ପାକିସ୍ତାନର କ୍ଷମତା-କେନ୍ଦ୍ର ଓ ଆତଙ୍କବାଦ ମଧ୍ୟରେ ରହିଥିବା ସଂପର୍କ ହେଉଛି ‘ବୁଢ଼ିଆଣି ସଂଭୋଗ’ ତୁଲ୍ୟ। ବ୍ଲାକ ୱିଡୋ’ ଭଳି ଅନେକ ବୁଢ଼ିଆଣି ଜାତିରେ ଦେଖିବାକୁ ମିଳିଥାଏ ଯେ ରତିକ୍ରୀଡ଼ା ପରେ ରମଣକ୍ଳାନ୍ତ ପୁରୁଷ ବୁଢ଼ିଆଣିକୁ ମାଈ ବୁଢ଼ିଆଣି ନୃଶଂସତାର ସହିତ ଭକ୍ଷଣ କରିଥାଏ। ଏ ମଧୁର ସଂପର୍କର ଦୁଃଖଦ ଅବସାନ ଘଟିବ, ଯେତେବେଳେ ଆତଙ୍କବାଦ ଦ୍ବାରା ପାକିସ୍ତାନର ରାଷ୍ଟ୍ର-ସତ୍ତା ଉଦରସ୍ଥ ହୋଇଯିବ।
କିଛି ମାସ ତଳେ ଏହି ସ୍ତମ୍ଭରେ ପ୍ରକାଶିତ ଆଲୋଚନା ‘ଶୁଖିଲା ହାଡ଼ର ସ୍ବାଦ’ରେ କୁହାଯାଇଥିଲା କିଭଳି ପାକିସ୍ତାନ ସାମରିକ ବାହିନୀ ଓ ସତ୍ତାଧାରୀ ରାଜନୈତିକ ପକ୍ଷ ନିଜ ଦେଶକୁ ଆତଙ୍କବାଦର ପ୍ରଜନନ ଓ ଚାରଣ କ୍ଷେତ୍ରରେ ପରିଣତ କରିଦେଇ ଶୁଖିଲା ହାଡ଼ରୁ ରସ ଆସ୍ବାଦନ କଲା ଭଳି ବିମୋହିତ ସ୍ଥିତିରେ ଅଛନ୍ତି। କହିବାର ତାତ୍ପର୍ଯ୍ୟ ଥିଲା, କ୍ଷୁଧାତୁର କୁକୁରଟିଏ ଶୁଖିଲା ହାଡ଼ଟିଏ ପ୍ରାପ୍ତ ହେବା ପରେ ତା’କୁ ଚୋବାଇ ଯେଉଁ ସ୍ବାଦରେ ତଲ୍ଲୀନ ହୋଇଯାଏ, ତାହା ପ୍ରକୃତରେ ହେଉଛି ସେହି ହାଡ଼ର ଧାରୁଆ ଭଗ୍ନାଂଶ ଦ୍ବାରା କ୍ଷତବିକ୍ଷତ ଜିହ୍ବାରୁ ସ୍ରାବ ହେଉଥିବା ତା ନିଜ ଶୋଣିତର ସ୍ବାଦ। ସୁତରାଂ, ସେହି ଆଲୋଚନାରେ ମତ ବ୍ୟକ୍ତ କରାଯାଇଥିଲା ଯେ ଆତଙ୍କବାଦର ପ୍ରୋତ୍ସାହନରେ ପ୍ରମତ୍ତ ପାକିସ୍ତାନ ନିର୍ବୋଧ ଶ୍ବାନ ତୁଲ୍ୟ ଶୁଖିଲା ହାଡ଼ର ରସେର କେବଳ ଯାହା ନିଜକୁ କ୍ଷତବିକ୍ଷତ କରି ଚାଲିଛି। କିନ୍ତୁ ଗଲା ୨୨ ତାରିଖରେ ସଂଘଟିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ତା’ ପରବର୍ତ୍ତୀ ଘଟଣାକ୍ରମରେ ପାକିସ୍ତାନର ଦୃଷ୍ଟିଭଙ୍ଗୀ, ପ୍ରବଣତା ଏବଂ ପ୍ରଚେଷ୍ଟା ଇଦ୍ୟାଦିକୁ ଅବଲୋକନ କଲେ ହୃଦ୍ବୋଧ କରି ହୋଇଥାଏ େଯ ପାକିସ୍ତାନର ଜାନ୍ତବ ଆହ୍ଲାଦ ଆଉ ନିଜକୁ କ୍ଷତବିକ୍ଷତ କରିବାରେ ସୀମିତ ହୋଇ ରହିନାହିଁ; ବରଂ ଏକ ବିପଜ୍ଜନକ ଆତ୍ମଘାତୀ କାମନା ସ୍ତରକୁ ଓହ୍ଲାଇ ଆସିଲାଣି।
