ଏକ କଟୁ ବାସ୍ତବତା ହେଲା ସରକାର ଏହି ବର୍ଗକୁ ବିଶେଷ ମହତ୍ତ୍ବ ଦିଅନ୍ତି ନାହିଁ; କାରଣ ଏହି ବର୍ଗ କୌଣସି ମହତ୍ତର ଲକ୍ଷ୍ୟ ରହିତ ଭାବେ ଶିକ୍ଷିତ, ଅଙ୍ଗୀକାରହୀନ ଭାବେ ସଚେତନ ଏବଂ ଅର୍ଥହୀନ ଭାବେ ଉଚ୍ଚାଟ ସୃଷ୍ଟିକାରୀ। ସରକାର ବୁଝନ୍ତି ଯେ ଏହି ବର୍ଗ ଶାସନରେ ପରିବର୍ତ୍ତନ ସକାଶେ ତମ୍ବିତୋଫାନ କରି ପାରେ, କିନ୍ତୁ ପରିବର୍ତ୍ତନର ଉତ୍‌ପ୍ରେରକ ହୋଇ ପାରିବ ନାହିଁ।

Advertisment

ସପ୍ତାହକ ତଳେ ଏକ କୌତୂହଳପ୍ରଦ ଘଟଣାରେ ଦେଖିବାକୁ ମିଳିଛି ଯେ ବେଙ୍ଗାଲୁରୁ ସହରର ଜଣେ ପ୍ରଫେସର ତାଙ୍କ ଶାରୀରିକ ପୀଡ଼ା ଓ ଦୁଶ୍ଚିନ୍ତା ଲାଗି ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ନଗର ପ୍ରଶାସନ ବିରୋଧରେ ଏକ ମାମଲା ଦାୟର କରିଛନ୍ତି। କିରଣ ଜୀବନ ନାମକ ଏହି ବ୍ୟକ୍ତିଙ୍କ ଅଭିଯୋଗର ପାତ୍ର ହୋଇଛି ସହରର ଅତ୍ୟନ୍ତ ନିକୃଷ୍ଟ ମାନର ସଡ଼କ, ଯହିଁରେ ଯାତାୟାତ କରି ସେ ଲାଭ କରିଥିବା ଦୁରାରୋଗ୍ୟ ଅଣ୍ଟା ଓ ବେକ ଯନ୍ତ୍ରଣା ସକାଶେ ଚିକିତ୍ସାରେ ବିପୁଳ ବ୍ୟୟ କରିବାକୁ ବାଧ୍ୟ ହେଉଛନ୍ତି। ଅଦାଲତରେ ତାଙ୍କ ମାମଲାର ଦମ୍ଭ ନେଇ ଯଦିଓ ସନ୍ଦେହ ପ୍ରକାଶ ପାଇଥାଏ, ଏହି ଘଟଣା କିନ୍ତୁ ସାମଗ୍ରିକ ଭାବେ ସହରୀ ମଧ୍ୟ-ବିତ୍ତୀୟ ବର୍ଗର କ୍ରମବର୍ଦ୍ଧମାନ ଅସନ୍ତୋଷକୁ ସ୍ପଷ୍ଟ କରିଥାଏ, ଯେଉଁମାନଙ୍କ ମଧ୍ୟରେ ଏକ ଧାରଣା କ୍ରମେ ବଦ୍ଧମୂଳ ହେଲାଣି ଯେ ଦେଶର ରାଜକୋଷକୁ ପରିପୁଷ୍ଟ କରିବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ କରଦାତା ରୂ‌େପ ସେମାନଙ୍କ ଅବଦାନ ସର୍ବାଧିକ ହୋଇଥିଲେ ହେଁ ଏକ ନିରୁଦ୍‌ବିଗ୍ନ ସରକାର ସେମାନଙ୍କ ଜୀବନକୁ ସ୍ବଚ୍ଛନ୍ଦ କରିବା ଲାଗି ଆଦୌ ଚେଷ୍ଟିତ ନୁହନ୍ତି। ସେହି କାରଣରୁ ଶଂସିତ ଘଟଣାର ପରିଧି ବେଙ୍ଗାଲୁରୁକୁ ଅତିକ୍ରମ କରି ଦେଶର ସମସ୍ତ ବୃହତ୍‌ ଓ ନାତିବୃହତ୍‌ ସହର ଏବଂ ତହିଁରେ ବାସ କରୁଥିବା ମଧ୍ୟ-ବିତ୍ତୀୟ ବର୍ଗକୁ ଗୋଟିଏ ବୃତ୍ତର ପରିସରଭୁକ୍ତ କରିଥାଏ, ଯେଉଁ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରକାଶ ଥାଉ କି ଭାରତର ଜନସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ ଅର୍ଥାତ୍ ୫୦ କୋଟି ମଧ୍ୟ-ବିତ୍ତୀୟ ବର୍ଗରେ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ଏବଂ ସେମାନଙ୍କ ମଧ୍ୟରୁ ଏକ ବଡ଼ ଅଂଶ ଆୟକରଦାତା। ଏଣେ, ପୃଥିବୀର ୯୧ଟି ଦେଶ ମଧ୍ୟରେ ଏକ ତୁଳନାତ୍ମକ ହିସାବ ଆଧାରରେ ‘ଅର୍ଗ‌ାନାଇଜେସନ ଅଫ ଇକୋନୋମିକ କୋ-ଅପରେସନ ଏଣ୍ଡ ଡେଭଲପମେଣ୍ଟ’ ଦ୍ବାରା ପ୍ରକାଶିତ ରିପୋର୍ଟ କହିଥାଏ ଯେ ସର୍ବାଧିକ ଆୟ କର ଲାଗୁ କରୁଥିବା ଦେଶମାନଙ୍କ ତାଲିକାରେ ଭାରତର ସ୍ଥାନ ଷଷ୍ଠ। ସଂପ୍ରତି ଭାରତ ସରକାରଙ୍କ ଲାଗି ଅାହ୍ଲାଦର ଏକ କାରଣ ହେଉଛି ଜି.ଏସ୍‌.ଟି.(ଦ୍ରବ୍ୟ ଓ ସେବା କର) ଆଦାୟରେ ବାର୍ଷିକ ୧୨.୫ ହାରରେ ବୃଦ୍ଧି ଅପରିବର୍ତ୍ତିତ ରହି ଚଳିତ ବର୍ଷ ସେହି ପରିମାଣ ପହଞ୍ଚିଛି ୨.୩୭ ଲକ୍ଷ କୋଟି ଟଙ୍କାରେ। କହିବା ଅନାବଶ୍ୟକ ଯେ ସର୍ବାଧିକ ହାରରେ ଜି.ଏସ.ଟି. ମୁଣ୍ଡାଇଥିବା ପଣ୍ୟ ଓ ସେବାଗୁଡ଼ିକର ବୃହତ୍ତମ ଉପଭୋକ୍ତା ହେଉଛନ୍ତି ଏହି ଉପର ବର୍ଣ୍ଣିତ ମଧ୍ୟ-ବିତ୍ତୀୟ ବର୍ଗ। କଥା ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ କି ଦେଶରେ ଦ୍ବିତୀୟ ସର୍ବାଧିକ ଜି.ଏସ.ଟି. ଆଦାୟକାରୀ ରାଜ୍ୟ ହେଉଛି କର୍ଣ୍ଣାଟକ, ଯେଉଁଠି କିରଣ ଜୀବନ ତାଙ୍କ ଯାତନା ସକାଶେ ମୂଲ୍ୟ ମାଗିଛନ୍ତି। 
