ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିର ଶାସନ କାଳରେ, ୨୦୧୪ ମସିହାରୁ ୨୦୧୯ ମସିହା ମଧ୍ୟରେ, ସେ ଚାରି ଥର ଚୀନ ଗସ୍ତ କରିଥିଲେ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ତିନି ଥର ଭାରତ ଆସିଥିଲେ। ଏଭଳି ସଦ୍ଦିଚ୍ଛାମୂଳକ ଆବାଗମନ ସତ୍ତ୍ବେ ୨୦୨୧ ମସିହା‌େ‌ର ଗଲୱାନ ଆକ୍ରମଣ ସଂରଚନା କରି ଚୀନ ଏକ ଭରସା ଅଯୋଗ୍ୟ ରାଷ୍ଟ୍ର ରୂପେ ପୁନର୍ବାର ସାବ୍ୟସ୍ତ କରିଛି, ଯାହାର ପ୍ରଥମ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ୧୯୬୨ ମସିହାରେ ଭାରତ ଉପରେ ଚୀନର ପ୍ରଥମ ଆକ୍ରମଣ କାଳରେ, ଯେତେବେଳେ ‘ହିନ୍ଦୀ-ଚୀନ ଭାଇଭାଇ’ର ଡାକରେ ଗଗନପବନ ମୁଖର ହେଉଥିଲା। ସେହି ଦୃଷ୍ଟିରୁ ଏହି ନୂତନ ସମୀକରଣରୁ କ’ଣ ଫଳ ମିଳିବ ବା ଏଥିରୁ କ’ଣ ଆଶା କରାଯିବା ଉଚିତ, ତାହା ଏକ ବିତର୍କିତ ପ୍ରଶ୍ନ।

Advertisment

ଗତ କାଲି ଠାରୁ ଚୀନର ତିଆନ୍‌ଜିନ୍‌ ସହରରେ ପ୍ରାରମ୍ଭ ହୋଇଥିବା ଦୁଇଦିନିଆ ସାଂଘାଇ କୋଅପରେସନ ଅର୍ଗାନାଇଜେସନ’ ବା ଏସ୍‌.ସି.ଓ.ର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂଶ ଗ୍ରହଣ ହେତୁ ଏହା ଯେଉଁଭଳି ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଛି, ସେମିତି ପୂର୍ବରୁ କେବେ ହେଲେ ହୋଇ ନ ଥିଲା। କାରଣ ମାସେ ବା ଦେଢ଼ ମାସ ପୂର୍ବ ପର୍ଯ୍ୟନ୍ତ ‘ଗୋଟିକର ଛାଇ ଦେଖିଲେ ଅପରର ନାହି ଡେଉଁଥିବା’ ସ୍ଥିତିରୁ ବାହାରି ଭାରତ ଓ ଚୀନ ଭଳି ଦୁଇ ପାରଂପରିକ ଶତ୍ରୁ ରାଷ୍ଟ୍ର ପରସ୍ପରର ନିକଟତର ହୋଇ ଗୋଟିଏ ‘ପକ୍ଷ’ ଗଢ଼ିବାର ସମ୍ଭାବନା ଦୃଷ୍ଟିରୁ ଏହା କୌତୂହଳ ସୃଷ୍ଟି କରିବା ସହିତ ଆଦର୍ଶ, ବାସ୍ତବତା ଓ ବାଧ୍ୟବାଧକତା ପରିପ୍ରେକ୍ଷୀରେ ରଣନୈତିକ ପଟଭୂମି କିଭଳି କଳ୍ପନାତୀତ ଭାବେ ବଦଳି ଯାଇପାରେ, ତାହା ବୁଝିବା ଲାଗି ଏକ ପାଠ୍ୟ ପୁସ୍ତକୀୟ ଦୃଷ୍ଟାନ୍ତ ରୂପେ ଉଭା ହୋଇଛି ମଧ୍ୟ। ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ଦ୍ବିତୀୟ ପାଳି ଶାସନର ପ୍ରାରମ୍ଭରୁ ଡୋନାଲ୍‌ଡ ଟ୍ରଂପଙ୍କ ଉତ୍ପାତ ସମଗ୍ର ପୃଥିବୀକୁ ତଟସ୍ଥ କରି ଦେଇଥିଲେ ହେଁ ଅନେକ ପର୍ଯ୍ୟବେକ୍ଷକ ସେଭଳି କିଛି ଘଟିବାର ପୂର୍ବାନୁମାନ କରି ତାଙ୍କ ଆଚରଣ ଦ୍ବାରା ବିଶେଷ ବିସ୍ମିତ ହୋଇନାହାନ୍ତି। କ‌ାରଣ ସେମାନଙ୍କ ମତରେ ‘ତୁମ ଲାଗି କାଳ ସିନା, ମୋ ଲାଗି ଖେଳ’ ଭଳି ଅହମିକା ତୁଷ୍ଟକରୀ ମନୋଭାବର ଅଧିକାରୀ ଟ୍ରଂପ୍ ପ୍ରାୟତଃ ସହସା ହତବାକ୍‌ କରି ପକାଇବା ଭଳି ନିଷ୍ପତ୍ତିମାନ ନେଇ ସମସ୍ତଙ୍କୁ ଥରହର କରି ପକାନ୍ତି; ଏବଂ ସେହି କାରଣରୁ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ତାଙ୍କର ନିଷ୍ପତ୍ତିମାନ ଅଗତ୍ୟା ପୃଥିବୀର ରଣନୈତିକ ଶକ୍ତିି ସମୀକରଣକୁ ବଦଳାଇ ଦେଇଥାଏ। ୨୦୨୧ ମସିହାରେ ଆଫଗାନିସ୍ତାନରୁ ‘ନା‌ଟୋ’ ସୈନ୍ୟ ବଳକୁ ପ୍ରତ୍ୟାହାର କରି ସେହି ଦେଶକୁ ପୁନର୍ବାର ତାଲିବାନ ଶାସକଙ୍କୁ ଅର୍ପଣ କରି ଦେବା ଲାଗି ଚୁକ୍ତି, ଯାହା ‘ଦୋହା ରାଜିନାମା’ ଭାବେ ପରିଚିତ, ଏଦାଦୃଶ ନିଷ୍ପତ୍ତିର ଏକ ଝଲକ, ଯାହା ୨୦୨୨ ମସିହାରେ ବାସ୍ତବାୟିତ ହେବା ପରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ କଳ୍ପନା ବହିର୍ଭୂତ ଓ ଅପ୍ରତ୍ୟାଶିତ ଶତ୍ରୁତା ସୃଷ୍ଟି ହେବା ସହିତ ଦକ୍ଷିଣ ପଶ୍ଚିମ ଏସୀୟ ଭୂଖଣ୍ଡରେ ଏକ ନୂଆ ଶକ୍ତି ସମୀକରଣର ଦୃଶ୍ୟପଟ ଆବିର୍ଭୂତ ହୋଇଛି। ଏହି ପର୍ଯ୍ୟବେକ୍ଷକମାନଙ୍କ ମତରେ କେଭିଡ୍‌ ପାନଡେମିକ ହେତୁ ଏକ ତାଲାବନ୍ଦୀ ପୃଥିବୀରେ ଉପରୋକ୍ତ ଟ୍ରଂପୀୟ ପ୍ରତିଭାର ପରିପ୍ରକାଶ ଲାଗି ହୁଏତ ଯଥେଷ୍ଟ ଅବକାଶ ମିଳି ନ ଥିଲା; ସୁତରାଂ, ତାହାର ଏକ ବିସ୍ଫୋରକ ପରିସ୍ଫୁଟନ ଦ୍ବିତୀୟ ପାଳିରେ ଘଟିଛି ଏବଂ ଏକ ଭୂଚଳନ ତୁଲ୍ୟ ସ୍ଥିତି