ଉତ୍ତର କୋରିଆ, ଚୀନ ଓ ରୁଷିଆ ପକ୍ଷରୁ ଇରାନକୁ ସମର୍ଥନ ପ୍ରଦାନ କରାଗଲାଣି। ତେଣୁ ଶଙ୍କା ଉପୁଜିଥାଏ ଯେ ଶାନ୍ତି ପ୍ରତିଷ୍ଠାର ଏଭଳି ଉଦ୍ୟମ ପରିଶେଷରେ ପୃଥିବୀକୁ ଏକ ଶ୍ମଶାନରେ ପରିଣତ କରିଦେବ ନାହିଁ ତ? ଅବଶ୍ୟ, ଶ୍ମଶାନରେ ମଧ୍ୟ ଏକ ପ୍ରକାର ଶାନ୍ତି ବିରାଜମାନ କରିଥାଏ। ଏବଂ ବିଡ଼ମ୍ବନା ହେଲା, ଶ୍ମଶାନ ଉପରେ ଚକ୍ରାକାରରେ ଘୂରି ବୁଲୁଥିବା ଗୃଧ୍ର ପକ୍ଷୀମାନଙ୍କୁ କପୋତ ବୋଲି ସଂବୋଧନ କରୁଥିବା ମତି ବିଭ୍ରମର ଶିକାର ବିଚକ୍ଷଣମାନଙ୍କ ସଂଖ୍ୟା ମଧ୍ୟ ଊଣା ନୁହେଁ!
ଏକ ଘୋର ଅଶାନ୍ତ ଜାଗତିକ ମଞ୍ଚରେ ଏକ ଉଦ୍ଭଟ ବା ଅବାନ୍ତର ନାଟକଟିଏ ଅଭିନୀତ ହେଉ ବୋଲି ନାଟକର ସୂତ୍ରଧର ପାକିସ୍ତାନ ପକ୍ଷରୁ ପୃଷ୍ଠଭୂମି ପ୍ରସ୍ତୁତିର ଯେଉଁ ଉଦ୍ୟମ ଦୃଶ୍ୟମାନ ହୋଇଛି, ତାହା ହେଲା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କୁ ଶାନ୍ତି ଲାଗି େନାବେଲ ପୁରସ୍କାର ମିଳୁ ବୋଲି ଏକ ଆନୁଷ୍ଠାନିକ ପ୍ରସ୍ତାବ। ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଟ୍ରଂପ ମହାଶୟଙ୍କ ହସ୍ତକ୍ଷେପ ଫଳରେ ଭାରତ ଓ ପାକିସ୍ତାନ ଭଳି ଦୁଇ ଆଣବିକ ଅସ୍ତ୍ରଧାରୀ ରାଷ୍ଟ୍ରଙ୍କ ମଧ୍ୟରେ ସୃଷ୍ଟ ସଂଘର୍ଷ ଏକ ପୂର୍ଣ୍ଣାଙ୍ଗ ସମରରେ ପରିଣତ ହେବା ପୂର୍ବରୁ ଅଗତ୍ୟା ବନ୍ଦ ହୋଇଗଲା ଏବଂ ପୃଥିବୀ ଏକ ଭୟାବହ ବିଭୀଷିକାରୁ ରକ୍ଷା ପାଇଲା। ବର୍ତ୍ତମାନ ଏହା ସୁବିଦିତ ଯେ ଶାନ୍ତି ସ୍ଥାପନ ଲାଗି ତାଙ୍କୁ ନୋବେଲ ସ୍ବୀକୃତି ମିଳୁ ବୋଲି ଡୋନାଲ୍ଡ ଟ୍ରଂପ ଅତ୍ୟନ୍ତ ବ୍ୟାକୁଳ, ତାହା ତାଙ୍କ ଆଚରଣ ଏବଂ ଉଚ୍ଚାରଣରୁ ସ୍ପଷ୍ଟ। ଏଭଳି ସ୍ଥିତିରେ ପ୍ରଶ୍ନ ଉଠିଥାଏ ଯେ ପୂର୍ବରୁ ଅନେକ ରାଷ୍ଟ୍ରର ଶାସନ ମୁଖ୍ୟ ଏହି ସମ୍ମାନ ଦ୍ବାରା ଅଳଙ୍କୃତ ହୋଇ ସାରିଥିବା ବେଳେ ଟ୍ରଂପଙ୍କ ସଂଦର୍ଭରେ ଭ୍ରୂକୁଂଚନ ସୃଷ୍ଟି ହେବ କାହିଁକି? ଏହାକୁ କାହିଁକି ଏକ ଉଦ୍ଭଟ ନାଟକର ଆଖ୍ୟା ଦିଆଯିବ?
