ପୃଥିବୀର ସମୃଦ୍ଧତମ ଗଣତନ୍ତ୍ର ଆମେରିକାର ସିନେଟ୍‌ରେ ଆକାର ନିର୍ବିଶେଷରେ ପ୍ରତି ରାଜ୍ୟର ସ୍ଥାନ ସଂଖ୍ୟା ସମାନ ହୋଇଥିବାବେଳେ ପ୍ରତିନିଧି ସଭାରେ ସ୍ଥାନ ସଂଖ୍ୟା ବିଗତ ଏକ ଶତାବ୍ଦୀରୁ ଅଧିକ କାଳ ଧରି ଅପରିବର୍ତ୍ତିତ ରହିଛି, ଯଦିବା ଇତିମଧ୍ୟରେ ସେ ଦେଶର ଜନସଂଖ୍ୟାରେ ଚାରି ଗୁଣ ବୃଦ୍ଧି ଘଟିଛି। ଏହା ଆମ ପାଇଁ ଅନୁକରଣୀୟ।

Advertisment

ଭାରତର ବିଶାଳ ଜନସଂଖ୍ୟାରେ କର୍ମକ୍ଷମ ଉତ୍ପାଦନଶୀଳ ବୟସ ସୀମା ମଧ୍ୟରେ ଥିବା ଲୋକମାନଙ୍କର ଉଚ୍ଚ ଅନୁପାତ ଭାରତ ପାଇଁ ଏକ ଜନସଂଖ୍ୟାଗତ ଲାଭ ବା ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ରୂପେ ବିବେଚିତ ହୋଇଥାଏ। କାରଣ ଏକ ଜନସଂଖ୍ୟାର ଏହି କଟୀଭାଗ ହେଉଛି ସଂପୃକ୍ତ ଦେଶର ସଂପଦ ସୃଷ୍ଟିକାରୀ ମାନବ ସମ୍ବଳ; ଏହାର ତଳେ ଥିବା ଅପ୍ରାପ୍ତବୟସ୍କ ଅଂଶ ଓ ଉପରେ ଥିବା ବାର୍ଦ୍ଧକ୍ୟଗ୍ରସ୍ତ ଅଂଶର ସଂପଦ ସୃଷ୍ଟିରେ ଅବଦାନ ଶୂନ୍ୟ ହୋଇଥାଏ ଏବଂ ସେମାନଙ୍କର ଦାୟିତ୍ବ ଜନସଂଖ୍ୟାର ଏହି ଉତ୍ପାଦନଶୀଳ ସଦସ୍ୟମାନେ ହିଁ ବାସ୍ତବରେ ବହନ କରିଥାନ୍ତି। ଜନସଂଖ୍ୟାବିତ୍‌ମାନଙ୍କ ଅନୁସାରେ ଏକ ଜନସଂଖ୍ୟାରେ ପ୍ରଜନନ ହାର (‘ଫର୍ଟିଲିଟି ରେଟ୍’) ଓ ମୃତ୍ୟୁ ହାର (‘ମୋର୍ଟାଲିଟି ରେଟ୍’)ରେ ହ୍ରାସ ଘଟିବା ଦ୍ବାରା ସେ ଜନସଂଖ୍ୟାର ଗଠନରେ ଏପରି ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ସୃଷ୍ଟିକାରୀ ପରିବର୍ତ୍ତନ ଘଟିଥାଏ।
ସ୍ବାଧୀନତା ପରଠାରୁ ଭାରତ ଯେଉଁ ପରିବାର ନିୟୋଜନ ନୀତି ଅନୁସରଣ କରିଆସିଛି, ତା’ର ଅନ୍ୟତମ ଲକ୍ଷ୍ୟ ହେଉଛି ‘ଫର୍ଟିଲିଟି ରେଟ୍’ରେ ହ୍ରାସ ଘଟାଇ ଦେଶ ପାଇଁ ଏହି ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ସୃଷ୍ଟି କରିବା। ବର୍ତ୍ତମାନ ଏହା ସୁବିଦିତ ଯେ ଭାରତରେ ‘ଫର୍ଟିଲିଟି ରେଟ୍’ରେ ଯେଉଁ ହ୍ରାସ ଘଟି ଏହି ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ଉତ୍ପନ୍ନ ହେବାର ସମ୍ଭାବନା ସୃଷ୍ଟି ହୋଇଛି (ଏହା ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ଆଦିର ଉପଲବ୍‌ଧତା ଦ୍ବାରା ପ୍ରଭାବିତ ହୋଇଥାଏ), ତାହା ହେଉଛି ମୁଖ୍ୟତଃ ଦାକ୍ଷିଣାତ୍ୟର ରାଜ୍ୟମାନଙ୍କର ଅବଦାନ; କାରଣ ଏଇ ରାଜ୍ୟମାନେ ଆନ୍ତରିକତାର