ମନେ ହୁଏ ନିକଟ ଅତୀତରେ କାଶ୍ମୀରରେ ସ୍ବାଭାବିକ ଅବସ୍ଥା ଫେରିଆସିବାର ଯେଉଁ ଏକ ଧାରଣା ସୃଷ୍ଟି ହୋଇଥିଲା, ନିରାପତ୍ତା ବାହିନୀ ବୋଧହୁଏ ତାହାର ଆବେଗରେ ଆସି ନିଜର ସତର୍କତା ଶିଥିଳ କରିଦେଇଥିଲେ। ବର୍ତ୍ତମାନ କିନ୍ତୁ ପହଲଗାମ ଆକ୍ରମଣରୁ ସାବ୍ୟସ୍ତ ହୋଇଛି ଯେ ଆତଙ୍କବାଦୀମାନେ ଯେତେବେଳେ ଚୁପ୍ ହୋଇଯିବା ଭଳି ମନେ ହୋଇଥାନ୍ତି, ସେତେବେଳେ ପ୍ରକୃତରେ ସେମାନେ ସୁଯୋଗ ଅପେକ୍ଷାରେ ଛକି ରହିଥାନ୍ତି।

Advertisment

କାଶ୍ମୀରର ପହଲଗାମଠାରେ ଘଟିଥିବା ହୃଦୟ ବିଦାରକ ଇସଲାମୀୟ ଆତଙ୍କବାଦୀ ଆକ୍ରମଣକୁ ଯଦି ଗୋଟିଏ ବାକ୍ୟରେ ବର୍ଣ୍ଣନା କରାଯାଏ, ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ ଭାରତର ବିଭିନ୍ନ ପ୍ରାନ୍ତରୁ ନିରୀହ ପର୍ଯ୍ୟଟକମାନେ ‘ଭୂ-ସ୍ବର୍ଗ’ର ସନ୍ଧାନରେ ଯାଇ କାଶ୍ମୀରରେ ପହଞ୍ଚିଥିଲେ; ଆତଙ୍କବାଦୀମାନେ ନିମିଷକରେ ତାହାକୁ ‘ଭୂ-ନର୍କ’ରେ ପରିଣତ କରିଦେଲେ। ଆରମ୍ଭରୁ ଗୋଟିଏ କଥା ସ୍ପଷ୍ଟ କରିଦିଆଯିବା ଆବଶ୍ୟକ ଯେ ପହଲଗାମଠାରେ ଯେଉଁ ସୁପରିକଳ୍ପିତ ଗଣସଂହାର ଘଟିଛି, କୌଣସି ବାହାନା, କୌଣସି ରାଜନୈତିକ ମତବାଦ ବ୍ୟବହାର କରି ତାହାକୁ ଯଥାର୍ଥ ପ୍ରତିପାଦିତ କରାଯାଇ ପାରିବ ନାହିଁ।
ଆତଙ୍କବାଦୀମାନେ ଧର୍ମଭିତ୍ତିରେ ବାଛି ବାଛି ଯେଉଁ ଭିନ୍ନ ଧର୍ମାବଲମ୍ବୀମାନଙ୍କୁ ହତ୍ୟା କଲେ, ସେମାନେ କିନ୍ତୁ କାଶ୍ମୀରର ଅଧିବାସୀମାନଙ୍କ ପାଇଁ ସେମାନଙ୍କ ହୃଦୟରେ କେବଳ ବିଶୁଦ୍ଧ ସଦିଚ୍ଛା ବହନ କରି ସେଠାକୁ ଯାଇଥିଲେ, ତାହା ନୁହେଁ, ସେମାନଙ୍କର ଆୟର କିୟଦଂଶ କାଶ୍ମୀରବାସୀଙ୍କ ସହିତ ବାଣ୍ଟି ସେମାନଙ୍କର ଅର୍ଥନୀତିକୁ ପରିପୁଷ୍ଟ କରିବା ମଧ୍ୟ ସେମାନଙ୍କର ଉଦ୍ଦେଶ୍ୟ ଥିଲା। କାଶ୍ମୀର ଯେ କ୍ରମେ ଅବଶିଷ୍ଟ ଭାରତ ସହିତ ଏକୀଭୂତ ହୋଇଯିବା ପଥରେ ଅଗ୍ରସର ହେଉଛି, ଏହି ପର୍ଯ୍ୟଟକମାନଙ୍କର ଆଗମନ ହେଉଛି ତାହାର ଏକ ନମୁନା। ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ କବଳରେ ପଡ଼ି ଦୀର୍ଘ କାଳ ଧରି ମୁଖ୍ୟସ୍ରୋତ‌ରୁ ବାଦ୍ ପଡ଼ିବା ପରେ କାଶ୍ମୀରବାସୀ ଯେତେବେଳେ ଭାରତର ଅଭିବୃଦ୍ଧି କାହାଣୀରେ ସାମିଲ ହେବାକୁ ଆରମ୍ଭ କରିଛନ୍ତି, ସେତିକିବେଳେ ସେଠାରେ ପୁଣି ଅସ୍ଥିରତା ସୃଷ୍ଟି କରି ସେମାନଙ୍କୁ ପୁଣି ଥରେ ଅତୀତର ଦୁରବସ୍ଥା ମଧ୍ୟକୁ ଠେଲିଦେବା ହେଉଛି ଏହି ନାରକୀୟ ଆକ୍ରମଣର ଉଦ୍ଦେଶ୍ୟ।
ପହଲଗାମ କେବଳ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନୁହେଁ, ପର୍ଯ୍ୟଟକମାନଙ୍କ ପାଇଁ ଐତିହାସିକ ଓ ଆଧ୍ୟାତ୍ମିକ ଆକର୍ଷଣ ବହନ କରୁଥିବା ଏହି ଅଞ୍ଚଳକୁ କେହି କେହି କାଶ୍ମୀରର ଆତ୍ମା ରୂପେ ଅଭିହିତ କରିଥାନ୍ତି। ନିକଟ ଅତୀତରେ ଏଠାରେ ପରିଲକ୍ଷିତ ହେଉଥିବା ପର୍ଯ୍ୟଟକମାନଙ୍କ ଭିଡ଼ କାଶ୍ମୀରରେ ଶାନ୍ତିର ପ୍ରତ୍ୟାବର୍ତ୍ତନର ଏକ ନିଶ୍ଚିତ ସୂଚକ ରୂପେ ବିବେଚିତ ହେଉଥିଲା। ସେଇ ଶାନ୍ତି ଯେ ହେଉଛି କ୍ଷଣଭଙ୍ଗୁର, ଆତଙ୍କବାଦୀମାନେ ତାହା ସାବ୍ୟସ୍ତ କରିଛନ୍ତି। ଯାହାକୁ ଆତଙ୍କବାଦୀମାନେ ପ୍ରାଣଭୟ କରନ୍ତି, ତାହା ହେଲା କାଶ୍ମୀରରେ ସ୍ବାଭାବିକ ଜୀବନଯାତ୍ରାର ପ୍ରତ୍ୟାବର୍ତ୍ତନ। ଧର୍ମାନ୍ଧତା ଦ୍ବାରା ପରିଚାଳିତ ହୋଇ ଏବଂ ବାହ୍ୟ ଶକ୍ତି ଦ୍ବାରା ପରିପୁଷ୍ଟ ହୋଇ ସେମାନେ ତାହା ହିଁ ନ କରାଇ ଦେବା ପାଇଁ ଅଭିଯାନ ଚଳାଇଛନ୍ତି। ଯେତେବେଳେ ଦେଶ ବିଦେଶର ପର୍ଯ୍ୟଟକମାନେ କାଶ୍ମୀରରେ ରୁଣ୍ଡ ‌ହୁଅନ୍ତି, ଯେତେ କାଶ୍ମୀରୀ ଯୁବକଯୁବତୀମାନେ ପର୍ଯ୍ୟଟନ ଶିଳ୍ପରେ ନିଯୁକ୍ତି ପ‌ାଆନ୍ତି କିମ୍ବା ସରକାରୀ ଚାକିରିରେ ଯୋଗ ଦିଅନ୍ତି, ଯେତେବେଳେ ରାସ୍ତାଘାଟ ନିର୍ମିତ ହୁଏ ଏବଂ ସ୍କୁଲ କଲେଜ ଖୋଲେ- ତାହା ଆତଙ୍କବାଦୀମାନଙ୍କର ପରାଜୟର ସ୍ବାକ୍ଷର ବହନ କରିଥାଏ। ପହଲଗାମ ନରସଂହାର ହେଉଛି ଏହି ପରାସ୍ତ ଶକ୍ତିମାନଙ୍କର ପ୍ରାଣମୂର୍ଚ୍ଛା ପ୍ରତିଅାକ୍ରମଣ।
