ଏହି ଯୁଦ୍ଧ ବେଳେ ସାମାଜିକ ଗଣମାଧ୍ୟମ ଏବଂ କେତେକ ମୁଖ୍ୟସ୍ରୋ‌ତୀୟ ଗଣମାଧ୍ୟମ ତୀବ୍ର ଉଚ୍ଚାଟ ସୃଷ୍ଟି କଲାବେଳେ, ତଥ୍ୟ ବା ସତ୍ୟକୁ ଜଳାଞ୍ଜଳି ଦେଇ ବିଭ୍ରାନ୍ତି ସୃଷ୍ଟିରେ ପ୍ରମତ୍ତ ଥିବାବେଳେ ସୌମ୍ୟାଙ୍କ ଭଳି ଜଣେ ସାମ୍ବାଦିକ ଉତ୍ତଳ ସାଗର ତଟରେ ବତିଘର ଭଳି ଦିଶନ୍ତି। ଏହା ମଧ୍ୟ ଅତ୍ୟନ୍ତ ସ‌ାନ୍ତ୍ବନା ପ୍ରଦାୟକ!

Advertisment

ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ପ୍ରସିଦ୍ଧ ଗ୍ରୀକ ନାଟ୍ୟକାର ଏସକେଲସଙ୍କ ଦ୍ବାରା ପ୍ରଦତ୍ତ ଯେଉଁ ଏକ ଉକ୍ତିର ଯଥାର୍ଥତା ସଂପ୍ରତି ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘାତ ପରିପ୍ରେକ୍ଷୀରେ ହୃଦ୍‌ବୋଧ କରି ହୋଇଥାଏ, ତାହା ହେଲା, ଯୁଦ୍ଧ କାଳରେ ସର୍ବ ପ୍ରଥମ ଅପମୃତ୍ୟୁ ଲଭିଥାଏ ‘ସତ୍ୟ’। କାରଣ, ବର୍ତ୍ତମାନ ମିଥ୍ୟା ଖବରର ପ୍ଳାବନ ମଧ୍ୟରେ ସତ୍ୟ ସତ୍ତାହୀନ ହୋଇ ପଡ଼ିଛି ଏବଂ ତା’ ସହିତ ବିଶ୍ବାସଘାତକତା ଓ ହୀନ ଅଭିସନ୍ଧି ଇତ୍ୟାଦି ମଧ୍ୟ ସମଗ୍ର ବାତାବରଣକୁ ସାନ୍ଦ୍ର କରି ପକାଇଛି; ଯେମିତି ଗଲା ଶନିବାର ସନ୍ଧ୍ୟା ବେଳକୁ ଏକ ଯୁଦ୍ଧ ବିରତିର ଘୋଷଣା ଉଭୟ ରାଷ୍ଟ୍ର ପକ୍ଷରୁ କରାଯିବା ପରେ ପାକିସ୍ତାନ ପକ୍ଷରୁ ଅତର୍କିତ ଭାବେ ଡ୍ରୋନ ଆକ୍ରମଣ କରାଗଲା ଏବଂ ପାକିସ୍ତାନର ଏଭଳି ବିଶ୍ବାସଘାତକତା ପଛରେ ଚୀନର ସନ୍ଦିଗ୍‌ଧ ଭୂମିକା ଥିବା ନେଇ ଅ‌େନକ ପର୍ଯ୍ୟବେକ୍ଷକ ଦୃଢ଼ତାର ସହିତ କହିଥାଆନ୍ତି। ସୁତରାଂ, ଏହା ଲେଖା ହେଲା ବେଳକୁ ସ୍ଥିତି ପୁନର୍ବାର ଅନିଶ୍ଚିତତା ମଧ୍ୟକୁ ଫେରିଆସିଛି। ତେବେ, ଏଭଳି ଏକ ଘନଘଟାଭରା ସମୟରେ ଯାହା ସମସ୍ତ ଭାରତୀୟଙ୍କୁ ଏକ ଅପସୃତ ସତ୍ୟର ସନ୍ଧାନ ଦେଇ ସନ୍ତୁଷ୍ଟ କରିଛି, ତାହା ହେଉଛି ‘ଦ ପ୍ରିଣ୍ଟ’ରେ ପ୍ରକାଶିତ ହୋଇଥିବା ଏକ ସମ୍ବାଦ, ଯାହା ସାଂପ୍ରତିକ ପରିସ୍ଥିତିରେ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। 
