ଯଦି ଉଭୟ ଦେଶର ଶିଳ୍ପ ବ୍ୟବସାୟ ଉଦ୍ୟୋଗମାନେ ‘ସେଟା’ ଉନ୍ମୁକ୍ତ କରିଥିବା ରିକାର୍ଡୀୟ ଅବାଧ ବାଣିଜ୍ୟ ସୁଯୋଗର ସଦୁପଯୋଗ କରନ୍ତି, ତେବେ ଅନୁମାନ କରାଯାଉଛି ଯେ ୨୦୩୦ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ଅନ୍ୟୂନ ୧୨୦ ବିଲିଅନ୍ ଡଲାର୍ ଛୁଇଁବା ନିଶ୍ଚିତ।

Advertisment

‘ବାଣିଜ୍ୟେ ବସତେ ଲକ୍ଷ୍ମୀ’। ଏହି ପ୍ରାଚୀନ ଭାରତୀୟ ଅର୍ଥନୈତିକ ଜ୍ଞାନ ଆଧୁନିକ ଅର୍ଥଶାସ୍ତ୍ରର ଯେଉଁ ଅନ୍ୟତମ ପ୍ରତିଷ୍ଠାତାଙ୍କ ଦ୍ବାରା ପ୍ରଣୀତ ଏକ ତତ୍ତ୍ବରେ ସର୍ବପ୍ରଥମେ ପ୍ରତିଫଳିତ ହେଇଥିଲା, ସେ ହେଉଛନ୍ତି ଡେଭିଡ୍ ରିକାର୍ଡୋ। ଅବାଧ ବାଣିଜ୍ୟ ମାଧ୍ୟମରେ ହିଁ ଦେଶକୁ ଲକ୍ଷ୍ମୀଙ୍କର ଆଗମନ ଘଟିଥାଏ ବୋଲି ଦୃଢ଼ ଭାବରେ ବିଶ୍ବାସ କରୁଥିବା ଏହି ଅର୍ଥନୀତିଜ୍ଞ ତାଙ୍କର ଏହି ବିଶ୍ବାସକୁ ପ୍ରମାଣିତ କରିବାକୁ ଯେଉଁ ଏକ ତତ୍ତ୍ବ ପ୍ରଣୟନ କରିଥିଲେ, ତାହାକୁ ଆଜି ମଧ୍ୟ ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନେ ‘କମ୍ପାରେଟିଭ୍ ଆଡ୍‌ଭାଣ୍ଟେଜ ଥିଓରି’ (‘ତୁଳନାତ୍ମକ ଫାଇଦା ତତ୍ତ୍ବ’) ନାମରେ ଅଧ୍ୟୟନ କରୁଛନ୍ତି। ତାଙ୍କ ଦେଶର ପାର୍ଲିଆମେଣ୍ଟ ଯେତେବେଳେ ରାଜନୈତିକ କାରଣରୁ ଏହି ଅବାଧ ବାଣିଜ୍ୟ ପଥରେ ପ୍ରତିବନ୍ଧକ ଛିଡ଼ା କରାଇବା ଉଦ୍ଦେଶ୍ୟରେ ୧୮୧୫ରେ ତାଙ୍କ ଦେଶକୁ ଆମଦାନି କରାଯାଉଥିବା ଶସ୍ୟ ଉପରେ ଶୁଳ୍‌କ ବା ‘ଟାରିଫ୍’ ବସାଇବାକୁ ‘କର୍ନ ଲଜ୍’ ନାମକ ଆଇନ ପ୍ରଣୟନ କଲା, ଏହା ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ରିକାର୍ଡୋ ୧୮୧୯ରେ ଜଣେ ସାଂସଦ ରୂପେ ପାର୍ଲିଆମେଣ୍ଟରେ ପ୍ରବେଶ କଲେ।
ରିକାର୍ଡୋ ଅବାଧ ବାଣିଜ୍ୟ ସପକ୍ଷରେ ଏ ଯେଉଁ ତାତ୍ତ୍ବିକ ଓ ରାଜନୈତିକ ସଂଗ୍ରାମ ଆରମ୍ଭ କରିଥିଲେ, ତା’ର ସୁଫଳ ସ୍ବରୂପ ଶେଷରେ ୧୮୪୬ରେ ପାର୍ଲିଆମେଣ୍ଟ ‘କର୍ନ ଲଜ୍’ର ଉଚ୍ଛେଦ ଘଟାଇଲା। ଅବାଧ ବାଣିଜ୍ୟର ଏହି ବିଜୟ ଆସ୍ବାଦନ କରିବା ପାଇଁ ସେତେବେଳକୁ ଡେଭିଡ୍ ରିକ‌ାର୍ଡୋ କିନ୍ତୁ ଉପସ୍ଥିତ ନ ଥିଲେ; ୧୮୨୩ରେ ମାତ୍ର ୫୧ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିସାରିଥିଲେ। ତେବେ ୧୮୪୬ରେ ‘କର୍ନ ଲଜ୍’ର ଉଚ୍ଛେଦ ନିଶ୍ଚିତ ରୂପେ ରିକାର୍ଡୋଙ୍କ ଆତ୍ମାକୁ ଅଶେଷ ଶାନ୍ତି ପ୍ରଦାନ କରିଥିବ। ରିକାର୍ଡୋଙ୍କ ଦେଶ ଥିଲା ବ୍ରିଟେନ୍।
ରିକାର୍ଡୋଙ୍କ ଆତ୍ମାକୁ ଆଜି ପୁଣି ଥରେ ଯାହା ସେଇଭଳି ବିମଳ ପ୍ରଶାନ୍ତି ପ୍ରଦାନ କରିଥିବ, ତାହା ହେଉଛି ଏବେ ଉଭୟଙ୍କ ମଧ୍ୟରେ ଅବାଧ ବାଣିଜ୍ୟ ନିଶ୍ଚିତ କରିବା ପାଇଁ ତାଙ୍କ ଦେଶ ତା’ର ପୂର୍ବତନ ସାମ୍ରାଜ୍ୟର ମଉଡ଼ମଣି ଭାରତ ସହିତ ସ୍ବାକ୍ଷର କରିଥିବା ଏକ ଚୁକ୍ତି, ଯାହାର ସଂପୂର୍ଣ୍ଣ ନାମ ହେଉଛି ‘କମ୍ପ୍ରିହେନ୍‌ସିଭ୍ ଇକୋନୋମିକ୍ ଆଣ୍ଡ୍ ଟ୍ରେଡ୍ ଆଗ୍ରିମେଣ୍ଟ୍’ ବା ସଂକ୍ଷେପରେ ‘ସେଟା’। ରିକାର୍ଡୋଙ୍କ ଦୃଷ୍ଟିରେ ଯାହା ଏହି ଅବାଧ ବାଣିଜ୍ୟ ଚୁକ୍ତିକୁ ବିଶେଷ ଗୁରୁତ୍ବ ପ୍ରଦାନ କରୁଥିବ, ତାହା ହେଲା- ଭାରତ ହେଉଛି ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତି ଓ ବ୍ରିଟେନ୍ ହେଉଛି ଷଷ୍ଠ ବୃହତ୍ତମ ଅର୍ଥନୀତି- ଅର୍ଥାତ୍ ଏହି ଚୁକ୍ତି ବଳରେ ବିଶ୍ବ ଅର୍ଥନୀତିର ଏକ ବୃହତ୍ ଅଂଶରେ ଅବାଧ ବାଣିଜ୍ୟ ପ୍ରସାର ଲାଭ କରିବ। ସେତିକି ନୁହେଁ, ନିକଟ ଭବିଷ୍ୟତରେ ୟୁରୋପିଆନ୍ ୟୁନିଅନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଅନୁରୂପ ରାଜିନାମାମାନ ସଂପାଦନ କରିବା ନିମିତ୍ତ ଭାରତ ଯେଉଁ ଉଦ୍ୟମ କରୁଛି, ବ୍ରିଟେନ୍ ସହିତ ସ୍ବାକ୍ଷରିତ ଏହି ରାଜିନାମା ସେଥିପାଇଁ ଏକ ଦିଗ୍‌ଦର୍ଶକ ରୂପେ ମଧ୍ୟ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।
