ଏହା ସତ ଯେ ‘ୟୁ.ଏସ୍‌. ଏଡ୍‌’ ବନ୍ଦ ହୋଇଗଲେ ଅନେକ ଦରିଦ୍ର ରାଷ୍ଟ୍ର, ବିଶେଷତଃ ‘ଉପସାହରୀୟ’ ରାଷ୍ଟ୍ରଗୁଡ଼ିକ ଗଭୀର ଭାବେ ଆକ୍ରାନ୍ତ ହେବେ। କିନ୍ତୁ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତି ରୂପେ ଦଣ୍ଡାୟମାନ ଭାରତ ଏହା ଦ୍ବାରା ଆକ୍ରାନ୍ତ ହେବାର କୌଣସି କାରଣ ନାହିଁ। ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ଟ୍ରମ୍ପ ନିଷ୍ପତ୍ତି ନେବା ପୂର୍ବରୁ ହିଁ ଭାରତ ପକ୍ଷରୁ ଏଭଳି ହାତ ଟେକା ଦାନକୁ ଅସ୍ବୀକାର କରି ଦିଆଯିବା ଉଚିତ ହୋଇଥାଆନ୍ତା!

Advertisment

ଗଲା କିଛି ଦିନ ଧରି ଯେଉଁ ବିଷୟଟି ଭାରତୀୟ ରାଜନୀତିରେ ତୁମୂଳ ଝଡ଼ ସୃଷ୍ଟି କରିଛି, ତାହା‌ ହେଲା ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଦ୍ବାରା ପ୍ରଦତ୍ତ ବକ୍ତବ୍ୟ ଯେ ଭାରତୀୟ ନିର୍ବାଚନ‌ ପ୍ରକ୍ରିୟାକୁ ପ୍ରଭାବିତ କରିବା ଲାଗି ‘ୟୁ.ଏସ. ଏଡ୍‌’ରୁ ୧୨୧ ନିୟୁତ ଡଲାରର ଅର୍ଥ ସ୍ରୋତ ପ୍ରବାହିତ ହୋଇଛି। ଏଭଳି ଏକ ଘୋର ଉଦ୍‌ବେଗଜନକ ମନ୍ତବ୍ୟ ଦ୍ବାରା ସମଗ୍ର ଦେଶ ଆଲୋଡ଼ିତ ହେବା ସ୍ବାଭାବିକ, କାରଣ ତାହା ସୂଚାଇଥାଏ ଯେ ଆମ ଶାସନ ବ୍ୟବସ୍ଥା ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ହେଉଛି, ଯାହା ରାଷ୍ଟ୍ରର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଏକ ବିପଦ। କିନ୍ତୁ ବିଡ଼ମ୍ବନା ହେଲା ଏହି ମଞ୍ଜ ପ୍ରସଙ୍ଗକୁ ଘେନି ଗମ୍ଭୀର ଆଲୋଚନା କରିବା ପରିବର୍ତ୍ତେ ଆମ ରାଜନୈତିକ ଦଳଗୁଡ଼ିକ ଅର୍ବାଚୀନସୁଲଭ ଆଚରଣ ଦେଖାଇ ପରସ୍ପର ଉପରକୁ କର୍ଦ୍ଦମ ନିକ୍ଷେପ କରି ସଭିଏଁ ପଙ୍କସ୍ନାନ କରିବାରେ ବ୍ୟାପୃତ। ଏଭଳି ସ୍ଥଳେ ଏକ ନୂତନ ଘଟଣାକ୍ରମରେ ଇଂରେଜୀ ଦୈନିକ ‘ଦ ଇଣ୍ଡିଆନ ଏକ୍‌ସପ୍ରେସ’ ପ‌କ୍ଷରୁ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ସମ୍ବାଦ କହିଲାଣି ଯେ ଟ୍ରମ୍ପ ଇଙ୍ଗିତ କରିଥିବା ସେହି ଅର୍ଥ ରାଶି ପ୍ରକୃତରେ ‘ଦିଲ୍ଲୀ’ ଅର୍ଥାତ୍ ଭାରତ ନ ଆସି ପ୍ରକୃତରେ ଯାଇଛି ‘ଢାକା’, ଅର୍ଥାତ୍‌ ବାଂଲାଦେଶକୁ; ସୁତରାଂ, ଟ୍ରମ୍ପଙ୍କ ମନ୍ତବ୍ୟ ପ୍ରମାଦପୂର୍ଣ୍ଣ! ଏଭଳି ସ୍ଥଳେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆକ୍ଷେପ ଓ ପ୍ରତି ଆକ୍ଷେପ ଆହୁରି ତୀବ୍ର ହୋଇଛି ସିନା ମଞ୍ଜ ପ୍ରସଙ୍ଗକୁ ନେଇ ଆଲୋଚନା ପୁଣି ଆଢୁଆଳରେ ରହିଯାଇଛି! ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି ହୋଇଥାଏ।
ମଞ୍ଜ ପ୍ରସଙ୍ଗଟି ହେଲା ଆମ ଦେଶର ରାଜନୈତିକ ଦଳଗୁଡ଼ିକ କ’ଣ ପରସ୍ପରକୁ ସର୍ବନିମ୍ନ ବିଶ୍ବାସ କରନ୍ତି ନାହିଁ ଯେ କ୍ଷମତା ହାସଲ କରିବା ସକାଶେ ଦେଶର ସର୍ବଭୌମତ୍ବ ଓ ଅନ୍ତରୀଣ ସୁରକ୍ଷାକୁ ପ୍ରଭାବିତ କରିବା ଲାଗି ବାହ୍ୟ ଶକ୍ତିକୁ ପ୍ରଶ୍ରୟ ଦେଉଥିବା ବିଷୟ ନେଇ ଉଭୟ ପକ୍ଷ ପରସ୍ପର ପ୍ରତି ଆରୋପ ଲଗାଇ‌େବ! ସୁରକ୍ଷାକୁ ବଳି ପକାଇବାକୁ ଉଦ୍‌ଗ୍ରୀବ! ଭାରତର ଅତ୍ୟନ୍ତ ସୁଦୃଢ଼ ଗଣତନ୍ତ୍ରରେ ଏଭଳି ହସ୍ତକ୍ଷେପ ଯେ ସମ୍ଭବ ନୁହେଁ, ସେହି ସାମନ୍ୟ ଧାରଣା କାହିଁକି ଆମ ରାଜନୈତିକ ଦଳଗୁଡ଼ିକ ପୋଷଣ କରନ୍ତି ନାହିଁ! ଉଭୟ ପକ୍ଷ ପରସ୍ପରକୁ ବିଦେଶୀ ଏଜେଣ୍ଟ ବୋଲି ସାବ୍ୟସ୍ତ କରିବାର ଉଚ୍ଚାଟରେ କେଉଁ ଗୌରବ ବିଦ୍ୟମାନ! କୁହାଯାଉଛି ଯେ ନିର୍ବାଚନରେ ଅଧିକ ଭୋଟରଙ୍କୁ ଭାଗ ନେବା ଲାଗି ପ୍ରଭାବିତ କରିବାରେ ‘ୟୁ.ଏସ୍‌. ଏଡ୍‌’ ଠାରୁ ମିଳିଥିବା ୧୨୦ ନିୟୁତ ଡଲାର ବ୍ୟୟ କରାଯାଇଥିଲା; ଏବଂ ବିଜେପି ପକ୍ଷଭୁକ୍ତମାନେ କହିଥାଆନ୍ତି ଯେ ଏହା ପଛରେ ଅଭିସନ୍ଧିଟି ଥିଲା ନରେନ୍ଦ୍ର ମୋଦୀଙ୍କୁ କ୍ଷମତା ଆରୋହଣରୁ ଦୂରେଇ ରଖିବା। କିନ୍ତୁ ପାସୋରି ଗଲେ ହେବ ନାହିଁ ଯେ ଭାରତର ଗଲା ନିର୍ବାଚନରେ ବ୍ୟୟ କରାଯାଉଥିବା ଅର୍ଥରାଶିର ପରିମାଣ ଥିଲା ପ୍ରାୟ ୮ ବିଲିଅନ ଡଲାର (୬୪ ହଜାର କୋଟି ଟଙ୍କା), ଯାହା ଆମେରିକାର ନିର୍ବାଚନ ବ୍ୟୟ ଠାରୁ ଅଧିକ ଏବଂ ଏଭଳି ବିଶାଳତା ସମ୍ମୁଖରେ ୧୨୦ ନିୟୁତ ଡଲାର ତୁଚ୍ଛ ଭଳି ଦିଶିଥାଏ। ଏହା ମଧ୍ୟ ସ୍ବୀକାର୍ଯ୍ୟ ଯେ ଭାରତର ଗଣତାନ୍ତ୍ରିକ ଅନ୍ତଃ-ସତ୍ତାକୁ ମ୍ଳାନ କରିବା ଏକ ଦୁଃସାଧ୍ୟ ବ୍ୟାପାର। ଭାରତରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତୀବ୍ର