ଏ ସଂଦର୍ଭରେ ଉତ୍ତର ଅନ୍ବେଷଣ କଲା ବେଳେ ପ୍ରଥମ ପ୍ରଶ୍ନ ଉଠିଥାଏ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟ ସଂଘର୍ଷର ସାମୟିକ ବିରତିରେ ଟ୍ରଂପଙ୍କ ହସ୍ତକ୍ଷେପର କୌଣସି ଭୂମିକା ରହିଛି କି? ନା ‘ଅପରେସନ ସିନ୍ଦୂର’ର ଲକ୍ଷ୍ୟ ହାସଲ ଅନ୍ତେ ସଂଘର୍ଷକୁ ସଂପ୍ରସାରିତ କରିବା ଦିଗରେ ଭାରତର ଅନିଚ୍ଛା ଏବଂ ଅଶେଷ କ୍ଷତି ସହିଥିବା ପାକିସ୍ତାନ ଲାଗି ବିରାମର ଆତୁରତା କ୍ରମରେ ଟ୍ରଂପଙ୍କ ଆଗ୍ରହ ଏକ ସ୍ବାଭାବିକ ଯୁଦ୍ଧ ବିରତିକୁ ଜନ୍ମ ଦେଇଥିଲା? ଉଲ୍ଲେଖଯୋଗ୍ୟ ଯେ ଭାରତର ଲକ୍ଷ୍ୟ ଥିଲା ସୂଚ୍ୟଗ୍ର ଭଳି ଶାଣିତ, ଯାହା ଅକାରଣ ଜନଜୀବନର ହାନି ନ ଚାହିଁ କେବଳ ସନ୍ତ୍ରାସବାଦୀଙ୍କୁ ଶାସ୍ତି ଦେବାକୁ ସଂକଳ୍ପ କରିଥିଲା। ସେହି ଦୃଷ୍ଟିରୁ ଯୁଦ୍ଧର ସମାପ୍ତି ଘଟାଇଛନ୍ତି ବୋଲି ଅନ୍ତତଃ ଦେଢ଼ ଡଜନ ଥର ବାହାସ୍ଫୋଟ ମାରିଥିବା ଟ୍ରଂପଙ୍କ ଉଦ୍ଦେଶ୍ୟ ଯେ ‘ଶାନ୍ତିର କପୋତ’ ରୂପେ ଏକ ବୈଶ୍ବିକ ସ୍ବୀକୃତି, ତାହା ହୃଦ୍ବୋଧ କରି ହୋଇଥାଏ। କେବଳ ଭାରତ ଓ ପାକିସ୍ତାନ ସଂଘର୍ଷ ପରିପ୍ରେକ୍ଷୀରେ ନୁହେଁ, ରୁୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ୍-ହମାସ ମଧ୍ୟରେ ଚାଲି ରହିଥିବା ଯୁଦ୍ଧରେ ବିରତି ଆଣିବାର ଉଦ୍ୟମ ମଧ୍ୟ ସେ କରିଛନ୍ତି, ଯହିଁରେ ଅତିକ୍ରମଣକାରୀ ରୁଷିଆର ପକ୍ଷଭୁକ୍ତ ହେବା ସହିତ ୟୁକ୍ରେନର ‘ବାହୁକୁ ମୋଡ଼ି’ ଏକ ଅପଦସ୍ଥ ସନ୍ଧିରେ ଛନ୍ଦି ଦେବାର ଉଦ୍ୟମ ସମଗ୍ର ପୃଥିବୀ ଦେଖିଛି। କହିବା ବାହୁଲ୍ୟ ଯେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କୁ ଏ ସଂକ୍ରାନ୍ତରେ ଆଲୋଚନା ଲାଗି ଆମନ୍ତ୍ରଣ କରି ସର୍ବ ସମକ୍ଷରେ ଅପମାନିତ କରିବାର ସୌଜନ୍ୟହୀନ, ପରଂପରା-ବହିର୍ଭୂତ ଏପରିକି ସଂସ୍କାରଶୂନ୍ୟ ପ୍ରକରଣ ଏବଂ ଦୃଶ୍ୟକୁ ପୃଥିବୀ କିଂକର୍ତ୍ତବ୍ୟବିମୂଢ଼ତାର ସହିତ ପ୍ରତ୍ୟକ୍ଷ କରିଥିଲା। ସେମିତି ଇସ୍ରାଏଲ୍ ଲାଗି ଯୁଦ୍ଧ ବିରତିର ଅର୍ଥ ହୋଇଥାଏ ନିରବଚ୍ଛିନ୍ନ ଆକ୍ରମଣ କରିବାର କ୍ଳାନ୍ତିର ଅପନୋଦନ, ଯହିଁରେ ନିରସ୍ତ୍ର ପ୍ରତିପକ୍ଷ ଗାଜା ପଟି କେବଳ ନିରବରେ ବିଧ୍ବସ୍ତ ହୋଇ ଚାଲିବାର ଦୁର୍ଭାଗ୍ୟ ଭୋଗୁଥିଲା। ସୁତରାଂ, ଆମେରିକାର ଅନୁଧାବନକାରୀ ଇସ୍ରାଏଲ ଲାଗି ଟ୍ରଂପଙ୍କ କେବଳ ଗୋଟିଏ ଇଙ୍ଗିତ ହିଁ ଯଥେଷ୍ଟ ଥିଲା। କିନ୍ତୁ, କେବଳ ସେତିକି ନୁହେଁ, ଉପରୋକ୍ତ ଦୁଇ ଯୁଦ୍ଧ ବିରତି ସକାଶେ ଧାର୍ଯ୍ୟ ସର୍ତ୍ତାବଳୀରେ ମଧ୍ୟ ସ୍ପଷ୍ଟ ହୋଇଥିଲା ନିର୍ଦୟ ଲାଭଖୋର ବ୍ୟାବସାୟିକ ଆଭିମୁଖ୍ୟ, ଯେମିତି କି ୟୁକ୍ରେନର ଭୂମି ତଳେ ଗଚ୍ଛିତ ବହୁମୂଲ୍ୟ ଖଣିଜ ସଂପଦର ଦୋହାନ ଏବଂ ବିଧ୍ବସ୍ତ ଗାଜା ପଟିକୁ ଏକ ପର୍ଯ୍ୟଟକ ଆମୋଦ ସ୍ଥଳରେ ପରିଣତ କରିବାର ମହତ୍ତ୍ବାକାଂକ୍ଷା। କହିବା ଅନାବଶ୍ୟକ ଯେ ଏଭଳି ଉଦ୍ୟମରେ ‘ବଳ ପ୍ରୟୋଗ’ର ପ୍ରଭାବ ଅଧିକ ସ୍ପଷ୍ଟ; ବନ୍ଧୁକ ମୁନରେ ଦୁଇ ଶତ୍ରୁଭାବାପନ୍ନ ପରିବାରକୁ ବିବାହ ବନ୍ଧନରେ ବାନ୍ଧି ଦେବା ଭଳି! ପୁଣି ଆଉ ଏକ ଅସଂଗତି ହେଲା ଏହା ଯେ ଟ୍ରଂପ ଏହି ସମ୍ମାନ ପାଇବା ଲାଗି ଯୋଗ୍ୟ ବୋଲି ପାକିସ୍ତାନ ଭଳି ଏକ ରାଷ୍ଟ୍ରର ଦାବି ଓ ତଜ୍ଜନିତ ପ୍ରସ୍ତାବ; କାରଣ ସ୍ବୟଂ ପାକିସ୍ତାନ ଏକ ଆତଙ୍କବାଦ ପ୍ରୋତ୍ସାହନକାରୀ ରାଷ୍ଟ୍ର ଭାବେ ସୁପରିଚିତ। ତେଣୁ ବିଡ଼ମ୍ବନାଟି ହେଲା, ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ବୀକୃତି ଲାଭ କରିବାର ଉଦ୍ୟମରେ ଯେଉଁ ଚରିତ୍ର ଦ୍ବୟ ମଞ୍ଚରେ ଅବତୀର୍ଣ୍ଣ, ସେମାନେ ଶାନ୍ତିର ସର୍ବ ନିମ୍ନ ଅର୍ଥ ନେଇ ମଧ୍ୟ ଅଜ୍ଞ; ଯହିଁରେ ହିଂସାର ସଂପୂର୍ଣ୍ଣ ଅନୁପସ୍ଥିତି ଏବଂ ସମସ୍ତଙ୍କ ମଙ୍ଗଳାକାଂକ୍ଷା ନିହିତ ଥାଏ।
କିନ୍ତୁ, ଅନେକ ପର୍ଯ୍ୟବେକ୍ଷକ ଏଥିରେ ଉଦ୍ଭଟତା ଦେଖି ନଥାଆନ୍ତି, କାରଣ ସେମାନେ ୧୯୩୯ ମସିହାର ଉଦାହରଣ ଦେଇ କହିଥାଆନ୍ତି ଯେ ସେ ସମୟରେ ଜର୍ମାନ ‘ଫୁଏରର’ ଆଡଲ୍ଫ ହିଟଲରକୁ ଏହି ସମ୍ମାନ ପ୍ରଦାନ କରିବା ନେଇ ମଧ୍ୟ ପ୍ରସ୍ତାବଟିଏ ଆସିଥିଲା! ଯେଉଁ ରାଜିନାମା ସମ୍ଭବ କରାଇଥିବା କାରଣରୁ ସ୍ବିଡେନ ପାର୍ଲାମେଣ୍ଟର ୧୨ ଜଣିଆ ସାଂସଦ ଦଳ ତତ୍କାଳୀନ ବ୍ରିଟିସ ପ୍ରଧାନମନ୍ତ୍ରୀ ଲର୍ଡ ଜେମ୍ବରଲିନଙ୍କ ନାମ ସୁପାରିସ କରିଥିଲା ସେହି ରାଜିନାମାର ଅନ୍ୟତମ ସ୍ବାକ୍ଷରକାରୀ ଥିଲା ହିଟଲର। କୁହାଯାଏ ଯେ ଏହି ରାଜିନାମା ୟୁରୋପକୁ ଏକ ମାନବୀୟ ଟ୍ରାଜେଡିରୁ ବଞ୍ଚାଇ ଥିଲା। କିନ୍ତୁ, ସେହି ସମୟରେ ସ୍ବିଡେନର ଜଣେ ସାଂସଦ ଏକ ପତ୍ର ମାଧ୍ୟମରେ ହିଟଲରକୁ ମଧ୍ୟ ସେହି ସମ୍ମାନର ସହଭାଗୀ ହେବା ନେଇ ଦାବି ଉଠାଇଥିଲେ, ଅର୍ଥାତ୍ ଇହୁଦୀ ନରମେଧ ଯଜ୍ଞର ପୁରୋହିତ ମଧ୍ୟ ଏହି ପୁରସ୍କାର ଲାଗି ଚିହ୍ନିତ ହୋଇଥିଲେ! ଏହି ଘଟଣାର ଠିକ୍ ଅଶୀ ବର୍ଷ ପରେ ଅର୍ଥାତ୍ ୨୦୧୯ ମସିହାରେ ନିଜ ଦେଶ ଇଥିଓପିଆ ଏବଂ ଏରିଟ୍ରିଆ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ଚୁକ୍ତି ସଂପାଦନ କରି ନୋବେଲ ସମ୍ମାନର ଅଧିକାରୀ ହୋଇଥିବା ଇଥିଓପିଆର ଶାସନ ମୁଖ୍ୟ ଆବେ ଅହମଦ ସଂପ୍ରତି ବନ୍ଧୁକ ହସ୍ତେ ଟିଗ୍ରେ ଗୃହଯୁଦ୍ଧରେ ବ୍ୟାପୃତ ଏବଂ ୨୦୨୦ ମସିହାରୁ ତାଙ୍କ ନେତୃତ୍ବରେ ଅସରନ୍ତି ଗଣହତ୍ୟା, ଅତ୍ୟାଚାର ଓ ବିସ୍ଥାପନର ଦାରୁଣ ଦୃଶ୍ୟ ପରିଦୃଷ୍ଟ ହୋଇ ଚାଲିଛି। ସେହିପରି ୧୯୭୩ ମସିହାରେ ଶାନ୍ତି ଲାଗି ନୋବେଲ ପୁରସ୍କାର ଜିଣିଥିବା ହେନରି କିସିଞ୍ଜରଙ୍କ ଆଦେଶରେ ଆମେରିକୀୟ ବିମାନ ବାହିନୀ କମ୍ବୋଡ଼ିଆ ଓ ଲାଗୋସକୁ ବୋମା ବିଧ୍ବସ୍ତ କରି ଅସଂଖ୍ୟା ସାଧାରଣ ଲୋକଙ୍କ ନିଧନର କାରଣ ହୋଇଥିଲେ ଏବଂ କିସିଞ୍ଜର ମଧ୍ୟ ଥିଲେ ଚିଲିର ଅତ୍ୟାଚାରୀ ଏକଛତ୍ରବାଦୀ ଶାସକ ଅଗଷ୍ଟୋ ପିନୋସେଟଙ୍କ ଏକାନ୍ତ ସମର୍ଥକ। େସହିଭଳି ଗଣତନ୍ତ୍ର ପ୍ରତିଷ୍ଠା କରିବାର ସଘନ ଉଦ୍ୟମ ସକାଶେ ନୋବେଲ ପୁରସ୍କାର ପାଇଥିବା ମିଆଁମାରର ଅଙ୍ଗ ସନ ସୁ କୀ ପରବର୍ତ୍ତୀ କାଳରେ ସ୍ବୟଂ ଶାସନ କ୍ଷମତାର ଅଂଶ ଥିବା ବେଳେ ରୋହିଙ୍ଗ୍ୟା ଗଣହତ୍ୟା ଏବଂ ପୀଡ଼ନର ସମର୍ଥକରେ ପରିଣତ ହୋଇଥିଲେ। ଦରିଦ୍ର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ସମ୍ଭବ କରିବାରେ ସଫଳ ହୋଇ ନୋବେଲ ପୁରସ୍କାର ଲାଭ କରିଥିବା ବାଂଲାଦେଶର ମହମ୍ମଦ ୟୁନୁସ(ସଂପ୍ରତି ଅନ୍ତରୀଣ ସରକାରର ମୁଖ୍ୟ) କିଭଳି ଭାରତ ବିରୋଧୀ ସଂଘାତ ଏବଂ ଅନ୍ତର୍ଘାତ ନେଇ ମନ୍ତବ୍ୟମାନ ଦେଇ ଚାଲିଛନ୍ତି, ତାହା ସୁବିଦିତ। ଏଠାରେ ଏସବୁ ଉପସ୍ଥାପନ କରିବାର ତାତ୍ପର୍ଯ୍ୟ ହେଲା ଶାନ୍ତି ସକାଶେ ନୋବେଲ ପୁରସ୍କାର ବିଜେତାଙ୍କ ତାରକା ମଣ୍ଡଳରେ ଅଗତ୍ୟା ଟ୍ରଂପ ଯଦି ସ୍ଥାନ ପାଆନ୍ତି, ତେବେ ସେ ନିଃସଙ୍ଗ ହୋଇ ଉଠିବେ ନାହିଁ। ସୁତରାଂ, ପର୍ଯ୍ୟବେକ୍ଷକଙ୍କ ମତରେ ତାଙ୍କ ଚୟନ ମଧ୍ୟ ଏକାନ୍ତ ଉଦ୍ଭଟ ଭଳି ଦିଶି ନ ପାରେ!
