‘ଜାତୀୟ ମହାକାଶ ଦିବସ’ ପାଳନ ଅବସରରେ ସାଂସଦ ଅନୁରାଗ ଠାକୁର କେତେକ ସ୍କୁଲ ପିଲାଙ୍କୁ କହିଥିବା ଦେଖାଯାଇଥିଲା ଯେ ହନୁମାନ ଥିଲେ ପୃଥିବୀର ସର୍ବପ୍ରଥମ ମହାକାଶଚାରୀ। ଏଠାରେ ମନେ ରଖିବା କଥା ଯେ ହନୁମାନ କେବଳ ଚମକ ସୃଷ୍ଟି ପାଇଁ ମହାକାଶ ଯାତ୍ରା କରୁ ନ ଥିଲେ; ସେ ବିଶଲ୍ୟକରଣୀ ସହିତ ଗନ୍ଧମାର୍ଦ୍ଦନକୁ ଧରି ମହାଶୂନ୍ୟରେ ଯାତ୍ରା କରି ଶକ୍ତିବିଦ୍ଧ ଲକ୍ଷ୍ମଣଙ୍କ ପାଖରେ ପହଞ୍ଚାଇ ଦେଇ ତାଙ୍କର ଜୀବନ ରକ୍ଷା କରିଥିଲେ- ବୋଧହୁଏ ପୃଥିବୀର ସର୍ବପ୍ରଥମ ମହାକାଶଭିତ୍ତିକ ଟେଲି ମେଡିସିନ୍ ପ୍ରୟୋଗର ଉଦାହରଣ!
୨୦୨୩ ଅଗଷ୍ଟ ୨୩ ଦିନ ଭାରତ ପ୍ରେରଣ କରିଥିବା ସ୍ବଦେଶ ନିର୍ମିତ ମହାକାଶ ଯାନ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳତାର ସହିତ କୋମଳ ଅବତରଣ କରି ପୃଥିବୀବ୍ୟାପି ଚହଳ ସୃଷ୍ଟି କରିଥିଲା। ମହାକାଶ ଗବେଷଣା କ୍ଷେତ୍ରରେ ଆମର ଏହି ବିରଳ ଉପଲବ୍ଧିକୁ ସ୍ବୀକୃତି ପ୍ରଦାନ ସ୍ବରୂପ ଗତ ୨୩ ତାରିଖରେ ଭାରତରେ ‘ଜାତୀୟ ମହାକାଶ ଦିବସ’ (‘ନେସନାଲ୍ ସ୍ପେସ୍ ଡେ’) ପାଳିତ ହୋଇଯାଇଛି। ‘ଚନ୍ଦ୍ରଯାନ-୩’ର ସେଇ ଅବତରଣ ସେଦିନ କେବଳ ‘ଇସ୍ରୋ’ର ବୈଜ୍ଞାନିକମାନଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ନ ଥିଲା, ଭାରତର ପ୍ରତିଟି ନାଗରିକର ଛାତି ସେଦିନ ଗର୍ବରେ ଫୁଲି ଉଠିଥିଲା, ଯେଉଁମାନେ ଦିନେ କେରଳର ଥୁମ୍ବା ଠାରେ ବୈଜ୍ଞାନିକମାନେ ସାଇକେଲ୍ରେ ଲଦି ରକେଟ୍ ପରିବହନ କରିବା ଠାରୁ ଚନ୍ଦ୍ରଯାନ ପ୍ରେରଣ ପର୍ଯ୍ୟନ୍ତ ଭାରତର ମହାକାଶ ବିଜ୍ଞାନର ଚମକପ୍ରଦ ଅଭ୍ୟୁଦୟ ଉପରେ ନଜର ରଖି ଆସିଛନ୍ତି।
