ଏ ସଂଦର୍ଭରେ କୁହାଯାଇପାରେ କି ପାଶ୍ଚାତ୍ୟ ଦେଶମାନଙ୍କରେ ରହୁଥିବା ଭାରତୀୟମାନେ ଛୁଙ୍କର ମାତ୍ରାଧିକ ବାସକୁ ଚହଟିବାକୁ ନ ଦେଇ ଅପରର ରୁଚିବୋଧକୁ ସମ୍ମାନ ଦେବା ଉଚିତ; ଏବଂ ତା’ ସହିତ ‘କରି’ର ବାସନାକୁ ନୀଚ ଦୃଷ୍ଟିରେ ଦେଖି ‘ଖାଦ୍ୟ ବର୍ଣ୍ଣବାଦ’ ଭଳି ଧାରଣାର ସୃଷ୍ଟିକାରୀମାନଙ୍କୁ ମଧ୍ୟ ଯଥାର୍ଥ ଉପାୟରେ ପୃଥିବୀର ସାଂସ୍କୃତିକ ଇନ୍ଦ୍ରଧନୁ ପ୍ରତି ସଚେତନ କରାଇବା ମଧ୍ୟ ଜରୁରି; କାରଣ ହୃଦୟର ସଂକୀର୍ଣ୍ଣତା ନୁହେଁ, ବରଂ ପ୍ରଶସ୍ତତା କାରଣରୁ ପୃଥିବୀର ସର୍ବତ୍ର ଓ ସବୁ ଜାତିର ରନ୍ଧନ ଶୈଳୀ ସମୃଦ୍ଧ ହୋଇଛି।

Advertisment

Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍

ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ (କେତେକ ୟୁରୋପୀୟ ରାଷ୍ଟ୍ରରେ ମଧ୍ୟ) ପ୍ରବାସୀ ଭାରତୀୟ ଏବଂ ସେମାନଙ୍କ ଅଭ୍ୟାସ, ଆଚରଣ ଓ ଚାଲିଚଳଣ ଇତ୍ୟାଦିକୁ ଘେନି ବିଭିନ୍ନ ପ୍ରକାର ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟାନ ଓ ଅପଧାରଣାମାନ ସୃଷ୍ଟି ହୋଇଥିବା ବେଳେ ‘ଫୁଡ୍‌ ରେସିଜମ’ ବା ‘ଖାଦ୍ୟ ବର୍ଣ୍ଣବାଦ’ ସଂପର୍କିତ ଏକ ବିବାଦ ମାତ୍ର ଦୁଇ ତିନି ଦିନ ତଳେ କେତେକ ଗଣମାଧ୍ୟମରେ ପ୍ରସାରିତ ଓ ପ୍ରକାଶିତ ହୋଇ ରୋଚକ ଚର୍ଚ୍ଚାକୁ ଜନ୍ମ ଦେଇଛି। ଘଟଣାର କେନ୍ଦ୍ର ସ୍ଥଳରେ ରହିଛି ଭାରତୀୟ ରନ୍ଧନ ଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ପରିଚିତ ‘ଛୁଙ୍କ’; କାରଣ ଛୁଙ୍କରୁ ଚହଟି ଯାଉଥିବା ବାସ ଅନେକ ପାଶ୍ଚାତ୍ୟ ଅଧିବାସୀଙ୍କ ସକାଶେ ଅସହନୀୟ ହୋଇଥାଏ ଏବଂ ସେମାନଙ୍କ ବିଚାରରେ ଛୁଙ୍କରେ ରସାଣିତ ବ୍ୟଂଜନ ଭକ୍ଷଣ କରୁଥିବା କାରଣରୁ ଭାରତୀୟମାନଙ୍କ ଶରୀର ଓ ସ୍ବେଦ ଅରୁଚିକର ଗନ୍ଧ ନିର୍ଗତ କରିଥାଏ। କିନ୍ତୁ ଆଉ ଏକ ବାସ୍ତବତା ହେଲା, ଭାରତୀୟ ବ୍ୟଂଜନ ପ୍ରସ୍ତୁତି କଳା ପ୍ରାକ୍‌ ଐତିହାସିକ କାଳରୁ ପୃଥିବୀ ଭ୍ରମଣ କରିବା ଆରମ୍ଭ କରିସାରିଥିଲା ଏବଂ ସାରା ପୃଥିବୀରେ ଭାରତୀୟ ବ୍ୟଂଜନର ଲୋକପ୍ରିୟତା ଓ ଚାହିଦା ମଧ୍ୟ ଅତୁଳନୀୟ। ତେବେ, ପାଶ୍ଚାତ୍ୟ ପୃଥିବୀରେ ‘କରି’ ଭାବେ ସୁବିଦିତ ଭାରତୀୟ ବ୍ୟଂଜନର ଆଦର ସହିତ ‘ଫୁଡ୍‌ ରେସିଜମ’ର ଉପସ୍ଥିତି ଦୃଷ୍ଟିରୁ ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ମଧ୍ୟ ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରଥମେ ସଂକ୍ଷେପରେ ବିବାଦୀୟ ହୋଇଥିବା ଘଟଣାର ପୃଷ୍ଠଭୂମି। ୨୦୨୩ ମସିହା ସେପ୍‌ଟେମ୍ବର ୫ ତାରିଖରେ କଲରାଡୋ ବିଶ୍ବବିଦ୍ୟାଳୟରେ ଉଚ୍ଚତର ଗବେଷଣା କରୁଥିବା ଛାତ୍ର ଆଦିତ୍ୟ ପ୍ରକାଶଙ୍କୁ ବିସ୍ମିତ କରି ତାଙ୍କ କ୍ୟାଂପସ କ୍ୟାଣ୍ଟିନର ମାଇକ୍ରୋ ଓଭେନରେ ‘ପାଲକ ପନୀର’(ପାଳଙ୍ଗ ପନୀର) ତରକାରି ଗରମ କରିବାକୁ ବାରଣ କରାଯାଇଥିଲା, କାରଣ ତହିଁରୁ ନିର୍ଗତ ବାସନା ଏକ ଅସହନୀୟ ପରିବେଶ ସୃଷ୍ଟି କରିବ। ଏଭଳି ବାରଣରେ ନିହିତ ଥିଲା ଏକ ବିଶିଷ୍ଟ ଖାଦ୍ୟ-ସଂସ୍କୃତିର ଅବମାନନା, ଯାହାର ପ୍ରତିବାଦ କରିବାରୁ ଆଦିତ୍ୟ ପ୍ରକାଶଙ୍କୁ ତାଙ୍କ ବିଶ୍ବବିଦ୍ୟାଳୟର ପ୍ରଫେସରମାନଙ୍କ ଦ୍ବାରା ମଧ୍ୟ ଲଂଛିତ ହେବାକୁ ପଡ଼ିଥିଲା। ଏଭଳି ଏକ ସ୍ଥିତିରେ ସେହି ସମାନ ବିଶ୍ବବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିବା ଆଦିତ୍ୟଙ୍କ ଭାରତୀୟ ବାନ୍ଧବୀ ଊର୍ମି ଭଟ୍ଟାଚାର୍ଯ୍ୟ ଓ ତାଙ୍କର କେତେକ ବନ୍ଧୁ କ୍ୟାପଂସ କ୍ୟାଣ୍ଟିନରେ ଘରୁ ଆଣିଥିବା ଭାରତୀୟ ବ୍ୟଂଜନ ଖାଉଥିବା ବେଳେ ସେମାନଙ୍କୁ ମଧ୍ୟ ମନା କରାଯିବା ସହିତ ଏକ ଆରୋପ ଲଗାଯାଇଥିଲା ଯେ ସେମାନେ କୁଆଡ଼େ କ୍ୟାଂପସରେ ଦଙ୍ଗା ଉସୁକାଇଲା ଭଳି କାର୍ଯ୍ୟ କରୁଛନ୍ତି ଏବଂ ତା’ ପରେ ଊର୍ମି ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ବିଭିନ୍ନ ପ୍ରକାର ବିଦ୍ବେଷର ଶିକାର ହୋଇଥିଲେ। ଏଭଳି ସ୍ଥିତିରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଧମକ ମଧ୍ୟ ପ୍ରଦାନ କରାଯାଇଥିଲା ଯେ ଆଦିତ୍ୟ ପ୍ରକାଶଙ୍କୁ ତାଙ୍କ ଡିଗ୍ରି ସାର୍ଟିଫିକେଟ ମିଳିବ ନାହିଁ। ତେବେ ଏଥିରେ ଦବି ନ ଯାଇ ଆଦିତ୍ୟ ପ୍ରକାଶ କଲରାଡୋର ଏକ ଅଦାଲତରେ ‘ନାଗରିକର ଅଧିକାର’ ସଂଦର୍ଭରେ ଏକ ମାମଲା ରୁଜୁ କରିଥିଲେ। ଏହାର ଦୁଇ ବର୍ଷ ପରେ, ଅର୍ଥାତ୍‌ ୨୦୨୫ ମସିହା, ସେପ୍‌ଟେମ୍ବର ମାସରେ, ଆଦିତ୍ୟ ପ୍ରକାଶଙ୍କ ସହିତ ଏକ ସର୍ତ୍ତମୂଳକ ରାଜିନାମା କରିବାକୁ କଲରାଡୋ ବିଶ୍ବବିଦ୍ୟାଳୟ ବାଧ୍ୟ ହେଲେ, ଯାହା ଫଳରେ ପୀଡ଼ିତଙ୍କୁ ୨ ଲକ୍ଷ ଡଲାର(ଭାରତୀୟ ମୁଦ୍ରାରେ ୧.୮ କୋଟି ଟଙ୍କା) ସହିତ ଡିଗ୍ରି ସାର୍ଟିଫି‌େକଟ ଦେଇ ଦିଆଯାଇଛି। ଅବଶ୍ୟ ସର୍ତ୍ତାନୁସାରେ ସେ କଲରାଡୋ ବିଶ୍ବବିଦ୍ୟାଳୟରେ ଭବିଷ୍ୟତରେ କୌଣସି ବୃତ୍ତିରେ ନିୟୋଜିତ ହୋଇପାରିବେ ନାହିଁ। ତେବେ ସେ ଯାହା ହେଉ, ଇତିମଧ୍ୟରେ ଆଦିତ୍ୟ ପ୍ରକାଶ ଓ ଊର୍ମି ସବୁ ଦିନ ଲାଗି ଆମେରିକା ପରିତ୍ୟାଗ କରି ଭାରତ ପ୍ରତ୍ୟାବର୍ତ୍ତନ କରି ସାରିଛନ୍ତି ଏବଂ ଏକ ଛୋଟ ଘଟଣା ହୋଇଥିଲେ ହେଁ ଏଥିରେ ନିହିତ ସାହସିକ ଉଦ୍ୟମ ପ୍ରଣିଧାନଯୋଗ୍ୟ, କାରଣ ଭାରତୀୟ ବ୍ୟଂଜନ ପକ୍ଷରୁ ଲଢ଼ି ଆଦିତ୍ୟ ପ୍ରକାଶ ସାଂସ୍କୃତିକ ବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରି ପାରିଛନ୍ତି। 

