ଦଲାଇ ଲାମାଙ୍କ ଉତ୍ତରାଧିକାର ଚୟନ ବ୍ୟାପାରରେ ମୁଣ୍ଡ ନ ପୂରାଉ ବୋଲି ଇତିମଧ୍ୟରେ ଚୀନ ପକ୍ଷରୁ ଭାରତକୁ ସତର୍କ କରାଇ ଦିଆଗଲାଣି। ଯଦିଓ ଭାରତ ଆନୁଷ୍ଠାନିକ ଭାବେ ଦଲାଇ ଲାମାଙ୍କୁ ଜଣେ ମହାର୍ଘ ଅତିଥି ରୂପେ ଦର୍ଶାଇଥାଏ, ସେ କିନ୍ତୁ ଭାରତୀୟମାନଙ୍କ ଠାରେ ଅପରିମେୟ ଶ୍ରଦ୍ଧା ଓ ଭକ୍ତିର ଆସ୍ପଦ ହୋଇଥାଆନ୍ତି। ସୁତରାଂ, ଏଭଳି ସ୍ଥିତିରେ ଚୀନ ଓ ଦଲାଇ ଲାମାଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ଖଣ୍ଡା ଧାର ଉପରେ ଚାଲିବା ସଦୃଶ ଅପୂର୍ବ ଦକ୍ଷତା, କୌଶଳ ଓ ସତର୍କତା ଲୋଡ଼ିବ।
ଗତ କାଲି ତିବ୍ବତୀୟ ବୌଦ୍ଧ ଗୁରୁ ଦଲାଇ ଲାମା ନବେ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ, ଏହାର ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ତାଙ୍କ ପରବର୍ତ୍ତୀ ଦଲାଇ ଲାମାଙ୍କ ଆବିର୍ଭାବ ସଂକ୍ରାନ୍ତରେ ସେ ପ୍ରଦାନ କରିଥିବା ବକ୍ତବ୍ୟ ଓ ସଂକେତ ପରିପ୍ରେକ୍ଷୀରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଅଧିକ ଘନୀଭୂତ ହେବାର ଆଶଙ୍କା ସୃଷ୍ଟି ହେଲାଣି। ଏଠାରେ ପ୍ରଶ୍ନ ଉଠିଥାଏ ଯେ ଦୀର୍ଘ ୭୫ ବର୍ଷ ତଳୁ ଚୀନ ଅଧିକୃତ ତିବ୍ବତରୁ ପଳାୟନ କରି ଭାରତରେ ଶରଣ ନେଇଥିବା ଏବଂ ଜୀବନର ଅସ୍ତାଚଳରେ ଉପନୀତ ହୋଇସାରିଥିବା ଜଣେ ଧର୍ମଗୁରୁଙ୍କ ଦ୍ବାରା ପ୍ରଦତ୍ତ ଇଙ୍ଗିତ ଯୋଗୁଁ ଚୀନ ଭଳି ଏକ ଅତ୍ୟନ୍ତ ଅତିକାୟ ଓ ଅମିତ ଶକ୍ତିଶାଳୀ ରାଷ୍ଟ୍ର ବିଚଳିତ ହୋଇ ପଡ଼ିଥାଏ କାହିଁକି? ଏହାର ଉତ୍ତର ଲାଭ କରିବା ଲାଗି ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ୧୯୫୦ ମସିହାରେ ଚୀନର କମ୍ୟୁନିଷ୍ଟ ସରକାର ତିବ୍ବତ ଅତିକ୍ରମଣ ଓ ଅଧିକାର କରି ନେବା ପରେ ତିବ୍ବତୀୟ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ଦ୍ବାରା ଅନୁସୃତ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁ ତଥା େନତା ଚତୁର୍ଦଶ ଦଲାଇ ଲାମା(ବର୍ତ୍ତମାନର ଦଲାଇ ଲାମା) ଚୀନର ବଶ୍ୟତା ସ୍ବୀକାର ନ କରି ଏ ଯାବତ୍ ଭାରତର ଧର୍ମଶାଳାରେ ‘ନିର୍ବାସିତ ତିବ୍ବତୀୟ ସରକାର’କୁ ଚଳାଇ ରଖିଛନ୍ତି। ଏଣେ, ତିବ୍ବତର ମାନସପଟରୁ ଦଲାଇ ଲାମାଙ୍କ କ୍ଷୀଣ ପଦଚିହ୍ନ ସୁଦ୍ଧା ନିଶ୍ଚିହ୍ନ କରିଦେବାକୁ ଚୀନର କମ୍ୟୁନିଷ୍ଟ ସରକାର ଅତ୍ୟନ୍ତ ବ୍ୟଗ୍ର। କାରଣ ବିସ୍ତାରବାଦୀ ଓ ଲାଭଖୋର ଚୀନ ସକାଶେ ତିବ୍ବତ ୧.୨୨ ନିୟୁତ ବର୍ଗ କିଲୋମିଟର ଆୟତନ ବିଶିଷ୍ଟ ସାଧାରଣ ଭୂମି ଖଣ୍ଡେ ମାତ୍ର ନୁହେଁ, ଏହା ହେଉଛି ଗଙ୍ଗା ବ୍ୟତୀତ ହିମାଳୟ କ୍ରୋଡ଼ରୁ ନିର୍ଗତ ସମସ୍ତ ଚିରସ୍ରୋତା ନଦୀଗୁଡ଼ିକର ଉତ୍ପତ୍ତି ସ୍ଥଳ ତଥା ‘ରେଆର ଅର୍ଥ୍’ ବା ‘ବିରଳ ମୃତ୍ତିକା’ ଭାବେ ପରିଚିତ ଦୁର୍ଲଭ ‘କ୍ରିଟିକାଲ ମିନେରାଲ’ର ଭଣ୍ଡାର; ଯାହା ଉପରେ ଐକାନ୍ତିକ ଅଧିକାର ସାବ୍ୟସ୍ତ କରିବା ଚୀନର ଲକ୍ଷ୍ୟ। ଏହି କାରଣରୁ ଦଲାଇ ଲାମାଙ୍କୁ ଆଶ୍ରୟ ପ୍ରଦାନ କରି ଭାରତ ଚୀନର ଚକ୍ଷୁଶୂଳ ହୋଇ ଉଠିଥିଲା ଏବଂ ୧୯୬୨ ମସିହାର ଯୁଦ୍ଧ ପଛରେ ଏହା ହିଁ ଥିଲା ଏକ ପ୍ରମୁଖ କାରଣ। ପ୍ରକାଶ ଥାଉ କି ଦଲାଇ ଲାମାଙ୍କ ପଳାୟନ ପରେ ଚୀନର କମ୍ୟୁନିଷ୍ଟ ସରକାରଙ୍କ ପକ୍ଷରୁ ମନୋନୀତ ପଞ୍ଚେନ ଲାମା ତିବ୍ବତୀୟ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ଆଧ୍ୟାତ୍ମିକ ଗୁରୁ ଓ ପଥ ପ୍ରଦର୍ଶକ ରୂପେ ନିଯୁକ୍ତ ହୋଇଛନ୍ତି, କିନ୍ତୁ ବାସ୍ତବତା ହେଲା ପ୍ରାୟ ୬.୫ ନିୟୁତ ତିବ୍ବତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ନିବାସ ଓ ହୃଦୟରେ ଅତ୍ୟନ୍ତ ନିଭୃତ ଭାବେ ଏହି ଚତୁର୍ଦ୍ଦଶ ଦଲାଇ ଲାମା ହିଁ ବିରାଜମାନ କରିଥାଆନ୍ତି। ଦଲାଇ ଲାମାଙ୍କୁ ଚୀନ ପକ୍ଷରୁ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ ଓ ସନ୍ନ୍ୟାସୀର ଆଭୂଷଣ ତଳେ ଜଣେ ଶଠ ବୋଲି ଅଭିହିତ କରାଯାଇ ଆସୁଥିଲେ ହେଁ ଅବଶିଷ୍ଟ ପୃଥିବୀ ତାଙ୍କୁ ଶାନ୍ତିର ଜଣେ ପ୍ରତୀକ ପୁରୁଷ ଭାବେ ଦେଖିଥାଏ; ଏପରିକି ଅନେକ ବୌଦ୍ଧଙ୍କ ଦୃଷ୍ଟିରେ ସେ ଜଣେ ଅବତାରୀ ବୋଧିସତ୍ତ୍ବ।
