ରୁଷିଆ ସହିତ ଭାରତର ବନ୍ଧୁତ୍ବ ପୁରୁଣା ଏବଂ ପାରଂପରିକ; ଯେତେବେଳେ କି ଆମେରିକା ସହିତ ସଂପର୍କ ଅନେକ ସମୟରେ ବାଧାବିଘ୍ନ ଭରା ହୋଇଛି। ଭାରତ ସମ୍ମୁଖୀନ ହୋଇଥିବା କୌଣସି ଯୁଦ୍ଧରେ ଆମେରିକା କେବେ ହେଲେ ଭାରତ ପକ୍ଷରେ ଛିଡ଼ା ହୋଇନାହିଁ, ବରଂ ୧୯୬୫ ଏବଂ ୧୯୭୧ ଯୁଦ୍ଧରେ ଆମେରିକା ପାକିସ୍ତାନକୁ ସହାୟତା ପ୍ରଦାନ କରିଥିଲା। ଏକ ଗଣତନ୍ତ୍ର ହୋଇ ଆଉ ଏକ ଗଣତନ୍ତ୍ରର ସମର୍ଥନ ପାଇବା ପରିବର୍ତ୍ତେ ଭାରତ ସର୍ବଦା ଏକଛତ୍ରବାଦୀ ରୁଷିଆ ଠାରୁ ହିଁ ସମର୍ଥନ ଓ ସହାୟତା ପାଇ ଆସିଛି।
ସଂପ୍ରତି ଜଣେ ପ୍ରବୁଦ୍ଧ ଆମେରିକୀୟଙ୍କ ମତିଭ୍ରଷ୍ଟ ହୋଇଥିଲା ଭଳି ବଖାଣ କେବଳ ଯେ ଭାରତରେ ଘମାଘୋଟ ଆଲୋଚନାର ବିଷୟ ପାଲଟିଛି, ତାହା ନୁହେଁ, ଆମେରିକାରେ ମଧ୍ୟ କୁତୂହଳୀ ଭ୍ରୂକୁଂଚନ ସୃଷ୍ଟି କରିଛି। ପିଟର ନବାରୋ ନାମକ ଏହି ମହୋଦୟଙ୍କୁ ପ୍ରବୁଦ୍ଧ ବୋଲି ସଂବୋଧନ କରାଯିବାର କାରଣ ହେଲା ଯୁକ୍ତରାଷ୍ଟ୍ର ଆମେରିକା ଭଳି ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ସେ ହେଉଛନ୍ତି ଜଣେ ପ୍ରମୁଖ ଉପଦେଷ୍ଟା ଏବଂ ଯାହାଙ୍କ ବୁଦ୍ଧିରେ ପରିଚାଳିତ ହୋଇ ରାଷ୍ଟ୍ରପତି ଟ୍ରଂପ ‘ଟାରିଫ’ ଯୁଦ୍ଧରେ ମାତିଛନ୍ତି। ଘଟଣାଟି ହେଲା ଏହା ଯେ ଦୁଇ ଦିନ ତଳେ ଏକ ଟେଲିଭିଜନ ସାକ୍ଷାତ୍କାରରେ ନବାରୋ ତର୍କ ସହିତ ପ୍ରମାଣ କରିବାକୁ ଉଦ୍ୟମ କରିଛନ୍ତି ଯେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲୁ ରହିଥିବା ଦୀର୍ଘକାଳୀନ ସମର ପ୍ରକୃତରେ ପୁଟିନ ବା ଜେଲେନସ୍କିଙ୍କ ଯୁଦ୍ଧ ନୁହେଁ, ଏହା ହେଉଛି ‘ମୋଦୀଙ୍କ ଯୁଦ୍ଧ’। ସଂପ୍ରତି ଯେେତବେଳେ ଆମେରିକା ପାଇଁ ଭାବଗମ୍ଭୀର ଏବଂ ଅର୍ଥପୂର୍ଣ୍ଣ କୂଟନୀତି ଛୁଟି ନେଇସାରିଛି ଏବଂ ସାରା ପୃଥିବୀକୁ କଂପମାନ କଲା ଭଳି ବିଦେଶ ବ୍ୟାପାର ସମ୍ବନ୍ଧୀୟ ନିର୍ଣ୍ଣୟମାନ ‘ଏକ୍ସ’ ବା ‘ଟ୍ରୁଥ ସୋସିଆଲ’ ଭଳି ସାମାଜିକ ଗଣମାଧ୍ୟମ ମଞ୍ଚରେ ପ୍ରକାଶ୍ୟ ହେଉଛି, ସେଭଳି ପରିବେଶରେ ଏହି ତଥାକଥିତ ଆମେରିକୀୟ ପ୍ରବୁଦ୍ଧଙ୍କ ବୁଦ୍ଧି ଓ କଳ୍ପନା ଓଲେଈ ଗାଈ ତୁଲ୍ୟ ବାଡ଼ବତା ନ ମାନି ଖେଦି ବୁଲିବାରେ ବିସ୍ମିତ ହେବାର କାରଣ ନ ଥାଏ; କିନ୍ତୁ କଥା ହେଲା, ଏଭଳି ବ୍ୟକ୍ତିବିଶେଷଙ୍କ ଦ୍ବାରା ପୃଥିବୀ ଅଗତ୍ୟା ପଣବନ୍ଦୀରେ ପରିଣତ ହୋଇଯିବା ଭଳି ସ୍ଥିତି ଘୋର ଉଦ୍ବେଗର କାରଣ ହୋଇଥାଏ, ଯାହାକୁ ନେଇ ଏହି ସ୍ତମ୍ଭରେ ଏକ କ୍ଷୁଦ୍ର ଆଲୋଚନା।
ଏହା ସୁବିଦିତ ଯେ ରୁଷିଆରୁ ସର୍ବାଧିକ ପରିମାଣର ଖଣିଜ ତୈଳ ଖର୍ଦ୍ଦି କରୁଥିବା ରାଷ୍ଟ୍ର ହେଉଛି ଚୀନ। ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ରୁଷିଆ ଠାରୁ ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ କ୍ରୟ କରିଥାଏ ଏବଂ ଆଲାସ୍କାରେ ଗଚ୍ଛିତ ପ୍ରଚୁର ଖଣିଜ ତୈଳର ଉତ୍ତୋଳନ ଲାଗି ରୁଷିଆ ସହିତ ଅାଲୋଚନା ଲାଗି ଆଗ୍ରହୀ, ଯେଉଁ କାରଣରୁ ଗଲା ୧୫ ତାରିଖରେ ଡୋନାଲ୍ଡ ଟ୍ରଂପଙ୍କ ଦ୍ବାରା ପୁଟିନ ଭାବପୂର୍ଣ୍ଣ ସଂବର୍ଦ୍ଧନା ଲାଭ କରିଥିଲେ। ରୁଷିଆର ପ୍ରାକୃତିକ ଗ୍ୟାସର ବୃହତ୍ତମ କ୍ରେତା ହେଉଛି ୟୁରୋପୀୟ ସଂଘ। କିନ୍ତୁ ନବାରୋଙ୍କ ତର୍କାନୁସାରେ ଭାରତକୁ ତୈଳ ବିକ୍ରୟ କରି ରୁଷିଆ ଯେଉଁ ଅର୍ଥ ଲାଭ କରିଥାଏ, ତାହା ହିଁ ୟୁକ୍ରେନ ବିରୋଧୀ ଯୁଦ୍ଧକୁ ଏ ଯାବତ ଚଳାଇ ରଖିଛି ଏବଂ ଭାରତ ଦ୍ବାରା ତୈଳ ଖର୍ଦ୍ଦି ବନ୍ଦ ହୋଇଗଲେ ରୁଷିଆ ତତ୍କ୍ଷଣାତ୍ ତା’ର ସମର ସାମର୍ଥ୍ୟ ହରାଇବ। ତେଣୁ ତାଙ୍କ ମତରେ ଏହା ବାସ୍ତବରେ ହେଉଛି ‘ମୋଦୀଙ୍କ ଯୁଦ୍ଧ’। ନବାରୋ ମହାଶୟ କିନ୍ତୁ ଏ କଥା କହନ୍ତି ନାହିଁ ଯେ ୟୁକ୍ରେନ ଉପରେ ପୁଟିନଙ୍କ ଆକ୍ରମଣ ପଛରେ ନିହିତ ଏକ ବଡ଼ କାରଣ ହେଲା ୟୁକ୍ରେନକୁ ‘ନାଟୋ’ ଅନ୍ତର୍ଭୁକ୍ତ କରିବା ଲାଗି