ରାଜନୀତି ଅନେକଙ୍କ ସକାଶେ ବୃତ୍ତି ଓ କ୍ୟା‌ରିଅର ହୋଇଥିଲେ ହେଁ ପେସାଦାର ଅନୁଷ୍ଠାନ ଭଳି ବିଭିନ୍ନ ଆଇନ ବା ନିୟମମାନ ରାଜନୈତିକ ଦଳଗୁଡ଼ିକ ଲାଗି ଲାଗୁ ହୋଇ ନ ଥାଏ। ଏହାର ଅର୍ଥ ଚରିତ୍ର ଦୃଷ୍ଟିରୁ ରାଜନୈତିକ ଦଳଗୁଡ଼ିକୁ ଏକାନ୍ତ ଭାବେ କଳା ବା ଧଳା ରୂପେ ପରିଭାଷିତ କରାଯାଇ ପାରୁନାହିଁ; ତାହା ଏକ ଧୂସର ଇଲାକାରେ ପରିଣତ ହୋଇଛି, ଯେଉଁ କାରଣରୁ ‘ପୋସ’ ଆଇନର ପ୍ରୟୋଗ ନେଇ ମାନ୍ୟବର ଅଦାଲତ କୁଣ୍ଠା ପ୍ରକାଶ କରିଛନ୍ତି।

Advertisment

ଗଲା ସେପ୍‌ଟେମ୍ବର ୧୫ ତାରିଖରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ହୋଇଥିବା ଏକ ନିର୍ଣ୍ଣୟ ହେତୁ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ସଂଦର୍ଭରେ ବିସ୍ତାରିତ ଆଲୋଚନା ସକାଶେ ପ୍ରେକ୍ଷାପଟ ପ୍ରସ୍ତୁତ କରିଛି। ପ୍ରକାଶ ଥାଉ କି ରାଜନୀତି କ୍ଷେତ୍ରରେ କାର୍ଯ୍ୟରତ ଓ ସକ୍ରିୟ ମହିଳାମାନେ ଯୌନ ଶୋଷଣର ଶିକାର ହେଲେ ତାହାର ପ୍ରତିକାର ଓ ନିରାକରଣ ଲାଗି ‘ପୋସ’ ଆଇନର ସହାୟତା ନେଇପାରିବେ ନାହିଁ ବୋଲି ମୁଖ୍ୟ ବିଚାରପତି ବି. ଆର. ଗୱାଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ ମତ ରଖିଛନ୍ତି। ଏହି ସ୍ତମ୍ଭର ପାଠକପାଠିକାମାନେ ଅବଶ୍ୟ ଅବଗତ ଥିବେ ଯେ କର୍ମକ୍ଷେତ୍ରରେ ମହିଳାମାନେ ଭୋଗୁଥିବା ଯୌନ ଉତ୍ପୀଡ଼ନରୁ ସୁରକ୍ଷା ଦେବା ସକାଶେ ୨୦୧୩ ମସିହାରେ ‘ପୋସ’ ଭଳି ଏକ ଦୃଷ୍ଟାନ୍ତ ସ୍ଥାପନକାରୀ ଆଇନର ଆବିର୍ଭାବ ଘଟିଥିଲା। ମାନ୍ୟବର ଅଦାଲତଙ୍କ ଏଭଳି ଏକ ରାୟ ପରେ ରାଜନୀତି କରିବା ଏକ ବୃତ୍ତି ନା ପ୍ରବୃତ୍ତି ନା ସେବା ନା ଧ୍ୟେୟ ଇତ୍ୟାଦି ଭଳି ପ୍ରସଙ୍ଗକୁ ଘେନି ତର୍କ-ବିତର୍କ ମଧ୍ୟ ସୃଷ୍ଟି ହେଲାଣି; ଏବଂ ଏକ ନିର୍ଦ୍ଦିଷ୍ଟ ସଂଜ୍ଞାର ଅଭାବରୁ ରାଜନୀତିି କ୍ଷେତ୍ରଟି କିଭଳି ଏକ ଧୂସର ଇଲାକାରେ ପରିଣତ ହେଲାଣି, ତାହା ମଧ୍ୟ କ୍ରମେ ଅନୁଭୂତ ହେବାରେ ଲାଗିଛି। 
୧୯୯୭ ମସିହାରେ କାର୍ଯ୍ୟକାରୀ ହୋଇଥିବା ‘ବିଶାଖା‌ ନିୟମାବଳି’ର ଆଧାର ଉପରେ ‘ପୋସ’ ଆଇନ ଦଣ୍ଡାୟମାନ, ଯାହା କହିଥାଏ ଯେ ସର୍ବନିମ୍ନ ଦଶ ଜଣ କର୍ମଚାରୀ ନିଯୁକ୍ତ ହୋଇଥିବା ଯେ କୌଣସି କାର୍ଯ୍ୟ କ୍ଷେତ୍ର ସକାଶେ ‘ପୋସ’ ଆଇନ ବାଧ୍ୟତାମୂଳକ, ଯେଉଁଠି ଜଣେ ମହିଳାଙ୍କ ନେତୃତ୍ବରେ ‘ଇଣ୍ଟରନାଲ କଂପ୍ଲେନ୍‌ଟ କମିଟି’(ଅଭ୍ୟନ୍ତରୀଣ ଅଭିଯୋଗ କମିଟି) ବା ‘ଆଇ.ସି.ସି.’ର ଗଠନ ଅନିବାର୍ଯ୍ୟ ହୋଇଥାଏ, ଯାହା ସେହି ଅନୁଷ୍ଠାନର ଯେ ‌କୌଣସି ପୀଡ଼ିତାଙ୍କ ସକାଶେ ପ୍ରତିକାର ଏବଂ ନିରାକରଣର ତତ୍କାଳ ଉପଲବ୍‌ଧ ପ୍ରଥମ ସୋପାନ ଭାବେ କାର୍ଯ୍ୟ କରିଥାଏ। କିନ୍ତୁ ମାନ୍ୟବର ଅଦାଲତଙ୍କ ମତାନୁସାରେ ରାଜନୈତିକ ଦଳଗୁଡ଼ିକରେ କାର୍ଯ୍ୟ କରୁଥିବା ଲୋକଙ୍କ ସକାଶେ କୌଣସି ସୁନିର୍ଦ୍ଦିଷ୍ଟ ନିଯୁକ୍ତିଦାତା ନ ଥିବାରୁ ତାହାକୁ ‘ନିଯୁକ୍ତିଦାତା ଓ କର୍ମଚାରୀ’ ସମ୍ବନ୍ଧ ଉପରେ ପର୍ଯ୍ୟବସିତ ଏକ ପେସାଦାର ଅନୁଷ୍ଠାନ ରୂପେ ଅଭିହିତ କରା ଯାଇ ନ ପାରେ। ଏହା ମଧ୍ୟ ସତ ଯେ ଅନେକ ଲୋକ ସ୍ବେଚ୍ଛାକୃତ ଭାବେ ରାଜନୀତିରେ ପ୍ରବେଶ କରନ୍ତି, ଯେଉଁମାନଙ୍କ ଭୂମିକା ‘ନିଯୁକ୍ତି’ର ସଂଜ୍ଞା ଦ୍ବାରା ପରିଭାଷିତ ହୋଇ ପାରିବ ନାହିଁ। ମାନ୍ୟବର ଅଦାଲତଙ୍କ ଦ୍ବିତୀୟ ପର୍ଯ୍ୟବେକ୍ଷଣ ହେଲା, ରାଜନୀତିକୁ ‘ପୋସ’ ପରିସରଭୁକ୍ତ କରାଗଲେ ଅବିଳମ୍ବେ ଗୋଟିଏ ‘ପାଣ୍ଡୋରାର ବାକ୍‌ସ’ ଖୋଲିଯିବ ଏବଂ ଏହି ଆଇନଟି ଅଚିରେ ରାଜନୈତିକ ‘ବ୍ଲାକ୍‌ମେଲିଂ’ର ଅସ୍ତ୍ରରେ ପରିଣତ ହେବ। ତେବେ ରାଜନୀତି କ୍ଷେତ୍ରରେ ଯୌନ ଶୋଷଣ ରୋକିବା ପରିପ୍ରେକ୍ଷୀରେ ‘ମୁଖ୍ୟ ନିର୍ବାଚନ କମିସନ’ଙ୍କ ଭୂମିକା ଉପରେ ମାନ୍ୟବର ଅଦାଲତଙ୍କ ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି। ତେବେ, ସେ ଯାହା ହେଉ, ଏକ ଉଦ୍‌ବେଗଜନକ ବାସ୍ତବତା ହେଲା ଭାରତୀୟ ରାଜନୀତିି କ୍ଷେତ୍ରରେ ତୃଣମୂଳରୁ ନେଇ ପ୍ରତ୍ୟେକ ସୋପାନକୁ ସ୍ପର୍ଶ କରି ଶୀର୍ଷ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟରତ ଅଗଣିତ ମହିଳା ନିୟମିତ ଭାବେ ଯୌନ ନିର୍ଯାତନାର ଶିକାର ହୁଅନ୍ତି। ଜାତିସଂଘ ଦ୍ବାରା ପ୍ରସ୍ତୁତ ଏକ ଅନୁଧ୍ୟାନମୂଳକ ରିପୋର୍ଟ ଅନୁସାରେ ଭାରତୀୟ ରାଜନୀତିରେ କାର୍ଯ୍ୟରତ ୫୦% ମହିଳା ବାଚନିକ ଓ ୪୬% ମହିଳା ଶାରୀରିକ ଭାବେ ଯୌନ ଉତ୍ପୀଡ଼ନର ଶରବ୍ୟ ହୁଅନ୍ତି, ଯହିଁରେ ୫୮% ଉତ୍ପୀଡ଼କ ହୋଇଥାଆନ୍ତି ପୁରୁଷ ସହକର୍ମୀ। ଏହି ପରିପ୍ରେକ୍ଷୀରେ ଆମ ସମକ୍ଷରେ ଯୌନ-ଦାନବ ପ୍ରଜ୍ଜ୍ବଳ ରେବଣାର ଦୃଷ୍ଟାନ୍ତ ମର୍ମାହତ କରି ନ ଥାଏ କି ଯିଏ କର୍ଣ୍ଣାଟକ ରାଜନୀତିର ଅନ୍ୟତମ ସର୍ବାଧିକ ପ୍ରଭାବଶାଳୀ ପରିବାର(ଏଚ.ଡି. ଦେବଗୌଡ଼ା)ର ଦୁଲାଳ ରୂପେ ଆପଣା ପତିଆରା ବିସ୍ତାର କରି ହଜାର ହଜାର ମହିଳାଙ୍କୁ ବଳାତ୍କାର କରିଥିବା ନେଇ ଆରୋପିତ ଏବଂ ସଂପ୍ରତି କାରାରୁଦ୍ଧ? ପ୍ରକାଶ ଥାଉ କି ଦେବଗୌଡ଼ା ପରିବାର ଦ୍ବାରା ପ୍ରତିଷ୍ଠିତ ଦଳ ‘ଜନତା ଦଳ(ଏସ୍‌)’ର ଅସଂଖ୍ୟ ମହିଳା ରେବଣା ଦ୍ବାରା ବଳାତ୍କାରର ଶିକାର ହୋଇଥିଲେ ହେଁ କ୍ଷୀଣ ସ୍ବରଟିଏ ମଧ୍ୟ ଶୁଭି ନ ଥିଲା, ଯାହା ଦୈବାତ୍‌ ତା’ ମୋବାଇଲରୁ ପ୍ରଘଟ ହୋଇ ଯାଇଥିଲା, ଯହିଁରେ ତା’ର ଅପକର୍ମର ଅସୁମାରି ଭିଡିଓ ସଯତ୍ନ ସଂଗୃହୀତ ହୋଇ ରହିଥିଲେ! ‘ଜାତୀୟ ମହିଳା ଆୟୋଗ’ ବା ‘ନେସନାଲ ଉମେନ କମିସନ’ ଦ୍ବାରା ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ପ୍ରାୟ ୪୬% ମହିଳା ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଯୌନ ଶୋଷଣର ଶିକାର ହେଉଥିଲେ ହେଁ ପୀଡ଼ିତାଙ୍କ ମଧ୍ୟରୁ ମାତ୍ର ୩.୫୬% ଏ ସଂପର୍କରେ ଉଚ୍ଚତର ଅଧିକାରୀଙ୍କୁ ଜଣାଇ ଥାଆନ୍ତି। ତା’ ସତ୍ତ୍ବେ ଯାହା ସାମାନ୍ୟ ଆଶ୍ବାସନା ପ୍ରଦାନ କରିଥାଏ, ତାହା ହେଲା ୨୦୧୩ ମସିହାରେ ଏଭଳି ଅଭିଯୋଗର ସଂଖ୍ୟା ମାତ୍ର ୧୬୧ ଥିବା ବେଳେ ସେହି ବର୍ଷ ‘ପୋସ’ କାର୍ଯ୍ୟକାରୀ ହେବା ପର ଠାରୁ ଏହି ସଂଖ୍ୟାରେ ବୃଦ୍ଧି ଘଟି ୨୦୨୨ ମସିହାର ତାହା ୧୧୬୦ରେ ପହଞ୍ଚିଥିଲା। କହିବାର ତାତ୍ପର୍ଯ୍ୟ ହେଲା ‘ପୋସ’ ଆଇନର ଅନୁପାଳନରେ ନିଷ୍ଠାହୀନତା, ଉତ୍ପୀଡ଼କ ଉଚ୍ଚ ପଦାଧିକାରୀଙ୍କ ବିରୋଧରେ ଅଭିଯୋଗ କରିବାର ଭୟ ଏବଂ ଏଭଳି ଆଇନ ସଂପର୍କିତ ଅସଚେତନତା ସତ୍ତ୍ବେ ଏହାର ସୁପ୍ରଭାବ ପ୍ରଣିଧାନଯୋଗ୍ୟ, ଯେଉଁ ଆଇନ ଅନେକ ବିଶେଷଜ୍ଞଙ୍କ ମତରେ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ସଂପ୍ରସାରିତ ହେବା ଆବଶ୍ୟକ। 
ରାଜନୈତିକ ଦଳଗୁଡ଼ିକ ଶାସ୍ତ୍ରୀୟ ସଂଜ୍ଞା ଅନୁସାରେ ପେସାଦାର କାର୍ଯ୍ୟକ୍ଷେତ୍ର ହୋଇ ନ ଥିଲେ(ସୁପ୍ରିମ କୋର୍ଟଙ୍କ ମତ) ହେଁ ଯେ କୌଣସି ବୃତ୍ତିି ଭିତ୍ତିକ ଅନୁଷ୍ଠାନ ଭଳି ଏ ସବୁ ପଦ ଓ ମାନ୍ୟତା ଆ‌ଧାରରେ ପିରାମିଡ୍‌ଧର୍ମୀ, ଅର୍ଥାତ୍‌ ତୃଣମୂଳ ଓ ନିମ୍ନତର ସୋପାନରେ ଅଧିକ ବ୍ୟକ୍ତି ସ୍ବଳ୍ପ ସଂଖ୍ୟକ ଉପରିସ୍ଥମାନଙ୍କ ଆଜ୍ଞା ଓ ପ୍ରଭାବର ଅଧୀନସ୍ଥ ହୋଇଥାଆନ୍ତି, ଯହିଁରେ ଶୋଷଣ ଲାଗି ପ୍ରକୃଷ୍ଟ ପରିବେଶ ସୃଷ୍ଟି ହୋଇଥାଏ। ଦ୍ବିତୀୟତଃ, ଏହି କ୍ଷେତ୍ରରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଘଣ୍ଟାର ପ୍ରଚଳନ ମଧ୍ୟ ନ ଥାଏ। କେବଳ ସେତିକି ନୁହେଁ, ଏହା ଏଭଳି ଏକ କ୍ଷେତ୍ର ଯହିଁରେ ସ୍ବପ୍ନ ଅସରନ୍ତି, ମହତ୍ତ୍ବାକାଂକ୍ଷା ଅତ୍ୟୁଚ୍ଚ, ଉଚ୍ଚାଭିଳାଷ ପୂରଣ ହେବାର ଦୃଷ୍ଟାନ୍ତ ପର୍ଯ୍ୟାପ୍ତ ହୋଇଥିବାରୁ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ତୀବ୍ର ହୋଇଥାଏ, ଯେଉଁ ପରିବେଶ ‘ବ୍ଲାକମେଲିଂ’ ଓ ଯୌନ ଉତ୍ପୀଡ଼ନ ସକାଶେ ଅତ୍ୟନ୍ତ ଅନୁକୂଳ ହୋଇଥାଏ। ଏବଂ କେବଳ ଭାରତରେ ନୁ‌େହଁ, ପୃଥିବୀର ସବୁ ଦେଶର ରାଜନୈତିକ ଦଳ‌େର ଏଭଳି ସ୍ଥିତି ବିଦ୍ୟମାନ। ଏହି କାରଣରୁ କେତେକ ଦେଶରେ ରାଜନୈତିକ କ୍ଷେତ୍ରରେ ଯୌନ ନିର୍ଯାତନା ନିରୋଧକ ସ୍ବତନ୍ତ୍ର ପ୍ରାବଧାନର ବ୍ୟବସ୍ଥା କରାଯାଇଛି, ଯେମିତି କି ୟୁ.କେ.ର ‘ଇକ୍ବାଲିଟି ଆକ୍‌ଟ’ ବା କେନିଆର ‘ପଲିଟିକାଲ ଡିସପାରିଟି ଟ୍ରିବ୍ୟୁନାଲ’। ଉଳ୍ଲେଖଯୋଗ୍ୟ ଯେ ଆମ ଦେଶରେ ଛଅଟି ବଡ଼ ରାଜନୈତିକ ଦଳ ମଧ୍ୟରୁ କେବଳ ‘ସି.ପି.ଆଇ.-ଏମ’ରେ ‘ଆଇ.ସି.ସି.’ର ବ୍ୟବସ୍ଥା ଅଛି। କହିବା ବାହୁଲ୍ୟ ଯେ ଆମ ଦେଶରେ କେଇ କୋଟି ନାଗରିକ ରାଜନୈତିକ କାର୍ଯ୍ୟରେ ସକ୍ରିୟ ଏବଂ ଏଭଳି ଏକ ଅତ୍ୟନ୍ତ ଜନାକୀର୍ଣ୍ଣ ଓ ବୃହଦାକାୟ କ୍ଷେତ୍ରରେ ଯୌନ ଉତ୍ପୀଡ଼ନର ପ୍ରାବଲ୍ୟରେ ସଂକୋଚନ ଘଟାଇବା ସକାଶେ ମୁଖ୍ୟ ନିର୍ବାଚନ କମିସନ ଏକ ସୁଚିନ୍ତିତ ମାର୍ଗ ପ୍ରସ୍ତୁତ କରିବା ଜରୁରି।