ବ୍ରାଉନ ବିଶ୍ବବିଦ୍ୟାଳୟର ‘ୱାଟସନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଏଫାୟାର୍ସ’ ପକ୍ଷରୁ ପ୍ରସ୍ତୁତ ଏକ ଗବେଷଣାଭିତ୍ତିକ ତଥ୍ୟାନୁସାରେ ୨୦୦୦ ମସିହାରୁ ଏ ଯାବତ୍ ଘଟିଥିବା ଆତଙ୍କବାଦୀ ଆକ୍ରମଣଗୁଡ଼ିକରେ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ସଂଖ୍ୟା ୨୩, ୩୭୨ ଏବଂ ସୁରକ୍ଷା ବାହିନୀ ସଦସ୍ୟଙ୍କ ସଂଖ୍ୟା ହେଉଛି ୮,୮୩୨। କହିବା ଅନାବଶ୍ୟକ ଯେ ଏହି ଉପଦ୍ରବକାରୀ ଆତଙ୍କବାଦୀ ସଂଗଠନଗୁଡ଼ିକ ପାକିସ୍ତାନ ଭୂମିରେ ସେଠାକାର ମିଲିଟାରି ଗୁଇନ୍ଦା ସଂସ୍ଥା ‘ଆଇ.ଏସ.ଆଇ.’ ଦ୍ବାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପ୍ରୋତ୍ସାହିତ ଏବଂ ପରିପୁଷ୍ଟ। ପାକିସ୍ତାନରେ ଆତଙ୍କବାଦର ବୀଜ ପତିତ ହୋଇ ଏକ ମହୀରୁହରେ ପରିଣତ ହେବାର ପ୍ରକ୍ରିୟା ଉପେର ଦୃଷ୍ଟି ରଖିଥିବା ବିଶେଷଜ୍ଞମାନେ କହିଥାଆନ୍ତି ଯେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ଉତ୍ପାତ ସକାଶେ ପ୍ରଶିକ୍ଷଣ ଏବଂ ପ୍ରୋତ୍ସାହନ ଯୋଗାଇ ଆସିଥିବା ପାକିସ୍ତାନ ଲାଗି କାଶ୍ମୀର ଦଖଲର ଆଶା ପୂର୍ତ୍ତି ନେଇ ବିପୁଳ କ୍ଷଣଟି ଅବତୀର୍ଣ୍ଣ ହୋଇଥିଲା ଅଷ୍ଟମ ଦଶକର ଅନ୍ତିମ ଭାଗରେ, ଯେତେବେଳେ ଆରବ ରାଷ୍ଟ୍ରଗୁଡ଼ିକ ସମେତ ବିଭିନ୍ନ ଇସଲାମୀୟ ରାଷ୍ଟ୍ରରୁ ଜେହାଦୀ ଏବଂ ମୁଜାହିଦ୍ଦିନମାନେ ପାକିସ୍ତାନରେ ଏକତ୍ର ହୋଇ ତାଲିବାନର ଭିତ୍ତି ପକାଇ ଥିଲେ। ଯଦିଓ ଏହାର ଉଦ୍ଦେଶ୍ୟ ଥିଲା ସୋଭିଏତ ଦଖଲରୁ ଆଫଗାନିସ୍ତାନକୁ ମୁକ୍ତ କରିବା, ପାକିସ୍ତାନ ତହିଁରେ ଏକ ବୃହତ୍ତର ଜେହାଦ ଏବଂ ତା’ ମାଧ୍ୟମରେ ଭାରତ ବିଚ୍ୟୁତ କାଶ୍ମୀରର ସ୍ବପ୍ନ ଦେଖିଥିଲା। ପ୍ରକାଶ ଥାଉ କି, ତାଲିବାନ ଗଠନର ଏକ ମୁଖ୍ୟ ପୃଷ୍ଠପୋଷକ ମଧ୍ୟ ଥିଲା ଯୁକ୍ତରାଷ୍ଟ୍ର ଆମେରିକା; ଏବଂ ତତ୍କାଳୀନ ପାକିସ୍ତାନୀ ସେନାଧ୍ୟକ୍ଷ-ରାଷ୍ଟ୍ରପତି ଜିଆ ଉଲ ହକଙ୍କ ପାଇଁ ଏହା ଥିଲା ଏକ ଅତ୍ୟନ୍ତ ପ୍ରିୟ ଏବଂ ପ୍ରଦର୍ଶନଯୋଗ୍ୟ ପ୍ରକଳ୍ପ। ଏହା ନିଃସନ୍ଦେହ ଯେ ଅପାର ଅବିମୃଶ୍ୟକାରିତାର ପରିଚୟ ଦେଇ ପାକିସ୍ତାନ ସମ୍ଭବତଃ ଭାବି ନେଇଥିବ ଯେ ତାଲିବାନ ଭଳି ସଂଗଠନଗୁଡ଼ିକ ସର୍ବଦା ସେମାନଙ୍କ ସର୍ଜକ, ପୋଷକ ଓ ପ୍ରଶିକ୍ଷକ ପ୍ରତି ବଶମ୍ବଦ ହୋଇ ରହିବେ। କିନ୍ତୁ ଦେଖିବାକୁ ମିଳିଛି ଯେ ସେହି ସଂଗଠନଗୁଡ଼ିକ କର୍ତ୍ତୃତ୍ବଶୂନ୍ୟ କମାଣରୁ ନିକ୍ଷେପିତ ଲକ୍ଷ୍ୟହୀନ ଗୋଳାରେ ପରିଣତ ହୋଇ ପାକିସ୍ତାନର ହିଁ ଧ୍ବଂସ ସାଧନ କରିଛନ୍ତି। ଏହାର ସଦ୍ୟତମ ଦୃଷ୍ଟାନ୍ତଟି ହୋଇଛି ଗଲା ମାର୍ଚ୍ଚ ୧୨ ତାରିଖର ‘ଜାଫର ଏକ୍ସପ୍ରେସ’ ଆତଙ୍କବାଦୀ ସଂହାର ଲୀଳା, ଯହିଁରେ ୨୦୦ରୁ ଅଧିକ ସାଧାରଣ ଲୋକ ଓ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ଏହି ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ‘ବେଲୋଚ ଲିବରୋସନ ଆର୍ମି’ର ମୁଖ୍ୟ ପୃଷ୍ଠପୋଷକ ହେଉଛି ସେହି ଆଫଗାନିସ୍ତାନୀ ତାଲିବାନ, ଯାହା ଏକଦା ଥିଲା ପାକିସ୍ତାନର କୋଳାଶ୍ରିତ। ଏଭଳି ଉଦାହରଣ ଅନେକ। ସୁତରାଂ, ଏହା କହିଲେ ଭୁଲ ହେବନାହିଁ ଯେ ସଂପ୍ରତି ପାକିସ୍ତାନ ଏକ ଆତ୍ମଘାତ ପଥରେ ନିଃସଙ୍ଗ ପଦାତିକ।
ଏଠାରେ ପ୍ରଣ୍ନ ଉଠିପାରେ ‘ନିଃସଙ୍ଗ’ ବୋଲି ଅଭିହିତ କରାଯିବାର ତାତ୍ପର୍ଯ୍ୟ କ’ଣ? ପ୍ରକାଶ ଥାଉ କି, ୨୦୧୧ ମସିହାରେ ପାକିସ୍ତାନର ଅବୋଟାବାଦ ଠାରେ ଅଲ କାଏଦା ମୁଖ୍ୟ ଓସାମା ବିନ ଲାଡେନର ନିଧନ ସହିତ ଏହା ପ୍ରମାଣିତ ଏବଂ ଅବଶିଷ୍ଟ ପୃଥିବୀ ଦ୍ବାରା ବିଧିବଦ୍ଧ ଭାବେ ସ୍ବୀକୃତ ହୋଇଥିଲା ଯେ ପାକିସ୍ତାନ ହେଉଛି ଆତଙ୍କବାଦକୁ ପ୍ରଶ୍ରୟ ଏବଂ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ଏବଂ ସେହି କାରଣରୁ ଭରସା ଅଯୋଗ୍ୟ ମଧ୍ୟ। ସୁତରାଂ, ପାକିସ୍ତାନ ତା’ର ଅନେକ ପାରଂପରିକ ମିତ୍ର ରାଷ୍ଟ୍ରଙ୍କ ସଦ୍ଦିଚ୍ଛା ହରାଇବାକୁ ଲାଗିଥିଲା, ଯହିଁରେ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଙ୍କ ଠାରୁ ଆରମ୍ଭ କରି ଅଧିକାଂଶ ଆବର ରାଷ୍ଟ୍ର ମଧ୍ୟ ଅନ୍ତର୍ଭୁକ୍ତ। ଏହାର ନିଦର୍ଶନ ଦେଖିବାକୁ ମିଳିଥିଲା ୨୦୧୯ ମସିହାରେ, ଯେତେବେଳେ ଭାରତ ଦ୍ବାରା ଧାରା ୩୭୦ର ବିଲୋପନ ପରେ ଅତ୍ୟନ୍ତ ବିବ୍ରତ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଆକୁଳ ଅନୁନୟ ସେତ୍ତ୍ବ ଆରବ ରାଷ୍ଟ୍ରଗୁଡ଼ିକ ପାକିସ୍ତାନ ସପକ୍ଷରେ ଛିଡ଼ା ହୋଇ ନ ଥିଲେ; ବାରମ୍ବାର ଅନୁରୋଧ ସତ୍ତ୍ବେ ସାଉଦି ଆରବ ପକ୍ଷରୁ ଇସଲାମୀୟ ରାଷ୍ଟ୍ରଙ୍କ ସଂଗଠନ ‘ଓ.ଆଇ.ସି.’ର ଏକ ବୈଠକ ଆହୂତ ହୋଇ ନ ଥିଲା। ଅପରପକ୍ଷରେ, ଆରବ ରାଷ୍ଟ୍ରଗୁଡ଼ିକ ଭାରତ ସହିତ ରଣନୈତିକ, ପ୍ରବିଧିକ ଏବଂ ସୁରକ୍ଷା ସମ୍ବନ୍ଧୀୟ ସହଯୋଗ ସୂତ୍ରରେ ଆବଦ୍ଧ ହେବାକୁ ପସନ୍ଦ କରିଥିଲେ, କାରଣ ସେମାନେ ଇସଲାମୀ ଆତଙ୍କବାଦର ଦଂଶନ ଭୋଗି ସାରିଛନ୍ତି ଏବଂ ନିଜ ନିଜ ଭୂଖଣ୍ଡର ରଣନୈତିକ ସ୍ବାର୍ଥ ଏବଂ ବିକାଶ ସାଧନ ସକାଶେ ଅଧିକ ତତ୍ପର। ପହଲଗାମ ଆକ୍ରମଣ ସମୟରେ ଭାରତର ପ୍ରଧାନମନ୍ତ୍ରୀ ସାଉଦି ଆରବ ଗସ୍ତରେ ଥିଲେ ଏବଂ ଘଟଣାର ଖବର ପାଇବା ପରେ କାର୍ଯ୍ୟକ୍ରମକୁ ଅଧାରେ ରଖି ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ତଥାପି ଏହି ଆଂଶିକ ସଂପାଦିତ କାର୍ଯ୍ୟକ୍ରମର ଉପଲବ୍ଧି ହେଲା ଏହା ଯେ ଏଥିରେ ମଧ୍ୟ ପାରସ୍ପରିକ ସହଯୋଗର ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆରବ ରାଷ୍ଟ୍ରଗୁଡ଼ିକ ସମେତ ଇରାନ ଏବଂ ଆଫଗାନିସ୍ତାନ ମଧ୍ୟ ପହଲଗାମ ନରସଂହାରକୁ ନିନ୍ଦା କରିଛନ୍ତି। ‘ଏଫ୍.ଏ.ଟି.ଏଫ୍.’ (ଫାଇନାନ୍ସିଆଲ ଆକ୍ସନ ଟାସ୍କ୍ ଫୋର୍ସ) ଭଳି ଆନ୍ତର୍ଜତିକ ସଂସ୍ଥା ଦ୍ବାରା ଏକ ଆତଙ୍କବାଦୀ ରାାଷ୍ଟ୍ର ରୂପେ ଏକାଧିକ ବାର କଳା ଓ ଧୂସର ତାଲିକାରେ ଚିହ୍ନିତ ହୋଇ ପାକିସ୍ତାନ ବିଶ୍ବ ସମୁଦାୟର ଭରସା ହରାଇଛି। ଏଣେ ଆତଙ୍କବାଦୀଙ୍କ ଉପଦ୍ରବ ଓ ରାଜନୈତିକ ତାଚ୍ଛଲ୍ୟ କାରଣରୁ ନିଃସ୍ବ ଓ ସମ୍ବଳଶୂନ୍ୟ ହୋଇ ‘ଆଇ.ଏମ୍.ଏଫ୍.(ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି) ନିକଟରେ ୨୫ ଥର ଋଣ ଖିଲାପୀ ମଧ୍ୟ ହୋଇଛି। ସେହି ଦୃଷ୍ଟିରୁ ଏହି ରାଷ୍ଟ୍ର ଏକାନ୍ତ ବନ୍ଧୁହୀନ ଭଳି ଦିଶି ନ ଥାଏ କି? ଅବଶ୍ୟ, ଏହାର ସୁହୃଦ୍ମାନଙ୍କ ମଧ୍ୟରେ ଅଛନ୍ତି ମାଲେସିଆ, ଆଜରେବୖଜାନ ଓ ବାଂଲାଦେଶ ଭଳି କିଛି ଦେଶ, କିନ୍ତୁ ସେମନେ ସ୍ବାର୍ଥାନୁସାରେ ଦୋଳାୟମାନ ହୋଇଥିବାରୁ ଅପ୍ରାସଙ୍ଗିକ। ଅବଶ୍ୟ, ଅନେକ ପର୍ଯ୍ୟବେକ୍ଷକ ଚୀନ ସହିତ ପାକିସ୍ତାନର ମିତ୍ରତା ଆଡ଼କୁ ଇଙ୍ଗିତ କରନ୍ତି, କିନ୍ତୁ ଏକ ଅନୁମାନ ମଧ୍ୟ କରାଯାଇଥାଏ ଯେ ଏହା ଦୀର୍ଘସ୍ଥାୟୀ ହୋଇ ନ ପାରେ। କାରଣ, ପାକିସ୍ତାନରେ ୨୦୦୮ ମସିହାରୁ ଚୀନ ବିରୋଧୀ ଆତଙ୍କବାଦୀ ଆକ୍ରମଣମାନ ଘଟିବାରେ ଲାଗିଛି, ଯହିଁରେ ସେଠାରେ କାର୍ଯ୍ୟରତ ଇଂଜିନିଅରମାନଙ୍କ ଠାରୁ ଆରମ୍ଭ କରି କୂଟନୀତିଜ୍ଞଙ୍କ ପର୍ଯ୍ୟନ୍ତ ହତାହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୧ରୁ ୨୦୨୪ ମସିହା ମଧ୍ୟରେ ଅନ୍ତତଃ ଛଅଟି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଚୀନା ନାଗରିକଙ୍କ ପ୍ରାଣହାନି ଘଟିଛି, ଯହିଁରେ ନାବାଳକମାନେ ମଧ୍ୟ ଅନ୍ତର୍ଭୁକ୍ତ। ଏଥିରେ ଦ୍ବିଧା ନାହିଁ ଯେ ପାକିସ୍ତାନର ସମ୍ବଳ ଦୋହନ କରିବା ହେଉଛି ଚୀନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ଆତଙ୍କବାଦୀଙ୍କ ଆକ୍ରମଣ କାରଣରୁ ଯଦି ତହିଁରେ ବିଘ୍ନ ଘଟେ, ତେବେ ଚୀନର ଅଭୟ ହସ୍ତ ପାକିସ୍ତାନର ମସ୍ତକ ଉପରୁ ଉଠିଯାଇପାରେ!
କେତେକ ପର୍ଯ୍ୟବେକ୍ଷକଙ୍କ ମତରେ, ପାକିସ୍ତାନର କ୍ଷମତା-କେନ୍ଦ୍ର ଓ ଆତଙ୍କବାଦ ମଧ୍ୟରେ ରହିଥିବା ସଂପର୍କ ହେଉଛି ‘ବୁଢ଼ିଆଣି ସଂଭୋଗ’ ତୁଲ୍ୟ। ବ୍ଲାକ ୱିଡୋ’ ଭଳି ଅନେକ ବୁଢ଼ିଆଣି ଜାତିରେ ଦେଖିବାକୁ ମିଳିଥାଏ ଯେ ରତିକ୍ରୀଡ଼ା ପରେ ରମଣକ୍ଳାନ୍ତ ପୁରୁଷ ବୁଢ଼ିଆଣିକୁ ମାଈ ବୁଢ଼ିଆଣି ନୃଶଂସତାର ସହିତ ଭକ୍ଷଣ କରିଥାଏ। ଏଥିରୁ ସମାନ୍ତରାଳ ଟାଣି ଉପରୋକ୍ତ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ଏ ମଧୁର ସଂପର୍କର ଦୁଃଖଦ ଅବସାନ ଘଟିବ, ଯେତେବେଳେ ଆତଙ୍କବାଦ ଦ୍ବାରା ପାକିସ୍ତାନର ରାଷ୍ଟ୍ର-ସତ୍ତା ଉଦରସ୍ଥ ହୋଇଯିବ ଏବଂ ନୈରାଶ୍ୟର କୋଳାହଳରେ ରାଷ୍ଟ୍ର-ସତ୍ତାର ବିଳାପ କାହାର କର୍ଣ୍ଣଗୋଚର ମଧ୍ୟ ହେବ ନାହିଁ!