କହିବା ବାହୁଲ୍ୟ ଯେ ବର୍ତ୍ତମାନର ପରିସ୍ଥିତିରେ ଡଲାରର ପ୍ରବାହ ବନ୍ଦ କରି ଦେଇ ଯେ କୌଣସି ରାଷ୍ଟ୍ରକୁ ପଙ୍ଗୁ କରି ଦିଆଯାଇପାରେ! କିନ୍ତୁ, କଥା ହେଲା, ପୃଥିବୀର ସମସ୍ତ ରାଷ୍ଟ୍ର ଯେ ଏହି କାରଣରୁ ସର୍ବଦା ଆମେରିକା ସମ୍ମୁଖରେ ନତ ମସ୍ତକ ହୋଇ ରହିବେ, ସେ ସମ୍ଭାବନା ମଧ୍ୟ କାଳକ୍ରମେ କ୍ଷୀଣ ହେବାରେ ଲାଗିଲାଣି; ଯହିଁରେ ବିକଳ୍ପ ସନ୍ଧାନର ଉଦ୍ୟମ ଏକ ସ୍ବାଭାବିକତା ମାତ୍ର।
ଗଲା ୭ ତାରିଖେର ବ୍ରାଜିଲର ରିଓ ଡି ଜେନିରୋ ସହରରେ ଅନୁଷ୍ଠିତ ହୋଇ ଯାଇଥିବା ‘ବ୍ରିକ୍ସ’ ଶିଖର ସମ୍ମିଳନୀକୁ ଘେନି ଯେଉଁ ଭଳି ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏହାର ୧୬ ବର୍ଷର ଇତିହାସରେ କଦାଚିତ ହୋଇ ନ ଥିଲା, ଯାହାର କାରଣ ଏହି ସମ୍ମିଳନୀ ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ପ୍ରକାଶ୍ୟ ଧମକ। ପ୍ରକାଶ ଥାଉ କି ‘ବ୍ରିକ୍ସ’ ସଂଦର୍ଭରେ ତାଙ୍କର ଉଦ୍ବେଗ ବିଜଡ଼ିତ ଧାରଣାଟି ହେଲା ଏହାର ଏକ ପ୍ରମୁଖ ଲକ୍ଷ୍ୟ କୁଆଡ଼େ ଆମେରିକୀୟ ଡଲାରର (ପ୍ରାୟ)ଏକକ ଆଧିପତ୍ୟକୁ କ୍ଷୁଣ୍ଣ କରିବା। ଟେଲିଭିଜନ ଓ ସାମାଜିକ ଗଣମାଧ୍ୟମରେ ତାଙ୍କ ଆଟୋପଭରା ବକ୍ତବ୍ୟ କହିଥାଏ ଯେ ଏଭଳି ଉଦ୍ୟମରୁ ଯଦି ଦୈବାତ୍ ‘ଡଲାର ରାଜା’ଙ୍କ ପରାଭବ ଘଟେ, ତେବେ ତାହା ହେବ ବିଶ୍ବଯୁଦ୍ଧରେ ପରାସ୍ତ ହେବା ତୁଲ୍ୟ ଅପମାନ ଓ ଅତ୍ୟନ୍ତ ଅସହନୀୟ। ଏହି ପରିପ୍ରେକ୍ଷୀରେ ଭାରତ ଭଳି ଏକ ପାରଂପରିକ ସହଯୋଗୀ ରାଷ୍ଟ୍ରକୁ ମଧ୍ୟ ସେ ସନ୍ଦେହଭରା ଦୃଷ୍ଟିରେ ଦେଖି ଚେତାବନୀ ସ୍ବରୂପ ଇଙ୍ଗିତ ଦେଇଛନ୍ତି ଯେ ‘ବ୍ରିକ୍ସ’ର ସଦସ୍ୟ ରାଷ୍ଟ୍ର ହୋଇଥିବାରୁ ଭାରତ ଉପରେ ଆହୁରି ଅଧିକ ୧୦% ଆମଦାନି ଟିକସ ଲାଗୁ କରାଯିବ। ଟ୍ରଂପଙ୍କ ନୂତନ ‘ଟାରିଫ’ ବ୍ୟବସ୍ଥାରେ ପୃଥିବୀର ବେପାର-ବଣିଜ ଓ ଅର୍ଥ ବ୍ୟବସ୍ଥା କିଭଳି ରୂପ ନେବାକୁ ଯାଉଛି, ତାହା ତ ସମୟ କ୍ରମେ ଉଦ୍ଘାଟିତ ହୋଇ ଚାଲିବ, ଏଠାରେ ଯାହା ଆଲୋଚନାର ବିଷୟବସ୍ତୁ ତାହା ହେଲା ଟ୍ରଂପଙ୍କ ଦୁର୍ବୋଧ୍ୟ ଓ ନିର୍ବୋଧ ଆଚରଣ କିଭଳି ଏକ ନୂତନ ବିଶ୍ବ ବ୍ୟବସ୍ଥା ଲାଗି ପଥ ଉନ୍ମୋଚନ କଲାଣି।
ଏ ସଂଦର୍ଭରେ ଏକ ପ୍ରଶ୍ନ ଉଠିଥାଏ ଯେ ଜି-୭, ଜି-୨୦, କ୍ବାଡ୍, କମନୱେଲ୍ଥ, ନାଟୋ ଇତ୍ୟାଦି ଭଳି ଅନେକ ଅନ୍ତଃରାଷ୍ଟ୍ରୀୟ ଗୋଷ୍ଠୀ ବା ସଂଗଠନମାନ ଥିଲେ ହେଁ ‘ବ୍ରିକ୍ସ’ ନେଇ ତାଙ୍କ ଦ୍ବିତୀୟ ପାଳିର ରାଷ୍ଟ୍ରପତିତ୍ବରେ ଟ୍ରଂପ୍ ଏଭଳି ଉଦ୍ବିଗ୍ନ କାହିଁକି? ପ୍ରକାଶ ଥାଉ କି ୨୦୦୯ ମସିହାରେ ଏହାର ଗଠନ କାଳରୁ ଏହି ସଂଗଠନ ଆମେରିକୀୟ ରାଷ୍ଟ୍ରପତି ରୂପେ ବାରାକ ଓବାମାଙ୍କ ଦୁଇଟି ପାଳି, ଡୋନାଲ୍ଡ ଟ୍ରଂପଙ୍କ ଗୋଟିଏ ପାଳି ଏବଂ ଜୋ ବାଇଡେନଙ୍କ ଗୋଟିଏ ପାଳି ଦେଖି ସାରିଛି ଓ ତାକୁ ନେଇ ଏଭଳି ବିବ୍ରତବୋଧ ଲକ୍ଷ୍ୟ କରିନାହିଁ! ଅବଶ୍ୟ, ଏଥିରେ ମଧ୍ୟ ସନ୍ଦେହ ନାହିଁ ଯେ ‘ବ୍ରିକ୍ସ’ର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ବାଣିଜ୍ୟ କାରବାରରେ ଆଉ ଏକ ମୁଦ୍ରାକୁ ଛିଡ଼ା କରାଇବା, କିନ୍ତୁ ‘ନିର୍ବିକଳ୍ପ ଡଲାର’ର ଅଧିକାରୀ ଆମେରିକା ଠାରେ ତ ଏଥି ନେଇ ପୂର୍ବରୁ ବିଶେଷ ବିଚଳିତବୋଧ ସୃଷ୍ଟି ହୋଇ ନ ଥିଲା! ବିଶେଷଜ୍ଞମାନଙ୍କ ମତରେ ଏକ କାରଣ ହୁଏତ ‘ବ୍ରିକ୍ସ’ର କାୟା ଓ ଶକ୍ତିରେ କ୍ରମାଗତ ଘଟୁଥିବା ବୃଦ୍ଧି; ମାତ୍ର ଚାରିଟି ରାଷ୍ଟ୍ର(ବ୍ରାଜିଲ, ରୁଷିଆ, ଭାରତ ଓ ଚୀନ)କୁ ନେଇ ସୃଷ୍ଟ ଏହି ସଂଗଠନରେ ସଂପ୍ରତି ୧୦ଟି ସଦସ୍ୟ ରାଷ୍ଟ୍ର ଅନ୍ତର୍ଭୁକ୍ତ, ଯେଉଁଠି ପୃଥିବୀର ଜନସଂଖ୍ୟାର ୪୮% ବସବାସ କରନ୍ତି, ଯହିଁରେ ଚୀନ ଓ ଭାରତ ଭଳି ଯଥାକ୍ରମେ ପୃଥିବୀର ଦ୍ବିତୀୟ ଓ ଚତୁର୍ଥ ଅର୍ଥ ମହାଶକ୍ତି ପ୍ରତିଷ୍ଠାତା ସଦସ୍ୟ ଏବଂ ପୃଥିବୀର ‘ଜିଡିପି’ରେ ‘ବ୍ରିକ୍ସ’ର ଅଂଶ ହେଉଛି ୩୧ ପ୍ରତିଶତ। କେବଳ ସେତିକି ନୁହେଁ, ‘ବ୍ରିକ୍ସ’ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହେଉଥିବା ବାଣିଜ୍ୟର ଆକାର ମଧ୍ୟ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି, ଯେମିତି କି ‘ବ୍ରିକ୍ସ’ ରାଷ୍ଟ୍ରଗୁଡ଼ିକ ସହିତ ଭାରତର କାରବାର ମୋଟ କାରବାରର ୩୫%ରେ ପହଞ୍ଚିଲାଣି। ତେଣୁ ଟ୍ରଂପ ଚିନ୍ତିତ ଯେ ହୁଏତ ‘ବ୍ରିକ୍ସ’ ରୂପରେ ସପ୍ତମ ଦଶକର ସୋଭିଏତ ସଂଘ ଭଳି ଏକ ଶକ୍ତିଶାଳୀ ରାଷ୍ଟ୍ର ମେଣ୍ଟ ଆମେରିକାକୁ ଆହ୍ବାନ ଦେବାକୁ ଉଦ୍ୟତ ଅଥବା ‘ବ୍ରିକ୍ସ’ ମୁଦ୍ରାର ଆବିର୍ଭାବ ଘଟି ତାହା ଡଲାରକୁ ଅନୁଜ୍ଜ୍ବଳ କରି ପକାଇବ! ଅନେକ ପାଠକପାଠିକା ୟୁରୋପୀୟ ମୁଦ୍ରା ‘ୟୁରୋ’ର ଦୃଷ୍ଟାନ୍ତ ଦେଇ ପଚାରି ପାରନ୍ତି ଯେ ତାହା ତ କାହିଁ ଆମେରିକା ଠାରୁ ଏଭଳି ପ୍ରତିକ୍ରିୟା ସୃଷ୍ଟି କରି ନ ଥିଲା? ବା ୟୁରୋ ନେଇ ତ ଟ୍ରଂପ ସଂପୂର୍ଣ୍ଣ ନିରୁଦ୍ବିଗ୍ନ? ଏହାର ଉତ୍ତର ହେଲା ୟୁରୋ ବ୍ୟବହାରକାରୀ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପ୍ରଶ୍ନାତୀତ ଭାବେ ଆମେରିକାର ଅନୁରକ୍ତ, ଯେଉଁ ଆଭିମୁଖ୍ୟ ‘ବ୍ରିକ୍ସ’ ରାଷ୍ଟ୍ରଗୁଡ଼ିକ ପୋଷଣ କରି ନ ଥାଆନ୍ତି। ତେଣୁ ଟ୍ରଂପଙ୍କ ଠାରେ ‘ବ୍ରିକ୍ସ’କୁ ନେଇ ବିରକ୍ତି ସୃଷ୍ଟି ହେବାରେ ବିସ୍ମୟର କାରଣ ନ ଥାଏ।
