‘କୋଭିଡ ପାନେଡମିକ’ର ହାହାକାରମୟ କାଳ ଖଣ୍ଡ ମଧ୍ୟରେ ଚୀନ ପକ୍ଷରୁ ଭାରତର ସୀମା ଅତିକ୍ରମଣ କରାଯିବାର ଉଦ୍ୟମ ହେଲା, ଯାହା ଏକ ଯୁଦ୍ଧର ଆଶଙ୍କାକୁ ଜନ୍ମ ଦେଲା। ‘ପାନଡେମିକ’ର ଅବସାନ ଘଟିବାର ବର୍ଷକ ମଧ୍ୟରେ ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ରଚନା କରାଗଲା। କହିବାର ଅର୍ଥ ହେଲା ପ୍ରକୃତିର ଦାରୁଣ ବେତ୍ରାଘାତ ମଧ୍ୟ ମନୁଷ୍ୟର ଅହମିକା ନାଶ କରି ଚୈତନ୍ୟ ଉଦୟ କରି ପାରି ନ ଥାଏ।
ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ପୂର୍ଣ୍ଣ ହେଉ ନ ହେଉଣୁ ମାନବ ଜାତି ତୃତୀୟ ମହାଯୁଦ୍ଧର ଦ୍ବାରଦେଶକୁ ଠେଲି ହୋଇଯିବା ଭଳି ଘଟଣାକ୍ରମ ଅସଂଖ୍ୟ ପୃଥିବୀବାସୀଙ୍କୁ ଉଦ୍ବିଗ୍ନ ଓ ମୁହ୍ୟମାନ କରିଛି। ପ୍ରକାଶ ଥାଉ କି ପ୍ରସିଦ୍ଧ ଆେମରିକୀୟ ବିଦ୍ବାନ ଫ୍ରାନସିସ ଫୁକୁୟାମା ମଧ୍ୟ ଧରି ନେଇଥିଲେ ଯେ ଏକବିଂଶ ଶତାବ୍ଦୀ ଏକ ସମତଳ ପଥରେ ଦୁର୍ଘଟଣାଶୂନ୍ୟ ଯାତ୍ରାର ଅନୁଭୂତି ପ୍ରଦାନ କରିବ। ୧୯୯୨ ମସିହାରେ ତାଙ୍କ ପୁସ୍ତକ ‘ଦ ଏଣ୍ଡ ଅଫ ହିଷ୍ଟ୍ରି ଏଣ୍ଡ ଦ ଲାଷ୍ଟ ମ୍ୟାନ’ ଅର୍ଥାତ୍ ‘ଇତିହାସର ପରିସମାପ୍ତି ଏବଂ ଅନ୍ତିିମ ମନୁଷ୍ୟ’ରେ ସେ ଅନୁମାନ କରି କହିଥିଲେ ଯେ ଉଦାର ଗଣତନ୍ତ୍ର ଓ ମୁକ୍ତ ବଜାର ଅର୍ଥନୀତି ହେତୁ ମନୁଷ୍ୟର କାମନା ପୂର୍ତ୍ତିର ସୁଯୋଗ ଓ ସାଧନ ଉପଲବ୍ଧ, ଯେଉଁ କାରଣରୁ ପୃଥିବୀରେ କୌଣସି ଗଭୀର ଆଦର୍ଶଗତ ବା ବୈଚାରିକ ପରିବର୍ତ୍ତନ ଘଟିବାର ସମ୍ଭାବନା କ୍ଷୀଣ; କାଳ ବକ୍ଷରେ ବିଭିନ୍ନ ଘଟଣାମାନ ସଂଘଟିତ ହୋଇ ଚାଲିବ ସତ(ହୁଏତ କଦବା କେମିତି ସାମାନ୍ୟ ସଂଘର୍ଷ ବା ସଂଘାତ), କିନ୍ତୁ ଇତିହାସ ସୃଷ୍ଟି କଲା ଭଳି ମୋଡ଼ ସୃଷ୍ଟି ହେବ ନାହିଁ। ଉଦାର ଗଣତନ୍ତ୍ର ତଥା ମୁକ୍ତ ବଜାରରେ ବିଚରଣକାରୀ ମନୁଷ୍ୟ ଜଣେ ଉପଭୋକ୍ତା ହୋଇ ରହିବାରେ ସନ୍ତୁଷ୍ଟ ହେବ; ଅର୍ଥାତ୍ କୌଣସି ତୀବ୍ର ଅଭାବବୋଧ ଦ୍ବାରା ପରିଚାଳିତ ହୋଇ ଭୂଚଳନ ତୁଲ୍ୟ ପରିବର୍ତ୍ତନ ସୃଷ୍ଟିର କାରକ ହେବ ନାହିଁ। ଫୁକୁୟାମାଙ୍କ ଏଭଳି ନିଷ୍କର୍ଷ ପଛରେ କାରଣ ଥିଲା ୧୯୯୧ ମସିହାରେ ସୋଭିଏତ୍ ୟୁନିଅନର ବିଖଣ୍ଡୀକରଣ ଓ ବିଲୟ, ସୋଭିଏତ୍ ଅନୁରକ୍ତ କମ୍ୟୁନିଷ୍ଟ ଶାସିତ ‘ଇଷ୍ଟର୍ନ ବ୍ଲକ୍’ ଅନ୍ତର୍ଭୁକ୍ତ ରାଷ୍ଟ୍ର (ଯୁଗୋସ୍ଲୋଭିଆ ବା ରୁମାନିଆ ଭଳି)ରେ ଶାସନ ପରିବର୍ତ୍ତନ ଏବଂ ତା’ ପୂର୍ବରୁ ୧୯୮୯ ମସିହାରେ ବର୍ଲିନ ପ୍ରାଚୀରର ପତନ ସହିତ ଦୁଇ ଜର୍ମାନିର ମିଳନ ଭଳି ଚମକପ୍ରଦ ଘଟଣାମାନ; ଯହିଁରୁ ଧାରଣା ସୃଷ୍ଟି ହୋଇଥିଲା ଯେ କମ୍ୟୁନିଷ୍ଟ ଆଦର୍ଶ ଏକ ଅଚଳ ମୁଦ୍ରାରେ ପରିଣତ ହୋଇଛି ଏବଂ ସ୍ବାଭାବିକ ଭାବେ ଉଦାର ଗଣତନ୍ତ୍ର, ପୁଂଜିବାଦ ଓ ବଜାର ବ୍ୟବସ୍ଥାର ବିଜୟ ଘଟିଛି, ଯାହାର ପ୍ରତୀକ ଭାବେ ସୋଭିଏତର ଅନ୍ତ ପରେ ସମଗ୍ର ପୃଥିବୀ ସମ୍ମୁଖରେ ଧ୍ରୁବତାରା ସଦୃଶ ଅବତୀର୍ଣ୍ଣ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। କିନ୍ତୁ କହିବା ବାହୁଲ୍ୟ ଯେ ବିଦ୍ବାନ ଫୁକୁୟାମାଙ୍କ ଅନୁମାନ ଅବଲୀଳା କ୍ରମେ ଭ୍ରାନ୍ତ ବୋଲି ସାବ୍ୟସ୍ତ ହୋଇଛି, ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ମଧ୍ୟରେ ପୃଥିବୀ ଦେଖିଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନେକ ୟୁରୋପୀୟ ରାଷ୍ଟ୍ର ସମେତ ପୃଥିବୀର ବିଭିନ୍ନ ଉଦାର ଗଣତନ୍ତ୍ରରେ ତୀବ୍ର ଜାତୀୟତାବାଦୀ ଦକ୍ଷିଣପନ୍ଥୀ ନେତୃତ୍ବର ଅଭ୍ୟୁଦୟ ଓ ପ୍ରତିଷ୍ଠା ଲାଭ ଘଟିଛି। ସମସ୍ତଙ୍କୁ ଚକିତ କଲା ଭଳି ଦେଖିବାକୁ ମିଳିଛି ଯେ ମୁକ୍ତ ବଜାରର ପ୍ରବକ୍ତା ଏବଂ ବିଶ୍ବକୁ ନେତୃତ୍ବ ଦେଉଥିବା ଯୁକ୍ତରାଷ୍ଟ୍ର ଆମେରିକା ଏକ ଅବରୁଦ୍ଧ ବଜାରର ପୃଷ୍ଠପୋଷକ ଏବଂ ଶତ୍ରୁ-ମିତ୍ର ନିର୍ବିଶେଷରେ ପୃଥିବୀର ଅଧିକାଂଶ ରାଷ୍ଟ୍ରଙ୍କ ନିକଟରେ ଅପ୍ରିୟ। ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ବର୍ତ୍ତମାନ ସୁଦ୍ଧା ପୃଥିବୀ ପ୍ରତ୍ୟକ୍ଷ କରିଛି ଆଫଗାନିସ୍ତାନ ଓ ଇରାକ ଉପରେ ଆମେରିକାର ଆକ୍ରମଣ(୨୦୦୧ ଏବଂ ୨୦୦୬) ଯହିଁରେ ଯଥାକ୍ରମେ ତାଲିବାନ ଓ ସଦ୍ଦାମ ହୁସେନ ସରକାରଙ୍କ ପତନ ଘଟିଥିଲା, ୨୦୧୦ ମସିହାରେ ‘ଆରବ ବସନ୍ତ’, ଯଦ୍ଦ୍ବାରା କେତେକ ଆଫ୍ରିକୀୟ ଆରବ ରାଜ୍ୟରେ ଏକଛତ୍ରବାଦୀ ଶାସନର ବିଲୟ ଘଟି ଗଣତନ୍ତ୍ର ପ୍ରତିଷ୍ଠାର ସମ୍ଭାବନା ସୃଷ୍ଟି ହୋଇଥିଲା ସତ, କିନ୍ତୁ ଅନେକତ୍ର ସେଭଳି ନ ହୋଇ ନୈରାଜ୍ୟ ସୃଷ୍ଟି ହୋଇଛି, ରୁଷିଆ-ୟୁକ୍ରେନ ଯୁଦ୍ଧ ଗଲା ତିନି ବର୍ଷ ଧରି ଅବ୍ୟାହତ ଅଛି, ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଓ ଅବର୍ଣ୍ଣନୀୟ ଧ୍ବଂସର ତାଣ୍ଡବ, ଇରାନ ବନାମ ଇସ୍ରାଏଲ-ଆମେରିକା ଯୁଦ୍ଧ, ଯାହା ତୃତୀୟ ମହାଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ସେହିଭଳି ନୈରାଜ୍ୟର ବାତାବରଣରେ ଦୃଶ୍ୟମାନ ହୋଇଛି ସିରିଆରେ ପ୍ରଲମ୍ବିତ ଗୃହଯୁଦ୍ଧ, ହୁଥି ଭଳି ଆତଙ୍କବାଦୀ ସଂଗଠନର ବପୁ ବୃଦ୍ଧି ଏବଂ ଅନେକ ସ୍ଥାନରେ ‘ପ୍ରକ୍ସି’ ଯୁଦ୍ଧର ଘନଘଟା। ଆଫ୍ରିକା ଭୂଖଣ୍ଡର ଉପ ସାହାରୀୟ ଅଞ୍ଚଳଗୁଡ଼ିକ ବୁଭୁକ୍ଷା, ଆତଙ୍କବାଦ, ସାମରିକ ଏକଛତ୍ରବାଦ, ଗୃହଯୁଦ୍ଧ ଓ ସଂଘାତ ଦ୍ବାରା ବିକ୍ଷୁବ୍ଧ। ତେବେ, ପ୍ରଶ୍ନ ହେଲା ଫୁକୁୟାମା ମହାଶୟ ଇତିହାସର ଗତିପଥକୁ ଠିକଣା ଭାବେ କଳି ପାରିଲେ ନାହିଁ କାହିଁକି? ଉତ୍ତର ଖୋଜାଯାଉ।
ଆଜିକୁ ଏକ ଶହ ବର୍ଷ ପୂର୍ବେ ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ଶିଳ୍ପ ବିପ୍ଳବର ଉନ୍ମେଷ ଓ ତଜ୍ଜନିତ ନିଯୁକ୍ତି ଓ ସଂପଦ ସୃଷ୍ଟିର ବିପୁଳ ସୁଯୋଗ ଦୃଷ୍ଟିରୁ ସେ ସମୟରେ ଅନେକଙ୍କ ମନରେ ଧାରଣା ସୃଷ୍ଟି ହୋଇଥିବ ଯେ ପୃଥିବୀ ଏକ ସମ୍ଭାବନାମୟ ସୁବର୍ଣ୍ଣ କାଳ ଆଡ଼କୁ ଅଗ୍ରସର ହେଉଛି। କିନ୍ତୁ ବିଂଶ ଶତାବ୍ଦୀର ପ୍ରଥମ ଚଉଠ ମଧ୍ୟରେ ସଂଘଟିତ ହୋଇ ସାରିଥିଲା ପ୍ରଥମ ମହାଯୁଦ୍ଧ(୧୯୧୪ରୁ ୧୯୧୮), ଯହିଁରେ ପ୍ରାୟ ୪ କୋଟି ଲୋକ ପ୍ରାଣ ହରାଇଥିଲେ ଏବଂ ୟୁରୋପର ୮ଟି ବଡ଼ ଦେଶ ତହିଁରେ ସଂପୃକ୍ତ ଥିଲେ। ୧୯୨୨ ମସିହାରେ ବିପୁଳ ଜନ ସମର୍ଥନ ସହିତ ଇଟାଲିରେ ଆବିର୍ଭୂତ ହୋଇଥିଲେ ଫାସିଷ୍ଟ ଶାସକ ବେନିଟୋ ମୁସୋଲିନି, ୧୯୨୪ ମସିହାରେ ରୁଷିଆର ଅତ୍ୟାଚାରୀ ଏକଛତ୍ରବାଦୀ ଶାସକ ଜୋସେଫ ଷ୍ଟାଲିନ ଏବଂ ୧୯୩୩ ମସିହାରେ ଜର୍ମାନିର ‘ଫୁଏରର’ ରୂପେ ଇହୁଦୀ ଗଣହତ୍ୟାର ସଂଚାଳକ ଆଡଲ୍ଫ ହିଟଲର; ଅର୍ଥାତ୍ ଉଗ୍ର ଜାତୀୟତାବାଦୀ ଶକ୍ତି ଶିରୋତ୍ତୋଳନ କରିଥିଲେ, ଯେଉଁ କାରଣରୁ ପ୍ରଥମ ମହାଯୁଦ୍ଧର ମାତ୍ର ତିନି ଦଶନ୍ଧି ନ ପୂରୁଣୁ ଦ୍ବିତୀୟ ମହାଯୁଦ୍ଧ ଲାଗି ପୃଷ୍ଠଭୂମି ପ୍ରସ୍ତୁତ ହୋଇସାରିଥିଲା। ଦ୍ବିତୀୟ ମହାଯୁଦ୍ଧରେ ମୃତକଙ୍କ ସଂଖ୍ୟା ଥିଲା ପ୍ରାୟ ସାଢ଼େ ୮ କୋଟି। ପ୍ରକାଶ ଥାଉ କି ଦ୍ବିତୀୟ ମହାଯୁଦ୍ଧର ବିଭୀଷିକା ପରେ ପୃଥିବୀକୁ ସମର ସଂତ୍ରାସରୁ ମୁକ୍ତ କରିବା ସହିତ ଦେଶଗୁଡ଼ିକ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ଉଦ୍ୟମ ସ୍ବରୂପ ମିଳିତ ଜାତିସଂଘ(୧୯୪୫)ର ସୃଷ୍ଟି ହୋଇଥିଲା, ପଞ୍ଚମ ଦଶକ ସୁଦ୍ଧା ଅଧିକାଂଶ ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ୟୁରୋପୀୟ ଔପନିବେଶିକ ଶାସନ କବଳରୁ ସ୍ବାଧୀନ ହୋଇ ଯାଇଥିଲେ ଏବଂ ଜାତୀୟତାବାଦୀ ଶକ୍ତିଙ୍କ ବଦଳରେ ଉଦାରବାଦୀମାନେ କ୍ଷମତା ଦଖଲ କରିବାକୁ ଲାଗିଥିଲେ। ସୁତରାଂ, ମନେ ହୋଇଥିଲା ଯେ ମାନବ ଜାତି ଦୋଷ ମାର୍ଜନା କରିବାକୁ ଚେଷ୍ଟିତ। କିନ୍ତୁ, ଆଠ ଦଶନ୍ଧି ନ ପୂରୁଣୁ, ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ବେଳକୁ ମିଳିତ ଜାତିସଂଘ ଏକ ନିଷ୍ପ୍ରଭାବୀ ଅନୁଷ୍ଠାନରେ ପରିଣତ ହୋଇସାରିଛି, ଯାହାକୁ ଭ୍ରୂକ୍ଷେପ ନ କରି ଅତିକ୍ରମଣ, ଆକ୍ରମଣ ଓ ଯୁଦ୍ଧମାନ ହେଉଛି; ଏସିଆ ଓ ଆଫ୍ରିକାର ଦୁର୍ବଳ ଦେଶଗୁଡ଼ିକ କେତେକ ଋଣ ପ୍ରଦାନକାରୀ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକର ନୂତନ ଉପନିବେଶରେ ପରିଣତ ହୋଇଛନ୍ତି ଏବଂ ପୂର୍ବରୁ କୁହାଯାଇଥିବା ଭଳି ଉଗ୍ର ଜାତୀୟତାବାଦୀ ଶାସକମାନଙ୍କ ପୁନଶ୍ଚ ଆବିର୍ଭାବ ଘଟିଛି। କହିବାର