Odia Student: ଜମ୍ମୁ କଶ୍ମୀରରେ ଗୋତି ଖଟୁଛନ୍ତି ନିଖୋଜ ଛାତ୍ର; ଉଦ୍ଧାର ପାଇ ଡିଆଇଜିକୁ ଚିଠି ଲେଖିଲେ ବିଧାୟକ

ଭାରତୀୟ ରନ୍ଧନ ଶୈଳୀରେ ପିଆଜ, ରସୁଣ, ଅଦା ଓ ଲଙ୍କା(ଶୁଖିଲା) ଭଳି ପରିବା, ଜୀରା, ଧଣିଆ, ଫୁଟଣ, ସୋରିଷ ଭଳି ମଞ୍ଜି ଏବଂ ତେଜପତ୍ର, ଡାଳଚିନି, ଲବଙ୍ଗ ଓ ଅଳେଇଚ ଭଳି ଗରମ ମସଲାର ବ୍ୟବହାର କରି ଯେଉଁ ଛୁଙ୍କ ଦିଆଯାଏ, ତଦ୍ଦ୍ବାରା ଭାରତୀୟ ବ୍ୟଂଜନ ନିର୍ଦ୍ଦିଷ୍ଟ ସ୍ବାଦ, ବାସ ଓ ଚରିତ୍ର ଲାଭ କରିଥାଏ। ପ୍ରକାଶ ଥାଉ କି ପ୍ରାକ୍‌ ବୈଦିକ କାଳର ଭାରତୀୟ ଭୂଖଣ୍ଡରେ ପ୍ରଥମ ତରକାରିର ପୁରାତତ୍ତ୍ବ ପ୍ରମାଣ ମିଳିଥାଏ ହରପ୍ପା ଓ ମହେଞ୍ଜୋଦାରୋ ସଭ୍ୟତାର ମୃଣ୍ମୟ ରନ୍ଧନ ପାତ୍ରରୁ। ତେବେ, ପ୍ରାଚୀନ ତାମିଲମାନେ ହିଁ ତରକାରି, ଚଟଣି ଓ ଆଉ କେତେକ ଭାରତୀୟ ବ୍ୟଂଜନର ପ୍ରସାର ଘଟାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ପ୍ରାଚୀନ ତାମିଲ ପ୍ରଭାବରେ ଲୋକପ୍ରିୟ ଜାପାନୀ ବ୍ୟଞ୍ଜନ ‘କରେ ରାଇସୁ’ର ଜନ୍ମ ହୋଇଥିଲା ବୋଲି ଐତିହାସିକ ଦସ୍ତାବେଜରେ ଲିପିବଦ୍ଧ ରହିଛି। ପ୍ରକାଶ ଥାଉ କି ‘କରି’ ଭାବେ ପରିଚିତ ଶବ୍ଦଟି ମଧ୍ୟ ତାମିଲ ସମ୍ଭୂତ, ଯାହାର ଅର୍ଥ ଏକ ପ୍ରକାର ସସ୍‌ ବା ଚଟଣି। ତେବେ ଏ ସଂଦର୍ଭରେ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଉଛି ମୌଳିକତା ସତ୍ତ୍ବେ ସମସ୍ତ ବାହ୍ୟ ପ୍ରଭାବକୁ ସ୍ବୀକାର କରି ଭାରତୀୟ ରନ୍ଧନ ଶୈଳୀ ଅଧିକରୁ ଅଧିକ ପରିପୁଷ୍ଟ ହେବା। ମୋଗଲ ଶାସନ କାଳରେ ଭାରତୀୟ ରନ୍ଧନ ମଧ୍ୟକୁ କାଜୁ, ପିସ୍ତା ଓ କିସମିସ ଭଳି ଦ୍ରବ୍ୟର ପ୍ରବେଶ ଘଟି ତରକାରିକୁ ଇଷତ୍‌ ସୁମିଷ୍ଟ ବହଳ ଝୋଳ ଦ୍ବାରା ରସାଣିତ କଲା। ସେମିତି ୧୪୯୮ ମସିହାରେ ପର୍ତ୍ତୁଗୀଜମାନଙ୍କ ସହିତ (ଭା‌ସ୍କୋ ଡା ଗାମାଙ୍କ ଭାରତରେ ପଦାର୍ପଣ) ଲଙ୍କା ଓ ଗୋଲମରିଚ ଆଦି ଭାରତକୁ ପ୍ରବେଶ କରି ତରକାରି ରନ୍ଧନ ଶୈଳୀରେ ଏକ ନୂତନ ଯୁଗର ସୂତ୍ରପାତ ଘଟାଇଲେ; ଏବଂ ରନ୍ଧନ ଇତିହାସରେ ପର୍ତ୍ତୁଗୀଜମାନଙ୍କ ଭାରତ ଆଗମନର ପୂର୍ବବର୍ତ୍ତୀ କାଳକୁ ‘ପ୍ରି ଚିଲି ଏଜ୍‌’ ବା ‘ପ୍ରାକ୍‌ ଲଙ୍କା ଯୁଗ’ ବୋଲି ଅଭିହିତ କରାଯାଇଥାଏ। ପର୍ତ୍ତୁଗୀଜମାନେ ଦକ୍ଷିଣ ଭାରତରେ ପ୍ରଥମେ ପାଦ ଦେଇଥିଲେ, ଯେଉଁଠାରୁ ଭାରତୀୟ ତରକାରିର ନାସିକା ଭେଦୀ ବାସ ସମଗ୍ର ଭାରତ ଏବଂ କାଳ କ୍ରମେ ଭାରତ ବାହାରକୁ ଚହଟିବା ଆରମ୍ଭ କରିଥିଲା। ଯଦିଓ ଏହା ମଧ୍ୟ ସତ ଯେ ଛୁଙ୍କର ତୀବ୍ର ବାସରେ ଛିଙ୍କ ଓ କାଶ ଆରମ୍ଭ ହୋଇଯାଏ ଏବଂ ଏହା ସହିତ ଅନଭ୍ୟସ୍ତ ପାଶ୍ଚାତ୍ୟ ଦେଶର ଅଧିବାସୀମାନଙ୍କ ସକାଶେ ଏହା ସହନ କରିବାର ସୀମା ଲଂଘି ଯାଇଥାଏ, କିନ୍ତୁ ଏହା ମଧ୍ୟ ସତ ଯେ ଉପନିବେଶବାଦୀ ବ୍ରିଟିସମାନେ ଭାରତୀୟ ବ୍ୟଂଜନର ସ୍ବାଦରେ ଏକ ପ୍ରକାର ବିମୋହିତ ମଧ୍ୟ ହୋଇଥିଲେ; ରାଣୀ ଭିକ୍ଟୋରିଆ ମଧ୍ୟ କୁଆଡ଼େ ଥିଲେ ଭାରତୀୟ ‘କରି’ର ଜଣେ ଉଚ୍ଚ ପ୍ରଶଂସିକା। ତେବେ, ଏ ସଂଦର୍ଭରେ କୁହାଯାଇପାରେ କି ପାଶ୍ଚାତ୍ୟ ଦେଶମାନଙ୍କରେ ରହୁଥିବା ଭାରତୀୟମାନେ ଛୁଙ୍କର ମାତ୍ରାଧିକ ବାସକୁ ଚହଟିବାକୁ ନ ଦେଇ ଅପରର ରୁଚିବୋଧକୁ ସମ୍ମାନ ଦେବା ଉଚିତ; ଏବଂ ତା’ ସହିତ ‘କରି’ର ବାସନାକୁ ନୀଚ ଦୃଷ୍ଟିରେ ଦେଖି ‘ଖାଦ୍ୟ ବର୍ଣ୍ଣବାଦ’ ଭଳି ଧାରଣାର ସୃଷ୍ଟିକାରୀମାନଙ୍କୁ ମଧ୍ୟ ଯଥାର୍ଥ ଉପାୟରେ ପୃଥିବୀର ସାଂସ୍କୃତିକ ଇନ୍ଦ୍ରଧନୁ ପ୍ରତି ସଚେତନ କରାଇବା ମଧ୍ୟ ଜରୁରି; କାରଣ ହୃଦୟର ସଂକୀର୍ଣ୍ଣତା ନୁହେଁ, ବରଂ ପ୍ରଶସ୍ତତା କାରଣରୁ ପୃଥିବୀର ସର୍ବତ୍ର ଓ ସବୁ ଜାତିର ରନ୍ଧନ ଶୈଳୀ ସମୃଦ୍ଧ ହୋଇଛି। 
