ଭାରତ ଏ ପର୍ଯ୍ୟନ୍ତ ଏକ ବିକଶିତ ଦେଶରେ ପରିଣତ ହୋଇନାହିଁ। ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ଭାରତ ବିକଶିତ ହେବା ପୂର୍ବରୁ ଜରାଗ୍ରସ୍ତ ହୋଇଯିବ। ଜାପାନ, ଦକ୍ଷିଣ କୋରିଆ ଆଦି ବିକଶିତ ହେବା ପରେ ଯାଇ ଜରାଗ୍ରସ୍ତ ହୋଇଛନ୍ତି। ମାଲ୍ଥସ୍ଙ୍କ ଜନସଂଖ୍ୟା ବିସ୍ଫୋରଣ ସମସ୍ୟା ଠାରୁ ଏହି ଜନସଂଖ୍ୟା ଅନ୍ତର୍ଦ୍ଧାନ ସମସ୍ୟା ଆମ ପାଇଁ କିଛି କମ୍ ଭୟଙ୍କର ସାବ୍ୟସ୍ତ ହେବ ନାହିଁ।
ପ୍ରସିଦ୍ଧ ଫରାସୀ ନାରୀବାଦୀ ଦାର୍ଶନିକା ଏଲିଜାବେଥ୍ ବାଡିଣ୍ଟର୍ ତାଙ୍କର ଚାଞ୍ଚଲ୍ୟ ସୃଷ୍ଟିକାରୀ ପୁସ୍ତକ ‘କନ୍ଫ୍ଲିକ୍ଟ’ (‘ସଂଘାତ’)ରେ ଯେଉଁ ସଂଘାତ ପ୍ରତି ସମାଜର ଦୃଷ୍ଟି ଆକର୍ଷଣ କରି ଏହି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ, ତାହା ହେଉଛି ମାତୃତ୍ବ ଓ ନାରୀତ୍ବ ମଧ୍ୟରେ ସଂଘାତ। ବାଡିଣ୍ଟର୍ଙ୍କ ଦୃଷ୍ଟିରେ ସମାଜରେ ନାରୀ ସମ୍ମୁଖରେ ଯେଉଁ ଦୁଇଟି ବିକଳ୍ପ ଉନ୍ମୁକ୍ତ ଥାଏ, ତାହା ହେଲା- ସେ ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ନିଜର ନିୟନ୍ତ୍ରଣ ମଧ୍ୟରେ ରଖିବ କିମ୍ବା ଏହି ନିୟନ୍ତ୍ରଣ ତ୍ୟାଗ କରି ନିଜର ଜୀବନକୁ ସଂପୂର୍ଣ୍ଣ ରୂପେ ସନ୍ତାନ ପ୍ରସବ ଏବଂ ନିଜର ସନ୍ତାନସନ୍ତତିଙ୍କ ଲାଳନପାଳନ, ମଙ୍ଗଳ ଓ ଉନ୍ନତି ପ୍ରତି ଉତ୍ସର୍ଗ କରିଦେବ। ଯେଉଁ ସମାଜ ଓ ସଂସ୍କୃତି ନାରୀର ଏହି ଦ୍ବିତୀୟ ଭୂମିକାକୁ ପ୍ରାଥମିକତା ପ୍ରଦାନ କରିଥାଏ, ସେଠାରେ ନାରୀମାନେ ଆଦର୍ଶ ଜନନୀ ହେବା ଲକ୍ଷ୍ୟ ଅନୁଧାବନ କରି ନିଯୁକ୍ତି କ୍ଷେତ୍ରରୁ ଅପସରି ଯାଇ ସନ୍ତାନ ଲାଳନପାଳନରେ ନିଜକୁ ସଂପୂର୍ଣ୍ଣ ରୂପେ ନିୟୋଜିତ କରିବାକୁ ବାଧ୍ୟ ହୋଇଥାନ୍ତି। ବାଡିଣ୍ଟର୍ଙ୍କ ଭାଷାରେ ସମାଜ ପ୍ରଜନନ ବେଦୀରେ ନାରୀମାନଙ୍କୁ ବଳି ଚଢ଼ାଇଥାଏ।
