ଏହା ନିଶ୍ଚିତ ‌ରୂପେ ଆଶ୍ଚର୍ଯ୍ୟର କଥା, ଭାରତ ନିଜକୁ ପୃଥିବୀର ଅଗ୍ରଣୀ ଡିଜିଟାଲ୍ ସମାଜ ରୂପେ ପ୍ରଦର୍ଶିତ କରିଆସୁଥିଲେ ହେଁ ଆମ ସମାଜର ଏକ ବୃହତ୍ ଅଂଶ ସମ୍ମୁଖୀନ ‌େହାଇ ଚାଲିଥିବା ଡିଜିଟାଲ୍ ବାଛବିଚାର ଏ ପର୍ଯ୍ୟନ୍ତ କିପରି କାହାର ଦୃଷ୍ଟି ଆକର୍ଷଣ କରି ନ ଥିଲା। ମାନ୍ୟବର ସୁପ୍ରିମ୍ କୋର୍ଟ ଏହି ଡିଜିଟାଲ୍ ବାଛବିଚାରର ଉଚ୍ଛେଦ ସାଧନକୁ ଏକ ବାଧ୍ୟତାମୂଳକ ସାଂବିଧାନିକ ଆବଶ୍ୟକତା ରୂ‌େପ ଘୋଷଣା କରି ଏହା ନିଶ୍ଚିତ କରିବା ପାଇଁ ସରକାରଙ୍କ ଉପରେ ଗୁରୁଦାୟିତ୍ବ ନ୍ୟସ୍ତ କରିଛନ୍ତି।

Advertisment

ଏକ ସମାଜ କେତେ ଦୂର ନ୍ୟାୟବନ୍ତ, ତାହାର ଶ୍ରେଷ୍ଠତମ ପରିଚାୟକ ହେଉଛି ସେ ସମାଜ ତା’ର ଦୁର୍ବଳ, ଅକ୍ଷମ ସଦସ୍ୟମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ନେଉଥିବା ପଦକ୍ଷେପ। ସେ ଦୃଷ୍ଟିରୁ ବିଚାର କଲେ ଗତ ବୁଧବାର ଦିନ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ ପ୍ରଦାନ କରିଥିବା ଏକ ନିଶାଣ ଖୁଣ୍ଟ ରାୟ ପ୍ରମାଣ କରିଥାଏ ଯେ ସ୍ବାଧୀନ ଭାରତ ହେଉଛି କେବଳ ଯେ ଏହିପରି ଏକ ନ୍ୟାୟବନ୍ତ ସମାଜ, ତାହା ନୁହେଁ, ଏକ ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ସମାଜର ଏହି ଭାଗ୍ୟହୀନ ସଦସ୍ୟସଦସ୍ୟାମାନେ ଯେପରି ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖାଇ ନ ପାରି ଅସୁରକ୍ଷିତ ହୋଇ ନ ପଡ଼ନ୍ତି, ତାହା ନିଶ୍ଚିତ କରିବା ନିମିତ୍ତ ଆମର ରାଷ୍ଟ୍ର ମଧ୍ୟ ସଦା ଜାଗ୍ରତ ରହିଛି।
ଏହି ପରିବର୍ତ୍ତିତ ଦୁନିଆରେ ଯେଉଁ ଏକ ପରିବର୍ତ୍ତନ ବର୍ତ୍ତମାନ ପ୍ରତ୍ୟେକ ନାଗରିକର ଜୀବନକୁ ସର୍ବାଧିକ ପ୍ରଭାବିତ ତଥା ନିୟନ୍ତ୍ରିତ କରିଛି, ତାହା ହେଉଛି ଡିଜିଟାଲ୍ ଟେକ୍‌ନୋଲୋଜିର ବ୍ୟବହାର। ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିବାରୁ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ଭାଗନେବା ପର୍ଯ୍ୟନ୍ତ, କର୍ମନିଯୁକ୍ତି ଯୋଜନାରେ ଭାଗନେବାଠାରୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପର୍ଯ୍ୟନ୍ତ ଏପରି କୌଣସି ସରକାରୀ ବା ବେସରକାରୀ ସେବା ନାହିଁ ଯାହା ଲାଭ କରିବା ପାଇଁ ବର୍ତ୍ତମାନ ଜଣେ ନାଗରିକକୁ ଡିଜିଟାଲ୍ ଟେକ୍‌ନୋଲୋଜି ପ୍ରବେଶ ପଥ ଦେଇ ଯାତ୍ରା କରିବାକୁ ପଡ଼ି ନ ଥାଏ। ଆଉ ଏହି ପ୍ରବେଶ ପଥରେ ସେମାନଙ୍କୁ ଯେଉଁ ଏକ ସାଧାରଣ ପ୍ରତିବନ୍ଧକ ଅତିକ୍ରମ କରିବାକୁ ପଡ଼ିଥାଏ, ତାହା ହେଉଛି ‘ଡିଜିଟାଲ୍ କେୱାଇସି’, ଯାହା ‘ଇ-କେୱାଇସି’ ନାମରେ ପରିଚିତ।
ସମାଜରେ କିନ୍ତୁ ଅନେକ ଏଭଳି ସଦସ୍ୟ ରହିଛନ୍ତି, ଯେଉଁମାନେ ସେମାନଙ୍କର ବିଭିନ୍ନ କିସମର ଅକ୍ଷମତା ଯୋଗୁଁ ଏହି ‘ଇ-କେୱାଇସି’ ପ୍ରତିବନ୍ଧକ ଅତିକ୍ରମ କରିପାରି ନଥାନ୍ତି- ଯେମିତି ଦୃଷ୍ଟିବାଧିତ ବା ଏସିଡ୍ ଆକ୍ରମଣ ପୀଡ଼ିତାମାନେ। ଗତ ସପ୍ତାହରେ ବୁଧବାର ଦିନ ଏଇଭଳି ଦୁଇ ଜଣ ନ୍ୟାୟପ୍ରାର୍ଥୀମାନଙ୍କର ଆବେଦନର ବିଚାର କରି ସୁପ୍ରିମ୍ କୋର୍ଟ ଡିଜିଟାଲ୍ ଦୁନିଆକୁ ଏଭଳି ଅକ୍ଷମମାନଙ୍କର ପହୁଞ୍ଚ ମଧ୍ୟକୁ ଆଣିବା ପାଇଁ ‘ଇ-କେୱାଇସି’ ନିୟମାବଳୀରେ ପରିବର୍ତ୍ତନ ଘଟାଇବା ନିମିତ୍ତ ୨୦ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ଏଭଳି ଡିଜିଟାଲ୍ ପହୁଞ୍ଚ ହେଉଛି ସଂବିଧାନର ଧାରା-୧୪, ୧୫ ଓ ୨୧ ଅନୁସାରେ ବର୍ତ୍ତମାନ ଭାରତର ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର। ଉଲ୍ଲେଖଯୋଗ୍ୟ ଯେ ଏହି ଧାରାଗୁଡ଼ିକ ଜଣେ ନାଗରିକ ପାଇଁ ଯଥାକ୍ରମେ ସମାନତା, ବାଛବିଚାରହୀନତା ଏବଂ ବଞ୍ଚିବାର ଅଧିକାର ଓ ସ୍ବାଧୀନତା ନିଶ୍ଚିତ କରିଥାନ୍ତି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆବେଦନକାରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏସିଡ୍ ଆକ୍ରମଣ ଯୋଗୁଁ ମୁଖମଣ୍ଡଳ ଓ ଆଖି ଦୁଇଟି ବିକୃତ ହୋଇଯାଇଥିବା ଜଣେ ମହିଳା ଯିଏ ଏଥିଯୋଗୁଁ ‘ଇ-କେୱାଇସି’ କରିବାରେ ବିଫଳ ହେବାରୁ ୨୦୨୩ରେ ଏକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ପାଇଁ ଯୋଗ୍ୟ ବିବେଚିତ ହୋଇ ନ ଥିଲେ। ସୁପ୍ରିମ୍ କୋର୍ଟ ଏବେ ରିଜର୍ଭ ବ୍ୟାଙ୍କ୍ ଓ ସମସ୍ତ ସରକାରୀ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏଭଳି ମୁଖମଣ୍ଡଳର ବିକୃତି ଘଟିଥିବା, ଦୃଷ୍ଟିବାଧିତା ହୋଇଥିବା, ଶ୍ରୁତିବାଧିତା ହୋଇଥିବା ଏବଂ ଡିଜିଟାଲ୍ ସାକ୍ଷର ହୋଇ ନ ଥିବା କିମ୍ବା ଅର୍ଦ୍ଧସାକ୍ଷର ହୋଇଥିବା ବ୍ୟକ୍ତିମାନେ ଯେପରି ନିର୍ବିଘ୍ନରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିପାରିବେ ତଥା ଅନ୍ୟାନ୍ୟ ଅନୁରୂପ ସେବା ପାଇପାରିବେ, ତାହା ନିଶ୍ଚିତ କରିବା ନିମିତ୍ତ ସେମାନେ ‘ଇ-କେୱାଇସି’ ନିୟମରେ ଆବଶ୍ୟକ ପରିବର୍ତ୍ତନ ଘଟାନ୍ତୁ। ଉଦାହରଣ ସ୍ବରୂପ ସେମାନେ ଦୃଷ୍ଟିବାଧିତମାନଙ୍କ ପାଇଁ ବ୍ରେଲ୍ କିମ୍ବା କଣ୍ଠସ୍ବରଭିତ୍ତିକ ବିକଳ୍ପ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଆହୁରି ଅନେକ ଭିନ୍ନ ପ୍ରକାରର ଅକ୍ଷମ ବ୍ୟକ୍ତିମାନେ ଅଛନ୍ତି, ଯେଉଁମାନେ ସେମାନଙ୍କର ଅକ୍ଷମତା ଯୋଗୁଁ ‘ଇ-କେୱାଇସି’ ଯାଞ୍ଚ ପାର ହୋଇ ନ ପାରି ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। 
