ଭାରତୀୟମାନେ କଥା କଥାକେ ବୁଦ୍ଧ ଓ ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟାନ୍ତ ପ୍ରଦାନ କରନ୍ତି, ଯେଉଁ ବୁଦ୍ଧ ଈଶ୍ବର ଉପାସନା ପରିବର୍ତ୍ତେ ସତ୍‌ କର୍ମ ଓ ସଦାଚାର ଉପରେ ସର୍ବାଧିକ ମହତ୍ତ୍ବ ଦେଇଥିଲେ ଓ ଯେଉଁ ଗା‌ନ୍ଧୀ ସେଭଳି ‘ତତ୍ତ୍ବ’କୁ କାର୍ଯ୍ୟରେ ପ୍ରୟୋଗ କରି ସତ୍ୟାଗ୍ରହର ସୂତ୍ରପାତ ଘଟାଇଥିଲେ। କିନ୍ତୁ ବିଡ଼ମ୍ବନା ହେଲା, ସଂପ୍ରତି ଘଟୁଥିବା ଅନେକ ଘଟଣା ପରିପ୍ରେକ୍ଷୀରେ ଗାନ୍ଧୀ ବା ବୁଦ୍ଧ ବେଳେ ବେଳେ ଉଦାହରଣୀୟ ଭାରତୀୟ ଭାବେ ନୁହେଁ, ବରଂ ବ୍ୟତିକ୍ରମ ଭାରତୀୟଙ୍କ ଭଳି ଦିଶନ୍ତି।

Advertisment

ଗଲା ଗୁରୁବାର ଦିନ ଏକ ଦୟନୀୟ ଦୃଶ୍ୟ ସଂବଳିତ ଭିଡିଓ ଭାଇରାଲ ହୋଇ ଅନେକ ଭାରତୀୟଙ୍କୁ ଲଜ୍ଜିତ କରିଛି। କେବଳ ସେତିକି ନୁହେଁ, ସଂପ୍ରତି ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟମାନଙ୍କ ବିଧିବଦ୍ଧ ଗଣ ବହିଷ୍କାର ହେତୁ ଦ୍ବି-ରାଷ୍ଟ୍ରୀୟ ସଂପର୍କ ଯେଉଁ ସ୍ପର୍ଶକାତରତା ମଧ୍ୟ ଦେଇ ଗତି କରୁଛି, ସେହି ଦୃଷ୍ଟିରୁ ଏହି ଘଟଣାଟି ଗୁରୁତର ମଧ୍ୟ, ଯଦିଓ ଅନେକ ଭାରତୀୟଙ୍କ ବିଚାରରେ ଏହା ହୋଇପାରେ ଏକ ସାମାନ୍ୟ ଭୁଲ୍‌ ମାତ୍ର! ପ୍ରକାଶ ଥାଉ କି ଘଟଣାଟି ଗଲା ମଇ ମାସର ଘଟିଥିଲା, ଅଥଚ ଭିଡିଓଟି ଏଇ ମାତ୍ର ଦୁଇ ଦିନ ହେବ ଭାଇରାଲ ହୋଇ ଧାରଣା ସୃଷ୍ଟି କରିଛି ଯେ ଏହା ସଦ୍ୟ ଘଟିତ! ସମ୍ଭବତଃ ସେହି କାରଣରୁ ଭାରତସ୍ଥିତ ଆମେରିକୀୟ ରାଷ୍ଟ୍ରାବାସ ପକ୍ଷରୁ ଗଲା ଗୁରୁବାର ସଂଧ୍ୟାରେ ହିଁ ଚେତାବନୀ ପ୍ରଦାନ କରାଯାଇଛି ଯେ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନେ ସେଠାରେ ସେ ଦେଶର ନିୟମ ବା ଆଇନର ସାମନ୍ୟ ଉଲ୍ଲଂଘନ କଲେ ଭିସା ଓ ଭବିଷ୍ୟତରେ ଆମେରିକା ପ୍ରବେଶର ଅଧିକାରକୁ ଚିର ଦିନ ଲାଗି ହରାଇ ଦେଇ ପାରନ୍ତି। ଏଭଳି ସ୍ଥିତିରେ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ଉଲ୍ଲେଖଯୋଗ୍ୟ ଯେ ଅଳ୍ପ କିଛି ମିନିଟର ଶଂସିତ ଭିଡିଓଟି ଆମେରିକୀୟ ପୁଲିସଙ୍କ ପୋଷାକରେ ଖଂଜା ‘ବଡି କ୍ୟାମ’ ଦ୍ବାରା ଉତ୍ତୋଳିତ, ଯହିଁରେ ଜଣେ ଭାରତୀୟ ମହିଳା ପୁଲିସ ସମ୍ମୁଖରେ ତର୍କ, ଅନୁରୋଧ, ବିନତି, ଦୁଃଖ-ପ୍ରକାଶ ଆଦିରେ ନିମଗ୍ନ, କାରଣ ସେଠାକାର ଗୋଟିଏ ଡିପାର୍ଟମେଣ୍ଟାଲ ଷ୍ଟୋରରୁ ପ୍ରାୟ ୧୩୦୦ ଡଲାର ମୂଲ୍ୟର ଜିନିଷ ଲୁଚାଇ ନେଇ ଯାଉଥିବା ଅଭିଯୋଗରେ ବ୍ୟବସାୟ ପ୍ରତିଷ୍ଠାନର କର୍ମଚାରୀଙ୍କ ହାତରେ ଧରା ପଡ଼ି ସେ ଅଗତ୍ୟା ନିଜକୁ ପୁଲିସ ହେପାଜତରେ ଆବିଷ୍କାର କରିଛନ୍ତି। ପ୍ରକାଶ ଥାଉ କି ଆମେରିକାର ନିୟମାନୁସାରେ ୩୦୦ ଡଲାରରୁ ଅଧିକ ମୂଲ୍ୟର ଦ୍ରବ୍ୟକୁ ଅନଧିକାର ଭାବେ ‌କୌଣସି ଦୋକାନରୁ ଉଠାଇ ନେବା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥାଏ। କହିବା ବାହୁଲ୍ୟ ଯେ ସଂପୃକ୍ତ ମହିଳାଙ୍କ ବ୍ୟକ୍ତିତ୍ବ ଏବଂ ତାଙ୍କ ମୁଖ ନିସୃତ ଅନର୍ଗଳ ଇଂରେଜୀରୁ ତାଙ୍କ ଉଚ୍ଚ ଶିକ୍ଷା ଏବଂ ସାଂଭ୍ରାନ୍ତ୍ୟ ବିଷୟ ସ୍ପଷ୍ଟ! ଭାରତରେ ସମତୁଲ ଘଟଣାଟିଏ ଘଟିଲେ ଏହି କିସମର ବ୍ୟକ୍ତିମାନେ ସାଧାରଣତଃ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରନ୍ତି, ମହିଳା ଜଣକ ତତ୍ତୁଲ୍ୟ କରିଥିଲେ; ଅର୍ଥାତ୍‌, ପ୍ରଥମେ ଦାମ୍ଭିକ ଅସ୍ବୀକାର, ତା’ ପରେ ଯୁକ୍ତି, ତହିଁରେ ମୁକ୍ତି ନ ମିଳିଲାରୁ ପ୍ରଚୁର ଦୁଃଖ ପ୍ରକାଶ ସହିତ ଦ୍ରବ୍ୟଗୁଡ଼ିକର ପୂର୍ଣ୍ଣ ମୂଲ୍ୟ ପଇଠର ସୁଯୋଗ ଲାଗି ବିନତି! ପୁଲିସ ହାତକୁ ଯିବା ପରେ ମୁକ୍ତି ପାଇବା ସକାଶେ ଏକ ବ୍ରହ୍ମାସ୍ତ୍ର ଭାବେ ଅଗତ୍ୟା ଭାରତରେ ସେ ଯାହା ପ୍ରୟୋଗ କରନ୍ତେ, ତାହା ସୌଭାଗ୍ୟକୁ ସେଠାରେ କରି ନ ଥିଲେ, ନଚେତ ଉତ୍କୋଚ ଯାଚିବାର ଅତିରିକ୍ତ ଦୋଷ ତାଙ୍କ ଅପରାଧକୁ ଅଧିକ ଗୁରୁତର କରି ପକାନ୍ତା! ଅବଶ୍ୟ ଅନେକ ପାଠକପାଠିକା କହି ପାରନ୍ତି