ଗୁଣ୍ଡ ଦୁଗ୍ଧ, ଶିଶୁ ଖାଦ୍ୟଡବା ଓ ବର୍ଜନକ୍ଷମ ଚଡ଼ି (ଡିସ୍ପୋଜେବ୍ଲ ଡାଏପର୍)ର ଆବିଷ୍କାର ଓ ପ୍ରସାର ନାରୀମାନଙ୍କର ସନ୍ତାନ ଲାଳନପାଳନ ବୋଝକୁ କିଛିମାତ୍ରାରେ ହାଲୁକା କରି ସେମାନେ ନିଯୁକ୍ତି କ୍ଷେତ୍ରରେ ପ୍ରବେଶ କରିବା ଓ ନିଜର କ୍ୟାରିଅର୍ ନିର୍ମାଣ କରିବାରେ ସହାୟକ ହୋଇଥାଏ। ଶିଶୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କିନ୍ତୁ ସ୍ତନ୍ୟପାନକୁ ଉତ୍ସାହିତ କରିଥାନ୍ତି ଏବଂ ପରିବେଶବାଦୀମାନେ ବର୍ଜନକ୍ଷମ ଚଡ଼ି ବ୍ୟବହାରକୁ ବିରୋଧ କରିଥାନ୍ତି। ଏହାଦ୍ବାରା ଏମାନେ ନାରୀକୁ ମିଳିଥିବା ସାମାନ୍ୟ ସ୍ବାଧୀନତା ଛଡ଼ାଇ ନେଇ ତାକୁ ପୂର୍ବଭଳି ପୁଣି ଏକ ପ୍ରଜନନ ଯନ୍ତ୍ରରେ ପରିଣତ କରିଦେବାକୁ ଚାହଁାନ୍ତି ବୋଲି ବାଡିଣ୍ଟର୍ ଏମାନଙ୍କ ବିରୋଧରେ ତାଙ୍କ ପୁସ୍ତକରେ ବିଷୋଦ୍ଗାର କରିଛନ୍ତି।
୧୯୫୦ ଦଶକରେ ଭାରତରେ ନାରୀମାନେ ଥିଲେ ଏଇଭଳି ପ୍ରଜନନ ଯନ୍ତ୍ର, ଯେତେବେଳେ ସେମାନେ ପ୍ରତ୍ୟେକ ହାରାହାରି ପ୍ରାୟ ଛ’ଟି ଲେଖାଏଁ ସନ୍ତାନ ପ୍ରସବ କରୁଥିଲେ। ସେତେବେଳେ ଏଠାରେ ଶିଶୁ ଖାଦ୍ୟଡବା ଉପଲବ୍ଧ ନ ଥିଲା କିମ୍ବା ଡିସ୍ପୋଜେବ୍ଲ ଡାଏପର୍ ଉପଲବ୍ଧ ନ ଥିଲା। ଜନ୍ମ ନିୟନ୍ତ୍ରଣ ଉପାୟର ମଧ୍ୟ ବ୍ୟାପକ ପ୍ରସାର ଘଟି ନ ଥିଲା। ଏହି ଯୁଗର ଭାରତୀୟ ଜନନୀମାନଙ୍କର ସମଗ୍ର ଜୀବନ ତେଣୁ କେବଳ ସନ୍ତାନ ପ୍ରସବ ଓ ସେମାନଙ୍କର ଲାଳନପାଳନ ବୋଝ ବହନ କରି କଟିଯାଉଥିଲା। ଏମାନଙ୍କ ସମ୍ମୁଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା। ଏଇମାନେ ସେ ସମୟରେ ଯେଉଁ ଭିତ୍ତି ସ୍ଥାପନ କରିଥିଲେ, ତାହାରି ଉପରେ ସୃଷ୍ଟି ହୋଇଥିବା ବିଶାଳ ଜନସଂଖ୍ୟା ବର୍ତ୍ତମାନ ଭାରତକୁ ପୃଥିବୀର ସର୍ବବୃହତ୍ ଜନସଂଖ୍ୟାବିଶିଷ୍ଟ ରାଷ୍ଟ୍ରରେ ପରିଣତ କରିଛି। ଯେଉଁ ଜନସଂଖ୍ୟା ଏବେ ଜାତିସଂଘର ଜନସଂଖ୍ୟା ସଂସ୍ଥା ‘ୟୁଏନ୍ଏଫ୍ପିଏ’ ଦ୍ବାରା ସଦ୍ୟ ପ୍ରକାଶିତ ‘ଷ୍ଟେଟ୍ ଅଫ୍ ୱର୍ଲଡ୍ ପପୁଲେସନ୍-୨୦୨୫’ ରିପୋର୍ଟ ଅନୁସାରେ ୧୪୬ କୋଟିରେ ପହଞ୍ଚିଛି।
କିନ୍ତୁ ଏଇ ରିପୋର୍ଟରେ ଭାରତର ଜନସଂଖ୍ୟାର ଚରିତ୍ର ସମ୍ବନ୍ଧରେ ଆଉ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ନିହିତ ଅଛି, ତାହା ଏଥିରେ ଏକ ବୈପ୍ଳବିକ ପରିବର୍ତ୍ତନର ବାର୍ତ୍ତା ବହନ କରିଥାଏ। ତାହା ହେଲା, ଭାରତୀୟ ମହିଳାମାନଙ୍କର ‘ମୋଟ ପ୍ରଜନନ ହାର’ (‘ଟୋଟାଲ୍ ଫର୍ଟିଲିଟି ରେଟ୍’-‘ଟିଏଫ୍ଆର୍’)ରେ କ୍ରମାଗତ ସ୍ଖଳନ ଘଟି ତାହା ବର୍ତ୍ତମାନ ହାରାହାରି ମୁଣ୍ଡପିଛା ୧.୯ଟି ସନ୍ତାନ ଜନ୍ମରେ ପହଞ୍ଚିଛି। ଆଗାମୀ ପିଢ଼ିରେ ଏକ ଦେଶର ଜନସଂଖ୍ୟା ସ୍ଥିର ରହିବାକୁ ହେଲେ ସେ ଦେଶର ‘ଟିଏଫ୍ଆର୍’ର ମୂଲ୍ୟ ୨.୧ ହେବା ଆବଶ୍ୟକ- ପିତାମାତା ଦ୍ବୟଙ୍କ ଶୂନ୍ୟସ୍ଥାନ ପୂରଣ ନିମିତ୍ତ ଦୁଇଟି ସନ୍ତାନ ଓ ସମ୍ଭାବ୍ୟ ମୃତ୍ୟୁ କିମ୍ବା ବହିର୍ଗମନଜନିତ ଶୂନ୍ୟସ୍ଥାନ ପୂରଣ ନିମିତ୍ତ ଆବଶ୍ୟକ ଆଉ ଅଧିକ ୦.୧ ସଂଖ୍ୟକ ଜନ୍ମ। ଏହି ୨.୧ ‘ଟିଏଫ୍ଆର୍’କୁ ତେଣୁ ‘ପ୍ରତିସ୍ଥାପନ ହାର’ (‘ରିପ୍ଲେସ୍ମେଣ୍ଟ ରେଟ୍’) ରୂପେ ବର୍ଣ୍ଣନା କରାଯାଇଥାଏ। ଭାରତର ‘ଟିଏଫ୍ଆର୍’ ଯଦି ଏଇଭଳି ‘ରିପ୍ଲେସ୍ମେଣ୍ଟ ରେଟ୍’ ଠାରୁ କମ୍ ହୋଇଚାଲେ ତେବେ ଭବିଷ୍ୟତରେ ଭାରତର ଜନସଂଖ୍ୟାରେ ହ୍ରାସ ଘଟିବା ସହିତ ତାହା ଅଧିକରୁ ଅଧିକ ଜରାଗ୍ରସ୍ତ ହୋଇଯିବ ଓ ଏଥିରେ ଉତ୍ପାଦନଶୀଳ ସଦସ୍ୟମାନଙ୍କର ଅନୁପାତ ହ୍ରାସ ପାଇବାରେ ଲାଗିବ।
ଏହି ନୀଚା ‘ଟିଏଫ୍ଆର୍’ ଯାହା ନିଶ୍ଚିତ ରୂେପ ସାବ୍ୟସ୍ତ କରିଥାଏ, ତାହା ହେଲା ଭାରତୀୟ ନାରୀମାନେ ଆଉ ବାଡିଣ୍ଟର୍ବର୍ଣ୍ଣିତ ପ୍ରଜନନ ଯନ୍ତ୍ର ହୋଇ ରହିନାହାନ୍ତି। ଶିଶୁ ଖାଦ୍ୟ ଓ ବର୍ଜନକ୍ଷମ ଚଡ଼ିର ବ୍ୟବହାରର ପ୍ରସାର ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ସନ୍ତାନ ଲାଳନପାଳନର କଷ୍ଟକୁ ମଧ୍ୟ ଲାଘବ କରିଛି। ତେବେ ଅନ୍ୟାନ୍ୟ ବିଭିନ୍ନ ପ୍ରତିବନ୍ଧକମାନ ଯୋଗୁଁ ଏହି ନୀଚା ‘ଟିଏଫ୍ଆର୍’ଜନିତ ଉଦ୍ବୃତ୍ତ ସମୟ ବ୍ୟବହାର କରି ଭାରତୀୟ ନାରୀମାନେ ତଥାପି ଯଥେଷ୍ଟ ସଂଖ୍ୟାରେ ଶ୍ରମ ବଜାରରେ ପ୍ରବେଶ କରିପାରି ନାହାନ୍ତି। ଯେଉଁ ବିଭିନ୍ନ କାରଣମାନ ଯୋଗୁଁ ଭାରତୀୟ ନାରୀମାନଙ୍କର ‘ଟିଏଫ୍ଆର୍’ରେ ଏପରି ତୀକ୍ଷ୍ଣ ସ୍ଖଳନ ଘଟିଛି, ସେଗୁଡ଼ିକ ମଧ୍ୟରୁ କେତେକ ଗୁରୁତ୍ବପୂର୍ଣ୍ଣ କାରଣମାନଙ୍କୁ ଏଇଭଳି ଚିହ୍ନଟ କରାଯାଇଛି: ନାରୀଶିକ୍ଷାରେ ପ୍ରସାର ଓ ଅଧିକ ସଂଖ୍ୟାରେ ବାଳିକାମାନଙ୍କର ବିଦ୍ୟାଳୟରେ ପ୍ରବେଶ; ଦ୍ରୁତ ସହରୀକରଣ ଓ ସହରରେ ସନ୍ତାନ ପାଳନର ବ୍ୟୟବହୁଳତା; ହ୍ରାସମାନ ଶିଶୁ ମୃତ୍ୟୁ ହାର; ଗର୍ଭ ନିରୋଧକ ଉପାୟମାନଙ୍କର ସହଜ ଉପଲବ୍ଧତା ଓ ପ୍ରଜନନ ପସନ୍ଦରେ ପରିବର୍ତ୍ତନ; ଶିକ୍ଷା ଲାଭ ଓ ବୃତ୍ତି ସନ୍ଧାନରେ ବ୍ୟସ୍ତ ଯୁବକଯୁବତୀମାନଙ୍କର ବିଳମ୍ବିତ ବିବାହ।
ସ୍ବାଧୀନତା ପରଠାରୁ ଭାରତ ଅଷ୍ଟାଦଶ ଶତାବ୍ଦୀର ବ୍ରିଟିସ୍ ଅର୍ଥନୀତିଜ୍ଞ ଥମାସ୍ ରବର୍ଟ ମାଲ୍ଥସ୍ଙ୍କୁ ଅନୁସରଣ କରି ଏକ ଦ୍ରୁତବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଏକ ଜାତୀୟ ବିପଦ ରୂପେ ବିଚାର କରି ତାହାକୁ ନିୟନ୍ତ୍ରଣ କରିବା ପାଇଁ ନିଜର ସମସ୍ତ ଶକ୍ତି ନିୟୋଜିତ କରିଦେଇଥିଲା। ବର୍ତ୍ତମାନର ଦୁର୍ବଳ ‘ଟିଏଫ୍ଆର୍’ ସୂଚାଇଥାଏ ଯେ ଭାରତ ଅବଶେଷରେ ତା’ର ସେଇ ଉଦ୍ୟମରେ ସଫଳ ହୋଇଛି। ଏବେ ତା’ ହେଲେ ଆମେ ନିଶ୍ଚିନ୍ତ ହୋଇଯିବା କଥା। କିନ୍ତୁ ଅର୍ଥଶାସ୍ତ୍ରର ସମସ୍ୟା ହେଲା ଏହା ଯେ ଏଥିରେ କୌଣସି ସମସ୍ୟାର ଅନ୍ତିମ ସମାଧାନ ନିହିତ ନ ଥାଏ। ତେଣୁ ‘ଟିଏଫ୍ଆର୍’ ଯୁଦ୍ଧରେ ଆମେ ହାସଲ କରିଥିବା ଏହି ବିଜୟ ବର୍ତ୍ତମାନ ଆମ ସମ୍ମୁଖରେ ନୂତନ ସମସ୍ୟାମାନଙ୍କର