‘ମନରେଗା’ର ମଜୁରି ହାର ଗ୍ରାମାଞ୍ଚଳରେ ମଜୁରି ହାରରେ ବୃଦ୍ଧି ଘଟାଇବାରେ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଛି; କାରଣ ‘ମନରେଗା’ ମଜୁରି ଏକ ସର୍ବନିମ୍ନ ଗ୍ୟାରେଣ୍ଟି ଭଳି ହୋଇଥିବାରୁ, ବଜାରରେ ମଜୁରି ହାର ତା’ ତଳକୁ ଖସିବା ସମ୍ଭବ ନୁହେଁ। ୨୦୨୩ରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ୨୦ଟି ରାଜ୍ୟରେ ବଜାରରେ ବଳବତ୍ତର ଥିବା ମଜୁରି ହାର ‘ମନରେଗା’ ମଜୁରି ହାର ଠାରୁ ଉପରେ ଥିଲା।
ଚଳିତ ମାସରେ ଦେଶରେ ସର୍ବବୃହତ୍ ଗ୍ରାମ୍ୟ ନିଯୁକ୍ତି ଯୋଜନା ‘ମହାତ୍ମା ଗାନ୍ଧୀ ନେସନାଲ ରୁରାଲ୍ ଏମ୍ପ୍ଲଏମେଣ୍ଟ ଗ୍ୟାରେଣ୍ଟି ଆକ୍ଟ’ (‘ମନରେଗା’) କାର୍ଯ୍ୟକାରୀ ହେବାର ଦୁଇ ଦଶନ୍ଧି ପୂର୍ଣ୍ଣ ହୋଇଛି। ଗ୍ରାମାଞ୍ଚଳରେ ନିମ୍ନ ଆୟ ବର୍ଗର ନିଯୁକ୍ତି ଆଶାୟୀମାନଙ୍କ ପାଇଁ େମୗଳିକ ଶ୍ରମ ନିଯୁକ୍ତି ଓ ଆୟ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ୨୦ ବର୍ଷ ତଳେ ଆରମ୍ଭ କରାଯାଇଥିବା ଏହି ଅର୍ଥନୈତିକ ନିରାପତ୍ତା ଯୋଜନା ବର୍ତ୍ତମାନ ହଠାତ୍ ସଂପୂର୍ଣ୍ଣ ଏକ ଭିନ୍ନ କାରଣରୁ ଭାରତୀୟ ଅର୍ଥନୀତିର ଏକ ରକ୍ଷାକବଚର ରୂପ ପରିଗ୍ରହଣ କରିଛି।
ଆମେରିକା ବଜାରରେ ଭାରତୀୟ ରପ୍ତାନିକାରୀମାନଙ୍କର ପ୍ରବେଶ ପଥରେ ସେ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୁଉଚ୍ଚ ଟାରିଫ୍ ପ୍ରାଚୀର ଛିଡ଼ା କରିଦେବା ପରେ ଆମର ଆଭ୍ୟନ୍ତରୀଣ ବଜାର ଆମ ପାଇଁ ଏକ ନିରାପତ୍ତା ଢାଲ ରୂପେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ଅର୍ଥାତ୍ ଆମ ଦେଶର ଉତ୍ପାଦନକାରୀମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରୟ ପାଇଁ ଯେଉଁ ବାହ୍ୟ ଚାହିଦା ଉପରେ ନିର୍ଭର କରୁଥିଲେ, ଏଣିକି ଆଭ୍ୟନ୍ତରୀଣ ଚାହିଦା ତାହାର ସ୍ଥାନ ନେବ।
ଭାରତ ହେଉଛି ପୃଥିବୀର ସର୍ବାଧିକ ଜନବହୁଳ ଦେଶ। ଏଣୁ ସ୍ବାଭାବିକ ଭାବରେ ଏହାର ୧୪୦ କୋଟି ସଂଖ୍ୟକ ଲୋକଙ୍କର ଚାହିଦା ଦ୍ବାରା ପରିପୁଷ୍ଟ ବଜାରର ଆକାର ମଧ୍ୟ ବିଶାଳ ହେବା କଥା। କିନ୍ତୁ ବଜାରରେ ଚାହିଦାର ଆକାର କେବଳ ଗ୍ରାହକ ସଂଖ୍ୟା ଉପରେ ନିର୍ଭର କରି ନ ଥାଏ; ଅସଲରେ ସେମାନଙ୍କର କ୍ରୟ ଶକ୍ତି ହିଁ ଚାହିଦାର ଆକାର ନିରୂପଣ କରିଥାଏ। କ୍ରୟ ଶକ୍ତି ନିର୍ଭର କରିଥାଏ ଆୟ ଉପରେ ଓ ଆୟ ନିର୍ଭର କରିଥାଏ ନିଯୁକ୍ତି ଉପରେ। ‘ମନରେଗା’ ଭାରତର ଗ୍ରାମାଞ୍ଚଳରେ ଶ୍ରମ ନିଯୁକ୍ତି ଓ ଆୟ ଯୋଗାଇବା ଦ୍ବାରା ସୃଷ୍ଟି ହେଉଥିବା କ୍ରୟ ଶକ୍ତି ଏହି ଚାହିଦାରେ ରୂପାନ୍ତରିତ ହୋଇ ଭାରତର ଆଭ୍ୟନ୍ତରୀଣ ବଜାରକୁ ପରିପୁଷ୍ଟ କରିଥାଏ। ଉଦାହରଣ ସ୍ବରୂପ ୨୦୨୫ ବିତ୍ତ ବର୍ଷରେ ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ପ୍ରାୟ ୩.୮ କୋଟି ପରିବାରର ୧୨ କୋଟିରୁ ଅଧିକ ସଦସ୍ୟ ନିଯୁକ୍ତ ହୋଇ ମଜୁରି ଅର୍ଜନ କରିଥିଲେ। ସରକାର ୨୦୨୫-୨୬ ବିତ୍ତ ବର୍ଷ ପାଇଁ ‘ମନରେଗା’ ଲାଗି ୮୬,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବିଶାଳ ରାଶି ହିତାଧିକାରୀମାନଙ୍କର ଆୟରେ ପରିଣତ ହୋଇ ବଜାରରେ ଚାହିଦାକୁ ରୂପାନ୍ତରିତ ହୋଇଥାଏ।
ଅର୍ଥଶାସ୍ତ୍ରର ଏକ ମୌଳିକ ନିୟମ ସହିତ ପରିଚିତ ସମସ୍ତେ ଜାଣନ୍ତି ଯେ ଜଣେ ବ୍ୟକ୍ତିର ଆୟର କେତେ ଅଂଶ ଚାହିଦାକୁ ରୂପାନ୍ତରିତ ହେବ, ତାହା ତା’ର ‘ସୀମାନ୍ତ ଉପଭୋଗ ପ୍ରବୃତ୍ତି’ ଉପରେ ନିର୍ଭର କରିଥାଏ। ନିମ୍ନ ଆୟକାରୀମାନଙ୍କ ଠାରେ ଏହି ପ୍ରବୃତ୍ତି ଉଚ୍ଚା ହୋଇଥିବାବେଳେ ଉଚ୍ଚ ଆୟକାରୀମାନଙ୍କ ଠାରେ ଏହି ପ୍ରବୃତ୍ତି ନୀଚା ହୋଇଥାଏ। ସିଧାସଳଖ କହିଲେ ଉଚ୍ଚ ଆୟକାରୀମାନେ ସେମାନଙ୍କ ଆୟର ଏକ ବିଶେଷ ଅଂଶ ସଞ୍ଚୟ କରିବାକୁ ପ୍ରବୃତ୍ତ ହେଉଥିବାବେଳେ ନିମ୍ନ ଆୟକାରୀମାନେ ସେମାନଙ୍କର ସମଗ୍ର ଆୟ କିମ୍ବା ତାହାର ଏକ ବୃହତ୍ ଅଂଶ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଥାନ୍ତି। ଯେହେତୁ ‘ମନରେଗା’ର ସମସ୍ତ ହିତାଧିକାରୀମାନେ ହେଉଛନ୍ତି ନିମ୍ନ ଆୟକାରୀ ଶ୍ରମଜୀବୀ, ସେମାନଙ୍କର ପ୍ରାୟ ସମଗ୍ର ଆୟ ଖର୍ଚ୍ଚ ହୋଇ ବଜାରରେ ଚାହିଦା ରୂପେ ଆତ୍ମପ୍ରକାଶ କରିଥାଏ। ଉପରୋକ୍ତ ଟ୍ରମ୍ପସୃଷ୍ଟ ସଂକଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଉତ୍ପାଦିତ ଦ୍ରବ୍ୟ କ୍ରୟବିକ୍ରୟ କରିବା ନିମିତ୍ତ ଦେଶବାସୀଙ୍କୁ ଏବେ ଯେଉଁ ଆହ୍ବାନ ଦେଇଛନ୍ତି, ତାହା ଦ୍ବାରା ଅନୁପ୍ରାଣିତ ହୋଇ ଯଦି ସମସ୍ତ ମନରେଗା ହିତାଧିକାରୀମାନେ କେବଳ ସ୍ବଦେଶୀ ଦ୍ରବ୍ୟ କ୍ରୟ କରନ୍ତି, ତେବେ ଘରୋଇ ଉତ୍ପାଦନକାରୀମାନଙ୍କ ପାଇଁ ତାହା ଏକ ଗୁରୁତ୍ବପୂର୍ଣ୍ଣ ଚାହିଦା ଭିତ୍ତି ଯୋଗାଇବ।