ଅଦାଲତ ମଧ୍ୟ ଏଥିସହିତ ଗ୍ରାମାଞ୍ଚଳର ଅନେକ ବାସିନ୍ଦା, ବରିଷ୍ଠ ନାଗରିକମାନେ ଏବଂ ଅର୍ଥନୈତିକ ଦୁର୍ବଳ ବର୍ଗର ସଦସ୍ୟମାନେ ଏହି ଡିଜିଟାଲ୍ ବିଭାଜକ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇ ଅବହେଳିତ ଅବସ୍ଥାରେ ରହିଛନ୍ତି ବୋଲି ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଆଜିର ନୂତନ ଦୁନିଆରେ ପ୍ରତ୍ୟେକ ନାଗରିକର ଡିଜିଟାଲ୍ ଅଧିକାର ରହିଛି ବୋଲି ସ୍ବୀକାର କରି ସମସ୍ତଙ୍କ ପାଇଁ ଏକ ସମ୍ମାନଜନକ ଜୀବନ ନିଶ୍ଚିତ କରିବା ଲାଗି ଏହି ଡିଜିଟାଲ୍ ବିଭାଜକ ଅତିକ୍ରମ କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିବା ଜରୁରି ବୋଲି ସର୍ବୋଚ୍ଚ ଅଦାଲତ ଆହ୍ବାନ ଦେଇଛନ୍ତି।
‌ସମସ୍ୟାର ବ୍ୟାପକତା ସମ୍ବନ୍ଧରେ ଏକ ଧାରଣା କରିବା ନିମିତ୍ତ ନିମ୍ନୋକ୍ତ କେତେକ ତଥ୍ୟ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ୨୦୧୧ରେ ଅନୁଷ୍ଠିତ ସର୍ବଶେଷ ଜନଗଣନା ଅନୁସାରେ ଦେଶରେ ଭିନ୍ନକ୍ଷମମାନଙ୍କର ମୋଟ ସଂଖ୍ୟା ଥିଲା ୨.୬୮ କୋଟି, ‌େଯଉଁମାନଙ୍କ ମଧ୍ୟରୁ ମହିଳାମାନଙ୍କ ସଂଖ୍ୟା ଥିଲା ୧.୧୮ କୋଟି ଓ ପୁରୁଷମାନଙ୍କର ସଂଖ୍ୟା ଥିଲା ୧.୫୦ କୋଟି। ଅର୍ଥାତ୍ ‌େଦଶର ତତ୍‌କାଳୀନ ଜନସଂଖ୍ୟାର ୨.୨୧ ଶତାଂଶ ଥିଲେ ଭିନ୍ନକ୍ଷମ। ଏହି ଭିନ୍ନକ୍ଷମମାନଙ୍କ ମଧ୍ୟରୁ ୫୦.୬ ଲକ୍ଷ ଥିଲେ ଦୃଷ୍ଟିବାଧିତ, ୧୯.୯ ଲକ୍ଷ ଥିଲେ ସ୍ବରବାଧିତ। ସେଇ ସର୍ବଶେଷ ଜନଗଣନା ପରେ ପାର ହୋଇଯାଇଥିବା ପ୍ରାୟ ଦେଢ଼ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟାମାନଙ୍କରେ ଜନସଂଖ୍ୟାରେ ବୃଦ୍ଧି ସହିତ ତାଳ ଦେଇ ବୃଦ୍ଧି ଘଟିଥିବା ନିଶ୍ଚିତ। ଏହି ଭିନ୍ନକ୍ଷମମାନେ ଏମିତିରେ ସମାଜ ଓ ଅର୍ଥନୀତିର ମୁଖ୍ୟସ୍ରୋତରୁ ବାଦ ପଡ଼ି ଚାଲିଥିବାବେଳେ ଏହି ଡିଜିଟାଲ୍ ବିଭାଜକ ସେମାନଙ୍କୁ ଆହୁରି ଦୂରକୁ ଠେଲି ଦେଇଥାଏ।
