ମହାକାଶସ୍ଥିତ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ର ସ୍ଥାପନରେ ୧୫ଟି ଦେଶର ପ୍ରତ୍ୟକ୍ଷ ଯୋଗଦାନ ଥିଲେ ମଧ୍ୟ ତାହା ତମାମ ପୃଥିବୀର ଯେ କୌଣସି ରାଷ୍ଟ୍ରର ମହାକାଶଚାରୀଙ୍କ ସକାଶେ ସାମୟିକ ଆଶ୍ରୟ ଓ ଗବେଷଣା ସ୍ଥଳ ହୋଇଥାଏ। ସେହି ପରିପ୍ରେକ୍ଷୀରେ ‘ନାଇସାର’ ଏକ ସଂକେତ ଯେ ଧରାପୃଷ୍ଠରେ ସୃଷ୍ଟ ନିମ୍ନ ରୁଚିର ବିବାଦରୁ ଊର୍ଦ୍ଧ୍ବକୁ ଉଠିପାରିଲେ ଯାଇ ଉତ୍କର୍ଷର ପରାକାଷ୍ଠା ସମ୍ଭବ ହୋଇ ପାରିବ।
ଯେଉଁ ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ କର୍କଶ ଆଭିମୁଖ୍ୟ ଓ କଟୂକ୍ତି ଭାରତକୁ ଗଭୀର ଭାବେ ବ୍ୟଥିତ କରିଥିଲା, ସେହି ଦିନ ଗୋଧୂଳି ବେଳାରେ(ସଂଧ୍ୟା ୫.୪୫ରେ) ଉଭୟ ଆମେରିକା ଓ ଭାରତର ମିଳିତ ପ୍ରୟାସର ଏକ ଅତ୍ୟନ୍ତ ମନ ମୁଗ୍ଧକର ଓ ଯୁଗାନ୍ତକାରୀ ଦୃଷ୍ଟାନ୍ତ ସ୍ଥାପିତ ହୋଇ ଯାଇଥିଲେ ହେଁ ତାହା ଚର୍ଚ୍ଚାର ପରିସର ବାହାରେ ଏବଂ ଦୃଷ୍ଟି ଆଢୁଆଳରେ ରହି ଯାଇଥିଲା। ତାହା ହେଉଛି ଆମେରିକାର ମହାକାଶ ଗବେଷଣା ପ୍ରତିଷ୍ଠାନ ‘ନାସା’ ଏବଂ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ‘ଇସ୍ରୋ’ର ସମାନ ଅଂଶୀଦାରି, ଉଦ୍ୟମ ଓ ଶ୍ରମର ଫଳଶ୍ରୁତି ସ୍ବରୂପ ଅନ୍ତରୀକ୍ଷରେ ‘ନାଇସାର’ ଉପଗ୍ରହର ସ୍ଥାପନ, ଯାହା ଅନେକ ଦୃଷ୍ଟିରୁ ଅଦ୍ବିତୀୟ ଏବଂ ଐତିହାସିକ। ପ୍ରକାଶ ଥାଉ କି ‘ନାଇସାର’ ପ୍ରକଳ୍ପର ବୀଜ ବପନ ହୋଇଥିଲା ୨୦୦୦ ମସିହାରେ, ଯେତେବେଳେ ମହାକାଶରୁ ପୃଥିବୀ ପର୍ଯ୍ୟବେକ୍ଷଣ ପ୍ରକଳ୍ପର ବିକାଶ ନେଇ ‘ନାସା’ ପକ୍ଷରୁ ‘ପାର୍ଟନର’ ବା ସହଯୋଗୀ ଅନ୍ବେଷଣ ପ୍ରୟାସ ଜର୍ମାନି ଓ ଫ୍ରାନ୍ସରେ ଆରମ୍ଭ ହୋଇଥିଲା ଏବଂ ‘ଇସ୍ରୋ’ ଦ୍ବାରା ସେହି ଦିଗରେ ବିଶେଷ ବୁଦ୍ଧି ବିନିଯୁକ୍ତ ହେଉଥିବା ଜାଣି ଅଗତ୍ୟା ତାହାକୁ ଗ୍ରହଣ କରି ନେଇଥିଲା। ସେହି କ୍ରମରେ ‘ନାଇସାର’ ବିକାଶ କାର୍ଯ୍ୟ ୨୦୧୧ ମସିହାରେ ପ୍ରାରମ୍ଭ ହୋଇଥିଲା। ଗଲା ବୁଧବାର ସଂଧ୍ୟାରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ରକେଟ ଉତ୍କ୍ଷେପଣ କେନ୍ଦ୍ରରୁ ‘ଜି.ଏସ.ଏଲ୍.ଭି.-୬’ ଆରୋହଣ କରି ‘ନାଇସାର’ ଯେତେବେଳେ ଅନ୍ତରୀକ୍ଷ ଅଭିମୁଖେ ତା’ର ଯାତ୍ରା ଆରମ୍ଭ କଲା, ସେତିକି ବେଳେ ସମଗ୍ର ପୃଥିବୀ ଏହା ଦ୍ବାରା ଅନୁଗୃହୀତ ହେବାର କ୍ଷଣ ସୃଷ୍ଟି ହୋଇ ଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ‘ନାସା-ଇସ୍ରୋ ସିଂଗଲ ଆପେରଚର ସିଂଥେଟିକ୍ ରାଡାର’ ବା ସଂକ୍ଷେପରେ ‘ନାଇସାର’ ହେଉଛି ଏ ଯାବତ୍ ନିର୍ମିତ ହୋଇଥିବା କୃତ୍ରିମ ଉପଗ୍ରହଗୁଡ଼ିକ ମଧ୍ୟରେ ସର୍ବାଧିକ ବ୍ୟୟବହୁଳ, ଯାହାର ନିର୍ମାଣରେ ଖର୍ଚ୍ଚ ହୋଇଛି ୧.୫ ବିଲିଅନ ଡଲାର। କେବଳ ସେତିକି ନୁହେଁ, ଧରାପୃଷ୍ଠରୁ ପ୍ରେରିତ ପୃଥିବୀକୁ ପ୍ରଦକ୍ଷିଣ କରୁଥିବା ପ୍ରାୟ ୬୭୦୦ଟି ସାଟେଲାଇଟ୍ରୁ କୌଣସିଟି ହେଲେ ‘ନାଇସାର’ ଭଳି ଦୁଇ ପ୍ରକାର ଫ୍ରିକ୍ବେନ୍ସି ଅର୍ଥାତ୍ ‘ଏଲ୍ ବ୍ୟାଣ୍ଡ’ ଓ ‘ଏସ୍ ବ୍ୟାଣ୍ଡ’ ବିଶିଷ୍ଟ ନୁହନ୍ତି; ଯଦ୍ଦ୍ବାରା ସମଗ୍ର ପୃଥିବୀ ପୃଷ୍ଠ ଉପରେ ନିଘା ରଖି ସାମାନ୍ୟତମ ପରିବର୍ତ୍ତନକୁ ମଧ୍ୟ ଚିହ୍ନି ପାରିବାର କ୍ଷମତା ‘ନାଇସାର’ ନିକଟରେ ଅଛି। ଆମାଜନ ବୃଷ୍ଟି ବଣ ଭଳି ନିଘଞ୍ଚ ଅରଣ୍ୟର ଚାନ୍ଦୁଆ ହେଉ ବା ହିମାଳୟର ବହଳ ବରଫର ଚାଦର ହେଉ ଅଥବା ମହାସାଗରର ଅତଳ ଜଳରାଶି ହେଉ; ଏ ସବୁକୁ ଭେଦ କରି ‘ନାଇସାର’ର ଅନ୍ତର୍ଭେଦୀ ଦୃଷ୍ଟି ଭୂପୃଷ୍ଠରେ ସଂଘଟିତ ହେଉଥିବା ମାତ୍ର କେଇ ମିଲିମିଟରର ଚଳନ ବା