ଏଠାରେ ପ୍ରଣିଧାନଯୋଗ୍ୟ ବିଷୟଟି ହେଲା ବିଭିନ୍ନ ଅନୁଧ୍ୟାନମୂଳକ ସର୍ବେକ୍ଷଣ ପ୍ରସୂତ ରିପୋର୍ଟଗୁଡ଼ିକ ଅନୁସାରେ ସାଂପ୍ରତିକ ମଧ୍ୟ-ବିତ୍ତୀୟ ବର୍ଗ ପୂର୍ବାପେକ୍ଷା ଅଧିକ ଆୟ ଓ ସଂଚୟ ସଂକୋଚନର ଶରବ୍ୟ ହେବା ସହିତ ଅଧିକ ଋଣଗ୍ରସ୍ତ ହୋଇ ଜଂଜାଳ-ଜର୍ଜର ଜୀବନ ଅତିବାହିତ କରୁଛନ୍ତି। ‘ମର୍ସିଲେନ ଇନଭେଷ୍ଟମେଣ୍ଟ ମ୍ୟାନେଜର’ ପକ୍ଷରୁ ପ୍ରକାଶିତ ତଥ୍ୟ କହେ ଯେ ଗଲା ଦଶ ବର୍ଷ ମଧ୍ୟରେ ଖାଦ୍ୟ ଦ୍ରବ୍ୟର ମୂଲ୍ୟରେ ୬୦-୮୦% ଏବଂ ଦୈନନ୍ଦିନ ଚଳଣି ଜନିତ ବ୍ୟୟରେ ପ୍ରାୟ ସମତୁଲ ବୃଦ୍ଧି ଘଟିଥିଲେ ହେଁ ବେତନଭୋଗୀ ମଧ୍ୟ-ବିତ୍ତୀୟମାନଙ୍କ ଆୟରେ ବାର୍ଷିକ ହାରାହାରି ମାତ୍ର ୪% ବୃଦ୍ଧି ଘଟିଛି। ଏହି କାରଣରୁ ପରିବାରର ଦୈନନ୍ଦିନ ଖର୍ଚ୍ଚ କାଟ ଅନିବାର୍ଯ୍ୟ ହୋଇ ପଡ଼ିଥିବା ବେଳେ ସଂଚୟ କ୍ରମେ ଶୁଷ୍କ ହେବାରେ ଲାଗିଛି। ପ୍ରତ୍ୟହ ପ୍ରତ୍ୟେକ ଘରେ ବ୍ୟବହୃତ ହେଉଥିବା ବିସ୍କୁଟ ବା ଚା’ ବା ସାବୁନ ଭଳି ଦ୍ରବ୍ୟର ଚାହିଦାରେ ଆଖିଦୃଶିଆ ସଂକୋଚନ ଉପର ବର୍ଣ୍ଣିତ ଖର୍ଚ୍ଚ କାଟର ଏକ ନିଦର୍ଶନ, ଯେଉଁ ସଂଦର୍ଭରେ ଚିନ୍ତା ପ୍ରକଟ କରି ‘କୋଲଗେଟ ପାମୋଲିଭ’ର ସିଇଓ ପ୍ରଗଭା ନରସିଂହମ କହିଛନ୍ତି ‌େଯ ଟୁଥ୍‌ ପେଷ୍ଟ ଓ ଟୁଥ୍‌ ବ୍ରସ ଭଳି ନିର୍ବିକଳ୍ପ ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା‌େର ଘଟୁଥିବା ସ୍ଖଳନ ବିସ୍ମୟଜନକ। ପୁଣି ଅଧିକ ଉଦ୍‌ବେଗର ବିଷୟ ହେଲା, ସୂଚନା ପ୍ରଯୁକ୍ତିର ପ୍ରଭାବ କାରଣରୁ ହେଉ ବା କୃତ୍ରିମ ବୁଦ୍ଧିମତ୍ତା ହେତୁ ହେଉ ଅଥବା ବର୍ତ୍ତମାନର ‘ଟାରିଫ ଯୁଦ୍ଧ’ ସକାଶେ ହେଉ; ଏଥି ଲାଗି ହୋଇଥିବା ନିଯୁକ୍ତି ହରଣ, ସଂକୋଚନ ଓ ସୁଯୋଗହାନିର ମୁଖ୍ୟ ଶିକାର