ଏହି ଘଟଣା ପରେ ନିଜର ସେଥିରେ କୌଣସି ହାତ ନାହିଁ ବୋଲି ପାକିସ୍ତାନ ସଫେଇ ଦେଇଥିଲେ ହେଁ ଏହା କାହାରିକୁ ଅଛପା ନୁହେଁ ଯେ ସୀମାପାର ସହାୟତା ବଳରେ ପରିପୁଷ୍ଟ ଓ ପ୍ରୋତ୍ସାହିତ ହୋଇ ଇସଲାମୀୟ ଜେହାଦୀମାନେ ସର୍ବଦା କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଚଳାଇ ଆସିଛନ୍ତି। ସେ ଦେଶର ସରକାରଙ୍କର ସିଧାସଳଖ ସଂପୃକ୍ତି ତଥା ଅଣ-ସରକାରୀ ସଂଗଠନ ଓ ବ୍ୟକ୍ତିମାନଙ୍କୁ ବ୍ୟବହାର କରିବା ମାଧ୍ୟମରେ ପାକିସ୍ତାନ ସେ ଅଞ୍ଚଳକୁ ସର୍ବଦା ଅଶାନ୍ତ କରି ରଖିବା ପାଇଁ ଚେଷ୍ଟା ଚଳାଇ ଆସିଛି। ଭାରତ କିନ୍ତୁ ସର୍ବଦା ସଂଯମ ଓ ଦାୟିତ୍ବବୋଧ ପ୍ରଦର୍ଶନ କରି ଆଞ୍ଚଳିକ ଶାନ୍ତିରକ୍ଷା କରିବାକୁ ଚେଷ୍ଟା କରିଆସିଥିଲେ ହେଁ, ଏହାକୁ କେହି ଭାରତର ଦୁର୍ବଳତା ବୋଲି ବିଚାର କରିବା ଉଚିତ ନୁହେଁ। କେବଳ ନିଜର ସାମରିକ ଶକ୍ତି ପ୍ରଦର୍ଶନ ମାଧ୍ୟମରେ ନୁହେଁ, କୂଟନୈତିକ ଓ ଅର୍ଥନୈତିକ ଚାପ ପ୍ରୟୋଗ ମାଧ୍ୟମରେ ଭାରତ ପାକିସ୍ତାନକୁ ଏହାର କଡ଼ା ଜବାବ ଦେବା ଉଚିତ; କେବଳ ଆକ୍ରମଣକାରୀ ଜିହାଦୀମାନଙ୍କ ପିଛା କରି ସେମାନଙ୍କୁ ନିପାତ କରିବା ଯଥେଷ୍ଟ ହେବ ନାହିଁ।
ଖବରକାଗଜର ଶିରୋନାମା କିମ୍ବା ଟେଲିଭିଜନରେ ପ୍ରସାରିତ ଛବିଳ ବିବରଣୀ ପଛରେ ଏହି ଆତଙ୍କବାଦୀ ଆକ୍ରମଣର ଯେଉଁ ଛାତିଫଟା ଚିତ୍ର ଲୁଚି ରହିଛି, ତାହା ହେଉଛି ବାପଛେଉଣ୍ଡ ପିଲାଙ୍କର, ପତିହରା ପତ୍ନୀଙ୍କର, ସନ୍ତାନ ହରାଇଥିବା ବୃଦ୍ଧ ପିତାମାତାଙ୍କର, ବିଧ୍ବସ୍ତ ପରିବାରର, ହତବାକ୍ ସମାଜର। ଜିହାଦୀ ଗୁଳିରେ ‌େଯଉଁ ନିର୍ଦ୍ଦୋଷ ବ୍ୟକ୍ତିମାନେ ଟଳି ପଡ଼ିଛନ୍ତି, ସେମାନେ କେବଳ ଜଣେ ଜଣେ ବ୍ୟକ୍ତି ନୁହନ୍ତି, ସେମାନେ ପ୍ରତ୍ୟେକ ଥିଲେ କୌଣସି ଏକ ଯୋଜନାର ବାହକ, କୌଣସି ଏକ ସ୍ବପ୍ନର ଅନୁଧାବକ, କୌଣସି ଏକ ଦାୟିତ୍ବର ସଂପାଦକ, ଯାହା ଅନ୍ୟ ଅନେକଙ୍କର ଜୀବନକୁ ପ୍ରଭାବିତ କରିଥାଏ। ଆତଙ୍କବାଦୀ ଆକ୍ରମଣର ଶୀତଳ ପରିସଂଖ୍ୟାନରୁ ଏହି ବ୍ୟାପକ ମାନବୀୟ ଟ୍ରାଜେଡି ସମ୍ବନ୍ଧରେ ଧାରଣା କରିବା ସମ୍ଭବ ହୋଇ ନ ଥାଏ।
