‘ଅପରେସନ ସିନ୍ଦୂର’ର ସଫଳତାରୁ ବିଜେପି ରାଜନୈତିକ ଲାଭ ଉଠାଇ ନେବ(ଆସନ୍ତା ବିହାର ବିଧାନସଭା ନିର୍ବାଚନ ବେଳେ ଏହା ସୁନିଶ୍ଚିତ) ବୋଲି ଶଙ୍କାଗ୍ରସ୍ତ ହୋଇ କଂଗ୍ରେସ ପକ୍ଷରୁ ହୁଏତ ଏଭଳି ଏକ ଅପରିପକ୍ବ ଧୈର୍ଯ୍ୟହୀନତା ପ୍ରକାଶ ପାଇଛି, କିନ୍ତୁ ‘ଟାଇମିଂ’(ଉପଯୁକ୍ତ ସମୟ)ର ମହତ୍ତ୍ବକୁ ହୃଦୟଙ୍ଗମ କରିଥିବା ସମସ୍ତେ ଜାଣନ୍ତି ଯେ ତାହା ହିଁ ସଫଳତାର ବୀଜ; ଦକ୍ଷତମ ବ୍ୟାଟ୍ସମ୍ୟାନଙ୍କ ‘ଟାଇମିଂ’ରେ ସାମନ୍ୟ ଭୁଲ୍ ଏକ ‘ଛକ୍କା’ ପରିବର୍ତ୍ତେ ‘କ୍ୟାଚ’ଟିଏ ସୃଷ୍ଟି କରି ତାଙ୍କୁ ପାଭିଲିଅନକୁ ଫେରିଯିବାକୁ ବାଧ୍ୟ କରିଥାଏ। ଏହି ‘ଟାଇମିଂ’ର ନିର୍ଦ୍ଧାରଣ ହେଉଛି ସୂକ୍ଷ୍ମ ବିଚାର ବୁଦ୍ଧିର ନିଦର୍ଶନ।
‘ଅପରେସନ ସିନ୍ଦୂର’ର ଘନଘଟା ପରେ ଯାହା ଆମ ଦେଶରେ ତୁମୂଳ ବିବାଦର ବିଷୟ ହୋଇଛି, ତାହା ହେଲା ଭାରତର ପକ୍ଷ ରଖି ସଂପ୍ରତି ବିଦେଶ ଭ୍ରମଣ କରୁଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳରେ ଶଶି ଥରୁରଙ୍କ ଭୂମିକାକୁ କେନ୍ଦ୍ର କରି। ପ୍ରକାଶ ଥାଉ କି ଏଭଳି ସାତଟି ପ୍ରତିନିଧି ଗୋଷ୍ଠୀ ପୃଥିବୀର ଭିନ୍ନ ଭିନ୍ନ ରାଷ୍ଟ୍ର ଭ୍ରମଣ କରୁଛନ୍ତି, ଯହିଁରେ ଶଶି ଥରୁର ଗୋଟିଏ ଦଳର ନେତୃତ୍ବ ନେଇଛନ୍ତି! ପ୍ରଶ୍ନ ଉଠିଥାଏ ଯେ ଏହି ପ୍ରତିନିଧି ମଣ୍ଡଳରେ ଅନ୍ତର୍ଭୁକ୍ତ ଅନ୍ୟ କୌଣସି ରାଜନେତା ବିତର୍କିତ ହୋଇ ନ ଥିବା ବେଳେ କଂଗ୍ରେସ ବା ତା’ର ଜଣେ ବରିଷ୍ଠ ସଦସ୍ୟ ବିବାଦୀୟ ହୋଇଛନ୍ତି କାହିଁକି? ଏହାର ଉତ୍ତର ସକାଶେ ଏକ କ୍ଷୁଦ୍ର ଅାଲୋଚନାର ଆବଶ୍ୟକତା ରହିଛି।