ଅବଶ୍ୟ, ଟ୍ରଂପଙ୍କ ଦ୍ବାରା ପ୍ରଦତ୍ତ ଧମକର ଦୃପ୍ତ ଜବାବ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି ସିଲଭାଙ୍କ ଠାରୁ ଶୁଣିବାକୁ ମିଳିଛି, ଯହିଁରେ ସେ ପ୍ରଶ୍ନ କରିଛନ୍ତି ଯେ ଆର୍ଜେଣ୍ଟିନା ସହିତ ବ୍ରାଜିଲାର ବ୍ୟବସାୟ ଡଲାର ମାଧ୍ୟମରେ ହେବା ଅନିବାର୍ଯ୍ୟ କାହିଁକି? ଅର୍ଥାତ୍ ଦୁଇଟି ସାର୍ବଭୌମ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ସକାଶେ ଏକ ତୃତୀୟ ରାଷ୍ଟ୍ରର ମୁଦ୍ରା ଲୋଡ଼ାଯିବ କାହିଁକି? ସେ ଅାହୁରି କହିଛନ୍ତି ଯେ ଦ୍ବିତୀୟ ମହାଯୁଦ୍ଧ ପରବର୍ତ୍ତୀ ପରିସ୍ଥିତିର ବାଧ୍ୟବାଧକତା ହେତୁ ଅଗତ୍ୟା ଡଲାର ଅନ୍ତର୍ଦେଶୀୟ ବିନିମୟର ମାଧ୍ୟମ ରୂପେ ସ୍ବୀକୃତ ହୋଇଗଲା ସତ, ଏହା ଯେ ବିକଳ୍ପ ଶୂନ୍ୟ ହେବ, ସେଭଳି କୌଣସି ସିଦ୍ଧାନ୍ତ ନାହିଁ। ପ୍ରକାଶ ଥାଉ କି ଦ୍ବିତୀୟ ମହାଯୁଦ୍ଧ ହେତୁ ବିଧ୍ବସ୍ତ ୟୁେରାପୀୟ ଦେଶଗୁଡ଼ିକର ପୁନର୍ନିର୍ମାଣ ଏବଂ ବାଣିଜ୍ୟ-ବ୍ୟବସାୟ ସକାଶେ ଆମେରିକୀୟ ଡଲାର ସେମାନଙ୍କ ଦ୍ବାରା ଗ୍ରହଣୀୟ ହେବା ବ୍ୟତୀତ କୌଣସି ଗତ୍ୟନ୍ତର ନ ଥିଲା; କାରଣ ଯୁଦ୍ଧରେ ଆମେରିକାର କ୍ଷୟକ୍ଷତିର ପରିମାଣ ଥିଲା ଅତି ସୀମିତ ଏବଂ ତାହାର ଅର୍ଥନୀତି ଥିଲା ଖୁବ୍ ସୁଦୃଢ଼; ଏଣେ କିନ୍ତୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସଂପୂର୍ଣ୍ଣ ରିକ୍ତ ହୋଇଯାଇଥିଲେ। ସୁତରାଂ, ୧୯୪୪ ମସିହାରେ, ୪୪ଟି ରାଷ୍ଟ୍ରଙ୍କ ସମ୍ମିଳନୀରେ ଗୃହୀତ ହୋଇଥିବା ଏକ ନିଷ୍ପତ୍ତି ଏ ଯାବତ୍ ବଳବତ୍ତର ଅଛି ଓ ବିଭିନ୍ନ ଘଟଣାକ୍ରମ ଦେଇ ପୃଥିବୀର ସମସ୍ତ ରାଷ୍ଟ୍ର କାଳକ୍ରମେ ଡଲାରର ଆଧିପତ୍ୟାଧୀନ ହୋଇଛନ୍ତି। କିନ୍ତୁ, ଏହା ମଧ୍ୟ ସତ ଯେ ଏକ ଶିଷ୍ଟ ମୁଦ୍ରା ଭଳି ଆଚରଣ ପ୍ରଦର୍ଶନ କରୁଥିଲେ ଡଲାରକୁ ଘେନି ବିଶେଷ କୌଣସି ଆପତ୍ତି ନ ଥାଆନ୍ତା, କିନ୍ତୁ ଆମେରିକା ତାହାକୁ ଏକ ଅସ୍ତ୍ରରେ ପରିଣତ କରିଛି ଓ ଏହା ବଳରେ ଅନ୍ୟ ଦେଶଗୁଡ଼ିକୁ ଚାପ ଓ ‘ବ୍ଲାକମେଲିଂ’ର ଶିକାର କରିଛି, ଯେମିତି ଅର୍ଥନୈତିକ ବାସନ୍ଦ ଜରିଆରେ ରୁଷିଆ ଅର୍ଥନୀତିକୁ ଭୂଲୁଣ୍ଠିତ କରି ଦିଆଯାଇଛି। କହିବା ବାହୁଲ୍ୟ ଯେ ବର୍ତ୍ତମାନର ପରିସ୍ଥିତିରେ ଡଲାରର ପ୍ରବାହ ବନ୍ଦ କରି ଦେଇ ଯେ କୌଣସି ରାଷ୍ଟ୍ରକୁ ପଙ୍ଗୁ କରି ଦିଆଯାଇପାରେ! କିନ୍ତୁ, କଥା ହେଲା, ପୃଥିବୀର ସମସ୍ତ ରାଷ୍ଟ୍ର ଯେ ଏହି କାରଣରୁ ସର୍ବଦା ଆମେରିକା ସମ୍ମୁଖରେ ନତ ମସ୍ତକ ହୋଇ ରହିବେ, ସେ ସମ୍ଭାବନା ମଧ୍ୟ କାଳକ୍ରମେ କ୍ଷୀଣ ହେବାରେ ଲାଗିଲାଣି; ଯହିଁରେ ବିକଳ୍ପ ସନ୍ଧାନର ଉଦ୍ୟମ ଏକ ସ୍ବାଭାବିକତା ମାତ୍ର।
କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ‘ବ୍ରିକ୍ସ’ ସଂଦର୍ଭରେ ଏକ ଅପ୍ରିୟ ବାସ୍ତବତା ହେଲା ଏହି ସଂଗଠନରେ ମିଳିତ ହୋଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଦର୍ଶଗତ ଐକ୍ୟ ନ ଥାଏ। କେବଳ ସେତିକି ନୁହେଁ, ଏଥିରେ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ କେତେକ ଆମେରିକା ଉପରେ ନିର୍ଭରଶୀଳ ମଧ୍ୟ, ଯାହା ସେମାନଙ୍କୁ ସହସା ଦ୍ରୋହୀରେ ପରିଣତ କରିବ ନାହିଁ। ଏହି ସଂଗଠନର ଆଉ ଏକ ଅସଂଗତି ହେଲା ଏଥିରେ ଭାରତ ଓ ଚୀନ ଭଳି ପରସ୍ପର ପ୍ରତି ବୈରୀ ଭାବ ପୋଷଣ କରୁଥିବା ରାଷ୍ଟ୍ର ଏକତ୍ର ହୋଇଛନ୍ତି ଏବଂ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥିବା ମତାନୈକ୍ୟ ଓ ବିରୋଧାଭାସ ହେତୁ ଆମେରିକାକୁ କ୍ଷୁବ୍ଧ କଲା ଭଳି ଏକ ସର୍ବସମ୍ମତ ବିକଳ୍ପ ‘ବ୍ରିକ୍ସ’ ମୁଦ୍ରାର ଆବିର୍ଭାବ ଘଟିବା ମଧ୍ୟ ସୁଦୂରପରାହତ ଭଳି ଲାଗିଥାଏ। କିନ୍ତୁ ବିଡ଼ମ୍ବନା ହେଲା, ଉଚ୍ଛନ୍ନ ଟ୍ରଂପ୍ ଏତକ ଅନୁମାନ କରିପାରିବା ଭଳି ଦୂରଦୃଷ୍ଟି ମଧ୍ୟ ରଖି ନ ଥାନ୍ତି!