ଏହା େଲଖା ହେବା ବେଳକୁ ସମ୍ବାଦ ପହଞ୍ଚିଛି ଯେ ଇରାନ ଉପରେ ଆମେରିକା ପକ୍ଷରୁ ଭୟାବହ ବୋମା ଆକ୍ରମଣ ସଂଘଟିତ ହୋଇଛି, ଯହିଁରେ କୁଆଡ଼େ ଇରାନର ଆଣବିକ ଅସ୍ତ୍ର ନିର୍ମାଣ ସାମର୍ଥ୍ୟରେ ଅନ୍ତ ଘଟିଛି! ଏଭଳି ଦାବିର ସତ୍ୟତା ଯଦିଓ ସନ୍ଦେହମୁକ୍ତ ନୁହେଁ, ତଥାପି ଇରାନକୁ ନିବୀର୍ଯ୍ୟ କରିଦେବା ସହିତ ସେଠାରେ ଆୟୋତୋଲ୍ଲା ଶାସନର ଅନ୍ତ ଘଟାଇବା ଯେ ଆମେରିକାର ଲକ୍ଷ୍ୟ, ତାହା କହିବା ଅନାବଶ୍ୟକ। କିନ୍ତୁ ବିଡ଼ମ୍ବନା ହେଲା ଇରାନ ଭଳି ଏକ ବିଶାଳ ସର୍ବଭୌମ ରାଷ୍ଟ୍ର ଉପରେ ଏଭଳି ଆକ୍ରମଣକୁ ମଧ୍ୟ ଶାନ୍ତି ସ୍ଥାପନର ଏକ ଉଦ୍ୟମ ରୂପେ ଦର୍ଶାଯାଇଥାଏ, ଯହିଁରେ ଯୁକ୍ତି ଦିଆଯାଏ ଯେ ଇରାନ ନିକଟରେ ଆଣବିକ ଅସ୍ତ୍ର ରହିବାର ଅର୍ଥ ହେଉଛି ବିଶ୍ବ ଶାନ୍ତି ସକାଶେ ବିପଦ! ତେବେ, ସେ ଯାହା ହେଉ, ଆମେରିକାର ଏହି ଆକ୍ରମଣ ପରେ ପଶ୍ଚିମ-ଏସିଆରେ ଯୁଦ୍ଧ କିଭଳି ରୂପ ନେବ, ତାହା ଯଦିଓ କହିବା କଷ୍ଟକର, ଏହା ଫଳରେ ଅଧିକ ଅରାଜକତା, ଆତଙ୍କବାଦ, ପ୍ରକ୍ସି ଯୁଦ୍ଧ ଏପରି କି ତୃତୀୟ ବିଶ୍ବଯୁଦ୍ଧ ସକାଶେ କ୍ଷେତ୍ର ପ୍ରସ୍ତୁତ ହେବାର ଆଶଙ୍କା ରହିଛି।
ପ୍ରକାଶ ଥାଉ କି ଉତ୍ତର କୋରିଆ, ଚୀନ ଓ ରୁଷିଆ ପକ୍ଷରୁ ଇରାନକୁ ସମର୍ଥନ ପ୍ରଦାନ କରାଗଲାଣି। ତେଣୁ ଶଙ୍କା ଉପୁଜିଥାଏ ଯେ ଶାନ୍ତି ପ୍ରତିଷ୍ଠାର ଏଭଳି ଉଦ୍ୟମ ପରିଶେଷରେ ପୃଥିବୀକୁ ଏକ ଶ୍ମଶାନରେ ପରିଣତ କରିଦେବ ନାହିଁ ତ? ଅବଶ୍ୟ, ଶ୍ମଶାନରେ ମଧ୍ୟ ଏକ ପ୍ରକାର ଶାନ୍ତି ବିରାଜମାନ କରିଥାଏ। ଏବଂ ବିଡ଼ମ୍ବନା ହେଲା, ଶ୍ମଶାନ ଉପରେ ଚକ୍ରାକାରରେ ଘୂରି ବୁଲୁଥିବା ଗୃଧ୍ର ପକ୍ଷୀମାନଙ୍କୁ କପୋତ ବୋଲି ସଂବୋଧନ କରୁଥିବା ମତି ବିଭ୍ରମର ଶିକାର ବିଚକ୍ଷଣମାନଙ୍କ ସଂଖ୍ୟା ମଧ୍ୟ ଊଣା ନୁହେଁ!