ଆଜିର ‘ଏଆଇ’ ଯୁଗରେ ଆମର ଜୀବନ ଯେଉଁଭଳି ଟେକ୍‌ନୋଲୋଜି ଦ୍ବାରା ପ୍ରଭାବିତ ହେବାରେ ଲାଗିଛି, ଅତୀତରେ ଆଇନାର ଉଦ୍ଭାବନ ପରଠାରୁ ବୋଧହୁଏ ସେପରି ଘଟି ନ ଥିଲା। ଚଳିତ ବର୍ଷର ଅର୍ଥନୀତି ନୋବେଲ୍ ଏହାକୁ ହିଁ ସମୟୋଚିତ ସ୍ବୀକୃତି ପ୍ରଦାନ କରିଛି।

Advertisment

ଆଧୁନିକ ଦର୍ପଣ ଜନ୍ମ ଲାଭ କଲା ୧୮୩୫ରେ। ସେଇ ବର୍ଷ ଜର୍ମାନ୍ ରସାୟନବିତ୍ ଜଷ୍ଟସ୍ ଭନ୍ ଲାଏବିଗ୍ ଏକ କାଚ ଉପରେ ରୁପାର ଏକ ପତଳା ଆସ୍ତରଣ ବୋଳି ଦେଲେ। ଏହା ହିଁ ହେଉଛି ଆଧୁନିକ ଆଇନାର ମୌଳିକ ସ୍ବରୂପ। ଏହାକୁ ବ୍ୟବହାର କରି ଇତିହାସରେ ପ୍ରଥମ ଥର ପାଇଁ ମନୁଷ୍ୟ ନିଜେ ନିଜର ଚେହେରାକୁ ନିର୍ଭୁଲ୍‌ ଭାବରେ ଦେଖିବାକୁ ସମର୍ଥ ହେଲା। ଆଇନାର ଆବିର୍ଭାବ ପୂର୍ବରୁ ଜଣେ ଲୋକ କେବେହେଲେ ନିଜର ମୁଖମଣ୍ଡଳର ଏକ ନିଖୁଣ ଛବି ଦେଖିବା ବିନା ସାରା ଜୀବନ ବିତାଇ ଇହଧାମ ତ୍ୟାଗ କରୁଥିଲା। ସେ ଗ୍ରୀକ୍ ପୌରାଣିକ କାହାଣୀର ନାର୍ସିସସ୍ ପରି ଝରଣାର ଜଳରେ କିମ୍ବା କୌଣସି ମସୃଣ ସମତଳରେ ନିଜର ଯେଉଁ ପ୍ରତିବିମ୍ବ ଦେଖୁଥିଲା, ତାହା ଥିଲା ନିଜର ପ୍ରକୃତ ଚେହେରାର ଏକ ବିକୃତ, ବିଖଣ୍ଡିତ ପ୍ରତିଫଳନ ମାତ୍ର। କେବଳ ରାଜା, ଜମିଦାରମାନେ ନିପୁଣ ଚିତ୍ରକରମାନଙ୍କୁ ନିୟୋଜିତ କରି ନିଜର ପ୍ରତିକୃତି ଅଙ୍କନ କରାଇ ଦେଖିପାରୁଥିଲେ ଯାହା; କିନ୍ତୁ ତାହା ମଧ୍ୟ ଥିଲା ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ବନ୍ଦୀ ହୋଇ ରହିଯାଇଥିବା ଚେହେରା ମାତ୍ର।
ଅର୍ଥନୈତିକ ଐତିହାସିକମାନେ କୁହନ୍ତି ଆଇନାର ଉଦ୍ଭାବନ ମନୁଷ୍ୟକୁ ଆତ୍ମବିଭୋର କରାଇଲା, ଯାହା ଶେଷରେ ଏକ ଅଧିକ ବ୍ୟକ୍ତି-କୈନ୍ଦ୍ରିକ ଦୁନିଆକୁ ଜନ୍ମ ଦେଲା। ଏହି ବ୍ୟକ୍ତି-କୈନ୍ଦ୍ରିକ ଦୁନିଆ ଆଧୁନିକ ବଜାର-ଭିତ୍ତିକ ପୁଞ୍ଜିବାଦର ମୂଳ ଭିତ୍ତି ରୂପେ କାର୍ଯ୍ୟ କଲା। କହିବା ବାହୁଲ୍ୟ, ବଜାରର ବିକାଶ ଘଟିବା ସହିତ ଆଇନା ବିକ୍ରିରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଲା। ବଜାର ଚାହିଦା ପୂରଣ କରିବା ପାଇଁ ଆଇନା ଉତ୍ପାଦନରେ ବୃଦ୍ଧି ଘଟି ଚାଲିଲା; ଆଇନା ଶିଳ୍ପରେ ନିଯୁକ୍ତି