ତେବେ ଏହି ଜାତୀୟ ଗର୍ବବୋଧ ଯଥାର୍ଥ ଭାବରେ ଆମକୁ ପ୍ଳାବିତ କଲାବେଳେ ସେଥି ସହିତ ଏକ ପ୍ରଶ୍ନ ସ୍ବାଭାବିକ ଭାବରେ ଜଡ଼ିତ ହୋଇଥାଏ: ଆମର ମହାକାଶ ଅଭିଯାନମାନ ଏହି ଗୌରବମୟ ପ୍ରଦର୍ଶନକୁ ଅତିକ୍ରମ କରି କେତେଦୂର ଆମର ବିକାଶକୁ ସହାୟକ ହେବାର ସମ୍ଭାବନା ବହନ କରୁଛି? ଏହା ସତ ଯେ ମହାକାଶ ଅନ୍ବେଷଣ ସର୍ବଦା ଜାତୀୟ ଗର୍ବବୋଧ ସହିତ ସଂଯୁକ୍ତ ହୋଇ ଆସିଛି। ଏହାର କାରଣ, ଯେବେଠାରୁ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଗ୍ରୀକ୍ ଦାର୍ଶନିକ ଆନାକ୍ସିମାଣ୍ଡର୍ ପୃଥିବୀକୁ ଅନନ୍ତ ମହାକାଶରେ ଭାସମାନ ଏକ ପିଣ୍ଡ ରୂପେ ପ୍ରଦର୍ଶିତ କଲେଣି (ଆନାକ୍ସିମାଣ୍ଡର୍ଙ୍କ ଯୁକ୍ତି ହେଲା: ଯଦି ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନେ ଆମକୁ ପରିକ୍ରମା କରି ଘୂରି ବୁଲୁଛନ୍ତି, ତା’ ହେଲେ ପୃଥିବୀ ଉପରେ ମହାଶୂନ୍ୟ ଥିବା ଭଳି ପୃଥିବୀ ତଳେ ମଧ୍ୟ ମହାଶୂନ୍ୟ ରହିଛି), ସେବେଠାରୁ ପୃଥିବୀବାସୀଙ୍କ ମନରେ ମହାକାଶର ରହସ୍ୟ ଭେଦ କରିବା ନିମିତ୍ତ ଉତ୍କଣ୍ଠା ଜାଗ୍ରତ ହେଲାଣି। ବିଜ୍ଞାନର ଅଗ୍ରଗତି ସହିତ ତାଳ ଦେଇ ବିଭିନ୍ନ ଦେଶ ଏହି ରହସ୍ୟ ଉନ୍ମୋଚନ ନିମିତ୍ତ ମହାକାଶ ଅନ୍ବେଷଣରେ ବ୍ୟାପୃତ ହେବା ପରେ ସ୍ବାଭାବିକ ଭାବରେ ସେଥିରେ ସଫଳତା ହାସଲ ଏକ ସମ୍ମାନର ପ୍ରଶ୍ନରେ ପରିଣତ ହେଲା, ଯାହା ଦେଶ ଦେଶ ମଧ୍ୟରେ ଏକ ପ୍ରତିଯୋଗିତାକୁ ଜନ୍ମ ଦେଲା।
ଶୀତଳ ଯୁଦ୍ଧ ସମୟରେ ଆମେରିକା ଓ ରୁଷିଆ ମଧ୍ୟରେ ଦେଖାଦେଇଥିବା ଏହି ପ୍ରତିଯୋଗିତାର ତୀବ୍ରତା କିଂବଦନ୍ତିରେ ପରିଣତ ହୋଇଛି। ରୁଷିଆର ୟୁରି ଗାଗାରିନ୍ ଯଦି ସର୍ବପ୍ରଥମ ମହାକାଶ ଯାତ୍ରୀ ହେବାର ମର୍ଯ୍ୟାଦା ଲାଭ କଲେ, ଆମେରିକାର ନିଲ୍ ଆର୍ମଷ୍ଟ୍ରଙ୍ଗ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥୋଇବାରେ ସର୍ବପ୍ରଥମ ମନୁଷ୍ୟ। ମହାକାଶ ଅନ୍ବେଷଣରେ ଏକ ଦେଶର ସଫଳତା ବିଜ୍ଞାନ ଗବେଷଣାରେ ସେ ଦେଶର ପାରଦର୍ଶିତାର ଏକ ସୂଚକ ରୂପେ ଆବିର୍ଭୂତ ହେଲା। ତେଣୁ ପୃଥିବୀର ଯେଉଁ ଅଳ୍ପ କେତେଗୋଟି ଦେଶ ମହାକାଶ ଗବେଷଣା ଓ ଅନ୍ବେଷଣରେ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି, ସେମାନେ ଯେ ସେଥିପାଇଁ ଗର୍ବ ଅନୁଭବ କରିବା ନିମିତ୍ତ ହକ୍ଦାର, ଏଥିରେ କେହି ଦ୍ବିମତ ହେବେନାହିଁ। ଭାରତ ହେଉଛି ଏଇଭଳି ହାତଗଣତି ଦେଶମାନଙ୍କ ମଧ୍ୟରୁ ଗୋଟିଏ। ତେଣୁ ମଙ୍ଗଳଯାନ, ଚନ୍ଦ୍ରଯାନ ଭଳି ମହାକାଶ ଅଭିଯାନ ପାଇଁ କିମ୍ବା ରାକେଶ ଶର୍ମା, ଶୁଭାଂଶୁ ଶୁକ୍ଳାଙ୍କ ପରି ମହାକାଶ ଯାତ୍ରୀଙ୍କ ପାଇଁ ଭାରତୀୟମାନେ ଯଥାର୍ଥ ଭାବରେ ଗର୍ବିତ।
କିନ୍ତୁ ଭାରତ ଭଳି ଏକ ବିକାଶଶୀଳ ଦେଶରେ କେବଳ ଏକ ଅପାର୍ଥିବ ଗର୍ବବୋଧ ଆମର ବ୍ୟୟବହୁଳ ମହାକାଶ ଗବେଷଣା ଓ ଅନ୍ବେଷଣର ଏକମାତ୍ର ଲକ୍ଷ୍ୟ ହୋଇ ନ ପାରେ। ଏହାକୁ ହୃଦୟଙ୍ଗମ କରି ଭାରତରେ ମହାକାଶ ଗବେଷଣାର ଜନକ ରୂପେ ବିବେଚିତ ବିକ୍ରମ ସରାଭାଇ ସତର୍କ କରାଇ ଦେଇଥିଲେ ଯେ ଭାରତ ତା’ର ମହାକାଶ ଯୋଜନା ରୂପାୟନ କରିବାରେ ପାଶ୍ଚାତ୍ୟ ଦେଶମାନଙ୍କୁ ଅନୁସରଣ କରି କେବଳ ସମ୍ମାନ ପଛରେ ଧାଇଁବା ଉଚିତ ନୁହେଁ। ଯୋଗାଯୋଗ, ପାଣିପାଗ ପୂର୍ବାନୁମାନ, ପ୍ରାକୃତିକ ସମ୍ବଳ ଅନୁସନ୍ଧାନ ଓ ଶିକ୍ଷା ଆଦି କ୍ଷେତ୍ରମାନଙ୍କରେ ଗୁରୁତ୍ବପୂର୍ଣ୍ଣ ଅବଦାନ ମାଧ୍ୟମରେ ଦେଶର ପଛୁଆ ବର୍ଗମାନଙ୍କର ବିକାଶ ସାଧନ ମହାକାଶ ଗବେଷଣାର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ବୋଲି ସରାଭାଇ ସର୍ବଦା ବିଶ୍ବାସ କରୁଥିଲେ। ଆଜି ଭାରତ ଯେତେବେଳେ ମାନବବାହୀ ‘ଗଗନଯାନ’, ‘ଆଦିତ୍ୟ ଏଲ୍-୧’ ସୌର ପର୍ଯ୍ୟବେକ୍ଷଣ କେନ୍ଦ୍ର ଏବଂ ଶୁକ୍ର ଗ୍ରହକୁ ଅନ୍ବେଷଣ ଯାନ ପ୍ରେରଣ ଆଦି ଭଳି ମହତାକାଙ୍କ୍ଷୀ ଯୋଜନାମାନଙ୍କରେ ବିପୁଳ ସମ୍ବଳ ବିନିଯୋଗ କରିବାକୁ ଆଗେଇ ଆସିଛି, ସେତେବେଳେ ତାକୁ ଆମର ମହାକାଶ ଗବେଷଣାର ସେଇ ମୌଳିକ ସରାଭାଇ ସୂତ୍ର ଉପରେ ସର୍ବଦା ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ହେବ।
