‘ଜିଏସ୍‌ଟି’ରେ ଅଣାହେବାକୁ ଯାଉଥିବା ସଂସ୍କାର ମାଧ୍ୟମରେ ଟିକସ ହାରର ସରଳୀକରଣ ଓ ଅନୁପାଳନରେ ଉନ୍ନତି ଯୋଗୁଁ ଉତ୍ପାଦନ ବ୍ୟୟରେ ହ୍ରାସ ଘଟିବ, ଚାହିଦାରେ ବୃଦ୍ଧି ଘଟିବ ଓ ନିବେଶରେ ବୃଦ୍ଧି ଘଟିବ। ଏହାଦ୍ବାରା ଟିକସ ଭିତ୍ତିଭୂମିରେ ସଂପ୍ରସାରଣ ଘଟି ସରକାରଙ୍କ ରାଜସ୍ବରେ ବୃଦ୍ଧି ଘଟିବ। ଏକ ଦୃଷ୍ଟିରୁ ଦେଖିଲେ ତେଣୁ କୁହାଯାଇପାରେ ଯେ ‘ଜିଏସ୍‌ଟି ୨.୦’ ହେଉଛି ଭାରତୀୟ ଅର୍ଥନୀତିକୁ ‌ଏକ କଠିନ ସମୟର ସଫଳ ମୁକାବିଲା କରିବା ପାଇଁ ପ୍ରଦାନ କରାଯାଉଥିବା ଏକ ସୁଚିନ୍ତିତ ପ୍ରୋତ୍ସାହନ।

Advertisment

ସୋମବାର ଦିନ ଭାରତୀୟ ସେଆର୍ ବଜାର ଉଭୟ ନିବେଶକ ଓ ପର୍ଯ୍ୟବେକ୍ଷକମାନଙ୍କୁ ଚମତ୍କୃତ କରିଦେଇଥିବା ଦେଖାଯାଇଥିଲା। ଟ୍ରମ୍ପ ଟାରିଫ୍‌ର ନୈରାଶ୍ୟଜନକ ପ୍ରଭାବ ସତ୍ତ୍ବେ ସେଦିନ ‘ସେନ୍‌ସେକ୍‌ସ’ରେ ଦିନ ଭିତରେ ପ୍ରାୟ ୧୨୦୦ ପଏଣ୍ଟ ବୃଦ୍ଧି ଘଟିବା ପରେ ଦିନ ‌େଶଷ ବେଳକୁ ସେଇ ବୃଦ୍ଧି ପ୍ରାୟ ୭୦୦ ପଏଣ୍ଟରେ ସମାପ୍ତ ହୋଇଥିଲା। ସେହିପରି ‘ନିଫ୍‌ଟି’ରେ ଦିନ ଭିତରେ ୩୯୦ ପଏଣ୍ଟ ବୃଦ୍ଧି ଘଟିବା ପରେ ଶେଷରେ ତାହା ୨୪୫ ପଏଣ୍ଟରେ ସମାପ୍ତ ହୋଇଥିଲା। ଯେଉଁସବୁ କଂପାନିମାନଙ୍କର ସେଆର୍ ମୂଲ୍ୟରେ ବୃଦ୍ଧି ଯୋଗୁଁ ଭାରତୀୟ ସେଆର୍ ବଜାରରେ ଏଭଳି ଊର୍ଦ୍ଧ୍ବଗତି ଦେଖାଯାଇଥିଲା, ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ମାରୁତି, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଅଲ୍‌ଟ୍ରାଟେକ୍ ସିମେଣ୍ଟ, ଟ୍ରେଣ୍ଟ୍, ବଜାଜ୍ ଫାଇନାନ୍‌ସ, ବଜାଜ୍ ଫିନ୍‌ ସର୍ଭ ଆଦି।
