ଯେହେତୁ ଜ୍ଞାନକୌଶଳ ହସ୍ତାନ୍ତର ପାଇଁ ଆମେରିକା ପ୍ରସ୍ତୁତ ନୁହେଁ, ତେଣୁ ଆମେରିକାର ସେକେଣ୍ଡାରି ଟାରିଫ୍ ଧମକ ସତ୍ତ୍ବେ ଭାରତ ରୁଷିଆ ସହିତ ସଂପର୍କ ଛିନ୍ନ କରିବାର କୌଣସି ସମ୍ଭାବନା ନାହିଁ। ‘ଅପରେସନ ସିନ୍ଦୂର’ରେ ରୁଷ୍‌ନିର୍ମିତ ଲଙ୍ଗ୍‌ରେଞ୍ଜ ଏଆର ଡିଫେନ୍‌ସ ସିଷ୍ଟମ ‘ଏସ୍-୪୦୦’ର ଚମକପ୍ରଦ ଫଳପ୍ରଦତା ତାହା ନିଶ୍ଚିତ କରିଦେଇଛି। ସର୍ବଦା ନିଜର କଥା ବଦଳାଇବାରେ ଅଭ୍ୟସ୍ତ ଟ୍ରମ୍ପ ନିଜର ମହତ ରକ୍ଷା କରିବା ପାଇଁ ଭାରତ ପ୍ରତି ଏହି ଧମକକୁ ମଧ୍ୟ ଫେରାଇ ନେବା ତାଙ୍କ ପାଇଁ ବୁଦ୍ଧିମାନର କାର୍ଯ୍ୟ ହେବ।

Advertisment

ଭାରତ ବର୍ତ୍ତମାନ ଉଭୟ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଓ ପାଶ୍ଚାତ୍ୟ ସାମରିକ ମେଣ୍ଟ ‘ନର୍ଥ ଆଟ୍‌ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍’ (‘ନାଟୋ’) ତରଫରୁ ରୁଷିଆରୁ ଅଶୋଧିତ ତୈଳ କ୍ରୟକୁ କେନ୍ଦ୍ରକରି ପ୍ରବଳ ଧମକପୂର୍ଣ୍ଣ ଚାପର ସମ୍ମୁଖୀନ ହୋଇଛି। ଅସ୍ଥିରଚିତ୍ତ ଟ୍ରମ୍ପ ଏ ପର୍ଯ୍ୟନ୍ତ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍‌ଙ୍କ ସହିତ ପ୍ରଗାଢ଼ ବନ୍ଧୁତ୍ବ ଦାବି କରି ସେ ରାଷ୍ଟ୍ରପତି ରୂପେ କ୍ଷମତା ଗ୍ରହଣ କରିବାର ଚବିଶ ଘଣ୍ଟା ମଧ୍ୟରେ ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଅନ୍ତ ଘଟାଇ ଦେବେ ବୋଲି ମିଥ୍ୟା ବାହା‌େସ୍ଫାଟ ମାରି ସେଥିରେ ବିଫଳ ହୋଇ ଆସିଥିଲେ। ଏବେ ସେ ନିଜର ଆଭିମୁଖ୍ୟ ବଦଳାଇ ଯୁଦ୍ଧ ବନ୍ଦ କରିବାକୁ ପୁଟିନ୍‌ଙ୍କୁ ୫୦ ଦିନ ସମୟ ଦେଇଛନ୍ତି। ସେଇ ସମୟ ସୀମା ମଧ୍ୟରେ ପୁଟିନ୍ ଯଦି ଯୁଦ୍ଧ ବନ୍ଦ ନ କରନ୍ତି, ତେବେ ଟ୍ରମ୍ପ ରୁଷିଆ ଉପରେ ଟାରିଫ୍ ଆକ୍ରମଣ ଆରମ୍ଭ କରିଦେବେ ବୋଲି ଧମକ ଦେଇଛନ୍ତି। ତାଙ୍କର ଏହି ଧମକର ଅଂଶସ୍ବରୂପ ସେ ରୁଷିଆ ଠାରୁ ତୈଳ କ୍ରୟ କରୁଥିବା ଭାରତ, ଚୀନ୍, ବ୍ରାଜିଲ୍ ଆଦି ଦେଶମାନଙ୍କ ପ୍ରତି ‘ସେକେଣ୍ଡାରି ସାଙ୍କସନ୍‌ସ’ ବା ଦ୍ବିତୀୟ-ସ୍ତରୀୟ ଅର୍ଥନୈତିକ ବାସନ୍ଦ ବ୍ୟବସ୍ଥା ଲାଗୁ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଏଥି ପୂର୍ବରୁ ଆମେରିକାରେ ରିପବ୍ଲିକାନ୍ ସିନେଟ୍‌ର ଲିଣ୍ଡ୍‌ସେ ଗ୍ରାହାମ୍ ରୁଷିଆ ସହିତ ବାଣିଜ୍ୟ କାରବାର କରୁଥିବା ଦେଶମାନଙ୍କ ପ୍ରତି ୫୦୦ ପ୍ରତିଶତ ହାରରେ ଟାରିଫ୍ ଲାଗୁ କରାଯିବା ପାଇଁ ପ୍ରସ୍ତାବ ଦେଇ ଏକ ବିଲ୍ ଆଗତ ମଧ୍ୟ କରିଛନ୍ତି। ଟ୍ରମ୍ପ କ୍ଷମତାକୁ ଆସିବା ପରେ ବସ୍ତୁତଃ ଆମେରିକା ‘ନାଟୋ’ ଠାରୁ ସଂପୂର୍ଣ୍ଣ ଦୂରେଇ ଯିବା ପାଇଁ ନିଷ୍ପତ୍ତି ଘୋଷଣା କରିଥିଲେ। ‘ନାଟୋ’ ଏଥିରେ ଛାନିଆ ହୋଇ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ସବୁମନ୍ତେ ଚେଷ୍ଟା ଚଳାଇଛି। ତେଣୁ ଟ୍ରମ୍ପଙ୍କ ସହିତ ସ୍ବର ମିଳାଇ ‘ନାଟୋ’ର ସେକ୍ରେଟାରି ଜେନେରାଲ ମାର୍କ ରୁଟ୍ଟେ ମଧ୍ୟ ଏବେ ଭାରତ, ଚୀନ୍ ଓ ବ୍ରାଜିଲ୍ ଆଦି ଦେଶମାନଙ୍କୁ ଅନୁରୂପ ଧମକ ଦେବା ଦେଖାଯାଇଛି। ‘ନାଟୋ’ର ଧମକ ତେଣୁ ହେଉଛି ଟ୍ରମ୍ପଙ୍କ ଧମକର ଏକ ସଂପ୍ରସାରଣ ମାତ୍ର।
ଟ୍ରମ୍ପ କିନ୍ତୁ ଯେଉଁ ସମୟରେ ଭାରତକୁ ଏହି ଧମକ ଦେଇଛନ୍ତି, ତାହା ତାଙ୍କ ପାଇଁ ଏକ ଅଡୁଆ ସମୟ। ଯେହେତୁ ତାଙ୍କ ପୂର୍ବରୁ ସିନେଟର୍ ଗ୍ରାହାମ୍ ଅନୁରୂପ ଧମକ ବହନ କରୁଥିବା ଏକ ବିଲ୍ ଆଗତ କରିସାରିଛନ୍ତି, ଟ୍ରମ୍ପଙ୍କୁ ବର୍ତ୍ତମାନ ଏହି ବିଲ୍‌କୁ ମଧ୍ୟ ସମର୍ଥନ ପ୍ରଦାନ କରିବାକୁ ପଡ଼ିବ। ଏବେ ଭାରତର ପ୍ରତିନିଧିମାନେ ଯେତେବେଳେ ସେଇ ସିନେଟର୍‌ମାନଙ୍କୁ ଭାରତର ଆଭିମୁଖ୍ୟ ସମ୍ବନ୍ଧରେ ବୁଝାଇବାକୁ ଯାଇ ୱାଶିଙ୍ଗଟନ୍‌ରେ ପହଞ୍ଚିବେ, ସେମାନେ ପ୍ରଥମେ କହିବେ ଯେ ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଭାରତ ଏକ ପକ୍ଷ ନୁହେଁ ଏବଂ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କିଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସୁସଂପର୍କ ରହିଛି। ଏପରିକି ନରେନ୍ଦ୍ର ମୋଦୀ ମଧ୍ୟ ଯୁଦ୍ଧ ଆରମ୍ଭ ପରେ ୟୁକ୍ରେନ୍ ରାଜଧାନୀ କିଭ୍ ଗସ୍ତରେ ଯାଇଥିଲେ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ପାଇଁ ଭାରତ‌ର କୌଣସି