ଯେଉଁ ଉନ୍ମୁକ୍ତ ବାତାୟନ ଦେଇ ପ୍ରତିଭାର ଆଲୋକ ଓ ବିଚାରର ପବନ ଆମେରିକାକୁ ପ୍ରାଣୋଚ୍ଛଳ କରିଆସିଛି, ଟ୍ରଂପ ତାକୁ ବନ୍ଦ କରି ଆମେରିକାକୁ ଏକ ନିବୁଜ ଅନାଲୋକିତ କୋଠରିରେ ପରିଣତ କରି ଦେବାକୁ ଚାହାନ୍ତି, ଯେଉଁଠି ଚକ୍ଷୁଧାରୀମାନେ ଦିଗ ପାଇବା ଲାଗି ଅଣ୍ଡାଳି ହେଉଥିବା ବେଳେ ମତାନ୍ଧମାନେ ଅନାୟାସ‌େର ବିଚରଣ କରି ପାରିବେ!

Advertisment

ମାତ୍ର ତିନି ଦିନ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ଯେଉଁ ମନ୍ତବ୍ୟ ‘ସିଲିକନ ଉପତ୍ୟକା’ରେ କାର୍ଯ୍ୟରତ ଭାରତୀୟ ଇଂଜିନିଅରମାନଙ୍କ ମେରୁଦଣ୍ଡରେ ଏକ ଶୀତଳ ଶିହରଣର ସଂଚାର କରିଥିବ, ତାହା ହେଲା ମାଇକ୍ରୋସଫ୍‌ଟ, ମେଟା, ଗୁଗଲ, ଆପଲ ଭଳି ଅତିକାୟ ଟେକ୍‌ କଂପାନିଗୁଡ଼ିକୁ ଏକ କର୍କଶ ଚେତାବନୀ ଯେ ସେମାନେ ନିଜ ନିଜ ଅନୁଷ୍ଠାନଗୁଡ଼ିକରେ ବୈଷୟିକ ପ୍ରଶିକ୍ଷିତ ଭାରତୀୟ ମାନବ ସମ୍ବଳ ପରିିହାର କରି ଆମେରିକୀୟମାନଙ୍କୁ ସ୍ଥାନ ଦିଅନ୍ତୁ। ଏହା ସୁବିଦିତ ଯେ ସାଂପ୍ରତିକ ପୃଥିବୀକୁ ଏକ ପ୍ରକାର ପରିଚାଳନା କରୁଥିବା ‘ସିଲିକନ ଭ୍ୟାଲି’ ସ୍ବୟଂ ପ୍ରମୁଖ ଭାବେ ବିଚକ୍ଷଣ ଭାରତୀୟ ମସ୍ତିଷ୍କ ଦ୍ବାରା ପରିଚାଳିତ। କହିବା ବାହୁଲ୍ୟ ଯେ ଆମେରିକାକୁ ପୁନର୍ବାର ମହାନ କରିବାକୁ ଉଦ୍‌ଗ୍ରୀବ ଡୋନାଲ୍‌ଡ ଟ୍ରଂପଙ୍କ ସକାଶେ ଏହା ଗାତ୍ର ଦାହର ଏକ ବଡ଼ କାରଣ ହୋଇଥିବ। ସେ ଦିନ ତାଙ୍କ ସ୍ବରରେ ଥିବା ଚୂଡ଼ାନ୍ତ ନିଷ୍ପତ୍ତିସୁଲଭ ଅଟଳତା ଯଦିଓ ବିଚଳିତକର ଲାଗିଥାଏ, ଏହା କିଭଳି ଅପରିଣାମଦର୍ଶୀ ଏବଂ ଏହାର ରୂପାୟନ କିଭଳି ଭୂଚଳନସୁଲଭ ଅସ୍ଥିରତା ସୃଷ୍ଟି କରିପାରେ, ତାହା ମଧ୍ୟ ପ୍ରଣିଧାନଯୋଗ୍ୟ। ଏଭଳି ସ୍ଥଳେ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ଏଠାରେ ପ୍ରକାଶଯୋଗ୍ୟ ଯେ ଆମେରିକାର ଅତିକାୟ ‘ଟେକ୍‌ କଂପାନି’ଗୁଡ଼ିକରେ ପ୍ରାୟ ୫୦ ଲକ୍ଷ ଭାରତୀୟ ଇଂଜିନିଅର ନିଯୁକ୍ତ, ଯେଉଁମାନେ କାଲିଫର୍ନିଆ, ଟେକ୍‌ସାସରୁ ଘେନି ବେଙ୍ଗାଲୁରୁ ବା ପୁଣେ ଅଥବା ଭୁବନେଶ୍ବର ପର୍ଯ୍ୟନ୍ତ ସୁବିସ୍ତୃତ କାର୍ଯ୍ୟ ସ୍ଥଳରେ ଅହୋରାତ୍ର କର୍ମ ନିମଗ୍ନ। ଅବଶ୍ୟ, ଏହା ସତ ଯେ ଭାରତୀୟ ଇଂଜିନିଅରମାନଙ୍କ ଚାହିଦା ପଛର ଏକ ପ୍ରମୁଖ କାରଣ ହେଉଛି ସେମାନଙ୍କ କାର୍ଯ୍ୟ ବାବଦରେ ସେମାନଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ; ଯାହା ସମତୁଲ କାର୍ଯ୍ୟ ସକାଶେ ଯେ କୌଣସି ଆମେରିକୀୟ ଦାବି କରୁଥିବା ପାଉଣା ତୁଳନାରେ ଯଥେଷ୍ଟ ଊଣା ହୋଇଥାଏ। କିନ୍ତୁ, ଆଉ ଏକ ବାସ୍ତବତା ହେଲା ଭାରତୀୟମାନଙ୍କ ଡି.ଏନ.ଏ.ରେ ବିଦ୍ୟମାନ ଥିବା ଗାଣିତିକ ପ୍ରୟୋଗ ଜନିତ ବିଚକ୍ଷଣତା ଏହି ଇଂଜିନିଅରମାନଙ୍କୁ ‘ସିଲିକନ ଭ୍ୟାଲି’ ନିରନ୍ତର ଲୋଡୁଥିବା ନୂଆ‌ ଆବିଷ୍କାର ଓ ମାର୍ଗ ଦର୍ଶନ ସକାଶେ ବିକଳ୍ପହୀନ ମଧ୍ୟ କରିଥାଏ, ଯାହାର ପ୍ରମାଣ ଆମେରିକାର ‘ସେଣ୍ଟ୍ରାଲ ଚାମ୍ବର ଅଫ କମର୍ସ’ର ସି.ଇ.ଓ ସୁଜୈନ ଡି. କ୍ଲାର୍କଙ୍କ ଏକ ମନ୍ତବ୍ୟ ଯେ ‘ଟେକ୍‌’ ଜଗତ୍‌ରେ ଅନେକ ନୂତନ ଦିଗବାରେଣି ପୁଣେ ବା ବେଙ୍ଗାଲୁରୁରୁ ହିଁ ସ୍ଥାପିତ ହେଉଛି। ସମ୍ଭବତଃ, ଏହି କାରଣରୁ ମାଇକ୍ରୋସଫ୍‌ଟ ଭଳି କଂପାନି ଗୋଟିଏ ପଟେ ୯୦୦୦ କର୍ମଚାରୀଙ୍କୁ ଛଟେଇ କରି ଦେଇଥିବା ବେଳେ ଅନ୍ୟ ପକ୍ଷରେ କେଇ ହଜାର ‘ଏଚ୍‌-୧ବି’ ଭିସା‌ ସକାଶେ ଆବେଦନ କରିଥିବା ଦେଖିବାକୁ ମିଳିଛି; ଯାହାକୁ ଅନୈତିକ ବୋଲି ଆଖ୍ୟା ଦେଇ ଆମେରିକାର ଉପରାଷ୍ଟ୍ରପତି ଜେ. ଡି. ଭାନ୍‌ସ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି। ଏହା ପ୍ରାୟ ସମସ୍ତଙ୍କୁ ଜଣା ଯେ ‘ଏଚ-୧ବି’ ଭିସା ବିଦେଶାଗତମାନଙ୍କୁ ଆମେରିକାର ଭୂମିରେ ବୃତ୍ତି ନିଯୁକ୍ତ ହେବାର ଅନୁମତି ପ୍ରଦାନ କରିଥାଏ ଏବଂ ମାଇକ୍ରୋସଫ୍‌ଟ ବା ସେହି ଭଳି କଂପାନିଗୁଡ଼ିକ ପାଉଥିବା ହଜାର ହଜାର ସଂଖ୍ୟକ ‘ଏଚ-୧ବି’ ଭିସାର ମୁଖ୍ୟ ହିତାଧିକାରୀ କେଉଁମାନେ ହେବା ସୁନିଶ୍ଚିତ, ତାହା କେବଳ ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହେବ, ଯାହା ଅନୁସାରେ ଆମେରିକାରେ ସଂପ୍ରତି ପ୍ରଚଳିତ ସମସ୍ତ ‘ଏଚ-୧ବି’ ଭିସାର ୭୨.୩%ର ଅଧିକାରୀ ହେଉଛନ୍ତି ଭାରତୀୟ। କେବଳ ସେତିକି ନୁହେଁ, ଟ୍ରଂପ୍‌ ବା ଭାନ୍‌ସଙ୍କ ଭଳି କଠୋର ଆମେରିକୀୟ ଜାତୀୟତାବାଦୀମାନଙ୍କ ଦୃଷ୍ଟିରେ ଆଉ ଯାହା ଅତ୍ୟନ୍ତ ଅପ୍ରୀତିକର ହେଉଥିବା ସ୍ବାଭାବିକ, ତାହା ହେଲା, କେବଳ ‘ଟେକ୍’ କର୍ମଚାରୀ ନୁହନ୍ତି, ପୃଥିବୀର ବୃହତ୍ତମ ‘ଟେକ୍‌’ କଂପାନିଗୁଡ଼ିକୁ ନେତୃତ୍ବ ପ୍ରଦାନ କରୁଥିବା ‘ସି.ଇ.ଓ.’ଙ୍କ ମଧ୍ୟରେ ଅନେକ ଭାରତୀୟ ଧ୍ରୁବ ତାରା ତୁଲ୍ୟ ବିଦ୍ୟମାନ, ଯେମିତି ଗୁଗଲର ସୁନ୍ଦର ପିଚାଇ ବା ମାଇକ୍ରୋସଫ୍‌ଟର ସତ୍ୟ ନାଡେଲା ବା ଆଡୋବିର ଶାନ୍ତନୁ ନାରାୟଣନ ଇତ୍ୟାଦି। 