ତାତ୍ପର୍ଯ୍ୟ ହେଲା ଦୋଷ କରିବା, ତା’ ପରେ ପଶ୍ଚାତ୍ତାପରେ ଦଗ୍ଧ ହେବା ଏବଂ ତା’ ପରେ ସବୁ କିଛି ବିସ୍ମୃତ ହୋଇ ପୁଣି ଦୋଷ କରିବାରେ ପ୍ରବୃତ୍ତ ହେବାର ମାନବୀୟ ପ୍ରକୃତି ଇତିହାସର ଗତିକୁ ଚକ୍ରାକାର କରିଥାଏ! ଫୁକୁୟାମାଙ୍କ ଦୃଷ୍ଟିରେ ଇତିହାସର ଗତି ସମ୍ଭବତଃ ଥିଲା ସରଳରୈଖିକ!
ଏହି ଆଲୋଚନା କଲା ବେଳେ ଠିକ୍ ଶହେ ବର୍ଷ ଅନ୍ତରାଳରେ ଅର୍ଥାତ୍ ୧୯୨୦ ଓ ୨୦୨୧ ମସିହାରେ ଘଟିଥିବା ଦୁଇଟି ‘ପାନଡେମିକ’କୁ କୌଣସି ରୂପେ ନଜରଅନ୍ଦାଜ କରାଯାଇ ନ ପାରେ! ୧୯୨୦ ମସିହାର ‘ସ୍ପେନିସ ଫ୍ଲୁ’ ଓ ୨୦୨୧ ମସିହାର ‘କୋଭିଡ-୧୯’ ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଥିଲା ଯଥାକ୍ରମେ ପ୍ରାୟ ୭ କୋଟି ଏବଂ ୭୦ ଲକ୍ଷ। ଏହି ଦୁଇଟି ଯାକ ମହାମାରୀ ସମୟରେ ଧାରଣା ସୃଷ୍ଟି ହୋଇଥିବ ଯେ କ୍ଷୁଦାତିକ୍ଷୁଦ୍ର ଭୂତାଣୁ ସମକ୍ଷରେ ମନୁଷ୍ୟର ଅସହାୟତା ଅନ୍ତତଃ ପକ୍ଷେ ତା’ର ଅହଂକାରକୁ କ୍ଷୁଣ୍ଣ କରିବ। କିନ୍ତୁ, ‘କୋଭିଡ ପାନେଡମିକ’ର ହାହାକାରମୟ କାଳ ଖଣ୍ଡ ମଧ୍ୟରେ ଚୀନ ପକ୍ଷରୁ ଭାରତର ସୀମା ଅତିକ୍ରମଣ କରାଯିବାର ଉଦ୍ୟମ ହେଲା, ଯାହା ଏକ ଯୁଦ୍ଧର ଆଶଙ୍କାକୁ ଜନ୍ମ ଦେଲା। ‘ପାନଡେମିକ’ର ଅବସାନ ଘଟିବାର ବର୍ଷକ ମଧ୍ୟରେ ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ରଚନା କରାଗଲା। କହିବାର ଅର୍ଥ ହେଲା ପ୍ରକୃତିର ଦାରୁଣ ବେତ୍ରାଘାତ ମଧ୍ୟ ମନୁଷ୍ୟର ଅହମିକା ନାଶ କରି ଚୈତନ୍ୟ ଉଦୟ କରି ପାରି ନ ଥାଏ। ସେହି ଦୃଷ୍ଟିରୁ ଆଲଡସ ହକ୍ସଲେ ସତ କହି ନ ଥିଲେ କି, ଇତିହାସର ବଡ଼ ଶିକ୍ଷାଟି ହେଲା ମନୁଷ୍ୟ ଇତିହାସରୁ ଆଦୌ କିଛି ଶିକ୍ଷା ଲାଭ କରି ନ ଥାଏ। ସୁତରାଂ, ଇତିହାସର ପୁନରାବୃତ୍ତି ଘଟି ଚାଲିଥାଏ। ପ୍ରେଫସର ଫୁକୁୟାମାଙ୍କ ପ୍ରମାଦ ସେଇଠି! ପ୍ରକୃତରେ ଇତିହାସର କୌଣସି ସମାପ୍ତି ବା ଅନ୍ତ ନାହିଁ! ଏବଂ ଯୁଦ୍ଧ, ସଂତ୍ରାସ ଓ ଶୋଷଣ ଭଳି ମାନବ କୃତ ଅପକର୍ମରୁ ଜାତ ଦୁର୍ବିପାକ ମଧ୍ୟ ଅସରନ୍ତି!