କେବଳ ‘ଟାରିଫ’ ବୃଦ୍ଧିରେ ସନ୍ତୁଷ୍ଟ ନ ରହି ଟ୍ରଂପ ଆମେରିକୀୟ ଟେକ୍‌ କଂପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି ଯେ ସେମାନେ ଭାରତୀୟମାନଙ୍କୁ ନିଯୁକ୍ତି ପ୍ରଦାନ ନ କରନ୍ତୁ। କିନ୍ତୁ, ଅତିକାୟ ଆମେରିକୀୟ ଟେକ୍‌ କଂପାନିଗୁଡ଼ିକ ସ୍ଥିର ନିଶ୍ଚିତ ଯେ ଭାରତୀୟ ମେଧା ନିର୍ବିକଳ୍ପ; ଯେଉଁମାନଙ୍କ ଅବଦାନରୁ ସେଗୁଡ଼ିକ ସଂପ୍ରତି ଆମେରିକାର ମଥାର ମଣି। ପ୍ରକାଶ ଥାଉ କି ସୁନ୍ଦର ପିଚାଇ, ସତ୍ୟ ନଡ଼େଲା ଏବଂ ଶାନ୍ତନୁ ନାରାୟଣଙ୍କ ଭଳି କେବଳ ତିନି ଜଣ ଅଗ୍ରଗଣ୍ୟ ଭାରତୀୟ ସି.ଇ.ଓଙ୍କ ନେତୃତ୍ବାଧୀନ କଂପାନି ଯଥାକ୍ରମେ ଗୁଗଲ, ମାଇକ୍ରୋସଫ୍‌ଟ ଏବଂ ଆଡୋବିର ବ୍ୟବସାୟ ମୂଲ୍ୟ ମିଶିଗଲେ ହେବ ୨.୫ ଟ୍ରିଲିଅନ ଡଲାର।

Advertisment

ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପଙ୍କ ଦ୍ବାରା ଭାରତ ଉଦ୍ଦେଶ୍ୟରେ ୫୦ ପ୍ରତିଶତ ‘ଟାରିଫ’, ଅତିରିକ୍ତ ପେନାଲ୍‌ଟି ବା ଦଣ୍ଡ ଏବଂ ମର୍ମଭେଦୀ ବିଦ୍ରୂପ-ବାଣର ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନ‌େରନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟାରେ ଯାହା ଦୃଷ୍ଟିଗୋଚର ହୋଇଥାଏ, ତାହା ହେଲା ଦେଶର କୃଷକ, ପଶୁପାଳକ ଏବଂ ମତ୍ସ୍ୟଜୀବୀମାନଙ୍କ ସ୍ବାର୍ଥ ରକ୍ଷା ପ୍ରତି ଦୃଢ଼ ଅଙ୍ଗୀକାରବଦ୍ଧତା ଏବଂ ଏତଦ୍ଦ୍ବାରା ବ୍ୟକ୍ତିଗତ ବିପଦ ବରଣ କରିବାର ଆଶଙ୍କା ଥିଲେ ମଧ୍ୟ ତାହା ସ୍ବୀକାର କରି ନେବାର ସାହସ। ଯଦିଓ ‘ବ୍ୟକ୍ତିଗତ ବିପଦ’ ବୋଲି ପ୍ରଧାନମନ୍ତ୍ରୀଙ୍କ ଇଙ୍ଗିତର ମର୍ମ ଅସ୍ପଷ୍ଟ, କିନ୍ତୁ ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁନିର୍ଦ୍ଦିଷ୍ଟ ବକ୍ତବ୍ୟ ସହିତ ନିଜର ଅଣ-ଆକଳିତ ସାମର୍ଥ୍ୟକୁ ଆବିଷ୍କାର କରିବାର ମୁହୂର୍ତ୍ତ ଭାରତ ସମକ୍ଷରେ ଉପନୀତ, ଯେଉଁ ଆହ୍ବାନ ଭାରତ ସକାଶେ ଅପରିଚିତ ମଧ୍ୟ ନୁହେଁ; ଆଜକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ତଳେ ଏବଂ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ମଧ୍ୟ ଭାରତ ଏଭଳି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି।
ସୁତରାଂ, ଏକ ପଶ୍ଚାତ୍‌ ଅବଲୋକନ ସହିତ ଆଲୋଚନାର ପ୍ରାରମ୍ଭ ହେଉ; ସମୟଟି ‌ହେଉଛି ଷଷ୍ଠରୁ ସପ୍ତମ ଦଶକର କାଳଖଣ୍ଡ, ଯହିଁରେ ଦରିଦ୍ର ଭାରତ ପ୍ରତ୍ୟକ୍ଷ କରିଥିଲା ଦୁଇଟି ଯୁଦ୍ଧ, ଦୀର୍ଘକାଳୀନ ଅନାବୃଷ୍ଟିଜନିତ ଦୁର୍ଭିକ୍ଷ ଓ ଅନାହାର, ତିନି ଜଣ ପ୍ରଧାନମନ୍ତ୍ରୀ ଏବଂ ଏକ ଦୋଦୁଲ୍ୟମାନ ରାଜକୋଷ। ୧୯୬୧ ମସିହାରେ ‘ଫୁଡ୍‌ ଏଣ୍ଡ୍‌ ଏଗ୍ରିକଲଚରାଲ୍‌ ଅର୍ଗାନାଇ‌େଜସନ୍‌’ର ଏକ ରିପୋର୍ଟ କହିଥିଲା ଯେ ଭାରତର ବିଶାଳ ଜନସଂଖ୍ୟା ଦେଶରେ ଥିବା ଆହାରକୁ ଖୁବ୍‌ ଶୀଘ୍ର ନିଃଶେଷ କରିଦେବ ଏବଂ ୧୯୬୫ ମସିହାରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ନିବେଦନ କରି ସାରିଥିଲେ ଯେ ପ୍ରତ୍ୟେକ ଭାରତୀୟ ପ୍ରତି ସେମାବାର ଦିନ ଗୋଟିଏ ବକତ ଆହାର ତ୍ୟାଗ କରନ୍ତୁ। ସେହି ସମୟରେ ଭାରତୀୟଙ୍କ ଜଠର ପୂର୍ଣ୍ଣ କରୁଥିଲା ଆମେରିକାର ଦୟାରୁ ଆସୁଥିବା ‘ପବ୍ଲିକ ଲ’ ୪୮୦’ ବା ‘ପି.ଏଲ୍‌. ୪୮୦’ ଗହମ, ଯାହାକୁ ବୋଝେଇ କରି, ୧୯୬୫-୬୬ ମସିହା ବେଳକୁ, ପ୍ରତ୍ୟହ ତିନିଟି ଜାହାଜ ଭାରତୀୟ ବନ୍ଦରଗୁଡ଼ିକରେ ଲାଗୁଥିଲେ। ପ୍ରକାଶ ଥାଉ କି ଦ୍ବିତୀୟ ମହାସମର ପରେ ଯୁଦ୍ଧ ବିଧ୍ବସ୍ତ ପୃଥିବୀର ବୁଭୁକ୍ଷା ନିର୍ବରଣ କରିବା ସକାଶେ ଏହା ଥିଲା ଆମେରିକୀୟ ରାଷ୍ଟ୍ରପତି ଆଇଜନହୋୱାରଙ୍କ ଦ୍ବାରା ପ୍ରଣୀତ ଏକ ସକାରାତ୍ମକ ନୀତି, ଯାହା ପରିଚିତ ହୋଇଥିଲା ‘ଫୁଡ୍‌ ଫର ପିସ’ ବା ‘ଶାନ୍ତି ଲାଗି ଖା‌ଦ୍ୟ’ ଯୋଜନା ଭାବେ। ଏବଂ ସେହି କାଳ ଖଣ୍ଡ ମଧ୍ୟ ଥିଲା କିଂବଦନ୍ତୀୟ ବୈଜ୍ଞାନିକ ନର୍ମାନ ବୋରଲଗ, ଏକନିଷ୍ଠ ଭାରତୀୟ ଖାଦ୍ୟ ଓ କୃଷି ମନ୍ତ୍ରୀ ସି. ସୁବ୍ରମଣ୍ୟମ ଏବଂ ଭାରତୀୟ ସବୁଜ ବିପ୍ଳବର ଉଦ୍‌ଗାତା ଏମ.ଏସ. ସ୍ବାମୀନାଥନଙ୍କ ଆବିର୍ଭାବ ତଥା ଏକ ତ୍ରିକୋଣୀୟ ସଂପର୍କରେ ସେମାନେ ଯୋଡ଼ି ହେବାର ସମୟ। ବର୍ଲଗଙ୍କ ଦ୍ବାରା ଆବିଷ୍କୃତ ଉଚ୍ଚ ଉତ୍ପାଦନକ୍ଷମ ହାଇବ୍ରିଡ୍‌ ବିହନର ପରୀକ୍ଷଣ ମେକ୍‌ସିକୋରେ ଚମତ୍କାର ଫଳ ଦେଖାଇଥାଏ ଏବଂ ପଣ୍ଡିତ ଜୱାହରଲାଲ ନେହରୁଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସୁବ୍ରମଣ୍ୟମ ଏବଂ ସ୍ବାମୀନାଥନଙ୍କ ଡାକରାରେ ବର୍ଲଗ ଭାରତ ଗସ୍ତ କରି ଏଠାରେ ଆଉ ଏକ ସଫଳ କାହାଣୀ ରଚନା କରିବାର ସୁଯୋଗ ଖୋଜୁଆଆନ୍ତି। ଏବଂ ସେହି ସମୟ ବେଳକୁ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଲିଣ୍ଡନ ଜନସନ(୧୯୬୩-୧୯୬୯)ଙ୍କ ଦ୍ବାରା ‘ପି.ଏଲ୍. ୪୮୦’ ଯୋଜନାଟି ଏକ ଅସ୍ତ୍ର ରୂପେ ବ୍ୟବହୃତ ହେବାର ଲକ୍ଷଣ ଦେଖାଉଥାଏ। ସୁତରାଂ, ଇତିହାସକାର ଖ୍ରିଷ୍ଟନ ଅଲବର୍ଗଙ୍କ ଭାଷାରେ ‘ପି.ଏଲ୍‌. ୪୮୦’ ପରିଣତ ହୋଇଯାଇଥିଲା ଏକ ‘ସହୃଦୟ ମାକିଆଭେଲି’ରେ!
୧୯୬୫ ମସିହା। ପାକିସ୍ତାନ ସହିତ ଯୁଦ୍ଧ ଏବଂ ଏକ ନିଦାରୁଣ ମରୁଡ଼ିର ସମ୍ମୁଖୀନ ହୋଇଥିବା ଭାରତରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ‘ଜୟ ଜବାନ, ଜୟ କିଷାନ’ ଭଳି ଏକ ଅମର ସ୍ଳୋଗାନ ଦ୍ବାରା ଦେଶର ଚିତ୍ତକୁ ସ୍ପର୍ଶ କରି ସହସା ଇହଲୀଳା ସଂବରଣ କରିଥାଆନ୍ତି, ଏଣେ ଭାରତ ତା’ର ଜନସଂଖ୍ୟା ହ୍ରାସ କରୁ ବୋଲି ଚାପ ପକାଇ ଲିଣ୍ଡନ ଜନସନ ‘ପି.ଏଲ.’ ଗହମ ପଠାଇବାକୁ କୁଣ୍ଠା ପ୍ରକାଶ କରୁଥାଅାନ୍ତି(ସହୃଦୟ ମାକିଆଭେଲି!)। ତେଣୁ ଅଗତ୍ୟା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜନସନଙ୍କୁ ଫୋନ କରି ତୁରନ୍ତ ‘ପି.ଏଲ.’ ଗହମ ପଠାଇବା ଭଳି ସ୍ବାଭିମାନ କ୍ଷୁଣ୍ଣକାରୀ ନିବେଦନ କରନ୍ତି ସିନା, ଫୋନ ରିସିଭରକୁ କ୍ରାଡଲ ଉପରେ ଥୋଇବା ମାତ୍ରକେ କୁଆଡ଼େ ପାଖରେ ଥିବା ପ୍ରେସ ସଚିବ ଏ.ୱାଇ. ଶାରଦା ପ୍ରସାନଙ୍କୁ କହନ୍ତି- ‘ଖାଦ୍ୟ ପାଇଁ ଭିକ୍ଷା; ଆଉ ନୁହେଁ!’ ଉଲ୍ଲେଖଯୋଗ୍ୟ ଯେ ସେହି ସମୟରେ ‘ହାଇବ୍ରିଡ୍‌’ ବିହନ ବିପକ୍ଷରେ ସୃଷ୍ଟ ବିପୁଳ ଜନମତ ଏବଂ ବିଭ୍ରାନ୍ତକାରୀ ପ୍ରଚାର ସତ୍ତ୍ବେ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ୧୮,୦୦୦ ଟନ ବିହନ କ୍ରୟ କରିବାର ନିଷ୍ପତ୍ତି (ସେ ସମୟରେ ୨.୫ ନିୟୁତ ଡଲାର) ଥିଲା ଅବିସ୍ମରଣୀୟ ସାହସର ପରିଚୟ। ସେ ଏହା ମଧ୍ୟ ଜାଣିଥିଲେ ଯେ ଏଭଳି ବିପୁଳ ବ୍ୟୟରେ ଖର୍ଦ୍ଦି ହୋଇଥିବା ବିହନ ଯଦି ବିଫଳ ହୁଏ, ତେବେ ନୂଆ ଭାବେ ଆରମ୍ଭ ହୋଇଥିବା ତାଙ୍କ ରାଜନୈତିକ କ୍ୟାରିଅରର କେବଳ ଅନ୍ତ ଘଟିବ ନାହିଁ, ଏକ ଦରିଦ୍ର ରାଷ୍ଟ୍ରର ମେରୁଦଣ୍ଡକୁ ମଧ୍ୟ ଭାଙ୍ଗି ପଡ଼ିବ! ୨୦୨୨ ମସିହାରେ ‘ଦ ପ୍ରିଣ୍ଟ’ରେ ପ୍ରକାଶିତ “ହଂଗ୍ରି ଇଣ୍ଡିଅା, ଏ ନୱାବୀ ୟୁଏସ୍‌ ପେସିଡେଣ୍ଟ, ‘ମେକସିକାନ ବ୍ଲଡ୍’- ଦ ରିଏଲ ଷ୍ଟୋରି ଅଫ ଗ୍ରିନ ରିଭଲ୍ୟୁସନ’’ ଶୀର୍ଷକ ଏକ ସାରଗର୍ଭକ ଆଲେଖ୍ୟରେ କୁହାଯାଇଛି କିଭଳି ପୁସାସ୍ଥିତ କୃଷି ବୈଜ୍ଞାନିକମାନେ ସେହି ବିହନ ଭରା ଜାହାଜଗୁଡ଼ିକୁ ନିର୍ନିମେଷ ନୟନରେ ଅପେକ୍ଷା କରି ରହିଥିଲେ। ଏବଂ ସେହି ପରୀକ୍ଷଣର ଫଳ ସ୍ବରୂପ ମାତ୍ର ଦୁଇ ବର୍ଷ ଭିତରେ ଅର୍ଥାତ୍‌ ୧୯୬୮ ମସିହା ବେଳକୁ ଉଦ୍‌ବୃତ୍ତ ଖାଦ୍ୟ ଶସ୍ୟର ଭଣ୍ଡାରଣ ଲାଗି ସିନେମା ହଲ ଏବଂ ସ୍କୁଲ ଘରଗୁଡ଼ିକ ଲୋଡ଼ା ହେବା ଆରମ୍ଭ କଲେ। କୁହାଯାଏ ଯେ ‘ପି.ଏଲ.’ ଗହମ ପଠାଇବାରେ ଜନସନଙ୍କ ଟାଳଟୁଳ ଆମେରିକା ଗଣମାଧ୍ୟମରେ ସମାଲୋଚିତ ହେବାରୁ ତଦ୍ଦ୍ବାରା ଅତିଷ୍ଠ ତାଙ୍କ କନ୍ୟା ଲୁସଙ୍କ ତାଗିଦରେ କୁଆଡ଼େ ତାହା ଭାରତ ଆସିଲା। ଏଣେ, ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସ ଭବନର ପ୍ରାୟ ପାଞ୍ଚ ଏକର ପରିମିତ ବାରିରେ (ସଂପ୍ରତି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନ) ହଳ ବୁଲାଇ ଖାଦ୍ୟ ମନ୍ତ୍ରୀ ସୁବ୍ରମଣ୍ୟମ ମେକ୍‌ସିକୀୟ ଗହମର ବିହନ ବୁଣି ଫଳକୁ ଅପେକ୍ଷା କରି ରହିଥିଲେ। ଏକ ଅପ୍ରତିଭ ରାଷ୍ଟ୍ରର ଅସହଜ ଯାତ୍ରା ପଥରେ ଏହା ଥିଲା ସାହସ ପ୍ରଦର୍ଶନର ଏକ ଦୃଷ୍ଟାନ୍ତ। 
ତେବେ, ଅନେକ ବିଶେଷଜ୍ଞ କହନ୍ତି ଯେ ସେ ସମୟରେ ଭାରତର ଦାରିଦ୍ର୍ୟ ଆମେରିକୀୟ ବିଦ୍ରୂପର ଶରବ୍ୟ ହୋଇଥିବା ବେଳେ ସଂପ୍ରତି ଭାରତୀୟ ସାମର୍ଥ୍ୟ ଓ ପ୍ରତିଷ୍ଠା ଟ୍ରଂପଙ୍କ ସକାଶେ ଅସହ୍ୟ ହୋଇ ସମତୁଲ ଭାବେ ଅରୁଚିକର କଟାକ୍ଷର କାରଣ ହୋଇଛି। ତେଣୁ କେବଳ ‘ଟାରିଫ’ ବୃଦ୍ଧିରେ ସନ୍ତୁଷ୍ଟ ନ ରହି ଟ୍ରଂପ ଆମେରିକୀୟ ଟେକ୍‌ କଂପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି ଯେ ସେମାନେ ଭାରତୀୟମାନଙ୍କୁ ନିଯୁକ୍ତି ପ୍ରଦାନ ନ କରନ୍ତୁ। କିନ୍ତୁ, ଅତିକାୟ ଆମେରିକୀୟ ଟେକ୍‌ କଂପାନିଗୁଡ଼ିକ ସ୍ଥିର ନିଶ୍ଚିତ ଯେ ଭାରତୀୟ ମେଧା ନିର୍ବିକଳ୍ପ; ଯେଉଁମାନଙ୍କ ଅବଦାନରୁ ସେଗୁଡ଼ିକ ସଂପ୍ରତି ଆମେରିକାର ମଥାର ମଣି। ପ୍ରକାଶ ଥାଉ କି ସୁନ୍ଦର ପିଚାଇ, ସତ୍ୟ ନଡ଼େଲା ଏବଂ ଶାନ୍ତନୁ ନାରାୟଣଙ୍କ ଭଳି କେବଳ ତିନି ଜଣ ଅଗ୍ରଗଣ୍ୟ ଭାରତୀୟ ସି.ଇ.