ବିଦ୍ବେଷ ଓ ବିରୋଧ ଥିଲେ ସୁଦ୍ଧା ନିର୍ବାଚନର ଜନାଦେଶକୁ ପ୍ରତ୍ୟେକ ଦଳ ସମ୍ମାନର ସହିତ ଗ୍ରହଣ କରନ୍ତି; ପରାଭବକୁ ଅସ୍ବୀକାର କରି ଟ୍ରମ୍ପଙ୍କ ତୁଲ୍ୟ ସଂସଦ ଗୃହ (କ୍ୟାପିଟଲ ହିଲ୍‌)ରେ ଦଙ୍ଗା କରିବାକୁ ସମର୍ଥକମାନଙ୍କୁ ପ୍ରବର୍ତ୍ତାନ୍ତି ନାହିଁ। କିନ୍ତୁ ଏଣେ ବିଡ଼ମ୍ବନା ହେଲା ବିଜେପି ପକ୍ଷରୁ ନିୟମିତ ଏକ ବ୍ୟାଖ୍ୟାନ ସୃଷ୍ଟି କ‌େରାଯାଇଥାଏ ‌େଯ ଭାରତର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ଲାଗି ‘ତଥାକଥିତ ଉଦାରବାଦୀ’ (ବାମପନ୍ଥୀ ଓ କଂଗ୍ରେସ ଇତ୍ୟାଦି) ରାଜନୈତିକ ଦଳଗୁଡ଼ିକ ପାଶ୍ଚାତ୍ୟ ଗଣମାଧ୍ୟମ ଓ ବିତ୍ତର ସାହାଯ୍ୟ ନିଅନ୍ତି, ଯେମିତି ବିଜେପି ଦୃଷ୍ଟିରେ କଂଗ୍ରେସ ହେଉଛି ଜର୍ଜ ସୋରସଙ୍କ ଏଜେଣ୍ଟ। ପ୍ରକାଶଯୋଗ୍ୟ ଯେ ୨୦୧୪ ମସିହାରେ ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ‘ଏନ.ଜି.ଓ.’ମାନଙ୍କୁ ପ୍ରାପ୍ତ ହେଉଥିବା ବିଦେଶୀ ଅର୍ଥ ସ୍ରୋତକୁ ଅବରୋଧ କରାଯାଇଛି, ସରକାର ବିରୋଧୀ ଜନ ଆନ୍ଦୋଳନଗୁଡ଼ିକୁ ‘ୟୁ.ଏସ୍. ଏଡ୍‌’ ଭଳି ବିଦେଶୀ ଅର୍ଥ ପରିପୁଷ୍ଟ କରୁଛି ବୋଲି ଧାରଣା ସୃଷ୍ଟି କରାଯାଉଛି। କଂଗ୍ରେସ ମଧ୍ୟ ତାହାର ପ୍ରତ୍ୟୁତ୍ତର ସେହି ଯେସାକୁ ତେସା ନୀତିରେ ଦେବାକୁ ପ୍ରଚେଷ୍ଟାରତ। କୌଣସି ଦଳ ସାମନ୍ୟ ପରିପକ୍ବତା ଦେଖାଇ ତହିଁରୁ କ୍ଷାନ୍ତ ରହୁ ନାହାନ୍ତିି କି ଭାବୁ ନାହାନ୍ତି ଯେ ଟ୍ରମ୍ପଙ୍କ ମନ୍ତବ୍ୟମାନ ଅନେକ ସମୟରେ ଅର୍ଦ୍ଧ ସିଦ୍ଧ, ଅର୍ଦ୍ଧ ସତ୍ୟ ଏପରିକି ନିରାଧାର ପର୍ଯ୍ୟାୟର ଏବଂ ତଥ୍ୟ ପ୍ରମାଣ ବିନା ଉଦ୍ଭଟ ଉଚ୍ଚାଟ ସୃଷ୍ଟିରେ ସେ ଧୁରନ୍ଧର! ଅଥବା କୌଣସି ରାଜନୈତିକ ଦଳ ‌ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବକ୍ତବ୍ୟକୁ ସ୍ବାଗତ କରି କହୁ ନାହାନ୍ତି ଯେ ‘ୟୁ.ଏସ୍‌. ଏଡ୍‌’ର ଅର୍ଥସ୍ରୋତର ଗତିକୁ ନେଇ ଏକ ବିଧିବଦ୍ଧ ଅନୁସନ୍ଧାନ ହେଉ। କେବଳ ଶ୍ରୁତିଗୋଚର ହେଉଛି ଅବାଂଛିତ ବାଦାନୁବାଦ ଏବଂ ଅପରକୁ ଖର୍ବକାୟ କରି ନିଜକୁ ଉଚ୍ଚ କରିବାର ବନ୍ଧ୍ୟା ଉଦ୍ୟମ!
