ଏଥର ଯଦି ମଧ୍ୟ ବୃଷ୍ଟିପାତ ସନ୍ତୋଷଜନକ ହୁଏ ଏବଂ ତାହାର ବଣ୍ଟନରେ ଅତିରିକ୍ତ ବୈଷମ୍ୟ ଦେଖା ନ ଯାଏ, ତେବେ ଦେଶରେ ଖାଦ୍ୟ ଉତ୍ପାଦନ ସନ୍ତୋଷଜନକ ହେବାର ଦୃଢ଼ ସମ୍ଭାବନା ରହିଛି, ଯାହା ଅର୍ଥନୀତି ପାଇଁ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ପ୍ରଚୁର ଖାଦ୍ୟ ଉତ୍ପାଦନ ଯୋଗୁଁ ଖାଦ୍ୟ ମୁଦ୍ରାସ୍ଫୀତି ନୀଚା ହେବ, ଯାହାର ପ୍ରଭାବରେ ଖାଉଟି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ରହିବ।
ଭାରତୀୟ ଅର୍ଥନୀତି ଯେତେବେଳେ ଟ୍ରମ୍ପ-ଟାରିଫ୍ସୃଷ୍ଟ ପ୍ରତିକୂଳ ବାହ୍ୟ ପରିସ୍ଥିତିରେ ଏକ ସୁବିଧାଜନକ ବାଟ ଖୋଜି ପାଇବା ପାଇଁ ଚେଷ୍ଟା ଚଳାଇଛି, ସେତିକିବେଳେ ତାହାର ଆଭ୍ୟନ୍ତରୀଣ ପରିସ୍ଥିତି ସମ୍ବନ୍ଧରେ ପ୍ରକାଶ ପାଇଥିବା ଏକ ପୂର୍ବାନୁମାନ ଶିଳ୍ପବାଣିଜ୍ୟରୁ ସରକାରୀ ନୀତିନିର୍ଦ୍ଧାରକ ମହଲ ପର୍ଯ୍ୟନ୍ତରେ ନିଶ୍ଚିତ ରୂପେ ଏକ ଗଭୀର ଆଶ୍ବସ୍ତି ସୃଷ୍ଟି କରୁଥିବ। କହିବା ବାହୁଲ୍ୟ, ଏହା ହେଉଛି ଆଗାମୀ ଖରିଫ୍ ଋତୁରେ ଭାରତୀୟ କୃଷିକୁ ମିଳିବାକୁ ଯାଉଥିବା ମୌସୁମୀ ବୃଷ୍ଟିପାତ ସମ୍ବନ୍ଧରେ ବିଭିନ୍ନ ପାଣିପାଗ ଗବେଷଣା ସଂସ୍ଥାମାନଙ୍କ ତରଫରୁ ପ୍ରସାରିତ ସୂଚନା।
ଭାରତୀୟ ଅର୍ଥନୀତିର ମାତୃଶକ୍ତି ହେଉଛି ମୌସୁମୀ, କାରଣ ଏବେ ମଧ୍ୟ ଦେଶର ୫୦ ଶତାଂଶ ଚାଷଜମି ସଂପୂର୍ଣ୍ଣ ରୂପେ ମୌସୁମୀ ବୃଷ୍ଟିପାତ ଉପରେ ନିର୍ଭର କରିଥାଏ। ଜଳସେଚିତ କୃଷି ମଧ୍ୟ ପରୋକ୍ଷରେ ମୌସୁମୀ ବୃଷ୍ଟିପାତ ଉପରେ ନିର୍ଭର କରିଥାଏ, କାରଣ ତାହା ଦ୍ବାରା ଜଳସେଚନର ଉତ୍ସ ଜଳଭଣ୍ଡାରମାନ ପୂର୍ଣ୍ଣ ହୋଇଥାଏ ତଥା ଭୂ-ତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇଥାଏ। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କର ପାଣିପାଗ ସଂସ୍ଥା ‘ଇଣ୍ଡିଆ ମେଟିଅରୋଲୋଜିକାଲ୍ ଡିପାର୍ଟମେଣ୍ଟ’ (‘ଆଇଏମ୍ଡି’) ଦ୍ବାରା ପ୍ରକାଶ ପାଇଥିବା ପୂର୍ବାନୁମାନ ବେଶ୍ ଆଶାଜନକ ହୋଇଥାଏ, ଯାହା ଅନୁସାରେ ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରସାରିତ ଆଗାମୀ ଖରିଫ୍ ଋତୁରେ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବାହିତ ବୃଷ୍ଟିପାତ ମାତ୍ରା ସ୍ବାଭାବିକଠାରୁ ଅଧିକ (‘ଏବଭ୍-ନର୍ମାଲ୍’) ହେବାକୁ ଯାଉଛି। ମର୍ଯ୍ୟାଦାଜନକ ଘରୋଇ ପାଣିପାଗ ଗବେଷଣା ସଂସ୍ଥା ‘ସ୍କାଏମେଟ୍’ର ପୂର୍ବାନୁମାନ ଅନୁସାରେ ମଧ୍ୟ ଏହି ସମୟରେ ମୌସୁମୀ ବୃଷ୍ଟିପାତ ସ୍ବାଭାବିକ (‘ନର୍ମାଲ୍’) ହେବ ବୋଲି ଆଶା କରାଯାଉଛି। ‘ୟୁକେ ମେଟ୍ ଅଫିସ’, ‘ଦି ନେସନାଲ୍ ସେଣ୍ଟର୍ସ ଫର୍ ଏନ୍ଭିରନ୍ମେଣ୍ଟାଲ୍ ପ୍ରେଡିକ୍ସନ୍’ ଏବଂ ‘ଦି ଇଉରୋପିଆନ୍ ସେଣ୍ଟର୍ ଫର୍ ମିଡିଅମ୍-ରେଞ୍ଜ ୱେଦର୍ ଫୋର୍କାଷ୍ଟସ୍’ ଆଦି ବିଶିଷ୍ଟ ପାଣିପାଗ ଗବେଷଣା ସଂସ୍ଥାମାନଙ୍କ ଦ୍ବାରା କରାଯାଇଥିବା ପୂର୍ବାନୁମାନ ଭାରତରେ ଖରିଫ୍ ଋତୁରେ ଆଶା କରାଯାଉଥିବା ମୌସୁମୀ ବୃଷ୍ଟିପାତ ‘ନର୍ମାଲ୍’ରୁ ‘ଏବଭ୍-ନର୍ମାଲ୍’ ମଧ୍ୟରେ ରହିବ ବୋଲି କୁହାଯାଇଛି।
ଏହି ଋତୁରେ ଘଟିଥିବା ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତକୁ ଆଧାର କରି ବିଭିନ୍ନ ପାଣିପାଗ ସଂସ୍ଥାମାନେ ‘ନର୍ମାଲ୍’ ବୃଷ୍ଟିପାତର ସଂଜ୍ଞା ନିରୂପଣ କରିଥାନ୍ତି। ଏହି ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତର ପରିମାଣ ହେଉଛି ୮୬୮.୬ ମିମି। ଏକ ଋତୁରେ ବୃଷ୍ଟିପାତ ଯେତେବେଳେ ଏହି ହାରାହାରି ବୃଷ୍ଟିପାତର ୯୬ ଶତାଂଶରୁ ୧୦୪ ଶତାଂଶ ମଧ୍ୟରେ ହୋଇଥାଏ, ତାହାକୁ ‘ନର୍ମାଲ୍’ ବୃଷ୍ଟିପାତ ରୂପେ ଅଭିହିତ କରାଯାଇଥାଏ। ‘ଆଇଏମ୍ଡି’ର ପୂର୍ବାନୁମାନ ଅନୁସାରେ ଏଥର ମୌସୁମୀ ବୃଷ୍ଟିପାତ ଏହି ଦୀର୍ଘକାଳୀନ ହାରାହାରିର ୧୦୫ ଶତାଂଶ ହେବ ବୋଲି ଆଶା କରାଯାଉଥିବାବେଳେ ‘ସ୍କାଏମେଟ୍’ ଅନୁସାରେ ଏହା ୧୦୩ ଶତାଂଶ ହେବାକୁ ଯାଉଛି ବୋଲି ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୩ରେ ଏଇ ଋତୁରେ ସ୍ବାଭାବିକ ଠାରୁ କମ୍ ବା ‘ବିଲୋ-ନର୍ମାଲ୍’ ବୃଷ୍ଟିପାତ ଘଟିବା ପରେ ୨୦୨୪ରେ ଏହା ‘ଏବଭ୍-ନର୍ମାଲ୍’ ହୋଇଥିଲା। ଏଣୁ ଯଦି ଏଥର ‘ଆଇଏମ୍ଡି’ର ପୂର୍ବାନୁମାନ ଠିକ୍ ହୁଏ, ତେବେ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଦେଶରେ ଖରିଫ୍ ଋତୁରେ ‘ଏବଭ୍-ନର୍ମାଲ୍’ ମୌସୁମୀ ବୃଷ୍ଟିପାତ ଘଟିବାକୁ ଯାଉଛି। ଯେହେତୁ ନିରନ୍ତର ଉନ୍ନତି ଘଟି ‘ଆଇଏମ୍ଡି’ର ପୂର୍ବାନୁମାନ ଅଧିକରୁ ଅଧିକ ତ୍ରୁଟିଶୂନ୍ୟ ହେବାରେ ଲାଗିଛି, ଏବଂ ଗତ ବର୍ଷ ମଧ୍ୟ ଏହାର ପୂର୍ବାନୁମାନ ସତ ହେବା ଦେଖାଯାଇଥିଲା, ଅାସନ୍ତା ଖରିଫ୍ ଋତୁରେ ମଧ୍ୟ ଦେଶରେ ଭଲ ବର୍ଷା ହେବାକୁ ଯାଉଛି ବୋଲି ବିଶ୍ବାସ କରାଯାଇପାରେ।