ଓଙ୍କ ନେତୃତ୍ବାଧୀନ କଂପାନି ଯଥାକ୍ରମେ ଗୁଗଲ, ମାଇକ୍ରୋସଫ୍‌ଟ ଏବଂ ଆଡୋବିର ବ୍ୟବସାୟ ମୂଲ୍ୟ ମିଶିଗଲେ ହେବ ୨.୫ ଟ୍ରିଲିଅନ ଡଲାର। କେବଳ ସେତିକି ନୁହେଁ, କୃତ୍ରିମ ବୁଦ୍ଧିମତ୍ତା ହେଉ କି କ୍ଲାଉଡ୍‌ କଂପ୍ୟୁଟିଙ୍ଗ; ଯେଉଁ ସବୁ ବୈଷୟିକ ଚମତ୍କାରିତା ନୂତନ ଯୁଗର ସୂତ୍ରପାତ ଘଟାଇଛନ୍ତି, ତା’ ପଛରେ ରହିଛି ଭାରତୀୟ ମସ୍ତିଷ୍କଙ୍କ ଦୁର୍ଲଭ ଔଜ୍ଜ୍ବଲ୍ୟ। ସଂପ୍ରତି ଆମେରିକୀୟ ଜନସଂଖ୍ୟାରେ ଭାରତୀୟଙ୍କ ହାର ମାତ୍ର ୧%, କିନ୍ତୁ ଏକ ବିଲିଅନ ଡଲାରରୁ ଅଧିକ ମୂଲ୍ୟବାନ ଷ୍ଟାର୍ଟଅପ୍ ସୃଷ୍ଟିରେ ସେମାନଙ୍କ ହାର ୨୫%, ଏଚ୧ବି ଭିସାଧାରୀଙ୍କ ମଧ୍ୟରେ ସେମାନେ ୭୨% ଏବଂ ଉଚ୍ଚ ଦକ୍ଷତା ସଂପନ୍ନ ମାନବ ସମ୍ବଳର ୩୬ ପ୍ରତିଶତ ଭାରତୀୟ। ପୁଣି ଭାରତ ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାର ଦ୍ବାର ଦେଶରେ। କିନ୍ତୁ ବିଡ଼ମ୍ବନା ହେଲା, ଏକ ସମୟର ଆବର୍ତ୍ତରେ ବନ୍ଦୀ ଆମେରିକାର ଚକ୍ଷୁରେ ଭାରତ ଏବେ ମଧ୍ୟ ସେହି ‘ପି.ଏଲ.’ ଅନୁଗୃହୀତ ଦେଶ ଭଳି ଦିଶେ। ସେହି ଦୃଷ୍ଟିରୁ ଆମେରିକା ଭଳି କର୍ତ୍ତୃତ୍ବବାଦୀ ଦେଶରୁ ପ୍ରଭାବରୁ ମୁକ୍ତ ହେବା ସକାଶେ ଯେ ଟାରିଫ ବୃଦ୍ଧି ଏକ ସୁଯୋଗ ଦେଇଛି, ତାହା ହୃଦ୍‌ବୋଧ କରାଯିବା ଆବଶ୍ୟକ। କହିବା ବାହୁଲ୍ୟ ଯେ ଏ ସଂକ୍ରାନ୍ତ ବିପଦ ବରଣ କରିବା ଲାଗି ଷଷ୍ଠ-ସପ୍ତମ ଦଶକ ତୁଳନାରେ ବର୍ତ୍ତମାନର ଭାରତ ଅଧିକ ସମର୍ଥ। 
କୋଷାରୁ ମୁକ୍ତ ହେବା ପରେ ପ୍ରଜାପତି ଉଡ଼ି ବୁଲେ; ଏବଂ କୋଷାରୁ ମୁକ୍ତ ହେବା ଲାଗି ପ୍ରଜାପତିର ସଂଘର୍ଷ ହିଁ ତା’ର ମୁଲାୟମ ଓ କୋମଳ ଡେଣାକୁ ଶକ୍ତିଶାଳୀ କରେ। ସୁତରାଂ, କାହାଣୀର ନୀତିକଥାଟି ହେଲା ସାମୟିକ ଅସ୍ବସ୍ତି, ସଂଘର୍ଷ ଏବଂ ଅନିଶ୍ଚିତତାବୋଧ ସତ୍ତ୍ବେ ତା’ ପରେ ଯାଇ ପ୍ରଜାପତିର ଉଡ଼ାଣ ସମ୍ଭବ ହୁଏ।