ଉଭୟ ସିଙ୍ଗଡ଼ା ଓ ଜଲେବି ହାତ ଧରାଧରି ହୋଇ ଆଜିକୁ ପ୍ରାୟ ହଜାରେ ବର୍ଷ ତଳେ ପର୍ସିଆରୁ ବାହାରି ବାଣିଜ୍ୟ ପଥ ଦେଇ ଭାରତେର ପଦାର୍ପଣ କରିଥିଲେ ଏବଂ ବର୍ତ୍ତମାନ ସେମାନେ ଭାରତୀୟ ଶୋଣିତର କଣିକାରେ ପରିଣତ ହେଲେଣି। ହୁଏତ ବର୍ଗର ବା ପିଜ୍ଜା ସେହି ଭଳି ନୂଆ ଭାରତୀୟ ନାମ ସହିତ ଦିନେ ଭାରତୀୟ ସଂସ୍କୃତିର ଅଂଶ ହୋଇ ଯାଇପାରନ୍ତି। ବିଦେଶରୁ ଆସି ଅବଲୀଳା କ୍ରମେ ‘ଦେଶୀ’ ହୋଇଯିବା ହେଉଛି ଖାଦ୍ୟ ଯାତ୍ରାର ଅଭିନବତ୍ବ। କିନ୍ତୁ, କଥା ହେଲା, ଭାରତୀୟ ସଂସ୍କୃତିର ଅଂଶ ହୋଇଗଲେ ସୁଦ୍ଧା ସେ ସବୁ ଖାଦ୍ୟର ଅସ୍ବାସ୍ଥ୍ୟକର ପ୍ରଭାବ ଯେ ସ୍ବୀକାର୍ଯ୍ୟ ହେବ, ତାହା ମଧ୍ୟ ନୁହେଁ।
ଗଲା କିଛି ଦିନ ଧରି ସିଙ୍ଗଡ଼ା ଓ ଜଲେବି ବା ସେହି ଭଳି ଲଡୁ ବା ଗୁଲାବ ଜାମୁ ଭଳି ସ୍ବାଦିଷ୍ଠ ଓ ଅତ୍ୟନ୍ତ ଲୋକପ୍ରିୟ ଭାରତୀୟ ଜଳଖିଆ ବା ‘ସ୍ନାକ୍ସ’ ଓ ମିଷ୍ଟାନ୍ନ ଇତ୍ୟାଦି ଏକ ‘ଅହେତୁକ’ ବିବାଦରେ ଛନ୍ଦି ହୋଇ ଯେଉଁ ବିତର୍କକୁ ଜନ୍ମ ଦେଇଛନ୍ତି, ତା’ର ବଳୟରେ ସାଂପ୍ରତିକ ଜୀବନ ଶୈଳୀ, ଖାଦ୍ୟାଭ୍ୟାସ, ଖାଦ୍ୟ ରୁଚି, ବ୍ୟାଧି, ଔଷଧ ବଜାର, ଏପରିକି ଜାତୀୟତାବୋଧ ଭଳି ବିଭିନ୍ନ ପ୍ରସଙ୍ଗର ଆବିର୍ଭାବ ଘଟିଛି। ବିତର୍କଟି ‘ଅହେତୁକ’; କାରଣ କେତେକ ଗଣମାଧ୍ୟମରେ ପ୍ରସାରିତ ଏକ ବିଭ୍ରାନ୍ତକାରୀ ଖବରରୁ ଏହାର ସୃଷ୍ଟି, ଯାହା କହିଥିଲା ଯେ ସରକାରୀ ଆଦେଶ କ୍ରମେ ଏଣିକି ସରକାରୀ ଦପ୍ତର ଓ ଶିକ୍ଷାନୁଷ୍ଠାନଗୁଡ଼ିକର କ୍ୟାଣ୍ଟିନ ବା କାଫେଟାରିଆରେ ମିଳୁଥିବା ଉପରୋକ୍ତ ଜଳଖିଆ ଓ ମିଷ୍ଟାନ୍ନ ଆଦିରେ ସିଗାରେଟ୍ ଖୋଳ ଉପରେ ଥିବା ଭଳି ବୈଧାନିକ ସତର୍କତାମୂଳକ ଚେତାବନୀ ରହିବ ଯେ ଏ ସବୁ ‘ସ୍ବାସ୍ଥ୍ୟ ପାଇଁ ହାନିକାରକ’ ଏବଂ ନାଗପୁରସ୍ଥିତ ‘ଏମ୍ସ’ର କ୍ୟାଣ୍ଟିନରେ ଏହାର ପାଳନ ମଧ୍ୟ କରାଗଲାଣି! ଅବଶ୍ୟ, ଏହାକୁ ଖଣ୍ଡନ କରି ସରକାର ସ୍ପଷ୍ଟ କରିଛନ୍ତି ଯେ ଏଭଳି କୌଣସି ଆଦେଶ ପ୍ରଦାନ କରାଯାଇନାହିଁ; ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପତ୍ରରେ ଏତିକି ମାତ୍ର କୁହାଯାଇଛି ଯେ ଏ ସବୁ ଖାଦ୍ୟ ପରଷା ଯାଉଥିବା ସ୍ଥାନରେ ସେ ସବୁର ପ୍ରସ୍ତୁତିରେ ବ୍ୟବହୃତ ଉପାଦାନଗୁଡ଼ିକର ତାଲିକା ସଚିତ୍ର ସୂଚନା ଫଳକମାନରେ ରହିବ, ଯାହାର ଉଦ୍ଦେଶ୍ୟ କେବଳ ସଚେତନତା ସୃଷ୍ଟି, ଖାଦ୍ୟାଭ୍ୟାସ ଓ ରୁଚି ଉପରେ କୌଣସି ହସ୍ତକ୍ଷେପ ନୁହେଁ! ଭାରତୀୟ ସଂସ୍କୃତି, ଚାଲିଚଳଣି, ପୂଜା, ପର୍ବ ଓ ଉତ୍ସବାଦିରୁ ଆରମ୍ଭ କରି ‘ଷ୍ଟ୍ରିଟ୍ ଫୁଡ୍’ ପର୍ଯ୍ୟନ୍ତ ସର୍ବତ୍ର ଏ ସବୁ ଖାଦ୍ୟର ପ୍ରାଧାନ୍ୟ ଦୃଷ୍ଟିରୁ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ, ଅନେକ ଚିକିତ୍ସକ ଏବଂ ‘ଫିଟନେସ’ ଗୁରୁଙ୍କ ମତରେ ଯେ କୌଣସି କାରଣରୁ ହୋଇଥାଉ ନା କାହିଁକି ଏଭଳି ବିତର୍କ ଆଦୌ ଅହେତୁକ ହୋଇ ନ ଥାଏ; କାରଣ ସାଂପ୍ରତିକ ଜୀବନରେ କ୍ରମ ହ୍ରାସମାଣ ଶାରୀରିକ ଶ୍ରମ ଦୃଷ୍ଟିରୁ ମାତ୍ରାଧିକ ତେଲ ଓ ଚିନିର ଉପଯୋଗରେ ପ୍ରସ୍ତୁତ ଯେ କୌଣସି ଖାଦ୍ୟ ‘ଧୂମପାନ’ ଭଳି ବିପଦର କାରଣ ହୋଇପାରେ, ଯାହାକୁ ନେଇ ସତର୍କତାର ପ୍ରସାର କେବଳ ଏଭଳି ବିତର୍କ ଦ୍ବାରା ହିଁ ସମ୍ଭବ। ପ୍ରକାଶ ଥାଉ କି ହୋଟେଲ ବା ରେସ୍ତୋରାଁ ଆଦିରେ ନିକୃଷ୍ଟ ମାନର ତେଲକୁ ବାରମ୍ବାର ଛଣାଛଣିରେ ବ୍ୟବହାର କରାଯାଉଥିବାରୁ ସିଙ୍ଗଡ଼ା ଜାତୀୟ ଖାଦ୍ୟମାନ ‘ଟ୍ରାନସ ଫ୍ୟାଟ୍’ରେ ଭରପୂର ହୋଇ ଶରୀର ଲାଗି କ୍ଷତିକାରକ ହୋଇଥାଆନ୍ତି। କେବଳ ସେତିକି ନୁହେଁ, ମାତ୍ରାଧିକ ତେଲ ବା ଶିରାରେ ରସାାଣିତ ଖାଦ୍ୟ ଓ ମିଷ୍ଟାନ୍ନ ଇତ୍ୟାଦି ସାମାନ୍ୟ ଭୁଂଜନ ମାତ୍ରକେ ଶରୀର ମଧ୍ୟକୁ ଯେତିକି କ୍ୟାଲୋରିର ପ୍ରବେଶ ଘଟାଇ ଥାଆନ୍ତି, ତାହା ଶ୍ରମ ଅନଭ୍ୟସ୍ତ ଶରୀରରେ ମେଦ ଭାବେ ଜମି ରହେ, ଯାହାର ବହୁଳତା ହୃଦ୍ରୋଗ ଠାରୁ ନେଇ ମଧୁମେହ ବା ଡାଇବେଟିସ, ଫ୍ୟାଟି ଲିଭର, ପାନକ୍ରିଏଇଟିସ ପର୍ଯ୍ୟନ୍ତ ମାରାତ୍ମକ ରୋଗର କାରଣ ହୋଇଥାଏ। ସଂପ୍ରତି ଭାରତରେ ମେଦ ବହୁଳତା ଦ୍ବାରା ଆକ୍ରାନ୍ତଙ୍କ ହାର ୨୦%ରୁ ଅଧିକ ହୋଇଥିବା ବେଳେ ୨୦୫୦ ମସିହା ସୁଦ୍ଧା ମେଦ ବହୁଳଙ୍କ ସଂଖ୍ୟା ଏକ ବିଶାଳ ୪୫ କୋଟିରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ବିଶେଷଜ୍ଞମାନେ କହିଥାଆନ୍ତି ହୁଏତ ଘରର ପାକଶାଳାରେ ପ୍ରସ୍ତୁତ ଖାଦ୍ୟରେ ଉତ୍କୃଷ୍ଟ ମାନର ତେଲର ବ୍ୟବହାର ଏବଂ ତେଲ ତଥା ଚିନିର ନିୟନ୍ତ୍ରିତ ଉପଯୋଗ ହେତୁ ‘ଟ୍ରାନସ ଫ୍ୟାଟ’ ବା ମାତ୍ରାଧିକ କ୍ୟାଲୋରିର ପ୍ରାଦୁର୍ଭାବ ତୁଳନାତ୍ମକ ଭାବେ କମ୍ ରହନ୍ତା; କିନ୍ତୁ ବିଡ଼ମ୍ବନାଟି ହେଲା ସାଂପ୍ରତିକ ବ୍ୟସ୍ତତାବହୁଳ ଜୀବନ ଏବଂ ଯେ କୌଣସି ସ୍ଥାନରେ ରହି ଅର୍ଡର କରିବା ମାତ୍ରକେ ମନପସନ୍ଦର ରେସ୍ତାରାଁରୁ ଅସ୍ବାସ୍ଥ୍ୟକର ଅଥଚ ଅତ୍ୟନ୍ତ ସ୍ବାଦିଷ୍ଠ ଖାଦ୍ୟମାନ ଦ୍ବାର ଦେଶରେ ଉପସ୍ଥିତ ହୋଇ ଯାଉଥିବା ହେତୁ ଘରର ପାକଶାଳାଗୁଡ଼ିକ ବିଜନ ଦିଶିଲେଣି। ସୁତରାଂ, ଏଭଳି ଏକ ଅନାହୂତ ବାସ୍ତବତାକୁ ନଜରଅନ୍ଦାଜ କରାଯିବା ମଧ୍ୟ ଅବିମୃଶ୍ୟକାରିତା ହେବ।
