଏକ ଘଟଣା ଘଟିବା ଅନପେକ୍ଷିତ ହୋଇଥିଲେ ମଧ୍ୟ ତାହା ହିଁ ଘଟିଛି; ଅର୍ଥାତ୍‌ ମହିଳା ବିଶ୍ବକପ କ୍ରିକେଟ୍‌ ଟୁର୍ନାମେଣ୍ଟରେ କଲୋମ୍ବୋ ଠାରେ ଅନୁଷ୍ଠିତ ଏକ ମ୍ୟାଚରେ ଭାରତୀୟ ଦଳ ହାତରେ ପାକିସ୍ତାନ ଦଳ ପରାହତ ହୋଇଥିଲେ ‌େହଁ ତାହା ଆମ ଦେଶରେ କୌଣସି କୋଳାହଳ କି ଆଲୋଡ଼ନ କି ଚାଞ୍ଚଲ୍ୟ ସୃଷ୍ଟି କରିନାହିଁ! ଅବଶ୍ୟ, ଅନେକ କହି ପାରନ୍ତି ଯେ ପାକିସ୍ତାନ କ୍ରିକେଟ୍‌ ଟିମ ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ଏଭଳି ଏକ ବିଜୟ ଅବଧାରିତ ଥିଲା, ସୁତରାଂ ହୃଦ୍‌ସ୍ପନ୍ଦନ ବୃଦ୍ଧି ପାଇବାର ସୁଯୋଗ କାହିଁ? ଏବଂ ଏହି ତର୍କକୁ ସ୍ବୀକାର କରୁ ନ ଥିବା ପକ୍ଷଙ୍କ ପ୍ରତ୍ୟୁତ୍ତର ଏହା ହୋଇପାରେ ଯେ ପାକିସ୍ତାନର ପୁରୁଷ କ୍ରିକେଟ୍‌ ଟିମ ମଧ୍ୟ ଭାରତ ତୁଳନାରେ ଯଥେଷ୍ଟ ଦୁର୍ବଳ ହୋଇଥିଲେ ସୁଦ୍ଧା ତାହା କେମିତି ଏକ ଗଣ ଉନ୍ମାଦନା ଜାତ କରିଥିଲା? ତେଣୁ ହୃଦ୍‌ବୋଧ କରି ହୋଇଥାଏ ଯେ ଉଦ୍‌ବେଗର ପ୍ରକୃତ ବିନ୍ଦୁଟି ନିହିତ ଅଛି କ୍ରୀଡ଼ାକୁ ଘେନି ରହି ଆସିଥିବା ପୁରୁଷ ପ୍ରଧାନ ଦୃଷ୍ଟିଭଙ୍ଗୀରେ, ଯାହା ମହିଳାଙ୍କ ପ୍ରଦର୍ଶନକୁ, ‌ତାହାର ଚମତ୍କାରିତା ସତ୍ତ୍ବେ, ଗୌଣ କରି ଦେଇପାରେ! ଏଭଳି ସ୍ଥିତିରେ ଏହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ଭାରତୀୟମାନଙ୍କ ଶୋଣିତରେ କ୍ରିକେଟ୍‌ କଣିକା ପ୍ରବାହିତ ହେଉଥିଲେ ହେଁ ପୁରୁଷ ଓ ମହିଳା କ୍ରିକେଟ୍‌କୁ ନେଇ ରହିଥିବା ଜନ ଆଗ୍ରହ ଓ ଉତ୍ସାହର ତାରତମ୍ୟ ଅଲଂଘ୍ୟ ଶ୍ରେଣୀର। ତେଣୁ ୨୦୨୨ ମସିହାରେ ଗଭୀର ଭାବେ ମର୍ମାହତ ଅଥଚ କ୍ଷୀଣ ଅନୁଯୋଗଟିଏ ଶୁଣିବାକୁ ମିଳିଥିଲା ଯେ ଆଇପିଏଲ୍‌ର ତରଙ୍ଗରେ ପ୍ଳାବିତ ଦେଶ ସେହି ସମୟରେ ନିଉଜିଲାଣ୍ଡରେ ବିଶ୍ବକପ୍ ଟି-ଟ୍ବେଣ୍ଟି ଟୁର୍ନାମେଣ୍ଟ ଖେଳୁଥିବା ମହିଳା ଟିମକୁ ପାସୋରି ଦେଇଛି! ଏଭଳି ସ୍ଥିତି ପରିପ୍ରେକ୍ଷୀରେ ‘ୟୁ ଗଭ’ ଭଳି ବିଶ୍ବସନୀୟ ଆନ୍ତର୍ଜାତିକ ସଂସ୍ଥା ଦ୍ବାରା ହୋଇଥିବା ଏକ ସର୍ବେକ୍ଷଣ ପ୍ରଣିିଧାନଯୋଗ୍ୟ, ଯାହା ଅନୁସାରେ ପୁରୁଷ ଅଂଶ ଗ୍ରହଣ କରୁଥିବା କୌଣସି କ୍ରୀଡ଼ା ସ୍ପର୍ଦ୍ଧା ତୁଳନାରେ ମହିଳା ଭାଗ ନେଉଥିବା ସେହି କ୍ରୀଡ଼ା ଦେଖିବା ସକାଶେ ଆଗ୍ରହୀ ଦର୍ଶକଙ୍କ ସଂଖ୍ୟାରେ ୭୦% ହ୍ରାସ ଘଟିଥାଏ। ପୃଥିବୀର ସର୍ବତ୍ର ମହିଳାଙ୍କ କ୍ରୀଡ଼ା ବିଜ୍ଞାପନ, ପାଣ୍ଠି ଓ ସଂସାଧନ ସୂତ୍ରରୁ ପୁରୁଷଙ୍କ ତୁଳନାରେ ଅନେକ ଗୁଣ କମ୍‌ ଅର୍ଥରାଶି ଆକର୍ଷଣ କରିଥାଏ ଏବଂ ପେସାଦାର ଖେଳାଳିଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଯଥେଷ୍ଟ କମ୍‌ ପାରିଶ୍ରମିକ ପାଆନ୍ତି। କେବଳ ସେତିକି ନୁହେଁ, ସାମାଜିକ ଗଣମାଧ୍ୟମର ଆବିର୍ଭାବ ଘଟିବା ପର ଠାରୁ ମହିଳା ଖେଳାଳିଙ୍କ ପ୍ରତି ପୁରୁଷର ଦୃଷ୍ଟି କିଭଳି କ୍ରୂର, ସଂବେଦନଶୂନ୍ୟ ଏପରିକି ଇତର ହୋଇପାରେ, ତାହାର ପ୍ରମାଣ ତହିଁରେ ପ୍ରସାରିତ ମନ୍ତବ୍ୟମାନରୁ ମିଳିବାରେ ଲାଗିଛି; ଯହିଁରେ ମହିଳା ଖେଳାଳିମାନଙ୍କ ସାମର୍ଥ୍ୟ, ସେମାନଙ୍କ ବ୍ୟକ୍ତିଗତ ଓ ସାମାଜିକ ଜୀବନ ଏପରିକି ରୂପ ମଧ୍ୟ ଅରୁଚିକର ବିଦ୍ରୂପ ଜୁଆରର ଶରବ୍ୟ ହୋଇଥାଏ। ପ୍ରକାଶ ଥାଉ କି ମହିଳା ଖେଳାଳିଙ୍କ ବିରୋଧରେ ଲିଙ୍ଗଗତ ବିଦ୍ବେଷମୂଳକ ଏକ ସାଧାରଣ ମନ୍ତବ୍ୟ ହେଲା ଏହା ଯେ ସେମାନଙ୍କ ଲାଗି ଯୋଗ୍ୟତମ ସ୍ଥାନ ହେଉଛି ଘର କୋଣରେ ଥିବା କ୍ଷୁଦ୍ର ରୋଷେଇ ଘର; ଯାହା ଚଳିତ ମହିଳା କ୍ରିକେଟ୍‌ ବିଶ୍ବ କପରେ ଫର୍ମରେ ନ ଥିବା ଭାରତୀୟ କ୍ୟାପଟେନ ହର୍ମନପ୍ରୀତ କୌରଙ୍କୁ ବାରମ୍ବାର ଶୁଣିବାକୁ ମିଳୁଛି। ତେବେ, ଏଭଳି ହେୟ ମଣିବାର ପୁରୁଷ ପ୍ରଧାନ ଭାବ ଏହା ମଧ୍ୟ ଧାର୍ଯ୍ୟ କରିଛି ଯେ ନାରୀ କେବଳ ସଂକୀର୍ଣ୍ଣ ପାକଶାଳାର ବନ୍ଦିନୀ ହୋଇ ରହିବାକୁ ବାଧ୍ୟ ହେବ ସିନା, ବୃତ୍ତିଗତ ରନ୍ଧନ କ୍ଷେତ୍ରଟି ପ୍ରାୟତଃ ପୁରୁଷ ଅଧିକୃତ ହେବ, ଯେଉଁଥି ଲାଗି ହୋଟେଲ ବା ରେସ୍ତୋରାଁ ଆଦିରେ ପୁରୁଷ ପାଚକଙ୍କ ସଂଖ୍ୟା ହେଉଛି ପ୍ରାୟ ୯୦ ପ୍ରତିଶତ। ପୁରୁଷ ପ୍ରଧାନ ଦୃଷ୍ଟିରେ ପରିଚାଳିତ ପୃଥିବୀର ଏହା ହିଁ ଅସଂଗତି। 
ମାଂସପେଶୀର ଶକ୍ତି ଉପରେ ନିର୍ଭରଶୀଳ ହୋଇଥିବାରୁ କ୍ରୀଡ଼ା କେବଳ ପୁରୁଷମାନଙ୍କ କ୍ଷେତ୍ର ବୋଲି ଧାରଣାଟିଏ ସମ୍ଭବତଃ ଅବ‌େଚତନର ଅନ୍ଧକାରରେ ବିଦ୍ୟମାନ, ଯେଉଁ କାରଣରୁ ମହିଳାମାନଙ୍କ ପ୍ରତି ହେୟ ଭାବ ସ୍ବତଃସ୍ଫୂର୍ତ୍ତ ‌ହୋଇଥାଏ, ଯଦିଓ ବୈଦିକ କାଳରେ ‘ବିଷ୍ପଳା’(ଋଗବେଦ), ଗ୍ରୀକ ଓ ରୋମାନ ପୁରାଣରେ ‘ଆଟାଲାଣ୍ଟା’ ବା ‘ନାଇକ’(ପ୍ରସିଦ୍ଧ ଜୋତା ବ୍ରାଣ୍ଡ୍‌ ଏଥିରୁ ନାମିତ)ଙ୍କ ଭଳି ଅତୁଲ୍ୟ ଧାବିକା ଓ ଯୋଦ୍ଧାଙ୍କ ବର୍ଣ୍ଣନା ରହିଛି। ମହିଳାମାନଙ୍କ ଶାରୀରିକ ସାମର୍ଥ୍ୟକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିଲେ ହେଁ ଅ‌େନକ ମହିଳା ସେଭଳି ଧାରଣାକୁ ଅତିକ୍ରମ କଲା ଭଳି ଅଲୌକିକ ପ୍ରଦର୍ଶନ ମଧ୍ୟ କରିଛନ୍ତି, ଯେମିତି ପୋଲିଓ ଦ୍ବାରା ଆକ୍ରାନ୍ତ ୱିଲମା ରୁଡଲ୍‌ଫ ୧୯୬୯ ରୋମ ଅଲିଂପିକ୍‌ସରେ ଗୋଟିଏ ବିଶ୍ବ ରେକର୍ଡ ସହ ତିନିଟି ସ୍ବର୍ଣ୍ଣ ପଦକ ଜିଣିଥିଲେ ବା ୧୯୬୭ ମସିହାରେ ସାମା‌ଜିକ ପ୍ରତିବନ୍ଧକ ଓ ତାଙ୍କୁ ନିରାଶ କରିବାର ସମସ୍ତ ଉଦ୍ୟମକୁ ପ୍ରତିହତ କରି କାଥେରିନ ସ୍ବିଜ୍‌ ପ୍ରଥମ ମହିଳା ଭାବେ ମାରାଇନ ଦୌଡ଼(ବୋଷ୍ଟନ) ସଂପୂର୍ଣ୍ଣ କରିଥିଲେ। ପ୍ରକାଶ ଥାଉ କି ୧୮୯୬ ମସିହାରେ ଅନୁଷ୍ଠିତ ପ୍ରଥମ ଆଧୁନିକ ଅଲିଂପିକ୍‌ସରେ ମହିଳା ଅଦୃଶ୍ୟ ଥିଲେ, କିନ୍ତୁ ୨୦୨୮ ମସିହାରେ ଲସ ଏଂଜେଲସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିଂପିକ୍‌ସରେ ମହିଳାଙ୍କ ଅଂଶୀଦାରିକୁ ୫୫%ରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏ ସବୁ ସତ୍ତ୍ବେ ମହିଳାମାନଙ୍କୁ ନେଇ ପୁରୁଷର ଦୃଷ୍ଟି ପୂର୍ବବତ୍‌ ବିଦ୍ବେଷପୂର୍ଣ୍ଣ ହୋଇ ରହିଛି। ଏବଂ ଗର୍ହିତ ବିଷୟଟି ହେଲା, ପୁରୁଷଙ୍କ ଦୃଷ୍ଟି କେବଳ ମାତ୍ର ହେୟ ବୋଧରେ ସୀମିତ ନ ରହି ମହିଳା ଖେଳାଳିମାନଙ୍କୁ ‌େଯୗନ-ଆକର୍ଷଣର ପଣ୍ୟରେ ପରିଣତ କରିବାକୁ ଆଗ୍ରହୀ; ଯାହା ଅଲିଂପିକ୍‌ସ ଠାରୁ ‌‌ନେଇ ‌େଟନିସ ପର୍ଯ୍ୟନ୍ତ ଅନେକ କ୍ରୀଡ଼ାରେ ପୁରୁଷର ଦୃଷ୍ଟିଭଙ୍ଗୀ ଅନୁସାରେ ନିର୍ଦ୍ଧାରିତ ‘ପୋଷାକ ନିୟମ’ ବା ‘ଡ୍ରେସ କୋଡ୍‌’ରେ ସ୍ପଷ୍ଟ ହୋଇଥାଏ। ୨୦୨୧ ମସିହାରେ ଅନୁଷ୍ଠିତ ୟୁରୋପୀୟ ‘ବିଚ୍‌(ବେଳାଭୂମି) ହ୍ୟାଣ୍ଡବଲ’ ଟୁର୍ନାମେଣ୍ଟରେ ନରୱେର ମହିଳା ଟିମ୍‌ ଅତି କ୍ଷୁଦ୍ରାକୃତି ‘ବିକିନି’ ପରିବ‌େର୍ତ୍ତ ‘ସର୍ଟସ’ ପରିଧାନ କରି ପ୍ରଚଳିତ ‘ଡ୍ରେସ କୋଡ୍‌’ ବିରୋଧରେ ବିଦ୍ରୋହ କରିଥିଲା ଓ ୧୫୦୦ ଡଲାର ଜରିମାନା ଦଣ୍ଡ ବରଣ କରିଥିଲା। କହିବା ବାହୁଲ୍ୟ, ଶରୀରର ନିମ୍ନାର୍ଧର ନଗ୍ନତା ଆବରଣ କରିବାରେ ସେଭଳି ‘ବିକିନି’ମାନ ଥିଲେ ଧର୍ମକୁ ଆଖି ଠାର ସଦୃଶ। ଅବଶ୍ୟ, ଏହା ଦ୍ବାରା ସୃଷ୍ଟ ଆଲୋଡ଼ନ ଏବଂ ଜନମତ ପରେ ବେଳାଭୂମି ଭଲିବଲ ଏବଂ ହ୍ୟାଣ୍ଡବଲ ଭଳି କ୍ରୀଡ଼ାରେ ମହିଳାଙ୍କ ‘ଡ୍ରେସ କୋଡ୍‌’ରେ ପରିବର୍ତ୍ତନ ଆସିଛି। ସେମିତି ଜିମନାଷ୍ଟିକ ଭଳି ଅତ୍ୟନ୍ତ ଲୋକପ୍ରିୟ କ୍ରୀଡ଼ା ସ୍ପର୍ଦ୍ଧାରେ ପ୍ରଚଳିତ ‘ଡ୍ରେସ କୋଡ୍‌’ ଅନୁସାରେ ପୁରୁଷମାନଙ୍କ ଶରୀରର ଅଧିକାଂଶ ଆବୃତ ରହୁଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଉନ୍ମୁକ୍ତତା ଗୁରୁତ୍ବ ପାଇଥାଏ, ଯାହାକୁ ବିରୋଧ କରି ୨୦୨୧ ଟୋକିଓ ଅଲିଂପିକ୍‌ସରେ ଆମେରିକୀୟ ମହିଳା ଦଳ ସେମାନଙ୍କ ପୋଷାକରେ ପରିବର୍ତ୍ତନ ଘଟାଇଥିଲେ। କହିବା ଅନାବଶ୍ୟକ ଯେ ଏଭଳି ପୋଷାକ ହେତୁ କ୍ରୀଡ଼ା ପ୍ରଦର୍ଶନରେ ନିମଗ୍ନ ମହିଳାମାନଙ୍କ ଅସତର୍କ କ୍ଷଣର ଫଟୋ ବା ଭିଡିଓମାନ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀଙ୍କ ଲୋଲୁପ କ୍ଷୁଧା ମୋଚନ କରିଥାଏ, ଯେତେବେଳେ କି ତାହା ସେହି ଖେଳାଳିମାନଙ୍କ ଲାଗି ତୀବ୍ର ଅସ୍ବସ୍ତି ସୃଷ୍ଟି କରିଥାଏ। ଏଠାରେ ଏ ସବୁ କହିବାର ତାତ୍ପର୍ଯ୍ୟ ପୁରୁଷ ଦୃଷ୍ଟିରେ ଗୁହ୍ୟ ଜଘନ୍ୟତାକୁ ଦର୍ଶାଇବା।
ଭାରତୀୟ ମହିଳା କ୍ରିକେଟ୍‌ ଟିମ ଦ୍ବାରା ପାକିସ୍ତାନ ଦଳ ପରାଜିତ ହୋଇଥିଲେ ସୁଦ୍ଧା ଉଲ୍ଲାସର କ୍ଷୁଦ୍ର ତରଙ୍ଗ ନ ଉଠିବାକୁ ଲକ୍ଷ୍ୟ କରି ଲେଖକ ଆଶିଷ ଗଡ଼ନାୟକ ତାଙ୍କ ଫେସବୁକ ମନ୍ତବ୍ୟରେ ଲେଖିଛନ୍ତି ଯେମିତି “ଆମ ଝିଅମାନେ ‘ଆମେ’ ନୋହୁଁ’’। କିନ୍ତୁ କେବଳ ସେତିକି ନୁହେଁ, ପୁରୁଷର ଏଭଳି ଦୃଷ୍ଟି ଅଧିକ ସାଂଘାତିକ, ଯାହା ମହିଳାଙ୍କ ଅସ୍ତିତ୍ବକୁ ନାକଚ କରି ଦେଇ କହିଥାଏ ଯେମିତି ସେମାନେ ଆମ ଭିତରେ ନାହାନ୍ତି। ସମାଲୋଚନା, ନିନ୍ଦା, କଟାକ୍ଷ ଓ ବିଦ୍ରୂପ ଅନେକ ସମୟରେ ଆତ୍ମା ଦହନକାରୀ ହୋଇଥିଲେ ହେଁ ଅନ୍ତତଃ ଅସ୍ତିତ୍ବକୁ ସ୍ବୀକାର କରୁଥିବାର ପ୍ରମାଣ। କିନ୍ତୁ ପ୍ରତିକ୍ରିୟାରେ ଉଦାସୀନ ନିରବତା ଦ୍ବାରା ଅସ୍ତିତ୍ବ ବା ଉପସ୍ଥିତି ଅର୍ଥହୀନ ହୋଇ ଯାଇଥାଏ। କଲମ୍ବୋରେ ଭାରତୀୟ ମହିଳା ଦଳ ସେମାନଙ୍କ ଏହି ବିଜୟ ପରେ ଏକ ସ୍ପନ୍ଦନହୀନ ଭାରତକୁ ଦେଖି ହୁଏତ ସେଭଳି ଅନୁଭବ କରିଥିବେ!