ଡୋନାଲ୍ଡ ଟ୍ରମ୍ପ ତାଙ୍କର ଏହି ଆଚରଣ ଦ୍ବାରା ସ୍ପଷ୍ଟ କରିଦେଇଛନ୍ତି ଯେ ସେ ଭାରତର ବନ୍ଧୁ ନୁହନ୍ତି କିମ୍ବା ନରେନ୍ଦ୍ର ମୋଦୀଙ୍କର ବନ୍ଧୁ ନୁହନ୍ତି। ଭାରତ ପାଇଁ ଏଥିରୁ ଶିକ୍ଷା ହେଲା ଏହା ଯେ ଭାରତ ମଧ୍ୟ ସଂପୂର୍ଣ୍ଣ ଆବେଗହୀନ ଭାବରେ ନିଜର ସ୍ଥିତି ଓ ଶକ୍ତିକୁ ଉପଯୋଗ କରି ସର୍ବାଧିକ ସମ୍ଭବ ଜାତୀୟ ସ୍ବାର୍ଥ ହାସଲ କରିବାକୁ ଚେଷ୍ଟା କରିବା ଉଚିତ।
ଶନିବାର ଦିନ ପାକିସ୍ତାନ ସହିତ ଯୁଦ୍ଧବିରତି ଘୋଷିତ ହୋଇ ‘ଅପରେସନ୍ ସିନ୍ଦୂର’ ବର୍ତ୍ତମାନ ପାଇଁ ସ୍ଥଗିତ ହେବା ପରେ ସୋମବାର ଦିନ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ଯୁଦ୍ଧବିରତିର ସ୍ଥାୟିତ୍ବ କିଭଳି ହେବ ତାହା ଭବିଷ୍ୟତରେ ପାକିସ୍ତାନର ଆଚରଣ ଉପରେ ନିର୍ଭର କରେ। ଏହାର ଅର୍ଥ, ପାକିସ୍ତାନ ଯଦି ଜାଣିଶୁଣି ଯୁଦ୍ଧବିରତି ଉଲ୍ଲଂଘନ କରେ କିମ୍ବା ଭାରତ ଭିତରେ କୌଣସି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଘଟାଏ, ତେବେ ଭାରତ ତା’ର ସ୍ଥଗିତ ରଖିଥିବା ଆକ୍ରମଣକୁ ପୁଣି ସକ୍ରିୟ କରିଦେବ। ମୋଦୀ ସ୍ପଷ୍ଟ କରିଦେଇଥିବା ଭଳି ଭାରତ ଏଣିକି ଯେଉଁ ‘ନୂତନ ସ୍ବାଭାବିକ’ ବା ‘ନିଉ ନର୍ମାଲ୍’ ନୀତି ଅବଲମ୍ବନ କରିବାକୁ ଯାଉଛି, ‘ଅପରେସନ୍ ସିନ୍ଦୂର’ ହେଉଛି ତାହାର ପ୍ରଥମ ପରିଚାୟକ, ଯାହା ଅନୁସାରେ ପାକିସ୍ତାନର ପୃଷ୍ଠପୋଷକତାରେ ରଚିତ କୌଣସି ଆତଙ୍କବାଦୀ କାର୍ଯ୍ୟର ଜବାବ ଏଣିକି ଦିଆଯିବ ସାମରିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ। ଏହା ହେଉଛି ଏକ ‘ନିଉ ନର୍ମାଲ୍’, କାରଣ ଏଥିପୂର୍ବରୁ ଭାରତରେ ଯେତେ ଥର ଆତଙ୍କବାଦୀ ଆକ୍ରମଣ ଘଟିଛି, ତାହାର ପ୍ରତିକ୍ରିୟାରେ ଭାରତ କେବେହେଲେ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।