ଯେ ମହିଳା ଜଣକ ଭାରତୀୟ ହୋଇଥିବାରୁ ଶ୍ବେତାଙ୍ଗ ଆମେରିକୀୟ ପୁଲିସଙ୍କ ମାତ୍ରାଧିକ କଠୋରତା ସେମାନଙ୍କ ବର୍ଣ୍ଣ ବୈଷମ୍ୟବାଦୀ ମାନସିକତାକୁ ଦର୍ଶାଇଥାଏ। ଏହି ତର୍କକୁ ସ୍ବୀକାର କଲେ ସୁଦ୍ଧା ଏହା ତାଙ୍କୁ ଦୋଷମୁକ୍ତ କରି ନଥାଏ। ଏବଂ ବିଡ଼ମ୍ବନାଟି ହେଲା ‘ଅଭାବେ ସ୍ବଭାବ ନଷ୍ଟ’ ଭଳି ଆପ୍ତ ବାକ୍ୟକୁ ଭୁଲ୍‌ ବୋଲି ସାବ୍ୟସ୍ତ କରି ଅନେକ ଉଚ୍ଚ ଶିକ୍ଷିତ, ବିତ୍ତଶାଳୀ, ପ୍ରତିଷ୍ଠିତ ଏପରିକି ଯଶଧାରୀ ଭାରତୀୟ ଏଭଳି କ୍ଷୁଦ୍ରତା ପ୍ରଦର୍ଶନ କରନ୍ତି। ଉଦାହରଣ ସ୍ବରୂପ ଭାରତର ପଞ୍ଚ-ତାରକା ହୋଟେଲରେ ରହୁଥିବା ବ୍ୟକ୍ତିମାନେ ହୋ‌ଟେଲ ପ୍ରକୋଷ୍ଠରୁ ମୂଲ୍ୟବାନ ତଉଲିଆ ଅନଧିକାର ଭାବେ ନେଇ ଯାଉଥିବା ଏକ ନିତ୍ୟ ନୈମିତ୍ତିକ ବ୍ୟାପାର। ଚଣ୍ଡୀଗଡ଼ସ୍ଥିତ ଜେ.ଡବ୍ଲ୍ୟୁ ମାରିଅଟ୍‌ ହୋଟେଲ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁସାରେ ଏହା ମାସକୁ ହାରାହାରି ଦଶଟି ତଉଲିଆ ହରାଇଥାଏ, ଯେଉଁଠି ପ୍ରତିଟି ତଉଲିଆର ଦାମ ପ୍ରାୟ ଦୁଇ ହଜାର ଟଙ୍କା। ଉଚ୍ଚ ଶିକ୍ଷିତ ଓ ସଂଭ୍ରାନ୍ତଙ୍କ ଦ୍ବାରା ହେଉଥିବା ନିୟମ ଭଙ୍ଗକାରୀ କାର୍ଯ୍ୟଗୁଡ଼ିକରୁ ଏହା କେବଳ ଗୋଟିଏ ଦୃଷ୍ଟାନ୍ତ ମାତ୍ର, କିନ୍ତୁ ଏହା ସମସ୍ତଙ୍କ ଲାଗି ଆତ୍ମ ଅବଲୋକନର କ୍ଷଣ ସୃଷ୍ଟି କରିଥାଏ। 
ଏବଂ ଆତ୍ମ ଅବଲୋକନରୁ ଦିଶିଥାଏ ଯେ ଉଚ୍ଚଶିକ୍ଷା, ସଫଳତା ଓ ପ୍ରତିଷ୍ଠା ଇତ୍ୟାଦିର ଅଧିକାରୀ ଅଧିକାଂଶ ଭାରତୀୟ ବିନମ୍ର ଓ ସଂଭ୍ରମ ହେବା ବଦଳରେ ଅହମିକାଗ୍ରସ୍ତ ହୁଅନ୍ତି, ଯାହା ଟ୍ରାଫିକ ନିୟମ ଲଂଘନରୁ ଆରମ୍ଭ କରି ବିମାନ ବନ୍ଦରରେ ତନଖି ବେଳ ଉଦ୍ଦଣ୍ଡତା ସୃଷ୍ଟି ପର୍ଯ୍ୟନ୍ତ କାର୍ଯ୍ୟରେ ପ୍ରଦର୍ଶିତ ହୋଇଥାଏ। ୨୦୨୧ ମସିହାରେ ‌େହାଇଥିବା ଏକ ସର୍ବେକ୍ଷଣ କହିଥିଲା ଯେ ପୁଣେ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀମାନଙ୍କ ମଧ୍ୟରୁ ୭୫%ରୁ ଅଧିକ ଥିଲେ ଉଚ୍ଚ ଶିକ୍ଷିତ, ଯେଉଁମାନଙ୍କ ମଧ୍ୟରୁ ଅନେକ ସିଟ୍‌ ବେଲ୍‌ଟ ବାନ୍ଧିବାକୁ ନାପସନ୍ଦ କରନ୍ତି ବୋଲି ସେହି ନିୟମକୁ ଅମାନ୍ୟ କରୁଥିଲେ ଏବଂ ଧରା ପଡ଼ିଲେ ଉତ୍କୋଚ ଦେଇ ଖସିଯିବା ସମ୍ଭବ ବୋଲି ସୁନିଶ୍ଚିତ ଥିଲେ। ଏଥିରୁ ସୃଷ୍ଟ ଦ୍ବିତୀୟ ଉପପାଦ୍ୟଟି ହେଲା ସରକାରୀ କର୍ମଚାରୀମାନେ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରି ଉତ୍କୋଚ ‘ନେଉଥିବା ହାତ’ ଆଡ଼କୁ ନିର୍ଦୟ ଦୃଷ୍ଟିରେ ଦେଖୁଥିବା ଆମ ଭଳି ଅସଂଖ୍ୟ ଭାରତୀୟ ନିଜର ‘ଉତ୍କୋଚ ଦେଉଥିବା ହାତ’କୁ ନିର୍ଦ୍ବନ୍ଦ୍ବରେ କ୍ଷମା ପ୍ରଦାନ କରି ଦିଅନ୍ତି, ଯଦିଓ ‘ଦେଉଥିବା ହାତ’ ସମ ପରିମାଣରେ ଦୋଷୀ! କେବଳ ସେତିକି ନୁହେଁ, କୌଣସି ଦୋଷ ବା ଆଇନ ଉଲ୍ଲଂଘନକାରୀ କାର୍ଯ୍ୟ କଲା ପରେ ତା’ ସହିତ ସଂଯୋଜିତ ଦଣ୍ଡରୁ ଖସି ଯିବା ଲାଗି ‘ଉତ୍କୋଚ ଦେବା’ ଭଳି ପ୍ରକରଣ ‘ଦେଉଥିବା’ ବ୍ୟକ୍ତିର ଅପରାଧକୁ ଦ୍ବିଗୁଣିତ କରିଥାଏ; କିନ୍ତୁ ଦୁର୍ଭାଗ୍ୟ, ଅଧିକାଂଶ ଭାରତୀୟଙ୍କ ବିଚାରରେ ଏହା ଅତ୍ୟନ୍ତ ସାଧାରଣ, ଦୋଷ ବିବର୍ଜିତ ଏପରି କି କେତେକ ସ୍ଥଳେ ସାମର୍ଥ୍ୟର ଚିହ୍ନ ମଧ୍ୟ! ସୁତରାଂ, ଏଥିରୁ ନିସୃତ ତୃତୀୟ ଉପପାଦ୍ୟଟି ହେଲା, କେବଳ ସରକାରୀ କର୍ମଚାରୀ ଓ ରାଜନେତାମାନେ ନୁହନ୍ତି, ଆମ ଭଳି ଅଧିକାଂଶଙ୍କ ଭିତରେ ଦୁର୍ନୀତିର କ୍ଷୁଦ୍ର ବୀଜ ସନ୍ତର୍ପଣରେ ରହିଥା‌ଏ, ଯାହା ନିଷ୍ଠାର ସହିତ କାର୍ଯ୍ୟ ନ କରିବା, ସମୟାନୁବର୍ତ୍ତୀ ନ ହେବା ଆଦିରୁ ଆରମ୍ଭ କରି ସଡ଼କ ନିୟମ ଭାଙ୍ଗିବା, ଜିନିଷ ବିକ୍ରି କଲା ବେଳେ ଓଜନରେ ଠକିବା, ଅପମିଶ୍ରଣ କରିବା, ସୁଯୋଗ ପାଇ‌େଲ ଦୋକାନ, ପର ବାରି ଏପରିକି ସଡ଼କର ବତି ଖୁଣ୍ଟରୁ ଯାହା ସହଜ ଲଭ୍ୟ, ତାକୁ ଅନଧିକାର ଭାବେ ନେଇଯିବା ପର୍ଯ୍ୟନ୍ତ ଅସୁମାରି ଦୈନନ୍ଦିନ କାର୍ଯ୍ୟରେ ତା’ର ଅସ୍ତିତ୍ବ ସୂଚାଉଥାଏ ଏବଂ ସୁବିଧା ବା ସୁଯୋଗ ପାଇଲେ ଅଚିରେ ଏକ ଦ୍ରୁମରେ ପରିଣତ ହୋଇଥାଏ! ଏହି କାରଣରୁ ବିଦେଶରେ ଭାରତର ପ୍ରଗତି ଓ ଭାରତୀୟମାନଙ୍କ ବିଚକ୍ଷଣତାକୁ ସ୍ବୀକାର କରାଯାଉଥିବା ବେଳେ ଏକ ଧାରଣା ମଧ୍ୟ ବଦ୍ଧମୂଳ ଯେ ଦୁର୍ନୀତି ଭାରତୀୟମାନଙ୍କ ଡିଏନଏର ଏକ ଅଂଶ! ସେହି କାରଣରୁ ବିଦେଶ ଭୂମିରେ ଭାରତୀୟମାନଙ୍କ ଦ୍ବାରା ଅସଂଗତ କାର୍ଯ୍ୟମାନ ସେହି ଧାରଣାକୁ କେବଳ ସୁଦୃଢ଼ କରି ଚାଲିଥାଏ।
୧୯୭୪ ମସିହାରେ ଭାରତୀୟ କ୍ରିକେଟ୍‌ ଦଳ ଇଂଲାଣ୍ଡ ଗସ୍ତରେ ଯାଇ ତିନିଟି ଯାକ ଟେଷ୍ଟରେ ପରାଜିତ ହେବା ଠାରୁ ଅଧିକ ଗ୍ଳାନିକର ହୋଇଥିଲା, ସୁଧୀର ନାଏକ ନାମକ ଭାରତୀୟ କ୍ରିକେଟ୍‌ ଦଳର ଜନୈକ ସଦସ୍ୟ ଗୋଟିଏ ଦୋକାନରୁ ହଳେ ମୋଜା ଚୋରି କରୁଥିବା ବେଳେ ଧରା ପଡ଼ିଯିବା। ଏହି ଘଟଣା ସେ ସମୟରେ ତୁମୂଳ ଆଲୋଡ଼ନ ସୃଷ୍ଟି କରିଥିଲା। ଅବସୋସ, ସେହି ଧାରା ଏ ଯାବତ୍‌ ଅବ୍ୟାହତ ରହିଛି। ଏବଂ ବିଦେଶରେ ଭାରତର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଥିବା ଏଭଳି ବ୍ୟକ୍ତିମାନଙ୍କ ସକାଶେ ସେଠାରେ ରହୁଥିବା ଭାରତୀୟମାନେ କ୍ରମେ ଅଧିକ ସନ୍ଦିଗ୍‌ଧ ହୋଇ ଉଠିଲେଣି। ‌େସହି ଦୃଷ୍ଟିରୁ ବିଦେଶରେ ଆମମାନଙ୍କ ଆଚରଣ ଯେ ଅଧିକ ସଂଭ୍ରମ ଓ ସଂଯମଶୀଳ ହେବା ଜରୁରି, ତାହା କହିବା ବାହୁଲ୍ୟ ମାତ୍ର। ଭାରତୀୟମାନେ କଥା କଥାକେ ବୁଦ୍ଧ ଓ ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟାନ୍ତ ପ୍ରଦାନ କରନ୍ତି, ଯେଉଁ ବୁଦ୍ଧ ଈଶ୍ବର ଉପାସନା ପରିବର୍ତ୍ତେ ସତ୍‌ କର୍ମ ଓ ସଦାଚାର ଉପରେ ସର୍ବାଧିକ ମହତ୍ତ୍ବ ଦେଇଥିଲେ ଓ ଯେଉଁ ଗା‌ନ୍ଧୀ ସେଭଳି ‘ତତ୍ତ୍ବ’କୁ କାର୍ଯ୍ୟରେ ପ୍ରୟୋଗ କରି ସତ୍ୟାଗ୍ରହର ସୂତ୍ରପାତ ଘଟାଇଥିଲେ। କିନ୍ତୁ ବିଡ଼ମ୍ବନା ହେଲା, ସଂପ୍ରତି ଘଟୁଥିବା ଅନେକ ଘଟଣା ପରିପ୍ରେକ୍ଷୀରେ ଗାନ୍ଧୀ ବା ବୁଦ୍ଧ ବେଳେ ବେଳେ ଉଦାହରଣୀୟ ଭାରତୀୟ ଭାବେ ନୁହେଁ, ବରଂ ବ୍ୟତିକ୍ରମ ଭାରତୀୟଙ୍କ ଭଳି ଦିଶନ୍ତି।