ପର୍ଯ୍ୟବେକ୍ଷକମାନଙ୍କ ମତରେ ଆଦର୍ଶଗତ ଓ ବୈଚାରିକ ତାରତମ୍ୟ ବ୍ୟତୀତ ଆଫଗାନିସ୍ତାନ ସହିତ ବନ୍ଧୁତା ସ୍ଥାପନ କରିବାରେ କୌଣସି ବିଶେଷ ଅସୁବିଧା ନଥାଏ। ବରଂ ଉତ୍ତମ ସଂପର୍କ ରହିଲେ ଆଫଗାନିସ୍ତାନର ବିପୁଳ ମୂଲ୍ୟବାନ ଖଣିଜ ସଂପଦ ଭଣ୍ଡାର ବା ଚବାହାର ବନ୍ଦର ଭାରତ ସକାଶେ ଉପଯୋଗକ୍ଷମ ହୋଇପାରେ। ତେବେ ଆଫଗାନିସ୍ତାନର ଖଣିଜ ସଂପଦ ଓ ଭୌଗୋଳିକତା ଦୃଷ୍ଟିରୁ ତା’ର ଭୂ-ରଣନୈତିକ ମହତ୍ତ୍ବ ସକାଶେ ଚୀନ ଆଫଗାନିସ୍ତାନକୁ ଆଶ୍ଳେଷାବଦ୍ଧ କରି ରଖିବାକୁ ଚାହୁଁଥିବାରୁ ଭାରତକୁ ଚରମ ସତର୍କତାର ସହିତ ଅଗ୍ରସର ହେବାକୁ ପଡ଼ିବ।

Advertisment

‘ପୃଥ୍ବୀ କ୍ଷଣ କ୍ଷଣକେ ଆନ’ ବୋଲି କୌଣସି ଏକ ବେଙ୍ଗୁଲୀ ଉଦ୍ଦେଶ୍ୟରେ ‌େବଙ୍ଗଟିଏ ଦ୍ବାରା ପ୍ରଦତ୍ତ ପ୍ରଜ୍ଞାର ଏହି ବାଣୀ କିଭଳି ତା’ର ଆଭାସଧର୍ମୀ ଚରିତ୍ରକୁ ଅତିକ୍ରମ କରି ଏକ ଠୋସ ବାସ୍ତବତାରେ ପରିଣତ ହୋଇଛି, ତାହାର ପ୍ରମାଣ ମିଳିଥାଏ ତାଲିବାନ ଶାସିତ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଅମୀର ଖାଁ ମୁତ୍ତାକୀଙ୍କ ଭାରତ ଭୂମିରେ ପଦାର୍ପଣ ଏବଂ ତାଙ୍କର ଛଅ ଦିନର ରହଣି କାଳରେ ଭାରତ ସରକାରଙ୍କ ଦ୍ବାରା ତାଙ୍କୁ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟରୁ। ଏହା ସୁବିଦିତ ଯେ ୧୯୯୯ ମସିହାରେ ଆଫଗାନିସ୍ତାନର କାନ୍ଦାହାର ଠାରେ ପଣ ବନ୍ଦୀ ଭାବେ ଥିବା ଅପହୃତ ଭାରତୀୟ ବିମାନ ‘ଆଇସି ୮୧୪’ର ଯାତ୍ରୀମାନଙ୍କୁ ମୁକୁଳାଇବାର ସର୍ତ୍ତ ସ୍ବରୂପ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଭାରତୀୟ ଜେଲରୁ ଖଲାସ କରିବାର ପ୍ରକରଣ ଯେଉଁ ତାଲିବାନ ସରକାରର ସମର୍ଥନ ଓ ଆଗ୍ରହରେ ସଂପନ୍ନ ହୋଇଥିଲା, ସେହି ସରକାରରେ ମଧ୍ୟ ମୁତ୍ତାକୀ ଥିଲେ ଜଣେ ମନ୍ତ୍ରୀ; ଅର୍ଥାତ୍‌ ସ୍ବାଭାବିକ ଭାବେ ସେ ଭାରତର ଶତ୍ରୁ ପଦବାଚ୍ୟ ହେବା କଥା। ତେଣୁ ଏଭଳି ଏକ ଅନ୍ଦାଜ ଅଯୋଗ୍ୟ ସ୍ଥିତି ପଛରେ ଥିବା କାରଣ, ‌ଆବଶ୍ୟକତା, ଯୌକ୍ତିକତା, ନୈତିକତା ଓ ବାସ୍ତବତା ଇତ୍ୟାଦି ନେଇ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ମନେ ରହିବା ଉଚିତ ଯେ ୧୯୯୨ ମସିହାରେ ଆଫଗାନିସ୍ତାନରେ ସୋଭିଏତ ରୁଷିଆ ସମର୍ଥିତ ନଜିବୁଲ୍ଲା ସରକାରକୁ କ୍ଷମତାଚ୍ୟୁତ କରି ଶାସନ କ୍ଷମତା ଦଖଲ କରିଥିବା ତାଲିବାନ ଗୋଷ୍ଠୀ ପୁଣି ଥରେ ୨୦୨୧ ମସିହାରେ ଆମେରିକା ସହାୟତାରେ କ୍ଷମତାସୀନ ହୋଇଥିବା ଅସରଫ ଗାନୀଙ୍କ ସରକାରକୁ ବିତା‌ଡ଼ନ କରିଥିଲେ ହେଁ ଏ ଦୁଇଟି ଉଦ୍ୟମ ମଧ୍ୟରେ ଥିବା ମୌଳିକ ପ୍ରଭେଦଟି ହେଲା ପ୍ରଥମଟି ସଫଳ ହୋଇଥିଲା ଜେହାଦୀ ଯୁଦ୍ଧ ଅଭିଯାନ ପରେ ଏବଂ ଦ୍ବିତୀୟଟି ସଂପନ୍ନ ହେବା ପଛରେ ଥିଲା ଦୋହା ଠାରେ ଆମେରିକା (ଟ୍ରଂପଙ୍କ ପ୍ରଥମ ପା‌ଳିର ରାଷ୍ଟ୍ରପତିତ୍ବ) ଓ ତାଲିବାନ ମଧ୍ୟରେ ସଂପାଦିତ ଏକ ଚୁକ୍ତିନାମା, ଯାହା ଫଳରେ ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁସାରେ ତାଲିବାନ ଗୋଷ୍ଠୀ ଆଫଗାନିସ୍ତାନ ପ୍ରବେଶ କରିଥିଲା ଏବଂ ଅସରଫ ଗାନୀ ଦେଶ ଛାଡ଼ି ପଳାୟନ କରିବାରୁ ବିନା ସଂଘର୍ଷରେ କ୍ଷମତା ଦଖଲ କରିଥିଲା। ସୁତରାଂ, ଏବର ତାଲିବାନ ଗୋଷ୍ଠୀ ପୂର୍ବ ଭଳି ତା’ର ତୀବ୍ର ରକ୍ଷଣଶୀଳ ଚରିତ୍ର, ମହିଳାଙ୍କୁ ନିଷ୍ପେଷଣ କରିବାର ମନୋଭାବ ଓ ଆତଙ୍କବାଦ ସ୍ତରକୁ ଯାଇ ପାରୁଥିବା ଭଳି ହିଂସ୍ର ଉଗ୍ରବାଦୀ ଆଭିମୁଖ୍ୟ ବହନ କରୁଥିଲେ ହେଁ ସେମାନଙ୍କ ଦ୍ବାରା କ୍ଷମତା ଦଖଲକୁ ପୂର୍ବ ଭଳି ଅନଧିକୃତ ରୂପେ ଦେଖା ନ ଯାଇ ଏକ ପ୍ରକାର ଅନୁମୋଦିତ ଭଳି ଦେଖାଯାଇଥାଏ। ତେଣୁ ସଂପର୍କ ସୃଷ୍ଟି କରିବା ପରିପ୍ରେକ୍ଷୀରେ ପ୍ରଥମ ପାଳିର ଜେହାଦ୍‌ମନସ୍କ ଉପଦ୍ରବୀ ତାଲିବାନ ଗୋଷ୍ଠୀ ଯେମିତି ଦୁର୍ଭେଦ୍ୟ ଭଳି ପ୍ରତୀତ ହୋଇଥିଲା, ଦ୍ବିତୀୟ ପାଳିରେ ସେଭଳି ନିବୁଜତା ନାହିଁ; ନିଜ ଦେଶର ବିକାଶ ସକାଶେ ଏହି ପାଳିର ତାଲିବାନ ଶାସକ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସଂପର୍କ ସ୍ଥାପନ ଲାଗି ଆଗ୍ରହ ମଧ୍ୟ ପ୍ରକାଶ କରିଛନ୍ତି। ଯଦିଓ ଏ ପର୍ଯ୍ୟନ୍ତ କେବଳ ରୁଷିଆ ବ୍ୟତୀତ ପୃଥିବୀର ଅନ୍ୟ କୌଣସି ରାଷ୍ଟ୍ର ଏହି ସରକାରକୁ ସ୍ବୀକୃତି ପ୍ରଦାନ କରି ନାହାନ୍ତି, ‌େସଠାରେ ଚୀନ, ପାକିସ୍ତାନ, ରୁଷିଆ ସମେତ ପାଞ୍ଚଟି ଦେଶର ଦୂତାବାସ କାର୍ଯ୍ୟ କରୁଛନ୍ତି। ‌େତଣୁ ଏହି ପାଳିର ତାଲିବାନ ସରକାରଙ୍କ ସହିତ ଭାରତ ମଧ୍ୟ ସଂପର୍କ ସୃଷ୍ଟି କରିବା‌ର ଉଦ୍ୟମ କରି ଆସିଛି, କାରଣ ସେଭଳି କରି ନଥିଲେ ୨୦୦୧ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଆଫଗାନିସ୍ତାନରେ ବିଭିନ୍ନ ପ୍ରକାର ଭିତ୍ତିଭୂମି ନିର୍ମାଣରେ ଭ‌ାରତ ଦ୍ବାରା ବିନିଯୁକ୍ତ ୨ ବିଲିଅନ ଡଲାର ପରିମାଣର ବିଶାଳ ଅର୍ଥରାଶି ପାଣିରେ ପଡ଼ିଯାଆନ୍ତା। ଫଳରେ ଅାଫଗାନିସ୍ତାନକୁ ବିଧିବଦ୍ଧ ଭାବେ ସ୍ବୀକୃତି ପ୍ରଦାନ କରି ନ ଥିଲେ ହେଁ ଭାରତର ଏକ ‘ଟେକ୍‌ନିକାଲ ମିସନ’ ସେଠାରେ କାର୍ଯ୍ୟରତ। ସେହି ଦୃଷ୍ଟିରୁ ୨୦୨୧ ମସିହା ପର ଠାରୁ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ସହିତ ଭାରତର ସଂପର୍କ ଉଷ୍ମ ହୋଇ ନ ଥିଲେ ସୁଦ୍ଧା ଉତ୍ତାପହୀନ ମଧ୍ୟ ହୋଇନାହିଁ। ଏବଂ ଏଭଳି ଏକ ଦୃଶ୍ୟପଟ‌େର ପାକିସ୍ତାନ ସହିତ ଆଫଗାନିସ୍ତାନର ଶତ୍ରୁତା ଉଗ୍ର ରୂପ ଧାରଣ କରିବା ଏବଂ ଭାରତକୁ ତ୍ୟାଗ କରି ଆମେରିକା ପାକିସ୍ତାନକୁ କୋଳାଗ୍ରତ କରିବା ଭଳି କେତେକ ସ୍ଥିତି ହେତୁ ଆଫଗାନିସ୍ତାନ ଓ ଭାରତ ପରସ୍ପରର ନିକଟତର ହୋଇଛନ୍ତି। ଯଦିଓ ଏହି ସାମୀପ୍ୟ ବିଭିନ୍ନ କାରଣରୁ ପ୍ରଶ୍ନାକୁଳ ଓ ସନ୍ଦେହାଚ୍ଛନ୍ନ, ଭୂ-ରଣନୀତି ଓ ବସ୍ତୁ ସ୍ଥିତି ଦୃଷ୍ଟିରୁ ଭାରତ ସକାଶେ, ଅନ୍ତତଃ ବର୍ତ୍ତମାନ ଲାଗି ଏହା ଆବଶ୍ୟକ ଭଳି ମନେ ହୋଇଥାଏ।
କହିବା ବାହୁଲ୍ୟ, ତାଲିବାନ ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ଭାରତରେ ଏଭଳି ଅଭ୍ୟର୍ଥନା ପ୍ରଦାନ କରିବା ସରକାରଙ୍କ ଲାଗି ମଧ୍ୟ ଅସ୍ବସ୍ତିକର ହୋଇଥିବ। କାରଣ ପ୍ରଥମତଃ, ତାଲିବାନସୁଲଭ ହିଂସ୍ର ଓ ଚରମ ଉଗ୍ର ମୌଳବାଦୀ ଆଭିମୁଖ୍ୟକୁ ଭାରତ ଆତଙ୍କବାଦ ରୂପେ ଦେଖିଥାଏ। ଦ୍ବିତୀୟରେ, ସେଠାକାର ମହିଳାମାନଙ୍କ ପ୍ରତି ତାଲିବାନ ସରକାରଙ୍କ ଦ୍ବାରା ପ୍ରଦର୍ଶିତ ଅକଥନୀୟ ବିଦ୍ବେଷ ଭାବ ଭାରତୀୟ ମୂଳ୍ୟବୋଧର ସଂପୂର୍ଣ୍ଣ ବିଦ୍ରୋହାଚରଣ କରିଥାଏ। ତୃତୀୟ କଥା ହେଲା, ଦ୍ବିତୀୟ ପାଳିର ତାଲିବାନ ପ୍ରଥମ ପାଳି ତୁଳନାରେ ଏକ ‘ଉତ୍ତମ’ ସଂସ୍କରଣ ବୋଲି ସୃଷ୍ଟ ବ୍ୟାଖ୍ୟାନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କ ଅତ୍ୟନ୍ତ ପ୍ରାଂଜଳ ମତ ଥିଲା ଯେ ‘ଭଲ’ ବା ‘ମନ୍ଦ’ ତାଲିବାନ ଭଳି କୌଣସି ବିଭାଜନ ନ ଥାଏ, ଅର୍ଥାତ୍‌ ଦୁଇଟି ଯାକ ପାଳିର ତାଲିବାନ ସମାନ ପ୍ରକାର ଆତଙ୍କବାଦୀ ଆଭିମୁଖ୍ୟ ପୋଷଣ କରିଥାଆନ୍ତି। କିନ୍ତୁ ଏଭଳି ଅସ୍ବସ୍ତି ସତ୍ତ୍ବେ ସଂପ୍ରତି ଅତ୍ୟନ୍ତ ଦ୍ରୁତ ଗତିରେ ବଦଳି ଚା‌ଲିଥିବା ଭୂ-ରାଜନୈତିକ ଓ ଅନ୍ତର୍ଜାତୀୟ ବାଣିଜ୍ୟିକ ସ୍ଥିତି ହେତୁ ଏହା ଭାରତ ସକାଶେ ଏକ ବାଧ୍ୟବାଧକତା ଭଳି ମନେ ହୋଇଥାଏ, ଯେମିତି ‘ଅପରେସନ ସିନ୍ଦୂର’ ପରିପ୍ରେକ୍ଷୀରେ ଚୀନକୁ ପାକିସ୍ତାନ ଠାରୁ ଅଧିକ ଘା‌ତକ ଶତ୍ରୁ ବୋଲି ବିଚାର କରାଯାଉଥିଲେ ହେଁ ଭାରତ ତା’ ସହିତ କର ମର୍ଦ୍ଦନରେ ଆବଦ୍ଧ! ସୁତରାଂ,ଏଭଳି ଭ୍ରୂକୁଂଚନ ସୃଷ୍ଟିକାରୀ ପଦକ୍ଷେପ ପଛରେ ନିହିତ ଗୂଢ଼ ମର୍ମଟି ହେଲା, ବସ୍ତୁ ସ୍ଥିତି ଦୃଷ୍ଟିରୁ ରାଷ୍ଟ୍ରର ହିତ ସକାଶେ ଏ ସବୁ କରଣୀୟ ହୋଇଛି। ବିଶେଷଜ୍ଞମାନେ ଏ ପରିପ୍ରେକ୍ଷୀରେ ଆଉ ଏକ ବିଶେଷ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରାଇ କହନ୍ତି ଯେ ଦୁଇଟି ଯାକ ପାଳିର ତାଲିବାନ ଶାସକ ଦ୍ବାରା ପ୍ରତ୍ୟକ୍ଷ ଭାବେ ଭାରତ ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶିତ ହୋଇନାହିଁ, (ସେମାନଙ୍କ ଦୃଷ୍ଟିରେ କାନ୍ଦାହାର ଘଟଣାରେ ତାଲିବାନ ମଧ୍ୟସ୍ଥତା ଓ ଅପହର୍ତ୍ତାଙ୍କ ସହାୟତା କରିଥିଲା ସିନା, ତାହା ଘଟାଇବାରେ ସଂପୃକ୍ତ ନ ଥିଲା)ଏବଂ ପାକିସ୍ତାନର ଶତ ଉଦ୍ୟମ ଓ ପ୍ରୋତ୍ସାହନ ସତ୍ତ୍ବେ କ୍ବଚିତ୍‌ କୌଣସି ଆଫଗାନୀ ମୁଜାହିଦ୍ଦିନ କାଶ୍ମୀରରେ ଉପଦ୍ରବ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ, ଇଂରେଜ ଶାସନାଧୀନ ଆଫଗାନିସ୍ତାନରୁ ସେଠାକାର ଲୋକେ ଭାରତରେ ବେପାର କରିବା ଲାଗି କୋଲକାତାରେ ପହଞ୍ଚୁଥିଲେ ଓ ସେହି ସହରକୁ ସେମାନଙ୍କ ଦ୍ବିତୀୟ ଆବାସରେ ପରିଣତ କରିଥିଲେ। ତେଣୁ ଆଫଗାନୀମାନେ କାବୁଲିବାଲା ରୂପେ ଭାରତୀୟମାନଙ୍କ ଶ୍ରଦ୍ଧାର ପାତ୍ର ମଧ୍ୟ ହୋଇଥାଆନ୍ତି। ଏହି ପର୍ଯ୍ୟବେକ୍ଷକମାନଙ୍କ ମତରେ ଆଦର୍ଶଗତ ଓ ବୈଚାରିକ ତାରତମ୍ୟ ବ୍ୟତୀତ ଆଫଗାନିସ୍ତାନ ସହିତ ବନ୍ଧୁତା ସ୍ଥାପନ କରିବାରେ କୌଣସି ବିଶେଷ ଅସୁବିଧା ନଥାଏ। ବରଂ ଉତ୍ତମ ସଂପର୍କ ରହିଲେ ଆଫଗାନିସ୍ତାନର ବିପୁଳ ମୂଲ୍ୟବାନ ଖଣିଜ ସଂପଦ ଭଣ୍ଡାର ବା ଚବାହାର ବନ୍ଦର ଭାରତ ସକାଶେ ଉପଯୋଗକ୍ଷମ ହୋଇପାରେ। ତେବେ ଆଫଗାନିସ୍ତାନର ଖଣିଜ ସଂପଦ ଓ ଭୌଗୋଳିକତା ଦୃଷ୍ଟିରୁ ତା’ର ଭୂ-ରଣନୈତିକ ମହତ୍ତ୍ବ ସକାଶେ ଚୀନ ଆଫଗାନିସ୍ତାନକୁ ଆଶ୍ଳେଷାବଦ୍ଧ କରି ରଖିବାକୁ ଚାହୁଁଥିବାରୁ ଭାରତକୁ ଚରମ ସତର୍କତାର ସହିତ ଅଗ୍ରସର ହେବାକୁ ପଡ଼ିବ।
‘ଦ ପ୍ରିଣ୍ଟ’ର ମୁଖ୍ୟ ସଂପାଦକ ଶେଖର ଗୁପ୍ତାଙ୍କ ମତରେ ଧର୍ମାନ୍ଧ ହୋଇଥିଲେ ହେଁ ତାଲିବାନ ସରକାର ବାସ୍ତବବାଦୀ, ଯାହାର ପ୍ରମାଣ ହେଲା ଆ‌ଫଗାନିସ୍ତାନର କ୍ରିକେଟ୍‌ ଟିମ କୌଣସି ଟୁର୍ନାମେଣ୍ଟରେ ବିଦେଶକୁ ଖେଳିବାକୁ ଗଲେ ତାଲିବାନ ପତାକା ପରିବର୍ତ୍ତେ ଆଫଗାନିସ୍ତାନର ପୂର୍ବତନ ସରକାରର ପତାକା ଉଡ଼େ ଓ ସେ ସମୟର ରାଷ୍ଟ୍ରଗାନ ଗାୟନ କରାଯାଏ। ଅନ୍ୟ ଦେଶମାନଙ୍କ ଦ୍ବାରା ସ୍ବୀକୃତି ପ୍ରାପ୍ତ ହୋଇ ନ ଥିବାରୁ ତାଲିବାନ ସରକାର ନିଜ ପତାକା ଓ ରାଷ୍ଟ୍ର ଗାନକୁ ସ୍ଥାନ ଦେବା ସକାଶେ ଜିଗର କରନ୍ତି ନାହିଁ। ହୁଏତ ସମ ସ୍ତରରେ ଆଦର୍ଶବାଦୀ ଓ ବାସ୍ତବବାଦୀ ହେବା ସମ୍ଭବ ନୁହେଁ। ସ୍ଥଳ ବିଶେଷରେ ବାସ୍ତବବାଦୀ ହେବା ଅଧିକ ପରିପକ୍ବତାର ପରିଚାୟକ ହୋଇଥାଏ। ବାସ୍ତବ କ୍ଷେତ୍ରରେ ସାମନ୍ୟତମ ସୁଯୋଗ ମଧ୍ୟ ସଦ୍‌ବ୍ୟବହାରର ପ୍ରୟାସ ‌େଲାଡ଼ିଥାଏ। ଆକବର ଓ ବୀରବଲ ଥରେ ଯାଉଥିବା ବେଳେ ରାସ୍ତାରେ ପଡ଼ିଥିବା ଏକ ଦଉଡ଼ିକୁ ବୀରବଲ ଉଠାଇ ନେବାରୁ ଆକବର ମୃଦୁ ଭର୍ତ୍ସନା କରି ଏଭଳି ଅଯଥା କାମରୁ କ୍ଷାନ୍ତ ରହିବା ସକାଶେ କହନ୍ତେ, ବୀରବଲ କହିଥିଲେ- ଜାହାଁପନା, କିଛି ଅଯଥା ନୁହେଁ। ଆଜି ରସି ମିଳିଲା, କାଲି ହୁଏତ ଏକ ଟଙ୍କା ଥିବା ଥଳି ମିଳିଯିବ, ଯାହାକୁ ବାନ୍ଧିବା ଲାଗି ଏହା କାମରେ ଆସିବ। ସୁତରାଂ, ବାସ୍ତବତା ଦୃଷ୍ଟିକୋଣରୁ ତାଲିବାନ ସହିତ ଭାରତର ସାଂପ୍ରତିକ ସଂପର୍କ ପରିପ୍ରେକ୍ଷୀରେ କୁହାଯାଇପାରେ ଯେ କିଛି ଅଯଥା ନୁହେଁ।