ଏହା କହିବାବେଳେ ଏକଥା ମଧ୍ୟ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ନିକଟ ଅତୀତରେ ପାକିସ୍ତାନର ଆତଙ୍କବାଦୀ ରକ୍ତପିପାସାରେ ଏକ ସ୍ବାଗତଯୋଗ୍ୟ ଭଟ୍ଟା ପଡ଼ିବାକୁ ଆରମ୍ଭ କରିଥିବା ଭଳି ମନେ ହେଉଥିଲା। କିନ୍ତୁ ଏହା ବର୍ତ୍ତମାନ ସ୍ପଷ୍ଟ ରୂପେ ସାବ୍ୟସ୍ତ ଯେ ସେଠାରେ ସେନାବାହିନୀର ଜଣେ ନୂତନ ମୁଖ୍ୟଙ୍କର ନିଯୁକ୍ତି ପରେ ପାକିସ୍ତାନ ପୁଣି ଆତଙ୍କବାଦକୁ ତା’ର ସାମରିକ ନୀତିର ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପୁନଃସ୍ଥାପନ କରିଛି। ଏହି ନୂତନ ସେନାଧ୍ୟକ୍ଷ ଅସୀମ ମୁନିର୍ ହେଉଛନ୍ତି ଜଣେ ଧର୍ମାନ୍ଧ ଇସଲାମୀୟ ଜେହାଦୀ ଯିଏ ଭାରତ ସହିତ ତାଙ୍କ ଦେଶର ଶତ୍ରୁତାକୁ ମୁସଲମାନ ଓ ହିନ୍ଦୁମାନଙ୍କ ମଧ୍ୟରେ ଏକ ଧର୍ମଯୁଦ୍ଧ ରୂପେ ବିଚାର କରନ୍ତି। ବାସ୍ତବରେ ଯାହା ବର୍ତ୍ତମାନ ସମସ୍ତଙ୍କୁ ଜଣା, ତାହା ହେଲା ଏପ୍ରିଲ ୧୬ରେ ମୁନିର୍ ଏଇ ମର୍ମରେ ଏକ ଆହ୍ବାନ ଦେବା ପରେ ପରେ ଏପ୍ରିଲ ୨୨ରେ ଇସଲାମୀୟ ଜେହାଦୀ ଆତଙ୍କବାଦୀମାନେ କାଶ୍ମୀରର ପହଲଗାମ ଠାରେ ସେଇ ନାରକୀୟ କାଣ୍ଡ ରଚନା କରି ବାଛି ବାଛି ହିନ୍ଦୁ ପୁରୁଷ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଥିଲେ।
ଏହାର ଜବାବରେ ଭାରତ ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀମାନଙ୍କର ଆଡ୍ଡାମାନଙ୍କ ଉପରେ ଆକ୍ରମଣ କରି ସେଗୁଡ଼ିକୁ ଧ୍ବଂସ କରିଦେବା ପରେ ପାକିସ୍ତାନ ଚୁପ୍ ନ ରହି ଭାରତର ସାମରିକ ଘାଟୀମାନଙ୍କ ଉପରେ ଆକ୍ରମଣ ଚଳାଇବାରୁ ଭାରତ ଯେଉଁ ଭୟଙ୍କର ପାଲଟା ଆକ୍ରମଣ ଆରମ୍ଭ କରିଦେଲା, ତାହା ଅସମ୍ଭାଳ ହେବାରୁ ପାକିସ୍ତାନ ଯୁଦ୍ଧବିରତି ପାଇଁ ଅନୁରୋଧ କରିବାକୁ ବାଧ୍ୟ ହେଲା। ଯେହେତୁ ଯୁଦ୍ଧ କାହାରି ପାଇଁ ମଙ୍ଗଳପ୍ରଦ ନୁହେଁ, ଭାରତ ତା’ର ଚାରିତ୍ରିକ ପରିପକ୍ବତା ଓ ବିଜ୍ଞତାର ପରିଚୟ ଦେଇ ବର୍ତ୍ତମାନ ପାଇଁ ଯୁଦ୍ଧବିରତି ନିମିତ୍ତ ସହମତ ହୋଇଛି। କିନ୍ତୁ ଯେହେତୁ ସୀମା ଆରପଟେ ପାକିସ୍ତାନୀ ସେନାବାହିନୀ ଓ ସେନାଧ୍ୟକ୍ଷଙ୍କର ସ୍ଥିତି ଭାରତ ସହିତ ଅକାରଣ ଶତ୍ରୁତା ସୃଷ୍ଟି ଉପରେ ନିର୍ଭର କରିଥାଏ, ସେମାନେ ଯେ ଯେକୌଣସି ମୁହୂର୍ତ୍ତରେ ଏଥିରେ ଅନ୍ତ ଘଟାଇ ପାରନ୍ତି, ଭାରତ ତାହା ଭଲ ରୂପେ ଜାଣିଛି ଓ ସେଥିପାଇଁ ପ୍ରସ୍ତୁତ ରହିଛି।