ଅବଶ୍ୟ, ତିବ୍ବତ ବୌଦ୍ଧ ଧର୍ମର ପରଂପରାରେ ଆଧ୍ୟାତ୍ମିକ ମହତ୍ତ୍ବ ଦୃଷ୍ଟିରୁ ପଞ୍ଚେନ ଲାମା ମଧ୍ୟ ଏକ ଶ୍ରେଷ୍ଠ ସ୍ଥାନର ଅଧିକାରୀ, କିନ୍ତୁ ତାଙ୍କ ଚୟନ ବା ଆବିର୍ଭାବ ସୁନିର୍ଦ୍ଦିଷ୍ଟ ପରଂପରା ଅନୁସାରୀ ହୋଇଥାଏ, ସରକାରଙ୍କ ଦ୍ବାରା କୌଣସି କର୍ମଚାରୀର ନିଯୁକ୍ତି ଭଳି ନୁହେଁ। ସେହି ଦୃଷ୍ଟିରୁ ଗଲା ଜୁନ୍ ମାସରେ ପଞ୍ଚେନ ଲାମା ଗ୍ୟାତସେନ ନୋରବୁ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ସାକ୍ଷାତର ଖବର ଚର୍ଚ୍ଚିତ (ସମାଲୋଚିତ) ହୋଇଥିଲା। କେବଳ ସେତିକି ନୁହେଁ, ତିବ୍ବତୀୟ ବୌଦ୍ଧ ଧର୍ମର ଚାରିଟି ଯାକ ପନ୍ଥ(ନିଂଗମା, କାଗ୍ୟୁ, ଶାକ୍ୟ, ଗେଲୁଗ)ଙ୍କ ଦୃଷ୍ଟିରେ ଦଲାଇ ଲାମା ହେଉଛନ୍ତି ଆସ୍ଥାର ସର୍ବମୟ କେନ୍ଦ୍ର। ଦଲାଇ ଲାମାଙ୍କ ପ୍ରଭାବକୁ ପ୍ରତିହତ କରିବା ଲାଗି ଚୀନର କମ୍ୟୁନିଷ୍ଟ ସରକାର କିଭଳି ମତ୍ତ, ତାର ପ୍ରମାଣ ମିଳିଥିଲା ୧୯୯୫ ମସିହାରେ, ଯେତେବେଳେ ପଞ୍ଚେନ ଲାମାଙ୍କ ଅବତାର ରୂପେ ଦଲାଇ ଲାମାଙ୍କ ଦ୍ବାରା ଚିହ୍ନିତ ତରୁଣ ତିବ୍ବତୀୟ ଗେଦୁନ ନେମାଙ୍କୁ ଅବିଳମ୍ବେ ସପରିବାର ଅପହରଣ କରି ନିଆଗଲା, ଯେଉଁମାନେ ଏ ଯାବତ୍ ନିରୁଦ୍ଦିଷ୍ଟ ହୋଇ ଅଛନ୍ତି। ସେହି ଦୃଷ୍ଟିରୁ କୌଣସି ଆଧ୍ୟାତ୍ମିକ ଉତ୍ତରାଧିକାରୀଙ୍କ ବିଷୟରେ ଘୋଷଣା ନ କରି ଏହି ବର୍ଷୀୟାନ ଦଲାଇ ଲାମାଙ୍କ ମହାପ୍ରୟାଣ ଚୀନ ସକାଶେ ସର୍ବାଧିକ କାମ୍ୟ ହୋଇଥାଆନ୍ତା, ଅଗତ୍ୟା ଯାହା ପରିପୂର୍ଣ୍ଣ ହେବା ଭଳି ଲାଗୁ ନାହିଁ। ଏଣେ, ଚୀନ ସରକାର ମଧ୍ୟ ହୃଦୟଙ୍ଗମ କରିଥାଆନ୍ତି ଯେ ବଳ ଓ କୂଟ ପୂର୍ବକ ତିବ୍ବତୀୟଙ୍କ ହୃଦୟର ଗର୍ଭଗୃହରେ ପ୍ରଜ୍ଜ୍ବଳିତ ଦଲାଇ ଲାମା ନାମକ ଦୀପର ନିର୍ବାପନ ସହଜସାଧ୍ୟ ନୁହେଁ, ଯାହା ଚତୁୁର୍ଦ୍ଦଶ ଦଲାଇ ଲାମାଙ୍କ ଅନ୍ତେ ତାଙ୍କ ଉତ୍ତରାଧିକାରୀ ରୂପରେ ମଧ୍ୟ ଜଳି ରହିବ।