ବୃଦ୍ଧି ପାଇଲା; ନିଯୁକ୍ତିରେ ବୃଦ୍ଧି ସହିତ ତାଳ ଦେଇ ସମାଜରେ ଆୟରେ ବୃଦ୍ଧି ଘଟିବାରେ ଲାଗିଲା। ବିଗତ ଦୁଇ ଶତାବ୍ଦୀ ମଧ୍ୟରେ ପୃଥିବୀରେ ଯେଉଁ ନିରବଚ୍ଛିନ୍ନ ଅର୍ଥନୈତିକ ଅଭିବୃଦ୍ଧି ଧାରା ପରିଲକ୍ଷିତ ହୋଇଛି, ତାହାର ମୂଳରେ ରହିଛି ଏହି ଆଇନାର କାହାଣୀ ଭଳି ଉଦ୍ଭାବନ ଓ ନବପ୍ରବର୍ତ୍ତନ (ଇନୋଭେସନ୍)ର କାହାଣୀମାନ।
ଯଦିବା ସୋମବାର ଦିନ ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଲାଭ କରିଥିବା ତିନି ଜଣ ଅର୍ଥଶାସ୍ତ୍ରୀ ନିର୍ଦ୍ଦିଷ୍ଟ ଭାବରେ କେଉଁଠାରେ ଅର୍ଥନୈତିକ ଅଭିବୃଦ୍ଧିରେ ଆଇନାର ଭୂମିକା ସମ୍ବନ୍ଧରେ ଉଲ୍ଲେଖ କରିନାହାନ୍ତି, ସେମାନଙ୍କୁ ଯେଉଁଥିପାଇଁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି, ତାହା ହେଉଛି ଅର୍ଥନୈତିକ ଅଭିବୃଦ୍ଧିରେ ଆଇନାସୁଲଭ ଉଦ୍ଭାବନ, ଇନୋଭେସନ୍ ଓ ଟେକ୍‌ନୋଲୋଜିର ଭୂମିକା ସମ୍ବନ୍ଧରେ ସେମାନେ କରିଥିବା ଗବେଷଣାତ୍ମକ କାର୍ଯ୍ୟ। ଏହି ସଦ୍ୟତମ ନୋବେଲ୍ ବିଜେତା ଅର୍ଥନୀତିଜ୍ଞ ତିନି ଜଣ ହେଉଛନ୍ତି ଜୋଏଲ୍ ମୋକିର୍, ଫିଲିପ୍ ଆଗିଅନ୍ ଓ ପିଟର୍ ହାୱିଟ୍।
ଆମେରିକାର ନର୍ଥୱେଷ୍ଟର୍ନ ୟୁନିଭର୍ସିଟିରେ କାର୍ଯ୍ୟରତ ଇସ୍ରାଏଲୀ-ଆମେରିକୀୟ ମୋକିର୍ ହେଉଛନ୍ତି ଉଭୟ ଜଣେ ଅର୍ଥନୀତିଜ୍ଞ ଓ ଐତିହାସିକ। ସେ ଯେଉଁସବୁ ସମସ୍ୟାମାନଙ୍କ ସମ୍ବନ୍ଧରେ ଗବେଷଣାତ୍ମକ ପୁସ୍ତକମାନ ରଚନା କରିଛନ୍ତି ସେଥିରେ ଆୟର୍ଲାଣ୍ଡର ଦୁର୍ଭିକ୍ଷରୁ ଆରମ୍ଭ କରି କୋଭିଡ୍ ସମୟରୁ ଆରମ୍ଭ ହୋଇଥିବା ‘ଘରେ ଥାଇ କାମ’ (‘ୱର୍କ ଫ୍ରମ୍ ହୋମ୍’) ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ତାଙ୍କର ଯେଉଁ ଗବେଷଣା ପାଇଁ କିନ୍ତୁ ତାଙ୍କୁ ନୋବେଲ୍ ପୁରସ୍କାର ପାଇବା ନିମିତ୍ତ ଯୋଗ୍ୟ ବିବେଚିତ କରାଯାଇଛି, ତାହା ହେଉଛି ଅର୍ଥନୈତିକ ଅଭିବୃଦ୍ଧି ପଛରେ ନିହିତ ଥିବା କାରଣ ସମ୍ବନ୍ଧରେ ତାଙ୍କର ଅନୁସନ୍ଧାନ। ମାନବ ସଭ୍ୟତାର ଇତିହାସରେ ଦୀର୍ଘ କାଳ ଧରି ଦେଶମାନଙ୍କର ‘ମୋଟ ଜାତୀୟ ଉତ୍ପାଦ’ (‘ଜିଡିପି’)ରେ କୌଣସି ବୃଦ୍ଧି ଘଟିବା ଦେଖାଯାଇ ନ ଥିବାବେଳେ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ଆଡ଼କୁ ସେଥିରେ ବୃଦ୍ଧି ଆରମ୍ଭ ହେବା ଦେଖାଗଲା। ମୋକିର୍‌ଙ୍କ ମତ ଅନୁସାରେ ଯେଉଁ ଶକ୍ତି ବଳରେ ଏହି ଅଭିବୃଦ୍ଧି ଘଟିବା ଆରମ୍ଭ ହୋଇଥିଲା, ତାହା ହେଉଛି ବିଚାର(ଆଇଡିଅା)ର ଶକ୍ତି। ୨୦୧୬ରେ ପ୍ରକାଶିତ ତାଙ୍କର ପୁସ୍ତକ ‘ଏ କଲ୍‌ଚର୍ ଅଫ୍ ଗ୍ରୋଥ୍’ରେ ମୋକିର୍ ତାଙ୍କର ଏହି ଚିନ୍ତାଧାରାକୁ ସିଧାସଳଖ ଢଙ୍ଗରେ ଉପସ୍ଥାପିତ କରିଛନ୍ତି। ଏହା ଅନୁସାରେ ସପ୍ତଦଶ ଶତାବ୍ଦୀ ଆଡ଼କୁ ୟୁରୋପୀୟ ସାଂସ୍କୃତିକ ମୂଲ୍ୟବୋଧରେ ଯେଉଁ ପରିବର୍ତ୍ତନ ଘଟିବାକୁ ଆରମ୍ଭ କଲା ତାହା ବୈଜ୍ଞାନିକ ଅନୁସନ୍ଧାନ ଓ ଆବିଷ୍କାର ପାଇଁ ଅନୁକୂଳ ହେଲା ଓ ପରେ ସେଇ ଅାଇଡିଆମାନଙ୍କର ବାଣିଜ୍ୟିକ ପ୍ରୟୋଗକୁ ଅକୁଣ୍ଠିତ ଭାବରେ ସ୍ବାଗତ କରାଗଲା।
ମୋକିର୍ ଇତିହାସରୁ ଅନୁସନ୍ଧାନ କରି ସାବ୍ୟସ୍ତ କରିଛନ୍ତି ଯେ ସମୟ ବିତିଚାଲିବା ସହିତ ତାଳ ଦେଇ ଗୋଟିକ ପରେ ଗୋଟିଏ ଇ‌େନାଭେସନ୍‌ର ଆବିର୍ଭାବ ଘଟି ଅଭିବୃଦ୍ଧିକୁ ଆଗେଇ ନେବାକୁ ହେଲେ ଆମେ ଏହା ପଛରେ ନିହିତ ଥିବା ବିଜ୍ଞାନକୁ ମଧ୍ୟ ବୁଝିବା ପାଇଁ ସକ୍ଷମ ହେବା ଆବଶ୍ୟକ। ଶିଳ୍ପ ବିପ୍ଳବ ପୂର୍ବରୁ କିନ୍ତୁ ଏହା ସମ୍ଭବ ହେଉ ନ ଥିଲା, ଯାହା ଫଳରେ ନୂତନ ଆବିଷ୍କାର ଓ ଉଦ୍ଭାବନମାନ ଇନୋଭେସନ୍‌ରେ ରୂପାନ୍ତରିତ ହୋଇପାରୁ ନ ଥିଲା।
ମୋକିର୍‌ଙ୍କ ସହିତ ଅନ୍ୟ ଯେଉଁ ଦୁଇ ଜଣ ଅର୍ଥନୀତିଜ୍ଞଙ୍କୁ ମଧ୍ୟ ଚଳିତ ବର୍ଷର ଅର୍ଥନୀତି ନୋବେଲ୍ ପୁରସ୍କାର ପାଇବା ପାଇଁ ଚୟନ କରାଯାଇଛି ସେମାନେ ହେଲେ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକୋନୋମିକ୍‌ସର ଫିଲିପ୍ ଆଗିଅନ୍ ଓ ଆମେରିକାର ବ୍ରାଉନ୍ ୟୁନିଭର୍ସିଟିର ପିଟର୍ ହାୱିଟ୍। ଏହି ଅର୍ଥନୀତିଜ୍ଞ ଦ୍ବୟ ଅର୍ଥନୈତିକ ଅଭିବୃଦ୍ଧିର ଅବିଚ୍ଛିନ୍ନ ଧାରାକୁ ସମ୍ଭବ କରାଉଥିବା ପ୍ରକ୍ରିୟାର ଅନୁଶୀଳନରେ ସେମାନଙ୍କର ଅବଦାନ ପାଇଁ ଏହି ପୁରସ୍କାର ଲାଭ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଂଶ ଶତାବ୍ଦୀର ଅନ୍ୟତମ ମହାନ ଅର୍ଥନୀତିଜ୍ଞ ଜୋସେଫ୍ ସୁମ୍ପିଟର୍‌ଙ୍କୁ ଅନୁସରଣ କରି