ସହିତ ରାଷ୍ଟ୍ରର ଆହ୍ବାନକୁ ଅନୁସରଣ କରି ‘ଫର୍ଟିଲିଟି ରେଟ୍’ରେ ତୀକ୍ଷ୍‌ଣ ହ୍ରାସ ଘଟାଇ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବାବେଳେ, ଉତ୍ତର ଭାରତର ଅଧିକାଂଶ ରାଜ୍ୟମାନଙ୍କରେ ‘ଫର୍ଟିଲିଟି ରେଟ୍’ ଉଚ୍ଚା ରହି ଜନସଂଖ୍ୟା ବୃଦ୍ଧି ଅବ୍ୟାହତ ରହିବା ଦେଖାଯାଇଛି।
ସ୍ବାଭାବିକ ଭାବରେ ତେଣୁ ଦାକ୍ଷିଣାତ୍ୟର ରାଜ୍ୟମାନେ ଦେଶର ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ସୃଷ୍ଟି କ୍ଷମତାକୁ ସେମାନଙ୍କର ଅବଦାନ ପାଇଁ ସନ୍ତୋଷ ଓ ଗର୍ବ ଅନୁଭବ କରିବା କଥା। କିନ୍ତୁ ଏକ ବିଡ଼ମ୍ବନା ସଦୃଶ ନିକଟରେ ସେଇ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମାନେ ଏକ ସମ୍ମିଳନୀରେ ମିଳିତ ହୋଇଥିବା ଅବସରରେ ଦେଖିବାକୁ ମିଳିଥିଲା ସେମାନେ ସେମାନଙ୍କର ଏହି ପ୍ରଶଂସନୀୟ ଉପଲବ୍‌ଧିକୁ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ରୂପେ ବିଚାର ନ କରି ‘ଡେମୋଗ୍ରାଫିକ୍ ପେନାଲ୍‌ଟି’ ରୂ‌ପେ ବିଚାର କରୁଛନ୍ତି, ଅର୍ଥାତ୍ ଜନସଂଖ୍ୟା ନିୟନ୍ତ୍ରଣରେ ସେମାନେ ହାସଲ କରିଥିବା ସଫଳତା ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବା ପରିବର୍ତ୍ତେ ସେମାନଙ୍କୁ ଦଣ୍ଡିତ କରାଯାଉଛି।
ଲୋକସଭା ନିର୍ବାଚନ ମଣ୍ଡଳୀମାନଙ୍କର ସୀମା ପୁନଃନିର୍ଦ୍ଧାରଣ (‘ଡିଲିମିଟେସନ୍’) ସଂପର୍କରେ ଆଲୋଚନା ନିମିତ୍ତ ସାତଟି ରାଜ୍ୟର ପ୍ରତିନିଧିମାନଙ୍କୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ମାର୍ଚ୍ଚ ୨୨ରେ ତାମିଲନାଡୁର ରାଜଧାନୀ ଚେନ୍ନାଇ ଠାରେ ଅନୁଷ୍ଠିତ ହେବା ଅବସରରେ ସଦସ୍ୟମାନେ ଏହି ମର୍ମରେ ସେମାନଙ୍କର କ୍ଷୋଭ ପ୍ରକାଶ କରିବା ଦେଖାଯାଇଥିଲା। କାରଣ ଜନସଂଖ୍ୟା ଆଧାରରେ ଏବେ ଯଦି ଲୋକସଭା କ୍ଷେତ୍ରମାନଙ୍କର ସୀମା ପୁନଃନିର୍ଦ୍ଧାରଣ କରାଯାଏ, ତେବେ ତୁଳନାତ୍ମକ ଭାବରେ ଉତ୍ତର ଭାରତର ରାଜ୍ୟମାନଙ୍କରୁ ଲୋକସଭାକୁ ନିର୍ବାଚିତ ହେଉଥିବା ସାଂସଦମାନଙ୍କ ସଂଖ୍ୟାରେ ଯେଉଁ ବୃଦ୍ଧି ଘଟିବ, ତାହା ଦାକ୍ଷିଣାତ୍ୟର ରାଜ୍ୟମାନଙ୍କ ଠାରୁ ବେଶ୍ ଅଧିକ ହେବ। ଅର୍ଥାତ୍ ଲୋକସଭାରେ ଦାକ୍ଷିଣାତ୍ୟ ରାଜ୍ୟମାନଙ୍କର ପ୍ରତିନିଧିତ୍ବ ଦୁର୍ବଳ ହେବ ଏବଂ ସେମାନଙ୍କର ପ୍ରଭାବ ହ୍ରାସ ପାଇବ।
