ଭାରତକୁ ବର୍ତ୍ତମାନ ତା’ର ଭୂ-ରାଜନୈତିକ, ନିରାପତ୍ତା ଓ ଏନର୍ଜି ସଂପର୍କିତ ରଣକୌଶଳରେ ସୂକ୍ଷ୍ମ ପରିବର୍ତ୍ତନମାନ ଘଟାଇ ସେ ଅଞ୍ଚଳରେ କାର୍ଯ୍ୟ କରିବାକୁ ହେବ। ଆସାଦ୍ଙ୍କ ମିତ୍ର ରାଷ୍ଟ୍ର ରୂପେ ଜଣାଶୁଣା ଭାରତକୁ ସିରିଆର ନୂତନ ଜିହାଦୀ ସରକାର ସନ୍ଦେହ ଦୃଷ୍ଟିରେ ଦେଖିବା ସ୍ବାଭାବିକ। କିନ୍ତୁ ‘ଏଚ୍ଟିଏସ୍’ର ସମଧର୍ମା ଆଫଗାନିସ୍ତାନ୍ରେ କ୍ଷମତାସୀନ ଜିହାଦୀ ଗୋଷ୍ଠୀ ତାଲିବାନ୍ ସହିତ ଭାରତ ଯେଉଁଭଳି ସୁସଂପର୍କ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛି, ସିରିଆରେ ମଧ୍ୟ ତାହା ସମ୍ଭବ ହୋଇପାରେ। କୂଟନୀତିରେ କିଛି ବି ହେଲେ ଅସମ୍ଭବ ନୁହେଁ।
ସିରିଆରେ ବାସର୍ ଆଲ୍-ଆସାଦ୍ ଶାସନର ପତନ କେବଳ ମଧ୍ୟପ୍ରାଚ୍ୟର ସେଇ ବିକ୍ଷୁବ୍ଧ ଅଞ୍ଚଳରେ ଘଟିଥିବା ଏକ ସଦ୍ୟତମ ରାଜନୈତିକ ବିସ୍ଫୋରଣ ନୁହେଁ, ଏହା ସହିତ ସେ ଦେଶରେ ଦୀର୍ଘ ଅର୍ଦ୍ଧଶତାବ୍ଦୀର ଆସାଦ୍ ବଂଶର ପାରିବାରିକ ଦଖଲର ମଧ୍ୟ ଅନ୍ତ ଘଟିଛି। ଏକ ବିଡ଼ମ୍ବନା ଭଳି ସୁନ୍ନୀ ଇସଲାମୀୟ ଆତଙ୍କବାଦୀ ସଂଗଠନ ‘ଆଲ୍-କାଏଦା’ର ଏକ ପୂର୍ବତନ ପ୍ରଶାଖା ରୂପେ କୁଖ୍ୟାତ ଜିହାଦୀ ସଂଗଠନ ‘ହୟାତ୍ ତାହ୍ରିର୍ ଆଲ୍-ସାମ୍’ (‘ଏଚ୍ଟିଏସ୍’)ର ବାସର୍ ଆସାଦ୍ଙ୍କ ଉପରେ ଏହି ବିଜୟ ଯାହା ଯୋଗୁଁ ସମ୍ଭବ ହୋଇଛି; ସେ ହେଉଛି ଇସ୍ରାଏଲ୍। ଆସାଦ୍ଙ୍କ ମୁଖ୍ୟ ପୃଷ୍ଠପୋଷକ ଦେଶ ଦ୍ବୟ ହେଉଛନ୍ତି ରୁଷିଆ ଓ ଇରାନ୍। ରୁଷିଆ କିନ୍ତୁ ନିଜେ ୟୁକ୍ରେନ୍ ସହିତ ଯୁଦ୍ଧରେ ବ୍ୟାପୃତ ଥିବାରୁ ଆସାଦ୍ଙ୍କୁ ଏବେ ଆବଶ୍ୟକ ସାମରିକ ସାହାଯ୍ୟ ଯୋଗାଇବାକୁ ସମର୍ଥ ହେଲାନାହିଁ। ସିଆ ଇରାନ୍ ତରଫରୁ ଇସଲାମୀୟ ଆତଙ୍କବାଦୀ ସଂଗଠନ ହେଜ୍ବୋଲ୍ଲା କିନ୍ତୁ ଆସାଦ୍ଙ୍କୁ ଏ ପର୍ଯ୍ୟନ୍ତ ଦୃଢ଼ ସହାୟତା ପ୍ରଦାନ କରି ଆସିଥିଲା। ନିକଟରେ ଇସ୍ରାଏଲ୍ କିନ୍ତୁ ଲେବାନନ୍ରେ ଆଡ୍ଡା ଜମାଇଥିବା ହେଜ୍ବୋଲ୍ଲା ଉପରେ ତୁହାକୁ ତୁହା ଆକ୍ରମଣ କରି ତା’ର ମେରୁଦଣ୍ଡ ଭାଙ୍ଗିଦେବା ପରେ ଆସାଦ୍ ସଂପୂର୍ଣ୍ଣ ଅସହାୟ ହୋଇପଡ଼ିବାର ସୁଯୋଗ ନେଇ ‘ଏଚ୍ଟିଏସ୍’ର ଯୋଦ୍ଧାମାନେ ଅନାୟାସରେ ଆସାଦ୍ଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି। ଗୋଟିଏ ମନ୍ଦ ଶକ୍ତି ସ୍ଥାନରେ ଅନ୍ୟ ଏକ ମନ୍ଦ ଶକ୍ତି ବର୍ତ୍ତମାନ ସିରିଆକୁ ଦଖଲ କରିଛି।
ସିରିଆରେ ଏହି କ୍ଷମତା ପରିବର୍ତ୍ତନ ଯେ ଭାରତ ପାଇଁ ଏକ ସ୍ପର୍ଶକାତର କୂଟନୈତିକ ପରିସ୍ଥିତି ସୃଷ୍ଟି କରିଛି, ଏଥିରେ କୌଣସି ସନ୍ଦେହ ନାହିଁ। ୨୦୧୧ ଠାରୁ ସେ ଦେଶରେ ଲାଗିରହିଥିବା ଗୃହଯୁଦ୍ଧ ସତ୍ତ୍ବେ ସିରିଆ ସହିତ ଭାରତର କୂଟନୈତିକ ସଂପର୍କ ଏ ପର୍ଯ୍ୟନ୍ତ ସ୍ଥିର ରହିଆସିଛି ବୋଲି କୁହାଯାଇପାରେ। ଆସାଦ୍ ସିରିଆର ନାଗରିକମାନଙ୍କ ଉପରେ ଅତ୍ୟାଚାର ଚଳାଇ ସେମାନଙ୍କର ମାନବାଧିକାର ଉଲ୍ଲଂଘନ କରିବାର ଗୁରୁତର ଅଭିଯୋଗ ହୋଇଆସୁଥିଲେ ହେଁ ସେ ଦେଶର ସାର୍ବଭୌମତ୍ବ, ଆଞ୍ଚଳିକ ଅଖଣ୍ଡତା ଓ ନିରପେକ୍ଷତାକୁ କାରଣ ରୂପେ ଦର୍ଶାଇ ଭାରତ ସିରିଆ ସହିତ ଦ୍ବିପାକ୍ଷିକ ସଂପର୍କ ଅତୁଟ ରଖିଆସିଛି। ଜାତିସଂଘର ନିରାପତ୍ତା ପରିଷଦର ସଂକଳ୍ପ ୨୨୫୪କୁ ଉଲ୍ଲେଖ କରି ସିରିଆର ସମସ୍ୟା ସମାଧାନ ନିମିତ୍ତ ଏକ ସିରିଆ-ନେତୃତ୍ବାଧୀନ ରାଜନୈତିକ ପ୍ରକ୍ରିୟାକୁ ଭାରତ ସର୍ବଦା ଗୁରୁତ୍ବ ପ୍ରଦାନ କରିଆସିଛି। ସିରିଆର ସାର୍ବଭୌମତ୍ବ, ସ୍ବାଧୀନତା ଓ ଅଖଣ୍ଡତାକୁ ଏହା ଦ୍ବାରା ଭାରତ ସେଇ ସଂକଳ୍ପ ଅନୁସାରେ ସମ୍ମାନ ପ୍ରଦର୍ଶନ କରିଛି ବୋଲି ଦର୍ଶାଇ ଆସିଛି।
ଭାରତ ଅବଶ୍ୟ ଏଭଳି ଏକ ଆଭିମୁଖ୍ୟ ଗ୍ରହଣ କରି କେବଳ ଏକ ନିରବଦ୍ରଷ୍ଟା ହୋଇ ରହିନାହିଁ। ଭାରତ ମଧ୍ୟ ସିରିଆକୁ ଉଲ୍ଲେଖନୀୟ ଅର୍ଥନୈତିକ ସହାୟତା ପ୍ରଦାନ କରିଆସିଛି। ଭାରତ ୨୦୨୧ରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କେନ୍ଦ୍ର ଓ ଇସ୍ପାତ କାରଖାନା ସ୍ଥାପନ ନିମିତ୍ତ ସିରିଆକୁ ୨୮୦ ନିୟୁତ ଡଲାର୍ ସହାୟତା ପ୍ରଦାନ କରିଥିଲା। ସେହିପରି ଡାମାସ୍କସ୍ରେ ଭାରତ ମଧ୍ୟ ‘ନେକ୍ସଟ୍ ଜେନେରେସନ୍ ସେଣ୍ଟର୍ ଫର୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି’ ନାମକ ଏକ ଆଇଟି କେନ୍ଦ୍ର ସ୍ଥାପନ କରିଥିଲା, ଏବଂ ୧,୫୦୦ ସିରିଆନ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିଥିଲା। ଭାରତ କେବଳ ବଦାନ୍ୟତା ପ୍ରଦର୍ଶନ କରି ଏଭଳି ପଦକ୍ଷେପମାନ ଗ୍ରହଣ କରିଥିଲା, ତାହା ନୁହେଁ; ପଶ୍ଚିମ ଏସିଆରେ ନିଜର ନିରାପତ୍ତା ଓ ଶକ୍ତି (ଏନର୍ଜି) ସଂପର୍କିତ ସ୍ବାର୍ଥରକ୍ଷା ମଧ୍ୟ ଥିଲା ଭାରତର ଅନ୍ୟତମ ଉଦ୍ଦେଶ୍ୟ।
ପ୍ରତିବଦଳରେ ବାସାର୍ ଆସାଦ୍ ମଧ୍ୟ ଭାରତ ପାଇଁ ଜଣେ ନିର୍ଭରଯୋଗ୍ୟ ସାଥୀ ରୂପେ ନିଜକୁ ପ୍ରମାଣିତ କରିଥିଲେ। ବିଶେଷ କରି କାଶ୍ମୀର ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ ଭାରତ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଉଦାହରଣ ସ୍ବରୂପ ଧାରା-୩୭୦ ଉଚ୍ଛେଦକୁ ନେଇ ସେ ଅନ୍ୟ ଇସଲାମୀୟ ଦେଶମାନଙ୍କ ମଧ୍ୟରେ ଏକ ବ୍ୟତିକ୍ରମ ସ୍ବରୂପ ଭାରତର ପଦକ୍ଷେପକୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ। ଇସଲାମୀୟ ଦେଶମାନଙ୍କର ସଂଗଠନ ‘ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କେଅପରେସନ୍’ (‘ଓଆଇସି’)ର ସମାଲୋଚନାକୁ ତଥା ଅନ୍ୟ ଇସ୍ଲାମୀୟ ଆରବ ଦେଶମାନଙ୍କର ତୀବ୍ର ବିରୋଧକୁ ଭ୍ରୂକ୍ଷେପ ନ କରି ଆସାଦ୍ ସେତେବେଳେ ଭାରତ ପଛରେ ଦୃଢ଼ ଭାବରେ ଛିଡ଼ା ହୋଇଥିଲେ। ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ମଧ୍ୟ ଆସାଦ୍ ଭାରତର ପକ୍ଷ ନେଇ ଚୀନ୍ ଓ ପାକିସ୍ତାନ ତରଫରୁ ହେଉଥିବା ବିରୋଧର ମୁକାବିଲା କରୁଥିଲେ। ଇସ୍ରାଏଲ୍ ସହିତ ଭାରତର ସଂପର୍କ ଘନିଷ୍ଠତର ହେବାକୁ ଲାଗିବା ପରେ ମଧ୍ୟ ଭାରତ ଆସାଦ୍ଙ୍କ ପ୍ରତି କୃତଜ୍ଞତାର ଚିହ୍ନ ସ୍ବରୂପ ‘ଗୋଲାନ୍ ହାଇଟ୍ସ’ ପ୍ରସଙ୍ଗରେ ଆସାଦ୍ଙ୍କ ପକ୍ଷ ନେଇ ଇସ୍ରାଏଲ୍ ଉପରେ ଚାପ ପକାଉଥିଲା।
