ଦୁର୍ବଳ ରାଷ୍ଟ୍ରଗୁଡ଼ିକ ସହିତ ମିତ୍ରତା ସୃଷ୍ଟି କରି କାର୍ଯ୍ୟ ହାସଲ ପରେ ସେମାନଙ୍କୁ ନିଃସଂକୋଚରେ ପରିତ୍ୟାଗ କରିଦେବାର ପ୍ରବଣତା ଅନେକ ସମୟରେ ଆମେରିକା ଦେଖାଇଥାଏ; ଯେମିତି କି ଇରାକ (ସଦ୍ଦାମ ହୁସେନ ଏକଦା ଜଣେ ମିତ୍ର ଥିଲେ!) ଏବଂ ଆ‌ଫଗାନିସ୍ତାନ। ଯଦିଓ ପାକିସ୍ତାନ ଏକ ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ର, ତାହାର ନିୟତି ତାକୁ ଏକ ଲଙ୍ଗରହୀନ ଜାହଜରେ ପରିଣତ କରି ଦେଇଛି। କହିବା ଅନାବଶ୍ୟକ ଯେ ବିକ୍ଷୁବ୍‌ଧ ସାଗରରେ ଭାସି ବୁଲୁଥିବା ଲଙ୍ଗରହୀନ ଜାହାଜଗୁଡ଼ିକ ସକାଶେ ପୋତାଶ୍ରୟର ସ୍ଥିର ଆଶ୍ରୟ ଦୁଷ୍ପ୍ରାପ୍ୟ ହୋଇଥାଏ!

Advertisment

ଗଲା ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପାକିସ୍ତାନର ସେନାଧ୍ୟକ୍ଷ ‌ଫିଲ୍‌ଡ ମାର୍ସାଲ ଜେନେରାଲ ଆସିମ ମୁନୀରଙ୍କ ସହିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପଙ୍କ ସାକ୍ଷାତ, ଏକତ୍ର ଦିବାହାର ଓ ଦୁଇ ଘଣ୍ଟାବ୍ୟାପୀ ରୁଦ୍ଧ ଦ୍ବାର ଆଲୋଚନା ସର୍ବତ୍ର କୌତୂହଳ ବିଜଡ଼ିତ ଆକଳନ, ଅନୁମାନ ଓ ବ୍ୟାଖ୍ୟାନମାନ ସୃଷ୍ଟି କରିବାରେ ଲାଗିଛି। ଏହାର ଏକ ମୁଖ୍ୟ କାରଣ ହେଉଛି ଏଥିରେ ଦୃଶ୍ୟମାନ ହୋଇଥିବା ଔପଚାରିକ ଅସମାନୁପାତିକତା, ଯାହା ହୁଏତ କୂଟନୈତିକ ନିୟମ ପୁସ୍ତିକା(ରୁଲ ବୁକ୍‌) ଅନୁଯାୟୀ ନ ଥିଲା। କିନ୍ତୁ ତାଙ୍କ ଦ୍ବିତୀୟ ପାଳିର ରାଷ୍ଟ୍ରପତିତ୍ବରେ ଅଧିକ ହୁଣ୍ଡାମି ପ୍ରଦର୍ଶନ କରି ଚାଲିଥିବା ଟ୍ରଂପଙ୍କ ପରିପ୍ରେକ୍ଷୀରେ ଏହା ମଧ୍ୟ ବି‌ଶେଷ ବିସ୍ମୟ ସୃଷ୍ଟି କରି ନ ଥାଏ। ତେବେ ସେ ଯାହା ହେଉ, ଏଭଳି ଏକ ସାକ୍ଷାତ ପଛରେ ଥିବା ଉଦ୍ଦେଶ୍ୟ ଏବଂ ବାହାରକୁ ପ୍ରକଟିତ ହୋଇ ନ ଥିବା ଏକ ଦୀର୍ଘ ଆଲୋଚନା ରହସ୍ୟାବୃତ ହୋଇ ରହିଥିବାରୁ ବିଶେଷଜ୍ଞମାନେ ଯେଉଁ ସବୁ ନିଷ୍କର୍ଷରେ ଉପନୀତ ହେବାକୁ ଚେଷ୍ଟିତ, ତାହା ଏକ କ୍ଷୁଦ୍ର ଆଲୋଚନାର ସଂଦର୍ଭ ହୋଇପାରେ। କିନ୍ତୁ କେବଳ ସେତିକି ନୁହେଁ, ନିସ୍ତାର ନ ପାଇବା ଭଳି ଏକ ଆବର୍ତ୍ତ ମଧ୍ୟକୁ ପାକିସ୍ତାନ ନିକ୍ଷେପିତ ହେବାର ସମ୍ଭାବନା କିଭଳି ଏହି ସାକ୍ଷାତ ପର ଠାରୁ ହିଁ ପ୍ରାରମ୍ଭ ହୋଇଛି, ତାହା ମଧ୍ୟ ବିଶେଷ ପ୍ରଣିଧାନଯୋଗ୍ୟ। 