ଏହି ବିବାଦର ପୃଷ୍ଠଭୂମି, ଯାହା ସୁବିଦିତ, ତାହା ହେଲା, ଶଂସିତ ପ୍ରତିନିଧି ଗୋଷ୍ଠୀର ସଦସ୍ୟ ହେବା ଲାଗି କଂଗ୍ରେସ ଦଳ ପକ୍ଷରୁ ପ୍ରସ୍ତାବିତ ତିନିଟି ନାମ ବିଶିଷ୍ଟ ତାଲିକାରେ ଶଶି ଥରୁର ନ ଥିଲେ ହେଁ ସରକାରଙ୍କ ପକ୍ଷରୁ ତାଙ୍କୁ ଚୟନ କରାଯିବା ଏବଂ ଥରୁର ମଧ୍ୟ ଏହି ମନୋନୟନକୁ ଅବିଳମ୍ବେ ସାଦର ସ୍ବୀକୃତି ପ୍ରଦାନ କରି ରାଷ୍ଟ୍ର-ହିତ ଦୃଷ୍ଟିରୁ ଏହା ଏକ ସୌଭାଗ୍ୟ ବୋଲି ସ୍ପଷ୍ଟ କଣ୍ଠରେ ଅଭିହିତ କରିବା। କିନ୍ତୁ, କଂଗ୍ରେସ ଦଳର ଦୃଷ୍ଟିେକାଣରୁ ଏଭଳି କରି ଶଶି ଥରୁର ଦଳୀୟ ଶୃଙ୍ଖଳାକୁ ଅବଜ୍ଞ କରିବା ସହିତ ବିଜେପିର ମୁଖପାତ୍ରରେ ପରିଣତ ହୋଇସାରିଲେଣି, ଯାହା କଂଗ୍ରେସ ନେତାମାନଙ୍କ ଉଚ୍ଚାଟିତ ବିବୃତ୍ତିରୁ ସ୍ପଷ୍ଟ। ତେବେ, ଏ ସଂଦର୍ଭରେ ଥରୁରଙ୍କ ପକ୍ଷଧାରୀମାନେ କହିଥାଆନ୍ତି ଯେ ଆନ୍ତର୍ଜାତିକ କ୍ଷେତ୍ରରେ ଅଭିଜ୍ଞତା, ପରିଚିତି ଓ ପ୍ରଭାବ ଦୃଷ୍ଟିରୁ ଥରୁର ହିଁ ଅତୁଳନୀୟ ଏବଂ ଦଳୀୟ ପ୍ରତିନିଧି ଭାବେ ସେ ସର୍ବୋତ୍ତମ, କିନ୍ତୁ ବିପକ୍ଷବାଦୀଙ୍କ ମତରେ ନୀତିଗତ ଭାବେ ସେ ଦଳର ନିର୍ଦ୍ଦେଶକୁ ଅବମାନନା କରିବାର ଦୋଷଯୁକ୍ତ। କିନ୍ତୁ ଥରୁର ପକ୍ଷର ତୀବ୍ର ପ୍ରଶ୍ନ ହେଲା, କଂଗ୍ରେସ ତାଙ୍କ ପ୍ରତି ସୁବିଚାର କରିଛି କି? ଜାତିସଂଘର ଉଚ୍ଚ ପଦରେ ଏକ ସାର୍ଥକ କ୍ୟାରିଅର ସହିତ ଅନ୍ତର୍ଜାତୀୟ ସାହିତ୍ୟ କ୍ଷେତ୍ରରେ ଜଣେ ଚମକପ୍ରଦ ପ୍ରତିଭା ତଥା ଜନ-ବିଦ୍ବାନ ଓ ବାଗ୍ମୀ ଶଶୀ ଥରୁର କଂଗ୍ରେସ ଦ୍ବାରା ସୀମାନ୍ତରିତ ଓ ଅପାଂକ୍ତେୟ ହୋଇ ଯାଇ ନାହାନ୍ତି କି? ସୋନିଆ ଗାନ୍ଧୀଙ୍କ ଆମନ୍ତ୍ରଣ କ୍ରମେ କଂଗ୍ରେସରେ ଯୋଗ ଦେଇଥିଲେ ହେଁ ସଂସଦ ମଧ୍ୟକୁ ତାଙ୍କ ପ୍ରବେଶ ଜନାଧାର ମାଧ୍ୟମରେ ହୋଇଛି; ସେ ଚାରି ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି; ତାଙ୍କ ରାଜନୈତିକ ପ୍ରତିଷ୍ଠା ପଛରେ କଂଗ୍ରେସର ହର୍ତ୍ତା-କର୍ତ୍ତା-ବିଧାତା ଗାନ୍ଧୀ ପରିବାରର ଆଶୀର୍ବାଦର ବିଶେଷ ଅବଦାନ ନାହିଁ। ବରଂ ବିଭିନ୍ନ କାରଣରୁ ସେ ଗାନ୍ଧୀ ପରିବାରର ଚକ୍ଷୁଶୂଳ ହୋଇଛନ୍ତି; ଯେଉଁଗୁଡ଼ିକ ହେଲେ ଦଳରେ ଗଣତନ୍ତ୍ର ପ୍ରତିଷ୍ଠା ଲାଗି ସଂସ୍କାର ଚାହିବା (୨୦୨୦ରେ ୨୩ କଂଗ୍ରେସ ସଦସ୍ୟଙ୍କ ଦ୍ବାରା ଲିଖିତ ପତ୍ର), ଦଳର ଅଧ୍ୟକ୍ଷ ପଦ ସକାଶେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହେବା, ଦଳରେ ଅପାଂକ୍ତେୟ ହୋଇ ପଡ଼ି ନ ରହି ସୁନିର୍ଦ୍ଦିଷ୍ଟ ଦାୟିତ୍ବ ଦାବି କରିବା ଏବଂ କେତେକ ସ୍ଥଳେ ମୋଦୀ ସରକାରଙ୍କ ନିଷ୍ପତ୍ତି ଓ ପ୍ରଦର୍ଶନ(ସ୍ବଚ୍ଛ ଭାରତ ଅଭିଯାନ ବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାରତର ନୀତି ଅଥବା ଗଲା ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତର ଉପଲବ୍ଧି)ର ପ୍ରଶଂସା ଇତ୍ୟାଦି। କିନ୍ତୁ, କଂଗ୍ରେସ ଦଳର ପକ୍ଷଧର ଓ ଥରୁର ବିରୋଧୀମାନେ ଏଭଳି ଆଭିମୁଖ୍ୟକୁ ଦଳୀୟ ଶୃଙ୍ଖଳାର ଅବମାନନା ଏବଂ ଥରୁରଙ୍କୁ ‘ଦୋମୁହାଁ’ ଓ ସାଂପ୍ରତିକ ବିବାଦ ପରିପ୍ରେକ୍ଷୀରେ ତାଙ୍କୁ ବିଜେପିର ‘ସୁପର ପ୍ରବକ୍ତା’ ବୋଲି ଅଭିହିତ କରିଥାଆନ୍ତି। କିନ୍ତୁ ଥରୁରଙ୍କ ପକ୍ଷଧରମାନେ ପଚାରି ଥାଆନ୍ତି ଯେ ଭିନ୍ନମତ ବା ମତାନୈକ୍ୟକୁ ସମ୍ମାନ ପ୍ରଦର୍ଶନ କରୁ ନ ଥିବା କାରଣରୁ ବିଜେପିକୁ ‘ଅସହିଷ୍ଣୁ’ ବୋଲି ଆକ୍ଷେପ କରିଆସିଥିବା କଂଗ୍ରେସ ଦଳ ସ୍ବୟଂ ଥରୁରଙ୍କୁ ସହ୍ୟ କରି ନ ଥାଏ କାହିଁକି? ଦଳ ଓ ସଂସଦରେ ଥରୁରଙ୍କ ଭଳି ଏକ ପ୍ରଚଣ୍ଡ ଉପସ୍ଥିତିକୁ ନିଷ୍ପ୍ରଭ କରି ଗାନ୍ଧୀ ପରିବାରର ଖର୍ବକାୟ ସ୍ତାବକମାନଙ୍କୁ ଆଲୋକିତ କରିବାରେ ବ୍ୟଗ୍ରତା ପ୍ରକାଶ ପାଉଛି କାହିଁକି? ଏହାର ଉତ୍ତର ଅତ୍ୟନ୍ତ ସରଳ, ବୁଝାଇ କହିବାର ଆବଶ୍ୟକତା ନାହିଁ।
କଂଗ୍ରେସ-ଥରୁର ବିବାଦର ସୀମିତ ପରିଧିକୁ ଅତିକ୍ରମ କରି ‘ଅପେରସନ ସିନ୍ଦୂର’ ପରିପ୍ରେକ୍ଷୀରେ ଏକ ବିସ୍ତୃତ ବଳୟକୁ ପ୍ରବେଶ କଲା ବେଳେ ଏହା ସର୍ବ ସ୍ବୀକୃତ ହୋଇଥାଏ ଯେ ପହଲଗାମ ଆତଙ୍କବାଦୀ ଗଣହତ୍ୟା ଓ ପରବର୍ତ୍ତୀ ‘ଅପରେସନ ସିନ୍ଦୂର’ ଏକ ‘ଅସାଧାରଣ ଘଟଣାକ୍ରମ’ ଥିଲା, ଯଦ୍ଦ୍ବାରା ସାଂପ୍ରତିକ ତୀବ୍ର ରାଜନୈତିକ ବିଭାଜନ ସତ୍ତ୍ବେ ଏକ ବିରଳତମ ଦୃଷ୍ଟାନ୍ତରେ ସମସ୍ତ ରାଜନୈତିକ ଦଳ ସରକାରଙ୍କୁ ସଂପୂର୍ଣ୍ଣ ସମର୍ଥନ ଜଣାଇଥିଲେ। କହିବା ବାହୁଲ୍ୟ ଏହା ସହିତ କଂଗ୍ରେସ ବିରୋଧରେ ବିଜେପି ଦ୍ବାରା ସୃଷ୍ଟ ସେହି ବ୍ୟାଖ୍ୟାନକୁ ଅର୍ଥହୀନ କରିଦେବାର ସୁବର୍ଣ୍ଣ ସୁଯୋଗ ମଧ୍ୟ କଂଗ୍ରେସ ହାତକୁ ଆସିଥିଲା; ଯାହା କହିଥାଏ ଯେ ରାଷ୍ଟ୍ରପ୍ରେମ ଦୃଷ୍ଟିରୁ କଂଗ୍ରେସର ଅଙ୍ଗୀକାର ପ୍ରଶ୍ନ-ସଂକୁଳ। ସେହି ବ୍ୟାଖ୍ୟାନ ଅସଂଖ୍ୟ ଭାରତୀୟ ଜନସାଧାରଣଙ୍କ ହୃଦ୍ବୋଧ କରାଇ ଦେଇ ସାରିଛି ଯେ ଅତି ଉଦାରବାଦୀ ଅର୍ବପତି ଜର୍ଜ ସୋରସ ଓ ପାଶ୍ଚାତ୍ୟ ଗଣମାଧ୍ୟମ ତଥା ‘ଥିଂକ ଟ୍ୟାଙ୍କ’ଗୁଡ଼ିକର ଉପଭୋକ୍ତା କଂଗ୍ରେସ ସର୍ବଦା ଭାରତର ଭାବମୂର୍ତ୍ତିକୁ ମଳିନ କରିବାରେ ବ୍ୟାପୃତ। ସେହି କାରଣରୁ ଦେଶ ଭିତରେ ବା ବାହାରେ ସରକାରଙ୍କୁ ସମାଲୋଚନା କରୁଥିବା କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ‘ରାଷ୍ଟ୍ର ବିରୋଧୀ’ ବୋଲି ଆଖ୍ୟାୟିତ କରାଯାଇଥାଏ। ଏଭଳି ଏକ ସ୍ଥିତିରେ, ଅନେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ଯୁଦ୍ଧ ବିରତି ପରେ ପରେ ବୈଦେଶିକ ମନ୍ତ୍ରୀଙ୍କ ଏକ ମନ୍ତବ୍ୟକୁ ଆଧାର କରି ତାଙ୍କୁ ‘ରାଷ୍ଟ୍ର ବିରୋଧୀ ଅପରାଧୀ’ ବୋଲି ଆକ୍ଷେପଭରା ଉଚ୍ଚାଟ ସୃଷ୍ଟି ବା ଶଶି ଥରୁରଙ୍କ ଚୟନକୁ ନେଇ ବିବାଦ ଉତ୍ପନ୍ନ କରାଯିବା ଦ୍ବାରା ଅଗତ୍ୟା କଂଗ୍ରେସ ସେହି ସୁବର୍ଣ୍ଣ ସୁଯୋଗଟିକୁ ହାତଛଡ଼ା କରିବାକୁ ବସିଲାଣି। କାରଣ ‘ଅପରେସନ ସିନ୍ଦୂର’ ପରେ ଜନମତ ସ୍ବାଭାବିକ ଭାବେ ଗଭୀର ଜାତୀୟତାବୋଧ ଦ୍ବାରା ଆପ୍ଳୁତ, ଯେଉଁ ପରିସ୍ଥିତିରେ ଏଭଳି ପ୍ରଶ୍ନ ବା ବିବାଦମାନ ଏକ ବିଶାଳ ବର୍ଗ ସକାଶେ ଅଗ୍ରହଣୀୟ ହୋଇପାରେ। ପ୍ରକାରାନ୍ତରେ ଏହା ବିଜେପି ଦ୍ବାରା ସୃଷ୍ଟ ଉପର ବର୍ଣ୍ଣିତ କଂଗ୍ରେସ ବିରୋଧୀ ବ୍ୟାଖ୍ୟାନକୁ ଅଧିକ ସୁଦୃଢ଼ କରିବ। ବିଶେଷଜ୍ଞମାନେ କହନ୍ତିି ଯେ ‘ଅପରେସନ ସିନ୍ଦୂର’ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଯଥାର୍ଥ ପ୍ରଶ୍ନ କରାଯିବାରେ ଆପତ୍ତି ନାହିଁ; କିନ୍ତୁ ପ୍ରଶ୍ନ କରିବାର ଏକ ଉପଯୁକ୍ତ ସମୟ ମଧ୍ୟ ଗୁରୁତ୍ବପୂର୍ଣ୍ଣ! ‘ଅପରେସନ ସିନ୍ଦୂର’ର ସଫଳତାରୁ ବିଜେପି ରାଜନୈତିକ ଲାଭ ଉଠାଇ ନେବ(ଆସନ୍ତା ବିହାର ବିଧାନସଭା ନିର୍ବାଚନ ବେଳେ ଏହା ସୁନିଶ୍ଚିତ) ବୋଲି ଶଙ୍କାଗ୍ରସ୍ତ ହୋଇ କଂଗ୍ରେସ ପକ୍ଷରୁ ହୁଏତ ଏଭଳି ଏକ ଅପରିପକ୍ବ ଧୈର୍ଯ୍ୟହୀନତା ପ୍ରକାଶ ପାଇଛି, କିନ୍ତୁ ‘ଟାଇମିଂ’(ଉପଯୁକ୍ତ ସମୟ)ର ମହତ୍ତ୍ବକୁ ହୃଦୟଙ୍ଗମ କରିଥିବା ସମସ୍ତେ ଜାଣନ୍ତି ଯେ ତାହା ହିଁ ସଫଳତାର ବୀଜ; ଦକ୍ଷତମ ବ୍ୟାଟ୍ସମ୍ୟାନଙ୍କ ‘ଟାଇମିଂ’ରେ ସାମନ୍ୟ ଭୁଲ୍ ଏକ ‘ଛକ୍କା’ ପରିବର୍ତ୍ତେ ‘କ୍ୟାଚ’ଟିଏ ସୃଷ୍ଟି କରି ତାଙ୍କୁ ପାଭିଲିଅନକୁ ଫେରିଯିବାକୁ ବାଧ୍ୟ କରିଥାଏ। ଏହି ‘ଟାଇମିଂ’ର ନିର୍ଦ୍ଧାରଣ ହେଉଛି ସୂକ୍ଷ୍ମ ବିଚାର ବୁଦ୍ଧିର ନିଦର୍ଶନ। ସେହି ସୂକ୍ଷ୍ମ ବିବେଚନାବୋଧର ପରିଚୟ ଦେଇ ୧୯୭୧ ମସିହାର ଯୁଦ୍ଧ ପରେ ତତ୍କାଳୀନ ବିରୋଧୀ ଜନସଂଘ(ବିଜେପିର ପିତୃବ୍ୟ) ନେତା ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦେବୀ ଦୁର୍ଗାଙ୍କ ସହିତ ତୁଳନା କରି ନଥିଲେ କି?
‘ଏ.ଆଇ.ଏମ.ଆଇ.ଏମ.’ ଦଳର ନେତା ଅସାଦୁଦ୍ଦିନ ଓୱାଇସି ମଧ୍ୟ ଏକ ପ୍ରତିନିଧି ଦଳର ନେତୃତ୍ବ ନେଇ ମୁଖ୍ୟତଃ ମୁସଲିମ ବହୁଳ ରାଷ୍ଟ୍ରଗୁଡ଼ିକରେ ଭ୍ରମଣ କରି ରାଷ୍ଟ୍ରର ପକ୍ଷ ରଖୁଛନ୍ତି। କହିବା ବାହୁଲ୍ୟ, ତାଙ୍କ ଧର୍ମ ଦୃଷ୍ଟିରୁ ସେ ଅନେକ ଅପ୍ରୀତିକର ପ୍ରଶ୍ନ ଓ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଯେମିତି କି ତାଙ୍କୁ ପଚରାଯାଉଛି ସେ କାହିଁକି ଭ୍ରାତୃଦ୍ରୋହୀ ବୋଲି ବିବେଚିତ େହବେନାହିଁ? ଏହା ସତ୍ତ୍ବେ ସେ ଅତ୍ୟନ୍ତ ନିର୍ଭୀକ ଓ ସ୍ପଷ୍ଟ କଣ୍ଠରେ ସଫଳତାର ସହିତ ରାଷ୍ଟ୍ରର ପକ୍ଷ ରଖିବାରେ ସମର୍ଥ ହୋଇଛନ୍ତି। ଏବଂ ଏହି କ୍ରମରେ ତାଙ୍କର ବିଶେଷ ଉପଲବ୍ଧିଟି ହେଲା ବିଜେପି ଦ୍ବାରା ସୃଷ୍ଟ ବ୍ୟାଖ୍ୟାନକୁ ନିରସ୍ତ୍ର କରି ସେ ଦର୍ଶାଇବାରେ ଲାଗିଛନ୍ତି ଯେ ସରକାରଙ୍କ ସମାଲୋଚନାର ଅର୍ଥ ରାଷ୍ଟ୍ରଦ୍ରୋହ ହୋଇ ନ ଥାଏ ବା ଭାରତୀୟ ମୁସଲମାନ ‘ଗଦ୍ଦାର’ ହୋଇ ନ ଥାଆନ୍ତିି। ଅସାଦୁଦ୍ଦିନ ଓୱାଇସି ସେହି ସୂକ୍ଷ୍ମ ବୁଦ୍ଧିର ପ୍ରୟୋଗ କରି ଭାରତୀୟ ମୁସଲମାନ ଏବଂ ତାଙ୍କ ରାଜନୈତିକ ଦଳ ସକାଶେ ନୂଆ ବ୍ୟାଖ୍ୟାନଟିଏ ମଧ୍ୟ ସୃଷ୍ଟି କଲେଣି।