ପାକିସ୍ତାନ ସହିତ ଆମର ସଂପର୍କରେ ଦେଖାଦେଇଥିବା ଏହି ସଦ୍ୟତମ ବିସ୍ଫୋରଣରୁ ଭାରତ ଶିକ୍ଷାଲାଭ କରିବା ଭଳି କେତେକ କଥା ରହିଛି। ପ୍ରଥମ ହେଲା ଚାଣକ୍ୟ ନୀତିର ସୁପରିଚିତ ସତର୍କବାଣୀ ‘‘ଅନାହୂତଃ ପ୍ରବିଶତି ଅପୃଷ୍ଟୋ ବହୁ ଭାଷତେ’’କୁ ଅବିକଳ ଅନୁସରଣ କଲାଭଳି ଏହି ଦ୍ବିପାକ୍ଷିକ ବିବାଦରେ ତୃତୀୟ ପକ୍ଷ ଆମେରିକାର ଅଯାଚିତ ପ୍ରବେଶ ପାଇଁ ଉଦ୍ୟମ ଓ ସେ ଦେଶର ଉଦ୍ଭ୍ରାନ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସଂପର୍କରେ ମାରିଚାଲିଥିବା ଶିଶୁସୁଲଭ ବାହାସ୍ଫୋଟମାନ (ଏହାର ସଦ୍ୟତମ ଉଦାହରଣ ସ୍ବରୂପ ଟ୍ରମ୍ପ ଦାବି କରିଛନ୍ତି ଯେ ସେ ଉଭୟ ଭାରତ ଓ ପାକିସ୍ତାନକୁ ଆମେରିକା ସହିତ ବାଣିଜ୍ୟ କାରବାର ପାଇଁ ଅନୁମତି ପ୍ରଦାନର ଲୋଭ ଦେଖାଇ ସେମାନଙ୍କୁ ଯୁଦ୍ଧବିରତି ପାଇଁ ରାଜି କରାଇଥିଲେ)।
ଭାରତ ଏହି ଯୁଦ୍ଧବିରତି ନିଷ୍ପତ୍ତିରେ କୌଣସି ତୃତୀୟ ପକ୍ଷର ସଂପୃକ୍ତିକୁ ଦୃଢ଼ ଭାବରେ ଅସ୍ବୀକାର କରିଚାଲିଥିଲେ ହେଁ ପାକିସ୍ତାନ କିନ୍ତୁ ଏଥିପାଇଁ ଟ୍ରମ୍ପଙ୍କ ପ୍ରତି ଉଚ୍ଛ୍ବସିତ କୃତଜ୍ଞତା ପ୍ରକାଶ କରିବାରେ ଲାଗିଛି। ଏହା ପଛରେ ନିହିତ ଥିବା ପାକିସ୍ତାନର ଉଦ୍ଦେଶ୍ୟ ଅବଶ୍ୟ କାହାକୁ ଅଛପା ନୁହେଁ। ପାକିସ୍ତାନ ସର୍ବଦା ଭାରତ ସହିତ ତା’ର ବିବାଦର ଆନ୍ତର୍ଜାତିକୀକରଣ ନିମିତ୍ତ ଉଦ୍ୟମ କରିଆସିଛି। ଏହା ବ୍ୟତୀତ ପାକିସ୍ତାନ ସର୍ବଦା ପାଶ୍ଚାତ୍ୟ ଶକ୍ତିମାନଙ୍କର କ୍ରୀଡ଼ନକ ଭାବରେ ଯେଉଁ କାର୍ଯ୍ୟ କରିଆସିଥିଲା, ଅବଟାବାଦରେ ଓସାମା ବିନ୍ ଲାଦେନ୍ ଆଶ୍ରୟ ନେଇଥିବା ଆବିଷ୍କୃତ ହେବା ପରେ ସେଥିରେ ସାମୟିକ ଭାବରେ ବିରତି ଦେଖାଦେଇଥିଲା। ବର୍ତ୍ତମାନ ପାକିସ୍ତାନ ପୁଣି ଆମେରିକାର ଶରଣ ପଶି ସେମାନଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ସେମାନେ ପୁଣି ପାକିସ୍ତାନକୁ ପୂର୍ବଭଳି ସେମାନଙ୍କର ଭୃତ୍ୟ ରାଷ୍ଟ୍ର ରୂପେ ବ୍ୟବହାର କରିପାରିବେ। ଏହା ଟ୍ରମ୍ପଙ୍କର ଆତ୍ମବଡ଼ିମାକୁ ଏଭଳି ସନ୍ତୁଷ୍ଟ କରିଛି ଯେ ସେ ଗଦ୍ଗଦ୍ ହୋଇ ପାକିସ୍ତାନକୁ ଏକ ‘‘ମହାନ ଦେଶ’’ ଓ ତା’ର ନାମମାତ୍ର ପ୍ରଧାନମନ୍ତ୍ରୀ ସରିଫ୍ଙ୍କୁ ଜଣେ ‘‘ମହାନ ନେତା’’ ରୂପେ ଅଭିହିତ କରି ଏହି ଆତଙ୍କବାଦୀ ଇସଲାମୀୟ ଦେଶକୁ ଭାରତ ସହ ସମାନ କରିବାକୁ ଆଗେଇ ଆସିଛନ୍ତି।