୨୦୨୩ରେ ମୌସୁମୀ ବୃଷ୍ଟିପାତ ମାତ୍ରା ସ୍ବାଭାବିକ ଠାରୁ କମ୍ ହେବାର ଯାହା ଥିଲା କାରଣ, ଏଥର ତାହାର ଅନୁପସ୍ଥିତି ଯୋଗୁଁ ବୃଷ୍ଟିପାତ ଏପରି ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି କାରଣ ଥିଲା ‘ଏଲ୍ ନିନୋ’, ଯାହାର ପ୍ରଭାବରେ କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗରର କ୍ରାନ୍ତିମଣ୍ଡଳୀୟ ଜଳରାଶିର ଉପରିଭାଗ ଉତ୍ତପ୍ତ ହୋଇ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ଦୁର୍ବଳ କରିଦେଇଥାଏ। ଏଥର ଅନୁମାନ କରାଯାଉଛି ଯେ ପ୍ରଶାନ୍ତ ମହାସାଗରର ସେଇ ଅଂଶର ଜଳାରାଶିର ତାପମାତ୍ରାରେ ବୃଦ୍ଧି କିମ୍ବା ହ୍ରାସ ନ ଘଟି ତାହା ସ୍ବାଭାବିକ ଅବସ୍ଥାରେ ରହିବ। ଏହି ଋତୁରେ ପୂର୍ବ ଓ ପଶ୍ଚିମ ଭାରତ ମହାସାଗରର ଜଳରାଶିର ଉପର ଭାଗର ତାପମାତ୍ରାରେ ମଧ୍ୟ କୌଣସି ଅସ୍ବାଭାବିକ ହ୍ରାସ କିମ୍ବା ବୃଦ୍ଧି ଘଟିବ ନାହିଁ ବୋଲି ଆଶା କରି ‘ଆଇଏମ୍ଡି’ ତା’ର ପୂର୍ବାନୁମାନ ପ୍ରସ୍ତୁତ କରିଛି। ଏଥିସହିତ ଇଉରେସୀୟ ତୁଷାରପାତ ମଧ୍ୟ ମୌସୁମୀ ପ୍ରବାହକୁ ପ୍ରଭାବିତ କରୁଥିବାରୁ ‘ଆଇଏମ୍ଡି’ର ପୂର୍ବାନୁମାନ ତାହାକୁ ମଧ୍ୟ ବିଚାରକୁ ନେଇଛି। ତୁଷାର ଆସ୍ତରଣରେ ଅସ୍ବାଭାବିକ ବୃଦ୍ଧି ମୌସୁମୀକୁ ଦୁର୍ବଳ କରିଥାଏ ଓ ସେଥିରେ ହ୍ରାସ ମୌସୁମୀକୁ ସବଳ କରିଥାଏ। ଚଳିତ ବର୍ଷର ପ୍ରଥମ ଚଉଠରେ ଏହି ତୁଷାର ଆସ୍ତରଣ ସ୍ବାଭାବିକ ଠାରୁ କମ୍ ହୋଇଥିବାରୁ ତାହା େମୗସୁମୀକୁ ସହାୟକ ହେବ ବୋଲି ଅନୁମାନ କରାଯାଉଛି।
ତେବେ ମୌସୁମୀର ବଦାନ୍ୟତା ସତ୍ତ୍ବେ ଲାଦାଖ୍, ଉତ୍ତର-ପୂର୍ବାଞ୍ଚଳ ଓ ତାମିଲନାଡୁ ଯଥେଷ୍ଟ ବୃଷ୍ଟିପାତରୁ ବଞ୍ଚିତ ହେବେ ବୋଲି ଅନୁମାନ କରାଯାଉଛି। ‘ସ୍କାଏମେଟ୍’ ଅନୁସାରେ ଖରିଫ୍ ଋତୁର ପ୍ରଥମାର୍ଦ୍ଧରେ ବୃଷ୍ଟିପାତ କମ୍ ଏବଂ ଦ୍ବିତୀୟାର୍ଦ୍ଧରେ ଅଧିକ େହବାର ସମ୍ଭାବନା ରହିଛି। ଏହା ଅର୍ଥନୀତି ପାଇଁ ଚିନ୍ତାର ବିଷୟ ହୋଇପାରେ। କାରଣ ଖରିଫ୍ ଋତୁର ଆରମ୍ଭ ଜୁନ୍, ଜୁଲାଇ ହେଉଛି ଧାନ, ମୋଟା ଶସ୍ୟ, ଡାଲିଜାତୀୟ ଶସ୍ୟ, ସୋୟାବିନ୍ ଆଦିର ବିହନ ବୁଣାଯିବାର ସମୟ। ଏହି ସମୟରେ ବୃଷ୍ଟିପାତ ଯଥେଷ୍ଟ ନ ହେଲେ ଶେଷରେ ଅମଳ ବାଧାପ୍ରାପ୍ତ ହୋଇଥାଏ। ଏଣୁ ହାରାହାରି ମୌସୁମୀ ବୃଷ୍ଟିପାତ ସ୍ବାଭାବିକ ଠାରୁ ମଧ୍ୟ ଅଧିକ ହେବାକୁ ଯାଉଥିଲେ ହେଁ ସେଥିରେ ଯଦି କାଳଗତ ବଣ୍ଟନରେ ବୈଷମ୍ୟ ଦେଖାଦିଏ, କୃଷି ଉତ୍ପାଦନ ଆଶାଜନକ ନ ହେବାର ସମ୍ଭାବନା ଥାଏ। ୨୦୨୪ରେ ମୌସୁମୀ ବୃଷ୍ଟିପାତ ଉଭୟ ଦୃଷ୍ଟିରୁ ସନ୍ତୋଷଜନକ ହୋଇଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନରେ ୬.୮ ଶତାଂଶ ବୃଦ୍ଧି ଘଟିବା ଦେଖାଯାଇଥିଲା।
ଏଥର ଯଦି ମଧ୍ୟ ବୃଷ୍ଟିପାତ ସନ୍ତୋଷଜନକ ହୁଏ ଏବଂ ତାହାର ବଣ୍ଟନରେ ଅତିରିକ୍ତ ବୈଷମ୍ୟ ଦେଖା ନ ଯାଏ, ତେବେ ଦେଶରେ ଖାଦ୍ୟ ଉତ୍ପାଦନ ସନ୍ତୋଷଜନକ ହେବାର ଦୃଢ଼ ସମ୍ଭାବନା ରହିଛି, ଯାହା ଅର୍ଥନୀତି ପାଇଁ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ପ୍ରଚୁର ଖାଦ୍ୟ ଉତ୍ପାଦନ ଯୋଗୁଁ ଖାଦ୍ୟ ମୁଦ୍ରାସ୍ଫୀତି ନୀଚା ହେବ, ଯାହାର ପ୍ରଭାବରେ ଖାଉଟି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ରହିବ। ଖାଉଟି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ୍ର ସୁଧ ନୀତିକୁ ପ୍ରଭାବିତ କରିଥାଏ। ଖାଉଟି ମୁଦ୍ରାସ୍ଫୀତି ନିରାପଦ ସୀମା ମଧ୍ୟରେ ରହିଲେ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ହ୍ରାସ ଘଟାଇବା ପଥରେ ରହିଥିବା କୁଣ୍ଠା ଦୂର ହେବ। ନିବେଶ ଓ ଅଭିବୃଦ୍ଧିକୁ ସହାୟକ ହେବା ପାଇଁ ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ହ୍ରାସ ଘଟାଇବ। ସନ୍ତୋଷଜନକ କୃଷି ଉତ୍ପାଦନ ଯୋଗୁଁ ଗ୍ରାମାଞ୍ଚଳରେ ଆୟ ବୃଦ୍ଧି ଘଟିବ, ଯାହା ଗ୍ରାମାଞ୍ଚଳ ଖାଉଟି ଚାହିଦାରେ ବୃଦ୍ଧି ଘଟାଇ ଶିଳ୍ପ ଉତ୍ପାଦନ ପାଇଁ ବଜାର ଯୋଗାଇବ। ଏ ସମସ୍ତର ମିଳିତ ପ୍ରଭାବରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ତ୍ବରାନ୍ବିତ ହେବ। ତେବେ ଏ ସୁନେଲି ସ୍ବପ୍ନ ସତ ହେବ କି ନାହିଁ ତାହା ଶେଷରେ ମନୋଇ ମୌସୁମୀର ମୁଡ୍ ଉପରେ ନିର୍ଭର କରେ।