କେବଳ ଭାରତ ନୁହେଁ, ପୃଥିବୀର ଅନେକତ୍ର ଆଲୋଡ଼ନ ସୃଷ୍ଟି କରିଥିବା ସଂଶିତ ସମ୍ବାଦଟି ସୌମ୍ୟା ପିଲ୍ଲୈଙ୍କ କଲମ ନିସୃତ, ଯିଏ ‘ଦି ପ୍ରିଣ୍ଟ’ରେ ସିନିଅର ଆସିଷ୍ଟାଣ୍ଟ ଏଡିଟର ଭାବେ କାର୍ଯ୍ୟରତ ଏବଂ ଯାହାଙ୍କ ବିଶେଷ ଜ୍ଞାନର କ୍ଷେତ୍ର ହେଉଛି ବିଜ୍ଞାନ ଓ ପ୍ରଯୁକ୍ତି। ତେବେ, ଜଣେ ପ୍ରକୃଷ୍ଟ ସାମ୍ବାଦିକର ‘ଡି.ଏନ.ଏ.’ରେ ଥିବା‌ ଅସରନ୍ତି ଅନୁସନ୍ଧିତ୍ସା, ତାଙ୍କୁ ଏଭଳି ରୋମାଞ୍ଚକର ଯାତ୍ରାରେ ଘେନି ଯାଇଥିଲା ଯେ ସେହି କ୍ରମରେ ସେ, ଏକ ବିଶ୍ବସନୀୟ ଢଙ୍ଗରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନୀ ସଂପୃକ୍ତିର ପଦ ଚିହ୍ନ ଆବିଷ୍କାର କରି ପାରିଛନ୍ତି। ତାଙ୍କର ଅନୁସନ୍ଧାନର ଯାତ୍ରା ଆରମ୍ଭ ହୋଇଥିଲା ‘ମାକସାର ଟେକନୋଲୋଜିଜ’ ନାମକ ଏକ ବୃହତ୍‌ ଅାମେରିକୀୟ କଂପାନିର ୱେବସାଇଟରୁ, ଯାହା ବୃତ୍ତିଗତ କାରଣରୁ ସୌମ୍ୟାଙ୍କ ନିୟମିତ ବିଚରଣ ସ୍ଥଳ ହୋଇଥାଏ। ଏଠାରେ କହି ରଖିବା ଉଚିତ ହେବ ଯେ ‘ମାକସାର’ର ବ୍ୟବସାୟଟି ହେଲା ତା’ ନିଜ ସାଟେଲାଇଟ୍‌ ବା ଉପଗ୍ରହ ଜରିଆରେ ଭୂପୃଷ୍ଠର ଫଟୋଚିତ୍ରମାନ ଉତ୍ତୋଳନ କରି ବିକ୍ରୟ କରିବା, ଯାହାର ଗ୍ରାହକ ତାଲିକାରେ ଅଛନ୍ତି ପୃଥିବୀର ଅଧିକାଂଶ ରାଷ୍ଟ୍ର। ଏଭଳି ଫଟୋଚିତ୍ରର ଉପଯୋଗିତା ପ୍ରତିରକ୍ଷା ବ୍ୟାପାର ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ ଅଥବା ପ୍ରାକୃତିକ ଦୁର୍ବିପାକର ମୁକାବିଲା ଇତ୍ୟାଦି ପର୍ଯ୍ୟନ୍ତ ବିବିଧ ଓ ବ୍ୟାପକ। ପ୍ରକାଶ ଥାଉ କି ଗ୍ରାହକଙ୍କ ଆବଶ୍ୟକତା ଅନୁଯା‌ୟୀ ‘ମାକସାର’ ପକ୍ଷରୁ ଅତି ଉଚ୍ଚ ‘ରିଜଲ୍ୟୁସନ’ଯୁକ୍ତ ଫଟୋଚିତ୍ରମାନ ଯୋଗାଇ ଦିଆଯାଇଥାଏ, ଯାହାର ମୂଲ୍ୟ ମଧ୍ୟ ଅକଳ୍ପନୀୟ ଭାବେ ଉଚ୍ଚା, ଯେମିତି କି ଗୋଟିଏ ମାତ୍ର ଫଟୋର ସର୍ବନିମ୍ନ ମୂଲ୍ୟ ହୋଇଥାଏ ତିନି ଲକ୍ଷ ଟଙ୍କା, ଯାହା ଯେତେ ଅଧିକ ଗୁଣବତ୍ତାସଂପନ୍ନ ବା ଉଚ୍ଚତର ରିଜଲ୍ୟୁସନଯୁକ୍ତ ହୁଏ, ତା’ର ମୂଲ୍ୟ ସେତେ ଅଧିକ ହୋଇଥାଏ। ବିଶେଷଜ୍ଞମାନେ କହନ୍ତି ଯେ ଉପଗ୍ରହରୁ ଏଭଳି ଉଚ୍ଚ ରିଜଲ୍ୟୁସନଯୁକ୍ତ ଫଟୋଚିତ୍ର ଉତ୍ତୋଳନ କରାଯାଇପାରେ, ଯହିଁରୁ ଭୂପୃଷ୍ଠରେ ଚାଲୁଥିବା ଜଣେ ବ୍ୟକ୍ତିଙ୍କୁ ଚିହ୍ନି ପାରିବା ମଧ୍ୟ ସମ୍ଭବ। ତେବେ, ଯଦିଓ ‘ମାକସାର’ ପକ୍ଷରୁ ତା’ର ୱେବସାଇଟରେ କେଉଁ ଫଟୋ କେତେ ସଂଖ୍ୟାରେ ଓ କେବେ ବିକ୍ରୟ କରାଯାଇଛି, ତାହାର ଉଲ୍ଲେଖ ଥାଏ, ଗ୍ରାହକମାନଙ୍କ ପରିଚୟକୁ କିନ୍ତୁ କଂପାନି ପକ୍ଷରୁ ଗୁପ୍ତ ରଖାଯାଇଥାଏ। ତେବେ, ‌େସ ଯାହା ହେଉ, ମାର୍ଚ୍ଚ ମାସର କୌଣସି ଗୋଟିଏ ଦିନ ଏହି ୱେବସାଇଟ ଉପରେ ଦୃଷ୍ଟି ପହଁରାଇ ଆଣିବା ବେଳକୁ ଯାହା ସୌମ୍ୟାଙ୍କୁ ଆକର୍ଷିତ କରିଥିଲା, ତାହା ହେଉଛି ଗଲା ଫେବ୍ରୁଆରି ମାସରେ ‘ମାକସାର’ ପକ୍ଷରୁ ବିକ୍ରୟ କରାଯାଇଥିବା ପହଲଗାମ ଆଧାରିତ ଉପଗ୍ରହ ଫ‌ଟୋଚିତ୍ର ସଂଖ୍ୟାରେ ତୀବ୍ର ବୃଦ୍ଧି। ସୁତରାଂ, ଏପ୍ରିଲ ୨୨ ତାରିଖରେ ସଂଘଟିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସ୍ବାଭାବିକ ଭାବେ ସୌମ୍ୟାଙ୍କ ସ୍ମୃତିରେ ପୁଣି ଉଜ୍ଜୀବିତ ହୋଇ ଉଠିଥିବ; କାରଣ ସେହି ଆଧାରରେ ହିଁ ଆରମ୍ଭ ହୋଇଛି ତାଙ୍କ ଅନୁସନ୍ଧାନର ଯାତ୍ରା।
ଏହି ଅନୁସନ୍ଧାନ କ୍ରମରେ ସେ ଦେଖିଛନ୍ତି ଯେ ଜୁନ୍‌,୨୦୨୪ରୁ ଜାନୁଆରି, ୨୦୨୫ ମଧ୍ୟରେ ‘ମାକସାର’ ପକ୍ଷରୁ ମାସିକ ହାରାହାରି ମାତ୍ର ୧.