ଏହା ସ୍ବୀକାର କରିବାକୁ ହେବ ଯେ ଭାରତ ଓ ବ୍ରିଟେନ୍ ମଧ୍ୟରେ ରହି ଆସିଥିବା ଉପରୋକ୍ତ ସୁଦୀର୍ଘ ଐତିହାସିକ ସଂପର୍କ ସତ୍ତ୍ବେ, ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ତାହା ସହିତ ଖାପ ଖାଇବା ଭଳି ପ୍ରଭାବଶାଳୀ ହୋଇପାରି ନାହିଁ। ‘ସେଟା’ ବର୍ତ୍ତମାନ ସେଥିରେ ଉଲ୍ଲେଖନୀୟ ଉନ୍ନତି ଘଟାଇବ ବୋଲି ଆଶା କରାଯାଉଛି। ଉଦାହରଣ ସ୍ବରୂପ ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ମୋଟ ବାଣିଜ୍ୟ କାରବାରର ଆକାର ପ୍ରାୟ ମାତ୍ର ୫୬ ବିଲିଅନ୍ ଡଲାର୍ ହୋଇଥିବାବେଳେ ‘ସେଟା’ କାର୍ଯ୍ୟକାରୀ ହେବା ପରେ ପ୍ରତି ବର୍ଷ ସେଥିରେ ଅନ୍ୟୂନ ୩୪ ବିଲିଅନ୍ ଡଲାର୍ ବୃଦ୍ଧି ଘଟିବାକୁ ଯାଉଛି ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ବର୍ତ୍ତମାନ ବ୍ରିଟେନ୍ ସହିତ ବାଣିଜ୍ୟ କାରବାର ଭାରତ ପାଇଁ ୧୧ ବିଲିଅନ୍ ଡଲାର୍ ବକଳା ସୃଷ୍ଟି କରୁଛି (ରପ୍ତାନି ବିଯୁକ୍ତ ଆମଦାନି)।
ରିକାର୍ଡୋଙ୍କ ସତ୍ୟ ପ୍ରମାଣିତ କରି ଉଭୟ ଦେଶ ପାଇଁ ଏହି ଚୁକ୍ତି ବଳରେ ଉନ୍ମୁକ୍ତ ହେବାକୁ ଯାଉଥିବା ପରସ୍ପରର ବଜାର ଉଭୟଙ୍କ ପାଇଁ ପ୍ରଭୂତ ଫାଇଦା ସୃଷ୍ଟି କରିବାକୁ ଯାଉଛି, ଏଥିରେ ସନ୍ଦେହ ନାହିଁ। ଏହାଦ୍ବାରା ଭାରତର ରପ୍ତାନିକାରୀମାନେ ପୃଥିବୀର ଅନ୍ୟତମ ଏକ ଅତ୍ୟନ୍ତ ସମୃଦ୍ଧ ବଜାରରେ ପ୍ରାୟ ଅବାଧ ପ୍ରବେଶର ଅଧିକାର ଲାଭ କରିବାକୁ ଯାଉଥିବାବେଳେ, ବ୍ରିଟେନ୍ ଏହାଦ୍ବାରା ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ ଅର୍ଥନୀତିର ବଜାରରେ ପ୍ରବେଶ କରିବାର ସୁଯୋଗ ହାସଲ କରିବ। ଭାରତ ବ୍ରିଟେନ୍‌କୁ ରପ୍ତାନି କରୁଥିବା ପଣ୍ୟଦ୍ରବ୍ୟ ସବୁର ୯୯ ଶତାଂଶ ଉପରେ ବ୍ରିଟେନ୍ ଚୁକ୍ତି ଅନୁସାରେ ଆଦୌ ଆମଦାନି