ଗୁରୁଗ୍ରାମ ଭଳି ଦୃଷ୍ଟାନ୍ତ ସ୍ଥାପନକାରୀ ଅତ୍ୟନ୍ତ ଭବ୍ୟ ନଗରୀର ନିର୍ମାତାଗଣ ଏବଂ ସେଠାରେ ଏକ ଶହ କୋଟି ଟଙ୍କା ବିନିମୟରେ ଆବାସ କ୍ରୟ କରିଥିବା ଆପାର୍ଟମେଣ୍ଟ ଅଧିକାରୀମାନଙ୍କ କଳ୍ପନାର ଅମରାବତି ଅବଶିଷ୍ଟ ସହର ସହିତ ନର୍ଦ୍ଦମାର ପୂତିଗନ୍ଧମୟ ଜଳ ଓ ପଙ୍କ ଦ୍ବାରା ପ୍ଳାବିତ ହୋଇ ଉଠିବା, ସେହି ଆସ୍ପର୍ଦ୍ଧା ପ୍ରତି ପ୍ରକୃତିର ପ୍ରଶ୍ନ ଚିହ୍ନ, ଯାହା ସମ୍ଭବତଃ ଧରିନିଏ ଯେ ବିତ୍ତ ଓ କ୍ଷମତାର ପ୍ରଭାବରେ ସର୍ବଦା ଅପରାଜେୟ ହୋଇ ରହି ହେବ।

Advertisment

ସଂପ୍ରତି ଜମ୍ମୁ କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଦିଲ୍ଲୀ ଭଳି ଉତ୍ତର ଭାରତର କେତେକ ରାଜ୍ୟ ନାହିଁ ନ ଥିବା ବୃଷ୍ଟିପାତ, ପୁରାଣ‌େର ବର୍ଣ୍ଣିତ ଥିବା ଭଳି ପ୍ରଳୟଙ୍କରୀ ବନ୍ୟା ଏବଂ ବିକାଶର ପଦଚିହ୍ନକୁ ନିଶ୍ଚିହ୍ନ କରି ଦେଉଥିବା ଭଳି ଭୂସ୍ଖଳନର ଶିକାର ହୋଇ ଏକ ହାହାକାରମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛନ୍ତି। ଏହି ସ୍ତମ୍ଭଟି ଲେଖା ହେବା ବେଳକୁ ଆଧିକାରିକ ରିପୋର୍ଟ ଅନୁସାରେ ହିମାଳୟ ପାଦଦେଶ ଏବଂ ‌େସୖନ୍ଧବ-ଗାଙ୍ଗେୟ ଅଞ୍ଚଳ‌େର କେବଳ ଚଳିତ ମୌସୁମୀ ଋତୁରେ ପ୍ରାକୃତିକ ଦୁର୍ବିପାକ ହେତୁ ଦୁଇ ଶହରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଲାଣି, ଯେଉଁ ସଂଖ୍ୟା ହୁଏତ ବାସ୍ତବରେ ଅଧିକ ହୋଇଥିବ ଏବଂ ଏଭଳି ମୌସୁମୀ ବିପର୍ଯ୍ୟୟର ଦୃଷ୍ଟାନ୍ତ ସ୍ଥାନୀୟ ସ୍ମୃତିରେ ମଧ୍ୟ ନାହିଁ। କହିବା ବାହୁଲ୍ୟ, ଏହାକୁ ଜଳବାୟୁ ପରିବର୍ତ୍ତନର କରାଳ ରୂପ ବୋଲି ଅଭିହିତ କରାଯାଉଛି। ଏବଂ ମନୁଷ୍ୟର ନିର୍ବୋଧତା, ସୁବିଧାବାଦ ଓ ସ୍ବାର୍ଥ କିଭଳି ପରିସ୍ଥିତିକୁ ଅବିମୋଚନୀୟ ଭାବେ ଦାରୁଣ କରିବା ସହିତ ତାକୁ ତା’ର ‘ନିମିତ୍ତତା’ ନେଇ ସଚେତ କରାଇ ଦେଇଛି, ତାହା ବିଶେଷ ପ୍ରଣିଧାନଯୋଗ୍ୟ।
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ମୌସୁମୀ ଋତୁରେ ଉତ୍ତର ଭାରତର କତିପୟ ଅଞ୍ଚଳରେ ଗୋଟିଏ ଗୋଟିଏ ଦିନରେ ହାରାହାରି ମାସିକ ବୃଷ୍ଟିପାତ ଠାରୁ ଅଧିକ ବର୍ଷା ହୋଇଛି; ଏହି ହିସାବରେ ଏ ଯାବତ୍‌ ପଞ୍ଜାବରେ ୧୨୭୨%, ହରିଆଣାରେ ୭୦୨% ଏବଂ ହିମାଚଳ ପ୍ରଦେଶରେ ୫୫୪% ଅଧିକ ବର୍ଷା ହୋଇ ସାରିଲାଣି। ସୁତରାଂ, ପ୍ରଶ୍ନ ଉଠିଥାଏ ଯେ ଚଳିତ ବର୍ଷ ଉତ୍ତର ଭାରତର ଏହି ସବୁ ରାଜ୍ୟରେ ଅଭୂତପୂର୍ବ ଅତି-ବୃଷ୍ଟିର କାରଣ କ’ଣ? ଉତ୍ତରଟି ହେଲା ଗ୍ରୀଷ୍ମ କାଳରେ ଅତ୍ୟନ୍ତ ଅସହ୍ୟ ବିଷୁବ ମଣ୍ଡଳୀୟ ସୂର୍ଯ୍ୟ-ତାପ ଏହି ଭୂଖଣ୍ଡରେ ସୃଷ୍ଟି କରୁଥିବା ଲଘୁଚାପ କ୍ଷେତ୍ର(ଇଂରେଜୀରେ ଟ୍ରଫ୍‌) ଏଥର ଉତ୍ତର ଭାରତରେ ହେଲା, ଯେଉଁ କାରଣରୁ ପଶ୍ଚିମରେ ଆରବ ସାଗର ଓ ପୂର୍ବରେ ବଙ୍ଗୋପସାଗର ଉପରୁ ଜଳୀୟ ବାଷ୍ପ ପରିପୃକ୍ତ ଯଥାକ୍ରମେ ଉତ୍ତର-ପୂର୍ବୀୟ ‘ଜେଟ୍‌’ ବାୟୁ ସ୍ରୋତ ଏବଂ ଦକ୍ଷିଣ-ପୂର୍ବୀୟ ଜେଟ୍‌ ବାୟୁ ସ୍ରୋତ ସେହି କ୍ଷେତ୍ରକୁ ପ୍ରବାହିତ ହୋଇ ମିଳିତ ହେଲେ। ଏହା ସମସ୍ତଙ୍କୁ ଜଣା ଯେ ଲଘୁଚାପ କ୍ଷେତ୍ରକୁ ଗୁରୁଚାପ ଅଞ୍ଚଳରୁ ପବନ ପ୍ରବାହିତ ହୋଇଥାଏ ଏବଂ ଉପରୋକ୍ତ ‘ଜେଟ୍‌’ ସ୍ରୋତ ଦ୍ବୟ ପ୍ରତି ବର୍ଷ ଜୁନ୍‌-ଜୁଲାଇ ମାସ ବେଳକୁ ଭାରତୀୟ ଉପମହାଦେଶରେ ସୃଷ୍ଟ କୌଣସି ଲଘୁଚାପ କ୍ଷେତ୍ରକୁ ପ୍ରବାହିତ ହୋଇ ମୌସୁମୀ ବୃଷ୍ଟିପାତ ଲାଗି ଭୂମିକା ପ୍ରସ୍ତୁତ କରନ୍ତି। ତେବେ, ଏଥରର ଅସ୍ବାଭାବିକତାଟି ହେଲା ଗ୍ରୀଷ୍ମ-କାଳୀନ ମାତ୍ରାତିରିକ୍ତ ସୌର-ତାପର ପ୍ରାୟ ୯୩% ଶୋଷି ନେଇଥିବା ଉତ୍ତପ୍ତ ମହୋଦଧି ଅପରିମେୟ ପରିମାଣର ଜଳୀୟ ବାଷ୍ପକୁ ଊର୍ଦ୍ଧ୍ବମୁଖୀ କରାଇ ଉପରୋକ୍ତ ‘ଜେଟ୍‌’ ବାୟୁ ସ୍ରୋତ ଦ୍ବୟକୁ ଏଭଳି ଜଳଗର୍ଭା କରି ଦେଇଥିଲା ଯେ ଆଶାତୀତ ବୃଷ୍ଟିପାତ ଲାଗି ପୃଷ୍ଠଭୂମି ଆପଣାଛାଏଁ ପ୍ରସ୍ତୁତ ହୋଇଯାଇଥିଲା। କିନ୍ତୁ, ପ୍ରକୃତିର ବିଧାନରେ ଏତକ ଯେମିତି ଯଥେଷ୍ଟ ନ ଥିଲା, ‘ୱେଷ୍ଟର୍ନ ଡିଷ୍ଟରବାନ୍‌ସେସ୍‌’ ବା ‘ପଶ୍ଚିମା ପ୍ରାଦୁର୍ଭାବ’ ସୃଷ୍ଟି କରୁଥିବା ଉପ-ବିଷୁବ ମଣ୍ଡଳୀୟ ‘ଜେଟ୍‌’ ସ୍ରୋତ ଏହି ଲଘୁଚାପ କ୍ଷେତ୍ରକୁ ପ୍ରବାହିତ ହେବାର ଦୀର୍ଘ ଯାତ୍ରା ପଥରେ ମେରୁ ସାଗର, କାସ୍ପିଆନ ସାଗର ଓ ଭୂ-ମଧ୍ୟ ସାଗରରୁ ବିପୁଳ ପରିମାଣର ଜଳୀୟ ବାଷ୍ପ ସଂଗ୍ରହ କରି ଆଣି ଏଠାରେ ଅଜାଡ଼ିଛି। ଚଳିତ ମୌସୁମୀରେ ହିମାଚଳ ପ୍ରଦେଶରେ ଦଶରୁ ଅଧିକ ବାଦଲ ଫଟା ବୃଷ୍ଟିପାତର ଗୋଟିଏ କାରଣ ହେଉଛି ‘ପଶ୍ଚିମା ପ୍ରଦୁର୍ଭାବ’ର ପ୍ରଭାବ। ବିଶ୍ବ ତାପନ ପ୍ରକ୍ରିୟାରେ ପୃଥିବୀର ସର୍ବତ୍ର ସାଗର ଉତ୍ତପ୍ତ ହୋଇଛି ଏବଂ ‘ଉପ ବିଷୁବ ମଣ୍ଡଳୀୟ ଜେଟ୍ ବାୟୁ ସ୍ରୋତ’ ଏହି କାରଣରୁ ସ୍ବାଭାବିକତା ଠାରୁ ଅନେକ ଗୁଣରେ ଅଧିକ ପରିମାଣର ଜଳୀୟ ବାଷ୍ପ ସଂଗ୍ରହ ଓ ଧାରଣ କରି ‘ପଶ୍ଚିମା ପ୍ରାଦୁର୍ଭାବ’କୁ ଅଧିକ ଉଗ୍ର କରିଛି। କହିବାରେ ଦ୍ବିଧା ନାହିଁ ଯେ ସମଗ୍ର ପୃଥିବୀରେ ପରିଦୃଷ୍ଟ ହୋଇ ଚାଲିଥିବା ମାନବୀୟ ଅବିମୃଶ୍ୟକାରିତାର ଦଣ୍ଡର ପ୍ରହାର ଏହି ଭଳି ଭାବେ ପଡୁଛି। 