ଉଲ୍ଲେଖଯୋଗ୍ୟ ଭାବରେ କୌଣସି ବାହ୍ୟ କାରଣ ଯୋଗୁଁ ସେଆର୍ ବଜାରରେ ଏହି ଉତ୍ସାହ ପରିଦୃଷ୍ଟ ହୋଇ ନ ଥିଲା (ଟ୍ରମ୍ପ ଭାରତ ଉପରେ ଟାରିଫ୍ କୋହଳ କରିନାହାନ୍ତି); ଉତ୍ସାହର କାରଣ ଥିଲା ସଂପୂର୍ଣ୍ଣ ଆଭ୍ୟନ୍ତରୀଣ- ଭାରତର ୭୯ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ବଳବତ୍ତର ଥିବା ଦ୍ରବ୍ୟ ଓ ସେବା କର (‘ଜିଏସ୍‌ଟି’)ରେ ଘଟିବାକୁ ଯାଉଥିବା ଦ୍ବିତୀୟ ପିଢ଼ି ସଂସ୍କାର ସମ୍ବନ୍ଧରେ କରିଥିବା ଘୋଷଣା। ଦେଶରେ ‘ଜିଏସ୍‌ଟି’ ପ୍ରବର୍ତ୍ତନ ହେବାର ଆଠ ବର୍ଷ ପରେ ଏହି ସଂସ୍କାର ତାକୁ ଏକ ନବକଳେବର ପ୍ରଦାନ କରିବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଦେଶରେ ସେ ସମୟରେ କାର୍ଯ୍ୟ କରୁଥିବା ଏକ ଅତ୍ୟନ୍ତ ଜଟିଳ ପରୋକ୍ଷ କର ଜାଲକୁ ସଜାଡ଼ି ଏକ ଏକୀକୃତ କର ବ୍ୟବସ୍ଥାରେ ରୂପାନ୍ତରିତ କରି ‘ଜିଏସ୍‌ଟି’ ୨୦୧୭ରେ ଯେଉଁ ଅର୍ଥନୈତିକ ସଂସ୍କାର ରଚନା କରିଥିଲା, ତାହା ବର୍ତ୍ତମାନ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଆଭ୍ୟନ୍ତରୀଣ ଶକ୍ତି ରୂପେ ବ୍ୟାପକ ସ୍ବୀକୃତି ଲାଭ କରିଛି। ବର୍ତ୍ତମାନ ସେଥିରେ ଦ୍ବିତୀୟ ପିଢ଼ି ସଂସ୍କାର ଯେଉଁ ‘ଜିଏସ୍‌ଟି ୨.୦’କୁ ଜନ୍ମ ଦେବାକୁ ଯାଉଛି, ତାହା ଭାରତୀୟ ଅର୍ଥନୀତିର ସେଇ ଅନ୍ତର୍ନିହିତ ଶକ୍ତିର ଯେଉଁ ଅଂଶ ତଥାପି ବନ୍ଧନ ମୁକ୍ତ ହୋଇପାରି ନ ଥିଲା, ତାହାକୁ ଏପରି ଏକ ସମୟରେ ମୁକ୍ତି ପ୍ରଦାନ କରିବାକୁ ଯାଉଛି ଯେତେବେଳେ ଏକ ପ୍ରତିକୂଳ ବାହ୍ୟ ପରିସ୍ଥିତିରେ ନିଜର ଅଗ୍ରଗତି ବଜାୟ ରଖିବା ନିମିତ୍ତ ଆମର ଅର୍ଥନୀତି ତା’ର ଅନ୍ତର୍ନିହିତ ଶକ୍ତିର ପ୍ରତିଟି ବିନ୍ଦୁର ଉପଯୋଗ ଆବଶ୍ୟକ କରୁଛି।
ଉଦାହରଣ ସ୍ବରୂପ ବର୍ତ୍ତମାନ ଦେଶରେ ବଳବତ୍ତର ଥିବା ସାତ ଥାକିଆ, ଏକାଧିକ ଟିକସ ହାରବିଶିଷ୍ଟ ‘ଜିଏସ୍‌ଟି’ ବ୍ୟବସ୍ଥା ଆମର ଶିଳ୍ପ ବ୍ୟବସାୟ ପକ୍ଷରେ ତାହାର ଅନୁପାଳନକୁ ଏକ କାଠିକର ପାଠରେ ପରିଣତ କରିବା ସଙ୍ଗେ ସଙ୍ଗେ ବିଶାଳ ଅର୍ଥନୈତିକ ବିକୃତିମାନ ସୃଷ୍ଟି କରିଥାଏ। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଏବେ ମୁଖ୍ୟତଃ ଦୁଇଟି ଥାକରେ ସୀମିତ କରିବାକୁ ଦେଇଥିବା ପ୍ରତିଶ୍ରୁତି ହେଉଛି ‘ଜିଏସ୍‌ଟି’କୁ ସରଳୀକୃତ କରିବା ଦିଗରେ ଏକ ବହୁ ପ୍ରତୀକ୍ଷିତ ପଦକ୍ଷେପ। ପ୍ରଧାନମନ୍ତ୍ରୀ ପ୍ରକୃତରେ ଏକ ପାଞ୍ଚ ଥାକିଆ ‘ଜିଏସ୍‌ଟି ୨.୦’ ପାଇଁ ପ୍ରସ୍ତାବ ଦେଇଥିଲେ ହେଁ, ଅଧିକାଂଶ ଦ୍ରବ୍ୟ ଓ ସେବା ଦୁଇଟି ଟିକସ ହାର ମଧ୍ୟରେ ସୀମିତ ରହିବେ: ୫% ଓ ୧୮%। ଅଧିକାଂଶ ଖାଉଟି ଦ୍ରବ୍ୟମାନଙ୍କ ପ୍ରତି ୫% ହାର ଲାଗୁ ହେବାକୁ ଯାଉଥିବାବେଳେ ସାଧାରଣ ଦ୍ରବ୍ୟ ଓ ସେବାମାନଙ୍କ ପ୍ରତି ୧୮% ହାର ଲାଗୁ ହେବାକୁ ପ୍ରସ୍ତାବ ରହିଛି। ବର୍ତ୍ତମାନ ଯେଉଁ ସମସ୍ତ ଦ୍ରବ୍ୟମାନଙ୍କ ପ୍ରତି ୧୨% ଟିକସ ହାର ଲାଗୁ ହେଉଛି, ସେମାନଙ୍କ ମଧ୍ୟରୁ ୯୯ ଶତାଂଶ ନୂତନ ବ୍ୟବସ୍ଥାରେ ମାତ୍ର ୫% ହାରର ସମ୍ମୁଖୀନ ହେବେ। ସେହିପରି ବର୍ତ୍ତମାନ ୨୮% ଟିକସ ହାର ଲାଗୁ ହେଉଥିବା ଦ୍ରବ୍ୟ ଓ ସେବାମାନଙ୍କ ମଧ୍ୟରୁ ୯୦ ଶତାଂଶ ଏଣିକି ୧୮% ଟିକସ ହାରର ସମ୍ମୁଖୀନ ହେବେ। ଏହା ପରେ ୨୮% ଟିକସ ହାର ଓ ସେସ୍‌କୁ ମିଶାଇ ଦେଇ ଏକ ସମ୍ମିଳିତ ୪୦% ହାରରେ ପରିଣତ କରିଦିଆଯିବ। କେତେକ ନିର୍ଦ୍ଦିଷ୍ଟ ଉଚ୍ଚ ମୂଲ୍ୟଯୁକ୍ତ ଦ୍ରବ୍ୟମାନଙ୍କ ପ୍ରତି ପୂର୍ବ ପରି ରିହାତିମୂଳକ ୦.୨୫% ଓ ୩% ଟିକସ ହାର ଲାଗୁ ହୋଇ ଚାଲିବ।
ଅତ୍ୟାବଶ୍ୟକ ଦ୍ରବ୍ୟ ଓ ଅଭିଳାଷା ଦ୍ରବ୍ୟମାନଙ୍କ ଉପରେ ଟିକସ ହାରରେ ପ୍ରସ୍ତାବିତ ହ୍ରାସ ସିଧାସଳଖ ଜନସାଧାରଣ, କୃଷକ ଓ କ୍ଷୁଦ୍ର, ମଧ୍ୟମ ଶ୍ରେଣୀର ଶିଳ୍ପୋଦ୍ୟୋଗ (‘ଏମ୍ଏସ୍ଏମ୍ଇ’)ମାନଙ୍କୁ ଲାଭବାନ କରିବ। ଟିକସ ହାରରେ ହ୍ରାସ ଯୋଗୁଁ ସେଇସବୁ ଦ୍ରବ୍ୟମାନ ଖାଉଟିମାନଙ୍କ ପହୁଞ୍ଚ ମଧ୍ୟକୁ ଆସିବା ଫଳରେ ବଜାରରେ ସେ ସମସ୍ତ ଦ୍ରବ୍ୟମାନଙ୍କ ପ୍ରତି ସାମଗ୍ରିକ ଚାହିଦାରେ ଯେଉଁ ବୃଦ୍ଧି ଘଟିବ ତାହା ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ସ୍ବାଗତଯୋଗ୍ୟ ପ୍ରୋତ୍ସାହନ ଯୋଗାଇବ। ଏଥି ସହିତ ଦ୍ବିତୀୟ ପିଢ଼ି ସଂସ୍କାର ଯୋଗୁଁ ଏକ ଅଧିକ ସରଳ ଓ ସ୍ବଚ୍ଛ ଟିକସ ବ୍ୟବସ୍ଥାର ଆବିର୍ଭାବ ଘଟିବା ଦ୍ବାରା ଅନେକ ବିକୃତି ଦୂର ହୋଇ ଅର୍ଥନୀତିର ବିଭିନ୍ନ ଅଂଶରେ କାର୍ଯ୍ୟଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ଘଟିବ।
ପ୍ରସ୍ତାବିତ ସଂସ୍କାର ଦ୍ବାରା କରଦାତାମାନଙ୍କ ପାଇଁ ଅନୁପାଳନକୁ ପୂର୍ବାପେକ୍ଷା ସହଜ କରାଯିବା ନିମିତ୍ତ ଲକ୍ଷ୍ୟ ରଖାଯାଇଛି। ବିଶେଷ କରି କ୍ଷୁଦ୍ର ବ୍ୟବସାୟ ଓ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ସାବଲୀଳ ପଞ୍ଜୀକରଣ ବ୍ୟବସ୍ଥା, ପୂର୍ବରୁ ପୂରଣ କରାଯାଇଥିବା ରିଟର୍ନ ଏବଂ ସ୍ବୟଂକ୍ରିୟ ଫେରସ୍ତ ଆଦି ସେମାନଙ୍କ ଉପରେ ପ୍ରଶାସନିକ ବୋଝ ଲାଘବ କରିବ। ରପ୍ତାନିକାରୀମାନେ ପାଉଥିବା ଫେରସ୍ତ ଦ୍ରୁତତର ହେଲେ ତାହା ସେମାନଙ୍କର କାର୍ଯ୍ୟଶୀଳ ପୁଞ୍ଜି (ୱର୍କିଙ୍ଗ୍ କ୍ୟାପିଟାଲ୍) ଉପଲବ୍‌ଧତାରେ ଉନ୍ନତି ଘଟାଇବ।
‘ଜିଏସ୍‌ଟି ୨.୦’ ଏକ ପ୍ରଗତିଶୀଳ ପରିବର୍ତ୍ତନ ପାଇଁ ଢାଞ୍ଚା ପ୍ରସ୍ତୁତ କରିବାକୁ ଯାଉଥିଲେ ହେଁ ଏହାର ସଫଳତା ନିର୍ଭର କରିବ ଏହାର ଆନ୍ତରିକ କାର୍ଯ୍ୟାନ୍ବୟନ ଓ ବିଭିନ୍ନ ଅଂଶୀଦାର (ଷ୍ଟେକ୍‌ହୋଲ୍‌ଡର)ମାନଙ୍କ ମଧ୍ୟରେ ସହଯୋଗ ଉପରେ। ତେଣୁ ଏଥିପାଇଁ ଶିଳ୍ପବାଣିଜ୍ୟକୁ ମଧ୍ୟ ନିଜର ଦାୟିତ୍ବ ପାଳନ କରିବାକୁ ପଡ଼ିବ। ସେମାନଙ୍କୁ ‘ଜିଏସ୍‌ଟି କାଉନ୍‌ସିଲ୍’ ଓ ରାଜ୍ୟମାନଙ୍କ ଦ୍ବାରା ଆରମ୍ଭ କରାହେବାକୁ ଯାଉଥିବା ପରାମର୍ଶ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ହେବ, ଯାହାଦ୍ବାରା ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ନିର୍ଦ୍ଦିଷ୍ଟ ପ୍ରସଙ୍ଗମାନଙ୍କ ପ୍ରତି ଧ୍ୟାନ ଆକର୍ଷଣ କରାଯାଇ ପାରିବ। ଶିଳ୍ପବାଣିଜ୍ୟ ଉଦ୍ୟୋଗୀମାନେ ମଧ୍ୟ ଯଥା