ତେବେ ଡୋନାଲ୍‌ଡ ଟ୍ରଂପଙ୍କ କ୍ଷୀଣ ଦୃଷ୍ଟି ସଂପନ୍ନ ବିଚାର ଅନୁସାରେ ଲାଭଖୋର ଆମେରିକୀୟ ‘ଟେକ୍‌’ କଂପାନିଗୁଡ଼ିକ କେବଳ ଆପଣା ଲୋଭ ଚରିତାର୍ଥ କରିବା ପ୍ରକରଣରେ ନିଜ ଦେଶ ଆମେରିକା ସହିତ ପ୍ରତାରଣା କରିବାରେ ପ୍ରମତ୍ତ ଏବଂ ଆମେରିକୀୟ ‘ମୁକ୍ତ ବିଚାର’(ଅତି!) ସଂବଳିତ ଚିନ୍ତାଧାରାର ସୁଯୋଗ ନେଇ ଯେଉଁ ‘ରେଡିକାଲ ଗ୍ଲୋବାଲାଇଜେସନ’ ବା ‘ଚରମ ଜଗତ୍‌କରଣ’ ଭଳି ସ୍ଥିତି ସୃଷ୍ଟି ହୋଇଛି, ତହିଁରେ ଆମେରିକାକୁ ଶୋଷଣ କରି ଭାରତ ଭଳି ରାଷ୍ଟ୍ରଗୁଡ଼ିକୁ ଅନୁଗୃହୀତ କରାଯାଉଛି। ଟ୍ରଂପଙ୍କ ଏଭଳି ଧାରଣା ଆପଲ କଂପାନି ଉଦ୍ଦେଶ୍ୟରେ ତାଙ୍କର ସେହି ଧମକରେ ଦୃଷ୍ଟିଗୋଚର ହୋଇଛି, ଯହିଁରେ ଶୁଣିବାକୁ ମିଳିଛି ଯେ ଭାରତରୁ ଆଇଫୋନ କାରଖାନାକୁ ଅପସାରଣ କରି ତାକୁ ଆମେରିକାରେ ସ୍ଥାପନ କରା ନ ଗଲେ ଭାରତ‌େର ଉତ୍ପାଦିତ ହୋଇ ଆମେରିକା ପ୍ରବେଶ କରୁଥିବା ଆଇଫୋନ ଉପରେ ଅତିରିକ୍ତ ଶହେ ପ୍ରତିଶତ ଆମଦାନି ଶୁଳ୍‌କ ବା ‘ଟାରିଫ’ କଷା ଯିବ। କିନ୍ତୁ ସମ୍ଭବତଃ, ଟ୍ରଂପ ମହାଶୟ ଯାହା ପାସୋରି ଯାଆନ୍ତି, ତାହା ହେଲା କେବଳ ଯନ୍ତ୍ରାଂଶମାନ ଖଞ୍ଜି ଆଇଫୋନ ଉତ୍ପାଦନ କରିବା ଭଳି ଅନ୍ତିମ ସୋପାନର କାର୍ଯ୍ୟଟି ଯଦି ଭାରତରେ ସଂପାଦିତ ନ ହୋଇ ଆମେରିକାରେ ହୁଅନ୍ତା, ତେବେ ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଘଟି ତା’ର ବଜାର ମୂଲ୍ୟ ଏଭଳି ଉଚ୍ଚା ହୁଅନ୍ତା ଯେ ତାହା ପ୍ରତିଯୋଗିତାକ୍ଷମ ହୋଇ ପାରନ୍ତା ନାହିଁ। ପୁଣି ଭାରତ ଆଇଫୋନର କେବଳ ମାତ୍ର ଏକ ଉତ୍ପାଦନ କେନ୍ଦ୍ର ନୁହେଁ, ଏହାର ଏକ ବୃହତ୍ତମ ବଜାର ବା ବିକ୍ରୟ କେନ୍ଦ୍ର(୨୦୨୪ରେ ୧୨.