ଆବିର୍ଭାବର ସମ୍ଭାବନା ସୃଷ୍ଟି କଲାଣି। ଏ ସମସ୍ୟା ହେଉଛି ସେଇଭଳି ସମସ୍ୟା ଯାହା ଆମ ପୂର୍ବରୁ ଏହି ଯୁଦ୍ଧରେ ବିଜୟ ହାସଲ କରିଥିବା ଜାପାନ ଓ ଦକ୍ଷିଣ କୋରିଆ ଭଳି ପୂର୍ବଏସୀୟ ଦେଶମାନେ ସମ୍ମୁଖୀନ ହେବାରେ ଲାଗିଛନ୍ତି ଓ ବର୍ତ୍ତମାନ ଚୀନ୍ ସମ୍ମୁଖୀନ ହେବାକୁ ଆରମ୍ଭ କରିଛି।
ପୂର୍ବ ପିଢ଼ିର ଭାରତୀୟ ନାରୀମାନଙ୍କର ପ୍ରଜନନଶୀଳତା ଯୋଗୁଁ ବର୍ତ୍ତମାନ ଭାରତର ଜନସଂଖ୍ୟାରେ ଉତ୍ପାଦନଶୀଳ ବୟସ ସୀମା ୧୫-୬୪ ବର୍ଷ ମଧ୍ୟରେ ଥିବା ଲୋକମାନଙ୍କର ଅନୁପାତ ହେଉଛି ଏକ ଈର୍ଷଣୀୟ ଭାବରେ ଉଚ୍ଚା ୬୮ ଶତାଂଶ। ଏମାନଙ୍କର ଉତ୍ପାଦନ କ୍ଷମତାକୁ ଦୃଷ୍ଟିରେ ରଖି ଭାରତ ପାଇଁ ଏହା ହେଉଛି ଏକ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ (ଜନସଂଖ୍ୟାଗତ ଲାଭ) ବୋଲି ଆମେ ସଗର୍ବରେ ଘୋଷଣା କରିଚାଲିଛୁ। କିନ୍ତୁ ଏହି ଲାଭ ସୃଷ୍ଟିକର୍ତ୍ତାମାନେ ଆଗାମୀ ସମୟରେ ଯେତେବେଳେ ବାର୍ଦ୍ଧକ୍ୟରେ ପ୍ରବେଶ କରିବେ, ଆଜିର ନୀଚା ‘ଟିଏଫ୍ଆର୍’ ଯୋଗୁଁ ସେଇ ଶୂନ୍ୟସ୍ଥାନ ଆଉ ସଂପୂର୍ଣ୍ଣ ରୂପେ ପୂରଣ ହୋଇପାରିବ ନାହିଁ। ଜନସଂଖ୍ୟାରେ ପରାଙ୍ଗପୁଷ୍ଟ ଶୁକ୍ଳକେଶର ବୋଝ ବୃଦ୍ଧି ପାଇଚାଲିବ। ଭାରତ ଏ ପର୍ଯ୍ୟନ୍ତ ଏକ ବିକଶିତ ଦେଶରେ ପରିଣତ ହୋଇନାହିଁ। ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ଭାରତ ବିକଶିତ ହେବା ପୂର୍ବରୁ ଜରାଗ୍ରସ୍ତ ହୋଇଯିବ। ଜାପାନ, ଦକ୍ଷିଣ କୋରିଆ ଆଦି ବିକଶିତ ହେବା ପରେ ଯାଇ ଜରାଗ୍ରସ୍ତ ହୋଇଛନ୍ତି। ମାଲ୍ଥସ୍ଙ୍କ ଜନସଂଖ୍ୟା ବିସ୍ଫୋରଣ ସମସ୍ୟା ଠାରୁ ଏହି ଜନସଂଖ୍ୟା ଅନ୍ତର୍ଦ୍ଧାନ ସମସ୍ୟା ଆମ ପାଇଁ କିଛି କମ୍ ଭୟଙ୍କର ସାବ୍ୟସ୍ତ ହେବ ନାହିଁ। ତାହାର ସମ୍ମୁଖୀନ ହେବା ପାଇଁ ଆମକୁ ଏବେଠାରୁ ପ୍ରସ୍ତୁତ ହେବାକୁ ପଡ଼ିବ; ତିନ୍ତିବା ଆଗରୁ ଘର ଛାଇବାକୁ ହେବ।