ତେବେ ସରକାରଙ୍କ ଦ୍ବାରା ପ୍ରେରିତ ପତ୍ର ପରିପ୍ରେକ୍ଷୀରେ ଅନେକ ମହତ ଉଦ୍ଦେଶ୍ୟଧାରୀ ବିଶେଷଜ୍ଞ ଆଲୋଚନାକୁ ସଂପ୍ରସାରିତ କରି ପ୍ରଶ୍ନ କରିଥାନ୍ତି ଯେ ସିଙ୍ଗଡ଼ା ବା ଜଲେବି ତୁଳନାରେ ‘ବର୍ଗର’ ବା କେଣ୍ଟୁକି ଫ୍ରାଏଡ ଚିକେନ ବା ପ୍ୟାକେଟରେ ମିଳୁଥିବା ‘ଅଲଟ୍ରା ପ୍ରୋସେସ୍ଡ ଫୁଡ୍’ ବା ମୃଦୁ ପାନୀୟ ଇତ୍ୟାଦି ଶରୀର ଲାଗି ଅଧିକ କ୍ଷତିକାରକ ହୋଇଥିଲେ ହେଁ ସେ ସବୁର ବିପଦ ନେଇ ସରକାର ନିରବ କାହିଁକି? ଏ ସବୁ ଦ୍ରବ୍ୟର ପ୍ରସ୍ତୁତକାରୀ ଅତ୍ୟନ୍ତ ପ୍ରଭାବଶାଳୀ ବହୁ ଦେଶୀୟ କଂପାନିଗୁଡ଼ିକ ସମ୍ମୁଖରେ ସରକାର ହୀନବଳ କି? ଏଭଳି ପ୍ରଶ୍ନ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ; କାରଣ ଆକର୍ଷଣୀୟ ବିଜ୍ଞାପନ, ଲୋଭନୀୟ ପ୍ୟାକେଟ ବା ବୋତଲ ଓ ତହିଁରେ ଥିବା ଜିହ୍ବା-ଲାଳସା ତୃପ୍ତକାରୀ ଖାଦ୍ୟ ବା ପାନୀୟ ଦ୍ବାରା ମୋହଗ୍ରସ୍ତ ଉପଭୋକ୍ତାଗଣ ସେମାନଙ୍କ ଶରୀର ପ୍ରତି ଅପେକ୍ଷାକୃତ ଅଧିକ କ୍ଷତି ପହଞ୍ଚାଇଥାଆନ୍ତି। ସଂପ୍ରତି ଏଭଳି ଖାଦ୍ୟ ଓ ପାନୀୟ ସର୍ବବିଦ୍ୟମାନ ହୋଇ ପୃଥିବୀକୁ ମେଦବହୁଳଙ୍କ ଗ୍ରହରେ ପରିଣତ କରିସାରିଲାଣି, ଯାହା ଏକ ବିଶେଷ ଚିନ୍ତାର କାରଣ ହୋଇଥାଏ। ଏହି ସଂଦର୍ଭରେ ପ୍ରତ୍ୟେକ ଉପଭୋକ୍ତା ଖାଦ୍ୟ ରୂପରେ ଶରୀର ମଧ୍ୟକୁ କେଉଁ ଆବର୍ଜନା ନିକ୍ଷେପ କରୁଛନ୍ତି, ସେ ସମ୍ବନ୍ଧରେ ସଚେତନ ହେବା ମଧ୍ୟ ନିତାନ୍ତ ଆବଶ୍ୟକ। ଅନେକ ବିଶେଷଜ୍ଞ କହନ୍ତି ଯେ ଅନେକ ପ୍ୟାକେଟ ଉପରେ ତହିଁରେ ଥିବା ଖାଦ୍ୟରେ ବ୍ୟବହୃତ ଉପାଦାନଗୁଡ଼ିକର ନାମ ଉଲ୍ଲିଖିତ ରହୁଥିଲେ ସୁଦ୍ଧା, ତାହା ପ୍ୟାକେଟର ପଛ ପଟେ ଆତ୍ମଗୋପନ କଲା ଭଳି ହୋଇ ରହିଥାଏ, ଯାହା ପ୍ୟାକେଟର ସମ୍ମୁଖ ଭାଗକୁ ଆସିବା ଜରୁରି। ତେେବ, ଇଂରେଜୀ ଭାଷା-ଜ୍ଞାନ ବର୍ଜିତ ଭାରତୀୟଙ୍କ ସଂଖ୍ୟାଧିକ୍ୟ ହେତୁ କେତେକ ବିଶେଷଜ୍ଞ କହନ୍ତି ଯେ ଉପାଦାନଗୁଡ଼ିକର