ଆମେରିକାର ଉଦ୍ୟମ, ଯାଦ୍ଦ୍ବାରା ରୁଷିଆର ଚରମ ବିରୋଧୀ ‘ନାଟୋ’ର ଜାଲ ତା’ର ପଡ଼ୋଶୀ ଦେଶ ୟୁକ୍ରେନ ପର୍ଯ୍ୟନ୍ତ ମାଡ଼ନ୍ତା। କହିବା ଅନାବଶ୍ୟକ ଯେ ଏଭଳି ଏକ ଆଶଙ୍କା ଦ୍ବାରା ଅତ୍ୟନ୍ତ ଅସୁରକ୍ଷିତ ପୁଟିନ ଯୁଦ୍ଧର ଆଶ୍ରୟ ନେଇଥିଲେ। ଏହି ଯୁଦ୍ଧରେ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନକୁ ଯୁଦ୍ଧ ସରଂଜାମ ଓ ଅର୍ଥ ସହାୟତା ପ୍ରଦାନ କରିଥିଲେ। କିନ୍ତୁ ନବାରୋଙ୍କ ଦୃଷ୍ଟିରେ ଏହି ଯୁଦ୍ଧ ଲାଗି ଉତ୍ତରଦାୟିତ୍ବ ଉପରୋକ୍ତ କୌଣସି ରାଷ୍ଟ୍ର ଉପରେ ନାହିଁ; ଏହା ‘ମୋଦୀଙ୍କ ଯୁଦ୍ଧ’, ଯିଏ ପୁଟିନଙ୍କ ସମ୍ମୁଖରେ ସ୍ପଷ୍ଟ ଭାବେ କହିଥିଲେ ଯେ ‘ଏହି ସମୟ ଯୁଦ୍ଧ କରିବାର ସମୟ ନୁହେଁ।’ କହିବା ଅନାବଶ୍ୟକ ଯେ ନବାରୋଙ୍କ ମନ୍ତବ୍ୟ ସ୍ବାଭାବିକ ଭାବେ ଅନେକ ଆମେରିକୀୟଙ୍କ ଲାଗି ଅସ୍ବସ୍ତିର କାରଣ ହୋଇଛି, କାରଣ ରାଷ୍ଟ୍ରପତିଙ୍କ ଜଣେ ମୁଖ୍ୟ ଉପଦେଷ୍ଟାଙ୍କ ବାଚାଳ ସୁଲଭ ବିତଣ୍ଡା ବଖାଣ ସହିତ ରାଷ୍ଟ୍ରର ସମ୍ମାନ ମଧ୍ୟ ଯୋଡ଼ି ହୋଇ ରହିଥାଏ।
ସେହି ସାକ୍ଷାତ୍କାରରେ ପିଟର ନବାରୋଙ୍କ ଦ୍ବାରା ପ୍ରଦତ୍ତ ଏକ ମତ ଥିଲା ଯେ ଚୀନ ଭଳି ଗୋଟିଏ ଏକଛତ୍ରବାଦୀ ଦେଶ ଏବଂ ଜାତ ଶତ୍ରୁ ଆଡ଼କୁ ଢଳିବା ଭାରତ ଭଳି ଏକ ଗଣତନ୍ତ୍ର ଲାଗି ସଂପୂର୍ଣ୍ଣ ଅସଂଗତ। ତାଙ୍କ ମତରେ ଉଭୟ ଆମେରିକା ଓ ଭାରତ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ସ୍ବାଭାବିକ ସହଯୋଗୀ ହେବା ଉଚିତ। କିନ୍ତୁ, କଥା ହେଲା, ‘ଅପରେସନ ସିନ୍ଦୂର’ ପରବର୍ତ୍ତୀ ଘଟନାର ଘନଘଟା ପରେ ଭାରତ ପ୍ରତି ଟ୍ରଂପଙ୍କ ଅଶାଳୀନ ଆଭିମୁଖ୍ୟ ଓ ଅପମାନଜନକ ଆଚରଣ ପ୍ରଦର୍ଶନ ତଥା ସର୍ବାଧିକ ‘ଟାରିଫ’(ଏସୀୟ ରାଷ୍ଟ୍ରଙ୍କ ମଧ୍ୟରେ) ଦ୍ବାରା ଆକ୍ରମଣ ଫଳରେ ହତଚକିତ ଭାରତ ଏକ ନୂତନ ଶକ୍ତି ସମୀକରଣ ସୃଷ୍ଟି ଲାଗି ଚୀନ ଆଡ଼କୁ ଢଳିବା ଏକ କ୍ରୂର ବାସ୍ତବତା ହୋଇଥିଲେ ହେଁ ଏକ ନୂତନ ଦିଗନ୍ତର ସନ୍ଧାନ ଭଳି ମଧ୍ୟ ଦିଶିଥାଏ। ଏହା ସତ ଯେ ଅନେକ ଭାରତୀୟ ଜନ ବିଦ୍ବାନ ଓ ବିଶେଷଜ୍ଞ ଏହି ନୂତନ ସଂପର୍କର ସମ୍ଭାବନାକୁ ନେଇ ଆଶ୍ବସ୍ତ ନୁହନ୍ତି, କାରଣ ସେମାନଙ୍କ ଦୃଷ୍ଟିରେ ଚୀନ କଦାଚିତ୍ ବିଶ୍ବାସର ପାତ୍ର ନୁହେଁ ଏବଂ ଏକ ଗଣତାନ୍ତ୍ରିକ ଆମେରିକାରେ ଟ୍ରଂପ ବା ତାଙ୍କ ସମଧର୍ମାମାନେ ସର୍ବଦା ଗାଦିନସୀନ ହୋଇ ରହିବାର ସମ୍ଭାବନା ନ ଥିବାରୁ ସ୍ଥିତି ବଦଳିବ ଏବଂ ଭାରତ ଓ ଆମେରିକା ମଧ୍ୟରେ ସୌହାର୍ଦ୍ଦ୍ୟ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବ। ତେବେ, ଏହା ମଧ୍ୟ ସତ ଯେ ଚୀନ ଭଳି ଏକ ଜଣାଶୁଣା ଶତ୍ରୁ ରାଷ୍ଟ୍ର ସହିତ ସଂପର୍କ ବୃଦ୍ଧି କରିବା ବେଳେ ଭାରତ ନିଶ୍ଚିତ ଭାବେ ଅତ୍ୟନ୍ତ ସତର୍କ ଦୃଷ୍ଟି ସହିତ ପାଦେ ପାଦେ ଅଗ୍ରସର ହେବ। ଏବଂ ସମସ୍ତ ପ୍ରତିକୂଳତା ସତ୍ତ୍ବେ ଏହି ଦୁଇ ପଡ଼ୋଶୀ ରାଷ୍ଟ୍ର ଦ୍ବାରା ଏକ ସାମ୍ମୁଖ୍ୟ ଗଠନ ଯଦି ସମ୍ଭବ ହୁଏ, ତେବେ ତାହା ଯୁଗାନ୍ତକାରୀ ହେବ। ଏହା ସୁବିଦିତ ଯେ ‘ଟାରିଫ’ ଯୁଦ୍ଧ ପରେ ଏହି ଦୁଇ ଶତ୍ରୁ ରାଷ୍ଟ୍ର ହଠାତ୍ ପରସ୍ପର ପ୍ରତି ନମନୀୟ ହୋଇ ଉଠିଛନ୍ତି, ଯାହା ପୂର୍ବରୁ କେବେ ହେଲେ ଘଟି ନ ଥିଲା। ସେହି ଦୃଷ୍ଟିରୁ ଆଶାର କ୍ଷୀଣ ଆଲୋକ ରେଖାଟିଏ ମଧ୍ୟ ଦିଶିଥାଏ। ଏଣେ, ଆମେରିକା ସଂପ୍ରତି ପ୍ରଦର୍ଶନ କରୁଥିବା ଆଡ଼ବାୟାତୁଲ୍ୟ ଆଚରଣ ଦୃଷ୍ଟିରୁ ତା’ ସହିତ ସଂପର୍କ ରକ୍ଷା କରିବା ମଧ୍ୟ ଦୁରୂହ ବ୍ୟାପାର ହୋଇଉଠିଛି। ଏକଛତ୍ରବାଦୀ ଚୀନ ବା ରୁଷିଆ ସହିତ ଗଣତାନ୍ତ୍ରିକ ଭାରତର ସଂପର୍କକୁ ନାପସନ୍ଦ କରୁଥିବା ନବାରୋ ପାସୋରି ଯାଆନ୍ତି ଯେ ନିର୍ମମ ଏକଛତ୍ରବାଦୀ ଉତ୍ତର କୋରିଆ ସହିତ ବନ୍ଧୁତା ସକାଶେ ଟ୍ରଂପ ସର୍ବଦା ଆଗ୍ରହୀ; ପ୍ରଥମ ପାଳିରେ ସେ ତିନି ଥର ଉତ୍ତର କୋରିଆ ଗସ୍ତ କରିଥିଲେ ଏବଂ ଏହି ପାଳିରେ ସେ ଉତ୍ତର କୋରିଆ ଗସ୍ତ ଲାଗି ପ୍ରସ୍ତୁତ ହେଲେଣି। କେବଳ ସେତିକି ନୁହେଁ, ଏକଛତ୍ରବାଦୀ ମନୋବୃତ୍ତିରେ ଟ୍ରଂପ କାହା ଠାରୁ ଊଣା ମଧ୍ୟ ନୁହନ୍ତି। ପ୍ରକାଶ ଥାଉ କି ରୁଷିଆ ସହିତ ଭାରତର ବନ୍ଧୁତ୍ବ ପୁରୁଣା ଏବଂ ପାରଂପରିକ; ଯେତେବେଳେ କି ଆମେରିକା ସହିତ ସଂପର୍କ ଅନେକ ସମୟରେ ବାଧାବିଘ୍ନ ଭରା ହୋଇଛି। ଭାରତ ସମ୍ମୁଖୀନ ହୋଇଥିବା କୌଣସି ଯୁଦ୍ଧରେ ଆମେରିକା କେବେ ହେଲେ ଭାରତ ପକ୍ଷରେ ଛିଡ଼ା ହୋଇନାହିଁ, ବରଂ ୧୯୬୫ ଏବଂ ୧୯୭୧ ଯୁଦ୍ଧରେ ଆମେରିକା ପାକିସ୍ତାନକୁ ସହାୟତା ପ୍ରଦାନ କରିଥିଲା। ଏକ ଗଣତନ୍ତ୍ର ହୋଇ ଆଉ ଏକ ଗଣତନ୍ତ୍ରର ସମର୍ଥନ ପାଇବା ପରିବର୍ତ୍ତେ ଭାରତ ସର୍ବଦା ଏକଛତ୍ରବାଦୀ ରୁଷିଆ ଠାରୁ ହିଁ ସମର୍ଥନ ଓ ସହାୟତା ପାଇ ଆସିଛି। ଏହା ସୁବିଦିତ ଯେ ସପ୍ତମ ଦଶକରେ ପାକିସ୍ତାନ ଥିଲା ଆମେରିକାର କୋଳାଗ୍ରତ ପୁତ୍ର ତୁଲ୍ୟ, ଯେଉଁ ସଂପର୍କ ଗତ ପ୍ରାୟ ଦୁଇ ଦଶନ୍ଧି ଧରି ଦୁର୍ବଳ ପଡ଼ି ଯାଇଥିବା ବେଳେ ସଂପ୍ରତି ଟ୍ରଂପଙ୍କ ଅମଳରେ ହାଠାତ୍ ତେଜୀୟାନ ହୋଇ ଉଠିଛି। ଏହି ସବୁ ଦୃଷ୍ଟିରୁ ନବାରୋଙ୍କ ତର୍କ ସହିତ ଏକମତ ହେବାର ବିଶେଷ କାରଣ ନ ଥାଏ।
ସେହି ସାକ୍ଷାତ୍କାରରେ ଭାରତ ଉଦ୍ଦେଶ୍ୟରେ ପିଟର ନବାରୋଙ୍କ ବିଜ୍ଞ ପରାମର୍ଶଟି ଥିଲା ଏହା ଯେ ରୁଷିଆ ଠାରୁ ତୈଳ ଖର୍ଦ୍ଦି ବନ୍ଦ କରି ଦିଅ, ତତ୍କ୍ଷଣାତ୍ ଟାରିଫରେ ୨୫% ହ୍ରାସ ଘଟିବ; ଅର୍ଥାତ୍ ଭାରତ ତା’ର ମିତ୍ରତାର ଲାଭ ପାଇବ। ନବାରୋ(ଟ୍ରଂପ ମଧ୍ୟ)ଙ୍କ ବିଚାରର ବିଡ଼ମ୍ବନାଟି ଏହି ଠାରେ ଦୃଶ୍ୟମାନ ହୁଏ। ସେମାନଙ୍କ ଅଭିଧାନରେ ମିତ୍ରତାର ସମାର୍ଥବାଚକ ଶବ୍ଦ ବୋଧହୁଏ ବଶମ୍ବଦତା। ନବାରୋମାନଙ୍କ ଗଉଁ ଭାଙ୍ଗିବାର କ୍ଷଣ ଏବେ ଉପନୀତ, ତାହାର ଅର୍ଥ ଭାରତ ଲାଗି ନିଜ ପଥ ନିଜେ ଆବିଷ୍କାର କରିବାକୁ ହେବ, ଯେତେ କଷ୍ଟସାଧ୍ୟ ହେଲେ ମଧ୍ୟ!