ରାଜନୈତିକ ଦଳଗୁଡ଼ିକ କେତେକ ସରକାରୀ ସୁବିଧା(କାର୍ଯ୍ୟାଳୟ ଲାଗି ସରକାରୀ ସ୍ଥାନ ବା ଘର ତଥା ଅନେକ ସବସିଡି) ଲାଭ କରୁଥିଲେ ହେଁ ସୂଚନା ଅଧିକାର ଆଇନ ଅଧୀନସ୍ଥ ହୋଇ ନ ଥାଆନ୍ତି; ଯାହାକୁ ଚ୍ୟାଲେଂଜ କରି ଏକ ମାମଲା ସୁପ୍ରିମ କୋର୍ଟରେ ଅଦ୍ୟାପି ବିଚାରାଧୀନ ରହିଛି। ସେମିତି ରାଜନୈତିକ କର୍ମୀମାନେ ଦୀର୍ଘ ସମୟର ସଘନ ଶ୍ରମରେ ବ୍ୟାପୃତ ରହୁଥିଲେ ହେଁ ସେମାନେ ଶ୍ରମ ଆଇନ ପରିସରଭୁକ୍ତ ହୋଇ ନ ଥାନ୍ତି। ରାଜନୀତି ଅନେକଙ୍କ ସକାଶେ ବୃତ୍ତି ଓ କ୍ୟା‌ରିଅର ହୋଇଥିଲେ ହେଁ ପେସାଦାର ଅନୁଷ୍ଠାନ ଭଳି ବିଭିନ୍ନ ଆଇନ ବା ନିୟମମାନ ରାଜନୈତିକ ଦଳଗୁଡ଼ିକ ଲାଗି ଲାଗୁ ହୋଇ ନ ଥାଏ। ଏହାର ଅର୍ଥ ଚରିତ୍ର ଦୃଷ୍ଟିରୁ ରାଜନୈତିକ ଦଳଗୁଡ଼ିକୁ ଏକାନ୍ତ ଭାବେ କଳା ବା ଧଳା ରୂପେ ପରିଭାଷିତ କରାଯାଇ ପାରୁନାହିଁ; ତାହା ଏକ ଧୂସର ଇଲାକାରେ ପରିଣତ ହୋଇଛି, ଯେଉଁ କାରଣରୁ ‘ପୋସ’ ଆଇନର ପ୍ରୟୋଗ ନେଇ ମାନ୍ୟବର ଅଦାଲତ କୁଣ୍ଠା ପ୍ରକାଶ କରିଛନ୍ତି। କିନ୍ତୁ ସତ କହିଲେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଭଳି କାର୍ଯ୍ୟ ଯେ କୌଣସି ସ୍ଥାନ ଓ ପରିବେଶରେ ହୋଇଥାଉ ନା କାହିଁକି ସର୍ବଦା ଓ ସର୍ବତ୍ର ଅକ୍ଷମଣୀୟ ଭାବେ ଗର୍ହିତ; ଛୁରୀ ପରିବା କାଟୁ କି ମାଂସ; ଏକା ଭଳି ଘାତକ ହୋଇପାରେ ଏବଂ କାର୍ଯ୍ୟ ଓ ଆବେଦନ ଦୃଷ୍ଟିରୁ ଉଭୟ ପରସ୍ପର ଠାରୁ ଭିନ୍ନ ହୋଇଥିଲେ ହେଁ କୌଣସି ଅପରାଧରେ ବ୍ୟବହୃତ ହେଲେ ଉଭୟକୁ ନେଇ ଭିନ୍ନ ଭିନ୍ନ ବିଚାର କରାଯାଇ ନ ପାରେ! ସୁତରାଂ, ନାରୀ ଯୌନ ପୀଡ଼ନ ସଂଦର୍ଭରେ ଧୂସର ଇଲାକାର ଧୂଳି ପଟଳ ଦୃଷ୍ଟି ପଥକୁ ସଂକୁଚିତ ନ କରୁ!