ଶୁଳ୍‌କ ବସାଇବ ନାହିଁ। ପ୍ରତିବଦଳରେ ଭାରତ ୯୦ ଶତାଂଶ ବ୍ରିଟିଶ ରପ୍ତାନି ଉପରେ ତତ୍‌କ୍ଷଣାତ୍ ଆମଦାନି ଶୁଳ୍‌କରେ ହ୍ରାସ ଘଟାଇବା ସଙ୍ଗେ ସଙ୍ଗେ ଆସନ୍ତା ଦଶ ବର୍ଷ ମଧ୍ୟରେ ୮୫ ଶତାଂଶ ଦ୍ରବ୍ୟମାନଙ୍କ ଉପରେ ତାହାକୁ ଶୂନ୍ୟ କରିଦେବ।
ଭାରତ ପାଇଁ ଯାହା ବିଶେଷ ଗୁରୁତ୍ବ ବହନ କରିଥାଏ, ତାହା ହେଲା ଭାରତ ରପ୍ତାନି କରୁଥିବା ପୋଷାକ, ଜୋତା ଓ ଶୀତଳୀକୃତ ଚିଙ୍ଗୁଡ଼ି ଭଳି ଶ୍ରମ-ସଘନ ଦ୍ରବ୍ୟମାନଙ୍କ ପ୍ରତି ବ୍ରିଟେନ୍ ଏଣିକି ଶୂନ୍ୟ ଆମଦାନି ଶୁଳ୍‌କ ଲାଗୁ କରିବ। ଶୁଳ୍‌କ ହ୍ରାସ ଯୋଗୁଁ ବ୍ରିଟିଶ କଂପାନିମାନେ ଭାରତକୁ ରପ୍ତାନି କରୁଥିବା ମୃଦୁପାନୀୟ, ପ୍ରସାଧନ ସାମଗ୍ରୀ ଓ ମେଡିକାଲ ଉପକରଣ ଆଦି ଏବେ ଭାରତୀୟ ବଜା‌ରରେ ଅଧିକ ପ୍ରତିଯୋଗିତାକ୍ଷମ ହୋଇପାରିବେ।
ଭାରତରେ କେତେକ ମହଲରେ ଏହି ଚୁକ୍ତି ଯେଉଁ ଏକ ବିଶେଷ ଉଚ୍ଚାଟ ସୃଷ୍ଟି କରିଛି, ତାହା ହେଲା ଅଧିକାଂଶ ମଦ୍ୟପାନକାରୀମାନଙ୍କ ପାଇଁ ଏକ ଅପହଞ୍ଚ ଲାଳସା-ପାନୀୟ ରୂପେ ଖ୍ୟାତ ସ୍କଚ୍ ହ୍ବିସ୍କି ଓ ବିଲାତି ଜିନ୍ ଉପରେ ଏଠାରେ ଆଦାୟ କରାଯାଉଥିବା ଆକାଶଛୁଅଁ‌ା ଶୁଳ୍‌କ ହାରରେ ଘଟିବାକୁ ଯାଉଥିବା ତୀକ୍ଷ୍‌ଣ ହ୍ରାସ। ଏହି ପାନୀୟମାନଙ୍କ ଉପରେ ବର୍ତ୍ତମାନ ଲାଗୁ ହେଉଥିବା ୧୫୦ ଶତାଂଶ ଶୁଳ୍‌କ ହାରରେ ତତ୍‌କ୍ଷଣାତ୍ ୫୦ ଶତାଂଶ ହ୍ରାସ ଘଟାଯାଇ ତାହାକୁ ୭୫ ଶତାଂଶ କରିଦିଆଯିବ ଏବଂ ଆଗାମୀ ଦଶ ବର୍ଷ ମଧ୍ୟରେ ତାହାକୁ ୪୦ ଶତାଂଶ ସ୍ତରକୁ ଖସାଇ ଦିଆଯିବ ବୋଲି ଚୁକ୍ତିରେ ବ୍ୟବସ୍ଥା ରହିଛି। ବ୍ରିଟିଶ କାର୍ ଉପରେ ଭାରତ ବର୍ତ୍ତମାନ ଲାଗୁ କରୁଥିବା ୧୦୦ ଶତାଂଶ ଆମଦାନି ଶୁଳ୍‌କରେ ହ୍ରାସ ଘଟାଯାଇ ତାହାକୁ କରିଦିଆଯିବ ଏକ ଅତ୍ୟନ୍ତ ନୀଚା ୧୦ ଶତାଂଶ ମାତ୍ର। ଅବଶ୍ୟ ଏକ ନିର୍ଦ୍ଧାରିତ ସଂଖ୍ୟକ ଗାଡ଼ିମାନଙ୍କ ପାଇଁ ଏହି ସୁବିଧା ଉପଲବ୍‌ଧ ହେବ। କୃଷିଜାତ ପଦାର୍ଥମାନ କିନ୍ତୁ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଆଭ୍ୟନ୍ତରୀଣ ରାଜନୈତିକ ଚାପ ଯୋଗୁଁ ଭାରତ ଦୁଗ୍‌ଧଜାତ ପଦାର୍ଥ, ଆପ୍‌ଲ ଆଦି ଉପରେ ଆମଦାନି ଶୁଳ୍‌କ କୋହଳ କରିବାକୁ ରାଜି ହୋଇନାହିଁ।
ସେବା ରପ୍ତାନି କ୍ଷେତ୍ରରେ ମଧ୍ୟ ଭାରତ ଏହି ଚୁକ୍ତି ଦ୍ବାରା ଲାଭବାନ ହେବାକୁ ଯାଉଛି। ପେସାଦାର ସେବା ଯୋଗାଣକାରୀଙ୍କର ଗମନାଗମନକୁ ସୁଗମ କରିବା ପାଇଁ ‘ସେଟା’ରେ ବ୍ୟବସ୍ଥା କରାଯାଇଛି। ଯୋଗ ପ୍ରଶିକ୍ଷକ, ସଂଗୀତଜ୍ଞ, ପାଚକ ଆଦିଙ୍କ ଭଳି ସ୍ବାଧୀନ ପେସାଦାର ସେବା ଯୋଗାଣକାରୀମାନଙ୍କ ପାଇଁ ଏଣିକି ୧୮୦୦ଟି ବ୍ରିଟିଶ ଭିସା ଉପଲବ୍‌ଧ ହେବ। ଭାରତ ପାଇଁ ଯାହା ଏକ ଗୁରୁତ୍ବପୂର୍ଣ୍ଣ ହାସଲ ରୂପେ ବିବେଚିତ ହେଉଛି, ତାହା ହେଲା ସୀମିତ ସମୟ ପାଇଁ ବ୍ରିଟେନ୍‌ରେ କାର୍ଯ୍ୟ କରୁଥିବା ପେସାଦାର ଭାରତୀୟମାନଙ୍କ ପାଇଁ ତିନି ବର୍ଷ ଲାଗି ସୋସିଆଲ୍ ସିକ୍ୟୁରିଟି ଦେୟ ପ୍ରଦାନ ଛାଡ଼ ନିମିତ୍ତ ବ୍ରିଟିଶ ପକ୍ଷଠାରୁ ଆଦାୟ କରାଯାଇ ପାରିଥିବା ସମ୍ମତି। ଭାରତ ମଧ୍ୟ ସରକାରୀ କ୍ରୟ କ୍ଷେତ୍ରରେ କେବଳ ଅଣ-ସମ୍ବେଦନଶୀଳ ଦ୍ରବ୍ୟ ଓ ସେବାମାନଙ୍କ ଯୋଗାଣରେ ବ୍ରିଟିଶ କଂପାନିମାନଙ୍କର ଅଂଶଗ୍ରହଣ ନିମିତ୍ତ ପ୍ରତିବନ୍ଧକ ହଟାଇ ଦେଇଛି, ଯାହାର ସର୍ବୋଚ୍ଚ ବାର୍ଷିକ ସୀମା ହେଉଛି ୫୦ ବିଲିଅନ୍ ଡଲାର୍। ଯଦି ଉଭୟ ଦେଶର ଶିଳ୍ପ ବ୍ୟବସାୟ ଉଦ୍ୟୋଗମାନେ ‘ସେଟା’ ଉନ୍ମୁକ୍ତ କରିଥିବା ରିକାର୍ଡୀୟ ଅବାଧ ବାଣିଜ୍ୟ ସୁଯୋଗର ସଦୁପଯୋଗ କରନ୍ତି, ତେବେ ଅନୁମାନ କରାଯାଉଛି ଯେ ୨୦୩୦ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ଅନ୍ୟୂନ ୧୨୦ ବିଲିଅନ୍ ଡଲାର୍ ଛୁଇଁବା ନିଶ୍ଚିତ। ଉଭୟ ପକ୍ଷଙ୍କ ପାଇଁ କେବଳ ଫାଇଦା ହିଁ ଫାଇଦା ଧରି ‘ସେଟା’ର ଆଗମନ ଘଟିଛି।