ତିବ୍ବତୀୟ ବୌଦ୍ଧ ପନ୍ଥରେ ‘ପଞ୍ଚେନ ଲାମା’ ଅଥବା ‘କର୍ମାପା’ ଭଳି ଉଚ୍ଚାସନ ସକାଶେ ସୁଯୋଗ୍ୟ ବ୍ୟକ୍ତିଙ୍କ ଚୟନ ନେଇ ବିଭିନ୍ନ ନିୟମ ଓ ସୂତ୍ରମାନ ବିଦ୍ୟମାନ ଥିଲେ ହେଁ ‘ଦଲାଇ ଲାମା’ କ୍ଷେତ୍ରରେ କେବଳ େଗାଟିଏ ଏବଂ ସର୍ବଶେଷ ନିୟମ ପ୍ରଚଳିତ ଯେ କେବଳ ତାଙ୍କ(ଦଲାଇ ଲାମା) ନିର୍ଦ୍ଦେଶ ଓ ସଂକେତ ଆଧରରେ ଉତ୍ତରାଧିକାରୀ ଚିହ୍ନିତ ହେବେ, ଅନ୍ୟ କୌଣସି ନିୟମ ବା ଆଧାର ଅନୁସାରେ ନୁହେଁ! ଶଂସିତ ସଂଦର୍ଭରେ ଚତୁର୍ଦ୍ଦଶ ଦଲାଇ ଲାମା ତାଙ୍କ ଉତ୍ତରାଧିକାରୀ ଚୟନ କରିବାର ଦାୟିତ୍ବ ସାମଦଙ୍ଗ ରିମପୋଚେଙ୍କ ନେତୃତ୍ବାଧୀନ ଏକ ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି, ଯାହା ଦଲାଇ ଲାମାଙ୍କ ଇଙ୍ଗିତ ଅନୁସରଣ କରି ତାଙ୍କ ଉତ୍ତରାଧିକାରୀଙ୍କ ନିକଟରେ ପହଞ୍ଚିବ। ଅବଶ୍ୟ ଦଲାଇ ଲାମା ଏକ ସଂକେତ ଦେଇଛନ୍ତି ଯେ ନୂତନ ଦଲାଇ ଲାମାଙ୍କ ଆବିର୍ଭାବ କୌଣସି ଏକ ସ୍ବାଧୀନ ଭୂଖଣ୍ଡରେ ଘଟିବ; ଯାହା ଅନ୍ତତଃ ଚୀନ ନୁହେଁ ବୋଲି ହୃଦ୍ବୋଧ କରିହୁଏ। ଏଣେ, କିନ୍ତୁ ବିବାଦ ସୃଷ୍ଟି କଲା ଭଳି ଚୀନ ପକ୍ଷରୁ କୁହାଯାଏ ଯେ କେବଳ ଚୀନ ଭୂଖଣ୍ଡର କୌଣସି ଅଧିବାସୀ ହିଁ ଦଲାଇ ଲାମା ହେବାକୁ ଯୋଗ୍ୟ। ଯଦିଓ ଅରୁଣାଚଳ ପ୍ରଦେଶରେ ସମ୍ଭବ ହୋଇଥିବା ଷଷ୍ଠ ଦଲାଇ ଲାମାଙ୍କ ଉଦାହରଣ ଦେଇ ଅନେକ ବିଶେଷଜ୍ଞ ଚୀନର ଦାବିକୁ ଅସାର ବୋଲି କହନ୍ତି, ଅପର ପକ୍ଷରେ ଚୀନ ଏହି କାରଣରୁ ଅରୁଣାଚଳ ପ୍ରେଦଶକୁ ଦକ୍ଷିଣ-ଚୀନ ବୋଲି ଅଭିହିତ କରି ତାହାର ଅଧିକାର ଦାବି କରିଥାଏ। କହିବା ବାହୁଲ୍ୟ, ଭାରତ ସକାଶେ ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ପରିସ୍ଥିତି, ଯାହା ସାମାନ୍ୟ ଅସତର୍କତାରେ ବିସ୍ଫୋରକ ରୂପ ନେଇପାରେ। ପାସୋରିଗଲେ ହେବ ନାହିଁ ଯେ ୧୯୫୦ ମସିହାରେ ଦଲାଇ ଲାମା ଭାରତରେ ଆନୁଷ୍ଠାନିକ ଭାବେ ଆଶ୍ରୟ ଲାଭ କରିବା ପରେ ଚୀନ ପକ୍ଷରୁ ଉଭୟ ଦେଶର ସୀମାରେଖା ଭାବେ ନିର୍ଦ୍ଧାରିତ ‘ମାକମୋହନ ଲାଇନ’କୁ ଅସ୍ବୀକାର କରାଯାଇଥିଲା ଏବଂ ସେହି ଠାରୁ ହିଁ ଭାରତ-ଚୀନ ବିବାଦର ବୀଜ ବପନ ହୋଇଯାଇଥିଲା। ଦଲାଇ ଲାମାଙ୍କ ଉତ୍ତରାଧିକାର ଚୟନ ବ୍ୟାପାରରେ ମୁଣ୍ଡ ନ ପୂରାଉ ବୋଲି ଇତିମଧ୍ୟରେ ଚୀନ ପକ୍ଷରୁ ଭାରତକୁ ସତର୍କ କରାଇ ଦିଆଗଲାଣି। ଯଦିଓ ଭାରତ ଆନୁଷ୍ଠାନିକ ଭାବେ ଦଲାଇ ଲାମାଙ୍କୁ ଜଣେ ମହାର୍ଘ ଅତିଥି ରୂପେ ଦର୍ଶାଇଥାଏ, ସେ କିନ୍ତୁ ଭାରତୀୟମାନଙ୍କ ଠାରେ ଅପରିମେୟ ଶ୍ରଦ୍ଧା ଓ ଭକ୍ତିର ଆସ୍ପଦ ହୋଇଥାଆନ୍ତି। ସୁତରାଂ, ଏଭଳି ସ୍ଥିତିରେ ଚୀନ ଓ ଦଲାଇ ଲାମାଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ଖଣ୍ଡା ଧାର ଉପରେ ଚାଲିବା ସଦୃଶ ଅପୂର୍ବ ଦକ୍ଷତା, କୌଶଳ ଓ ସତର୍କତା ଲୋଡ଼ିବ।
ଆଲୋଚନା ପ୍ରସଙ୍ଗରେ ତିବ୍ବତୀୟ ବୌଦ୍ଧପନ୍ଥ ସହିତ ଓଡ଼ିଶାର ସଂପର୍କ ବିଷୟରେ ସାମାନ୍ୟ ସୁଚନା ଦିଆଯିବା ଆବଶ୍ୟକ। ଅଷ୍ଟମ-ନବମ ଶତାବ୍ଦୀର ରାଜା ଇନ୍ଦ୍ରଭୂତିଙ୍କ ପୁତ୍ର ପଦ୍ମସମ୍ଭବ ହେଉଛନ୍ତି ତିବ୍ବତୀୟ ଲାମା ବୌଦ୍ଧ ପନ୍ଥର ପ୍ରବର୍ତ୍ତକ, ଯାହାଙ୍କ ଜନ୍ମ, ଶିକ୍ଷାଦୀକ୍ଷା ଓ ମହାପ୍ରୟାଣର ଭୂମି ଆଜିର ଓଡ଼ିଶା ଥିଲା ବୋଲି ବୌଦ୍ଧ ବିଦ୍ବାନମାନଙ୍କ ଦ୍ବାରା ପ୍ରମାଣିତ ହୋଇଛି। ପଶ୍ଚିମ ଓଡ଼ିଶାର ‘ପଦମପୁର’ ହେଉଛି ସେହି ‘ପଦ୍ମପୁର’ ନାମର ଅପଭ୍ରଂଶ, ଯାହା ଏକଦା ଥିଲା ପ୍ରାଚୀନ ‘ସମ୍ବଳକ’ ରାଜ୍ୟର ରାଜଧାନୀ, ଯାହାକୁ ରାଜା ଇନ୍ଦ୍ରଭୂତି ନିଜ ପୁତ୍ରଙ୍କ ପଦ୍ମସମ୍ଭବଙ୍କ ନାମାନୁସାରେ ପ୍ରତିଷ୍ଠା କରିଥିଲେ। ଏବେ ମୂଳ ପ୍ରସଙ୍ଗକୁ ଫେରିବା, ଯେଉଁଠି ଲାମା ବୌଦ୍ଧ ପନ୍ଥର ଦୁଇଟି ବୃକ୍ଷ ଦୃଶ୍ୟମାନ ହୋଇଥାଏ; ଗୋଟିଏ ‘ଚୀନ-ତିବ୍ବତ’ରେ ଏବଂ ଅନ୍ୟଟି ତା’ ବାହାରେ। ପ୍ରଶ୍ନ ହେଲା କେଉଁ ବୃକ୍ଷଟି ଦୀର୍ଘଜୀବୀ ହେବ? ଅଶ୍ରଦ୍ଧ ରାଜାନୁଗ୍ରହ ପ୍ରାପ୍ତ କରୁଥିବା ବୃକ୍ଷ ନା ରାଜ ଆକ୍ରୋଶ ସତ୍ତ୍ବେ ଶ୍ରଦ୍ଧା ଓ ଭକ୍ତିର ବାରିପାତ ଲାଭ କରୁଥିବା ବୃକ୍ଷ? ଏହାର ସହଜ ଉତ୍ତର ହୁଏତ ସମ୍ଭବ ନୁହେଁ!