ଏଭଳି ସ୍ଥିତିରେ ବିଡ଼ମ୍ବନାଟି ହେଲା ପୃଥିବୀକୁ ସର୍ବାଧିକ ବ୍ୟବହାର, ଦୋହନ, ଶେଷଣ ଏବଂ ପରିଶେଷରେ ବିନଷ୍ଟ କରୁଥିବା ସଂଖ୍ୟାଲଘୁ ପ୍ରଭାବଶାଳୀ ବର୍ଗର ଗୋଟିଏ କ୍ଷୁଦ୍ର ଅଂଶ (ଡୋନାଲ୍‌ଡ ଟ୍ରଂପ ଏବଂ ତାଙ୍କ ସମଧର୍ମା) ଜଳବାୟୁ ପରିବର୍ତ୍ତନ ଭଳି ବାସ୍ତବତାକୁ ସ୍ବୀକାର କରୁ ନ ଥିବା ବେଳେ ଅବଶିଷ୍ଟ ବୃହତ୍‌ ଅଂଶ ଆପଣା ସ୍ବାର୍ଥ ଚରିତାର୍ଥ କରିବା ସକାଶେ ତାହା ପ୍ରତି ଆଖି ବୁଜି ଦିଅନ୍ତି; ଯେଉଁ କାରଣରୁ ବିକାଶ ନାମରେ ଅବାଧ ବୃକ୍ଷ ଛେଦନ, ହିମାଳୟ ଭଳି ଏକ ତରୁଣ କର୍ଦ୍ଦମ ପର୍ବତ ବକ୍ଷରେ ନିରଙ୍କୁଶ ଅଟ୍ଟାଳିକା, ସଡ଼କ ଓ ଟନେଲ ନିର୍ମାଣ, ନଦୀ ଶଯ୍ୟା ଓ ପ୍ରାକୃତିକ ନାଳ ସବୁକୁ ଅତିକ୍ରମଣ ଓ ଅବରୋଧ କରି ଅତ୍ୟାଧୁନିକ ବିଳାସପୂର୍ଣ୍ଣ ସହର ସ୍ଥାପନ ଇତ୍ୟାଦି ଦେଖିବାକୁ ମିଳୁଛି। ଏହି କାରଣରୁ ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ କେଦା‌ରନାଥ ବା ଧରାଲିରେ ଘଟିଥିବା ଭଳି ହୋଟେଲ ଓ ବାସଗୃହ ସଂବଳିତ ଜନବସତିମାନ ଭାସି ଯିବା ଅଥବା ସାମାନ୍ୟ ବୃଷ୍ଟିପାତରେ ବେଙ୍ଗାଲୁରୁ ଓ ଗୁରୁଗ୍ରାମ ଭଳି ଅତ୍ୟାଧୁନିକ ସହରମାନ ଜଳାର୍ଣ୍ଣବ ହୋଇ ଉଠିବା ଭଳି ଚିତ୍ରମାନ ସାମାଜିକ ଗଣମାଧ୍ୟମରେ ସର୍ବତ୍ର ପ୍ରସାରିତ ହୋଇ ଉଭୟ ହାହାକାର ଏବଂ ପରିହାସ ସୃଷ୍ଟି କରୁଛନ୍ତି। ଏହା ସୁବିଦିତ ଯେ ସଂପ୍ରତି ଅନେକ ସହର ଓ ଜନବସତି ଏମିତି ନଦୀକୂଳିଆ ଅଞ୍ଚଳରେ ଗଢ଼ି ଉଠିଛନ୍ତି, ଯାହା ଏକଦା ହୁଏତ ସେହି ନଦୀ ପରିତ୍ୟାଗ କରିଥିବା ତା’ର ପୁରୁଣା ଗତିପଥ ଥିଲା ଏବଂ ପ୍ରକୃତିର ନିୟମାନୁସାରେ ବନ୍ୟା ଜଳର ପ୍ରାବଲ୍ୟରେ ବେଳେବେଳେ ନଦୀର ସ୍ମୃତି ଜାଗି ଉଠେ ଓ ତାହା ଅତର୍କିତ ଭାବେ ସେହି ପୁରୁଣା ଗତିପଥକୁ ଅନୁସରଣ କରେ, ଯେମିତି ଘଟିଥିଲା ୨୦୦୮ ମସିହା ଅଗଷ୍ଟ ମାସରେ, ବିହାରର କୋଶୀ ନଦୀ ବନ୍ୟା ବିଭୀଷିକାରେ, ଯେଉଁ ‘ରାଷ୍ଟ୍ରୀୟ ବିପତ୍ତି’ରେ ୩.୫ ନିୟୁତ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ। ଚଳିତ ବର୍ଷ ପଞ୍ଜାବ, ୧୯୮୮ ମସିହା ପରେ, ସର୍ବାଧିକ ପ୍ରଳୟଙ୍କରୀ ବନ୍ୟାର ଶିକାର ହୋଇଛି। କହିବା ବାହୁଲ୍ୟ, ଆମ ଦେଶର ନଦୀକୂଳିଆ ଗ୍ରାମାଞ୍ଚଳଗୁଡ଼ିକ ନିୟମିତ ବ୍ୟବଧାନରେ ବନ୍ୟାର ଶିକାର ହୁଅନ୍ତି ଏବଂ ତା’ପରେ ଜୀବନକୁ ପ୍ରାୟ ଶୂନ୍ୟରୁ ପୁନର୍ବାର ଆରମ୍ଭ କରିବାର ଅତୁଳନୀୟ ସାହସ ଓ ସାମର୍ଥ୍ୟ ଦେଖାନ୍ତି; କିନ୍ତୁ ଏହି ବିପର୍ଯ୍ୟୟ ମହାନଗରର ଅତି ଧନିକମାନଙ୍କୁ ଅତର୍କିତ ଭାବେ ସେମାନଙ୍କ ସାମର୍ଥ୍ୟର ମୂଲ୍ୟହୀନତା ସହିତ ଅତି ନିଷ୍ଠୁର ଭାବେ ପରିଚିତ କରାଇ ଦେଇଛି। ଗୁରୁଗ୍ରାମ ଭଳି ଦୃଷ୍ଟାନ୍ତ ସ୍ଥାପନକାରୀ ଅତ୍ୟନ୍ତ ଭବ୍ୟ ନଗରୀର ନିର୍ମାତାଗଣ ଏବଂ ସେଠାରେ ଏକ ଶହ କୋଟି ଟଙ୍କା ବିନିମୟରେ ଆବାସ କ୍ରୟ କରିଥିବା ଆପାର୍ଟମେଣ୍ଟ ଅଧିକାରୀମାନଙ୍କ କଳ୍ପନାର ଅମରାବତି ଅବଶିଷ୍ଟ ସହର ସହିତ ନର୍ଦ୍ଦମାର ପୂତିଗନ୍ଧମୟ ଜଳ ଓ ପଙ୍କ ଦ୍ବାରା ପ୍ଳାବିତ ହୋଇ ଉଠିବା, ସେହି ଆସ୍ପର୍ଦ୍ଧା ପ୍ରତି ପ୍ରକୃତିର ପ୍ରଶ୍ନ ଚିହ୍ନ, ଯାହା ସମ୍ଭବତଃ ଧରିନିଏ ଯେ ବିତ୍ତ ଓ କ୍ଷମତାର ପ୍ରଭାବରେ ସର୍ବଦା ଅପରାଜେୟ ହୋଇ ରହି ହେବ।