ଭାରତ ବର୍ତ୍ତମାନ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମଗ୍ରିକ ପ୍ରଗତି ହାସଲ କରିବା ପାଇଁ ଯେଉଁ ଉଦ୍ୟମ ଚଳାଇଛି, ମହାକାଶ ଗବେଷଣାଲବ୍ଧ ପ୍ରବିଧିର ପ୍ରୟୋଗ ନିମିତ୍ତ ସେଥିରେ ବ୍ୟାପକ ସୁଯୋଗ ରହିଛି। ଉଦାହରଣ ସ୍ବରୂପ, କୃଷି ଓ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଏଭଳି କେତେକ ସମ୍ଭାବନା ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ: ସାଟେଲାଇଟ୍ ଚିତ୍ର ବ୍ୟବହାର କରି ମୃତ୍ତିକାର ଆର୍ଦ୍ରତା ଅନୁଶୀଳନ କରାଯାଇପାରେ, ଅନାବୃଷ୍ଟି ବା ଅତିବୃଷ୍ଟି ସମ୍ବନ୍ଧରେ ସଠିକ୍ ପୂର୍ବାନୁମାନ କରାଯାଇପାରେ, ଯାହାଦ୍ବାରା ଠିକଣା ସମୟରେ ଚାଷ କରିବା ସମ୍ଭବ ହେବ ଏବଂ କୃଷିକୁ ଯଥାସମ୍ଭବ ବିପଦମୁକ୍ତ କରାଯାଇ ପାରିବ। ସେହିପରି ଏହା ଦ୍ବାରା ଠିକଣା ସମୟରେ ବାତ୍ୟା, ଭୂମିକମ୍ପ, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଘଟିବା ସମ୍ବନ୍ଧରେ ପୂର୍ବାନୁମାନ ପ୍ରକାଶ ଦ୍ବାରା ଧନଜୀବନ କ୍ଷୟକ୍ଷତିକୁ ଉଲ୍ଲେଖନୀୟ ଭାବରେ ସୀମିତ କରି ଦିଆଯାଇ ପାରିବ, ଯାହା ଦୁର୍ବଳ ବର୍ଗମାନଙ୍କ ପାଇଁ ବିଶେଷ ଭାବରେ ସହାୟକ ହେବ।
ଯୋଗାଯୋଗ ସାଟେଲାଇଟ୍ ମାଧ୍ୟମରେ ଦେଶର ଅପହଞ୍ଚ ଅଞ୍ଚଳରେ ଶିକ୍ଷାଦାନ କରାଯାଇ ପାରିବ ଏବଂ ସାଧାରଣ ରୋଗବ୍ୟାଧିର ଚିକିତ୍ସା ନିମିତ୍ତ ଟେଲିମେଡିସିନ୍ ସେବା ଯୋଗାଇ ଦିଆଯାଇ ପାରିବ। ଜଙ୍ଗଲ କ୍ଷୟ, ବରଫ ଚଟାଣ ତରଳୀକରଣ, ବାୟୁର ଗୁଣାତ୍ମକ ମାନ ଆଦି ସମ୍ବନ୍ଧରେ ତାତ୍କାଳିକ ତଥା ନିର୍ଭୁଲ୍ ତଥ୍ୟ ସଂଗ୍ରହ ଦ୍ବାରା ମହାକାଶରେ ସ୍ଥାନିତ ସାଟେଲାଇଟ୍ମାନ ଉପଯୁକ୍ତ ନୀତିନିର୍ଦ୍ଧାରଣ ଦ୍ବାରା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାରେ ସଂପୃକ୍ତ କର୍ତ୍ତୃପକ୍ଷ ଓ ବିଶେଷଜ୍ଞମାନଙ୍କୁ ଉଲ୍ଲେଖନୀୟ ଭାବରେ ସାହାଯ୍ୟ କରିବେ।