ସମୟରେ ସଂପୂର୍ଣ୍ଣ ଅନୁପାଳନ ନିଶ୍ଚିତ କରିବା ଉଚିତ। ‘ଜିଏସ୍‌ଟି’ କର୍ତ୍ତୃପକ୍ଷ ମଧ୍ୟ ଅନୁପାଳନ ପ୍ରତି ଏକ ଅଧିକ ସମ୍ବେଦନଶୀଳ ଆଭିମୁଖ୍ୟ ଅବଲମ୍ବନ କରିବା ଉଚିତ। ସେମାନେ ସାଧାରଣତଃ ପରିଦୃଷ୍ଟ ହେଉଥିବା ତ୍ରୁଟିମାନଙ୍କ ସଂପର୍କରେ କରଦାତାମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାମୟିକ ଭାବରେ ଉପଦେଶାବଳୀ ଜାରି କରିବା ଆବଶ୍ୟକ। ଅନୁପାଳନ ଯାଞ୍ଚ ସମୟରେ ଉପୁଜୁଥିବା ବିବାଦୀୟ ପ୍ରସଙ୍ଗମାନଙ୍କର ତୁରନ୍ତ ସ୍ପଷ୍ଟୀକରଣ ପ୍ରଦାନ ଦ୍ବାରା ଅଧିକ ବିବାଦ ସୃଷ୍ଟିକୁ ପ୍ରତିହତ କରାଯାଇ ପାରିବ।
‘ଜିଏସ୍‌ଟି’ରେ ଅଣାହେବାକୁ ଯାଉଥିବା ସଂସ୍କାର ମାଧ୍ୟମରେ ଟିକସ ହାରର ସରଳୀକରଣ ଓ ଅନୁପାଳନରେ ଉନ୍ନତି ଯୋଗୁଁ ଉତ୍ପାଦନ ବ୍ୟୟରେ ହ୍ରାସ ଘଟିବ, ଚାହିଦାରେ ବୃଦ୍ଧି ଘଟିବ ଓ ନିବେଶରେ ବୃଦ୍ଧି ଘଟିବ। ଏହାଦ୍ବାରା ଟିକସ ଭିତ୍ତିଭୂମିରେ ସଂପ୍ରସାରଣ ଘଟି ସରକାରଙ୍କ ରାଜସ୍ବରେ ବୃଦ୍ଧି ଘଟିବ। ଏକ ଦୃଷ୍ଟିରୁ ଦେଖିଲେ ତେଣୁ କୁହାଯାଇପାରେ ଯେ ‘ଜିଏସ୍‌ଟି ୨.୦’ ହେଉଛି ଭାରତୀୟ ଅର୍ଥନୀତିକୁ ‌ଏକ କଠିନ ସମୟର ସଫଳ ମୁକାବିଲା କରିବା ପାଇଁ ପ୍ରଦାନ କରାଯାଉଥିବା ଏକ ସୁଚିନ୍ତିତ ପ୍ରୋତ୍ସାହନ। ଏହାର ଏକ ପାର୍ଶ୍ବ ସୁଫଳ ସ୍ବରୂପ ଦରଦାମ ନୀଚା ରହିବା ଯୋଗୁଁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ରହିବ, ଯାହା ସୁଧ ହାର ହ୍ରାସ ମାଧ୍ୟମରେ ଅର୍ଥନୀତିକୁ ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ ନିମିତ୍ତ ରିଜର୍ଭ ବ୍ୟାଙ୍କ୍‌କୁ ଅଧିକ ସ୍ବାଧୀନତା ଯୋଗାଇଦେବ। ଯଥାର୍ଥରେ ‘ଜିଏସ୍‌ଟି ୨.୦’ ହେଉଛି ବର୍ତ୍ତମାନର ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ଅର୍ଥନୀତିରେ ନୂତନ ଶକ୍ତି ସଞ୍ଚାର କରିବାକୁ ଯାଉଥିବା ଏକ ଚତୁର ଚାବିକାଠି।