କହିବା ଅନାବଶ୍ୟକ ଯେ ଦୂରଦୃଷ୍ଟିହୀନ ଟ୍ରଂପଙ୍କ ବିଭିନ୍ନ ଅପରିଣାମଦର୍ଶୀ ଆଚରଣ ହେତୁ ଶତ୍ରୁ-ମିତ୍ର ନିର୍ବିଶେଷରେ ଅଧିକାଂଶ ରାଷ୍ଟ୍ର ନିଜକୁ ଏକ କୋଣଠେସା ଅବସ୍ଥାରେ ପାଆନ୍ତି। କିନ୍ତୁ ଏଭଳି ସ୍ଥିତି ଶ୍ବାସରୁଦ୍ଧକର ହେଲେ ଏହି ରାଷ୍ଟ୍ରଗୁଡ଼ିକ ଯେ ‘କୋଣ’ ପରିତ୍ୟାଗ କରି ବିକଳ୍ପର ସନ୍ଧାନରେ ବାହାରି ଆସିବାକୁ ବାଧ୍ୟ ହେବେ, ଏହା ନିଃସନ୍ଦେହ। ନୋବେଲ ପୁରସ୍କାର ବିଜେତା କ୍ୟାରିବୀୟ କବି ଡେରେକ ୱାଲକଟ ଲେଖିଥିବା ଭଳି ବିକଳ୍ପର ଅନ୍ବେଷଣରେ ଏଭଳି ବିଚରଣ ହିଁ ପୃଥିବୀକୁ ପ୍ରଶସ୍ତ କରିଛି। ତେଣୁ ଏକ ଅଧିକ ପ୍ରଶସ୍ତ ପୃଥିବୀରେ ‘ବ୍ରିକ୍ସ’ ମୁଦ୍ରା ପରିବର୍ତ୍ତେ ଅନ୍ୟ କେଉଁ ସୂତ୍ରରୁ ଆଉ ଏକ ବିକଳ୍ପ ମୁଦ୍ରାର ଆବିର୍ଭାବ ମଧ୍ୟ ଘଟିପାରେ। ବିକଳ୍ପ ଅନ୍ବେଷଣର ବାଧ୍ୟବାଧକତାରେ ଅପୂର୍ବ ଆବିଷ୍କାରମାନ ସମ୍ଭବ ହୋଇ ନ ଥାଏ କି? େସହି ଦୃଷ୍ଟିରୁ ପୃଥିବୀକୁ ଏକ ଦୋଦୁଲ୍ୟମାନ ସ୍ଥିତିକୁ ଠେଲି ଦେଇଥିବା ଟ୍ରଂପ ପ୍ରାୟତଃ ସମାଲୋଚନାର ଶରବ୍ୟ ହେଉଥିବା ବେଳେ ‘ଏଚ୍ଡବ୍ଲ୍ୟୁ ନ୍ୟୁଜ’ର ସଂପାଦକ ସୁଜିତ ନାୟାର ଏକ ଆଲୋଚନା କାଳରେ କହିଛନ୍ତି ‘ଧନ୍ୟବାଦ ଟ୍ରଂପ।’