ବର୍ତ୍ତମାନ ଆସାଦ୍ ବିତାଡ଼ିତ ହେବା ପରେ ତେଣୁ ଭାରତ ଏକ ସଂପୂର୍ଣ୍ଣ ନୂତନ ସମୀକରଣର ସମ୍ମୁଖୀନ ହୋଇଛି। ସେ ଅଞ୍ଚଳରେ ରୁଷିଆ ଓ ଇରାନ୍ର ପ୍ରଭାବ କ୍ଷୁଣ୍ଣ ହେବା ପରେ ସେଠାରେ ‘ଏଚ୍ଟିଏସ୍’ର ସମର୍ଥକ ତୁର୍କୀର ପ୍ରଭାବରେ ବର୍ତ୍ତମାନ ବୃଦ୍ଧି ଘଟିଛି। ଅନ୍ୟ ଆରବ ଦେଶମାନେ ସତର୍କତାର ସହିତ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଆମେରିକାର ନବନିର୍ବାଚିତ ଭାବୀ-ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିରିଆର ଭବିଷ୍ୟତ ସିରିଆବାସୀଙ୍କ ଉପରେ ନିର୍ଭର କରେ ବୋଲି କହିସାରିଲେଣି; ଅର୍ଥାତ୍ ଆମେରିକା ସେଠାରେ ସଂପୃକ୍ତ ହେବାକୁ ଯାଉନାହିଁ। ଆଗାମୀ ଦିନମାନଙ୍କରେ ଯେତେବେଳେ ସେଠାରେ ଧୀରେ ଧୀରେ ସ୍ଥିରତା ଦେଖା ଦେବ, ଭାରତକୁ ସେତେବେଳେ ଅତ୍ୟନ୍ତ ସନ୍ତର୍ପଣର ସହିତ ଅଗ୍ରସର ହେବାକୁ ପଡ଼ିବ।
ବର୍ତ୍ତମାନ ସେଠାରେ ପ୍ରଭାବହୀନ ହୋଇପଡ଼ିଥିବା ଉଭୟ ରୁଷିଆ ଓ ଇରାନ୍ ସହିତ ଭାରତ ଉତ୍ତମ ତଥା ସମୟ-ପରୀକ୍ଷିତ ସଂପର୍କ ଉପଭୋଗ କରିଆସିଛି। ଇସ୍ରାଏଲ୍ ମଧ୍ୟ ହେଉଛି ଭାରତର ଏକ ନିର୍ଭରଯୋଗ୍ୟ ମିତ୍ର ଦେଶ। କିନ୍ତୁ ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ସଂପର୍କ ଅହି-ନକୁଳ ଶ୍ରେଣୀର ହୋଇଥିବାରୁ ସିରିଆରେ ଉତ୍ପନ୍ନ ନୂତନ ପରିସ୍ଥିତି ଭାରତକୁ ଏକ ଅତ୍ୟନ୍ତ ଜଟିଳ କୂଟନୈତିକ ପରିସ୍ଥିତିର ସମ୍ମୁଖୀନ କରାଇଥାଏ। ଭାରତକୁ ବର୍ତ୍ତମାନ ତା’ର ଭୂ-ରାଜନୈତିକ, ନିରାପତ୍ତା ଓ ଏନର୍ଜି ସଂପର୍କିତ ରଣକୌଶଳରେ ସୂକ୍ଷ୍ମ ପରିବର୍ତ୍ତନମାନ ଘଟାଇ ସେ ଅଞ୍ଚଳରେ କାର୍ଯ୍ୟ କରିବାକୁ ହେବ। ଆସାଦ୍ଙ୍କ ମିତ୍ର ରାଷ୍ଟ୍ର ରୂପେ ଜଣାଶୁଣା ଭାରତକୁ ସିରିଆର ନୂତନ ଜିହାଦୀ ସରକାର ସନ୍ଦେହ ଦୃଷ୍ଟିରେ ଦେଖିବା ସ୍ବାଭାବିକ। କିନ୍ତୁ ‘ଏଚ୍ଟିଏସ୍’ର ସମଧର୍ମା ଆଫଗାନିସ୍ତାନ୍ରେ କ୍ଷମତାସୀନ ଜିହାଦୀ ଗୋଷ୍ଠୀ ତାଲିବାନ୍ ସହିତ ଭାରତ ଯେଉଁଭଳି ସୁସଂପର୍କ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛି, ସିରିଆରେ ମଧ୍ୟ ତାହା ସମ୍ଭବ ହୋଇପାରେ। କୂଟନୀତିରେ କିଛି ବି ହେଲେ ଅସମ୍ଭବ ନୁହେଁ।