ସାମର୍ଥ୍ୟ ନାହିଁ। ତେଣୁ ଅକାରଣେ ଭାରତ ବିରୁଦ୍ଧରେ ପଦକ୍ଷେପ ନେଇ ଭାରତ ସହିତ ଶତ୍ରୁତା କରିବା ଆମେରିକାର ସ୍ବାର୍ଥ ପାଇଁ ଅନୁକୂଳ ନୁହେଁ। ଗ୍ରାହାମ୍‌ଙ୍କ ବିଲ୍‌ରେ ଦଣ୍ଡମୂଳକ ଟାରିଫ୍‌ରୁ ଛାଡ଼ ପାଇବା ପାଇଁ ଯେଉଁସବୁ ସର୍ତ୍ତ ରହିଛି, ଭାରତର ଯୁକ୍ତି ତାହାକୁ ଆଧାର କରି ସେଥିରୁ ଛାଡ଼ ପାଇବାର ଦୃଢ଼ ସମ୍ଭାବନା ରହିଛି। ତେବେ ନିକଟ ଭବିଷ୍ୟତରେ ମଧ୍ୟ ସେ ବିଲ୍ ଆଇନରେ ପରିଣତ ହେବାର ବିଶେଷ ସମ୍ଭାବନା ନାହିଁ।
ଦ୍ବିତୀୟରେ ଟ୍ରମ୍ପ-ରୁଟ୍ଟେଙ୍କର ଏହି ଧମକ ମଧ୍ୟ ଏପରି ଏକ ସମୟରେ ଦିଆଯାଇଛି, ଯେଉଁ ସମୟରେ ମୋଦୀ ଓ ପୁଟିନ୍‌ଙ୍କ ମଧ୍ୟରେ ଆଉ ଏକ ଶୀର୍ଷ ସମ୍ମିଳନୀ ଆସନ୍ନ ଏବଂ ଏହି ଉଦ୍ଦେଶ୍ୟରେ ପୁଟିନ୍‌ଙ୍କର ଭାରତ ଗସ୍ତ ଚୂଡ଼ାନ୍ତ ହେବାକୁ ଯାଉଛି। ଆମେରିକାର ଟାରିଫ୍ ଧମକ ଯେତେ କଠୋର ହେଲେ ମଧ୍ୟ ତାହା ଏହି ଶୀର୍ଷ ସମ୍ମିଳନୀ ଆୟୋଜନକୁ ବ୍ୟାହତ କରିବାର କୌଣସି ସମ୍ଭାବନା ନାହିଁ। କାରଣ, ସ୍ବାଧୀନତୋତ୍ତର ଭାରତର ଇତିହାସ ସାରା ବିପଦ ସମୟରେ ରୁଷିଆ ଭାରତର ପ୍ରକୃତ ବନ୍ଧୁ ରୂପେ ସାହାଯ୍ୟ କରିଥିବା ବେଳେ ଆମେରିକା ସର୍ବଦା ଭାରତବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଆସିଛି। ତେଣୁ ଟାରିଫ୍ ଧମକ ସତ୍ତ୍ବେ ଭାରତ-ରୁଷ୍ ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ ହେବା ଆମେରିକା ଗାଲରେ ଏକ ଚାପୁଡ଼ା ସଦୃଶ ହେବ। ଏଇ ସମୟରେ ଭାରତ ପ୍ରତି ସେକେଣ୍ଡାରି ଟାରିଫ୍  ଲାଗୁ କରି ଟ୍ରମ୍ପଙ୍କ ପକ୍ଷରେ ଏକ ଅନାବଶ୍ୟକ ଅବିମୃଶ୍ୟକାରିତା ସାବ୍ୟସ୍ତ ହେବ।
ଏହା ବାଦ୍, ଭାରତ ଓ ରୁଷିଆ ମଧ୍ୟରେ ବର୍ତ୍ତମାନ ହେଉଥିବା ବାଣିଜ୍ୟ କାରବରର ପ୍ରାୟ ୭୦ ଶତାଂଶ ଦୁଇ ଦେଶର ମୁଦ୍ରା ମାଧ୍ୟମରେ ସଂପାଦିତ ହେଉଛି ଏବଂ ଏହି ଅନୁପାତରେ ନିରନ୍ତର ବୃଦ୍ଧି ଘଟି ଚାଲିଛି। ଯେହେତୁ ଭାରତ ଟଙ୍କା ଦେଇ ରୁଷିଆରୁ ତୈଳ କ୍ରୟ କରୁଛି, ଆମେରିକା ଏ ସଂପର୍କିତ ତଥ୍ୟ ସଂଗ୍ରହ କରିବା ସହଜ ନୁହେଁ। ଭାରତ କିମ୍ବା ଚୀନ୍ କିମ୍ବା ବ୍ରାଜିଲ୍ କେବେହେଲେ ଆପଣା ଛାଏଁ ସେମାନେ ରୁଷିଆରୁ କ୍ରୟ କରୁଥିବା ତୈଳ ପରିମାଣ ସମ୍ବନ୍ଧରେ ଆମେରିକାକୁ ସୂଚନା ପ୍ରଦାନ କରିବେ ନାହିଁ। ଭାରତର ପେଟ୍ରୋଲିଅମ୍ ମନ୍ତ୍ରୀ ହର୍‌ଦୀପ୍ ସିଂହ ପୁରୀ ଘୋଷଣା କରିଥିବା ଭଳି ଭାରତ କେଉଁଠାରୁ ତୈଳ କ୍ରୟ କରିବ, ତାହା ତୈଳ ବଜାରର ପରିସ୍ଥିତି ଉପରେ ନିର୍ଭର କରିଥାଏ। ତୈଳ କଂପାନିମାନେ ଲାଭ-କ୍ଷତି ନିୟମ ଅନୁସରଣ କରି ଆନ୍ତର୍ଜାତିକ ବଜାରରୁ ତୈଳ କ୍ରୟ କରିଥାନ୍ତି, ସରକାରଙ୍କର ନିର୍ଦ୍ଦେଶରେ ନୁହେଁ।
ପୁଟିନ୍‌ଙ୍କ ଗସ୍ତ ସମୟରେ ରୁଷିଆ ଠାରୁ ଅସ୍ତ୍ରଶସ୍ତ୍ର କ୍ରୟ ନିମିତ୍ତ ଏକ ବୃହତ୍ ପ୍ରସ୍ତାବ ଚୂଡ଼ାନ୍ତ ହେବା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ବାଙ୍ଗାଲୋର ଠାରେ ‘ଏରୋ ଇଣ୍ଡିଆ ୨୦୨୫ ଏଆର୍ ସୋ’ ସ୍ଥାନରେ ରୁଷିଆ ନିର୍ମିତ ସୁଖୋଇ-୫୭ ଯୁଦ୍ଧ ବିମାନର ପ୍ରଦର୍ଶନ ସାମରିକ ବିଶେଷଜ୍ଞମାନଙ୍କ ଠାରୁ ସାଧାରଣ ଦର୍ଶକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚମତ୍କୃତ କରିଥିଲା। ୟୁକ୍ରେନ୍ ଯୁଦ୍ଧରେ ଏହି ବିମାନର ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି। ରୁଷିଆ ମଧ୍ୟ ସୁରାକ ଦେଇସାରିଲାଣି ଯେ କେବଳ ଏହି ବିମାନ ନୁହେଁ, ଭାରତରେ ଏହି ପଞ୍ଚମ ପିଢ଼ିର ଅତ୍ୟାଧୁନିକ ଯୁଦ୍ଧ ବିମାନର ଉତ୍ପାଦନ ସହିତ ଜ୍ଞାନକୌଶଳ ମଧ୍ୟ ହସ୍ତାନ୍ତର କରିବା ପାଇଁ ରୁଷିଆ ପ୍ରସ୍ତୁତ ଅଛି। ଯେହେତୁ ଜ୍ଞାନକୌଶଳ ହସ୍ତାନ୍ତର ପାଇଁ ଆମେରିକା ପ୍ରସ୍ତୁତ ନୁହେଁ, ତେଣୁ ଆମେରିକାର ସେକେଣ୍ଡାରି ଟାରିଫ୍ ଧମକ ସତ୍ତ୍ବେ ଭାରତ ରୁଷିଆ ସହିତ ସଂପର୍କ ଛିନ୍ନ କରିବାର କୌଣସି ସମ୍ଭାବନା ନାହିଁ। ‘ଅପରେସନ ସିନ୍ଦୂର’ରେ ରୁଷ୍‌ନିର୍ମିତ ଲଙ୍ଗ୍‌ରେଞ୍ଜ ଏଆର ଡିଫେନ୍‌ସ ସିଷ୍ଟମ ‘ଏସ୍-୪୦୦’ର ଚମକପ୍ରଦ ଫଳପ୍ରଦତା ତାହା ନିଶ୍ଚିତ କରିଦେଇଛି। ସର୍ବଦା ନିଜର କଥା ବଦଳାଇବାରେ ଅଭ୍ୟସ୍ତ ଟ୍ରମ୍ପ ନିଜର ମହତ ରକ୍ଷା କରିବା ପାଇଁ ଭାରତ ପ୍ରତି ଏହି ଧମକକୁ ମଧ୍ୟ ଫେରାଇ ନେବା ତାଙ୍କ ପାଇଁ ବୁଦ୍ଧିମାନର କାର୍ଯ୍ୟ ହେବ। ଆଲୋ ସଖୀ, ଆପଣା ମହତ ଆମେ ରଖି।