ନାମ ଉଲ୍ଲେଖ କରାଯିବା ସହିତ ଯେଉଁ ଖାଦ୍ୟରେ ଶରୀର ଲାଗି କ୍ଷତିର ସ୍ତର ସହନ ସୀମା ଅତିକ୍ରମ କରିବାର ସମ୍ଭାବନା ଥାଏ, ସେଭଳି ଖାଦ୍ୟ ପ୍ୟାକେଟରେ ଏକ ନିର୍ଦ୍ଦିଷ୍ଟ ରଙ୍ଗର ଚିହ୍ନ ଦିଆଯିବା ଉଚିତ; ଯେଉଁ ଉପାୟ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଚିଲିରେ ଖାଦ୍ୟ ସଚେତନତା ସୃଷ୍ଟିରେ ସଫଳ ହୋଇଛି। ସୁତରାଂ, ସରକାରଙ୍କ ପତ୍ରର ଉଦ୍ଦେଶ୍ୟ ବିତର୍କିତ ହୋଇଥିଲେ ସୁଦ୍ଧା ଖାଦ୍ୟ ସଚେତନତାର ଆବଶ୍ୟକତା ନେଇ କୌଣସି ଦ୍ବିମତ ନାହିଁ।
ପ୍ରକାଶ ଥାଉ କି ରସନା-ଲାଳସାର ଆକର୍ଷଣରୁ ମେଦରେ ବୃଦ୍ଧି ଘଟାଇବା ଏବଂ ତା’ ପରେ ନିଜକୁ ପୂର୍ବବତ୍ ଆକର୍ଷଣୀୟ କରିବା ଲାଗି ମେଦ ଓ ଓଜନ ହ୍ରାସ ଔଷଧର ଶରଣ ନେବା କ୍ରମରେ ଭାରତରେ ଏକ ବିଶାଳ ‘ମେଦ ବିମୋଚନ’ ବା ‘ଓଜନ ହ୍ରାସ’ ଔଷଧର କାରବାର ସୃଷ୍ଟି କଲାଣି। ଅବଶ୍ୟ, ନିୟମିତ ବ୍ୟାୟାମ ଓ ସ୍ବାସ୍ଥ୍ୟକର ଖାଦ୍ୟ ଦ୍ବାରା ଶରୀରକୁ ସୁସ୍ଥ, ସୁନ୍ଦର ଓ ସୁଠାମ ରଖିବା ସମ୍ଭବ ହୋଇଥିଲେ ହେଁ ଏହା କଷ୍ଟସାଧ୍ୟ ଓ କଠିନ ଶୃଙ୍ଖଳା ଲୋଡୁଥିବାରୁ ବିଶେଷ ପସନ୍ଦଯୋଗ୍ୟ ହୋଇ ନ ଥାଏ। ଆମ ଦେଶରେ ଓଜନ ହ୍ରାସକାରୀ ଔଷଧର କାରବାର ଗତ ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚ ଗୁଣ ବୃଦ୍ଧି ପାଇ ବର୍ତ୍ତମାନ ୬୨୮ କୋଟି ଟଙ୍କାରେ ପହଞ୍ଚିଲାଣି। ସଂପ୍ରତି ଏହି ବଜାରରେ ଆଧିପତ୍ୟ ବିସ୍ତାର କରିଥିବା ‘ଏଲି ଲିଲି’ ଓ ‘ନୋଭାକର୍ଟିସ’ ଭଳି ଅତିକାୟ ବିଦେଶୀ ଔଷଧ କଂପାନି ଦ୍ବାରା ପ୍ରସ୍ତୁତ ଔଷଧ ଯଥାକ୍ରମେ ‘ମନଜାରୋ’ ଓ ‘ୱିଗୋଭି’ ଅତ୍ୟନ୍ତ ଖର୍ଚ୍ଚ ସାପେକ୍ଷ (ଜଣକ ପିଛା ମାସିକ ହାରାହାରି ପନ୍ଦର ହଜାର ଟଙ୍କା) ହୋଇଥିଲେ ହେଁ ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛନ୍ତି। ତେବେ, ଆସନ୍ତା ବର୍ଷ ଏହି ଔଷଧ ଦ୍ବୟରେ ବ୍ୟବହୃତ ମୁଖ୍ୟ ଉପାଦାନ ‘ସେମାଗ୍ଲୁଟାଇଡ୍’ର ପେଟେଣ୍ଟ ଅବଧିର ସମାପ୍ତି ଘଟୁଥିବାରୁ ସମାନ ଉପାଦାନର ‘ଜେନେରିକ’ ଔଷଧମାନ ସର୍ବତ୍ର, ସହଜରେ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ସୁନିଶ୍ଚିତ। ଏଭଳି ସ୍ଥିତିରେ ମୁଖ ରୋଚକ ଖାଦ୍ୟ ଖାଇ ମେଦ ଆହରଣ କରିବା ଏବଂ ଶସ୍ତା ଔଷଧ ମାଧ୍ୟମରେ ମେଦ ବିସର୍ଜନ କରିବା ଭଳି ପ୍ରକ୍ରିୟା ଅଧିକ ଭାରତୀୟଙ୍କୁ ଏକ ଦୁଷ୍ଟଚକ୍ରର ବନ୍ଦୀ କରିବ। ଏଭଳି ସ୍ଥଳେ ଖାଦ୍ୟ ନେଇ ସଚେତନତା ଓ ସତର୍କତା ଯେ ସର୍ବାଧିକ ଆବଶ୍ୟକ, ଏହା ହୃଦବୋଧ କରି ହୁଏ।
ପ୍ରକାଶ ଥାଉ କି ଉଭୟ ସିଙ୍ଗଡ଼ା ଓ ଜଲେବି ହାତ ଧରାଧରି ହୋଇ ଆଜିକୁ ପ୍ରାୟ ହଜାରେ ବର୍ଷ ତଳେ ପର୍ସିଆରୁ ବାହାରି ବାଣିଜ୍ୟ ପଥ ଦେଇ ଭାରତେର ପଦାର୍ପଣ କରିଥିଲେ ଏବଂ ବର୍ତ୍ତମାନ ସେମାନେ ଭାରତୀୟ ଶୋଣିତର କଣିକାରେ ପରିଣତ ହେଲେଣି। ହୁଏତ ବର୍ଗର ବା ପିଜ୍ଜା ସେହି ଭଳି ନୂଆ ଭାରତୀୟ ନାମ ସହିତ ଦିନେ ଭାରତୀୟ ସଂସ୍କୃତିର ଅଂଶ ହୋଇ ଯାଇପାରନ୍ତି। ବିଦେଶରୁ ଆସି ଅବଲୀଳା କ୍ରମେ ‘ଦେଶୀ’ ହୋଇଯିବା ହେଉଛି ଖାଦ୍ୟ ଯାତ୍ରାର ଅଭିନବତ୍ବ। କିନ୍ତୁ, କଥା ହେଲା, ଭାରତୀୟ ସଂସ୍କୃତିର ଅଂଶ ହୋଇଗଲେ ସୁଦ୍ଧା ସେ ସବୁ ଖାଦ୍ୟର ଅସ୍ବାସ୍ଥ୍ୟକର ପ୍ରଭାବ ଯେ ସ୍ବୀକାର୍ଯ୍ୟ ହେବ, ତାହା ମଧ୍ୟ ନୁହେଁ। ତେଣୁ ବିଭିନ୍ନ କାରଣରୁ ବ୍ୟାୟାମ ଓ ଶ୍ରମ ଦ୍ବାରା ଶରୀରକୁ ଜର୍ଜର କରି ପାରୁ ନ ଥିବା ଆମ ଭଳି ପ୍ରତ୍ୟେକଙ୍କ ଲାଗି ଖାଦ୍ୟ ସଚେତନତା ହେଉଛି ଏକ ଅନିବାର୍ଯ୍ୟତା।