ସେ ଆବିଷ୍କାର କରିଥିବା ‘କ୍ରିଏଟିଭ୍ ଡେଷ୍ଟ୍ରକ୍‌ସନ’ (‘ସୃଜନଶୀଳ ଧ୍ବଂସ’) ଧାରଣା ଭିତ୍ତିରେ ଏହି ଅର୍ଥନୀତିଜ୍ଞ ଦ୍ବୟ ୧୯୯୨ରେ ଏକ ଗାଣିତିକ ମଡେଲ୍ ରଚନା କରିଥିଲେ। ସୁମ୍ପିଟର୍‌ଙ୍କର ଏହି ଧ୍ବଂସଲୀଳା ଅନୁସାରେ ପୁରାତନ ଧାରଣା‌, ପ୍ରବିଧି, ପ୍ରକ୍ରିୟା ଓ ପଦାର୍ଥମାନଙ୍କର ଧ୍ବଂସ ସାଧନ କରି ନୂତନ, ଉନ୍ନତତର ଏହି ସମସ୍ତର ଆବିର୍ଭାବ ହିଁ ଅର୍ଥନୈତିକ ଅଭିବୃଦ୍ଧିକୁ ନିରନ୍ତର ଆଗେଇ ନେଇଥାଏ। ଚୁମ୍ବକରେ କହିଲେ ଅଧିକ ପ୍ରତିଯୋଗିତାକ୍ଷମ ଦ୍ବାରା ପ୍ରତିଯୋଗିତାଅକ୍ଷମ ‘କ୍ରିଏଟିଭ୍ ଡେଷ୍ଟ୍ରକ୍‌ସନ’ ମାଧ୍ୟମରେ ବଜାରରୁ ବିତାଡ଼ିତ ହୋଇଥାଏ।
ଅବଶ୍ୟ ଯେ କୌଣସି ଧ୍ବଂସକାଣ୍ଡ ଭଳି ବଜାରରେ ଏହି ଧ୍ବଂସଲୀଳା ନିର୍ବିଘ୍ନରେ ଘଟି ନ ଥାଏ। ନୂତନ ଅନୁପ୍ରବେଶକାରୀମାନେ ସ୍ବାଭାବିକ ଭାବରେ ପୁରାତନ ପ୍ରତିଷ୍ଠିତ ଶିଳ୍ପ ବ୍ୟବସାୟ ତରଫରୁ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥାନ୍ତି। ନୋବେଲ୍ କମିଟି ମଧ୍ୟ ଏହାକୁ ସ୍ବୀକାର କରି ପୁରସ୍କାର ମାନପତ୍ରରେ ଉଲ୍ଲେଖ କରିଛି ଯେ ବିଜେତା ଦ୍ବୟ ‘କ୍ରିଏଟିଭ୍ ଡେଷ୍ଟ୍ରକ୍‌ସନ’ କିପରି ସଂଘାତ ସୃଷ୍ଟି କରିଥାଏ, ତାହା ପ୍ରଦର୍ଶିତ କରିବା ସହିତ ତାହାର ଉପଯୁକ୍ତ ପରିଚାଳନାର ଆବଶ୍ୟକତା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି।
ନୋବେଲ୍ ପୁରସ୍କାର ଅନୁସରଣ କରୁଥିବା ମାନଦଣ୍ଡ ଅନୁସାରେ ସେଇମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବେ ଯେଉଁମାନଙ୍କର ଅବଦାନ ମାନବ ସମାଜର ସର୍ବାଧିକ ମଙ୍ଗଳ ସାଧନ ପାଇଁ ଉଦ୍ଦିଷ୍ଟ ହୋଇଥିବ। ଚଳିତ ବର୍ଷର ପୁରସ୍କାରରେ ଯେ ତାହା ହିଁ ସ୍ପଷ୍ଟ ରୂପେ ପ୍ରତିଫଳିତ ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ। ଆଜିର ‘ଏଆଇ’ ଯୁଗରେ ଆମର ଜୀବନ ଯେଉଁଭଳି ଟେକ୍‌ନୋଲୋଜି ଦ୍ବାରା ପ୍ରଭାବିତ ହେବାରେ ଲାଗିଛି, ଅତୀତରେ ଆଇନାର ଉଦ୍ଭାବନ ପରଠାରୁ ବୋଧହୁଏ ସେପରି ଘଟି ନ ଥିଲା। ଚଳିତ ବର୍ଷର ଅର୍ଥନୀତି ନୋବେଲ୍ ଏହାକୁ ହିଁ ସମୟୋଚିତ ସ୍ବୀକୃତି ପ୍ରଦାନ କରିଛି।