ଯେଉଁ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ‘ଅପରେସନ ସିନ୍ଦୂର’ ପରେ ପାଶ୍ଚାତ୍ୟ ବିଶ୍ବ, ବିଶେଷ କରି ଆମେରିକା ପାକିସ୍ତାନ ଆଡ଼କୁ ଅଧିକ ଢଳିଛି, ସେମାନେ ସମ୍ଭବତଃ ପାସୋରି ଯାଇଥାନ୍ତି ଯେ ଟ୍ରଂପଙ୍କ ପୂର୍ବବର୍ତ୍ତୀ ଜୋ ବାଇଡେନଙ୍କ ଅମଳରୁ ଏହାର ଆଭାସ ମିଳିସାରିଥିଲା, ଯହିଁରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନ ଭେଳାର ରକ୍ଷଣାବେକ୍ଷଣ ଲାଗି ଚୁକ୍ତି ଓ ବିପୁଳ ଅର୍ଥ ମଂଜୁର ଏବଂ ଏଫଏଟିଏଫ୍‌ର ଧୂସର ତାଲିକା(ଯାହା ଆତଙ୍କବାଦୀ ଦେଶଗୁଡ଼ିକୁ କଳା ବା ଧୂସର ତାଲିକାଭୁକ୍ତ କରିଥାଏ)ରୁ ପାକିସ୍ତାନକୁ ମୁକ୍ତ କରିବା ଦିଗରେ ଉଦ୍ୟମ ଆଦି ଅନ୍ତର୍ଭୁକ୍ତ। ପ୍ରକାଶ ଥାଉ କି ‘ଏଫଏଟିଏଫ୍‌’ ତାଲିକାରେ ପାକିସ୍ତାନର ସ୍ଥାନୋନ୍ନତି ହେତୁ ‘ଆଇ.ଏମ.ଏଫ.’, ବିଶ୍ବ ବ୍ୟାଙ୍କ ଏବଂ ‘ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ’ ଆଦିର ଋଣ ଓ ଅନୁଦାନ ଉପଲବ୍‌ଧ ହୋଇପାରିଛି। ଏଠାରେ ଉଲ୍ଲେଖଯୋଗ୍ୟ ‌େଯ ଜର୍ଜ ବୁଶ ଓ ବାରାକ ଓବାମାଙ୍କ ରାଷ୍ଟ୍ରପତିତ୍ବ କାଳରେ ଆମେରିକା ଦ୍ବାରା ପାକିସ୍ତାନ ପ୍ରତ୍ୟାଖ୍ୟାତ ହେବାର ସ୍ପଷ୍ଟ ସୂଚନା ମିଳୁଥିଲା, ଯହିଁରେ ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କରାଯାଇଥିଲା, ଭାରତ ଗସ୍ତରେ ଆସିଥିବା ଏହି ଦୁଇ ରାଷ୍ଟ୍ରପତି ପୂର୍ବ ପରଂପରା ଭଙ୍ଗ କରି ଫେରିବା ବାଟରେ ପାକିସ୍ତାନ ପଦାର୍ପଣ କରି ନ ଥିଲେ। ବିଶ୍ବ ବାଣିଜ୍ୟ କେନ୍ଦ୍ରର ଧ୍ବଂସ ଲୀଳାରେ ପାକିସ୍ତାନୀ ନାଗରିକଙ୍କ ଭୂମିକା ଏବଂ ‘ଅଲ କାଏଦା’ ମୁଖ୍ୟ ଓସାମା ବିନ ଲାଡେନକୁ ପାକିସ୍ତାନର ଗୋପନ ଆଶ୍ରୟ ପ୍ରଦାନ ଭଳି ଘଟଣା ପାକିସ୍ତାନକୁ ଆମେରିକା ଚକ୍ଷୁରେ ଅତ୍ୟନ୍ତ ସନ୍ଦିଗ୍‌ଧ କରି ତୋଳିଥିଲା। ଏପରିକି ଡୋନାଲ୍‌ଡ ଟ୍ରଂପଙ୍କ ପ୍ରଥମ ପାଳିରେ ତାଙ୍କ ଟ୍ବଟର ବାର୍ତ୍ତା ଅତ୍ୟନ୍ତ ସ୍ପଷ୍ଟ ଭବେ ପାକିସ୍ତାନ ବିରୋଧୀ ମନୋଭାବ ପ୍ରକାଶ କରିଥିଲା। କିନ୍ତୁ ସେହି ମନୋଭାବ ସଂପ୍ରତି ‘ଆଇ ଲଭ ପାକିସ୍ତାନ’କୁ ପରିବର୍ତ୍ତିତ ହୋଇଯାଇଛି ଏବଂ ଟ୍ରଂପଙ୍କ ଆମନ୍ତ୍ରଣ କ୍ରମେ ମୁନୀର ହ୍ବାଇଟ ହାଉସରେ ଅପ୍ୟାୟିତ ହୋଇଛନ୍ତି! ଏହାର ସମ୍ଭାବ୍ୟ କାରଣ କ’ଣ ହୋଇପାରେ?