୫ ନିୟୁତ ଆଇଫୋନ) ମଧ୍ୟ! ପୁଣି, କେବଳ ‘ହାର୍ଡୱେର’ ନୁହେଁ, ‘ସଫ୍‌ଟୱେର’ ‌େକ୍ଷତ୍ରରେ ମଧ୍ୟ ସମାନ ଦୃଶ୍ୟ ଦୃଷ୍ଟିଗୋଚର ହୁଏ, ଅର୍ଥାତ୍‌ ଟେକ୍‌ କଂପାନିଗୁଡ଼ିକ ପ୍ରଦାନ କରୁଥିବା ପାରିଶ୍ରମିକ ବଦଳରେ ଲାଭ କରୁଥିବା ‘ଦକ୍ଷତା’ ଓ ‘ବିଚକ୍ଷଣତା’ ଦୃଷ୍ଟିରୁ ଭାରତୀୟମାନେ ଅପୂରଣୀୟ ଭଳି ପ୍ରତୀତ ହୁଅନ୍ତି। ଏଭଳି ଏକ ବାବସ୍ତତା ପରିପ୍ରେକ୍ଷୀରେ ଟ୍ରଂପଙ୍କ ବିଚାର ଅବାନ୍ତର ଏବଂ ତା’ର ରୂପାୟନ ଆମେରିକା ସକାଶେ ଯେ ଅହେତୁକ ଭାବେ କ୍ଷତିକାରକ ହେବ, ଏହା ନିଃସନ୍ଦେହ। 
କହିବା ଅନାବଶ୍ୟକ ଯେ ବିତ୍ତ ଓ ସଂପଦ, ସାମରିକ ଶକ୍ତି, ପ୍ରତିଭାଙ୍କ ଔଜ୍ଜ୍ବଲ୍ୟ, ସାହିତ୍ୟ, ସିନେମା, ସଂଗୀତ, ସୁଯୋଗର ପ୍ରାଚୁର୍ଯ୍ୟ ଏବଂ ମୁକ୍ତ ତଥା ପ୍ରଶସ୍ତ ବିଚାର ଆଦି କାରଣରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ସ୍ବଚ୍ଛନ୍ଦରେ ଏକ ମହାନ ଏବଂ ସର୍ବାଧିକ ପ୍ରଭାବଶାଳୀ ରାଷ୍ଟ୍ର ବୋଲି କୁହାଯାଇପାରେ। ଏହା ସୁବିଦିତ ଯେ ଏହି ରାଷ୍ଟ୍ର ବିଦେଶାଗତମାନଙ୍କ ଆଗମନକୁ ପ୍ରଶ୍ରୟ ଦେଇ ସେମାନଙ୍କ ପ୍ରଚେଷ୍ଟାରେ ହିଁ ଈର୍ଷଣୀୟ ହୋଇ ଗଢ଼ି ହୋଇଛି। ପ୍ରତିଭା ସ୍ଫୁରଣ ଲାଗି ଏଠାରେ ଉପଲବ୍‌ଧ ପରିବେଶ ଓ ସୁଯୋଗ ହେତୁ ପୃଥିବୀର ପ୍ରତିଭାଧରମାନଙ୍କ ସକାଶେ ଏହା ଏକ ଚୁମ୍ବକୀୟ କ୍ଷେତ୍ରରେ ପରିଣତ ହୋଇଛି। କ୍ରୀତଦାସ ଭାବେ ବଳପୂର୍ବକ ଅଣାଯାଇଥିବା କୃଷ୍ଣକାୟ ଆଫ୍ରିକୀୟ ହୁଅନ୍ତୁ ବା ସ୍ବଇଚ୍ଛାରେ ଆସିଥିବା ସୁଯୋଗ ସନ୍ଧାନୀ ଏସୀୟ ବା ୟୁରୋପୀୟ ହୁଅନ୍ତୁ, ଜେସି ଓଏନ୍‌ସ, କାର୍ଲ ଲୁଇସ, ମାଇକେଲ ଜର୍ଡାନ, ଏଡି ମର୍ଫିଙ୍କ ଠାରୁ ଆରମ୍ଭ କରି ଆଲବର୍ଟ ଆଇନଷ୍ଟାଇନ, ଆଇଜାକ ବାସେଭିସ ସିଙ୍ଗର, ହରଗୋବିନ୍ଦ ଖୁରାନା ଆଦିଙ୍କ ମଧ୍ୟ ଦେଇ ଏଲନ ମସ୍କଙ୍କ ପର୍ଯ୍ୟନ୍ତ ଅସଂଖ୍ୟ କୃତବିଦ୍ୟ ଆମେରିକୀୟ ହେଉଛନ୍ତି ବିଦେଶାଗତ ବା ବିଦେଶାଗତଙ୍କ ବଂଶଜ। ଏ ସଂଦର୍ଭରେ ମେସନ ବିଶ୍ବବିଦ୍ୟାଳୟର ‘ଇନଷ୍ଟିଚ୍ୟୁଟ୍‌ ଅଫ ଇମିଗ୍ରେସନ ରିସର୍ଚ’ ଦ୍ବାରା ପ୍ରକାଶିତ ତଥ୍ୟ କହିଥାଏ ଯେ ଆମେରିକୀୟ ନୋବେଲ ପୁରସ୍କାର ବିଜେତାଙ୍କ ମଧ୍ୟରୁ ୩୭% ହେଉଛନ୍ତି ବିଦେଶୀ ମୂଳୋଦ୍ଭବ। ସେହି ଭଳି ଆମେରିକାର ସମୁଦାୟ ଅଲିଂପିକ ବିଜେତାଙ୍କ ମଧ୍ୟରୁ ୧୯.୪% ହେଉଛନ୍ତି ବିଦେଶୀ ମୂଳର ସନ୍ତାନ। ୨୦୨୪ ମସିହାର ପ୍ୟାରିସ ଅଲିଂପିକ୍‌ସରେ ପଦକ ବିଜୟିନୀ ଆମେରିକୀୟ ମହିଳା ଆଥଲେଟଙ୍କ ମଧ୍ୟରୁ ୪୨% ହେଉଛନ୍ତି ବିଦେଶୀ ମୂଳୋଦ୍ଭବ। ଆମେରିକାର ଆକର୍ଷଣ କିଭଳି ଦୁର୍ଲଂଘ୍ୟ ହୋଇପାରେ, ତା’ର ଦୃଷ୍ଟାନ୍ତ ମିଳିଥିଲା ଇହୁଦୀମାନଙ୍କ ନିଜସ୍ବ ରାଷ୍ଟ୍ର ଇସ୍ରାଏଲ ଗଠନ କାଳରେ, ଯେଉଁଠାକୁ ପୃଥିବୀର ସମସ୍ତ କୋଣରୁ ଇହୁଦୀମାନଙ୍କ ସୁଅ ଛୁଟିଥିଲା, କେବଳ ଆମେରିକାକୁ ବାଦ ଦେଇ! ଏହି ସମଗ୍ର ପ୍ରକରଣରେ ନିହିତ ଅସଂଗତିଟି ହେଲା ଡୋନାଲ୍‌ଡ ଟ୍ରଂପ ସ୍ବୟଂ ଏକ ଦରିଦ୍ର ପ୍ରବାସୀଙ୍କ ବଂଶଧର, ଯିଏ ମୁକ୍ତ ଓ ଉଦାର ଆମେରିକାରେ ସଫଳ ଅର୍ବପତି ବ୍ୟବସାୟୀ ହେବା ସହିତ ସେ ଦେଶର ରାଷ୍ଟ୍ରପତି ମଧ୍ୟ ହୋଇଛନ୍ତି। ‌େତଣୁ, ବିଡ଼ମ୍ବନାଟି ହେଲା, ଯେଉଁ ଉନ୍ମୁକ୍ତ ବାତାୟନ ଦେଇ ପ୍ରତିଭାର ଆଲୋକ ଓ ବିଚାରର ପବନ ଆମେରିକାକୁ ପ୍ରାଣୋଚ୍ଛଳ କରିଆସିଛି, ଟ୍ରଂପ ତାକୁ ବନ୍ଦ କରି ଆମେରିକାକୁ ଏକ ନିବୁଜ ଅନାଲୋକିତ କୋଠରିରେ ପରିଣତ କରି ଦେବାକୁ ଚାହାନ୍ତି, ଯେଉଁଠି ଚକ୍ଷୁଧାରୀମାନେ ଦିଗ ପାଇବା ଲାଗି ଅଣ୍ଡାଳି ହେଉଥିବା ବେଳେ ମତାନ୍ଧମାନେ ଅନାୟାସ‌େର ବିଚରଣ କରି ପାରିବେ!