୫ଟି ପହଲଗାମ ସଂପର୍କିତ ଉପଗ୍ରହ ଫ‌‌େଟାଚିତ୍ର ବିକ୍ରି କରାଯାଇଥିବା ବେଳେ କେବଳ ଫେବ୍ରୁଆରି ମାସରେ ବିକ୍ରୟ ହୋଇଛି ୩୦ଟି ଫଟୋଚିତ୍ର; ପରବର୍ତ୍ତୀ ମାର୍ଚ୍ଚ ମାସରେ ଗୋଟିଏ ହେଲେ ପହଲଗାମ ଫଟୋ ଲାଗି ଅର୍ଡର ଆସି ନ ଥିବା ବେଳେ ଏପ୍ରିଲ ୨୫ରୁ ୨୯ ମଧ୍ୟବର୍ତ୍ତୀ ମାତ୍ର ଚାରି ଦିନରେ ବିକ୍ରି ହୋଇଛି ୨ଟି ପହଲଗାମ ଉପଗ୍ରହ ଫଟୋ। ଫଟୋଗୁଡ଼ିକର ଦର ଅତ୍ୟନ୍ତ ଉଚ୍ଚ ହୋଇଥିବାରୁ ସହସା ବିକ୍ରୟ ବୃଦ୍ଧି ଭ୍ରୂକୁଂଚନ ସୃଷ୍ଟି କରିବା ସ୍ବାଭାବିକ। ସୁତରାଂ, ସନ୍ଦେହ ହୋଇଥିଲା ଯେ ଆକ୍ରମଣ ଯୋ‌ଜନା ଏବଂ ଆକ୍ରମଣ ପରେ ଘାତକମାନଙ୍କ ପାକିସ୍ତାନକୁ ପଳାୟନ ସହିତ ପହଲଗାମ ଫଟୋଚିତ୍ର ବିକ୍ରିରେ ପରିଲକ୍ଷିତ ଆଧିକ୍ୟର କୌଣସି ସଂପର୍କ ନାହିଁ ତ? ନା ଏହା କେବଳ ନିରୀହ କାକତାଳୀୟ ସଂଯୋଗ? ଏଭଳି ସ୍ଥଳେ ଫଟୋଗୁଡ଼ିକର କ୍ରେତାଙ୍କ ନାମ ଜାଣିବାର ଉପାୟ ନ ଥାଏ, କାରଣ ‘ମାକସାର’ ପକ୍ଷରୁ ତାହା ଗୋପନ ରଖାଯାଇଥାଏ। ଏବେ ତାଙ୍କ ଅନୁସନ୍ଧାନର ପରିବର୍ଦ୍ଧିତ ପର୍ବରେ ସୌମ୍ୟା ଆବିଷ୍କାର କରନ୍ତି ଯେ ‘ବିଜନେସ ସିଷ୍ଟମ ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡ୍‌’ ବା ‘ବି.ଏସ.ଆଇ.’ ନାମକ ଏକ ବୈଷୟିକ ବ୍ୟାବସାୟିକ ସଂସ୍ଥା ‘ମାକସାର’ ସହିତ ଏକ ‘ଗ୍ରାହକ- ପାର୍ଟନର’ ଭାବେ ଯୋଡ଼ି ହେବା ପରେ ନିର୍ଦ୍ଦିଷ୍ଟ ଭାବେ ପହଲଗାମ ଫଟୋଚିତ୍ର ଲାଗି ଅଧିକ ଅର୍ଡର ଆସିଛି। ଏବଂ ‘ବି.ଏସ.ଆଇ.’ର ପ୍ରତିଷ୍ଠାତା ହେଉଛନ୍ତି ଓବାଇଦୁଲ୍ଲା ସୈଦ ନାମକ ଜଣେ ପାକିସ୍ତାନୀ ମୂଳୋଦ୍ଭବ, ଯିଏ ଆମେରିକୀୟ ସହର ଚିକାଗୋରୁ କାର୍ଯ୍ୟ କରନ୍ତି ଏବଂ ଏହି କଂପାନିର ମୁଖ୍ୟ ଦପ୍ତର କରାଚୀରେ ଅବସ୍ଥିତ। ସୌମ୍ୟାଙ୍କ ଅଧିକ ଗଭୀର ଅନୁସନ୍ଧାନ କ୍ରମେ ଆଉ ଏକ ସୂଚନା ପ୍ରକାଶ୍ୟ ହୁଏ, ଯାହା ହେଲା, ‘ବି.ଏସ.ଆଇ.’ର ପ୍ରତିଷ୍ଠାତା ସୈଦ ହେଉଛନ୍ତି ଜଣେ ଅପରାଧୀ, ଯିଏ ୨୦୨୨ ମସିହାରେ ‘ପାକିସ୍ତାନ ଆଣବିକ ପ୍ରତିଷ୍ଠାନ’କୁ ନିଷିଦ୍ଧ ଆମେରିକୀୟ ପ୍ରଯୁକ୍ତି ବିକ୍ରି କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇ ଗୋଟିଏ ବର୍ଷର ଜେଲ ଦଣ୍ଡ ଏବଂ ୨୪୭ ହଜାର ଡଲାର ଜରିମାନା ମଧ୍ୟ ଦେଇଥିଲେ। କହିବା ବାହୁଲ୍ୟ ଯେ ‘ମାକସାର’ ସହିତ ଜଣେ ସନ୍ଦିଗ୍‌ଧ ପାକିସ୍ତାନୀଙ୍କ ସଂପୃକ୍ତି ଓ ତା’ ପରେ ପହଲଗାମ ଫ‌ଟୋଚିତ୍ର ବିକ୍ରିରେ ତୀବ୍ର ବୃଦ୍ଧି ଏବଂ ପହଲଗାମ ନରସଂହାର ଭିତରେ ଏକ ସଂପର୍କର ସୂତ୍ର ଦିଶିଥାଏ; ଯାହା ନିରୀହ ସଂଯୋଗ ମାତ୍ର ହୋଇ ନ ପାରେ। ଏ ସଂଦର୍ଭରେ ସୌମ୍ୟାଙ୍କ ପକ୍ଷରୁ ‘ମାକସାର’କୁ ଇମେଲ ପ୍ରେରଣ ଏବଂ ତାଙ୍କ ରଚିତ ଆଲେଖ୍ୟର ପ୍ରକାଶନ ପରେ ‘ମାକସାର’ ତା’ର ‘ପାର୍ଟନର’ ତାଲିକାରୁ ‘ବିଏସଆଇ’କୁ ହଟାଇ ଦେଇଛି ଏବଂ ‘ବିଏସଆଇ’କୁ ସୌମ୍ୟାଙ୍କ ପ୍ରେରିତ ଇମେଲ କୌଣସି ଉତ୍ତର ଲାଭ କରିନାହିଁ। 
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ପାକିସ୍ତାନ ସୁନିର୍ଦ୍ଦିଷ୍ଟ ଭାବେ ପ୍ରମାଣ ଦାବି କରୁଥିବା ବେଳେ ସୌମ୍ୟାଙ୍କ ଅନୁସନ୍ଧାନ ଏ ଦିଗରେ, ସଂକୀର୍ଣ୍ଣ ହେଲେ ସୁଦ୍ଧା, ପଥଟିଏ ଉନ୍ମୁକ୍ତ କରିଛି, ଯେଉଁ ଦିଗରେ ଭାରତର ସୁରକ୍ଷା ଓ ଗୁଇନ୍ଦା ଅନୁଷ୍ଠାନଗୁଡ଼ିକ ଅଗ୍ରସର ହୁଅନ୍ତୁ। କେବଳ ସେତିକି ନୁହେଁ, ଉପଗ୍ରହ ଚିତ୍ର ମାଧ୍ୟମରେ ଯେମିତି ଅନ୍ତର୍ଘାତୀ କାର୍ଯ୍ୟମାନ ନ ହୁଏ, ସେଥି ଲାଗି ଏ ବ୍ୟାପାରରେ ଥିବା ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ ଅଣାଯିବା ନେଇ ଭାରତ ପକ୍ଷରୁ ଚାପ ସୃଷ୍ଟି କରାଯାଉ। ଏହି ଯୁଦ୍ଧ ବେଳେ ସାମାଜିକ ଗଣମାଧ୍ୟମ ଏବଂ କେତେକ ମୁଖ୍ୟସ୍ରୋ‌ତୀୟ ଗଣମାଧ୍ୟମ ତୀବ୍ର ଉଚ୍ଚାଟ ସୃଷ୍ଟି କଲାବେଳେ, ତଥ୍ୟ ବା ସତ୍ୟକୁ ଜଳାଞ୍ଜଳି ଦେଇ ବିଭ୍ରାନ୍ତି ସୃଷ୍ଟିରେ ପ୍ରମତ୍ତ ଥିବାବେଳେ ସୌମ୍ୟାଙ୍କ ଭଳି ଜଣେ ସାମ୍ବାଦିକ ଉତ୍ତଳ ସାଗର ତଟରେ ବତିଘର ଭଳି ଦିଶନ୍ତି। ଏହା ମଧ୍ୟ ଅତ୍ୟନ୍ତ ସ‌ାନ୍ତ୍ବନା ପ୍ରଦାୟକ!