ମହାକାଶ ପ୍ରବିଧିର ଏଭଳି ପ୍ରୟୋଗମାନ ସମ୍ବାଦପତ୍ରର ଶିରୋନାମା ମଣ୍ଡନ କରିବ ନାହିଁ କିମ୍ବା ଟେଲିଭିଜନ୍ ପର୍ଦ୍ଦାରେ ଉଚ୍ଚାଟିତ ଆଲୋଚନା ସୃଷ୍ଟି କରିବ ନାହିଁ, ଯେମିତି ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାଏ, କିନ୍ତୁ ଏହା ଅଗଣିତ ସାଧାରଣ ଭାରତୀୟ ନାଗରିକମାନଙ୍କର ଜୀବନକୁ ଯେଉଁଭଳି ଅର୍ଥପୂର୍ଣ୍ଣ ଭାବରେ ସ୍ପର୍ଶ କରିଥାଏ, କୌଣସି ଚନ୍ଦ୍ରଯାନର ଅବତରଣ ତାହା କରି ନ ଥାଏ।
ଏଥିରେ ସନ୍ଦେହ ନାହିଁ ଯେ ‘ଚନ୍ଦ୍ରଯାନ’ କିମ୍ବା ‘ଗଗନଯାନ’ ପରି ଚମକପ୍ରଦ ଅଭିଯାନମାନ ଭାରତୀୟ ବୈଜ୍ଞାନିକମାନଙ୍କୁ ମହାକାଶ ଗବେଷଣାରେ ନିମଜ୍ଜିତ ହୋଇ ସେଥିରେ ଉତ୍ତରୋତ୍ତର ଉନ୍ନତି ହାସଲ କରିବାକୁ ଉତ୍ସାହିତ କରିଥାଏ, ଯାହାର ସୁଫଳ ଉପରୋକ୍ତ ପ୍ରାବିଧିକ ପ୍ରୟୋଗ ଦ୍ବାରା ଦେଶବାସୀଙ୍କ ପାଇଁ ଉପଲବ୍ଧ ହୁଏ। ଏଣୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମହାକାଶ ଗବେଷଣାର ଏ ଉଭୟ ଦିଗ ମଧ୍ୟରେ ସନ୍ତୁଳନ ରକ୍ଷା କରିବା- ଗର୍ବବୋଧ ସହିତ ଜନମଙ୍ଗଳର ସନ୍ତୁଳନ। ‘ଜାତୀୟ ମହାକାଶ ଦିବସ’ ପାଳନ ଅବସରରେ ସାଂସଦ ଅନୁରାଗ ଠାକୁର କେତେକ ସ୍କୁଲ ପିଲାଙ୍କୁ କହିଥିବା ଦେଖାଯାଇଥିଲା ଯେ ହନୁମାନ ଥିଲେ ପୃଥିବୀର ସର୍ବପ୍ରଥମ ମହାକାଶଚାରୀ। ଏଠାରେ ମନେ ରଖିବା କଥା ଯେ ହନୁମାନ କେବଳ ଚମକ ସୃଷ୍ଟି ପାଇଁ ମହାକାଶ ଯାତ୍ରା କରୁ ନ ଥିଲେ; ସେ ବିଶଲ୍ୟକରଣୀ ସହିତ ଗନ୍ଧମାର୍ଦ୍ଦନକୁ ଧରି ମହାଶୂନ୍ୟରେ ଯାତ୍ରା କରି ଶକ୍ତିବିଦ୍ଧ ଲକ୍ଷ୍ମଣଙ୍କ ପାଖରେ ପହଞ୍ଚାଇ ଦେଇ ତାଙ୍କର ଜୀବନ ରକ୍ଷା କରିଥିଲେ- ବୋଧହୁଏ ପୃଥିବୀର ସର୍ବପ୍ରଥମ ମହାକାଶଭିତ୍ତିକ ଟେଲି ମେଡିସିନ୍ ପ୍ରୟୋଗର ଉଦାହରଣ!