ସୂକ୍ଷ୍ମତମ ପରିବର୍ତ୍ତନ ଚିହ୍ନି ପାରିବ, ଏପରିକି ପୃଥିବୀର ଅଭ୍ୟନ୍ତରରେ ‘ଟେକଟୋନିକ ପ୍ଲେଟ୍’ର ଗତିବିଧି ମଧ୍ୟ ଏହାର ନଜରକୁ ଏଡ଼ାଇ ଯାଇ ପାରିବ ନାହିଁ। ୯୭ ମିନିଟେର ପୃଥିବୀକୁ ଥରେ ପ୍ରଦକ୍ଷିଣ କରୁଥିବା ‘ନାଇସାର’ ପ୍ରତି ୧୨ ଦିନରେ ଥରେ ସଂଗୃହୀତ ସମସ୍ତ ସୂଚନାରାଜି ଏବଂ ଅତ୍ୟନ୍ତ ଉତ୍ତମ ଗୁଣମାନର ସ୍ଥିରଚିତ୍ରମାନ ପ୍ରେରଣ କରିବ, ଯାହା ଉଭୟ ‘ନାସା’ ଓ ‘ଇସ୍ରୋ’ର ୱେବ୍ସାଇଟ୍ରେ ସମସ୍ତଙ୍କ ଲାଗି ବିନା ମୂଲ୍ୟରେ ଉପଲବ୍ଧ ହେବ। ସୁତରାଂ, ଜଳବାୟୁ ପରିବର୍ତ୍ତନ, ବାତ୍ୟା, ଅତି ବୃଷ୍ଟି, ଜଙ୍ଗଲ ନିଆଁ ଓ ମରୁଡ଼ି ଭଳି ଯାବତୀୟ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପୃଥିବୀର ସମସ୍ତ ଦେଶ ବହୁ ପୂର୍ବରୁ ଅବଗତ, ସତର୍କ ଓ ପ୍ରସ୍ତୁତ ହୋଇପାରିବେ। ଏବଂ ଯୁଗାନ୍ତକାରୀ ବିଷୟଟି ହେଲା, ଭୂମିକଂପର ପୂର୍ବ ସୂଚନା ମଧ୍ୟ ଏଥିରୁ ପ୍ରାପ୍ତ ହେବ, ଯାହା ଏ ପର୍ଯ୍ୟନ୍ତ କଦାଚିତ୍ ସମ୍ଭବ ନ ଥିଲା।
ପ୍ରକାଶ ଥାଉ କି ସମଗ୍ର ପୃଥିବୀର ମାନଚିତ୍ରକୁ ଟିକିନିଖି ନିରୀକ୍ଷଣ କରି ଅହରହ ରିପୋର୍ଟ ପ୍ରଦାନ କରୁଥିବା ଏହା ହେଉଛି ଏକମାତ୍ର ଉପଗ୍ରହ। ଦୁଇ ହଜାର ତିନି ଶହ ତେୟାନବେ କିଲୋଗ୍ରାମ ଅର୍ଥାତ୍ ଏ ଯାବତ୍ ସର୍ବାଧିକ ଓଜନ ବିଶିଷ୍ଟ କୃତ୍ରିମ ଉପଗ୍ରହ ‘ନାଇସାର’ର ବିକାଶ କିଭଳି ସାବଲୀଳ ଓ ମନୋଜ୍ଞ ଅଂଶୀଦାରିରେ ସଂପନ୍ନ ହୋଇଛି, ତାହା ମଧ୍ୟ ପ୍ରଣିଧାନଯୋଗ୍ୟ। ଏହାର ‘ଏଲ୍ ବ୍ୟାଣ୍ଡ ରାଡାର’ର ବିକାଶ ‘ନାସା’ ଦ୍ବାରା ହୋଇଥିବା ବେଳେ ‘ଇସ୍ରୋ’ର ବୈଜ୍ଞାନିକମାନେ ‘ଏସ୍ ବ୍ୟାଣ୍ଡ ରାଡାର’ ବିକଶିତ କରିଥିଲେ। ଏହି ଦୁଇ ରାଡାରକୁ ନେଇ ‘ଇଣ୍ଟଇଗ୍ରେଟେଡ୍ ରାଡାର ଇନଷ୍ଟ୍ରୁମେଣ୍ଟ ଷ୍ଟ୍ରକଚର’ ବା ‘ଆଇ.