ଆଜିର ଡିଜିଟାଲ୍ ଦୁନିଆର ମୁଖ୍ୟସ୍ରୋତରେ ପ୍ରବେଶ ନିମିତ୍ତ ଯାହା ହେଉଛି ଅତ୍ୟାବଶ୍ୟକ, ତାହା ହେଲା ଏକ ସ୍ମାର୍ଟ ଫୋନ୍ ଓ ଏହାର ବ୍ୟବହାରକାରୀଙ୍କର ଡିଜିଟାଲ୍ ସାକ୍ଷରତା। କିନ୍ତୁ ଗ୍ରାମାଞ୍ଚଳର ଅଧିକାଂଶ ବାସିନ୍ଦା, ବରିଷ୍ଠ ନାଗରିକ, ଗରିବ ତଥା ସଂଖ୍ୟାଲଘୁ ଭାଷାଭାଷୀମାନଙ୍କ ପାଇଁ ଉପରୋକ୍ତ ଦୁଇଟି ସାଧନର ଅଭାବ ଯୋଗୁଁ ଡିଜିଟାଲ୍ ବିଭାଜକ ଅଲଂଘ୍ୟ ସାବ୍ୟସ୍ତ ହୋଇଥାଏ। ଅନେକ ଦରିଦ୍ର ପରିବାର ସ୍ମାର୍ଟ ଫୋନ୍‌ଟିଏ କିଣିବାକୁ ସମର୍ଥ ହୋଇ ନଥାନ୍ତି ଏବଂ ପଞ୍ଜୀକରଣ ପ୍ରକ୍ରିୟାର ଜଟିଳତା ଯୋଗୁଁ ସେମାନେ ଅନେକ ସମୟରେ ବିଭିନ୍ନ ଜନମଙ୍ଗଳ ଯୋଜନାରେ ଅଂଶଗ୍ରହଣ କରିପାରି ନଥାନ୍ତି। କେବଳ ଯେତେବେଳେ ‌ସମସ୍ତ ସରକାରୀ ପୋର୍ଟାଲ୍‌ମାନ, ଶିକ୍ଷଣ ପ୍ଲାଟ୍‌ଫର୍ମମାନ ଓ ବିତ୍ତୀୟ ଟେକ୍‌ନୋଲୋଜି ସେବାମାନ ଏଭଳି ଉପେକ୍ଷିତ ବର୍ଗମାନଙ୍କ ପହୁଞ୍ଚ ମଧ୍ୟକୁ ଆସିବ, ସେତେବେଳେ ଯାଇ ଆମର ସମାଜ ସଂପୂର୍ଣ୍ଣ ରୂପେ ସମାନତା ଆଦର୍ଶ ଅନୁସରଣ କରୁଛି ବୋଲି ଦାବି କରାଯାଇ ପାରିବ। ଶାରୀରିକ ବା ମାନସିକ ଅକ୍ଷମତା ବହନ କରୁଥିବା ନାଗରିକମାନଙ୍କୁ ମଧ୍ୟ ଏଭଳି ଏକ ସମାଜରେ କୌଣସି ଡିଜିଟାଲ୍ ବିଭାଜକ ମାଧ୍ୟମରେ ମୁଖ୍ୟସ୍ରୋତରୁ ଅଲଗା କରାଯାଇ ପାରିବ ନାହିଁ।
ଏହା ନିଶ୍ଚିତ ‌ରୂପେ ଆଶ୍ଚର୍ଯ୍ୟର କଥା, ଭାରତ ନିଜକୁ ପୃଥିବୀର ଅଗ୍ରଣୀ ଡିଜିଟାଲ୍ ସମାଜ ରୂପେ ପ୍ରଦର୍ଶିତ କରିଆସୁଥିଲେ ହେଁ ଆମ ସମାଜର ଏକ ବୃହତ୍ ଅଂଶ ସମ୍ମୁଖୀନ ‌େହାଇ ଚାଲିଥିବା ଡିଜିଟାଲ୍ ବାଛବିଚାର ଏ ପର୍ଯ୍ୟନ୍ତ କିପରି କାହାର ଦୃଷ୍ଟି ଆକର୍ଷଣ କରି ନ ଥିଲା। ମାନ୍ୟବର ସୁପ୍ରିମ୍ କୋର୍ଟ ଏହି ଡିଜିଟାଲ୍ ବାଛବିଚାରର ଉଚ୍ଛେଦ ସାଧନକୁ ଏକ ବାଧ୍ୟତାମୂଳକ ସାଂବିଧାନିକ ଆବଶ୍ୟକତା ରୂ‌େପ ଘୋଷଣା କରି ଏହା ନିଶ୍ଚିତ କରିବା ପାଇଁ ସରକାରଙ୍କ ଉପରେ ଗୁରୁଦାୟିତ୍ବ ନ୍ୟସ୍ତ କରିଛନ୍ତି। ଦେଶରେ ଅନାହାର ମୃତ୍ୟୁ ଯେଉଁଭଳି ସଂବିଧାନ ଅନୁସାରେ ଗ୍ରହଣୀୟ ନୁହେଁ, ଏଣିକି ଡିଜିଟାଲ୍ ଅନାହାର ମଧ୍ୟ ସେଇଭଳି ଗ୍ରହଣୀୟ ହେବ ନାହିଁ।