ପରିବର୍ତ୍ତନରେ ଭାରତ ଏବଂ ଚୀନ ଭଳି ଦୁଇ ଚରମ ଶତ୍ରୁ ରାଷ୍ଟ୍ର ସମୀପବର୍ତ୍ତୀ ହୋଇଛନ୍ତି। ଯଦିଓ ଅନେକ କୂଟନୀତିଜ୍ଞ ଏହାକୁ ଏକ ସକାରାତ୍ମକ ଦୃଷ୍ଟିରେ ଦେଖି ଦୁଇ ଏସୀୟ ଆର୍ଥିକ ମହାଶକ୍ତିଙ୍କ ସାମୀପ୍ୟରୁ ନୂତନ ସମ୍ଭାବନାର ଆବିଷ୍କାର ନେଇ ଆଶାବାଦୀ, ବାସ୍ତବତାଟି ହେଲା ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ରହି ଆସିଥିବା ଉତ୍କଟ ବିଶ୍ବାସହାନି ଦୃଷ୍ଟିରୁ ଏହାକୁ ଶତ୍ରୁ ସହିତ ଶୟନ ପର୍ଯ୍ୟାୟଭୁକ୍ତ ମଧ୍ୟ କରାଯାଇପାରେ। ସୁତରାଂ, ଆଶାବାଦୀ ହେବା ସହିତ ଏହି ସଂଦର୍ଭରେ ଏକ ବାସ୍ତବ ଏବଂ ବସ୍ତୁନିଷ୍ଠ ଅନୁଶୀଳନର ଆବଶ୍ୟକତା ମଧ୍ୟ ରହିଛି। 
ପ୍ରଥମ କଥା ‌େହଲା ଭାରତ ଉପରେ ଅତ୍ୟୁଚ୍ଚ ୫୦% ଟାରିଫ ସହିତ ଭାରତ ଏବଂ ତା’ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଟ୍ରଂପ ଓ ତାଙ୍କର କେତେକ ସହଯୋଗୀଙ୍କ ପକ୍ଷରୁ ହେଉଥିବା ଅତ୍ୟନ୍ତ ଅଶାଳୀନ ବାଚନିକ ଆକ୍ରମଣ ପରେ ଏହା ସ୍ପଷ୍ଟ ହୋଇଛି ଯେ ଅନ୍ତତଃ ବର୍ତ୍ତମାନ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତ୍ୟାବର୍ତ୍ତନ ନେଇ ଆଶା ସଂପୂର୍ଣ୍ଣ କ୍ଷୀଣ, ଯେଉଁ ସ୍ଥିତିରେ ବାଣିଜ୍ୟ ଏବଂ ରଣନୀତି ଦୃଷ୍ଟିରୁ ଭାରତ ତା’ର ଅନ୍ତର୍ରାଷ୍ଟ୍ରୀୟ ସଂପର୍କ‌େର କେତେକ ପରିବର୍ତ୍ତନ ଓ ସୁଧାର ଆଣିବାକୁ ବାଧ୍ୟ। ‘କ୍ରିଟିକାଲ ମିନେରାଲ’ର ଯୋଗାଣ କ୍ଷେତ୍ରରେ ଚୀନ ତା’ର ଏକାଧିପତ୍ୟକୁ ଏକ ଅଙ୍କୁଶ ଭଳି ମତ୍ତ ଆମେରିକା ସମ୍ମୁଖରେ ଟେକି ଧରିଥିବାରୁ ଚୀନ ଉପରେ ସର୍ବୋଚ୍ଚ ଟାରିଫର ଘୋଷଣା ସତ୍ତ୍ବେ ଆମେରିକା ତାହା ଲାଗୁ କରିପାରୁନାହିଁ; ସେଇଭଳି ଏକ ଅସ୍ତ୍ର ଭାରତ ନିକଟରେ ନାହିଁ। ଏବଂ ଆମେରିକୀୟ ଟାରିଫର ପ୍ରାଦୁର୍ଭାବକୁ ପ୍ରତିହତ କରିବାର ଲକ୍ଷ୍ୟ ନେଇ ଉଭୟ ଭାରତ ଏବଂ ଚୀନ ଅଗତ୍ୟା ଏକତ୍ର ହୋଇଛନ୍ତି ସତ; କିନ୍ତୁ ଏଭଳି ସଂପର୍କର ଆବଶ୍ୟକତା