ଏହି ସଂଦର୍ଭରେ ‘ଦ ପ୍ରିଣ୍ଟ’ରେ ପ୍ରକାଶିତ କରଣଜିତ କୌରଙ୍କ ଦ୍ବାରା ଲିଖିତ ଚମତ୍କାର ଆଲେଖ୍ୟ ପ୍ରଣିଧାନଯୋଗ୍ୟ, ଯାହାର ଶୀର୍ଷକ ‘... ମନି ଜଷ୍ଟ କ୍ୟାନ୍‌ଟ ବାଏ ଦେମ ଫ୍ରିଡମ୍‌’। ଘୋର ବୃଷ୍ଟିପାତ କାରଣରୁ ନିକଟରେ ଜଳମଗ୍ନ ହୋଇଯାଇଥିବା ମୁମ୍ବାଇ ସଡ଼କରେ ଗୋଟିଏ ମାଲିକ ପରିତ୍ୟକ୍ତ ବିଳାସପୂର୍ଣ୍ଣ ମର୍ସିଡିଜ ବେନ୍‌ଜ କାର୍‌ ଏକ ଲଙ୍ଗରହୀନ ଜାହାଜ ଭଳି ଏଣେତେଣେ ଭାସି ବୁଲୁଥିବା ବେଳେ ସେହି ପଚା ପାଣିରେ ସିଆର କାଟି ‘ମୁମ୍ବାଇକର’ମାନେ ଚଳପ୍ରଚଳ କରୁଥିବାର ଦୃଶ୍ୟ ଥିଲା ଏହି ଆଲେଖ୍ୟର ପୃଷ୍ଠଭୂମି। ଜର୍ମାନିର ଅତ୍ୟାଧୁନିକ ପ୍ରଯୁକ୍ତି ମୁମ୍ବାଇର ମୌସୁମୀ-ବାସ୍ତବତା ଆଗରେ ପରାଜୟ ସ୍ବୀକାର କରିଥିଲା। ଏହି ଆଲେଖ୍ୟର ସାରାଂଶ ହେଉଛି ଯେଉଁ ଅମିତ ବିତ୍ତଶାଳୀ ବର୍ଗ ଇଚ୍ଛା କଲେ କୌଣସି ନଗରୀ(ଦେଶ ମଧ୍ୟ)ର ଭାଗ୍ୟ ବଦଳାଇ ଦେଇ ପାରନ୍ତେ, ସେମାନେ ତାହା ନ କରି ନିଜକୁ ସୁରକ୍ଷିତ ରଖିବା ଲାଗି ଅତ୍ୟାଧୁନିକ ବିଳସପୂର୍ଣ୍ଣ ଆପାର୍ଟମେଣ୍ଟମାନ ଗଢ଼ି ଓ ତହିଁରେ ରହି ଅବଶିଷ୍ଟ ସହର ଆଡ଼କୁ କବାଟ କିଳି ଦିଅନ୍ତି। କିନ୍ତୁ ବିଡ଼ମ୍ବନା ହେଲା ପ୍ରକୃତିର ନ୍ୟାୟରେ ଅବଶିଷ୍ଟ ସହର ଭଳି ସେହି ଉଜ୍ଜ୍ବଳ ଦ୍ବୀପଗୁଡ଼ିକ ମଧ୍ୟ ମଗ୍ନ ହୋଇଯାଆନ୍ତି। ଆଲେଖ୍ୟଟି ଶେଷ ହୋଇଛି ଏକ ପ୍ରକାର ନୈରାଶ୍ୟ ବୋଧରେ, କାରଣ ଲେଖିକା ପ୍ରାୟ ନିଶ୍ଚିତ ଯେ ଏହି ଅମିତ ବିତ୍ତଶାଳୀମାନେ ସହରର ଭାଗ୍ୟ ପରିବର୍ତ୍ତନରେ ଭୂମିକା ନିର୍ବାହ ନ କରି ବିଦେଶକୁ ପଳାୟନ କରିବାକୁ ଉଚିତ ମଣିବେ, ଯେମିତି ୪୩୦୦ ଅର୍ବପତି ୨୦୨୪ ମସିହାରେ ଭାରତ ଓ ତା’ର ସମସ୍ୟାଗୁଡ଼ିକୁ ପଛ କରି ଚାଲି ଯାଇଛନ୍ତି!