ଏଣିକି ଆମେରିକାର ହାତବାରିସିରେ ପରିଣତ ହୋଇ ପାକିସ୍ତାନ ସେନାବାହିନୀର ସେନାଧ୍ୟକ୍ଷମାନେ ଆମେରିକାର ଭିକ୍ଷା ଦ୍ବାରା ପୂର୍ବଭଳି ପୁଣି ପରିପୁଷ୍ଟ ହେବାର ଦୃଢ଼ ସମ୍ଭାବନା ଉପସ୍ଥିତ ହୋଇଛି। ଡୋନାଲ୍ଡ ଟ୍ରମ୍ପ ତାଙ୍କର ଏହି ଆଚରଣ ଦ୍ବାରା ସ୍ପଷ୍ଟ କରିଦେଇଛନ୍ତି ଯେ ସେ ଭାରତର ବନ୍ଧୁ ନୁହନ୍ତି କିମ୍ବା ନରେନ୍ଦ୍ର ମୋଦୀଙ୍କର ବନ୍ଧୁ ନୁହନ୍ତି। ଭାରତ ପାଇଁ ଏଥିରୁ ଶିକ୍ଷା ହେଲା ଏହା ଯେ ଭାରତ ମଧ୍ୟ ସଂପୂର୍ଣ୍ଣ ଆବେଗହୀନ ଭାବରେ ନିଜର ସ୍ଥିତି ଓ ଶକ୍ତିକୁ ଉପଯୋଗ କରି ସର୍ବାଧିକ ସମ୍ଭବ ଜାତୀୟ ସ୍ବାର୍ଥ ହାସଲ କରିବାକୁ ଚେଷ୍ଟା କରିବା ଉଚିତ।
ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାରତ ଅନତିବିଳମ୍ବେ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ହେଉଛି ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଏବଂ ଏଠାରେ ଜନସଂଖ୍ୟାର ୬୫ ଶତାଂଶ ହେଉଛି ଯୁବପିଢ଼ିକୁ ନେଇ ଗଠିତ। ଏହା ଭାରତକୁ କେବଳ ଏକ ଉତ୍ପାଦନ ଶକ୍ତିରେ ପରିଣତ କରିଥାଏ, ତାହା ନୁହେଁ, ଭାରତକୁ ମଧ୍ୟ ପୃଥିବୀର ବିଶାଳତମ ଖାଉଟି ବଜାରରେ ପରିଣତ କରିଥାଏ। ଉଭୟ ଚୀନ୍ ଓ ଆମେରିକା ପାଇଁ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ଓ ସେବାମାନ ବିକ୍ରୟ ନିମିତ୍ତ ଏହି ବିଶାଳ ବଜାର ଏକ ଦୁର୍ବାର ଆକର୍ଷଣ ରୂପେ କାର୍ଯ୍ୟ କରିବ। ସେମାନେ ଯଦି ଭାରତ ସହିତ ଅର୍ଥନୈତିକ ସହଭାଗିତା ଚାହାନ୍ତି, ସେମାନଙ୍କୁ ପାକିସ୍ତାନର ସେନାବାହିନୀକୁ ସହାୟତା ପ୍ରଦାନ ବନ୍ଦ କରି ସେଠାରେ ଗଣତନ୍ତ୍ର ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦେବାକୁ ହେବ ବୋଲି ହୃଦୟଙ୍ଗମ କରିବାକୁ ହେବ। ଆଗାମୀ ଦିନମାନଙ୍କରେ ସେମାନଙ୍କୁ ଏ ସମ୍ବନ୍ଧରେ ସଚେତନ କରାଇବା ଭାରତୀୟ କୂଟନୀତିର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ।