ଭାରତର ମୋଟ ଶ୍ରମ ଶକ୍ତିର ମାତ୍ର ୫ ଶତାଂଶ କୌଣସି ପ୍ରକାର ବିଧିବଦ୍ଧ ଦକ୍ଷତା ସୃଷ୍ଟି ତାଲିମ ପାଇଥିବାବେଳେ ଜାପାନ୍‌ରେ ଏହି ଅନୁପାତ ହେଉଛି ୮୦ ଶତାଂଶ ଓ ଦକ୍ଷିଣ କୋରିଆରେ ତାହା ହେଉଛି ୯୬ ଶତାଂଶ। ଯଦି ଏହି ଚିତ୍ରରେ ଉନ୍ନତି ନ ଘଟେ, ତେବେ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳରେ ଚୀନ୍‌ର ସ୍ଥାନ ଦଖଲ କରିବା ପାଇଁ ଭାରତ ଯେଉଁ ଆଶା ପୋଷଣ କରିଛି, ତାହା ଫଳବତୀ ହେବା ସହଜ ହେବ ନାହିଁ।

Advertisment

ଚୀନ୍ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧ ସମେତ ଅନ୍ୟାନ୍ୟ କାରଣରୁ ‘ଆଇଫୋନ୍’ ନିର୍ମାତା ‘ଆପ୍‌ଲ’ କଂପାନି ଏହି ପ୍ରସିଦ୍ଧ ମୋବାଇଲ୍ ଫୋନ୍‌ର ଉତ୍ପାଦନକୁ କ୍ରମେ ଚୀନ୍‌ରୁ ହଟାଇ ଆଣିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛି, ଭାରତ ସେଥିରେ ଏକ ପ୍ରମୁଖ ବିକଳ୍ପରେ ପରିଣତ ହୋଇଛି। ଏହି ଉଦ୍ୟମର ଅଂଶସ୍ବରୂପ ବର୍ତ୍ତମାନ ‘ଆଇଫୋନ୍’ର ମୋଟ ଉତ୍ପାଦନର ପ୍ରାୟ ଏକ-ପଞ୍ଚମାଂଶ ଭାରତସ୍ଥିତ କାରଖାନାମାନଙ୍କରେ ଅନୁଷ୍ଠିତ ହେବାକୁ ଆରମ୍ଭ କଲାଣି। ‘ଆଇଫୋନ୍’ର ମୁଖ୍ୟ ଠିକା ଉତ୍ପାଦନକାରୀ ତାଇୱାନର ଫକ୍‌ସକନ୍ କଂପାନି ଡିସେମ୍ବର ସୁଦ୍ଧା ଏକ ଲକ୍ଷ ‘ଆଇଫୋନ୍’ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖି ବେଙ୍ଗାଲୁରୁ ନିକଟସ୍ଥ ଦେବନାହାଲ୍ଲି ଠାରେ ଏକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାରେ ନିକଟରେ ୨.୫୬ ବିଲିଅନ୍ ଡଲାର୍ ପୁଞ୍ଜି ନିବେଶ କରିଛି। ମାର୍ଚ୍ଚରୁ ମଇ ମାସ ମଧ୍ୟରେ ଫକ୍‌ସକନ୍ ଭାରତରୁ ମୋଟ ୩.୨ ବିଲିଅନ୍ ଡଲାର୍ ମୂଲ୍ୟର ଆଇଫୋନ୍ ବିଦେଶକୁ ରପ୍ତାନି କରିଥିଲା, ଯାହାର ୯୭ ଶତାଂଶ ଯାଇଥିଲା ଆମେରିକାକୁ। ଫକ୍‌ସକନ୍‌ର କାରଖାନାମାନଙ୍କରେ ପ୍ରାୟ ୮୦,୦୦୦ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଯୁକ୍ତି ପାଇଲେଣି।
ଏକ ସମୟରେ ଆଇଫୋନ୍‌ର ମୁଖ୍ୟ ଉତ୍ପାଦନ ସ୍ଥଳୀରେ ପରିଣତ ହୋଇଥିବା ଚୀନ୍ ସ୍ବାଭାବିକ ଭାବରେ ଆପ୍‌ଲ ଓ ଫକ୍‌ସକନ୍‌ର ଏହି ପଦକ୍ଷେପକୁ ସ୍ବାଗତ କରିବା ଆଶା କରାଯାଏନା ଏବଂ ଏଥିରେ ବାଧା ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବା ଆଶା କରାଯାଏ। ଏହି ଆଶା ବା ଆଶଙ୍କାକୁ ସତ୍ୟ ସାବ୍ୟସ୍ତ କରି ଚୀନ୍ ଏବେ ଫକ୍‌ସକନ୍ ଉପରେ ପକାଇଥିବା ଚାପର ଫଳସ୍ବରୂପ ଫକ୍‌ସକନ୍ ବର୍ତ୍ତମାନ ଗତ ଦୁଇ ମାସ ମଧ୍ୟରେ ଭାରତରେ ତା’ର ଆଇଫୋନ୍ ଉତ୍ପାଦନ କେନ୍ଦ୍ରମାନଙ୍କରେ ନିଯୁକ୍ତ ଥିବା କୁଶଳୀ ଚୀନା କର୍ମଚାରୀମାନଙ୍କ ମଧ୍ୟରୁ ୩୦୦ରୁ ଅଧିକଙ୍କୁ ପ୍ରତ୍ୟାହାର କରି ଚୀନ୍‌କୁ ପଠାଇ ଦେଇଛି ବୋଲି ସୂଚନା ପ୍ରକାଶ ପାଇଛି। ‘ଆପ୍‌ଲ’ ଯେତେବେଳେ ଭାରତରୁ ଆଇଫୋନ୍ ରପ୍ତାନିରେ ଦ୍ରୁତ ବୃଦ୍ଧି ଘଟାଇବା ପାଇଁ ଉଦ୍ୟମ କରୁଛି ଏବଂ ଆଇଫୋନ୍-୧୭ ଉତ୍ପାଦନ ଜୋରଦାର କରିବାକୁ ପ୍ରସ୍ତୁତ ହେଉଛି, ଚୀନ୍‌ର ଏହି ଚୋଟ ତା’ ପାଇଁ ନିଶ୍ଚିତ ରୂପେ ସମସ୍ୟା ସୃଷ୍ଟି କରିବ। ଏହି କୁଶଳୀ କର୍ମଚାରୀମାନଙ୍କର ଅପସାରଣ ଦ୍ବାରା ଅ‌ାସେଂବ୍ଲି ଲାଇନର ଦକ୍ଷତା ବାଧାପ୍ରାପ୍ତ ହେବା ସହିତ ଉତ୍ପାଦନର ଗୁଣାତ୍ମକ ମାନ ମଧ୍ୟ ପ୍ରଭାବିତ ହେବାର ସମସ୍ତ ସମ୍ଭାବନା ରହିଛି।
ଚୀନ୍‌ର ଏହି ପ୍ରତିଆକ୍ରମଣ ବର୍ତ୍ତମାନ ଏକ ତାତ୍‌କାଳିକ ସମସ୍ୟା ସୃଷ୍ଟି କରିଥିଲେ ହେଁ, ଏହାର ତାତ୍ପର୍ଯ୍ୟ ଏତିକିରେ ସୀମିତ ନୁହେଁ। ଏହା ଭାରତର ଯେଉଁ ଏକ ବିଶେଷ ଦୁର୍ବଳତାକୁ ପଦାରେ ପକାଇଥାଏ, ତାହା ହେଲା ଉଚ୍ଚ ଜ୍ଞାନକୌଶଳ ଓ ଦକ୍ଷତା ଆବଶ୍ୟକ କରୁଥିବା ଉତ୍ପାଦନ କେନ୍ଦ୍ରମାନଙ୍କରେ ନିଯୁକ୍ତି ପାଇଁ ଉପଯୁକ୍ତ ଯଥେଷ୍ଟ ଶ୍ରମ ଶକ୍ତି ସୃଷ୍ଟି କରିବାରେ ଆମର ବିଫଳତା। ଭାରତ ବର୍ତ୍ତମାନ ପୃଥିବୀର ସର୍ବାଧିକ ଜନବହୁଳ ଦେଶରେ ପରିଣତ ହୋଇଥିଲେ ହେଁ ଏଠାରେ ନିଯୁକ୍ତି ଉପଯୁକ୍ତ ଶ୍ରମ ଶକ୍ତିର ଘୋର ଅଭାବ ରହିଛି ବୋଲି ଭାରତର ଶିଳ୍ପୋଦ୍ୟୋଗୀମାନେ ସର୍ବଦା କ୍ଷୋଭ ପ୍ରକାଶ କରି ଆସିଛନ୍ତି। ଚୀନ୍ ବର୍ତ୍ତମାନ ଆମର ସେଇ ଦୁର୍ବଳତାର ସୁଯୋଗ ନେଇ ତା’ର ଇଞ୍ଜିନିଅରମାନଙ୍କୁ ଆମ ବିରୁଦ୍ଧରେ ଅସ୍ତ୍ର ରୂପେ ବ୍ୟବହାର କରିଛି।
ଯାହା ହେଉଛି ଆହୁରି ଅଧିକ ଚିନ୍ତାଜନକ, ତାହା ହେଲା, ଆମର ଇଞ୍ଜିନିଅରିଙ୍ଗ ଓ ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କର ନୀଚା ନିଯୁକ୍ତି ଯୋଗ୍ୟତା। ମର୍ଯ୍ୟାଦାଜନକ ମେଧା ମୂଲ୍ୟାୟନ ସଂସ୍ଥା ‘ମର୍ସର୍-ମେଟ୍‌ଲ’ ଦ୍ବାରା ପ୍ରସ୍ତୁତ ଭାରତର ‘ଗ୍ରାଜୁଏଟ୍ ସ୍କିଲ୍ ଇଣ୍ଡେକ୍‌ସ’ ଅନୁସାରେ ୨୦୨୩ରେ ଏଠାରେ ୪୪.୩ ଶତାଂଶ ଗ୍ରାଜୁଏଟ୍ ନିଯୁକ୍ତିଯୋଗ୍ୟ ହୋଇଥିବାବେଳେ ୨୦୨୪ରେ ତାହା ୪୨.୬ ଶତାଂଶକୁ ହ୍ରାସ ପାଇଥିଲା। ସଦ୍ୟତମ ‘ଇଣ୍ଡିଆ ସ୍କିଲ୍‌ସ ରିପୋର୍ଟ’ ଅନୁସାରେ ଦେଶର ଇଞ୍ଜିନିଅରିଙ୍ଗ ଗ୍ରାଜୁଏଟ୍‌ମାନଙ୍କ ମଧ୍ୟରୁ ୬୪ ଶତାଂଶ ହେଉଛନ୍ତି ନିଯୁକ୍ତିଯୋଗ୍ୟ। କିନ୍ତୁ ସୁପରିଚିତ ନିଯୁକ୍ତି ସନ୍ଧାନ ସଂସ୍ଥା ‘ଟିମ୍‌ଲିଜ୍’ ଅନୁସାରେ ଭାରତରେ ପ୍ରତି ବର୍ଷ ଉତ୍ତୀର୍ଣ୍ଣ ହେଉଥିବା ୧୫ ଲକ୍ଷ ଇଞ୍ଜିନିଅରିଙ୍ଗ ଗ୍ରାଜୁଏଟ୍‌ମାନଙ୍କ ମଧ୍ୟରୁ ମାତ୍ର ୪୫ ଶତାଂଶଙ୍କ ପାଖରେ ନିଯୁକ୍ତିଦାତା ଉଦ୍ୟୋଗମାନେ ଆବଶ୍ୟକ କରୁଥିବା ଭଳି ଦକ୍ଷତା ରହିଛି।
ସରକାର ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ମାଧ୍ୟମରେ ଭାରତୀୟ ଅର୍ଥନୀତିରେ ଶିଳ୍ପ ଉତ୍ପାଦନ ବା ମାନୁଫାକ୍‌ଚରିଙ୍ଗର ଅଂଶରେ ଏକ ‌ଉଲ୍ଲେଖନୀୟ ବୃଦ୍ଧି ଘଟାଇବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି, କୁଶଳୀ ଶ୍ରମ ଶକ୍ତିର ଏଭଳି ଅଭାବ ତାହା ହାସଲ ହେବା ପଥରେ ଏକ ବିଶେଷ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରୁଛି। ଏକ ଆକଳନ ଅନୁସାରେ ଭାରତରେ ୧୦୩ ନିୟୁତ କୁଶଳୀ କର୍ମୀଙ୍କ ପାଇଁ ଚାହିଦା ରହିଥିବାବେଳେ, ସେମାନଙ୍କର ଯୋଗାଣ ମାତ୍ର ୭୪ ନିୟୁତରେ ସୀମିତ ରହିଛି। କନ୍‌ସଲ୍‌ଟିଙ୍ଗ ସଂସ୍ଥା ‘ନାଇଟ୍ ଫ୍ରାଙ୍କ୍’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତର ଦ୍ବିତୀୟ ବୃହତ୍ତମ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ନିର୍ମାଣ ଶିଳ୍ପରେ ନିଯୁକ୍ତି ଶ୍ରମିକମାନଙ୍କ ମଧ୍ୟରୁ ୮୦ ଶତାଂଶରୁ ଅଧିକ ହେଉଛନ୍ତି ଅଣକୁଶଳୀ ଶ୍ରେଣୀର। ଭାରତ ଉଚ୍ଚ ଜ୍ଞାନକୌଶଳଯୁକ୍ତ କାର୍ଯ୍ୟ ପାଇଁ ଚୀନ୍‌ରୁ କୁଶଳୀ କର୍ମୀମାନଙ୍କୁ ଆମନ୍ତ୍ରଣ କରୁଥିବା ‘ଆଇଫୋନ୍’ ଘଟଣାରୁ ଜଣାପଡୁଥିବାବେଳେ, ଭାରତୀୟ କଂପାନିମାନେ ମୌଳିକ ଶ୍ରେଣୀର କାର୍ଯ୍ୟ କରିବା ପାଇଁ ମଧ୍ୟ ଉପଯୁକ୍ତ ପ୍ରାର୍ଥୀ ପାଇପାରୁ ନାହାନ୍ତି।
କୁଶଳୀ ଶ୍ରମ ଶକ୍ତି ସୃଷ୍ଟି ପାଇଁ ସରକାର ଉଦ୍ୟମ ଜାରି ରଖିଥିଲେ ହେଁ, ତାହା ଏ ପର୍ଯ୍ୟନ୍ତ ଆବଶ୍ୟକ ଫଳ ପ୍ରଦାନ କରିପାରି ନାହିଁ। ଭାରତର ମୋଟ ଶ୍ରମ ଶକ୍ତିର ମାତ୍ର ୫ ଶତାଂଶ କୌଣସି ପ୍ରକାର ବିଧିବଦ୍ଧ ଦକ୍ଷତା ସୃଷ୍ଟି ତାଲିମ ପାଇଥିବାବେଳେ ଜାପାନ୍‌ରେ ଏହି ଅନୁପାତ ହେଉଛି ୮୦ ଶତାଂଶ ଓ ଦକ୍ଷିଣ କୋରିଆରେ ତାହା ହେଉଛି ୯୬ ଶତାଂଶ। ଯଦି ଏହି ଚିତ୍ରରେ ଉନ୍ନତି ନ ଘଟେ, ତେବେ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳରେ ଚୀନ୍‌ର ସ୍ଥାନ ଦଖଲ କରିବା ପାଇଁ ଭାରତ ଯେଉଁ ଆଶା ପୋଷଣ କରିଛି, ତାହା ଫଳବତୀ ହେବା ସହଜ ହେବ ନାହିଁ।
ସରକାର ଏହା ହୃଦୟଙ୍ଗମ କରି ଯେଉଁ ‘ନେସନାଲ୍ ଆପ୍ରେଣ୍ଟିସ୍‌ସିପ୍ ପ୍ରମୋସନ ସ୍କିମ୍’ ପ୍ରବର୍ତ୍ତନ କରିଛନ୍ତି ତାହା କର୍ପୋରେଟ୍ କ୍ଷେତ୍ରରୁ ଏ ପର୍ଯ୍ୟନ୍ତ ଉତ୍ସାହଜନକ ସହଯୋଗ ଲାଭ କରିପାରି ନାହିଁ। ସରକାର ଏବେ ପୁଣି ଏଥିପାଇଁ ଓ ‘ନେସନାଲ୍ ଆପ୍ରେଣ୍ଟିସ୍‌ସିପ୍ ଟ୍ରେନିଙ୍ଗ ସ୍କିମ୍’ ପାଇଁ ଉଦ୍ଦିଷ୍ଟ ଷ୍ଟାଇପେଣ୍ଡରେ ୩୦ ଶତାଂଶ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି। କର୍ପୋରେଟ୍ କ୍ଷେତ୍ର ଏହାକୁ କେତେ ଦୂର ଗ୍ରହଣ କରିବ ଜଣା ନାହିଁ। ଆମର ଉଦ୍ୟୋଗପତିମାନେ କୁଶଳୀ କର୍ମୀ ସୃଷ୍ଟି ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ ନିଜେ ମଧ୍ୟ ଏ ଦାୟିତ୍ବ ନିର୍ବାହ କରିବାକୁ ଆଗେଇ ଆସିବା ଉଚିତ। ଉଲ୍ଲେ‌ଖଯୋଗ୍ୟ ଭାବରେ ଜାପାନ୍‌ରେ ଯେପରି ପ୍ରାୟ ସମସ୍ତ ତାଲିମ କାରଖାନାରେ କାର୍ଯ୍ୟ କଲାବେଳେ ସଂଘଟିତ ହୋଇଥାଏ (‘ଅନ୍ ଦି ଜବ୍ ଟ୍ରେନିଙ୍ଗ’- ‘ଓଜେଟି’) ଏଠାରେ ମଧ୍ୟ ଉଦ୍ୟୋଗ କ୍ଷେତ୍ରରେ ତାହାକୁ ଅନୁକରଣ କରାଯାଇପାରନ୍ତା। ଚୀନା ଇଞ୍ଜିନିଅରମାନଙ୍କର ପ୍ରତ୍ୟାହାର ହେଉଛି ଏ ଦିଗରେ ଆମ ପାଇଁ ଶେଷ ସତର୍କ ଘଣ୍ଟି। ଅଦକ୍ଷ ଭାରତୀୟମାନଙ୍କୁ ନେଇ ଏକ ବିକଶିତ ଭାରତ ଗଢ଼ା ଯାଇପାରିବ ନାହିଁ।