ଦେଶରେ ପୂର୍ବରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ କର୍ମନିଯୁକ୍ତି ଯୋଜନାମାନଙ୍କ ଠାରୁ ଥିବା କେତେକ ଗୁରୁତ୍ବପୂର୍ଣ୍ଣ ପାର୍ଥକ୍ୟ ‘ମନରେଗା’କୁ ଏ ବାବଦରେ ଅଧିକ ନିର୍ଭରଯୋଗ୍ୟ କରିଥାଏ। ଉଦାହରଣ ସ୍ବରୂପ ଏହି କାର୍ଯ୍ୟକ୍ରମ ପାର୍ଲିଆମେଣ୍ଟରେ ଏକ ଆଇନ ରୂପେ ପ୍ରଣୀତ ହୋଇ କାର୍ଯ୍ୟକାରୀ ହୋଇଛି। ଏଣୁ କ୍ଷମତାସୀନ ସରକାର ବଦଳିଲେ ମଧ୍ୟ ଏହାକୁ ସହଜରେ ବନ୍ଦ କରି ଦିଆଯାଇପାରିବ ନାହିଁ। ଏହା ବାଦ୍ ଆତ୍ମ-ଚୟନ ମାଧ୍ୟମରେ ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେଉଥିବାରୁ ଏହା ତ୍ରୁଟିଶୂନ୍ୟ ହୋଇଥାଏ। ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ବାସ୍ତବ ଉପଯୋଗିତା ହେଲା ଏହା ଯେ ସିଧାସଳଖ ନିଯୁକ୍ତି ଓ ଆୟ ସୃଷ୍ଟିକୁ ଅତିକ୍ରମ କରି ଏଥିରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପରୋକ୍ଷ ଲାଭମାନ ଉପୁଜିଥାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଦରିଦ୍ରମାନଙ୍କୁ ଶ୍ରମ ନିଯୁକ୍ତି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିଲେ ହେଁ, ଏହା ଦ୍ବାରା ଗ୍ରାମୀଣ ଶ୍ରମ ବଜାରରେ ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନ ଘଟାଇବା ସମ୍ଭବ ହୋଇଛି। ଏହାର ଏକ ସ୍ବାଗତଯୋଗ୍ୟ ପ୍ରମାଣ ସ୍ବରୂପ ‘ମନରେଗା’ରେ ଅଂଶଗ୍ରହଣ କରୁଥିବା ଶ୍ରମଜୀବୀମାନଙ୍କ ମଧ୍ୟରୁ ଅର୍ଦ୍ଧେକରୁ ଅଧିକ ମହିଳା ହୋଇଥିବା ଦେଖାଯାଇଛି। ଏହା ତେଣୁ ମହିଳା ସଶକ୍ତୀକରଣରେ ସହାୟକ ହେଉଛି। ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଶ୍ରମଜୀବୀମାନଙ୍କର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଅନୁପାତ ଜନସଂଖ୍ୟାରେ ସେମାନଙ୍କର ଅନୁପାତ ଠାରୁ ଅଧିକ ହୋଇଥାଏ; ଏଣୁ ସେମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକ ଅର୍ଥନୈତିକ ନିରାପତ୍ତା ନିଶ୍ଚିତକାରୀ ବ୍ୟବସ୍ଥା ରୂପେ ଆବିର୍ଭୂତ ହୋଇଛି।
ଏହି କାର୍ଯ୍ୟକ୍ରମରେ ନିଯୁକ୍ତ ଶ୍ରମଜୀବୀମାନଙ୍କ ଦ୍ବାରା ସୃଷ୍ଟ ଗ୍ରାମ୍ୟ ଭିତ୍ତିଭୂମି ଗ୍ରାମାଞ୍ଚଳର ଅର୍ଥନୀତିର ଉତ୍ପାଦନଶୀଳତାରେ ଉନ୍ନତି ଘଟାଇବାରେ ସହାୟକ ହେଉଛି। କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଆରମ୍ଭ କରି ସଡ଼କ ନିର୍ମାଣ, ମୃତ୍ତିକା ସଂରକ୍ଷଣ ଆଦି ପର୍ଯ୍ୟନ୍ତ ସୃଷ୍ଟି ହେଉଥିବା ବିଭିନ୍ନ ଭିତ୍ତିଭୂମି କୃଷି ଉତ୍ପାଦନଶୀଳତାରେ ଉନ୍ନତି ତଥା କୃଷିଜାତ ପଦାର୍ଥମାନ ବଜାରରେ ପହଞ୍ଚିବାକୁ ସୁଗମ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ‘ମନରେଗା’ର ମଜୁରି ହାର ଗ୍ରାମାଞ୍ଚଳରେ ମଜୁରି ହାରରେ ବୃଦ୍ଧି ଘଟାଇବାରେ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଛି; କାରଣ ‘ମନରେଗା’ ମଜୁରି ଏକ ସର୍ବନିମ୍ନ ଗ୍ୟାରେଣ୍ଟି ଭଳି ହୋଇଥିବାରୁ, ବଜାରରେ ମଜୁରି ହାର ତା’ ତଳକୁ ଖସିବା ସମ୍ଭବ ନୁହେଁ। ୨୦୨୩ରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ୨୦ଟି ରାଜ୍ୟରେ ବଜାରରେ ବଳବତ୍ତର ଥିବା ମଜୁରି ହାର ‘ମନରେଗା’ ମଜୁରି ହାର ଠାରୁ ଉପରେ ଥିଲା।
୨୦୧୪ରେ କେନ୍ଦ୍ରରେ କ୍ଷମତା ପରିବର୍ତ୍ତନ ଘଟିବା ପରେ ଏହି କାର୍ଯ୍ୟକ୍ରମ ବିଭିନ୍ନ ପ୍ରଶାସନିକ ପ୍ରତିବନ୍ଧକମାନଙ୍କର ସମ୍ମୁଖୀନ ହେବା ଦେଖାଯାଇଛି, ଯାହା ଫଳରେ ଏ ବାବଦରେ ବାସ୍ତବ ଖର୍ଚ୍ଚର ବୃଦ୍ଧିରେ ଏକରକମ ସ୍ଥାଣୁତା ପରିଲକ୍ଷିତ ହୋଇଛି। ଏହାର ଏକ ଚରମ ଉଦାହରଣ ସ୍ବରୂପ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କ ସହିତ ପ୍ରଶାସନିକ ଟଣାଭିଡ଼ାରେ ପ୍ରବୃତ୍ତ ରହିବା ଯୋଗୁଁ ସେ ରାଜ୍ୟରେ ଦୁଇ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ଏହା ସତ୍ତ୍ବେ ଦେଶର ଗ୍ରାମୀଣ ପରିବାରମାନଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ ‘ମନରେଗା’ ପ୍ରଦାନ କରୁଥିବା ଶ୍ରମ ନିଯୁକ୍ତିରେ ଅଂଶଗ୍ରହଣ କରୁଥିବା ଦେଖାଯାଉଛି।
ବର୍ତ୍ତମାନର ବାଣିଜ୍ୟ ସଂକଟ ସମୟରେ ‘ମନରେଗା’ ଯେପରି ଅର୍ଥନୀତି ପାଇଁ ଏକ ନିରାପତ୍ତା ଜାଲ ବା ‘ସେଫ୍ଟି ନେଟ୍’ ରୂପେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି, ନିକଟରେ ଦେଶ ସମ୍ମୁଖୀନ ହୋଇଥିବା ଅନ୍ୟ ଏକ ସଂକଟ ସମୟରେ ଏହି କାର୍ଯ୍ୟକ୍ରମ ମଧ୍ୟ ଅନୁରୂପ ସହାୟତା ଯୋଗାଇଥିଲା। ସେଇ ସଂକଟ ଥିଲା କୋଭିଡ୍ ମହାମାରି। ଏହା ଯୋଗୁଁ ଯେତେବେଳେ ନିଯୁକ୍ତିଦାତାମାନେ ବଜାରରୁ ସଂପୂର୍ଣ୍ଣ ରୂପେ ଅପସରି ଯାଇଥିଲେ, ସେତେବେଳେ ଅସଂଖ୍ୟ ନୂତନ ନିଯୁକ୍ତି ପ୍ରାର୍ଥୀ ‘ମନରେଗା’ର ଦ୍ବାରସ୍ଥ ହୋଇଥିଲେ ଏବଂ ସେଠାରେ ଆଶ୍ରୟ ପାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ‘ମନରେଗା’ର ଏହି ସଂକଟ ମୋଚନ କ୍ଷମତା ହୃଦୟଙ୍ଗମ କରି ଏହାର ଶକ୍ତି ବୃଦ୍ଧି କରିବା ଉଚିତ। ଏହା ଆମକୁ ଆତ୍ମନିର୍ଭର ହେବାରେ ସହାୟକ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)