ବର୍ତ୍ତମାନ ଏହି ପ୍ରସଙ୍ଗ ମୁଣ୍ଡ ଟେକିବାର କାରଣ ହେଲା ୨୦୨୬ ପରେ ସରକାର ଯେ କୌଣସି ସମୟରେ ଏହି ଡିଲିମିଟେସନ୍ କାର୍ଯ୍ୟ ଆରମ୍ଭ କରିଦେଇ ପାରନ୍ତି, ଯାହା ୧୯୭୧ ଠାରୁ ଅପରିବର୍ତ୍ତିତ ରହିଆସିଛି। ୨୦୦୨ରେ କରାଯାଇଥିବା ସଂବିଧାନର ୮୪ତମ ସଂଶୋଧନ ଅନୁସାରେ ୨୦୨୬ ପରେ ପ୍ରଥମ ଜନଗଣନା କରାଯିବା ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ମଣ୍ଡଳୀମାନଙ୍କର ସୀମା ଅପରିବର୍ତ୍ତିତ ରହିବ। ଏଣୁ ସେ ପର୍ଯ୍ୟନ୍ତ ୧୯୭୧ ଜନଗଣନା ଆଧାରରେ ନିର୍ଦ୍ଧାରିତ ହୋଇଥିବା ଲୋକସଭାର ମୋଟ ଆସନ ସଂଖ୍ୟା ୫୪୩ରେ ଅପରିବର୍ତ୍ତିତ ରହିବ। ଦେଶର ସର୍ବଶେଷ ଦଶବାର୍ଷିକ ଜନଗଣନା ୨୦୧୧ରେ ଅନୁଷ୍ଠିତ ହୋଇଥିବାରୁ, ସରକାର ଚାହିଁଲେ ୨୦୨୬ ପରେ ପରେ ଏହି ବିଳମ୍ବିତ ଜନଗଣନା ଅନୁଷ୍ଠିତ କରି ‘ଡିଲିମିଟେସନ୍’ ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରନ୍ତି।
ଅନୁମାନ କରାଯାଉଛି ଯେ ୧୯୭୧ ଠାରୁ ବର୍ତ୍ତମାନ ମଧ୍ୟରେ ଭାରତର ଜନସଂଖ୍ୟାରେ ପ୍ରାୟ ୨.୬ ଗୁଣ ବୃଦ୍ଧି ଘଟିଛି। କିନ୍ତୁ ଉପରେ ସୂଚାଇ ଦିଆଯାଇଥିବା ଭଳି ଦେଶର ରାଜ୍ୟମାନଙ୍କ ମଧ୍ୟରେ ଏହି ବୃଦ୍ଧିରେ ଘୋର ତାରତମ୍ୟ ରହିଛି, ଯେଉଁ କାରଣରୁ ଦକ୍ଷିଣ ଭାରତର ରାଜ୍ୟମାନେ ଦଣ୍ଡିତ ହେବେ ବୋଲି ଆଶଙ୍କା କରୁଛନ୍ତି। ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ଡିଲିମିଟେସନ୍ ଯୋଗୁଁ କୌଣସି ରାଜ୍ୟର ଲୋକସଭାରେ ଅାସନ ସଂଖ୍ୟାରେ ହ୍ରାସ ଘଟିବ ନାହିଁ ବୋଲି ଆଶ୍ବାସନା ଦେଇଥିଲେ ହେଁ, ତୁଳନାତ୍ମକ ଭାବରେ ଏଥିଯୋଗୁଁ ଦାକ୍ଷିଣାତ୍ୟ ରାଜ୍ୟମାନଙ୍କର ଆସନ ସଂଖ୍ୟାରେ ଯେ ଉତ୍ତର ଭାରତର ରାଜ୍ୟମାନଙ୍କ ଭଳି ବୃଦ୍ଧି ଘଟିବ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ। ସେମାନଙ୍କର ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟମାନେ ଏଥିରେ ସର୍ବାଧିକ ଲାଭବାନ ହେବାକୁ ଯାଉଥିବାବେଳେ ଦାକ୍ଷିଣାତ୍ୟ ରାଜ୍ୟମାନଙ୍କ ସହିତ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତର-ପୂର୍ବ ରାଜ୍ୟମାନେ କ୍ଷତିଗ୍ରସ୍ତ ହେବାର ଦୃଢ଼ ସମ୍ଭାବନା ରହିଛି।