ପ୍ରକାଶ ଥାଉ କି ୧୯୬୧ ମସିହାରେ ଯେଉଁ ଅନ୍ତର୍ନିହିତ ଉଦ୍ଦେଶ୍ୟ ସହିତ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜନ୍‌ ଏଫ. କେନେଡିଙ୍କ ସୌଜନ୍ୟରୁ ‘ୟୁ.ଏସ୍‌. ଏଡ୍‌’ (ଆମେରିକୀୟ ସହାୟତା) ନାମକ ଏହି ପାଣ୍ଠିର ଜନ୍ମ ହୋଇଥିଲା, ତାହା ଥିଲା ସୋଭିଏତ୍‌ ରୁଷିଆ ଦ୍ବାରା ସଂଚାରିତ ମାର୍କସବାଦର ପ୍ରଭାବକୁ ପ୍ରତିହତ କରିବା। ସୁତରାଂ, ବିଭିନ୍ନ ଦରିଦ୍ର ଓ ବିକାଶ ଉନ୍ମୁଖ ରାଷ୍ଟ୍ରଗୁଡ଼ିକ ‘ୟୁ.ଏସ୍‌. ଏଡ୍‌’ରୁ ବିପୁଳ ଅର୍ଥ ସହାୟତା ଲାଭ କରି ଆପଣା ଦେଶରେ ବିକାଶ ଘଟାଇଲେ ଏବଂ ‘କୃତଜ୍ଞତା ଜ୍ଞାପନ’ ସ୍ବରୂପ ଅନୁରକ୍ତ ହୋଇ ମଧ୍ୟ ରହିଲେ। କହିବାରେ ଦ୍ବିଧା ନାହିଁ ଯେ ଜୱାହରଲାଲ ନେହରୁଙ୍କ ଅମଳରୁ ଏ ଯାବତ୍‌, ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ଧରି, ଭାରତକୁ ‘ୟୁ.ଏସ୍‌. ଏଡ୍‌’ରୁ ଅର୍ଥ ସ୍ରୋତ ପ୍ରବାହିତ ହୋଇ ଚାଲିଛି ଏବଂ ତହିଁରୁ ଯେଉଁ ମହତ୍ତ୍ବପୂର୍ଣ୍ଣ ଭିତ୍ତିଭୂମିଗତ ବିକାଶ ଓ ଜନମଙ୍ଗଳକାରୀ ଯୋଜନାମାନ କାର୍ଯ୍ୟକାରୀ ହୋଇଛି, ତା’ର ତାଲିକା ଅତ୍ୟନ୍ତ ଲମ୍ବା; ତେବେ କେବଳ ଆଭାସ ଦେବା ଲାଗି ଏତିକି କହିଲେ ଯଥେଷ୍ଟ ଯେ ଆଇଆଇଟି ଭଳି ଶିକ୍ଷା ପ୍ରତିଷ୍ଠାନରୁ ନେଇ ସର୍ବଜନୀନ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଅନେକ କିଛି ଏହାର ଅନ୍ତର୍ଭୁକ୍ତ। ସେହି କ୍ରମରେ ବିଭିନ୍ନ ସମୟରେ ଦେଶର କ୍ଷମତାସୀନ ସରକାର ଓ ‘ୟୁ.ଏସ୍‌. ଏଡ୍‌’ ମଧ୍ୟରେ ବିଧିବଦ୍ଧ ଚୁକ୍ତିମାନ ମଧ୍ୟ ସଂପାଦତ ହୋଇଥାଏ। କିନ୍ତୁ ଏଭଳି ସ୍ଥିତିରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ବିଡ଼ମ୍ବନା ହେଲା ଏହି ଅର୍ଥର ସ୍ରୋତ ଅବଲୀଳା କ୍ରମେ ଏଭଳି କିଛି ସନ୍ଦିଗ୍‌ଧ ସ୍ବେଚ୍ଛା‌େସବୀ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଯାଇଛି, ଯେଉଁମାନେ ଆତଙ୍କବାଦ ଓ ଅରାଜକତାକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଅଭିଯୋଗ ହୋଇଥାଏ ଯେ କେତେକ ସ୍ଥାନରେ କ୍ଷମତାସୀନ ସରକାରଗୁଡ଼ିକୁ ଗାଦିଚ୍ୟୁତ କରିବ‌ାରେ ଏହି ଅର୍ଥ ବ୍ୟବହୃତ ହୋଇଛି। ଏହା ସୁବିଦିତ ଯେ ଡୋନାଲ୍‌ଡ ଟ୍ରମ୍ପ ‘ୟୁ.