ଏ ସଂଦର୍ଭରେ ପ୍ରଥମ କାରଣଟି ତାତ୍କାଳିକ, ଯାହା ହୁଏତ ଏୟା ଯେ ଇରାନ ଉପରେ ଆକାଶ-ମାର୍ଗୀ ଆକ୍ରମଣ ରଚନା କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଭୂମିକୁ ଏକ ‘ବେସ୍‌’ ବା ଘାଟୀ ରୂପେ ବ୍ୟବହାର କରିବାକୁ ଆମେରିକା ଚାହିଥାଏ। ପାଶ୍ଚାତ୍ୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇରାନ ଉପରେ ଆକ୍ରମଣ କରିବା ଲାଗି କୁଆଡ଼େ ଟ୍ରଂପଙ୍କ ଅନୁମତି ମିଳି ସାରିଛି! ଏଥିରେ ଦ୍ବିଧା ନାହିଁ ଯେ ପଞ୍ଚମ ଦଶକରୁ ଏବବିଂଶ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ଆମେରିକୀ ସାମରିକ ଉଚ୍ଚାଭିଳାଷର ଆଜ୍ଞାକାରୀ ବାହକ ହୋଇ ଆସିଥିବା ପାକିସ୍ତାନ ସକାଶେ ପୁନର୍ବାର (ଅନେକ ବର୍ଷର ବ୍ୟବଧାନ ପରେ) ଏହି ଭୂମିକା କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ। ଏବଂ ଦ୍ବିତୀୟ କାରଣଟି ଦୂରଦୃଷ୍ଟିସଂପନ୍ନ, ଯହିଁରେ ପାକିସ୍ତାନ ଉପରୁ ଚୀନର କର୍ତ୍ତୃତ୍ବକୁ ନିଷ୍ପ୍ରଭ କରିବାର ଆମେରିକୀୟ ଅଭିପ୍ରାୟ ଦିଶିଥାଏ। ଏହା ଖୁବ୍‌ ସମ୍ଭବ ଯେ ଭୌଗୋଳିକ ଅବସ୍ଥିତି ଓ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପାକିସ୍ତାନକୁ ପୁନର୍ବାର ଏକ ନିତାନ୍ତ ଅନୁଗତ ରାଷ୍ଟ୍ର ରୂପେ ଦେଖିବାକୁ ଟ୍ରଂପ ଚାହାନ୍ତି, ଯାହା ଗଲା ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଚୀନର କ୍ରୋଡ଼ାଶ୍ରିତ ହୋଇ ରହିଛି। କହିବା ଅନାବଶ୍ୟକ ଯେ ରାଜନୈତିକ ଅସ୍ଥିରତା, ଆତଙ୍କବାଦ, ବୋଲୋଚୀ ବିଦ୍ରୋହ ଏବଂ ଦାରୁଣ ଭାବେ ଦୟନୀୟ ଆର୍ଥିକ ସ୍ଥିତି ହେତୁ ପାକିସ୍ତାନ ସଂପ୍ରତି ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ବିଦ୍ୟମାନ। ସେହି ଦୃଷ୍ଟିରୁ ଏକଦା ଆମେରିକାର ପୁତ୍ର-ପ୍ରତିମ ଏହି ରାଷ୍ଟ୍ର ଲାଗି ଟ୍ରଂପଙ୍କ ଆଚରଣ ସ୍ମୃତି ସଜଳ କ୍ଷଣମାନ ମଧ୍ୟ ସୃଷ୍ଟି କରିଥିବ! କିନ୍ତୁ, ପ୍ରଶ୍ନ ହେଲା ଚୀନର ଆଶ୍ଳେଷରୁ ମୁକ୍ତ ହେବା ପାକିସ୍ତାନ ଲାଗି କ’ଣ ସହଜ ହେବ?