ଜନସଂଖ୍ୟା ନିୟନ୍ତ୍ରଣରେ ଦାକ୍ଷିଣାତ୍ୟ ରାଜ୍ୟମାନେ ହାସଲ କରିଥିବା ସଫଳତା ସେମାନଙ୍କ ପାଇଁ ଏଥିପୂର୍ବରୁ ଆଉ ଏକ କ୍ଷତି ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ସଂଗୃହୀତ ଟିକସ ରାଜସ୍ବ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଥିବା ସମୟରେ ଜନସଂଖ୍ୟାର ଆକାରକୁ ଏକ ମାନଦଣ୍ଡ ରୂପେ ବ୍ୟବହାର କରାଯାଉଥିବାରୁ ଜନବହୁଳ ଉତ୍ତର ଭାରତର ରାଜ୍ୟମାନଙ୍କୁ ଅଧିକ ସମ୍ବଳ ହସ୍ତାନ୍ତରିତ ହେଉଥିବାବେଳେ ଜନବିରଳ ଦକ୍ଷିଣ ଭାରତର ପାଞ୍ଚଟି ରାଜ୍ୟମାନଙ୍କ ଭାଗରେ ଅପେକ୍ଷାକୃତ କମ୍ ସମ୍ବଳ ପଡୁଛି, ଯଦିବା ଟିକସ ରାଜସ୍ବ ସଂଗ୍ରହରେ ସମୃଦ୍ଧ ଦାକ୍ଷିଣାତ୍ୟ ରାଜ୍ୟମାନଙ୍କର ଅବଦାନ ହେଉଛି ତୁଳନାତ୍ମକ ଭାବରେ ଅଧିକ। ଏହା ଆଉ ଏକ ଚିନ୍ତାର ବିଷୟ ଯେ ସମ୍ବଳର ଏଭଳି ବିଷମ ବଣ୍ଟନ ସତ୍ତ୍ବେ ଏହାଦ୍ବାରା ଲାଭବାନ ହେଉଥିବା ଉତ୍ତର ଭାରତର ସେଇ ରାଜ୍ୟମାନଙ୍କରେ ଅର୍ଥନୈତିକ ପ୍ରଗତି ସନ୍ତୋଷଜନକ ହୋଇପାରି ନାହିଁ। ଏଭଳି ଅର୍ଥନୈତିକ ବିଷମ ବିଚାର ଦାକ୍ଷିଣାତ୍ୟର ରାଜ୍ୟମାନଙ୍କରେ ଅସନ୍ତୋଷ ସୃଷ୍ଟି କରିଥିବାବେଳେ ବର୍ତ୍ତମାନ ‘ଡିଲିମିଟେସନ୍’ ଯୋଗୁଁ ରାଜନୈତିକ କ୍ଷତି ଘଟିବାର ସମ୍ଭାବନା ସେଠାରେ ଏଥିପ୍ରତି ବିରୋଧକୁ ତୀବ୍ରତର କରିଛି। ଜନସଂଖ୍ୟା ନିୟନ୍ତ୍ରଣରେ ସେମାନେ ହାସଲ କରିଥିବା ସଫଳତା ଯୋଗୁଁ ସେମାନେ ଏପରି ଦ୍ବୈତ ଦଣ୍ଡ ଭୋଗିବାକୁ ଆଇନର ଭାଷାରେ କୁହାଯାଇଥାଏ- ‘ଡବଲ୍ ଜେପଡି’। ଉପରୋକ୍ତ ମିଳିତ କ୍ରିୟାନୁଷ୍ଠାନ କମିଟି ତେଣୁ ଆସନ୍ତା ୨୫ ବର୍ଷ ପାଇଁ ଏହି ପ୍ରକ୍ରିୟାକୁ ସ୍ଥଗିତ କରି ସେ ପର୍ଯ୍ୟନ୍ତ ଲୋକସଭାର ଆସନ ସଂଖ୍ୟାରେ କୌଣସି ପରିବର୍ତ୍ତନ ନ ଘଟାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଉଛି। ଉଭୟ ଜାତୀୟ ସଂହତି ଓ ଅର୍ଥନୈତିକ ଆବଶ୍ୟକତା ଦୃଷ୍ଟିରୁ ଏହା ବେଶ୍ ଯୁକ୍ତିଯୁକ୍ତ ମନେ ହୁଏ।
ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୃଥିବୀର ସମୃଦ୍ଧତମ ଗଣତନ୍ତ୍ର ଆମେରିକାର ସିନେଟ୍‌ରେ ଆକାର ନିର୍ବିଶେଷରେ ପ୍ରତି ରାଜ୍ୟର ସ୍ଥାନ ସଂଖ୍ୟା ସମାନ ହୋଇଥିବାବେଳେ ପ୍ରତିନିଧି ସଭାରେ ସ୍ଥାନ ସଂଖ୍ୟା ବିଗତ ଏକ ଶତାବ୍ଦୀରୁ ଅଧିକ କାଳ ଧରି ଅପରିବର୍ତ୍ତିତ ରହିଛି, ଯଦିବା ଇତିମଧ୍ୟରେ ସେ ଦେଶର ଜନସଂଖ୍ୟାରେ ଚାରି ଗୁଣ ବୃଦ୍ଧି ଘଟିଛି। ଏହା ଆମ ପାଇଁ ଅନୁକରଣୀୟ।