ଯେ ଭାରତ ସକାଶେ ଅଧିକ ତାହା ଚତୁର ଚୀନକୁ ଏଡ଼ାଇ ଯାଇ ନ ଥିବ। ସୁତରାଂ, ତୀବ୍ର ଉଚ୍ଚା‌ଭିଳାଷୀ ଓ ବିସ୍ତାରବାଦୀ ଚୀନ ଏଭଳି ସ୍ଥିତି ଓ ସୁଯୋଗକୁ ଭାରତ ବଶୀକରଣ ଲାଗି ବ୍ୟବହାର କରିବାରେ ପ୍ରବୃତ୍ତ ହୋଇପାରେ; କାରଣ ଏକ ଆର୍ଥିକ ମହାଶକ୍ତି ରୂପେ ଶିରୋତ୍ତୋଳନ କରୁଥିବା ଭାରତକୁ ଦମନ କରି ଏସିଆର ଏକକ ତ୍ରାଣକର୍ତ୍ତା ରୂପେ ପରିଚିତ ହେବା ହେଉଛି ଚୀନର ପ୍ରମୁଖ ଲକ୍ଷ୍ୟ। ସୁତରାଂ, ‘ଏସ.ସି.ଓ.’ ସମ୍ମିଳନୀକାଳୀନ ଉଷ୍ମ ସଂବର୍ଦ୍ଧନା ସତ୍ତ୍ବେ ସଂପର୍କର ନୂତନ ସମୀକରଣ ପରିପ୍ରେକ୍ଷୀରେ ଭାରତକୁ ଅତ୍ୟନ୍ତ ସତର୍କତାର ସହିତ ପାଦେ ପାଦେ ଅଗ୍ରସର ହେବାକୁ ପଡ଼ିବ। ଏହା ସତ ଯେ ଚୀନର ସର୍ବାଧିକ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ‘ବେଲ୍‌ଟ ରୋଡ୍‌ ଇନିସିଏଟିଭ୍‌’ର ଅଂଶ ହେବାକୁ ଭାରତର ପ୍ରତ୍ୟାଖ୍ୟାନ(୨୦୧୭) ଓ ସେହି ବର୍ଷ ଡୋକଲାମ ଠାରେ ଉଭୟ ଦେଶର ସୈନ୍ୟ ବଳ ମୁହାଁମୁହିଁ ହେବା ଭଳି ଘଟଣା ପରବର୍ତ୍ତୀ କାଳରେ ଅର୍ଥାତ୍‌ ୨୦୨୧ ମସିହାରେ ଗଲୱାନ ସୀମାରେ ଏକ ରକ୍ତକ୍ଷରା ସଂଘାତ ସକାଶେ ପଥ ପରିଷ୍କାର କରିଥିଲା, ଯେଉଁ ତିକ୍ତତାର ଅବସାନ ଅଦ୍ୟାବଧି ଘଟିନାହିଁ; ବରଂ ‘ଅପରୋସନ ସିନ୍ଦୂର’ ସମୟରେ ପାକିସ୍ତାନକୁ ଯୁଦ୍ଧ ସରଂଜାମର ସହାୟତା ଯୋଗାଇ ବା ପହଲଗାମ ଗଣହତ୍ୟାକୁ ଏକ ଆତଙ୍କବାଦୀ ଆକ୍ରମଣ ରୂପେ ସ୍ବୀକାର ନ କରି ଅଥବା ଦଲାଇ ଲାମାଙ୍କ ୯୦ ବର୍ଷ ପୂରଣ ଅବସରରେ ତାଙ୍କ ଆଶ୍ରୟଦାତା ଏବଂ ହିତାକାଂକ୍ଷୀ ରାଷ୍ଟ୍ର ଭାରତକୁ ଚରମ ଧମକ ଦେଇ ଚୀନ ଏଇ ଦେଢ଼ ମାସ ପୂର୍ବ ପର୍ଯ୍ୟନ୍ତ ଭାରତର ସର୍ବାଧିକ ବଡ଼ ଶତ୍ରୁ ରୂପେ ପରିଗଣିତ ହୋଇ ଆସିଥିଲା। ପ୍ରକାଶ ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିର ଶାସନ କାଳରେ, ୨୦୧୪ ମସିହାରୁ ୨୦୧୯ ମସିହା ମଧ୍ୟରେ, ସେ ଚାରି ଥର ଚୀନ ଗସ୍ତ କରିଥିଲେ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ତିନି ଥର ଭାରତ ଆସିଥିଲେ। ଏଭଳି ସଦ୍ଦିଚ୍ଛାମୂଳକ ଆବାଗମନ ସତ୍ତ୍ବେ ୨୦୨୧ ମସିହା‌େ‌ର ଗଲୱାନ ଆକ୍ରମଣ ସଂରଚନା କରି ଚୀନ ଏକ ଭରସା ଅଯୋଗ୍ୟ ରାଷ୍ଟ୍ର ରୂପେ ପୁନର୍ବାର ସାବ୍ୟସ୍ତ କରିଛି, ଯାହାର ପ୍ରଥମ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ୧୯୬୨ ମସିହାରେ ଭାରତ ଉପରେ ଚୀନର ପ୍ରଥମ ଆକ୍ରମଣ କାଳରେ, ଯେତେବେଳେ ‘ହିନ୍ଦୀ-ଚୀନ ଭାଇଭାଇ’ର ଡାକରେ ଗଗନପବନ ମୁଖର ହେଉଥିଲା। ସେହି ଦୃଷ୍ଟିରୁ ଏହି ନୂତନ ସମୀକରଣରୁ କ’ଣ ଫଳ ମିଳିବ ବା ଏଥିରୁ କ’ଣ ଆଶା କରାଯିବା ଉଚିତ, ତାହା ଏକ ବିତର୍କିତ ପ୍ରଶ୍ନ। 
ଶତ୍ରୁ ସହିତ କିଭଳି ଆଭିମୁଖ୍ୟ ରଖାଯିବା ଆବଶ୍ୟକ, ସେ ନେଇ ଜାପାନର ପ୍ରସିଦ୍ଧ ସମୁରାଇ ସମର ପରଂପରାରେ ସୁନିର୍ଦ୍ଦିଷ୍ଟ ନିୟମ ବିଧିମାନ ରହିଛି, ଯାହା ‘ବୁସିଡୋ’ ନାମରେ ପରିଚିତ। ଏହି ବିଧି ଅନୁସାରେ ଶତ୍ରୁ ସମ୍ମାନ ପ୍ରାପ୍ତିର ଯୋଗ୍ୟ; ଶତ୍ରୁ ସମ୍ବନ୍ଧରେ ସଂପୂର୍ଣ୍ଣ ଜ୍ଞାନ ଏବଂ ଶତ୍ରୁର ମୁକାବିଲା କ୍ଷେତ୍ରରେ ଅସୀମ ଧୈର୍ଯ୍ୟଶୀଳତା ଗୁରୁତ୍ବପୂର୍ଣ୍ଣ। ଏହିଭଳି ଅନେକ ନୀତିପୂର୍ଣ୍ଣ ଆଭିମୁଖ୍ୟ ସହିତ ଆଉ ଯାହା ସର୍ବାଧିକ ଆବଶ୍ୟକ, ତାହା ହେଉଛି ଛିଦ୍ରହୀନ ସଜାଗତା। ଯେ କୌଣସି ସମୟରେ ଓ ଯେ କୌଣସି ସ୍ଥାନରେ ଶତ୍ରୁଙ୍କ ଉପସ୍ଥିତି ସମ୍ଭବ ବୋଲି ବିଚାର କରି କିଂବଦନ୍ତୀୟ ସମୁରାଇ ଯୋଦ୍ଧା ମିୟାମୋଟୋ ମୁସାସି ନିଜକୁ ଏଭଳି ସଜାଗ-ସକ୍ଷମ କରିଥିଲେ ଯେ କୁହାଯାଏ ନିଦ୍ରିତ ଅବସ୍ଥାରେ ମଧ୍ୟ ସେ ଆକ୍ରମଣକୁ ପ୍ରତିହତ କରିବାକୁ ସମର୍ଥ ହେଉଥିଲେ। କହିବାର ତାତ୍ପର୍ଯ୍ୟ ହେଲା ଚୀନ ସହିତ ସାମୀପ୍ୟ ‌ହେତୁ ଶତ୍ରୁ ସହିତ ଶୟନର ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ସେଥିରେ ନିରନ୍ଧ୍ର ସଜାଗତା ହିଁ ସର୍ବାଧିକ କାମ୍ୟ ହୋଇଥାଏ।