ଏହା ସୁବିଦିତ ଯେ ଆମେରିକା ଭଳି ଚୀନର ପ୍ରତ୍ୟେକ ପଦକ୍ଷେପ ମଧ୍ୟ ଘୋର ଅଭିସନ୍ଧିମୂଳକ ହୋଇଥାଏ ଏବଂ ପାକିସ୍ତାନକୁ ଚୀନ ଦ୍ବାରା ପ୍ରଦତ୍ତ ବିପୁଳ ପରିମାଣର ଋଣ(ସଦ୍ୟତମ ହେଉଛି ୩.୭ ବିଲିଅନ ଡଲାର) ଏବଂ ୭୦ ବିଲିଅନ ଡଲାର ପରିମାଣର ପୁଂଜି ନିବେଶକୁ ଚୀନ ବିନା ପ୍ରତିଦାନରେ ଖସି ଯିବାକୁ ଦେବ ନାହିଁ। କୌଣସି ଦେଶକୁ ଚୀନ କରୁଥିବା ସହାୟତା ପଛରେ କିଭଳି ‌ସେହି ଦେଶର ସଂସାଧନ ଓ ମହତ୍ତ୍ବପୂର୍ଣ୍ଣ ଭିତ୍ତିଭୂମି ଉପରେ ଅଧିକାର ହାସଲ କରିବାର ମହତ୍ତ୍ବାକାଂକ୍ଷା ରହିଥାଏ, ତାହା ସୁବିଦିତ, ଯାହାର ଦୃଷ୍ଟାନ୍ତ ପାକିସ୍ତାନର ଗ୍ବାଦାର ବନ୍ଦର, ଶ୍ରୀଲଙ୍କାର ହମବନତୋଟା ବନ୍ଦର ଓ ଆଫ୍ରିକାର ଦୁର୍ମୂଲ୍ୟ ‘କ୍ରିଟିକାଲ ମିନେରାଲ’ ଭଣ୍ଡାର ଉପରେ ଅଧିକାର। ବେଲୋଚିସ୍ତାନରେ ଚୀନର ଏଭଳି ଆଧିପତ୍ୟ ବିସ୍ତାର ଉଦ୍ୟମ ପଛରେ ଇସଲାମାବାଦ ସରକାରର ପ୍ରୋତ୍ସାହନ ଓ ସହଯୋଗ ରହିଛି ବୋଲି ସେଠାରେ ପାକିସ୍ତାନ ବିରୋଧୀ ବିଚ୍ଛିନ୍ନତାବାଦୀ ବିଦ୍ରୋହ ଶିରୋତ୍ତୋଳନ କରିଛି। ତେଣୁ କହିବା ଅନାବଶ୍ୟକ ଯେ ଚୀନ କବଳରୁ ପାକିସ୍ତାନର ମୁକ୍ତି ସହଜସାଧ୍ୟ ହେବନାହିଁ। ଇତିମଧ୍ୟରେ ଚୀନ ଏକ ମହାଶକ୍ତିରେ ପରିଣତ ହୋଇ ସାରିଛି, ଯାହା ଆମେରିକାର ସମ୍ମୁଖୀନ ହେବାକୁ ସମର୍ଥ। ଏଭଳି ସ୍ଥଳେ ଗୋଟିଏ ମାଂସ ଖଣ୍ଡ ଉପରେ ଦୁଇଟି ଶ୍ବାନ ଆଧିପତ୍ୟ ବିସ୍ତାର କରି ଟଣାଭିଡ଼ା କଲେ ଅବସ୍ଥା ଯାହା ହୁଏ, ପାକିସ୍ତାନର ଅବସ୍ଥା ତଦ୍ରୂପ ହେବାର ଆଶଙ୍କା ଦିଶିଥାଏ। 
ଏ ସଂଦର୍ଭରେ ବଡ଼ ଅସଂଗତିଟି ହେଲା ପାକିସ୍ତାନରେ ଏକ ନିର୍ବା‌ଚିତ ସରକାର ଥାଉଁ ଥାଉଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସକାଶେ ଟ୍ରଂପ୍‌ ସେ ଦେଶର ସେନାଧ୍ୟକ୍ଷଙ୍କୁ ଆମନ୍ତ୍ରଣ କରିଛନ୍ତି। ପାକିସ୍ତାନ ଭଳି ଏକ ସର୍ବଭୌମ ରାଷ୍ଟ୍ର ପ୍ରତି ‌େସ କିଭଳି ହେୟ ମନୋଭାବ ପୋଷଣ କରନ୍ତି, ଅନ୍ତତଃ ତାହା ଏଥିରୁ ସ୍ପଷ୍ଟ। ଏହା ନିଶ୍ଚିତ ଯେ ଭାରତ ସହିତ ଏଭଳି ଆଚରଣ କରିବା ବିଷୟରେ ଟ୍ରଂପ ଘୁଣାକ୍ଷରରେ ସୁଦ୍ଧା ଚିନ୍ତା କରିପାରନ୍ତେ ନାହିଁ। କାରଣ ଭାରତ ଏକ ଦୃଢ଼ ଶକ୍ତି ରୂପେ ପ୍ରତିଷ୍ଠିତ ଏବଂ ଅନେକ ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶଙ୍କ ଅନୁଗାମୀ ନ ହୋଇ ସ୍ବତନ୍ତ୍ର ଦୃଷ୍ଟିକୋଣ ରଖିବାର ସାହସ ଓ ସାମର୍ଥ୍ୟ ଦେଖାଇଛି; ଯାହାର ବଡ଼ ଉଦାହରଣ ରୁଷିଆ-ୟୁକ୍ରେନ ଯୁଦ୍ଧ କାଳରେ ଭାରତର ଆଭିମୁଖ୍ୟ। କେବଳ ସେତିକି ନୁହେଁ, ଭାରତ ସହିତ ଆମେରିକାର ସଂପର୍କ ଗୋଟିଏ ସମତଳରେ ସହଯୋଗ ଆଧାରିତ, ଯାହା ମୁନିବ-ଅଧସ୍ତନ ସୁଲଭ ହୋଇ ନ ଥାଏ। ପୁଣି, ସାମରିକ, ବାଣିଜ୍ୟିକ ଓ ପ୍ରାବିଧିକ ଭଳି ବିଭିନ୍ନ କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ରହି ଆସିଥିବା ବହୁ ସ୍ତରୀୟ ସଂପର୍କ ଇତିମଧ୍ୟରେ ଦୃଢ଼ମୂଳ ହୋଇ ସାରିଲାଣି। ତେଣୁ ଟ୍ରଂପଙ୍କ ହୃଦୟରେ ଉଦୟ ହୋଇଥିବା ପାକିସ୍ତାନ ପ୍ରୀତିରେ ବିବ୍ରତ ହେବାର କୌଣସି କାରଣ ନାହିଁ। ଦୁର୍ବଳ ରାଷ୍ଟ୍ରଗୁଡ଼ିକ ସହିତ ମିତ୍ରତା ସୃଷ୍ଟି କରି କାର୍ଯ୍ୟ ହାସଲ ପରେ ସେମାନଙ୍କୁ ନିଃସଂକୋଚରେ ପରିତ୍ୟାଗ କରିଦେବାର ପ୍ରବଣତା ଅନେକ ସମୟରେ ଆମେରିକା ଦେଖାଇଥାଏ; ଯେମିତି କି ଇରାକ (ସଦ୍ଦାମ ହୁସେନ ଏକଦା ଜଣେ ମିତ୍ର ଥିଲେ!) ଏବଂ ଆ‌ଫଗାନିସ୍ତାନ। ଯଦିଓ ପାକିସ୍ତାନ ଏକ ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ର, ତାହାର ନିୟତି ତାକୁ ଏକ ଲଙ୍ଗରହୀନ ଜାହଜରେ ପରିଣତ କରି ଦେଇଛି। କହିବା ଅନାବଶ୍ୟକ ଯେ ବିକ୍ଷୁବ୍‌ଧ ସାଗରରେ ଭାସି ବୁଲୁଥିବା ଲଙ୍ଗରହୀନ ଜାହାଜଗୁଡ଼ିକ ସକାଶେ ପୋତାଶ୍ରୟର ସ୍ଥିର ଆଶ୍ରୟ ଦୁଷ୍ପ୍ରାପ୍ୟ ହୋଇଥାଏ!