ତାମିଲନାଡୁର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପି. ତିଆଗରାଜନ କହିଥାଆନ୍ତି ଯେ ଅନୌପଚାରିକ ଭାବେ ଜଣେ ଅନେକ ଭାଷା ଶିଖିବାକୁ ଆଗ୍ରହୀ ହୋଇପାରେ, କିନ୍ତୁ ଆନୁଷ୍ଠାନିକ ଭାବେ କୌଣସି ବାହାରର ଭାଷାକୁ ବଳପୂର୍ବକ ଲଦି ଦେଇ ଶିଖିବାକୁ ବାଧ୍ୟ କରାଯାଇ ନ ପାରେ। ତାମିଲନାଡୁ ସରକାରଙ୍କ କ୍ଷୋଭର କାରଣ ହେଲା ୧୯୬୮ ମସିହାରୁ ଜାତୀୟ ଶିକ୍ଷାନୀତିର ଅବମାନନା କରି ତାମିଲନାଡୁ ଦ୍ବିଭାଷୀ ସୂତ୍ର ପ୍ରଚଳନ କରି ଆସିଥିଲେ ହେଁ ପ୍ରଥମ ଥର ସକାଶେ ତାହା କେନ୍ଦ୍ର ସରକାରଙ୍କ ଅଯଥାର୍ଥ ଆକ୍ରୋଶର ସମ୍ମୁଖୀନ ହୋଇଛି। ଏହା ନିଃସନ୍ଦେହ ଯେ ଅସ୍ମିତା ଓ ପରିଚୟ ସ୍ଥାପନ ଦୃଷ୍ଟିରୁ ଭାଷା ହେଉଛି ଏକ ଅତ୍ୟନ୍ତ ସ୍ପର୍ଶକାତର ସଂଦର୍ଭ। ତେଣୁ ଏ ପରିପ୍ରେକ୍ଷୀରେ ଯେ କୌଣସି ପଦକ୍ଷେପରେ ଦୂରଦୃଷ୍ଟି ରହିବା ଏକାନ୍ତ ଆବଶ୍ୟକ।
ବର୍ତ୍ତମାନ ପୁଣି ଥରେ ‘ଭାଷା ବିବାଦ’ ସୃଷ୍ଟି ହୋଇ ତାହା କେନ୍ଦ୍ର ଏବଂ ତାମିଲନାଡୁ ସରକାରଙ୍କ ମଧ୍ୟରେ ଏକ ତୀବ୍ର କନ୍ଦଳକୁ ଜନ୍ମ ଦେଲାଣି। ଏହି ବିବାଦର ତାତ୍କାଳିକ କାରଣଟି ହେଲା ‘ଜାତୀୟ ଶିକ୍ଷା ନୀତି-୨୦୨୦’କୁ ସଂପୂର୍ଣ୍ଣ କାର୍ଯ୍ୟକାରୀ କରିବାରେ ଅମଙ୍ଗ ତାମିଲନାଡୁକୁ ୨,୧୫୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବାକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ, ଯାହା ‘ସମଗ୍ର ଶିକ୍ଷା ଯୋଜନା’ ଅନୁସାରେ ତାମିଲନାଡୁର ପ୍ରାପ୍ୟ। ତାମିଲନାଡୁ ସରକାର ଅଭିଯୋଗ କରନ୍ତି ଯେ କେନ୍ଦ୍ରରୁ ଆସୁଥିବା ଏହି ଅର୍ଥ ସ୍ରୋତକୁ ଶୁଷ୍କ କରିଦିଆଯିବା ଫଳରେ ପ୍ରାୟ ୧୪ ଲକ୍ଷ ଛାତ୍ରଛାତ୍ରୀ ଏବଂ ୩୨ ହଜାର ଶିକ୍ଷକଶିକ୍ଷୟିତ୍ରୀ ନକାରାତ୍ମକ ଭାବେ ପ୍ରଭାବିତ ହୋଇଛନ୍ତି, ଯେଉଁମାନଙ୍କ ଦୁର୍ଦଶା ମୋଚନ ସକାଶେ ତାମିଲନାଡୁର ରାଜକୋଷ ଚାପଗ୍ରସ୍ତ ହୋଇଛି। ତାମିଲନାଡୁ ସରକାର କହିଥାଆନ୍ତି ଯେ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଅନଧିକୃତ, କାରଣ ଏହି ରାଶି ଅର୍ଥ କମିସନଙ୍କ ଦ୍ବାରା ଅନୁମୋଦିତ ହୋଇସାରିଛି, ସୁତରାଂ, ଅଟକି ପାରିବ ନାହିଁ; ଏହା ଅଣ ସାଂବିଧାନିକ, କାରଣ ସଂବିଧାନ ଅନୁସାରେ ଆନୁଷ୍ଠାନିକ ଶିକ୍ଷା କ୍ଷେତ୍ରଟି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ ହୋଇ ସଂଯୁକ୍ତ ତାଲିକାରେ ସ୍ଥାନିତ, ଯହିଁରେ କୌଣସି ରାଜ୍ୟକୁ ଏକ ନିର୍ଦ୍ଦିଷ୍ଟ ପନ୍ଥା ସ୍ବୀକାର କରିବାକୁ ବାଧ୍ୟ କରାଯାଇ ନ ପାରେ; ଏହା ଅଯୌକ୍ତିକ, କାରଣ ଏହା ଦ୍ବାରା ଶିକ୍ଷା ଗ୍ରହଣ କରିବା ଭଳି ଏକ ମୌଳିକ ଅଧିକାର ବାଧାପ୍ରାପ୍ତ ହୋଇଛି; ଏବଂ ଏହା ଏକ ନିରୋଳା ‘ଦାଦାଗିରି’ କାରଣ ରାଜ୍ୟ ସରକାରଙ୍କ ହାତ ମୋଡ଼ି ଆଣ୍ଠେଇ ଦେବାର ଏହା ଏକ ଉଦ୍ୟମ। ପ୍ରକାଶ ଥାଉ କି ‘ଜାତୀୟ ଶିକ୍ଷା ନୀତି-୨୦୨୦’ ବା ‘ଏନ.ଇ.ପି.-୨୦୨୦’ରେ ରହିଥିବା ‘ତ୍ରିଭାଷୀ ସୂତ୍ର’କୁ ତାମିଲନାଡୁ ସରକାର ଆଦୌ ସ୍ବୀକାର କରନ୍ତି ନାହିଁ, କାରଣ ତାଙ୍କ ଆଶଙ୍କା ଯେ ଏହା ଦ୍ବାରା ହିନ୍ଦୀ ଭାଷାକୁ ତାମିଲଭାଷୀଙ୍କ ଉପରେ ଲଦି ଦିଆଯିବ; ଯାହା ତାମିଲ ଭାଷାକୁ ହୀନପ୍ରଭ କରିବା ସହିତ ଅସ୍ତିତ୍ବ ସଂକଟ ମଧ୍ୟକୁ ଠେଲି ଦେବ। କିନ୍ତୁ, କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥାଏ ଯେ ‘ଏନ.ଇ.ପି-୨୦୨୦’ରେ ଥିବା ‘ତ୍ରିଭାଷୀ ସୂତ୍ର’ରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ନେଇ ଲେଶ ମାତ୍ର ଇଙ୍ଗିତ ନାହିଁ ଏବଂ ସେହି ଦୃଷ୍ଟିରୁ ୧୯୬୮ ମସିହାରୁ ଜାତୀୟ ଶିକ୍ଷାନୀତିର ଏକ ଅଂଶ ଭାବେ ରହି ଆସିଥିବା ‘ତ୍ରିଭାଷୀ ସୂତ୍ର’ର ଏହା ଏକ କୋହଳ ଏବଂ ସୁସଂସ୍କୃତ ରୂପ। ସୁତରାଂ, ତାମିଲନାଡୁ ସରକାରଙ୍କ ବିରୋଧ ପୂର୍ବାଗ୍ରହଜନିତ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ନିର୍ବାଚନ ପରିପ୍ରେକ୍ଷୀରେ ଭାଷାଗତ ଉତ୍ତେଜନା ଓ ବିଭ୍ରାନ୍ତି ସୃଷ୍ଟିର ଉଦ୍ୟମ।
ପ୍ରକାଶ ଥାଉ କି ୧୯୬୪ ମସିହାରେ କୋଠାରି କମିସନଙ୍କ ସୁପାରିସ କ୍ରମେ ୧୯୬୮ ମସିହାର ଜାତୀୟ ଶିକ୍ଷା ନୀତିରେ ପ୍ରଥମ ଥର ଲାଗି ‘ତ୍ରିଭାଷୀ ସୂତ୍ର’ର ପ୍ରଚଳନ ଘଟିଥିଲା, ଯାହା ଏ ଯାବତ୍ ଅବ୍ୟାହତ ରହିଛି। ପ୍ରକାଶ ଥାଉ କି ଆଞ୍ଚଳିକ, ପ୍ରାନ୍ତୀୟ, ଉପ-ପ୍ରାନ୍ତୀୟ, ଗୋଷ୍ଠୀ କେନ୍ଦ୍ରିକ ଭାଷା ଓ ବୋଲିରେ ନିଘଞ୍ଚ ଭାରତ ଭଳି ଗୋଟିଏ ଦେଶରେ ଚାକିରି ଲାଭ ଓ ପାରସ୍ପରିକ ସଂଯୋଗ ସ୍ଥାପନକୁ ସହଜ କରିବା ଉଦ୍ଦେଶ୍ୟରେ ‘ତ୍ରିଭାଷୀ’ ସୂତ୍ର ଏକ ଉତ୍କୃଷ୍ଟ ପନ୍ଥା ବୋଲି ସେ ସମୟେର ଅନେକ ଭାଷାବିତ୍ ଏକମତ ହୋଇଥିଲେ। ସେହି ‘ତ୍ରିଭାଷୀ’ ସୂତ୍ରରେ ବିଦ୍ୟାଳୟସ୍ତରୀୟ ଶିକ୍ଷାରେ ତିନିଟି ଭାଷାକୁ ଗୁରୁତ୍ବ ଦିଆଯାଇଥିଲା; ଯଥା ମାତୃଭାଷା, ଇଂରେଜୀ ଓ ତୃତୀୟ ଭାଷା ରୂପେ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକରେ ହିନ୍ଦୀ ଏବଂ ହିନ୍ଦୀଭାଷୀ ରାଜ୍ୟଗୁଡ଼ିକ ସକାଶେ ଯେ କୌଣସି ଏକ ଦକ୍ଷିଣୀ ଭାଷା। କିନ୍ତୁ ଏହା ପରେ ଷଷ୍ଠ ଦଶକରେ ତାମିଲନାଡୁରେ ହିନ୍ଦୀ ବିିରୋଧୀ ରକ୍ତାକ୍ତ ଦଙ୍ଗା ସଂଘଟିତ ହୋଇଥିଲା, କାରଣ ଆଶଙ୍କା ସୃଷ୍ଟି ହୋଇଥିଲା ଯେ ହିନ୍ଦୀ ଭାଷାର ପ୍ରଭୁତ୍ବ ସ୍ଥାପନ ନେଇ ଏହା ହେଉଛି ଏକ ଚତୁର କୌଶଳ। ପ୍ରକାଶ ଥାଉ କି ସେହି ଦିନ ଠାରୁ ତାମିଲନାଡୁରେ ସରକାରୀ ସ୍କୁଲ (ରାଜ୍ୟ)ଗୁଡ଼ିକରେ ‘ତ୍ରିଭାଷୀ’ ପରିବର୍ତ୍ତେ ‘ଦ୍ବିଭାଷୀ ସୂତ୍ର’ର ପ୍ରଚଳନ ହୋଇଆସିଛି, ଯହିଁରେ ଶିକ୍ଷାର ମାଧ୍ୟମ ତାମିଲ ଓ ଇଂରେଜୀ।
ଅନ୍ୟାନ୍ୟ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକ ବାରମ୍ବାର ଅଭିଯୋଗ କରନ୍ତି ଯେ ସେଠାରେ ‘ତ୍ରିଭାଷୀ ସୂତ୍ର’ ଆଧାରରେ ହିନ୍ଦୀ ଶିକ୍ଷାର ପ୍ରଚଳନ ହୋଇଥିଲେ ହେଁ ଉତ୍ତର ଓ ମଧ୍ୟ ଭାରତର ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକରେ କୌଣସି ଏକ ଦାକ୍ଷିଣାତ୍ୟ ଭାଷାର ଶିକ୍ଷା ଦାନ ସଂପୂର୍ଣ୍ଣ ଅଦୃଶ୍ୟ, ଯଦିଓ ତାହା ‘ତ୍ରିଭାଷୀ ସୂତ୍ର’ ଅନୁସାରେ ଅନିବାର୍ଯ୍ୟ। ସୁତରାଂ, ସେମାନଙ୍କ ସନ୍ଦେହ ଘନୀଭୂତ ହେଇିଥାଏ ଯେ ‘ତ୍ରିଭାଷୀ ସୂତ୍ର’ର ମୂଳ ଅଭିସନ୍ଧି ହେଉଛି ହିନ୍ଦୀର ପ୍ରଭୁତ୍ବ ସ୍ଥାପନ। ‘ଏନ.ଇ.ପି.-୨୦୨୦’ରେ ଥିବା ତ୍ରିଭାଷୀ ସୂତ୍ରରେ ଯଦିଓ ହିନ୍ଦୀ ଭାଷା ଶିକ୍ଷା ନେଇ କୌଣସି ବାଧ୍ୟବାଧକତା ନାହିଁ, ତାମିଲନାଡୁ ସରକାରଙ୍କ ଆଶଙ୍କା ଯେ ପଛ ଦ୍ବାର ଦେଇ ହିନ୍ଦୀକୁ ପ୍ରବେଶ କରାଇବା ପୂର୍ବରୁ ଏହା ଏକ ମଧୁର ପ୍ରତାରଣା। ସେମାନଙ୍କ ଅଭିଯୋଗ ଯେ ସ୍ବାଧୀନତା ପର ଠାରୁ ଯୋଗସୂତ୍ର ରକ୍ଷାକାରୀ ଏକମାତ୍ର ଭାରତୀୟ ଭାଷା ରୂପେ ହିନ୍ଦୀକୁ ସର୍ବମାନ୍ୟତା ଓ ଦୃଶ୍ୟମାନତା ପ୍ରଦାନ କରିବାକୁ ଦିଲ୍ଲୀ ସର୍ବଦା ଚେଷ୍ଟିତ, ଯେଉଁ କାରଣରୁ ଜାତୀୟ ସ୍ତରରେ ହିନ୍ଦୀ ଦିବସର ପାଳନ କରାଯାଇଥାଏ। ଅପର ପକ୍ଷରେ ହିନ୍ଦୀକୁ ଏକ ସର୍ବଭାରତୀୟ ‘ସଂଯୋଗ’ ଭାଷା ରୂପେ ଦେଖିବାକୁ ଇଚ୍ଛୁକ ବର୍ଗଙ୍କ ମତରେ ପ୍ରାୟ ୪୬% ଭାରତୀୟ ଅର୍ଥାତ୍ ଜନସମୁଦାୟର ବୃହତ୍ତମ ଅଂଶ ହିନ୍ଦୀ ବ୍ୟବହାର କରୁଥିବାରୁ ଏହା ଏକ ସର୍ବଗ୍ରାହ୍ୟ ଯୋଗସୂତ୍ର ଭାଷା ହେବାକୁ ଯୋଗ୍ୟ। କିନ୍ତୁ, ଏକ ପରିସଂଖ୍ୟାନ କହିଥାଏ ଯେ ପ୍ରାୟ ୮୪% ଭାରତୀୟ ସେମାନଙ୍କ ଜୀବଦ୍ଦଶାରେ ନିଜ ଜିଲ୍ଲା ବାହାରକୁ ମଧ୍ୟ ଯାଇ ନ ଥାଆନ୍ତି, ଯେଉଁମାନଙ୍କ ଲାଗି ମାତୃଭାଷା ବ୍ୟତିରେକ ଅନ୍ୟ କୌଣସି ଭାଷା ବସ୍ତୁତଃ ଅନାବଶ୍ୟକ। ଆଉ ସେମାନଙ୍କ ମଧ୍ୟରୁ ଯେଉଁମାନେ ପେସା ସକାଶେ ବାହାରକୁ ଯାଆନ୍ତି, ସେମାନେ ଆନୁଷ୍ଠାନିକ ଭାବେ କୌଣସି ନିର୍ଦ୍ଦିଷ୍ଟ ଆଞ୍ଚଳିକ ଭାଷା ଶିଖି ନ ଥିଲେ ସୁଦ୍ଧା କୌଣସି ସ୍ଥାନରେ ବସବାସ କଲାବେଳେ ସ୍ଥାନୀୟ ଭାଷାର ଚଳନୀୟ ବ୍ୟବହାର କରିପାରନ୍ତି। ଏବଂ ଉଚ୍ଚ ଶିକ୍ଷିତମାନେ ଇଂରେଜୀ ଭାଷା ଜ୍ଞାନ ହେତୁ ଚାକିରି ପାଇବାରେ ବା କୌଣସି ସ୍ଥାନରେ ବାସ କରି ଚଳିବାରେ ବିଶେଷ ଅସୁବିଧା ଭୋଗି ନ ଥାଆନ୍ତି ଏବଂ ସେମାନେ ମଧ୍ୟ କାଳାନ୍ତରେ ଚଳନୀୟ ଭାବେ ସ୍ଥାନୀୟ ଭାଷା ଆହରଣ କରିଥାଆନ୍ତି। ତେଣୁ ତାମିଲନାଡୁ ସରକାରଙ୍କ କହିବାର ତାତ୍ପର୍ଯ୍ୟ ହେଲା ଆନୁଷ୍ଠାନିକ ଭାବେ ତୃତୀୟ ଭାଷା ଶିଖିବା ଜରୁରି ନୁହେଁ। ସେଠାରେ ‘ଦ୍ବିଭାଷୀ ସୂତ୍ର’ରେ ଶିକ୍ଷା ଦାନ କରାଯାଉଥିଲେ ହେଁ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମିଗତ ବିକାଶ, ଆର୍ଥିକ ସ୍ଥିତି ତଥା ଅନ୍ତର୍ଜାତୀୟ ସ୍ତରରେ ଚମକ ସୃଷ୍ଟି କରିଥିବା ମେଧା ଉତ୍ପାଦନରେ ତାମିଲନାଡୁ ଭାରତର ସର୍ବଶ୍ରେଷ୍ଠ ରାଜ୍ୟଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହି ସଂଦର୍ଭରେ ଏକ ସାକ୍ଷାତ୍କାରରେ ତାମିଲନାଡୁର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପି. ତିଆଗରାଜନ କହିଥାଆନ୍ତି ଯେ ଅନୌପଚାରିକ ଭାବେ ଜଣେ ଅନେକ ଭାଷା ଶିଖିବାକୁ ଆଗ୍ରହୀ ହୋଇପାରେ, କିନ୍ତୁ ଆନୁଷ୍ଠାନିକ ଭାବେ କୌଣସି ବାହାରର ଭାଷାକୁ ବଳପୂର୍ବକ ଲଦି ଦେଇ ଶିଖିବାକୁ ବାଧ୍ୟ କରାଯାଇ ନ ପାରେ। ତାମିଲନାଡୁ ସରକାରଙ୍କ କ୍ଷୋଭର କାରଣ ହେଲା ୧୯୬୮ ମସିହାରୁ ଜାତୀୟ ଶିକ୍ଷାନୀତିର ଅବମାନନା କରି ତାମିଲନାଡୁ ଦ୍ବିଭାଷୀ ସୂତ୍ର ପ୍ରଚଳନ କରି ଆସିଥିଲେ ହେଁ ପ୍ରଥମ ଥର ସକାଶେ ତାହା କେନ୍ଦ୍ର ସରକାରଙ୍କ ଅଯଥାର୍ଥ ଆକ୍ରୋଶର ସମ୍ମୁଖୀନ ହୋଇଛି। ଏହା ନିଃସନ୍ଦେହ ଯେ ଅସ୍ମିତା ଓ ପରିଚୟ ସ୍ଥାପନ ଦୃଷ୍ଟିରୁ ଭାଷା ହେଉଛି ଏକ ଅତ୍ୟନ୍ତ ସ୍ପର୍ଶକାତର ସଂଦର୍ଭ। ତେଣୁ ଏ ପରିପ୍ରେକ୍ଷୀରେ ଯେ କୌଣସି ପଦକ୍ଷେପରେ ଦୂରଦୃଷ୍ଟି ରହିବା ଏକାନ୍ତ ଆବଶ୍ୟକ।
ସଂପ୍ରତି କେନ୍ଦ୍ର ସରକାର ଏବଂ ତାମିଲନାଡୁ ସରକାରଙ୍କ ମଧ୍ୟରେ ଚାଲିଥିବା ଉଚ୍ଚବାଚ ପରିପ୍ରେକ୍ଷୀରେ ସେହି ଗୁରୁ ଓ ଶିଷ୍ୟଙ୍କ କଥା ମନେ ପଡ଼େ, ଯହିଁରେ ଶିଷ୍ୟ ଗୁରୁଙ୍କୁ ପଚାରିଥିଲା ଯେ ଦୁଇ କଳହରତ ଲୋକେ ସାମ୍ନାସାମ୍ନି ହୋଇ ପରସ୍ପରର ଏତେ ନିକଟରେ ଥିଲେ ସୁଦ୍ଧା ଏଭଳି ଉଚ୍ଚ ସ୍ବର ସୃଷ୍ଟି କରନ୍ତି କାହିଁକି? ଏଥିେର ଗୁରୁଙ୍କ ଉତ୍ତର ଥିଲା ଯେ ଉଚ୍ଚାଟିତ ଶବ୍ଦମାନ କର୍ଣ୍ଣ ଭେଦ କରୁଥିଲେ ହେଁ ହୃଦୟ ଭୋଦ କରୁ ନ ଥିବାରୁ ଏଭଳି ହୋଇଥାଏ। କହିବା ବାହୁଲ୍ୟ, ସନ୍ଦେହ, ଭୟ, ଅହମିକା, ଆଟୋପ ଓ ଅଭିସନ୍ଧି ଇତ୍ୟାଦି ହେତୁ ଏଭଳି ହୃଦୟ ଅଭେଦ୍ୟ ହୋଇଯାଏ। ଏ ସବୁ ନ ଥିଲେ ବିନା ବାକ୍ୟ ବ୍ୟୟରେ, ଶବ୍ଦ ବ୍ୟବହାର ନ କରି, ସୁଦ୍ଧା କୌଣସି ଆବେଦନକୁ ହୃଦୟଗ୍ରାହ୍ୟ କରାଯାଇପାରେ। କିନ୍ତୁ ବିଡ଼ମ୍ବନା ହେଲା ବର୍ତ୍ତମାନ ଚାଲିଥିବା ଭାଷା କଳହର ଶୀଘ୍ର ଅବସାନ ଲାଗି ଗୁରୁ କହିଥିବା ଭଳି ପରିବେଶଟିଏ ସୃଷ୍ଟି ହେବାର ଆଶା କ୍ଷୀଣ। ଏଥିରେ ଦ୍ବିଧା ନାହିଁ ଯେ ବହୁଭାଷୀ ଭାରତର ମାଧୁର୍ଯ୍ୟ ହେଲା ଭାଷାର ବିବିଧତାକୁ ଗୋଟିଏ ସୂତ୍ରରେ ଗୁନ୍ଥି ପାରିବାର ସାମର୍ଥ୍ୟ, ଯାହା ଦୂରଦ୍ରଷ୍ଟା ରାଜନୀତିଜ୍ଞମାନଙ୍କ ପକ୍ଷରେ ସମ୍ଭବ; କେବଳ ନିର୍ବାଚନ ପର୍ଯ୍ୟନ୍ତ ଦୃଷ୍ଟି ପ୍ରସାରଣ କରିପାରୁଥିବା ରାଜନେତାମାନଙ୍କ ପକ୍ଷରେ ନୁହେଁ! ତେଣୁ ଏବେ ଉଭୟ ପକ୍ଷ ବୋଧଗମ୍ୟ ଭାଷାରେ ଉଚ୍ଚାଟ କରୁଥିଲେ ହେଁ ତାହା ପରସ୍ପର ଲାଗି ଅବୋଧ୍ୟ ହୋଇ ରହିବା ସାର ହେବ।