ଆର.ଆଇ.ଏସ.’ର ସଂରଚନା ଓ ପରୀକ୍ଷଣ ‘ନାସା’ ପକ୍ଷରୁ କରାଯାଇଥିଲା। ତା’ ପରେ ଏ ସମସ୍ତ ବ୍ୟବସ୍ଥାକୁ ସାଟେଲାଇଟର ମେନ୍ ଫ୍ରେମ ବା ମୁଖ୍ୟ ଢାଞ୍ଚାରେ ଖଂଜିବା କାର୍ଯ୍ୟ ସଂପାଦିତ ହୋଇଥିଲା ‘ଇସ୍ରୋ’ର ‘ୟୁ.ଆର. ରାଓ ସାଟେଲାଇଟ୍ ସେଣ୍ଟର’ରେ। ପରିଶେଷରେ ଭାରତରୁ ଏହି ଉପଗ୍ରହ ତା’ର ଅନ୍ତରୀକ୍ଷ ଯାତ୍ରା ପ୍ରାରମ୍ଭ କରିଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଏଥିରେ ଥିବା ‘ସିଂଥେଟିକ ଏଣ୍ଟେନା’ ବା ଛତା(୧୩ ମିଟର ବ୍ୟାସ ବିଶିଷ୍ଟ)ଟି ଖୋଲି ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ କରିବା ପାଇଁ ଲାଗିଯିବ ୯୦ ଦିନର ସମୟ ଏବଂ ଉପଗ୍ରହଟି ତିନି ବର୍ଷ ଲାଗି କାର୍ଯ୍ୟକ୍ଷମ ରହିବ। ସେହି ଦୃଷ୍ଟିରୁ ଅନେକ ବିଶେଷଜ୍ଞଙ୍କ ମତରେ ୨୦୨୫ ମସିହା ଅକ୍ଟୋବାର ୩୦ ତାରିଖ ହୁଏତ ଅନେକ ରାଷ୍ଟ୍ରଙ୍କ ଲାଗି ଏକ କାଳ ବିଭାଜିକା ରୂପେ ସାବ୍ୟସ୍ତ ହୋଇପାରେ, କାରଣ ତା’ ପରଠାରୁ ସେମାନେ ‘ନାଇସାର’ ଦ୍ବାରା ଉପକୃତ ହେବାକୁ ଆରମ୍ଭ କରିବେ। କହିବାରେ ଦ୍ବିଧା ନାହିଁ େଯ ଯୁଦ୍ଧ. ସଂତ୍ରାସ, େବୖରୀ ଓ ବାସନ୍ଦ ଇତ୍ୟାଦି ଦ୍ବାରା ବିଭାଜିତ ପୃଥିବୀରେ ବିଭିନ୍ନ ଦେଶରେ ଚାଲିଥିବା ବୈଜ୍ଞାନିକ ଗବେଷଣାମାନ ସ୍ବାଭାବିକ ଭାବେ ଅନେକତ୍ର ଗୋପନୀୟ ଏବଂ ପ୍ରାୟତଃ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହୋଇଥିଲେ ହେଁ ମାନବ ଜାତିର କଲ୍ୟାଣ ସକାଶେ ମିଳିତ ଉଦ୍ୟମର ଉଜ୍ଜ୍ବଳ ଉଦାହରଣମାନ ଦୃଶ୍ୟମାନ ହୋଇଥାଏ, ବିଶେଷ କରି ମହାକାଶ ଗବେଷଣା ଓ ବିକାଶ କ୍ଷେତ୍ରରେ। ପଞ୍ଚମ ଦଶକର ମଧ୍ୟ ଭାଗରୁ ଶୀତଳ ଯୁଦ୍ଧର ପରିବେଶରେ ସୋଭିଏତ୍ ରୁଷିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମହାକାଶ ଗବେଷଣାଜନିତ ଅତ୍ୟନ୍ତ ଉତ୍କଟ ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ୧୯୭୫ ମସିହା ଜୁଲାଇ ମାସରେ ‘ଆପୋଲୋ-େସାୟୁଜ’ ମିଳିତ ଅଭିଯାନ ମଧ୍ୟ ସମ୍ଭବ ହୋଇଥିଲା। ମହାକାଶସ୍ଥିତ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ର ସ୍ଥାପନରେ ୧୫ଟି ଦେଶର ପ୍ରତ୍ୟକ୍ଷ ଯୋଗଦାନ ଥିଲେ ମଧ୍ୟ ତାହା ତମାମ ପୃଥିବୀର ଯେ କୌଣସି ରାଷ୍ଟ୍ରର ମହାକାଶଚାରୀଙ୍କ ସକାଶେ ସାମୟିକ ଆଶ୍ରୟ ଓ ଗବେଷଣା ସ୍ଥଳ ହୋଇଥାଏ। ସେହି ପରିପ୍ରେକ୍ଷୀରେ ‘ନାଇସାର’ ଏକ ସଂକେତ ଯେ ଧରାପୃଷ୍ଠରେ ସୃଷ୍ଟ ନିମ୍ନ ରୁଚିର ବିବାଦରୁ ଊର୍ଦ୍ଧ୍ବକୁ ଉଠିପାରିଲେ ଯାଇ ଉତ୍କର୍ଷର ପରାକାଷ୍ଠା ସମ୍ଭବ ହୋଇ ପାରିବ।
ଟ୍ରଂପଙ୍କ ସଂକୀର୍ଣ୍ଣମନା ‘ଟାରିଫ ଯୁଦ୍ଧ’ କାଳରେ ଯାହା ହଠାତ ମନକୁ ଆସିଯାଏ, ତାହା ହେଲା ଦୁଇଟି ଦେଶର ବିତ୍ତ ଓ ବୁଦ୍ଧି ବିନିଯୁକ୍ତ ହୋଇଥିବା ଏକ ପ୍ରକରଣରୁ ପୃଥିବୀର ସମସ୍ତ ରାଷ୍ଟ୍ର ଲାଭବାନ ହେବାର ସୁଯୋଗ ଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ‘ଟାରିଫ ମୁକ୍ତ’ ରହିବ! ଅବଶ୍ୟ କେହି କେହି ପରିହାସ ଛଳେର କହନ୍ତି ଯେ ଟ୍ରଂପଙ୍କ ହେଜକୁ ଏ କଥା ଆସିଗଲେ ତାହା ମଧ୍ୟ ହୁଏତ ସମ୍ଭବ ହୋଇ ନ ପାରେ! ସାମାନ୍ୟ ଆବେଗର ସହିତ ଆଉ କେହି ଏହା ମଧ୍ୟ କହନ୍ତି ଯେ ସାନ୍ତ୍ବନାର ବିଷୟ ହେଲା, ଟ୍ରଂପ ବା ତାଙ୍କ ସମଧର୍ମାମାନଙ୍କ ଦ୍ବାରା ପୃଥିବୀ ବିବର୍ଣ୍ଣ ହୋଇ ଚାଲିଥିଲେ ହେଁ ପୃଥିବୀକୁ ନିରେଖି ଦେଖୁଥିବା ‘ନାଇସାର’ର ଚକ୍ଷୁରେ ତାହା ପଡ଼ିବ ନାହିଁ। ନଚେତ ମିଳିତ ଉଦ୍ୟମର ଦୃଷ୍ଟାନ୍ତ ‘ନାଇସାର’ ମଧ୍ୟ ତଦ୍ଦ୍ବାରା ମର୍ମାହତ ହୁଅନ୍ତା!