ଭାରତୀୟ ରାଷ୍ଟ୍ରଶକ୍ତି ତ ଏହି ଆକ୍ରମଣର ଜବାବ ଦେବା ନିଶ୍ଚିତ; ପ୍ରଧାନମନ୍ତ୍ରୀ ତାଙ୍କର ସାଉଦୀ ଆରବ ଗସ୍ତ ମଝିରୁ ଫେରିଆସିବା ଏହାର ସୂଚନା ବହନ କରିଥାଏ। କିନ୍ତୁ ଯେଉଁମାନେ ଏହାର ସବୁଠାରୁ ଟାଣୁଆ ଜବାବ ଦେଇପାରିବେ, ସେମାନେ ହେଉଛନ୍ତି କାଶ୍ମୀରର ସ୍ଥାନୀୟ ବାସିନ୍ଦାମାନେ। ବର୍ଷ ବର୍ଷ ଧରି ସେଇମାନେ ହିଁ ଆତଙ୍କବାଦ ଦ୍ବାରା ସବୁଠାରୁ ଅଧିକ ଅତ୍ୟାଚାରିତ ହେବା ପରେ ବର୍ତ୍ତମାନ ଯେତେବେଳେ ସେମାନଙ୍କ ସମ୍ମୁଖରେ ଏକ ସ୍ବାଭାବିକ ଜୀବନଯାତ୍ରାର ସମ୍ଭାବନା ଉଦୟ ହେବାକୁ ଆରମ୍ଭ କରିଛି ଆତଙ୍କବାଦୀମାନେ ପୁଣି ସେମାନଙ୍କୁ ସେଇ ଅତୀତର ଅନ୍ଧାର ଭିତରକୁ ଠେଲି ଦେବାକୁ ଚେଷ୍ଟା ଚଳାଇଛନ୍ତି। କାଶ୍ମୀରୀମାନେ ଏଥର ନିରବତା କିମ୍ବା ଦୋଦୁଲ୍ୟମାନତା ତ୍ୟାଗ କରି ଖୋଲାଖୋଲି ଭାବରେ ଏବଂ ଜୋରଦାର ଢଙ୍ଗରେ ଆତଙ୍କବାଦର ନିନ୍ଦା କରିବାକୁ ଆଗେଇ ଆସିବା ଉଚିତ। ସେଠାକାର ରାଜନେତାମାନେ, ଧର୍ମୀୟ ନେତାମାନେ ଏବଂ ନାଗରିକ ସମାଜ ପହଲଗାମ ନରସଂହାରର କଡ଼ା ନିନ୍ଦା କରିବା ସହିତ ନିରାପତ୍ତା‌ ବାହିନୀକୁ ଆତଙ୍କବାଦୀମାନଙ୍କର ମୁକାବିଲାରେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବା ଜରୁରି।
ମନେ ହୁଏ ନିକଟ ଅତୀତରେ କାଶ୍ମୀରରେ ସ୍ବାଭାବିକ ଅବସ୍ଥା ଫେରିଆସିବାର ଯେଉଁ ଏକ ଧାରଣା ସୃଷ୍ଟି ହୋଇଥିଲା, ନିରାପତ୍ତା ବାହିନୀ ବୋଧହୁଏ ତାହାର ଆବେଗରେ ଆସି ନିଜର ସତର୍କତା ଶିଥିଳ କରିଦେଇଥିଲେ। ବର୍ତ୍ତମାନ କିନ୍ତୁ ପହଲଗାମ ଆକ୍ରମଣରୁ ସାବ୍ୟସ୍ତ ହୋଇଛି ଯେ ଆତଙ୍କବାଦୀମାନେ ଯେତେବେଳେ ଚୁପ୍ ହୋଇଯିବା ଭଳି ମନେ ହୋଇଥାନ୍ତି, ସେତେବେଳେ ପ୍ରକୃତରେ ସେମାନେ ସୁଯୋଗ ଅପେକ୍ଷାରେ ଛକି ରହିଥାନ୍ତି। କୁହାଯାଇଥାଏ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆମକୁ ସର୍ବଦା ଭାଗ୍ୟବାନ ହେବା ଦରକାର ହୋଇଥାଏ; ଆମ ଉପରେ ଆକ୍ରମଣ କରିବାରେ ସଫଳ ହେବା ପାଇଁ ଆତଙ୍କବାଦୀକୁ ମାତ୍ର ଥରେ ଭାଗ୍ୟବାନ ହେବା ଦରକାର ହୋଇଥାଏ। ପହଲଗାମ ଥିଲା ସେମାନଙ୍କ ପାଇଁ ସେଇଭଳି ଏକ ଘଟଣା।