ଉପାଖ୍ୟାନଟିଏ ଅଛି ଯେ ବ୍ରିଟିସ ରାଜ ସମୟରେ ବମ୍ବେରୁ କଲିକତାମୁଖୀ ‘ବ୍ଲୁ ଟ୍ରେନ୍‌’ରେ ଯାତ୍ରା କରୁଥିବା ଜଣେ ଗୋରା ସାହେବ ଦୂରରୁ ଭାସି ଆସୁଥିବା ତରକାରିର ବାସନାରେ ଏଭଳି ବିମୋହିତ ହୋଇପଡ଼ିଲେ ଯେ ଠିକ୍‌ ସେମିତି ତରକାରି ଖାଇବାକୁ ଜିଦ କଲେ। ପ୍ରକୃତରେ ତାହା ଥିଲା ବଙ୍ଗୀୟମାନଙ୍କ ପ୍ରିୟ ମାଂସ ତରକାରି, ଯାହାର ନାମ ‘ପଥୋର ମାଂସୋ’ ଏବଂ ରେଳଗାଡ଼ିର ପ୍ୟାଣ୍ଟ୍ରିରେ କିଛି କର୍ମଚାରୀ ତାହା ରୋଷେଇ କରି ଖାଇବାର ଉପକ୍ରମ କରୁଥିବା ବେଳେ ବାସ ଚହଟି ଯାଇଥିଲା। ତେବେ, ସାହେବଙ୍କ ଦାବି ଶୁଣି ଜଣେ ଚତୁର ରାନ୍ଧୁଣିଆ ସେଥିରେ ଟିକିଏ ଦହି ମିଶାଇ ତରକାରିଟିକୁ ପରଷି ଦେଇଥିଲେ। କହିବା ବାହୁଲ୍ୟ, ତା’ର ସ୍ବାଦ କେବଳ ସାହେବଙ୍କୁ ଚମତ୍କୃତ କଲା ନାହିଁ, ତାହା ‘ରେଲୱେ ମଟନ କରି’ ନାମରେ ସୁପ୍ରସିଦ୍ଧ ହୋଇ ଆଜି ପର୍ଯ୍ୟନ୍ତ ‌େରଳର ପ୍ରଥମ ଶ୍ରେଣୀର ଯାତ୍ରୀମାନଙ୍କୁ ପରଷା ଯାଉଛି। ଭାରତୀୟ ବ୍ୟଂଜନର ବାସକୁ ଉପଲକ୍ଷ୍ୟ କରି ପୌରାଣିକ ଯୁଗରୁ ବାଣୀଟିଏ ଏବେ ମଧ୍ୟ ପ୍ରଚଳିତ ଯେ ‘ଘ୍ରାଣଂ ଅର୍ଦ୍ଧ ଭୋଜନମ୍‌’ ଅର୍ଥାତ୍‌ ବାସନା ଶୁଂଘିବା ସହିତ ପେଟ ଅଧା ପୂରିଯାଏ। କିନ୍ତୁ ‘ବ୍ଲୁ ଟ୍ରେନ୍‌’ର ସାହେବଙ୍କ କ୍ଷେତ୍ରରେ ତରକାରିର ଅପୂର୍ବ ବା‌ସ ତାଙ୍କ କ୍ଷୁଧାଗ୍ନିକୁ ଅଧିକ ତେଜୀୟାନ କରି ପକାଇଥିଲା। ଭାରତୀୟ ବ୍ୟଂଜନର ସ୍ବରୂପ ବାସ୍ତବରେ ଜଟିଳ; ଯେଉଁ କାରଣରୁ ଏଭଳି ବାସନା କିଛି ଲୋକଙ୍କୁ ଅକାରଣ, ଦୁର୍ବୋଧ୍ୟ ଓ ବିରକ୍ତିକର ମଧ୍ୟ ଲାଗିଥାଏ।