ଏସ୍‌. ଏଡ୍‌’କୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦେବାକୁ ଚାହାନ୍ତି, କାରଣ ତାଙ୍କ ମତରେ ଏହା ଆମେରିକାର କୌଣସି ହିତ ସାଧନ କରି ନ ଥାଏ। କହିବା ବାହୁଲ୍ୟ ଯେ ଆମେରିକୀୟମାନଙ୍କ ଟିକସ ଅର୍ଥରେ ପରିପୁଷ୍ଟ ‘ୟୁ.ଏସ୍‌. ଏଡ୍‌’ର ଅପବ୍ୟବହାର ନେଇ ଉପୁଜିଥିବା ସନ୍ଦେହ ଦୃଷ୍ଟିରୁ ସେମାନେ ମଧ୍ୟ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସ୍ବାଗତ କରନ୍ତି। ଏହା ସତ ଯେ ‘ୟୁ.ଏସ୍‌. ଏଡ୍‌’ ବନ୍ଦ ହୋଇଗଲେ ଅନେକ ଦରିଦ୍ର ରାଷ୍ଟ୍ର, ବିଶେଷତଃ ‘ଉପସାହରୀୟ’ ରାଷ୍ଟ୍ରଗୁଡ଼ିକ ଗଭୀର ଭାବେ ଆକ୍ରାନ୍ତ ହେବେ। କିନ୍ତୁ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତି ରୂପେ ଦଣ୍ଡାୟମାନ ଭାରତ ଏହା ଦ୍ବାରା ଆକ୍ରାନ୍ତ ହେବାର କୌଣସି କାରଣ ନାହିଁ। ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ଟ୍ରମ୍ପ ନିଷ୍ପତ୍ତି ନେବା ପୂର୍ବରୁ ହିଁ ଭାରତ ପକ୍ଷରୁ ଏଭଳି ହାତ ଟେକା ଦାନକୁ ଅସ୍ବୀକାର କରି ଦିଆଯିବା ଉଚିତ ହୋଇଥାଆନ୍ତା! 
ଏହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ପ୍ରାଚୀନ କାହାଣୀ ସ୍ମରଣକୁ ଆସିଥାଏ। କଥାଟି ହେଲା ଜଣେ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତି ମନୁଷ୍ୟ ଖପୁରିରେ ନିର୍ମିତ ଏକ ଦାନ ପାତ୍ର ଲାଭ କରେ, ଯାହାର ବିଶେଷତ୍ବ ହେଲା ତହିଁକୁ ଦାନର ଅବାରିତ ସ୍ରୋତ ଛୁଟି ଚାଲେ ସିନା, ତାହା ସର୍ବଦା ଅପୂର୍ଣ୍ଣ ରହେ; ଠିକ୍‌ ମନୁଷ୍ୟର କେବେ ହେଲେ ପୂରୁ ନ ଥିବା ଆଶା ଭଳି! ସୁତରାଂ, ଦାନ ପାତ୍ରଟିର ମାହାତ୍ମ୍ୟରୁ ଦରିଦ୍ର ବ୍ୟକ୍ତି ଜଣକ ଅତ୍ୟନ୍ତ ବିତ୍ତଶାଳୀ ହୋଇ ଉଠିଲେ ସୁଦ୍ଧା ସର୍ବଦା ‘ଦାନର ପାତ୍ର’ ହୋଇ ରହିଯାଏ। ଏଭଳି ଅସମ୍ମାନଜନକ ସ୍ଥିତିରୁ ସେ‌େତବେଳେ ଯାଇ ନିସ୍ତାର ମିଳେ, ଯେତେବେଳେ ତା’ର ପତ୍ନୀ ଖପୁରି ନିର୍ମିତ ପାତ୍ରଟିକୁ ସମସ୍ତଙ୍କ ଅଲକ୍ଷ୍ୟରେ ନଦୀରେ ବିସର୍ଜନ କରିଦିଏ! କହିବାର ତାତ୍ପର୍ଯ୍ୟ ହେଲା ବିଶାଳ ଅର୍ଥ ଶକ୍ତି ରୂପେ ଉଭା ଭାରତ ‘ଦାନର ପାତ୍ର’ ହୋଇ ରହିବା ଅସମ୍ମାନଜନକ ମଧ୍ୟ।