ହୋଇଛନ୍ତି ଏହି ମଧ୍ୟ-ବିତ୍ତୀୟ ବର୍ଗ। ଆମ ଦୃଷ୍ଟି ଅନ୍ତରାଳରେ ଘଟି ଚାଲିଥିବା ଏଭଳି ଅନେକ ଘଟଣା ମଧ୍ୟରୁ ଏକ ସାଧାରଣ ଦୃଷ୍ଟାନ୍ତ ହେଲା ‘ୟୁପିଆଇ ପେମେଣ୍ଟ’ର ସ୍ବାଚ୍ଛନ୍ଦ୍ୟ ଓ ସାଫଲ୍ୟ କାରଣରୁ ବିଜନ ବ୍ୟାଙ୍କଗୁଡ଼ିକ ମାନବ ସମ୍ବଳକୁ କୃଶକାୟ କରିବାକୁ ବ୍ୟଗ୍ର, ଯାହାର ସର୍ବାଧିକ ଶିକାର ହେବେ ଉପର ବର୍ଣ୍ଣିତ ଆୟ ବନ୍ଧନୀରେ ଥିବା କର୍ମଚାରୀ ଗଣ।
ଏଭଳି ଦୁଃସ୍ଥିତିରେ ସରକାରଙ୍କ ଉପରେ ସ୍ଥାପନ କରାଯାଇଥିବା ସା‌ଧାରଣ ପ୍ରତ୍ୟାଶା ପୂରଣ ନ ହେବା ମଧ୍ୟ-ବିତ୍ତୀୟ ବର୍ଗକୁ ରୁଷ୍ଟ କରିବା ଏକ ସ୍ବାଭାବିକ ବିଷୟ। ଏକ ଉଦାହରଣ ଦ୍ବାରା କଥାଟି ଅଧିକ ସ୍ପଷ୍ଟ ହେବ। ଉଚ୍ଚ ଦର‌େର ଘର ଭଡ଼ା ଦେବାକୁ ଅସମର୍ଥ ବେତନଭୋଗୀ ମଧ୍ୟ-ବିତ୍ତୀୟ ପରିବାର କାରବାରର ‌କେନ୍ଦ୍ର ସ୍ଥଳ ଠାରୁ ଦୂରରେ ଶସ୍ତାରେ ବସବାସ କରିବାକୁ ବାଧ୍ୟ ହୁଅନ୍ତି ବୋଲି ସାଟେଲାଇଟ୍‌ (ଉପଗ୍ରହ) ସହରମାନ ଗଢ଼ି ଉଠେ ସିନା, ‘ପବ୍ଲିକ ଟ୍ରାନ୍‌ସପୋର୍ଟ’ ବା ସାଧାରଣ ପରିବହନ ବ୍ୟବସ୍ଥାର ଦୟନୀୟ ସ୍ଥିତି ହେତୁ ବ୍ୟକ୍ତିଗତ ଗାଡ଼ିରେ ସେମାନେ ପ୍ରତ୍ୟେକ ଦିନ ଏହି ଦୂରତ୍ବ ଅତିକ୍ରମ କରନ୍ତି। ‘ବିଜନେସ ଷ୍ଟାଣ୍ଡାର୍ଡ’ରେ ପ୍ରକାଶିତ ଏକ ତଥ୍ୟାନୁସାରେ ସହରୀ ମଧ୍ୟ-ବିତ୍ତୀୟ ପରିବାରର ମାସିକ ଆୟର ୮ରୁ ୧୦ ପ୍ରତିଶତ ଏହା ବାବଦରେ ବ୍ୟୟ ହୋଇଯାଏ, ଯାହା ସଂପ୍ରତି ଅନେକ ପରିବାରର ସର୍ବାଧିକ ମାସିକ ବ୍ୟୟ। ପ୍ରକାଶ ଥାଉ କି ଯାତାୟାତ ଲାଗି କ୍ରୟ କରାଯାଇଥିବା ଗାଡ଼ି ଋଣର ମାସିକ କିସ୍ତି, ଇନ୍ଧନ ଓ ଟୋଲ ଟିକସ ଏହି ବ୍ୟୟରେ ଅନ୍ତର୍ଭୁକ୍ତ। କେବଳ ସେତିକି ନୁହେଁ, ବ୍ୟକ୍ତିଗତ ଗାଡ଼ିର ବହୁଳ ବ୍ୟବହାର ହିଁ ହେଉଛି ସହରୀ ଟ୍ରାଫିକ ଅବ୍ୟବସ୍ଥାର ମୂଳ କାରଣ। ଏକ ହିସାବ ଅନୁସାରେ ଅଧିକାଂଶ ବଡ଼ ସହରରେ ଅଫିସ ସମୟ ଆରମ୍ଭ ଓ ଶେଷ ବେଳର ସଘନ ଭିଡ଼ରେ ୨୦ କିଲୋମିଟର ଦୂରତ୍ବ ଅତିକ୍ରମ କରିବାକୁ ଏକ ଦଶନ୍ଧି ପୂର୍ବର ସ୍ଥିତି ତୁଳନାରେ ହାରାହାରି ଘଣ୍ଟାଏ ଅଧିକ ଲାଗୁଛି, ଯଦ୍ଦ୍ବାରା ଉତ୍ପାଦକତା, ମା‌ନସିକ ଶାନ୍ତି ଓ ମୂଲ୍ୟବ‌ାନ ସମୟର ଅପଚୟ ହିଁ ହୋଇଥାଏ। ଏଭଳି ସ୍ଥଳେ ଆୟର ଏକ ବିପୁଳ ଅଂଶ ଟିକସ ଭାବେ ଦେଉଥିବା ମଧ୍ୟ-ବିତ୍ତୀୟ ନାଗରିକ ଉନ୍ନତ ମାନର ସାଧାରଣ ପରିବହନ ବ୍ୟବସ୍ଥା, ମସୃଣ ଓ ପ୍ରଶସ୍ତ ସଡ଼କ ଆଶା କରିବା ସ୍ବାଭାବିକ। ପ୍ରକାଶ ଥାଉ କି ନିକଟରେ ହୋଇଥିବା ପ୍ରାକ୍‌ ମୌସୁମୀ ବୃଷ୍ଟିପାତରେ ଜଳାର୍ଣ୍ଣବ ବେଙ୍ଗାଲୁରୁରେ ଚାରି ଜଣଙ୍କ ପ୍ରାଣହାନି ଘଟିଛି। ଏଭଳି ଦୃଶ୍ୟ ଓ ଘଟଣା ଦେଶର ସବୁ ସହରରେ ଘଟିବାରେ ଲାଗିଛି। କହିବା ବାହୁଲ୍ୟ, ସରକାରୀ ନିରୁଦ୍‌ବିଗ୍ନତା ଓ ଆଳସ୍ୟ ଦୂର ହେବା ନିତାନ୍ତ ଆବଶ୍ୟକ, ନଚେତ କିରଣ ଜୀବନ କରିଥିବା ଭଳି ଅନେକ ମାମଲା ଅଦାଲତକୁ ରୁନ୍ଧି ପକାଇ ପାରନ୍ତି।
ଏଣେ, ଉଚ୍ଚ ସ୍ବପ୍ନ ଓ ଅଭିଳାଷକୁ ଚରିତାର୍ଥ କରିବାର ଦୁର୍ବାର କାମନାଧାରୀ ଏହି ବର୍ଗ ଭୟଙ୍କର ଭାବେ ଋଣଗ୍ରସ୍ତ ହେବାରେ ଲାଗିଛି, ଯେଉଁଠି ୨୫ ବର୍ଷ ବୟସର ଯୁବକ ମଧ୍ୟ କୌଣସି ନା କୌଣସି ବ୍ୟାଙ୍କ ବା ଅର୍ଥ ଲଗାଣକାରୀ ସଂସ୍ଥା ଠାରେ ଋଣୀ। ସ୍ମରଣରେ ଥାଇ ପାରେ କି ମଧ୍ୟ-ବିତ୍ତୀୟମାନେ ବ୍ୟକ୍ତିଗତ ଋଣ ଦ୍ବାରା ଏଭଳି ଚାପଗ୍ରସ୍ତ ଯେ ସେମାନେ ତାହା ପରିଶୋଧ କରିବା ସାଧ୍ୟାତୀତ ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସହଜ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ସତର୍କ କରାଇ ଦିଆଗଲାଣି। ଏଣେ ଋଣଗ୍ରସ୍ତ ମଧ୍ୟ ବିତ୍ତୀୟ ବର୍ଗର ସ୍ବପ୍ନ ପୂରଣ କରି ମୂଲ୍ୟବାନ ଆଇଫୋନ ବିକ୍ରି ବା ଅବକାଶ କାଳୀନ ବିଦେଶ ଭ୍ରମଣ ସଂଖ୍ୟାରେ ନିରନ୍ତର ବୃଦ୍ଧି ପରିଦୃଷ୍ଟ ହେଉଛି; ଅର୍ଥାତ୍‌ ଋଣଂ କୃତ୍ବା ଘୃତଂ ପିବେତ୍‌ ଆଦର୍ଶକୁ ସେମାନେ ସ୍ବୀକୃତି ଦେଇଛନ୍ତି। ଗୋଟିଏ ପଟେ ଆୟ ଓ ସଂଚୟର ସଂକୋଚନ ତ ଅନ୍ୟ ପଟେ ସହଜ ଋଣର ସମ୍ମୋହନ ଯେଉଁ ଭାରସାମ୍ୟହୀନତାକୁ ଜନ୍ମ ଦେଇଛି; ତହିଁରେ ସରକାରଙ୍କ ଠାରୁ ସେମାନଙ୍କ ପ୍ରତ୍ୟାଶା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦରିଦ୍ର ବର୍ଗଙ୍କ ଭଳି ବିପୁଳ ସରକାରୀ ରିହାତିର ସୁବିଧା ବା ଉଚ୍ଚ ବିତ୍ତୀୟ ବର୍ଗ ଭଳି ନିଜକୁ ସୁହାଇଲା ଭଳି ନୀତି ବା ଆଇନ ପ୍ରଣୟନ କରାଇ ନେବାର ସାମର୍ଥ୍ୟ ଲାଭ କରି ନ ଥିବା ଏହି ବର୍ଗ ତେଣୁ ଘୋର ଅସନ୍ତୁଷ୍ଟ ଓ ଅନେକତ୍ର ପ୍ରତିକ୍ରିୟାଶୀଳ ମଧ୍ୟ। କିନ୍ତୁ ଏକ କଟୁ ବାସ୍ତବତା ହେଲା ସରକାର ଏହି ବର୍ଗକୁ ବିଶେଷ ମହତ୍ତ୍ବ ଦିଅନ୍ତି ନାହିଁ; କାରଣ ଏହି ବର୍ଗ କୌଣସି ମହତ୍ତର ଲକ୍ଷ୍ୟ ରହିତ ଭାବେ ଶିକ୍ଷିତ, ଅଙ୍ଗୀକାରହୀନ ଭାବେ ସଚେତନ ଏବଂ ଅର୍ଥହୀନ ଭାବେ ଉଚ୍ଚାଟ ସୃଷ୍ଟିକାରୀ। ସରକାର ବୁଝନ୍ତି ଯେ ଏହି ବର୍ଗ ଶାସନରେ ପରିବର୍ତ୍ତନ ସକାଶେ ତମ୍ବିତୋଫାନ କରି ପାରେ, କିନ୍ତୁ ପରିବର୍ତ୍ତନର ଉତ୍‌ପ୍ରେରକ ହୋଇ ପାରିବ ନାହିଁ। ଗଲା ୨୦୧୯ ମସିହାର ସାଧାରଣ ନିର୍ବାଚନରେ ଭୁବନେଶ୍ବରରେ ୪୬% ମତଦାନ ହୋଇଥିଲା, ଯହିଁରେ ମଧ୍ୟ-ବିତ୍ତୀୟଙ୍କ ଅଂଶ ଥିଲା ମାତ୍ର ୧୦%, ଯାହା ମଧ୍ୟ ହେଉଛି ଦେଶର ପ୍ରାୟ ସବୁ ସହରର ନିର୍ବାଚନକାଳୀନ ଚିତ୍ର! ‌େତଣୁ ସରକାର ସୁନିଶ୍ଚିତ ଯେ ଏହି ବର୍ଗ ଠାରୁ ବିପଦର ବିଶେଷ ଆଶଙ୍କା ନାହିଁ। ତେଣୁ ସରକାର ନିରୁଦ୍‌ବିଗ୍ନ।